Unknown

 

 

 

 

 

 

 

 

 

 

ବିଶ୍ୱ ପରିକ୍ରମା-୨

(ଶିକ୍ଷା)

ଚିତ୍ତରଞ୍ଜନ ଦାସ

 

ପୁସ୍ତକ ପ୍ରସ୍ତାବନା

 

୧୧ ଡିସେମ୍ବର, ୨୦୦୬ । ଦଶମାସ ତଳେ ‘ବିଶ୍ୱ ପରିକ୍ରମା’ ର ପ୍ରକାଶନ ହୋଇଥାଏ । ସେହିଦିନ ସନ୍ଧ୍ୟାରେ ଚିତ୍ତଭାଇ (ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ) ଙ୍କ ସହ ସାକ୍ଷାତ ହୁଏ ଏକ ଉତ୍ସବରେ । ବହୁଦିନ ବ୍ୟବଧାନ ପରେ ଭେଟ ହେଉଥିବାରୁ ମୁଁ ନିଜକୁ ଦୋଷୀ ଭଳି ଅନୁଭବ କରୁଥାଏ । କାହିଁକି କେଜାଣି ଚିତ୍ତଭାଇ ମୋର ହାତଧରି ଅନ୍ୟମାନଙ୍କଠାରୁ ଦୂରେଇ ନେଇ ଏକାନ୍ତରେ ଗୋଟିଏ କୋଣରେ ବସି ଏହି ପୁସ୍ତକର ପ୍ରସ୍ତାବ କଲେ । ‘ବିଶ୍ୱ ପରିକ୍ରମା’ ର ପ୍ରକାଶନ ପରେ ଜ୍ଞାନର କେତେକ ବିଶିଷ୍ଟ ବିଭବ ଉପରେ ରଚିତ ବିଶିଷ୍ଟ ଲେଖକଙ୍କର କୃତି ସଂପୃକ୍ତ ଓଡ଼ିଆ ପାଠକମାନଙ୍କୁ ପରିଚିତ କରିବାର ପ୍ରଚେଷ୍ଟାରେ ଏହା ତାଙ୍କର ଦ୍ୱିତୀୟ ମାନସ ସନ୍ତାନ । ଶିକ୍ଷା କ୍ଷେତ୍ରରେ ପୃଥିବୀ ତଥା ଭାରତର ବିଶିଷ୍ଟ ଚିନ୍ତାନାୟକମାନଙ୍କର ରଚନାର ସାରାଂଶ ଏହି ଧାରାରେ ଦ୍ୱିତୀୟ ପୁସ୍ତକ ହେଉ ବୋଲି ତାଙ୍କର ପ୍ରସ୍ତାବ ଥିଲା ଏବଂ ତାକୁ ଆଦେଶ ଭଳି ମୋତେ ମାନିନେବାକୁ ପଡ଼ିଥିଲା । ଏହାର ମାସକ ମଧ୍ୟରେ ଆମେ ଉଭୟ ଶିକ୍ଷା ଚିନ୍ତନ ଉପରେ ଦଶଟି ପୁସ୍ତକର ସାରାଂଶ (ସମୀକ୍ଷା ନୁହେଁ) ପ୍ରସ୍ତୁତ କରିବା ପାଇଁ ସହମତ ହୋଇଥିଲୁ । ସେ ନିଜେ ତିନିଖଣ୍ଡ ପୁସ୍ତକର ସାରମର୍ମ ସମ୍ବନ୍ଧିତ ନିବନ୍ଧ ପ୍ରାୟ ତିନିମାସ ମଧ୍ୟରେ ପ୍ରସ୍ତୁତ କରିଦେଲେ । ଅନ୍ୟ ଛଅଟି ପୁସ୍ତକର ସାରାଂଶ ଆମକୁ ପ୍ରସ୍ତୁତ କରିବାକୁ ବେଶ୍‍ ଦୀର୍ଘ ସମୟ ଲାଗିଗଲା । ଆଉ ଦୁଇଟି ପୁସ୍ତକର ସାରାଂଶ ଏଯାବତ୍‍ ହୋଇ ନପାରିବାରୁ, ସମୁଦାୟ ଆଠଟି ପ୍ରସିଦ୍ଧ ସାରାଂଶ ଏହି ସଂକଳନରେ ଅନ୍ତର୍ଗତ କରାଯାଇଛି ।

 

ଏହି ପୁସ୍ତକର ପରିକଳ୍ପନା, ପ୍ରସ୍ତୁତି ଓ ପ୍ରକାଶନର ସମସ୍ତ ଶ୍ରେୟ ଚିତ୍ତଭାଇଙ୍କର । ତାଙ୍କର କ୍ରମାଗତ ସ୍ମାରକ ଓ ପ୍ରେରଣା ଯୋଗୁଁ ହିଁ ଏହା ସମ୍ଭବ ହୋଇଛି । ଏପରିକି କଳିଙ୍ଗ ହସପିଟାଲ୍‍ର ରୋଗଶଯ୍ୟାକୁ ମଧ୍ୟ ଏହାର ପ୍ରସ୍ତୁତି ପାଇଁ ଉଦବେଗ ପ୍ରକାଶ କରୁଥିଲେ । ସେଥିପାଇଁ ତାଙ୍କ ନିକଟରେ ଗଭୀର କୃତଜ୍ଞତା ଜଣାଉଛି ।

 

ରାଜ୍ୟର ଦୁଇଜଣ ବରିଷ୍ଠ ଶିକ୍ଷା ଅଧ୍ୟାପକ ଡକ୍ଟର ଗୌରାଙ୍ଗ ଚନ୍ଦ୍ର ନନ୍ଦ ଏବଂ ଡକ୍ଟର ଦୁର୍ଗାଚରଣ ରଣା ସ୍ୱେଚ୍ଛାକୃତଭାବେ ଦୁଇଟି ବହିର ସାରାଂଶ ପାଣ୍ଡୁଲିପି ପ୍ରସ୍ତୁତ କରିଥିବାରୁ ସେମାନେ ଧନ୍ୟବାଦାର୍ହ ।

 

ବନ୍ଧୁ ଶ୍ରୀ ପ୍ରଫୁଲ୍ଲ ବେହେରା ଆବଶ୍ୟକ ସ୍ଥଳେ ବିଭିନ୍ନ ପୁସ୍ତକ ଅକୁଣ୍ଠଚିତ୍ତରେ ଯୋଗାଇବା ସହିତ ଏହି କାର୍ଯ୍ୟର ଅଗ୍ରଗତି ପାଇଁ ବହୁ ପ୍ରକାରରେ ଉତ୍ସାହିତ କରିଛନ୍ତି । ଶିକ୍ଷା ସନ୍ଧାନର ଶ୍ରୀ ଅନିଲ ପ୍ରଧାନ ପ୍ରକାଶନର ସମସ୍ତ ଦାୟିତ୍ୱ ବହନ କରି ଆମର ବହୁ ଶ୍ରମ ଲାଘବ କରିଛନ୍ତି । ଉଭୟଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ।

 

ସଂପାଦକ

☆☆☆

 

ପୁସ୍ତକ ପରିଚିତି :

 

ଯାବତୀୟ ଶିକ୍ଷା ବୃତ୍ତର କେନ୍ଦ୍ରରେ ଶିଖିବାକୁ ଆଗ୍ରହୀ ବ୍ୟକ୍ତିଟିଏ ଥାଏ ଏବଂ ବୃତ୍ତର ପରିସର ପରିବାର, ଗୋଷ୍ଠୀ, ଅଞ୍ଚଳ, ରାଷ୍ଟ୍ର ଏବଂ ପରିଶେଷରେ ସାରା ପୃଥିବୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ । ଜଣେ ବ୍ୟକ୍ତିର ଶିକ୍ଷାର ଲକ୍ଷ୍ୟ ପଦ୍ଧତି, ପ୍ରୟୋଗ ଆଦି ଅନ୍ୟ ଜଣଙ୍କଠାରୁ ସେହିସବୁ କ୍ଷେତ୍ରରେ ଭିନ୍ନ ହୋଇଥାଏ ଓ ସେହିପରି ଗୋଷ୍ଠୀ, ଗୋଷ୍ଠୀ ମଧ୍ୟରେ, ଅଞ୍ଚଳ, ଅଞ୍ଚଳ ମଧ୍ୟରେ ମଧ୍ୟ ଭିନ୍ନତା ରହିବା ସ୍ୱାଭାବିକ ଓ ଶ୍ରେୟ ମଧ୍ୟ । କିନ୍ତୁ ଶିଖିବାର ପ୍ରକ୍ରିୟା ବ୍ୟକ୍ତିର ସଂପୂର୍ଣ୍ଣ ଅନ୍ତରୀଣ ନୁହେଁ । ବ୍ୟକ୍ତି ନିଜର ପରିବେଶ ଓ ଗୋଷ୍ଠୀ ମଧ୍ୟରେ ଆଦାନ ପ୍ରଦାନ ମାଧ୍ୟମରେ ଅନୁଭୂତିର ଉପଲବ୍‍ଧି ଓ ଅଭିବୃଦ୍ଧି କରିବାରେ ସମର୍ଥ ହୁଏ । ସେଥିପାଇଁ ପରିବେଶ ଓ ସମାଜରେ ଘଟୁଥିବା ପରିବର୍ତ୍ତନ ମଧ୍ୟ ବ୍ୟକ୍ତିଗତ ଶିକ୍ଷଣ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ବିଦ୍ୟାଳୟ ବ୍ୟବସ୍ଥାରେ ଥିବା ଦଳର ଶିକ୍ଷା ମଧ୍ୟ ସାମାଜିକ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇଥାଏ । ଶିକ୍ଷା ବୃତ୍ତର ପରିସର ବୃଦ୍ଧିରେ ସାମଗ୍ରିକ ପରିବର୍ତ୍ତନର ଧାରାର ଲକ୍ଷଣ ସମ୍ପର୍କରେ ଧାରଣା କରିହୁଏ । ଜୀବନର ସମସ୍ତକ୍ଷେତ୍ରରେ ପରିବର୍ତ୍ତନ କଥା ବିଚାର କଲେ ବିଂଶ ଶତାଦ୍ଦୀ ଏକ ପ୍ରଚଣ୍ଡ ଆଲୋଡ଼ନମୟ ସମୟ ଭାବେ ପରିଗଣିତ ହୁଏ । ବିଜ୍ଞାନ ଓ ଯୋଗାଯୋଗ ବିଦ୍ୟାରେ ଅଭୂତପୂର୍ବ ଅଗ୍ରଗତି, ଶିଳ୍ପ ଯୁଗର ଅବସାନ, ଦୁଇଟି ବିଶ୍ୱଯୁଦ୍ଧ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ସାରା ବିଶ୍ୱରେ ସଚେତନତା ସାଧାରଣ ଜୀବନର ଧାରାକୁ ସମ୍ପୂର୍ଣ୍ଣଭାବେ ପ୍ରଭାବିତ କରିଛି । ଟଫ୍‍ଲରୀୟ ପରିବର୍ତ୍ତନକାରୀ ପ୍ରକ୍ରିୟାତ୍ରୟ-ନୂତନତ୍ୱ (Novelty), ଏବଂ କ୍ଷଣସ୍ଥାୟିତ୍ୱ (transience) ଅପ୍ରଚଳନ (obsolescence) ଏତେ ଦ୍ରୁତ ହାରରେ କାର୍ଯ୍ୟକାରୀ ହେଉଛନ୍ତି ଯେ ‘ପରିବର୍ତ୍ତନ ହିଁ ଏକମାତ୍ର ଚିରନ୍ତନ ସତ୍ୟ’ ଉକ୍ତିଟିର ଯଥାର୍ଥ୍ୟ ପୂର୍ବରୁ ଏତେ କେବେ ଅନୁଭୂତ ହୋଇ ନଥିଲା । ଏପରି ପରିବର୍ତ୍ତନର ଆବର୍ତ୍ତନରେ ଅନ୍ୟ ଯେକୌଣସି ସାମାଜିକ ପ୍ରକ୍ରିୟା ଓ ସଂସ୍ଥା ଭଳି ପ୍ରଚଳିତ ଶିକ୍ଷା ବ୍ୟବସ୍ଥା, ପ୍ରକ୍ରିୟା ଓ ପଦ୍ଧତି ମଧ୍ୟ ଖୁବ୍‍ ଶୀଘ୍ର ବିପର୍ଯ୍ୟସ୍ତ ହୋଇଯାଉଛି ।

 

ପୁନଶ୍ଚ ଶିକ୍ଷା ସର୍ବଦା ଭବିଷ୍ୟତମୁଖୀ । ବର୍ତ୍ତମାନ ଯେତେବେଳେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ତା’ର ଭବିଷ୍ୟତ ଚିନ୍ତା କରିବା ସାଧାରଣ ବ୍ୟକ୍ତି ପକ୍ଷରେ ଦୂରୁହ ବ୍ୟାପାର । ଏପରି ପରିସ୍ଥିତିରେ ସାଧାରଣତଃ ଚିନ୍ତାନାୟକମାନଙ୍କର ଚିନ୍ତନ ନୂତନ ଦିଗଦର୍ଶନ ଦେଇଥାଏ । ସେମାନେ ଶିକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ଉତ୍ପତ୍ତି ଓ ନିରାକରଣ ପାଇଁ ସହମତ ହୋଇନଥାଇ ପାରନ୍ତି କିନ୍ତୁ ଏକ ଯୁକ୍ତିଯୁକ୍ତ ସିଦ୍ଧାନ୍ତ ପ୍ରଦାନ କରିଥାନ୍ତି ଯାହା, ପ୍ରତ୍ୟେକ ପାଠକଙ୍କୁ ନିଜ ପରିପ୍ରେକ୍ଷୀରେ ସମସ୍ୟାର ଅନୁଶୀଳନ ପାଇଁ ସମର୍ଥ କରିବା ସହିତ ଶିକ୍ଷାର ନୂତନ ଦିଗନ୍ତ ଉନ୍ମୋଚନ କରିବାରେ ସହାୟକ ହୋଇପାରେ ।

 

ଏହି ପୁସ୍ତକରେ ବିଶିଷ୍ଟ ଚିନ୍ତାନାୟକମାନଙ୍କର ଆଠଟି କୃତି ସମ୍ପର୍କରେ ପାଠକମାନଙ୍କୁ ପରିଚିତ କରିବା ପାଇଁ ପ୍ରୟାସ କରାଯାଇଛି । ସଂପେକ୍ଷରେ ଉପସ୍ଥାପିତ ଏ ସମସ୍ତ ଗ୍ରନ୍ଥ ବିଂଶଶତାବ୍ଦୀର ସାମାଜିକ ପୃଷ୍ଠଭୂମିରେ ରଚନା କରାଯାଇଛି ଯାହା ବହୁଭାବରେ ସାଂପ୍ରତିକ ଶିକ୍ଷା ସମସ୍ୟା ସହ ଓତଃପ୍ରୋତଭାବେ ଜଡ଼ିତ । ଏହି ପୁସ୍ତକ ଗୁଡ଼ିକର ବିଶ୍ୱ ଶିକ୍ଷା ଇତିହାସରେ ସର୍ବକାଳୀନ ଗୁରୁତ୍ୱ ରହିଛି, କିନ୍ତୁ ଏଗୁଡ଼ିକ ବର୍ତ୍ତମାନ ପାଇଁ ଅଧିକ ପ୍ରାସଙ୍ଗିକ ବୋଲି ମନେକରୁ ।

 

ବ୍ୟକ୍ତି, ସଂସ୍କୃତି ଓ ସମାଜ ଏହି ତିନିଟିର ଶିକ୍ଷା ଉପରେ ପ୍ରଭାବ ସଂପର୍କରେ ଦାର୍ଶନିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ବର୍ଟ୍ରାଣ୍ଡ ରସେଲ୍‍, କୃଷ୍ଣମୂର୍ତ୍ତୀ ଏବଂ ଡୁଇ ନିଜ ନିଜର ପୁସ୍ତକରେ ଭିନ୍ନ ଭିନ୍ନ ବିଶ୍ଳେଷଣ କରିଛନ୍ତି । ସାମାଜିକ ଶୃଙ୍ଖଳା, ବଂଶ ପ୍ରଭାବ, ଗୃହ ଓ ବିଦ୍ୟାଳୟ, ଧର୍ମ, ଯୌନପ୍ରସଙ୍ଗ, ଜାତିପ୍ରୀତି ଓ ପ୍ରତିଦ୍ୱନ୍ଦିତା ଆଦି ଶିକ୍ଷାର ବିବିଧ ପ୍ରସଙ୍ଗ ଉପରେ ରସେଲ୍‍ଙ୍କର ସିଦ୍ଧାନ୍ତ ସଂପୂର୍ଣ୍ଣଭାବେ ଯୁକ୍ତି ସିଦ୍ଧ । ଅପରପକ୍ଷରେ, କୃଷ୍ଣମୂର୍ତ୍ତୀ ଜୀବନ ପାଇଁ ଶିକ୍ଷାର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିବାକୁ ଯାଇ ଯଥାର୍ଥ ଶିକ୍ଷାର ସ୍ୱରୂପ ଉପସ୍ଥାପନ କରିଛନ୍ତି– ଯଥାର୍ଥ ଶିକ୍ଷା ଜ୍ଞାନକୌଶଳରେ ପାରଙ୍ଗମ କରାଇବା ସହିତ ଅଧିକ ମହତ୍ତ୍ୱପୂର୍ଣ୍ଣ ସଂପଦ ଅର୍ଥାତ୍‍ ଜୀବନର ସମଗ୍ର ପ୍ରକ୍ରିୟା ବିଷୟରେ ପରିଚିତ କରାଇଦେବ । ଏଥିପାଇଁ ବୁଦ୍ଧି, କର୍ତ୍ତୃତ୍ୱ, ବ୍ୟବସ୍ଥା ଓ ବୋଧଶକ୍ତିର ଭୂମିକା ସହିତ ବିଶ୍ୱଶାନ୍ତି ଓ ବିଦ୍ୟାଳୟ ଏବଂ କାମପ୍ରବୃତ୍ତି ଓ ବିବାହରେ ଜୀବନର ତାତ୍ପର୍ଯ୍ୟ ଅର୍ଥାତ୍‍ ସର୍ଜନାତ୍ମକ ଜୀବନର ସମ୍ଭାବନା ସଂପର୍କରେ ନିଜର ଯୁକ୍ତିଦ୍ୱାରା ଆଲୋକପାତ କରିଛନ୍ତି । ଡୁଇଙ୍କର ବିଖ୍ୟାତ ପୁସ୍ତକରେ ଗଣତନ୍ତ୍ରରେ ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାରେ ଗଣତନ୍ତ୍ର ବିଷୟରେ ସୁବିସ୍ତୃତ ବିଶ୍ଳେଷଣ କରାଯାଇଛି । ଏହି ପୁସ୍ତକରେ ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ଗଣତାନ୍ତ୍ରିକ ଭାବଧାରାର ପୁଷ୍ଟି ପାଇଁ ସବିଶେଷ ଯୋଜନାର ମାନଚିତ୍ର ସ୍ପଷ୍ଟ । ବିଭିନ୍ନ ବିଷୟରେ ପାଠ୍ୟକ୍ରମ, ଜ୍ଞାନର ତତ୍ତ୍ୱ, ଶିକ୍ଷାର ଲକ୍ଷ୍ୟ ଓ ପଦ୍ଧତି ଆଦି ଆନୁଷ୍ଠାନିକ ଶିକ୍ଷାର ସମସ୍ତ ବିଭାଗରେ ଗଣତାନ୍ତ୍ରିକ ମୁଲ୍ୟବୋଧର ବିକାଶ କିପରି କରିହେବ ସେ ସବୁର ବିଶ୍ଳେଷଣାତ୍ମକ ସିଦ୍ଧାନ୍ତ ଡୁଇଙ୍କର ରଚନାରୁ ସୁସ୍ପଷ୍ଟ ହୁଏ । ବାସ୍ତବରେ ଶିକ୍ଷାର ଦର୍ଶନ, ପାଠ୍ୟକ୍ରମ ଓ ପଦ୍ଧତି ସଂପର୍କରେ ଏହା ପ୍ରତ୍ୟେକ ଶିକ୍ଷାପ୍ରେମୀଙ୍କର ପାଠ୍ୟ ।

 

ଭାରତର ସ୍ୱାଧୀନତା ହାସଲପରେ ଏକ ନୂତନ ଆତ୍ମନିର୍ଭରଶୀଳ ଏବଂ ସ୍ୱୟଂ ସଂପୂର୍ଣ୍ଣ ସମାଜ ଗଠନ ପାଇଁ ରଚନାତ୍ମକ କାର୍ଯ୍ୟରେ ପ୍ରତ୍ୟେକ ନିଜକୁ ନିୟୋଜିତ କରିବା ପାଇଁ ଗାନ୍ଧିଜୀଙ୍କ ଆହ୍ୱାନର ଏକ ପ୍ରମୁଖ ଚିନ୍ତା ଥିଲା ନୂତନ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ । ମୌଳିକ ଶିକ୍ଷାର ଧାରଣା ଯାହାକୁ ବିଶିଷ୍ଟ ଗାନ୍ଧିବାଦୀ ଜନନେତା ତଥା ଶିକ୍ଷାବିତ୍‍ ଆଚାର୍ଯ୍ୟ କ୍ରିପାଲାନୀ ବାପୁଙ୍କ ‘ଅଧୁନାତମ ଖିଆଲ’ ଭାବେ ବର୍ଣ୍ଣନା କରିଛନ୍ତି । ଏହି ପୁସ୍ତକ ମୌଳିକ ଶିକ୍ଷାର ଆଧାର ତଥା ବ୍ୟବସ୍ଥା ସଂପର୍କରେ ଏକ ସୁସଂହତ ସାମଗ୍ରିକ ଚିତ୍ର ପ୍ରଦାନ କରେ । ଭାରତର ଜାତୀୟ ଶିକ୍ଷାର ମର୍ମ ସଂପର୍କରେ ଚିନ୍ତା କରିବା ବେଳେ ଏହି ପୁସ୍ତକର ଅଧ୍ୟୟନ ଅପରିହାର୍ଯ୍ୟ ବୋଲି ମନେ ହୁଏ ।

 

ଏହି ପୁସ୍ତକରେ ସନ୍ନିବିଷ୍ଟ ଶେଷ ଚାରିଟି ସାରାଂଶ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ବିଶେଷ କରି ଆନୁଷ୍ଠାନିକ ଶିକ୍ଷାର ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ସମାଲୋଚନା କରିବା ସହିତ ପୃଥକ୍‍ ପୃଥକ୍‍ ସିଦ୍ଧାନ୍ତ କରିଛନ୍ତି । ବର୍ତ୍ତମାନ ବିଦ୍ୟାଳୟର ପାଠ୍ୟକ୍ରମ, ପଦ୍ଧତି ଓ ଯାବତୀୟ କାର୍ଯ୍ୟକ୍ରମରେ ଅଶିକ୍ଷା, ଆବର୍ଜନା ଓ ଅବସ୍ତୁ ପରିପୂର୍ଣ୍ଣ । ଏଗୁଡ଼ିକୁ ଦୂର କରି ବିଦ୍ୟାଳୟ ଶିକ୍ଷାକୁ ବାସ୍ତବରେ ଶିକ୍ଷାର୍ଥୀ କେନ୍ଦ୍ରିକ କରିବା ପାଇଁ ବର୍ତ୍ତମାନର ଆନୁଷ୍ଠାନିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ପରିବର୍ତ୍ତନ ପାଇଁ ଶିକ୍ଷାକୁ ‘ଅନ୍ତର୍ଘାତୀ କାର୍ଯ୍ୟ’ ଭାବେ ବ୍ୟବହାର କରିବାକୁ ହେବ । ବ୍ୟଜ୍ଞାତ୍ମକ ଅଥଚ ଶାଣିତ ପ୍ରଜ୍ଞାଦୀପ୍ତ ବିଶ୍ଳେଷଣରେ ନିଲ ପୋଷ୍ଟମ୍ୟାନ ଓ ଚାର୍ଲସ ୱାଇନ୍‍ଗାର୍ଟନର ତାଙ୍କର ପ୍ରସିଦ୍ଧ ପୁସ୍ତକରେ ବିଦ୍ୟାଳୟ ଶିକ୍ଷା ପଦ୍ଧତିର ବିପ୍ଳବାତ୍ମକ ପରିବର୍ତ୍ତନର ଗବେଷଣା ଭିତ୍ତିକ ସଂଗଠନାତ୍ମକ ପ୍ରସ୍ତାବମାନ ଯୁକ୍ତିଯୁକ୍ତଭାବେ ଉପସ୍ଥାପନ କରିଛନ୍ତି ।

 

ଦଳିତ ଅବହେଳିତମାନଙ୍କର ଶିକ୍ଷା କ୍ଷେତ୍ରରେ ବିପ୍ଳବାତ୍ମକ ଚିନ୍ତାଧାରାର ପ୍ରବର୍ତ୍ତକ ହେଉଛନ୍ତି ବ୍ରାଜିଲର ପାଉଲୋ ଫ୍ରେଇରେ । ତାଙ୍କର ରଚିତ Pedagogy of the Oppressed ଶିକ୍ଷା ତତ୍ତ୍ୱର ଏକ କ୍ଲାସିକ୍‍ ଭାବେ ବିବେଚନା କରାଯାଏ । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା, ପାଠ୍ୟକ୍ରମ ଓ ପଦ୍ଧତି ଶିକ୍ଷାତତ୍ତ୍ୱ ଅପେକ୍ଷା ଶିକ୍ଷା ରାଜନୀତି ଦ୍ୱାରା ଅଧିକ ପ୍ରଭାବିତ ବୋଲି ବହୁ ଉଦାହରଣ ଦ୍ୱାରା ବୁଝାଇ ନିରକ୍ଷର ସମାଜର ‘ନୀରବତାର ସଂସ୍କୃତି’ ରେ କିପରି ସାଂସ୍କୃତିକ କାର୍ଯ୍ୟ ଓ ବିବେକୀକରଣ ଦ୍ୱାରା ପରିବର୍ତ୍ତନ ଆଣିହେବ ତା’ର ତାତ୍ତ୍ୱିକ ଆଲୋଚନାର ଆଭାସ ଏଥିରେ ଅନ୍ତର୍ଭୁକ୍ତ ପୁସ୍ତକ ‘ଶିକ୍ଷାର ରାଜନୀତି’ ର ସାରାଂଶରୁ ମିଳିପାରିବ ।

୧୯୬୦ ଦଶକରେ ଆମେରିକାର ତତ୍‍କାଳୀନ ଆନୁଷ୍ଠାନିକ ଶିକ୍ଷା ବିରୁଦ୍ଧରେ ସ୍ୱର ତୀବ୍ର ହୋଇଥିଲା ଏବଂ ବିଦ୍ୟାଳୟ ବ୍ୟବସ୍ଥାର ମୂଳୋତ୍ପାଟନ କରିବା ପାଇଁ କେତେକ ବିପ୍ଳବୀ ଚିନ୍ତକ ଦୃଢ଼ଭାବେ ଯୁକ୍ତି ବାଢ଼ିଥିଲେ । ସେମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ ଏଭରେଟ୍‍ ରିମର ଓ ଆଇଭାନ୍‍ ଇଲିଚ୍‍ । ଆଇଭାନ୍‍ ଇଲିଚ୍‍ ପ୍ରଚଳିତ ଆନୁଷ୍ଠାନିକ ବ୍ୟବସ୍ଥା (ଶିକ୍ଷା, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ରରେ)ର ଲୁକ୍‍କାୟିତ ପାଠ୍ୟକ୍ରମକୁ ବିଶେଷଭାବେ ସମାଲୋଚନା କରି ସମାଜର ଉନ୍ନତି ପାଇଁ ବିଦ୍ୟାଳୟ ବା ଆନୁଷ୍ଠାନିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଲୋପ କରିବା ନିମନ୍ତେ ତାଙ୍କର ବହୁ ସନ୍ଦର୍ଭ ମାଧ୍ୟମରେ ଦୃଢ଼ଯୁକ୍ତି ବାଢ଼ିଛନ୍ତି । ସେଗୁଡ଼ିକ ମଧ୍ୟରେ Deschooling Society ହେଉଛି ସର୍ବଶ୍ରେଷ୍ଠ । ବିଦ୍ୟାଳୟ ମୁକ୍ତିକରଣ (Deschooling) ଧାରଣା ହୁଏତ ବର୍ତ୍ତମାନ ନିଷ୍ପ୍ରଭ କିନ୍ତୁ ଆଇଭାନ୍‍ ଇଲିଚ୍‍ଙ୍କର ଯୁକ୍ତି ଶିକ୍ଷାର ଭବିଷ୍ୟତ ପାଇଁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

ଜନ୍‍ ହୋଲ୍‍ଟ୍‍ ବିଦ୍ୟାଳୟ ବିରୋଧୀ ନୁହଁନ୍ତି । ତାଙ୍କର ବିଦ୍ୟାଳୟ ଶିକ୍ଷାରେ ପ୍ରତ୍ୟକ୍ଷ ଅନୁଭୂତି ଓ ତୀକ୍ଷ୍‍ଣ ପର୍ଯ୍ୟବେକ୍ଷଣ ବର୍ତ୍ତମାନର ଯାନ୍ତ୍ରିକ ଏବଂ ବୌଦ୍ଧିକ ଶିକ୍ଷା ପଦ୍ଧତିର ବିରୋଧୀ । ପ୍ରଚଳିତ ଶିକ୍ଷକ କୈନ୍ଦ୍ରିକ ବିଦ୍ୟାଳୟ ବ୍ୟବସ୍ଥା ପରିବର୍ତ୍ତେ ସାର୍ଥକ କର୍ମରତ ଶିକ୍ଷାର୍ଥୀ କେନ୍ଦ୍ରିକ ବିଦ୍ୟାଳୟରେ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେଥିପାଇଁ ପ୍ରଚଳିତ ଅର୍ଥରେ ‘ଶିକ୍ଷା’ ର ବ୍ୟବହାର ପରିବର୍ତ୍ତେ ବିଦ୍ୟାଳୟର ସମସ୍ତ କାର୍ଯ୍ୟରେ କର୍ମର ବ୍ୟବହାର ପାଇଁ ତାଙ୍କର ଅନୁଭୂତିରୁ ଉଦାହରଣ ସହ ବଳିଷ୍ଠ ଯୁକ୍ତିର ଅବତାରଣା କରିଛନ୍ତି ।

ଏହି ପୁସ୍ତକରେ ପରିବେଶିତ ସାରାଂଶଗୁଡ଼ିକୁ ପାଠକରି ପାଠକ ସଂଶିତ ମୂଳ ପୁସ୍ତକ ଅଧ୍ୟୟନ ପାଇଁ ପ୍ରୟାସୀ ହେବା ସହିତ ସେହି ଚିନ୍ତାନାୟକଙ୍କର ଅନ୍ୟାନ୍ୟ ରଚନା ପାଠ କରିବାରେ ଆଗ୍ରହୀ ହେବେ ବୋଲି ଆଶା କରୁ ।

ପରିଶେଷରେ ଏଥିରେ ଚୟନ କରାଯାଇଥିବା ପୁସ୍ତକ ବା ଲେଖକଙ୍କୁ ବିଂଶ ଶତାବ୍ଦୀର ପୁସ୍ତକ ବା ଲେଖକମାନଙ୍କର ପ୍ରତିନିଧିତ୍ୱ କରିଥିବାର କଳ୍ପନା କରାଯାଇ ନାହିଁ । ଏମାନଙ୍କ ବ୍ୟତୀତ ଶିକ୍ଷା ସମ୍ପର୍କରେ ବହୁ ଦାର୍ଶନିକ, ଶିକ୍ଷାବିତ୍‍, ସମାଜତତ୍ତ୍ୱବିତ୍‍ ଓ ଜ୍ଞାନର ଅନ୍ୟ ବହୁ ବିଭାଗର ଚିନ୍ତାନାୟକମାନଙ୍କର ଅନେକ ଅମରକୃତି ଏହି ଶତାବ୍ଦୀରେ ପ୍ରକାଶିତ ହୋଇଛି । ଏହି ପୁସ୍ତକପାଠ ସେହି ମହାନ ବ୍ୟକ୍ତିମାନଙ୍କର ରଚନା ଅଧ୍ୟୟନ କରିବାରେ ପାଠକମାନଙ୍କୁ ଉଦ୍‍ବୁଦ୍ଧ କଲେ ଆମର ଶ୍ରମ ସାର୍ଥକ ହେବ ।

☆☆☆

 

ସୂଚୀପତ୍ର

 

କ୍ର.ନଂ.

ବିଷୟ

ଲେଖକ

 

 

 

୧)

ସମାଜର ଗଢ଼ଣ ଏବଂ ଶିକ୍ଷା

ବର୍ଟ୍ରାଣ୍ଡ ରସେଲ୍‌

୨)

ଜୀବନର ତାତ୍ପର୍ଯ୍ୟ ଏବଂ ଶିକ୍ଷା

ଜେ. କୃଷ୍ଣମୂର୍ତ୍ତୀ

୩)

ଗଣତନ୍ତ୍ର ଓ ଶିକ୍ଷା

ଜନ୍‌ ଡୁଇ

୪)

ଅଧୁନାତମ ଖିଆଲ୍ (ମୌଳିକ ଶିକ୍ଷା)

ଜେ.ବି. କ୍ରିପାଲାନୀ

୫)

ଶିକ୍ଷା : ଏକ ଅନ୍ତର୍ଘ୍ୟାତୀ କାର୍ଯ୍ୟ

ନିଲ୍ ପୋଷ୍ଟମ୍ୟାନ୍ ଓ ଚାର୍ଲସ୍ ୱାଇନ୍‌ଗାର୍ଟନର

୬)

ଶିକ୍ଷାର ରାଜନୀତି

ପାଉଲୋ ଫ୍ରେଇରେ

୭)

ସମାଜକୁ ବିଦ୍ୟାଳୟ-ମୁକ୍ତ କରିବା

ଆଇଭାନ୍ ଇଲିଚ୍

୮)

ଶିକ୍ଷା ପରିବର୍ତ୍ତେ

ଜନ୍‌ ହୋଲ୍‍ଟ୍‌

☆☆☆

 

Unknown

ସମାଜର ଗଢ଼ଣ ଏବଂ ଶିକ୍ଷା

 

Education and the Social Order :

 

ଲେଖକ– ବର୍ଷା ରସେଲ

 

Unwin Books, London, 1967

 

(ପ୍ରଥମ ପ୍ରକାଶନ– ୧୯୩୨)

 

ପୃଷ୍ଠା ସଂଖ୍ୟା– ୧୫୦

 

Bertrand Arthur William Russel (ମେ ୧୮, ୧୮୭୨– ଫେବୃୟାରୀ ୨, ୧୯୭୦)

 

ବିଶ୍ଵ ବିଶ୍ରୁତ ବିଶ୍ଵାୟତନ ବିଚାର ଏବଂ ଅଙ୍ଗୀକାରବଦ୍ଧତାର ଜଣେ ଆଧୁନିକ ପ୍ରତିନିଧି-ପୁରୁଷ । ଏକାଧାରରେ ଗଣିତ, ଦର୍ଶନ, ସମାଜର ଚିନ୍ତାନାୟକ ତଥା ମନୁଷ୍ୟନିୟତି ଲାଗି ଜଣେ ଅଗ୍ରଗାମୀ ସଂଗ୍ରାମୀ । ଜନ୍ମ ଇଂଲଣ୍ଡର ୱେଲ୍‌ସ୍ ପ୍ରଦେଶରେ । କେମ୍ଵ୍ରିଜ୍ ବିଶ୍ୱବିଦ୍ୟାଳୟରେ ଗଣିତର ଛାତ୍ର । ସେହିଠାରେ ଅଧ୍ୟାପନା ।

 

ତାଙ୍କର ଜୀବନ ତଥା ମୁଖ୍ୟ ପ୍ରୟାସଗୁଡ଼ିକ ସମ୍ପର୍କରେ ଆଧୁନିକ ଆଗ୍ରହ ରଖିଥିବା ଯେକୌଣସି ବ୍ୟକ୍ତିକୁ ତାଙ୍କ ଦ୍ୱାରା ଲିଖିତ ଯେଉଁ ଦୁଇଟି ବୃହତ୍ ପୁସ୍ତକରୁ ଅନ୍ତରଙ୍ଗ ନାନା ଆଲୋକନ ନିଶ୍ଚୟ ମିଳି ପାରିବ, ସେହି ଦୁଇଟି ହେଉଛି ‘ପାଶ୍ଚାତ ଦର୍ଶନର ଇତିହାସ’ (୧୯୪୬) ଏବଂ ତିନିଖଣ୍ଡରେ ପ୍ରକାଶିତ ତାଙ୍କର ଆତ୍ମଜୀବନୀ( ୧୯୬୭-୬୯) । ତାଙ୍କୁ ୧୯୫୦ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଥିଲା । ଏବଂ ଆମେ ଅବଶ୍ୟ ମନେ ରଖିବା ଯେ, ନିଜର ପତ୍ନୀ ଡୋରାଙ୍କ ସହିତ ମିଶି ସେ ୧୯୨୭ ମସିହାରେ ଏକ ବିଦ୍ୟାଳୟ (Beacon Hill School) ପ୍ରତିଷ୍ଠା କରି ଶିକ୍ଷାକ୍ଷେତ୍ରରେ କିଛି ପ୍ରୟୋଗ ବି କରିଥିଲେ ।

 

ଜୀବନର ପ୍ରାୟ ସେହି ମୂଳ ହେତୁଗୁଡ଼ିକୁ ଅର୍ଜନ କରିବାର ପର୍ଯ୍ୟାୟଟିରୁ ହିଁ ସେ ଜଣେ ଯୁଦ୍ଧବିରୋଧୀର ଭୂମିକାରେ ପରିଚିତ ହୋଇଛନ୍ତି । ସେଥିପାଇଁ ୧୯୧୬ ଖ୍ରୀଷ୍ଟାବ୍ଦରେ ଅଧ୍ୟାପକପଦ ହରାଇବାକୁ ପଡ଼ିଥିଲା ଏବଂ ୧୧୦ ପାଉଣ୍ଡ ଜୋରିମାନା ଦେବାକୁ ହୋଇଥିଲା । ଏବଂ ୧୯୬୧ ରେ ଅଣୁଅସ୍ତ୍ର ପ୍ରସ୍ତୁତ କରିବା ବିରୋଧରେ ନେତୃତ୍ଵ ଦେଇ ନିଜ ଦେଶରେ ଆଇନ ଅମାନ୍ୟ କରି ସିଏ କାରାବରଣ ମଧ୍ୟ କରିଥିଲେ ।

 

ବ୍ୟକ୍ତି ବନାମ ଗୋଟିଏ ଦେଶର ନାଗରିକ

 

ସଭ୍ୟ ଜନ ମାତ୍ରକେ ସମସ୍ତେ ତ ନିଶ୍ଚୟ କହିବେ ଶିକ୍ଷା ଆମ ସମସ୍ତଙ୍କ ସକାଶେ, ଶିକ୍ଷା ଆମ ସମସ୍ତଙ୍କର ହିଁ ପ୍ରାପ୍ୟ ଓ କାମ୍ୟ । ତଥାପି ଏଇଟି ବାସ୍ତବ କ୍ଷେତ୍ରରେ ଅବଶ୍ୟ ସମ୍ଭବ ହେଉ ବୋଲି ହୁଏତ ସମସ୍ତେ ଆଦୌ ରାଜି ହେବେ ନାହିଁ । ଶିକ୍ଷାଦ୍ୱାରା ଆମେ ମନୁଷ୍ୟମାନେ କାର୍ଯ୍ୟତଃ କ’ଣ ହାସଲ କରିବାକୁ ଇଚ୍ଛା କରୁଛୁ, ସେହି ବିଷୟରେ ମଧ୍ୟ ସର୍ବଦା ଏକାଧିକ ପ୍ରକାରର ଧାରଣା ଏବଂ ମତ ରହିବ । ପୁନଶ୍ଚ କିଛି ବ୍ୟକ୍ତି ଶିକ୍ଷା ସବାଆଗ ବ୍ୟକ୍ତିତ୍ଵର ବିକାଶ ସାଧନ କରିବା ବୋଲି ଗୁରୁତ୍ୱ ଦେଇ କହିବେ ତ ଆଉ ଗୋଟିଏ ପଟ ସମାଜର ଅଗ୍ରଗତି ତଥା ଉନ୍ନତି ହିଁ ଶିକ୍ଷାର ସବାଆଗ ଉଦ୍ଦେଶ୍ୟ ବୋଲି ଦାବି କରି ବାହାରିବେ । ଅର୍ଥାତ୍, ଶିକ୍ଷା ଆଗ ଜଣେ ଉଦ୍ୟମ ବ୍ୟକ୍ତି ତିଆରି କରିବ ନା ଜଣେ ଉତ୍ତମ ନାଗରିକ ? ମୂଳତଃ ଏହି ଦୁଇଟି ଧେୟ ମଧ୍ୟରେ କୌଣସି ପ୍ରଭେଦ ରହିନଥିଲେ ମଧ୍ୟ ଶିକ୍ଷାଳୟମାନଙ୍କରେ ଏହି ସନ୍ଦର୍ଭରେ ଦୁଇଟି ପ୍ରାୟ ଭିନ୍ନ ଭିନ୍ନ ପଦ୍ଧତିର ଚିନ୍ତା ହିଁ କରାଯାଇଥାଏ । ଜଣେ ବ୍ୟକ୍ତିର ମଙ୍ଗଳ ଓ ଉନ୍ନତି କହିଲେ ପ୍ରକୃତରେ କ’ଣ ବୁଝାଇବ ? ଏବଂ ଏକ ସମାଜର ? ଜଣେ ପୂର୍ଣ୍ଣଗୁଣ ବ୍ୟକ୍ତିର ବୁଦ୍ଧି, ହୃଦୟଗତ ଭାବ ଓ ଇଚ୍ଛା ଶକ୍ତିର ଉତ୍ତମ ବିକାଶ ହୋଇଥିବା ଏକାନ୍ତ ଆବଶ୍ୟକ । ଏବଂ ଜଣେ ଉତ୍ତମ ନାଗରିକ ମନୁଷ୍ୟ ତ ତାହାକୁ କୁହାଯିବ, ଯିଏ ସଚେତନ ଭାବରେ ଏହି କଥାଟିକୁ ହୃଦୟଙ୍ଗମ କରୁଛି, ଏହି ପୃଥିବୀରେ କେବଳ ସେଇ ଜଣେମାତ୍ର ମନୁଷ୍ୟ ଆଦୌ ନାହିଁ, ତା’ସହିତ ଅନ୍ୟ ମନୁଷ୍ୟମାନେ ମଧ୍ୟ ସର୍ବଦା ରହିଛନ୍ତି ଏବଂ ତେଣୁ ତାକୁ ସକଳ ଅର୍ଥରେ ସମାଜର ସମସ୍ତଙ୍କ ସହିତ ଏକତ୍ର ରହିବାକୁ ହିଁ ପଡ଼ିବ । ଅର୍ଥାତ୍, ଜଣେ ଯଥାର୍ଥ ନାଗରିକ ସହଯୋଗ କରିଥାଏ । ଏବଂ କହିବା ବାହୁଲ୍ୟ ଯେ ପ୍ରତ୍ୟେକ ମନୁଷ୍ୟର ଏହି ଯୁଗପତ୍ ଭାବରେ ଜଣେ ସଚେତନ ନାଗରିକ ତଥା ମହାବିକାଶଶୀଳ ଜଣେ ବ୍ୟକ୍ତି ହୋଇ ତିଆରି ହେଉଥିବାର ସମସ୍ୟା, ଶିକ୍ଷା, ରାଜନୀତି, ଆମର ନୈତିକ ଜୀବନ ଏବଂ ଆମକୁ ପରିଚାଳିତ କରି ନେଉଥିବା ମୂଳ ତତ୍ତ୍ଵଦୃଷ୍ଟି ଗୁଡ଼ିକର କ୍ଷେତ୍ରରେ ସର୍ବଦା ଗୋଟିଏ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସମସ୍ୟା ହୋଇ ରହିବ ହି ରହିବ ।

 

ଏକ ସଭ୍ୟତାସମ୍ପନ୍ନ ଜୀବନ ବଞ୍ଚିବାକୁ ହେଲେ ଯେଉଁସବୁ ଦ୍ରବ୍ୟର ଖୁବ୍ ପ୍ରୟୋଜନ ରହିଛି, ସେଗୁଡ଼ିକ ସତକୁ ସତ ଉପଲବ୍ଧ ହୋଇ ପାରିବା ଲାଗି ଯଥେଷ୍ଟ ସହଯୋଗ ମଧ୍ୟ ଅବଶ୍ୟ ରହିଥିବା ଏକାନ୍ତ ଉଚିତ୍ । ଯନ୍ତ୍ରକୌଶଳର ସାହାଯ୍ୟ ଦ୍ଵାରା ଦ୍ରବ୍ୟମାନଙ୍କର ଉତ୍ପାଦନ ବୃଦ୍ଧି ପାଇବା ସହିତ ସହଯୋଗ ମଧ୍ୟ ନିଶ୍ଚୟ ଅଧିକ ଆବଶ୍ୟକ ହେବ । କେବଳ କୌଣସି ଗୋଟିଏ ଦେଶରେ ସହଯୋଗରେ ଯେ ସବୁକିଛିର ବ୍ୟବସ୍ଥା ହେବ ତା’ନୁହେଁ, ଆନ୍ତର୍ଜାତିକ ଅର୍ଥାତ୍ ସଂପୂର୍ଣ୍ଣ ପୃଥିବୀ ସ୍ତରରେ ମଧ୍ୟ ଏହି ସହଯୋଗର ଧାରାଗୁଡ଼ିକ କ୍ରିୟାଶୀଳ ହୋଇ ରହିଥିବା ଉଚିତ ହେବ । ନହେଲେ ଆମର ବର୍ତ୍ତମାନର ଏହି ବିଜ୍ଞାନଭିତ୍ତିକ ସଭ୍ୟତାଟି ଅତ୍ୟନ୍ତ ବିପନ୍ନ ହିଁ ହେବାରେ ଲାଗିଥିବ । ଅର୍ଥାତ୍ ରାଷ୍ଟ୍ରୀୟ ସ୍ତରର ବ୍ୟବସ୍ଥାମାନ ସେଇଟି ସମ୍ପର୍କରେ ସଚେତନ ରହିବେ ଏବଂ ଆମର ଶିକ୍ଷା ବ୍ୟବସ୍ଥା ମଧ୍ୟ ସେଇଟି ବିଷୟରେ ସର୍ବବିଧ ଧ୍ୟାନ ରଖିବ । ଅର୍ଥାତ୍ ଅଦୂର ଭବିଷ୍ୟତରେ ସବୁଠାରୁ ଅଧିକ ଅପରିହାର୍ଯ୍ୟ କଥାଟି ହେଉଛି ଯେ, ଗୋଟିଏ ନିର୍ଦ୍ଦିଷ୍ଟ ଦେଶର ନାଗରିକ ହୋଇଥିଲେ ମଧ୍ୟ ଆମରି ଶିକ୍ଷା-ବ୍ୟବସ୍ଥାଗତ ସକଳ ସମାଧାନରେ ବିଶ୍ୱ ନାଗରିକତାର ଉପାଦାନଟିଏ ମଧ୍ୟ ସ୍ପଷ୍ଟତଃ ବିଦ୍ୟମାନ ଥିବ । ବ୍ୟକ୍ତିର ବିକାଶ ପାଇଁ ଶିକ୍ଷା,–ତାହା ଅବଶ୍ୟ ଅତ୍ୟନ୍ତ ଆବଶ୍ୟକ; ମାତ୍ର ଏହା କାଳଟିର ଖାସ୍ ଦାବିଗୁଡ଼ିକ ଅନୁସାରେ ଆମର ନାଗରିକତାର ଦିଗଟିକୁ ଆମେ ଆମ ଶିକ୍ଷାର ଯାବତୀୟ ସମାଧାନରେ ସର୍ବପ୍ରଥମ ସ୍ଥାନ ଅବଶ୍ୟ ଦେବାକୁ ପ୍ରୟାସ କରିବା ହିଁ କରିବା ।

 

ଶିକ୍ଷାର ନକାରାତ୍ମକ ସିଦ୍ଧାନ୍ତ

 

ଶିକ୍ଷାର ଆଲୋଚନାରେ ମୁଖ୍ୟତଃ ତିନୋଟି ଦୃଷ୍ଟିକୋଣ ଏବଂ ସେହି ଅନୁସାରେ ତିନୋଟି ମତବାଦ । ପ୍ରଥମଟି କହୁଛି ଯେ ଶିକ୍ଷାଦ୍ୱାରା ଆମେ ମନୁଷ୍ୟର ଅଭିବୃଦ୍ଧି ନିମନ୍ତେ ସକଳ ସୁଯୋଗ ଯୋଗାଇଦେବା ଓ ସର୍ବବିଧ ପ୍ରତିବନ୍ଧକକୁ ଦୂର କରିବାକୁ ଚେଷ୍ଟା କରିବା । ଦ୍ୱିତୀୟଟି କହୁଛି ଯେ, ଆମେ ତା’ର ଜୀବନରେ ସଂସ୍କୃତିନାମକ ସେହି ବିଶେଷ ବିତ୍ତଟିର ଅନୁଶୀଳନ କରାଇ ଆଣିବା ଓ ବ୍ୟକ୍ତିର ସାମର୍ଥ୍ୟଗୁଡ଼ିକର ଯଥାସମ୍ଭବ ଅଧିକ ବିକାଶ ସମ୍ଭବ କରିବା । ଏବଂ ତୃତୀୟଟି ସତେଅବା ଦାବି କରୁଛି ଯେ, ସବାଆଗ ଆମ ସମାଜକୁ ପରିପ୍ରେକ୍ଷୀରେ ରଖୁ ହିଁ ଯାବତୀୟ ଶିକ୍ଷାର ବିଚାର କରାଯିବ ଏବଂ ତେଣୁ ଶିକ୍ଷା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଉପଯୁକ୍ତ ନାଗରିକରୂପେ ହିଁ ତିଆରି ହେବ । ଏଥି ମଧ୍ୟରୁ କେଉଁଟି ଠିକ୍ କେଉଁଟି ଭୁଲ ? ମୁଁ ଭାବୁଛି, ଯାବତୀୟ ଶିକ୍ଷାର କାର୍ଯ୍ୟକ୍ରମ ଭିତରେ ତିନୋଟିଯାକର ହିଁ ସ୍ଥାନ ଅବଶ୍ୟ ରହିବ ।

 

ଏପରି ତ କାଳେ କାଳେ କୁହାହୋଇ ଆସିଛି ଯେ, ଗୋଟିଏ ପିଲା ଏହି ଶିକ୍ଷା ଦ୍ୱାରା ନୀତିବାନ୍ ହେବ, ଉଦ୍ୟମଶୀଳ ହେବ ଏବଂ ଆପଣାର ସାମାଜିକ ସ୍ଥିତିଟି ଅନୁସାରେ କିଞ୍ଚତ୍ ଜ୍ଞାନର ଅଧିକାରୀ ମଧ୍ୟ ହେବ । ପଦ୍ଧତିମାନେ ମଧ୍ୟ ବେଶ୍ ହୃଦୟହୀନ ଏବଂ ନିର୍ମମ ଥିଲେ, ସତେଯେପରି ଘୋଡ଼ାମାନଙ୍କୁ ହିଁ ମଣ କରିବାର ଏକ କାର୍ଯ୍ୟକ୍ରମ ହିଁ ଅନୁସୃତ ହେଉଥିଲା, ଘୋଡ଼ା ପାଇଁ ଚାବୁକ ଏବଂ ପିଲାମାନଙ୍କ ପାଇଁ ବେତ । ପ୍ରାୟ ଏକାବେଳେକେ ଏବେ ଯାଇ ସେହି ବିଷୟରେ ଅନ୍ୟ ଚିନ୍ତାଟିଏ କରାଗଲା ଏବଂ ପିଲାକୁ କିଛି ସ୍ୱାଧୀନ ପରିବେଶର ଅନୁକୂଳତା ଆଣି ଦେବାର ପକ୍ଷରେ ମତ ପ୍ରକାଶ ପାଇଥିଲା, ଜଣେ ଛାତ୍ରକୁ ବାଧ୍ୟ କରି ଶିକ୍ଷା ଦେବା ଦ୍ୱାରା ତା’ର ମୌଳିକତା ନଷ୍ଟ ହିଁ ହୋଇଯାଏ ଏବଂ ଶିକ୍ଷା ନିମନ୍ତେ ତା’ଭିତରେ ରହିଥିବା ଆଗ୍ରହଟି ମଧ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଥାଏ । ଅନ୍ୟ ପକ୍ଷରେ, ଛାତ୍ରର ଇଚ୍ଛାକ୍ଷେତ୍ରରେ ଏକ ଆଗ୍ରହକୁ ଉଦ୍ରେକ କରି ଆଣି ଯେତେବେଳେ ଶିକ୍ଷା ଦିଆଯାଏ, ସେତେବେଳେ ଶିକ୍ଷାର୍ଥୀ ତଥା ଶିକ୍ଷକ ଭିତରେ ଦୂରତା ହ୍ରାସ ହୋଇଆସେ ଏବଂ ପିଲାମାନେ ସତେଅବା ନିଜଆଡ଼ୁ ରାଜି ହୋଇ ହିଁ ସବୁକିଛି ଶିଖିବା ନିମନ୍ତେ ଶିକ୍ଷକଙ୍କ ପାଖକୁ ଆସନ୍ତି । ଭୟ ଦୂର ହୁଏ,– ଶିକ୍ଷାଲାଭ ଲାଗି ପ୍ରେରଣାମାନେ ଭିତରେ ହିଁ ଅନୁଭୂତ ହୁଅନ୍ତି । ଏବଂ ସେହି କାରଣରୁ ତ ଆମ ଶିକ୍ଷାବିତ୍‌ମାନେ ବିଦ୍ୟାଳୟରେ ସ୍ୱାଧୀନତା ରହୁ ବୋଲି ଏତେ ଗୁରୁତ୍ୱ ଦେଇ ସର୍ବଦା କହିଥାଆନ୍ତି । ତଥାପି, ସେହି ସ୍ଵାଧୀନତା ମଧ୍ୟ କିଭଳି ଓ କେତେଯାଏ ?

 

ମନେ କରାଯାଉ, ଇସ୍କୁଲ ଯାଉଥିବା ଦୁଇଟି ପିଲା: ଗୋଟିଏ ପିଲାର ଦିହରେ ସଫା ଫିନ୍‍ଫିନ୍ ପରିଧାନ,–ଆରଟିର ତୁଳନାରେ ସିଏ କେଡ଼େ ତୋରା ବି ଦିଶୁଥାଏ । ମାତ୍ର ସେଇ ତୋରା ଦିଶିବାଟା କ’ଣ ସବାଆଗ ଓ ସବାବଡ଼ କଥା ! କାରଣ, ଅନେକ ସମୟରେ ତ ତାହା ପଛରେ ଏହି ସତ୍ୟଟି ରହିଥାଏ ଯେ ଫିନ୍‍ଫିନ୍ ପିନ୍ଧିଥିବା ପିଲାଟିର ବାପା ଅନ୍ୟ ପିଲାଟିର ବାପା ତୁଳନାରେ ଅଧିକ ରୋଜଗାର ହିଁ କରୁଥାଏ । (ପୃଷ୍ଠା–୨୧) ଶିକ୍ଷାର କ୍ଷେତ୍ରରେ ତ ଅଧିକ ଆହୁରି ବଡ଼ କଥାଟି ହେଉଛି ଯେ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ପିଲାମାନେ ଅବଶ୍ୟ ମୋଟାମୋଟି ସଫା ରୁହନ୍ତୁ ସତ, କିନ୍ତୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଯେ, ସେମାନେ ସର୍ବଦା ଜିଜ୍ଞାସୁ ହୁଅନ୍ତୁ, ପାରିପାର୍ଶ୍ଵିକ ପୃଥିବୀଟିକୁ ଜାଣିବା ନିମନ୍ତେ ଅଧିକ ଆଗ୍ରହୀ ମଧ୍ୟ ହୁଅନ୍ତୁ,–ଏହି ପୃଥିବୀର ତଥାକଥିତ ଆଲୁଅଗୁଡ଼ିକ ଅପେକ୍ଷା ବରଂ ଅଧିକ ଅନ୍ଧାର ପାଖଟାକୁ ମଧ୍ୟ ଦେଖୁବା ଲାଗି ସମର୍ଥ ହୁଅନ୍ତୁ । ଅସଲ କଥା ହେଉଛି, କୌଣସି କିଛିକୁ ତାହା ଯେତେ ଯାହା ଆବଶ୍ୟକ ବୋଲି ଆମେ ବିଚାରୁ ଥିବା ପଛକେ, ପିଲାଏ ତାହାକୁ ସ୍ୱୟଂ ଉଚିତ୍ ବୋଲି ବୁଝି ଗ୍ରହଣ ନକରୁଥିବା ପର୍ଯ୍ୟନ୍ତ ଉପରୁ ଆଦୌ ଲଦି ଦିଆଯିବ ନାହିଁ-

 

ତେଣୁ, ଗୁଡ଼ାଏ ନାହିଁ ନାହିଁ ନୁହେଁ, ମାତ୍ର ପିଲାମାନଙ୍କ ସାଙ୍ଗରେ ନାହିଁ, ନକାରାତ୍ମକତା ସ୍ଥାନରେ ସର୍ବଦା ନାନାଭାବେ ସକାରାତ୍ମକ ଆବେଦନଟିଏ ରହିବ । ସମ୍ଭବତଃ ଅଧିକ ସମୟ-ସାପେକ୍ଷ ହୋଇଥିଲେ ମଧ୍ୟ ତଥାପି ଏହା ଅଧିକ ସୁସ୍ଥ ଏବଂ ଅଧିକ ବିଶ୍ୱାସଯୋଗ୍ୟ ।

 

ଶିକ୍ଷା ଏବଂ ବଂଶୀୟତା

 

ଆମ ପିଲାମାନଙ୍କର ଶିକ୍ଷାରେ ବଂଶଗୁଣଟା ଅଧିକ ଶକ୍ତିଶାଳୀ ନା ପରିବେଶର ପ୍ରଭାବମାନ ? ଦୁଇ ଦୃଷ୍ଟି ମଧ୍ୟରେ ଏବେ ମଧ୍ୟ ସଂପୂର୍ଣ୍ଣ ରାଜିନାମା ହୋଇ ପାରିନାହିଁ । ଏବଂ, ଉଭୟର ପକ୍ଷସମର୍ଥନ କରି ତଥାକଥିତ ବୈଜ୍ଞାନିକ ପ୍ରମାଣମାନେ ମହଜୁଦ ହୋଇ ରହିଛନ୍ତି । ଏ ଜାତି ସେ ଜାତିଠାରୁ ଅଧିକ ବୁଦ୍ଧିଆ ଏବଂ ତେଣୁ ଅଧିକ ପ୍ରତିଶ୍ରୁତିସମ୍ପନ୍ନ, ଗୋରାମାନେ କଳାମାନଙ୍କ ଠାରୁ, ଇଉରୋପୀୟମାନେ ଆଫ୍ରିକୀୟ ଓ ଏସୀୟମାନଙ୍କ ଠାରୁ ଅଧିକ ସମର୍ଥ,–ଏହି ତଥ୍ୟ ଦୃଷ୍ଟିଟି ବହୁ ମନୁଷ୍ୟଙ୍କର ବିବେକଗୁଡ଼ିକୁ ଏବେ ମଧ୍ୟ ବେଶ୍ ଅଧିକାର କରି ରହିଛି । ଶିକ୍ଷାର କ୍ଷେତ୍ରକୁ ମଧ୍ୟ ସଂକ୍ରମିତ ହୋଇ ଆସିଛି । ନାନାବିଧ କାରଣରୁ ଏହି ସଂକ୍ରାନ୍ତୀୟ ଧାରଣାଗୁଡ଼ିକ ହୁଏତ ସର୍ବଦା ହିଁ ଭିନ୍ନ ଭିନ୍ନ ହୋଇ ରହିବେ ।

 

ଶିକ୍ଷାର ଯାବତୀୟ କାର୍ଯ୍ୟକ୍ରମ ସେଇଟି ସମ୍ପର୍କରେ ଅବଶ୍ୟ ସଜ୍ଞାନ ରହିଥିବ । ଭଲ କରି ମନେ ରଖିବା ଯେ, ପିଲାମାନଙ୍କ ମଧ୍ୟରେ ବହୁ ପାର୍ଥକ୍ୟ ନିଶ୍ଚୟ ରହିବ । ଏବଂ ସେଗୁଡ଼ିକ ନିମନ୍ତେ ଆମେ ସଂପୂର୍ଣ୍ଣ ଭାବରେ ଏଇଟିକୁ ଅଥବା ସେଇଟିକୁ ଆଦୌ ଦାୟୀ ବୋଲି କହି ପାରିବା ନାହିଁ । ଅର୍ଥାତ୍, ଆମ ଜାଣିବାର ସୀମାଗୁଡ଼ିକୁ ଆମେ ସ୍ୱୀକାର ହିଁ କରିବା ଓ ପିଲାମାନଙ୍କ ଠାରେ ଯେତେବେଳେ ଯେଉଁ ପ୍ରତିଭାର ସଙ୍କେତ ପାଉଥିବା, ସେହିଗୁଡ଼ିକର ଉନ୍ମୀଳନ ତଥା ବିକାଶ ନିମନ୍ତେ ସହାୟତା ମଧ୍ୟ କରିବା ।

 

ଭାବସଂବେଗ ଓ ଶୃଙ୍ଖଳା

 

ଉତ୍ତମ ଆଚରଣଗୁଡ଼ିକୁ ବିକଶିତ କରି ଆଣିବାକୁ ସ୍ଥୂଳତଃ ସବୁକାଳେ ଶିକ୍ଷାର ଗୋଟିଏ ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ବୋଲି ସ୍ଵୀକାର କରାଯାଇ ଆସିଛି । ସେହି ଉତ୍ତମ ଆଚରଣ ଯେ ପ୍ରକୃତରେ କ’ଣ, ତାହା ଗୋଟିଏ ସାମୂହିକ ଜୀବନର ରାଜନୀତିକ ତଥା ସାମାଜିକ ଢାଞ୍ଚାଟି ଦ୍ଵାରା ନିଶ୍ଚିତ ହେବାକୁ ହିଁ ବାଧ୍ୟ ହୋଇଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ଆଚରଣ ମାର୍ଗର କର୍ଷଣ କରାଇ ଆଣିବାକୁ ଆଚରଣ ମନୋମତ ହେଲେ ପୁରସ୍କାର ଏବଂ ମନୋମତ ନହେଲେ ଦଣ୍ଡର ବ୍ୟବସ୍ଥା କରାଯାଇଥାଏ । ଇତର ପ୍ରାଣୀଗଣଙ୍କର ପ୍ରଶିକ୍ଷଣ କ୍ଷେତ୍ରରେ ଯେଉଁପରି ପିଲାମାନଙ୍କ ବେଳେ ପ୍ରାୟ ସେହିପରି ।

 

ପୁରସ୍କାର ଓ ଦଣ୍ଡ, ଅର୍ଥାତ୍ ପ୍ରଶଂସା ଏବଂ ନିନ୍ଦା, ପସନ୍ଦ ଏବଂ ନାପସନ୍ଦ । କିନ୍ତୁ ସେହି ଉପାୟଟି ଫଳରେ ସଚରାଚର ଉପର ଆଚରଣ ଆଦି ବଦଳି ଯାଇଥାଏ ସିନା, ମାତ୍ର ଭିତରେ ସେପରି କିଛି ପ୍ରକୃତରେ ଘଟିଥାଏ କି ? ଯେଉଁ ଆଚରଣ ଉପରେ ପସନ୍ଦର ନହେବ, ପିଲାମାନେ ତାହାକୁ ପ୍ରାୟ ପ୍ରୟୋଜନବଶତଃ ନିଜ ଭିତରେ ଦବାଇ ରଖିଥାନ୍ତି । ଭିତରଟି ହେଉଛି ଭାବସଂବେଗର ସେହି ସାମ୍ରାଜ୍ୟଟି-ସେଇଟି ରାଜି ନହୋଇ କେବଳ ଉପର କଥାଗୁଡ଼ିକୁ ମାନି ନେବାଦ୍ୱାରା ସର୍ବଦା ଆମ ଜୀବନନାମକ ସମଗ୍ର ଆଭିମୁଖ୍ୟଟି କ୍ଷେତ୍ରରେ ବରଂ କ୍ଷତି ହିଁ ଅଧିକ ହୁଏ । ତେଣୁ, ପ୍ରକୃତ ଶିକ୍ଷା ସେହି ଭିତରଟିକୁ ମଧ୍ୟ ଦୃଷ୍ଟି ଦେବ : ଅର୍ଥାତ୍ ପିଲାର ଭିତରେ କିଛି ଘଟାଇବ, ତଥା ପ୍ରଶିକ୍ଷଣ ସମ୍ଭବ କରାଇବ । ପ୍ରୟୋଗମାନେ କହୁଛନ୍ତି, ସେହି ଭିତରେ କିଛି ଘଟାଇ ପାରିବା ନିମନ୍ତେ ପିଲାଟିର ଶିକ୍ଷାନାମକ ପରିବେଶଟିରେ କିଛି ଅନୁକୂଳତା ମଧ୍ୟ ସୃଷ୍ଟି କରାଯାଇ ପାରିବ । ପିଲାଟି ଖାଲି ଉପରେ ହିଁ ଆମର କଥା ମାନିବନାହିଁ– ଏବଂ ଭିତରୁ ସିଏ ଏପରି ଏକ ଖୁସିର ପ୍ରତ୍ୟୟ ମଧ୍ୟ ଦେଉଥିବ, ଯାହାଦ୍ୱାରା ତା’ ବାହାରଟି ସହିତ ଭିତରଟି ମଧ୍ୟ ସହଯୋଗ କରୁଛି ବୋଲି କେଡ଼େ, ସହଜରେ ଅନୁଭବ ହୋଇପାରିବ ।

 

ସବୁ ଖୁବ୍ ସହଜ ଲାଗୁଥବ,– ମଝିରେ କୌଣସି ବକ୍ରତା ଭଳି ଭଳି ବେଶ ପିନ୍ଧିବାକୁ କୌଣସି ଉଦ୍ୟମ କରୁନଥିବ । ପିଲାମାନେ ଅଗ୍ରଜ ଅର୍ଥାତ– ବରିଷ୍ଠମାନଙ୍କୁ ସମ୍ମାନ ଦିଅନ୍ତୁ ବୋଲି ବାଧ୍ୟ କରାଇ ଉପରେ କୌଣସି ବାଡ଼ି ମଧ୍ୟ ବୁଲୁନଥିବ । ପିଲା ହୁଡ଼ିଗଲେ, କଥାରେ ହେଉ କିମ୍ବା କାର୍ଯ୍ୟରେ ହେଉ, ସାଙ୍ଗେ ସାଙ୍ଗେ ପୋଲିସ୍‌ମାନେ ମାଡ଼ି ଆସିବେ ବୋଲି ପିଲା ଆଦୌ ଚିନ୍ତା କରୁନଥିବ । ସିଏ ଆଦୌ କୌଣସି ବାହାର ନିଷେଧଦ୍ୱାରା ବହୁ ଆତ୍ମସଙ୍କୋଚନର ଆଶ୍ରୟ ନେଉଛି ଏବଂ ଆପଣା ଭିତରେ ସତେଅବା କେତେ କ’ଣକୁ ଗୁପ୍ତ ସଦାହରକତ ଦ୍ଵାରା ଅନ୍ତରାଳ କରି ରଖିଛି ବୋଲି କଦାପି ଭାବୁ ନଥିବ । ତେବେଯାଇ ତ ସିଏ ବଡ଼ ହୋଇ ଆମ ସାଂପ୍ରତିକ ପୃଥିବୀର ନାନାବିଧ ଅଶୋଭନୀୟତାକୁ ଉଚିତ୍ ପରିଚୟରେ ଆପଣା ଭିତରୁ ହିଁ ଘ୍ରାଣ କରିପାରିବ ଏବଂ ଏକ ଉଚିତ୍ ବିବେକ ସହିତ ସେଗୁଡ଼ିକର ପ୍ରତିବାଦ ମଧ୍ୟ କରିପାରିବ । (ପୃଷ୍ଠା–୩୮)

 

ପିଲାର ଗୃହ ଏବଂ ବିଦ୍ୟାଳୟ

 

ଗୋଟିଏ ମତ କହେ ଯେ ଗୃହ ହେଉଛି ଗୋଟିଏ ପିଲାର ଶିକ୍ଷା ନିମନ୍ତେ ଏକ ଆଦର୍ଶସ୍ଥାନ । ସେଠାରେ ସ୍ନେହ ଥାଏ, ନୈକଟ୍ୟ ରହିଥାଏ– ପରିଚୟଗୁଡ଼ିକ ଏକାଧିକ ଅର୍ଥରେ ସହଜ ଧାରାରେ ପରିପକ୍ୱ ହୋଇ ପାରିବାଲାଗି ବହୁ ସୁଯୋଗ ରହିଥାଏ । ତଥାପି ଏଥିରେ ବହୁ ଅବସର ମଧ୍ୟ ଥାଏ, ଯାହାଦ୍ଵାରା କି ଗୋଟିଏ ଶିଶୁର ବିକାଶ ଭାରି ସ୍ଥାନୀୟ ଓ ସୀମିତ ହୋଇ ରହିବାକୁ ବାଧ୍ୟ ମଧ୍ୟ ହୁଏ । ବହୁତ ବାପାମାଆ ସ୍ନେହ ତଥା ଯତ୍ନଶୀଳତାର ନାନା ମୋହାଚ୍ଛନ୍ନତା ମଧ୍ୟରେ ନିଜର ପିଲାମାନଙ୍କୁ ବାନ୍ଧି ରଖନ୍ତି ଏବଂ ବହୁବିଧ କୁଣ୍ଠାରେ ପ୍ରାୟ ଗ୍ରସ୍ତ କରି ରଖିଥାନ୍ତି । ମାତ୍ର, ତାହାର ଅର୍ଥ ଆଦୌ ନୁହେଁ ଯେ ବିଦ୍ୟାଳୟ ମଧ୍ୟ ଏକ ଉତ୍ତମ ସମାଧାନ ଦେବାକୁ ଆସି ପିଲାକୁ ତା’ ଘରର ସ୍ଵାଭାବିକ ଫରଚା ବାତାବରଣଟି ଠାରୁ ସମ୍ପୂର୍ଣ୍ଣ ଭାବରେ ଛିନ୍ନ କରି ନେଇଯିବାର ଏକ ଅନ୍ୟ ଏକପାଖିଆ ମାର୍ଗଟିକୁ ଅନୁସରଣ କରିବ । ପୃଥିବୀରେ କେତେକ ରାଷ୍ଟ୍ର ପ୍ରାୟ ସେହିପରି କିଛି କରିଛନ୍ତି ଓ ଏବେମଧ୍ୟ କରିବାକୁ ଅଧିକ ଯଥାର୍ଥ ପ୍ରାୟ ମନେ କରୁଛନ୍ତି । ତେଣୁ, ଏକାବେଳେକେ ଏଇଟି ନୁହେଁ ଅଥବା ଏକାବେଳେକେ ସେଇଟି ମଧ୍ୟ ନୁହେଁ । ଗୋଟିଏ ଶିଶୁର ବିକାଶଗତ ଦୈର୍ଘ୍ୟ ଏବଂ ପ୍ରସ୍ଥ ବିଷୟରେ ଆମେ ଏବେ ମଧ୍ୟ କେତେ କମ୍ ହିଁ ନଜାଣିଛୁ । ତଥାକଥିତ ଆମର ବିଜ୍ଞାନଟା ମଧ୍ୟ ଏହି ସମ୍ପର୍କରେ ସମଗ୍ର ଭାବରେ କେତେ ଆକଳନ କରି ପାରୁଛି । ତେଣୁ, ଆମେ ଆଦୌ କୌଣସି ନିରାଟ ସିଦ୍ଧାନ୍ତ ଭିତରେ ନିଜକୁ ଆଦୌ ବାନ୍ଧି ରଖିବା ନାହିଁ । ବରଂ, ପିଲାକୁ ବୁଝିବା ଅର୍ଥାତ୍ ତା’ର ଗୃହ ତଥା ବିଦ୍ୟାଳୟକୁ ସନ୍ଦର୍ଭ କରି ତା’ର ବିକାଶଗତ ଉଭୟ ଆବଶ୍ୟକତାକୁ ଖୁବ୍ ସହାନୁଭୂତିସମ୍ପନ୍ନ ଭାବରେ ବୁଝିବା । ବାହାରୁ ନୁହେଁ, ତୁଚ୍ଛା ତତ୍ତ୍ୱର ବାଡ଼ିଗୁଡ଼ିକ ଅନୁସାରେ ନୁହେଁ, ପିଲାର ଜଣେ ଅନ୍ତରଙ୍ଗ ସହଯାତ୍ରୀ ରୂପେ ବୁଝିବାକୁ ଚେଷ୍ଟା କରିବା ।

 

କୁଳୀନ ଖାସ୍ ବର୍ଗ, ଗଣତନ୍ତ୍ରର ସମର୍ଥକ ଏବଂ ଅମଲାତନ୍ତ୍ରୀମାନେ

 

ଗୋଟିଏ ପକ୍ଷରେ ପରିବାର ଏବଂ ଅନ୍ୟପକ୍ଷରେ ରାଷ୍ଟ୍ର– ସେହି ମୂଳରୁ ହିଁ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହିଛି । ଏବେ ତ ପ୍ରାୟ ଏକ ସମାଧାନ ପାଇଥିବାର ଛଳନା କରି ବେଳେବେଳେ ଜାତିଟାକୁ ମଧ୍ୟ ଗୋଟିଏ ବୃହତ୍ ପରିବାର ବୋଲି ବି କୁହାହେଉଛି । ବେଳେବେଳେ ଗୋଟିଏ ଭୂମିର ଶାସକବର୍ଗ ମଧ୍ୟ ରାଷ୍ଟ୍ରକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ବୋଲି ବିଚାରୁଛନ୍ତି ଓ ସେହି ଭାବନାରେ ତାହାର ଶାସନ କରୁଛନ୍ତି ।

 

ସମାଜର ଗଢ଼ଣ ଓ ଶାସନଟି ଅନୁସାରେ ତଦନୁରୂପ ପ୍ରକାର ପ୍ରକାରର ଶିକ୍ଷା ବ୍ୟବସ୍ଥା-। ଉଦାହରଣ ସ୍ଵରୂପ, ଇଂଲଣ୍ଡରେ ବଡ଼ଘରର ପିଲାଙ୍କ ନିମନ୍ତେ ରହି ଆସିଥିବା ପବ୍ଲିକ୍ ସ୍କୁଲଗୁଡ଼ିକ, ନିତାନ୍ତ ପିଲାବୟସରୁ ସାନ ଶିଶୁଟିକୁ, କେବଳ ପୁଅମାନଙ୍କୁ ପରିବାରରୁ ନେଇ ଆବାସିକ ସ୍ଥାନମାନଙ୍କରେ ମଣ କରାଯାଏ ଓ ପ୍ରଥମେ ଯେଡ଼େ ବିରକ୍ତିକର ଲାଗୁଥିଲେ ମଧ୍ୟ ସେମାନେ କ୍ରମେ ବେଶ୍ ମଣ ବି ହୋଇଆସନ୍ତି । ଏବଂ ସେହି ଅନୁସାରେ ଜଣେ ଶାସକର ମନୋମୁଦ୍ରା ସହିତ ପିଲା ଶିକ୍ଷା ସମାପ୍ତ କରି ପୃଥିବୀକୁ ବାହାରେ । ସେହି ସବୁ ଶିକ୍ଷାୟତନରେ ବୁଦ୍ଧି ଓ ବୈଜ୍ଞାନିକ ଆଲୋକନ ଉପରେ ସେତେ ଗୁରୁତ୍ଵ ଦିଆଯାଏ ନାହିଁ; ବରଂ କ୍ରୀଡ଼ାଦି କ୍ଷେତ୍ରରେ ରହିଥିବା ପାରଦର୍ଶିତାକୁ ଅଧୁକ ସ୍ଵୀକୃତି ମିଳେ । ସେମାନେ ଏକାଧିକ ପଦ୍ଧତିବଳରେ ଏକ ନିର୍ଦ୍ଦିଷ୍ଟ ଅଭ୍ୟାସ ଏବଂ ଆଚରଣରେ ମଣ ହୋଇ ତିଆରି ହେଉଥାନ୍ତି ।

 

ଦ୍ୱିତୀୟତଃ, ସେହିସବୁ ଶିକ୍ଷାଥାନରେ କେବଳ ବାଳକମାନେ ହିଁ କେବଳ ପୁରୁଷ-ଶିକ୍ଷକମାନଙ୍କ ଦ୍ଵାରା ନିତାନ୍ତ, ନିର୍ମମ ଭାବରେ ହିଁ ତିଆରି ହୁଅନ୍ତି,–ମାଆ ଅଥବା ଭଉଣୀମାନଙ୍କର ସେହି ଅତ୍ୟାବଶ୍ୟକ ସଂସର୍ଗରୁ ବହୁ ସହଜସ୍ଫୂର୍ତ୍ତ ଗୁଣରୁ ଭାରି ବଞ୍ଚିତ ହୋଇ ରହିଥାଆନ୍ତି । ବଡ଼ ହୋଇ ନିର୍ମମ ହୁଅନ୍ତି, ନିଜ କ୍ଷମତାଟା ହିଁ ଜୀବନର ଯାବତୀୟ ସ୍ୱୀକୃତି ଲାଭରେ ସବାବଡ଼ କାରଣ ବୋଲି ବିଶ୍ଵାସ କରି ଶିଖନ୍ତି । ଅଧିକ ଧନର ଅଧିକାରୀ ହୁଅନ୍ତି, ଏବଂ ଅଧିକ ବିଳାସକୁ ମନ କରନ୍ତି-। ଏବେ ତ ଇଂଲଣ୍ଡର ସେହି କୁଳୀନତାର କଦରଟା କ୍ରମେ ଉଣା ହୋଇଯାଉଛି ଏବଂ ତେଣୁ ସେହି ପବ୍ଲିକ ସ୍କୁଲର ପ୍ରଭାମାନେ ମଧ୍ୟ କ୍ରମେ କାଳଚକ୍ଷୁରେ ନିଷ୍ପ୍ରଭ ହୋଇପଡ଼ିଲେଣି ।

 

ଅପର ପକ୍ଷରେ ଗଣତନ୍ତ୍ରରେ ମଧ୍ୟ ବହୁ ଅଭାବ ଘଟିବାର ଆଶଙ୍କା ସର୍ବଦା ରହିଥାଏ, ପ୍ରତ୍ୟେକ ମନୁଷ୍ୟ ଭିତରେ ଏକ ଆତ୍ମସମ୍ମାନବୋଧକୁ ପ୍ରେରିତ କରି ଆଣୁଥିବା ପର୍ଯ୍ୟନ୍ତ ଗଣତନ୍ତ୍ର ଅବଶ୍ୟ ଭଲ; କିନ୍ତୁ ଯେତେବେଳେ ବହୁସଂଖ୍ୟାର ବଳରେ ପଲଟା ଅସହିଷ୍ଣୁ ହୋଇ କୌଣସି ବ୍ୟତିକ୍ରମର ସମ୍ମୁଖୀନ ହେବାମାତ୍ରକେ ଦାବି ଦେବାକୁ ଏବଂ ଶାସ୍ତି ଦେବାକୁ ଗର୍ଜନ କରିଉଠେ, ସେତେବେଳେ ଗଣତନ୍ତ୍ର ଦ୍ଵାରା ବହୁତ ମନ୍ଦକୁ ଡାକି ମଧ୍ୟ ଅଣାଯାଇଥାଏ (ପୃଷ୍ଠା–୪୯) । ପୁନଶ୍ଚ, ବହୁ କ୍ଷେତ୍ରରେ ସମନ୍ୟାୟ ରହିବାର ଦ୍ଵାହି ଦେଇ ବିଶେଷ ପ୍ରତିଭା ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ହାରାହାରିର ଗାର ଭିତରେ ବାଧ୍ୟ ହୋଇ ରହିବାର ନାନା ଗାର ପକାଇ ଦିଆ ବି ଯାଇଥାଏ । ସୁଯୋଗ ତଥା ଶିକ୍ଷାକୁ ଯେତେ ସର୍ବଜନଙ୍କର ପହୁଞ୍ଚ ଭିତରେ ରଖାଯାଇଥିଲେ ମଧ୍ୟ ଯେକୌଣସି ଦେଶ ବା ରାଷ୍ଟ୍ରର ଶାସନ ମୁଷ୍ଟିମେୟ ଉଚ୍ଚ ଅମଲାମାନଙ୍କର ହାତରେ ହିଁ ବାଧ୍ୟ ହୋଇ ରହିଥାଏ । ଏବଂ ଆଧୁନିକ ସମାଜଟା ଅଧିକରୁ ଅଧିକ ବୁଦ୍ଧିସଚଳ ହୋଇଆସିବା ସହିତ ଶାସନମାନଙ୍କରେ ଏକ ଅମଲାତନ୍ତ୍ର ହିଁ ସର୍ବତ୍ର ନିୟାମକ ହେବାରେ ଲାଗିଛି । ଅର୍ଥାତ୍, ଯଥାର୍ଥରେ ଶିକ୍ଷାପ୍ରାପ୍ତ ତଥା ସଚେତନ ବ୍ୟକ୍ତିମାନେ ଅମଲାତନ୍ତ୍ରରେ ଦାୟିତ୍ଵପୂର୍ଣ୍ଣ ସ୍ଥାନମାନଙ୍କରେ ନଥିଲେ ସେଥିରୁ ମଧ୍ୟ ବହୁ ପ୍ରମାଦ ଆସି ପହଞ୍ଚିବାର ସତତ ଶଙ୍କାମାନ ରହିଥାଏ ।

 

ଆମ ସଂସ୍କୃତିକୁ ତ ଆମେ ସେତେବେଳେ ଯାଇ ଅସଲ ବୋଲି ଜାଣିବା, ଯେତେବେଳେ ମନୁଷ୍ୟମାନେ ଆପଣାକୁ ଜଣେ ଜଣେ ବୃହତ୍-ବିଶ୍ୱର ନାଗରିକ ରୂପେ ଅନୁଭବ କରିପାରିବେ । ସେମାନଙ୍କର ଜୀବନନାମକ ଧନ୍ଦାଟି ଯେତେ ସ୍ଥାନୀୟ ହୋଇଥିଲେ ମଧ୍ୟ ନଜରଗୁଡ଼ିକ ନିର୍ଦ୍ଧାରିତ ତାତ୍କାଳିକତା ଗୁଡ଼ିକ ଅତିକ୍ରମ କରି ଯାଇଥିବେ । ଯଥାସମ୍ଭବ ଅଧିକ ସମଗ୍ର ଭାବରେ ସେମାନେ ମନୁଷ୍ୟ ସମାଜକୁ ବୁଝି ପାରୁଥିବେ । ଉପସ୍ଥିତ ବର୍ତ୍ତମାନଟିକୁ ଅତୀତ ତଥା ଭବିଷ୍ୟତର ସନ୍ଦର୍ଭ ଉପରେ ବୁଝିବାରେ ସମର୍ଥ ହେଉଥିବେ । ଯେଉଁମାନେ କୌଣସି ଦେଶଶାସନର ଏକାଧିକ ଦାୟିତ୍ଵରେ ଅଛନ୍ତି, ସେମାନଙ୍କର ମନୋଗତ ବିବେକଟି ସର୍ବଥା ସେହିପରି ଏକ ଦୃଷ୍ଟିଦ୍ଵାରା ସଂବଳିତ ହୋଇ ରହିଥିବ ତେଣୁ ଅତ୍ୟାବଶ୍ୟକ ହୋଇ ରହିବ ।

 

ଶିକ୍ଷାର କ୍ଷେତ୍ରରେ ପଲକୁ ଅଗ୍ରାଧିକାର

 

ପ୍ରାୟ ଜନ୍ମଲାଭ କରିବାର ମୁହୂର୍ତ୍ତଟିରୁ ହିଁ ଗୋଟିଏ ମନୁଷ୍ୟ ଶିଶୁ ଉପରେ ତା’ର ଚତୁର୍ଦ୍ଦିଗରେ କେତେ ଶକ୍ତିଶାଳୀ ହୋଇ ରାଜତ୍ୱ କରୁଥିବା ପଲମାନଙ୍କର ପ୍ରଭାବ ପଡ଼ିବା ଅବଶ୍ୟମ୍ଭାବୀ ହୋଇ ରହିଥାଏ । ସିଏ ପ୍ରକୃତରେ ତା’ନିଜ ନକ୍‍ସାଗୁଡ଼ିକ ଅନୁସାରେ ଜଣେ ବ୍ୟକ୍ତି ହେବ ନା ପଲଭିତରେ ଯାଇ ପଶିଯିବ,–ପ୍ରତ୍ୟେକ ଶିକ୍ଷାବିଚାରରେ ସେହି କଥାଟିର ସର୍ବଦା ଏକ ବୃହତ୍ ତାତ୍ପର୍ଯ୍ୟ ରହିବ ହିଁ ରହିବ ।

 

ଜଣେ ପିଲାର ଜୀବନରେ ବଡ଼ ସମୂହଟି ହେଉଛି ତାଙ୍କୁ ନାନାଭଳି ରୀତିରେ ମାର୍ଗ ଇତ୍ୟାଦିର ସୂଚନା ଦେଉଥିବା ସମାଜ ଏବଂ ଆଉ ଗୋଟିଏ ସମୂହ ହେଉଛି ତା’ର ବିଦ୍ୟାଳୟ । ଅଧିକାଂଶ ମଣିଷ ସଚରାଚର ଆଶା କରୁଥାଆନ୍ତି ଯେ, ସେମାନଙ୍କର ପିଲାମାନେ ଚାରିପାଖର ସାମାଜିକ ଜୀବନଟି ସହିତ ସହଜରେ ଖାପ ଖାଇଯାଆନ୍ତୁ । ତେବେ ଜୀବନରେ ସେମାନଙ୍କର ଅନ୍ଦାଜ ଅନୁସାରେ ବିଶେଷ କୌଣସି ଅଶାନ୍ତି ଭୋଗିବାକୁ ପଡ଼ିବ ନାହିଁ । ସମୂହରେ ବାସ କରୁଥିବା ଅଧିକାଂଶ ମନୁଷ୍ୟ ସମ୍ଭବତଃ ସେହି ପଲଟାକୁ ହିଁ ଭୟ କରନ୍ତି । ସେହି ଭୟ ବହୁ ପରିମାଣରେ ତାକୁ ତା’ସ୍କୁଲ ଯାଉଥିବା ସମୟରୁ ହିଁ ସତେଅବା ଶିଖାଇ ଦିଆଯାଏ । ମାତ୍ର, ଯଦି ପଲ ଭିତରେ ପଶି ପଲ ପରି ହୋଇଯିବା ଯଦି ସବୁ ମନୁଷ୍ୟଙ୍କର ଜୀବନର ଲକ୍ଷ୍ୟ ହୁଏ, ତେବେ ଆମ ଲାଗି ଜଣେ ବ୍ୟକ୍ତିରୂପେ ବିକାଶଲାଭ କରିବାର ଏକ ଅବକାଶ ମଧ୍ୟ ପୁଣି କିଭଳି ସମ୍ଭବ ହେବ ? ଯେଉଁମାନେ ପଲ ଭିତରେ ପଶି ଯାଆନ୍ତି ନାହିଁ, ସେମାନେ ପ୍ରଧାନତଃ ପଲର ମନୋଭାବଟି ଦ୍ଵାରା ପରିଚାଳିତ ହେଉଥିବା ସମାଜରେ ନ୍ୟାୟତଃ ବହୁତ ଅଶାନ୍ତି ତଥା କଷଣ ଭୋଗ କରନ୍ତି । ତଥାପି, ସେଭଳି ମନୁଷ୍ୟମାନେ ଯଦି ନଥାନ୍ତେ, ତେବେ ଆମ ସମାଜଟାରେ ପୁଣି ଆଉ କେଉଁ ଉପାୟରେ ଆଦୌ କୌଣସି ଅଗ୍ରଗତି ବି ହୁଅନ୍ତା !

 

ଶିକ୍ଷାର କାର୍ଯ୍ୟକ୍ରମରେ ଧର୍ମ

 

ଯାବତୀୟ ଧର୍ମର ଦୁଇଟି ଦିଗ, ଗୋଟିଏ ବ୍ୟକ୍ତିଗତ ଏବଂ ଅନ୍ୟଟି ସମାଜ ସମ୍ପକିତ । ଧର୍ମର କେତେ ପ୍ରବକ୍ତା କହନ୍ତି ଯେ, ସର୍ବପ୍ରଥମେ ମନୁଷ୍ୟର ଭାବ ରାଜ୍ୟରେ ନିଜର ସମାଜ ପ୍ରତି କର୍ତ୍ତବ୍ୟବୋଧର ବିବେକଟିରୁ ହିଁ ଧର୍ମର ଉନ୍ମେଷଣା ହୋଇଛି । ସେହି ସାମାଜିକ ଆନୁଗତ୍ୟର ସ୍ତରରୁ ତାହା ଅଧୁକ ନିବିଡ଼ ହୋଇ କ୍ରମେ ବ୍ୟକ୍ତି ଜୀବନର ଅନୁଶୀଳନ ଭିତରକୁ ମଧ୍ୟ ପ୍ରସାରିତ ହୋଇ ଆସିଥିଲା ।

 

ଧର୍ମର ଆନୁଷ୍ଠାନିକତା ତାହାକୁ ଆହୁରି ଆଗକୁ ଆସି ରାଷ୍ଟ୍ରର ପରିଧି ମଧ୍ୟକୁ ଆୟତ୍ତ କରି ଆଣିଥିଲା ଏବଂ ତା’ପରେ ବିଦ୍ୟାଳୟର ଶିକ୍ଷା ନାମକ ଆୟତନରେ ମଧ୍ୟ ଏକ ଆବଶ୍ୟକ ଅଙ୍ଗ ହିସାବରେ ସ୍ଥାନ ପାଇଥିଲା । ଯେଉଁଠି ଧର୍ମଶିକ୍ଷା ପିଲାମାନଙ୍କ ଲାଗି ବିଦ୍ୟାଳୟର କାର୍ଯ୍ୟକ୍ରମଟିର ଅନ୍ତର୍ଗତ ହୋଇ ରହିଥାଏ, ତାହା ସେମାନଙ୍କର ବ୍ୟକ୍ତି ବିବେକର ବିକାଶରେ କୌଣସି ପ୍ରକାରେ ବାଧକରୂପେ କାର୍ଯ୍ୟ କଲେ ସେଥିରୁ ଏକାଧିକ ପ୍ରମାଦ ଆସି ପହଞ୍ଚି ଯାଇଥାଏ-। ଏକ ବୈଜ୍ଞାନିକ ଦୃଷ୍ଟିକୋଣ ନିମନ୍ତେ ପ୍ରତିବନ୍ଧକ ପରି କାର୍ଯ୍ୟ ମଧ୍ୟ କରେ ।

 

ଶିକ୍ଷାରେ ଯୌନପ୍ରସଙ୍ଗ

 

ଅଳ୍ପ ବା ବହୁତ ଯେଉଁ ପରିମାଣରେ ହେଉ ପଛକେ, ଜୀବନର ଯୌନସମ୍ପର୍କିତ ଜୀବନଟିକୁ ଯାବତୀୟ ପ୍ରସଙ୍ଗରେ ଯଥାସମ୍ଭବ ଏକ ନିଷିଦ୍ଧ ରହସ୍ୟବତ୍ କରି ରଖାଯାଇଥାଏ । ସେହି ଅନୁସାରେ ଯୌନ ସମ୍ବନ୍ଧରେ ଯେକୌଣସି ସମାଜର ନୈତିକତାଗୁଡ଼ିକ ଏବଂ ତାହାର ପ୍ରଭାବ ଆମ ବିଦ୍ୟାଳୟମାନଙ୍କରେ ନପଡ଼ିବାର ମଧ୍ୟ ଆଦୌ କୌଣସି କାରଣ ନଥାଏ ।

 

ପାରିବାରିକ ଗଢ଼ଣ ଅନୁସାରେ ଯୌନଜୀବନ ବିଷୟରେ ମନୁଷ୍ୟମାନଙ୍କର ସାଧାରଣ ଧାରଣାମାନ ଖୁବ୍ ଗଠିତ ହୋଇ ଆସିଥାଏ । ତାହାର ଅନୁସାରେ ସକଳ ନୈତିକତା ତଥା ଚରିତ୍ରବତ୍ତାର ବିବେଚନା | ନାନା କାରଣରୁ ନାନା ପ୍ରକାରର ଭାବସଙ୍କୋଚ ଆମ ବୟସ୍କମାନଙ୍କୁ କାମୁଡ଼ି ରହିଥାଏ ଏବଂ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ଯେତେ ପ୍ରକାରେ ଆପଣାର ସେହି ଅସୁବିଧାଟିକୁ ପଦାରେ ନପକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବାର ସକଳ କ୍ଷେତ୍ରରେ ସେଇଟିର ଖୁବ୍ ପ୍ରତିଫଳନ ହୋଇଥାଏ । ସମ୍ଭବତଃ ତାହା ଶିକ୍ଷାଦାନ ଓ ଶିକ୍ଷାଗ୍ରହଣର ସର୍ବବିଧ ପାରସ୍ପରିକତାକୁ ଅତ୍ୟନ୍ତ ବକ୍ର କରି ରଖିଥାଏ ।

 

ଶିକ୍ଷାରେ ଜାତିପ୍ରୀତିର ସ୍ଥାନ

 

ରାଜ୍ୟମାନଙ୍କର ଶାସନ ନିମନ୍ତେ ରାଷ୍ଟ୍ର ଏବଂ ରାଜ୍ୟରେ ବାସ କରୁଥିବା ବ୍ୟକ୍ତିମାନେ ସେହି ରାଷ୍ଟ୍ରର ଅଧୀନରେ ଜଣେ ଜଣେ ନାଗରିକ । ନାଗରିକର ସ୍ଵୀକୃତ ଧର୍ମଟି ହେଉଛି ଯେ ସିଏ ରାଷ୍ଟ୍ରର ଅନୁଗତ ହୋଇ ରହିବ । ବୃହତ୍ତର ପୃଥିବୀ ସହିତ ରାଷ୍ଟ୍ରର ସର୍ବପ୍ରଥମ ଦୁଇଟି କାର୍ଯ୍ୟ ହେଉଛି ଯେ, ତାହା ବାହାର ରାଷ୍ଟ୍ରମାନଙ୍କର ଆକ୍ରମଣକୁ ଅଟକାଇ ପାରିବା ସକାଶେ ପ୍ରତିରକ୍ଷା ଲାଗି ସମର୍ଥ ହେବ ଏବଂ ଅନ୍ୟ ଦେଶଗୁଡ଼ିକୁ ଶୋଷଣ କରିବାରେ ନିଜ ନାଗରିକମାନଙ୍କର ସମର୍ଥନ ମଧ୍ୟ ଲାଭ କରିବ । ଏହି କ୍ଷେତ୍ରରେ ଗୋଟିଏ ପ୍ରକୃତ ସମସ୍ୟା ହେଉଛି ଯେ, ବୃହତ୍ ଅର୍ଥାତ୍ ଅଧିକ ବଳଶାଳୀ ରାଷ୍ଟ୍ରମାନେ ଅନ୍ୟ ରାଷ୍ଟ୍ରଗୁଡ଼ିକର ଦୁର୍ବଳତାରୁ ସୁଯୋଗ ନେବେ ଏବଂ ସେଥିରୁ ଲାଭବାନ୍ ହେବାକୁ ଚେଷ୍ଟା କରୁଥିବେ । ବର୍ତ୍ତମାନର ପୃଥିବୀରେ ଏଇଟିର ବହୁ ସଂଖ୍ୟକ ଉଦାହରଣ ଦେଖିବାକୁ ମିଳିବ । ଏବଂ ଏପରି ଏକ ଅକାର୍ଯ୍ୟରେ ନାଗରିକମାନେ କ’ଣ ନିଜର ରାଷ୍ଟ୍ରଟିକୁ ଉଚିତ କାର୍ଯ୍ୟ କରୁଛି ବୋଲି ସମର୍ଥନ କରିବେ ?

 

ଏହି ସନ୍ଦର୍ଭରେ ପ୍ରଶ୍ନଟି ହେଉଛି, ବିଦ୍ୟାଳୟର ଶିକ୍ଷାରେ ତେବେ ଦେଶପ୍ରୀତି ଲାଗି କିପରି ସ୍ଥାନଟିଏ ପ୍ରକୃତରେ ରହିବ ? ହଁ, ଆପଣାର ଜନ୍ମଭୂମିଟିକୁ ନିଜର ବୋଲି ଜାଣିବା, ତାହାକୁ ଭଲ ପାଇବା ଓ ଏପରିକି ସେପରି କରି ଗର୍ବ ଅନୁଭବ କରିବା । ଏଥିରେ ଆପତ୍ତି କରିବାର ଆଦୌ କିଛି ହେଲେ ନଥାଏ । ଅଧିକାଂଶ ରାଷ୍ଟ୍ର ଶାସନ ତ ଏପରି ଦାବି କରିଥାଏ ଯେ ତାହାର ନାଗରିକମାନେ ଆପଣାର ସର୍ବୋଚ୍ଚ କର୍ତ୍ତବ୍ୟରୂପେ ରାଷ୍ଟ୍ରର ହିଁ କୁହା ମାନିବେ ଏବଂ ରାଷ୍ଟ୍ରର ଯାବତୀୟ ନୀତିକୁ ଉଚିତ୍ ବୋଲି ଗ୍ରହଣ ମଧ୍ୟ କରି ନେଉଥିବେ । ବିଦ୍ୟାଳୟମାନଙ୍କରେ ସେହି ଦୃଷ୍ଟିରୁ ହିଁ ଇତିହାସ ଏବଂ ଅର୍ଥନୀତି ପ୍ରଭୃତିର ଶିକ୍ଷା ମଧ୍ୟ ଦିଆଯାଇଥାଏ । ସେହିମାନଙ୍କର ସରକାର ହିଁ ନ୍ୟାୟ ପଟେ ରହିଛି ବୋଲି ସର୍ବଦା ଅନୁଭବ କରିବା ପାଇଁ ଶିକ୍ଷାକୁ ମାଧ୍ୟମରୂପେ ବ୍ୟବହାର କରିବାର ପ୍ରୟାସମାନ କରାଯାଏ । ଅଧିକାଂଶ ସ୍ଥଳରେ ଗୋଟିଏ ଦେଶର ନାଗରିକମାନେ ଯେ ସେଗୁଡ଼ିକରେ ମଣ ହୋଇ ରହନ୍ତି, ସେଥିଲାଗି ନ୍ୟାୟତଃ ସେହି ଦେଶରେ ଚଳୁଥିବା ଶିକ୍ଷା ବ୍ୟବସ୍ଥାକୁ ହିଁ ଦାୟୀ କରାଯିବ ।

 

ଯଥାର୍ଥ ଶିକ୍ଷା ବ୍ୟବସ୍ଥା ଏହି ଅବିବେକିତାର ସମର୍ଥନ କରିବାରେ ନିଶ୍ଚୟ କୁଣ୍ଠିତ ହେବ-। ଏକାନ୍ତ ସ୍ପଷ୍ଟ ହୋଇଯିବା ଉଚିତ୍ ଯେ, ତଥାକଥିତ ଜାତି-ପ୍ରୀତି ଏବଂ ଏକଆଖିଆ ହୋଇ ନିଜ ରାଷ୍ଟ୍ରଟାକୁ ସର୍ବଦା ଠିକ୍ ବୋଲି କହିବା,–ଏହାଦ୍ଵାରା ଆଗକୁ ଯାଇ ଆମ ପୃଥିବୀର ସଭ୍ୟତାଟା ହିଁ ବରବାଦ ହୋଇଯିବ । (ପୃଷ୍ଠା–୮୨) ଏବେ ତ ପ୍ରାୟ ଏକ ଆଖିବୁଜା ଉତ୍ସାହରେ ପ୍ରତ୍ୟେକ ଦେଶର ପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ ସାରା ପୃଥିବୀରେ ସେହିମାନଙ୍କର ଦେଶଟି ହିଁ ସବୁଠାରୁ ଅଧିକ ସୁନ୍ଦର, ଯଥାର୍ଥରେ ସର୍ବଶ୍ରେଷ୍ଠ । ଅନ୍ୟ ସକଳ ଦେଶମାନଙ୍କ ତୁଳନାରେ ନିଜର ଦେଶଟିକୁ ଏଡ଼େ ବଡ଼ ବା ଏତେ ସ୍ଵତନ୍ତ୍ର ବୋଲି ଭାବିବାରେ ଅଭ୍ୟସ୍ତ ହୋଇଯିବା, ଏହାକୁ କ’ଣ କେତେବେଳେ ଏକ ସୁସ୍ଥ ଦେଶପ୍ରୀତି ବୋଲି କୁହାଯାଇ ପାରିବ ? ଏବଂ, ଆମ ଶିକ୍ଷାର ଏହି ଆଭିମୁଖ୍ୟଟିରେ ପରିବର୍ତ୍ତନ ଅଣାଯାଇ ପାରିଲେ ଆମ ସାମୂହିକ ସ୍ୱାସ୍ଥ୍ୟର କ୍ଷେତ୍ରରେ ପ୍ରକୃତରେ କେତେ ଅନ୍ୟ ମୂଲ୍ୟବୋଧ ଗୁଡ଼ିକୁ ସମ୍ଭବ କରି ଅଣାଯାଇ ନପାରିବ !

 

ବିଷୟଟିର ଗୁରୁତ୍ୱ ପ୍ରକୃତରେ ଏତେ ଅଧିକ ଯେ ଆନ୍ତର୍ଜାତିକ ସ୍ତରରେ ଏହି ପ୍ରଶ୍ନଟିକୁ ନେଇ ଅଧିକ ଆଲୋଚନା ମଧ୍ୟ ହେବା ଏକାନ୍ତ ଉଚିତ୍ । ବର୍ତ୍ତମାନ ତ ପ୍ରତ୍ୟେକ ଦେଶର ଶିକ୍ଷା କେବଳ ସେହି ଗୋଟିଏ ଦେଶ ଲାଗି ଅନୁକୂଳ ହେବାଭଳି ସବୁକିଛିର ନିର୍ଦ୍ଧାରଣ କରୁଛି । ଯେଉଁ ଶିକ୍ଷକକୁଳ ଅନ୍ୟପ୍ରକାର ଶିକ୍ଷାଦାନରେ ଆଗ୍ରହୀ ହୋଇ ଏକ ପରିବର୍ତ୍ତନ ନିମନ୍ତେ ଚେଷ୍ଟା କରନ୍ତେ, ସେମାନେ ଅଧିକାଂଶତଃ ସତେଅବା ବର୍ତ୍ତମାନର ସ୍ଥିତିଗୁଡ଼ାକୁ ହିଁ ଯେପରି ସେପରି ହୋଇ ରହିବାରେ ସହାୟତା କରୁଛନ୍ତି । ଶିକ୍ଷାର ଆବେଦନଟିରେ ଉଚିତ୍ ଅନ୍ୟ କିଛି ସମ୍ଭବ କରି ଆଣିବାକୁ ହେଲେ କେବଳ ମଥାମାନଙ୍କୁ ଖଟାଇବା ଯଥେଷ୍ଟ ହେବ ନାହିଁ, ହୃଦୟଟିକୁ ମଧ୍ୟ ଆବାହନ କରି ଆଣିବାକୁ ପଡ଼ିବ । ହଁ ତେବେଯାଇ, ଆମର ଚତୁର୍ଦ୍ଦିଗର ଏହି ପୃଥିବୀଟିରେ ଯେଉଁଠାରେ ଭଲଗୁଡ଼ିକ ଆଳସ୍ୟଜର୍ଜର ହୋଇ ରହିଛନ୍ତି ଏବଂ କେବଳ ମନ୍ଦମାନେ ହିଁ ପ୍ରଚଣ୍ଡ ଶକ୍ତିମତ୍ତାରେ ଆମର ପନ୍ଥାଗୁଡ଼ିକୁ ବିକ୍ଷୁବ୍ଧ କରି ରଖିଛନ୍ତି ଓ ସେହି କାରଣରୁ ପୃଥିବୀଯାକର ଆମ ସମସ୍ତଙ୍କ ନିମନ୍ତେ ତୁଚ୍ଛା ବିନାଶମାନଙ୍କୁ ହିଁ ଡାକି ଆଣିବାରେ ତତ୍ପର ହୋଇ ରହିଛନ୍ତି, ତେବେ ଯାଇ ତାହାର ସ୍ରୋତଗୁଡ଼ିକୁ ରୋକାଯାଇ ପାରିବ । ବର୍ତ୍ତମାନ ତ ମନୁଷ୍ୟମାନଙ୍କର ସମ୍ମୁଖରେ ଭୀମଗର୍ଭମାନେ ହିଁ ଆଁ କରି ଅନାଇଛନ୍ତି ଏବଂ ଯାବତୀୟ ଅନ୍ୟ ଉତ୍ତେଜନାମାନେ ସେମାନଙ୍କୁ ନିତାନ୍ତ ଭୀଷଣ ଭାବରେ ଅନ୍ୟମନସ୍କ କରି ରଖିଛନ୍ତି । ତେଣୁ, ଯେଉଁମାନେ ତଥାପି ନିଶାଗ୍ରସ୍ତ ହୋଇ ନାହାନ୍ତି, ସେମାନଙ୍କୁ ସବୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦିଶି ଦିଶି ଯାଉଛି । ଏବଂ ସକଳ ସଭ୍ୟତାର ସେହି ବିଲୁପ୍ତି ଦିଗରେ ଆମର ଏହି ଜାତୀୟବାଦ ହିଁ ସର୍ବାଧିକ ପ୍ରକାରେ ସହାୟତା କରିବାରେ ଲାଗିଛି ।

 

ଶିକ୍ଷାର କ୍ଷେତ୍ରରେ ବର୍ଗଭବନା

 

ସଭ୍ୟତାର ସେହି ପ୍ରତ୍ୟୁଷଟାରୁ ହିଁ ମନୁଷ୍ୟ ସମାଜରେ ବହୁ କିସମର ନାନା ଅସମତା ଭର୍ତ୍ତି ହୋଇ ରହିଛି । ନାନା ବିଭେଦ, ନାନା ଅନ୍ୟାୟ ଏବଂ ସେହି ଅନୁସାରେ ଅଧିକ ସୁଯୋଗ ଲାଭ ନାମରେ ଅନ୍ୟ ଅନେକଙ୍କୁ ପ୍ରତାରଣା । ସେହି ସେକାଳରେ ସମ୍ରାନ୍ତ ଶ୍ରେଣୀ ଏବଂ ଆମ ଏକାଳରେ ଧନିକଶ୍ରେଣୀ । କିଏ ନିଜର ସମ୍ପତ୍ତି ତଥା ସ୍ଵଚ୍ଛଳତାକୁ ବଢ଼ାଇବା ପାଇଁ ପ୍ରଧାନତଃ ଆପଣାର ପ୍ରକୃତ ଅର୍ଜନଟା ଉପରେ ନିର୍ଭର କରି ରହିଛି ! ଏବଂ ସେହି ଅନୁସାରେ ଜମିର ମାଲିକ ପୁଞ୍ଜିବାଦୀ ଏବଂ ନିଃସ୍ୱ ସର୍ବହରାମାନଙ୍କର ଗୋଟିଏ ଗୋଟିଏ ଶ୍ରେଣୀ । ବୁର୍ଜୁଆ ଏବଂ ପ୍ରୋଲେଟରିଆଟ୍ । ବ୍ୟକ୍ତିଗତ ସମ୍ପତ୍ତି ଏବଂ ଧନିକମାନଙ୍କ ଦ୍ଵାରା ପ୍ରତିଷ୍ଠିତ ସରକାରମାନେ ତାହାର ତଥାକଥିତ ଶୁଦ୍ଧତାକୁ ରକ୍ଷା କରିବାକୁ ଲାଗିଥିବା ପ୍ରୟାସମାନ ଏବଂ ସେହି ଅଚଳଣିଟା ଆମର ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରାୟ ସର୍ବଦା ହିଁ ଗିଳିକରି ରହିଛି ।

 

ସମାଜର ଏହି ଥାକମାନଙ୍କରେ ବାପାମାଆ ଯେତିକି ଉପରେ, ସେହି ଅନୁସାରେ ସେମାନଙ୍କ ଛୁଆମାନଙ୍କ ନିମନ୍ତେ ଶିକ୍ଷାର ବରାଦ ଓ ବ୍ୟବସ୍ଥା ସକଳ । ପ୍ରତିଭା ଅନୁସାରେ ମୋଟେ ନୁହେଁ, ଧନ ଅନୁସାରେ (ପୃଷ୍ଠା-୮୭) । ସେହି ଶିକ୍ଷାପ୍ରଣାଳୀଟା ହେତୁ ଗୋଟାଏ ପକ୍ଷ ଉଦ୍ଧତ ହୋଇ ରହିଛି ଏବଂ ଆର ପକ୍ଷଟା ନାନା ଅବହେଳା ତଥା ଅବମାନନାକୁ ମାନି ମୁଣ୍ଡ ପାତି ରହିବାକୁ ବାଧ୍ୟ ହେବାରେ ଲାଗିଛି । ଉପର ଥାକର ପିଲାମାନେ ତଥାକଥିତ ତୁଚ୍ଛା ବୌଦ୍ଧିକ ଶିକ୍ଷାରେ ମଣ ହେଉଛନ୍ତି ଓ ଶାରୀରିକ ସବୁକିଛିକୁ ନାକ ଟେକିବା ଲାଗି ଶିକ୍ଷା କରୁଛନ୍ତି । ପ୍ରାଚୀନ ଗ୍ରୀସରେ ଯାବତୀୟ ଶାରୀରିକ କର୍ମକୁ ତ କେବଳ ନ୍ୟୁନମାନର କାମ ବୋଲି ବିଚାର କରାଯାଉଥିଲା ଏବଂ ସେଥିଲାଗି ଭଦ୍ର ଓ ମାର୍ଜିତ ରୁଚିସମ୍ପନ୍ନ ନାଗରିକବୃନ୍ଦ କ୍ରୀତଦାସ ଓ ନାରୀମାନଙ୍କୁ ଏକ ଖାସ୍ ଶ୍ରେଣୀ ହିସାବରେ ବ୍ୟବହାର କରୁଥିଲେ ।

 

ଏବଂ ସାମାଜିକ ଓ ନୈତିକ ଜୀବନରେ ଏହିପରି ଏକ ଶ୍ରେଣୀ ପାର୍ଥକ୍ୟକୁ ମହତ୍ତ୍ୱ ଦେଇ ଚାଲିଥିବା ଶିକ୍ଷା ସମ୍ଭବତଃ ସର୍ବାଧିକ ପରିମାଣର କ୍ଷତି ସାଧନ କରିଥାଏ । ଏକ ଅସମ ସମାଜରେ ଯେଉଁମାନେ ଉପରେ ଥାଆନ୍ତି, ସିଏ ଅପେକ୍ଷାକୃତ ନିମ୍ନତରମାନଙ୍କ ତୁଳନାରେ ନିଜକୁ ସର୍ବଦା ଅଧିକ ଭାଗ୍ୟବାନ୍ ବୋଲି ବିଚାର ମଧ୍ୟ କରନ୍ତି । ଅଧିକ ଭଲ ବୋଲି ମଧ୍ୟ କ’ଣ ପାଇଁ ବିଚାର ନକରିବେ । ସେମାନେ ସଚରାଚର ସର୍ବବିଧ ସୁସ୍ଥ ପରିବର୍ତ୍ତନର ବିରୋଧ କରନ୍ତି । ଭୟରେ ସଦାକାତର ହୋଇ ରହିଥାନ୍ତି । ତଳେ ରହିଥିବା ବର୍ଗମାନେ ମଧ୍ୟ ସହି ସହି ବସ୍ତୁତଃ ଏତେ ପଥର ପରି ହୋଇଯାଇଥାନ୍ତି ଯେ, ସେମାନେ ସେମାନଙ୍କ ଉପରେ କରାଯାଉଥିବା ଅନ୍ୟାୟ ଇତ୍ୟାଦିକୁ ସତେ ଅବା ବିଧିର ବରାଦ ସଦୃଶ ମାନିନେବାରେ ଅଭ୍ୟସ୍ତ ହୋଇଯାଆନ୍ତି । ସେହିମାନଙ୍କ ଭଳି ମନୁଷ୍ୟଙ୍କ ପାଖରେ ମୁଣ୍ଡ ପାତି ସବୁ ସ୍ୱୀକାର କରି ନେଉଥାନ୍ତି । ଅନ୍ୟାୟମାନଙ୍କୁ ସହି ନିଆଯାଉଥିବା ପର୍ଯ୍ୟନ୍ତ ସମାଜଟା ପ୍ରାୟ ସର୍ବଦା ଏହିଭଳି ଦ୍ଵିଖଣ୍ଡିତ ହୋଇ ରହିଥାଏ ଓ ତଥାକଥିତ ପ୍ରତିକାର ବା ସମାଧାନମାନେ ବି ପ୍ରାୟ ଏକବାଗିଆ ହେବାକୁ ବାଧ୍ୟ ହୁଅନ୍ତି । ଏହି ସମାଧାନଗୁଡ଼ିକ ସଚରାଚର ପ୍ରାୟ ଅଧିକ ସମସ୍ୟା ହିଁ ସୃଷ୍ଟି କରିଥାନ୍ତି ।

 

ଅର୍ଥାତ୍, ଅନ୍ୟାୟ ଉପରେ ଭରା ଦେଇ ଚାଲୁଥିବା ସର୍ବବିଧ ସମାଜ ବ୍ୟବସ୍ଥା କେବଳ ନାନା ଅମଙ୍ଗଳକୁ ହିଁ ଡାକି ଆଣିବାରେ ସହାୟକ ହୁଏ, ଶିକ୍ଷାରେ ଅନୁସୃତ ନୀତିଗୁଡ଼ିକ ମଧ୍ୟ ସେହି ସ୍ଥିତିରେ ଆଦୌ ସୁସ୍ଥ ହୋଇ ପାରନ୍ତି ନାହିଁ । ସେହି ସମାଜରେ ବର୍ଗ ବର୍ଗ ମଧ୍ୟରେ ସଂଘର୍ଷ ହିଁ ଲାଗି ରହିଥାଏ । ତେଣୁ, ଯେକୌଣସି ଉତ୍ତମ ଅର୍ଥାତ୍ ସୁଅଭିପ୍ରାୟଯୁକ୍ତ ସମାଜରେ ମନୁଷ୍ୟମାନଙ୍କର ଯାବତୀୟ ସମ୍ବନ୍ଧ ତଥା ଦୃଷ୍ଟିକୋଣରେ ଅବଶ୍ୟ ସଂବେଦନା ଓ ସହାନୁଭୂତି ରହି ପାରୁଥିବା ଉଚିତ୍ । ଗଠନମୂଳକ ଭାବରେ ସମସ୍ତଙ୍କର ଉଦୟକୁ ସାମନାରେ ରଖି ସବୁକିଛି ସତକୁ ସତ ହୋଇପାରିବା ଆବଶ୍ୟକ । ଏବଂ ପ୍ରତିଫଳନ ବାରି ହୋଇ ପାରୁଥବା ଉଚିତ୍ ।

 

ଶିକ୍ଷାରେ ପ୍ରତିଦ୍ୱନ୍ଦ୍ୱିତା

 

ଶିଳ୍ପ ବିପ୍ଳବ ଆପଣାର ସେହି ପ୍ରଥମ କାଳରେ ପ୍ରତିଦ୍ୱନ୍ଦ୍ୱିତାକୁ ହିଁ ସବାମୂଳ ମନ୍ତ୍ରଭଳି ଗ୍ରହଣ କରି ଆବିର୍ଭୂତ ହୋଇଥିଲା ଏବଂ ଶ୍ରୀ ଡାର୍‍ଉଇନ ସେହିଟି ଉପରେ ଦୃଢ଼ ବିଶ୍ୱାସ ସ୍ଥାପନ କରୁଥିଲେ । ଖୁବ୍ ସମ୍ଭବ ସେହି ହେତୁ ତାଙ୍କର ବିବର୍ତ୍ତନ-ତତ୍ତ୍ୱଟା ମଧ୍ୟ ସେଇଥିରୁ ଏତେବେଶୀ ପ୍ରେରଣା ମଧ୍ୟ ଲାଭ କରିଥିଲା । ପରବର୍ତ୍ତୀ ଏହି ପ୍ରାୟ ଦେଢ଼ଶହ ବର୍ଷର ଅବଧିଟି ମଧ୍ୟରେ ବିବର୍ତ୍ତନବାଦ ଆଉ ଆଦୌ ସେହି ପ୍ରତିଦ୍ୱନ୍ଦ୍ୱିତାକୁ ସେତେଗୁଡ଼ାଏ ଗୁରୁତ୍ୱ ଦେଇ ପ୍ରକୃତରେ ଗ୍ରହଣ କରିପାରୁନାହିଁ (ପୃଷ୍ଠା-୯୪) । ପ୍ରଥମ ଶିଳ୍ପ ବିପ୍ଳବର କ୍ଷେତ୍ରରୁ ଉତ୍ସାହ ପାଇ ସେତେବେଳେ ପ୍ରତିଦ୍ୱନ୍ଦ୍ୱିତା ହିଁ ଯାବତୀୟ ଅଗ୍ରଗତିକୁ ସତ୍ୱରତା ଆଣିଦିଏ ବୋଲି ବିଶ୍ୱାସଟି ସାମାଜିକ ନାନା ଅନ୍ୟ କ୍ଷେତ୍ରକୁ ମଧ୍ୟ ସଂକ୍ରମିତ ହୋଇ ଯାଇଥିଲା । ଶିକ୍ଷାର ଚଳନ୍ତି ବିଚାର ଓ ବାସ୍ତବତାମାନେ ମଧ୍ୟ ସେଥିରୁ ଆଦୌ ରକ୍ଷା ପାଇନାହାନ୍ତି । ଶିକ୍ଷାର କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଶିଳୋତ୍ପାଦନର କ୍ଷେତ୍ରରେ ମଧ୍ୟ ଅଧିକ ସ୍ଫୂର୍ତ୍ତି ଆଣିଦେବ ବୋଲି ସଂପୃକ୍ତ ପରିବେଶଟା ବି ବେଶ୍ କେଡ଼େ ସହଜରେ ବିଶ୍ୱାସ କରିବାକୁ ଆରମ୍ଭ କରି ଦେଇଥିଲା ।

 

ତାହାର ଦୁଇଟି ମନ୍ଦ ଫଳ ଫଳିଲା । ସହଯୋଗିତା ତୁଳନାରେ ପ୍ରତିଦ୍ୱନ୍ଦ୍ୱିତାକୁ ଅଧିକ ସମ୍ମାନ ଓ ସ୍ୱୀକୃତି ମିଳିଥିଲା ଏବଂ ଶ୍ରେଣୀଗୃହରେ ମଧ୍ୟ ସେଇଟି ପ୍ରାୟ ସକଳ ଉଦ୍ୟମରେ ମୂଳ ନିର୍ଣ୍ଣାୟକ ହୋଇ ରହିଲା ଏବଂ ସର୍ବୋପରି ଏପରି ପ୍ରମାଦଟାଏ ଆସି ଗ୍ରାସ କରି ପକାଇଲା ଯେ ଭଲ ଓ ପ୍ରତିଭାବାନ୍ ଛାତ୍ରମାନେ ମଥାଟାର ଉତ୍କର୍ଷ ଉପରେ ପ୍ରାୟ ସବୁଯାକ ଗୁରୁତ୍ୱ ଦେବାକୁ ଲାଗିଲେ । ହୃଦୟଟା ପଛରେ ରହିଗଲା । କଳ୍ପନାଶକ୍ତିରେ ହ୍ରାସ ଘଟିଲା । ମଥାଟା ପୂରା ପ୍ରଶ୍ରୟ ଲାଭ କରି ପାଠମାନଙ୍କୁ ଗିଳି ପକାଇଲା ସିନା, କିନ୍ତୁ ବିଦ୍ୟାପ୍ରତି ଅସଲ ଶ୍ରଦ୍ଧାଟି ସତେଅବା କ୍ଷୀଣ ହିଁ ହେଲା । କେବଳ ଜଣେ ବ୍ୟକ୍ତି ହିସାବରେ ଅଧିକ ଯୋଗ୍ୟତାର ପରିଚୟ ଦେବାର ଅତିତତ୍ପରତା ପିଲାମାନଙ୍କର ସହଜ ମେଳଗୁଡ଼ିକର ବାଧକ ହେଲା । ସ୍ଵାଭାବିକ ସଂହତି ଭାବନାମାନେ ଆଉ ସେତେବେଶୀ ସୁଯୋଗ ପାଇଲେ ନାହିଁ । ଏବଂ, ଜୀବନଟିଏ ବଞ୍ଚିପାରିବାର କଳାତ୍ମକ ଅତ୍ୟାବଶ୍ୟକ ଭିତ୍ତିଗୁଡ଼ିକ ଅବହେଳିତ ହୋଇ ରହିଲେ । ଉପରେ କେତେ କ’ଣ ହାସଲ ହେବାରେ ଲାଗିଥିବା ପରି ଯେତେ ମନେ ହେଉଥିଲେ ମଧ୍ୟ ତଥାପି କ’ଣ ସବୁ ହଜି ହଜି ଯାଉଥିଲା ।

 

ମଥାଟିକୁ ସର୍ବସିଦ୍ଧିର ସାଧନରୂପେ ଗ୍ରହଣ କରି ପିଲାମାନଙ୍କୁ ପ୍ରାୟ ଏକ ଯାନ୍ତ୍ରିକ ବରାଦ ମୁତାବକ ତିଆରି ନକରି ସେମାନଙ୍କର ସମଗ୍ର ଜୀବନକୁ ଶ୍ରଦ୍ଧାସମ୍ପନ୍ନ ଭାବରେ ଗଠିତ କରି ଆଣିବାକୁ ହେଲେ ଶିକ୍ଷାରେ ମନୋବିଜ୍ଞାନ ନିମନ୍ତେ ଅବଶ୍ୟ ଏକ ସମୁଚିତ ସ୍ଥାନ ରହିବା ଉଚିତ୍, ଶିକ୍ଷାଦାନ ନାମକ କାଳରେ ଏକ ଉପଯୁକ୍ତ ତାଲିମ ଦିଆଯିବା ମଧ୍ୟ ଆବଶ୍ୟକ । ଶିକ୍ଷକମାନଙ୍କ ନିମନ୍ତେ ଏକ ଆବଶ୍ୟକ ସ୍ୱାଧୀନତା ମଧ୍ୟ ଉପଲବ୍ଧ ହୋଇପାରିବା ଉଚିତ୍ । ସାଂପ୍ରତିକ ଶିକ୍ଷାର କ୍ଷେତ୍ରରେ ସବାତଳୁ ସବା ଉପରଯାଏ ସକଳ ସ୍ତରରେ ହିଁ ସବାବଡ଼ ଗଲତିଟାଏ ହେଉଛି ଯେ ଶିକ୍ଷାର୍ଥୀମାନେ ସୁନାପୁଅ ପରି ସବୁକିଛିକୁ ମାନି ନେଉଛନ୍ତି, ପ୍ରାୟ କୌଣସି ପ୍ରଶ୍ନ କରୁନାହାନ୍ତି, ଅର୍ଥାତ୍ ନିଜେ କିଛି ହେଲେ ଖୋଜୁନାହାନ୍ତି । ଏହିପରି ଅରୀତିଗୁଡ଼ିକ ହେତୁ ସେମାନଙ୍କର ମାନସିକ ସୁସ୍ଥତା କ୍ଷତିଗ୍ରସ୍ତ ହେବାରେ ଲାଗିଛି ।

 

ପୁନଶ୍ଚ, ଶିକ୍ଷାର ପରିଚାଳନା ନିମନ୍ତେ ଯେଉଁମାନେ ଶାସନ ଭିତରେ ନିଯୁକ୍ତ ହୋଇ ରହିଛନ୍ତି, ସେମାନେ ପ୍ରାୟ ନିୟମତଃ କେହି ସ୍ଵୟଂ ଶିକ୍ଷକ ନୁହନ୍ତି । ପାଠ୍ୟକ୍ରମ ପ୍ରସ୍ତୁତ କରୁଥିବା ବିଶେଷମାନଙ୍କର ମଧ୍ୟ ବାସ୍ତବ ଶିକ୍ଷାଦାନର କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ । ଏହି ଯାବତୀୟ ପ୍ରତିକୂଳ ଅବସ୍ଥାରୁ ବାହାରି ଆସି ପାରିବାକୁ ହେଲେ ଯେଉଁ ସମାଧାନଗୁଡ଼ିକ ସବାଆଗ ସମୀଚୀନ ମନେ ହେଉଛି, ସେଥିରୁ ଗୋଟିଏ ହେଉଛି ଯେ, ପରୀକ୍ଷା ଏବଂ ପାଠମୂଲ୍ୟାୟନର ପଦ୍ଧତିରେ ବୃହତ ପରିବର୍ତ୍ତନମାନ କରିବାକୁ ହେବ । ଦ୍ଵିତୀୟତଃ, ଶିକ୍ଷାନ୍ତର୍ଗତ ବିଷୟଗୁଡ଼ିକରୁ ଏକ । ବାସ୍ତବବୁଦ୍ଧିସମ୍ପନ୍ନ ନିର୍ବାଚନ ପଦ୍ଧତି ଅନୁସରଣ କରି ବହୁତ କିଛିକୁ ବାଦ୍ ଦିଆଯିବ । ଏବଂ ବିଶେଷତଃ ଉଚ୍ଚତର ଶିକ୍ଷାର ସ୍ତରଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କର ଜିଜ୍ଞାସାର ବୃତ୍ତିଟିରେ ଅଭିବୃଦ୍ଧି ସମ୍ଭବ କରିବା ଲାଗି ଯଥେଷ୍ଟ ପରିସର ମଧ୍ୟ ସୃଷ୍ଟି କରାଯିବ । ଯାବତୀୟ ଗବେଷଣାରେ ତଥ୍ୟର ବୃହତ୍ ଗଦାଟାଏ ଆଣି ବାଢ଼ିଦେବା ଅପେକ୍ଷା ମୌଳିକ ଚିନ୍ତନ ତଥା ସ୍ୱାଧୀନ ମତଦୃଷ୍ଟିକୁ ଅଧିକ ମହତ୍ତ୍ୱ ବି ଦିଆଯିବ ।

 

ଯେଉଁ ବୟସ୍କମାନେ ଶିକ୍ଷାକ୍ଷେତ୍ରରେ ନିଷ୍ପତ୍ତିମାନ କରୁଛନ୍ତି, ସେମାନେ କେବଳ ସେହି ଖାସ୍ କ୍ଷେତ୍ରଟିରେ ହିଁ ପ୍ରତିଦ୍ୱନ୍ଦ୍ୱିତାକୁ ଯେ କ୍ଷତିକାରକ ବୋଲି ଉପଲବ୍ଧି କରିବେ ତା’ ନୁହେଁ, ପିଲାମାନଙ୍କ ଆଗରେ ତାହାକୁ ଏକ ସମଗ୍ର ଆଦର୍ଶରୂପେ ଠିଆ କରି ରଖବାକୁ ମଧ୍ୟ ନିତାନ୍ତ ଅସ୍ଵାସ୍ଥ୍ୟକର ବୋଲି ଉତ୍ତମରୂପେ ଅନୁଭବ କରୁଥିବେ । ଆମ ପୃଥିବୀ ନିମନ୍ତେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ସହଯୋଗ ତଥା ପରସ୍ପର-ନିର୍ଭରର ହିଁ ଅଧିକ ପ୍ରୟୋଜନ ରହିଛି । ପ୍ରତିଦ୍ୱନ୍ଦ୍ୱିତା ମନୁଷ୍ୟ ମନୁଷ୍ୟ ଭିତରେ ନାନା ଖଳ ବୁଦ୍ଧି ଏବଂ ଶତ୍ରୁତାକୁ ସର୍ବଦା ପ୍ରୋତ୍ସାହିତ କରି ଆଣିବାରେ ଏକ ସାଧନରୂପେ କାର୍ଯ୍ୟ କରିଥାଏ । ପ୍ରତିଦ୍ୱନ୍ଦ୍ୱିତାକୁ ମାର୍ଗରୂପେ ଗ୍ରହଣ କରି ନେଇଥିବା ବ୍ୟକ୍ତି ତଥା ସମଷ୍ଟିମାନେ ସମାଜର ଅସ୍ତିତ୍ୱକୁ ଏକ ସବାମୂଳ ଆବଶ୍ୟକତା ବୋଲି ସ୍ଵୀକାର କରନ୍ତି ନାହିଁ । କେବଳ ନୈତିକତା ଦୃଷ୍ଟିରୁ ନୁହେଁ, ପୃଥିବୀର ଅର୍ଥନୈତିକ ହିତ ଦୃଷ୍ଟିରୁ ମଧ୍ୟ ବିଦ୍ୟାଳୟର ଛାତ୍ରଗଣକୁ ପ୍ରତିଦ୍ୱନ୍ଦ୍ୱିତାର ବାଟଟାକୁ ଗ୍ରହଣ କରିବା ସକାଶେ ଆଦୌ କୌଣସି ମନ୍ତ୍ରଣା ଦେବା ଉଚିତ୍ ନୁହେଁ (ପୃଷ୍ଠା-୧୦୪) ।

 

ଶିକ୍ଷା ଏବଂ କମୁନିଷ୍ଟବାଦ

 

ଋଷିଆରେ ୧୯୧୭ର ବିପ୍ଳବ ବେଳକୁ ଅଧିକାଂଶ ଦେଶବାସୀ ନିରକ୍ଷର ଥିଲେ ଏବଂ ପ୍ରାୟ ଜନସଂଖ୍ୟାରେ ୮୦% ଥିବା କୃଷକମାନେ ଅତ୍ୟନ୍ତ ରକ୍ଷଣଶୀଳ ବି ଥିଲେ । କେବଳ ଅଭାବ ହିଁ ଅଭାବ : ଅର୍ଥ ସମ୍ବଳର ଅଭାବ, ବିଦ୍ୟାଳୟ ଲାଗି ଘର ନାହିଁ ଶିକ୍ଷକ ନାହାନ୍ତି । ତଥାପି ନୂତନ ନାନା ପ୍ରତ୍ୟାଶା ସହିତ ଉଦ୍ୟମ ଆରମ୍ଭ ହେଲା ଓ ପ୍ରଧାନ ଆଭିମୁଖ୍ୟ ଗୁଡ଼ିକ ମଧ୍ୟ କ୍ରମଶ ସ୍ପଷ୍ଟ ହୋଇ ଆସିବାରେ ଲାଗିଲା । ସେହି ପ୍ରଥମ କାଳରୁ ହି ବିଦ୍ୟାଳୟର ଯାବତୀୟ ଶିକ୍ଷାଦାନ ସର୍ବୋପରି ଏକ ନୂତନ ଆଦର୍ଶର ନକ୍‍ସାରେ ସମାଜକୁ ନବଗଠିତ କରିନେବାର ଲକ୍ଷ୍ୟଟି ସହିତ ପୂର୍ଣ୍ଣ ପ୍ରାସଙ୍ଗିକତା ରକ୍ଷା କରିବ ବୋଲି ଘୋଷିତ ହୋଇଥିଲା । କେବଳ ବହିରେ ଥିବା ପାଠ ନୁହେଁ, ପିଲାମାନେ ଶାରୀରିକ ଶ୍ରମ ମଧ୍ୟ କରିବେ ଓ ବୟସ ବଢ଼ୁଥିବା ସଙ୍ଗେ ସଙ୍ଗେ କଳକାରଖାନାର ଉତ୍ପାଦନ-ପ୍ରକ୍ରିୟାରେ ମଧ୍ୟ ସାମିଲ ହେବେ । କୃଷିକ୍ଷେତ୍ରରେ କୃଷିର ସକଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

 

ପୁଞ୍ଜିବାଦୀ ଦେଶର ଶିକ୍ଷାବ୍ୟବସ୍ଥାର କେତେ ଅଭାବର ପୂରଣ ହୋଇ ପାରିବାରେ କେତେ ଅନ୍ତର୍ଦୃଷ୍ଟି କମୁନିଷ୍ଟ ଶିକ୍ଷାକଳ୍ପନା ମଧ୍ୟରେ ଅବଶ୍ୟ ରହିଛି । କିନ୍ତୁ ସେହି ସବାଉପରୁ ଶିକ୍ଷାର ନାଡ଼ି ତଥା ନକ୍ଷତ୍ରଗୁଡ଼ିକର ନିର୍ଣ୍ଣୟ କରାଯିବାର ଯେଉଁ ପ୍ରାୟ ଅତିକଠୋର ଆଭିମୁଖ୍ୟଟି, ସେଇଟି ଯାବତୀୟ ଶିକ୍ଷାର ସବାମୂଳ ପରିମଳଟିକୁ କେତେଦୂର ଶୁଦ୍ଧ ରଖିପାରିବ କେଜାଣି ?

 

ଶିକ୍ଷା ଓ ଅର୍ଥନୀତି

 

ଏକ କ୍ଷତିକାରୀ ଆର୍ଥିକ ବ୍ୟବସ୍ଥା ଏବଂ ବାଧ୍ୟତା– ତାହାରି ଭିତରେ ଏକ ପ୍ରକୃତରେ ସୁସ୍ଥ ଦୃଷ୍ଟିସମ୍ପନ୍ନ ଶିକ୍ଷା କିପରି ଆଦୌ ସମ୍ଭବ ବା ହେବ ?–ଅନେକ ସମୟରେ ଏପରି ଏକ ଯୁକ୍ତି ଖୁବ୍ ସୁଚିନ୍ତିତ ଭାବରେ କରାଯାଇଥାଏ । ତଥାପି ଶିକ୍ଷାର କ୍ଷେତ୍ରରେ ଏପରି କିଛି ଅତ୍ୟନ୍ତ ପ୍ରଭାବଶାଳୀ ପଦକ୍ଷେପମାନ ସମ୍ଭବ ହୋଇଛି, ଯେଉଁଗୁଡ଼ିକୁ ଆମେ ସର୍ବଦା ଦୃଷ୍ଟିରେ ରଖବା । ବର୍ତ୍ତମାନ ପ୍ରାଥମିକ ସ୍ତରରେ ସବୁ ପିଲା ବିଦ୍ୟାଳୟକୁ ଆସିଲେଣି । ବାଳକ ତଥା ବାଳିକା ଉଭୟେ-। ଦ୍ୱିତୀୟତଃ ବିଜ୍ଞାନ ଓ ଶିଳୋତ୍ପାଦନର ଜଗତରେ କେତେ ନା କେତେ ପରିବର୍ତ୍ତନ ମଧ୍ୟ ହୋଇଛି-

 

କୌଣସି ରାଷ୍ଟ୍ର ଶିକ୍ଷା ବ୍ୟବସ୍ଥାରେ କେତେ ଅର୍ଥ ବ୍ୟୟ କରିବ, ସେହି କଥାଟି ତାର ଆର୍ଥିକ ସ୍ଥିତି ଉପରେ ନିଶ୍ଚୟ ନିର୍ଭରଶୀଳ ହୋଇ ରହିବ । ଶିକ୍ଷାସୁଯୋଗର ପରିସରଟି କେତେ ବୃହତ୍ ଅଥବା ଅଳପ ହେବ, ସେହି କଥାଟି ମଧ୍ୟ ଏକ ଦେଶର ସାମଗ୍ରିକ ବିତରଣ-ବ୍ୟବସ୍ଥା ମୁତାବକ ଅବଶ୍ୟ ନିର୍ଦ୍ଧାରିତ ହେବ । ସେହି ବିତରଣ ବ୍ୟବସ୍ଥା ମୁତାବକ ହିଁ ଗୋଟିଏ ଦେଶରେ ବିଭିନ୍ନ ବର୍ଗ ଓ ତେଣୁ ବର୍ଗ ଅନୁସାରେ ଶିକ୍ଷାର ସୁଯୋଗମାନ ଏବଂ ପ୍ରାୟ ସେହି ଅନୁସାରେ କେଉଁମାନେ ବାବୁ ହେବେ, ବ୍ୟବସାୟୀ ହେବେ ଏବଂ ଆଉ କେଉଁମାନେ ଶ୍ରମିକ ମଧ୍ୟ ହେବେ । ଏବଂ, ଏହିପରି ଅସମାନତା ଓ ଅରୀତିମାନ ରହିଥିବା ଯାଏ ଗୋଟିଏ ସମୂହର ଜୀବନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମାନ ବି ଲାଗି ରହିଥିବ ।

 

ସେହି ପ୍ରତିଦ୍ୱନ୍ଦ୍ୱିତାରୁ ହିଁ ଦେଶ ବାହାରେ ବଜାର ଖୋଜିବାକୁ ଯାଇ ଇଉରୋପର ବୃହତ୍ ପୁଞ୍ଜିବାଦୀ ଦେଶମାନେ ସାମ୍ରାଜ୍ୟବାଦର ଅନ୍ୟ ଯୁଗପର୍ଯ୍ୟାୟଟିକୁ ଡାକି ଆଣିଲେ । ଉପନିବେଶମାନେ ସେମାନଙ୍କର ଶୋଷଣ ବିଷୟରେ ସଚେତନ ହୋଇ ମୁକ୍ତିଲାଭ କରିବାର ସଂଗ୍ରାମମାନ ମଧ୍ୟ କଲେ । କିନ୍ତୁ, ଏପରି ହୁଏତ ଖୁବ୍‍ ସମ୍ଭବ ହେବ ଯେ, ସ୍ଵାଧୀନତା ହାସଲ କରିବା ସଙ୍ଗେ ସଙ୍ଗେ ଏକଦା ଉପପନିବେଶ ରୂପେ ଶୋଷିତ ହୋଇ ଆସିଥିବା ସେହି ନୂଆ ସମୂହମାନଙ୍କରେ ମଧ୍ୟ ସବାଉପରର ଅଧିକାରୀ ଶ୍ରେଣୀଟି ପୂର୍ବରୁ ସେହି ମାଲିକମାନଙ୍କର ମନ୍ଦ ରୀତିଗୁଡ଼ିକୁ ଅନୁକରଣ କରିବେ ଏବଂ ଆପେ ନିଜ ଦେଶର ନିମ୍ନସ୍ଥମାନଙ୍କୁ ଶୋଷଣ କରିବେ । ଏହି ହିସାବରେ ଜାତୀୟତା ନାମକ ସେହି ବିଷଚକ୍ରଟି ହୁଏତ ଲାଗି ହିଁ ରହିଥିବ । (ପୃଷ୍ଠା-୧୨୧) ଏହିସବୁ ଏକାଧିକ କାରଣରୁ ଶିକ୍ଷାରେ ମଧ୍ୟ ରକ୍ଷଣଶୀଳତା ଲାଗି ହିଁ ରହିଥିବ ଏବଂ ତାହାର ପ୍ରାୟ ଏକ ଅନିବାର୍ଯ୍ୟ ପରିମାଣ ସ୍ୱରୂପ ଏକ ଅମଲାତନ୍ତ୍ର ହିଁ ବସ୍ତୁତଃ ସବା ଉପରେ ରହିଥିଲା ପରି ସବୁକିଛି ନିୟନ୍ତ୍ରଣ କରିବ । ନିତାନ୍ତ ସହଜ କଥାଟିଏ ଯେ, ଏହି ଅମଲାତନ୍ତ୍ରୀମାନେ କେବେହେଲେ ବିଶେଷ କୌଣସି ପରିବର୍ତ୍ତନ ସକାଶେ ସେତେବେଶୀ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।

 

ତଥାପି, ଆହୁରି ଆଗକୁ ଆଶା ତଥା ଆସ୍ଥା ରଖି ଆମେ ଅବଶ୍ୟ କହିପାରିବା ଯେ ପ୍ରତିଦ୍ୱନ୍ଦ୍ୱିତାରୁ ମନୁଷ୍ୟମାନଙ୍କର ବିଶ୍ୱାସ କ୍ରମେ ତୁଟି ତୁଟି ଆସିବ ଓ ସହଯୋଗର ବିକଳ୍ପଟିକୁ ଅଧିକ ରାସ୍ତା ଛାଡ଼ି ଦିଆଯିବ । ଏହା ତ ଅଧିକ ନିର୍ଭରଯୋଗ୍ୟ ଭାବରେ ସେତେବେଳେ ହେବ, ଯେତେବେଳେ ଏବର ଅର୍ଥନୈତିକ ରୀତିଟି ସଂପୂର୍ଣ୍ଣ ଭାବରେ ବଦଳି ଯାଇ ପାରିବ ।

 

ଶିକ୍ଷା ଓ ନିଜପ୍ରଚାର

 

ନାନା ଭଳି ଯୁକ୍ତି ଦେଖାଇ ଅନ୍ୟମାନଙ୍କୁ ନିଜ ସଂଘର୍ଷକୁ ଚଢ଼ାଇ ଆଣିବା ନିମନ୍ତେ ଏକ ରାଜନୀତିକ ଦଳର ପ୍ରୟାସ, ଆମେ ତାହାକୁ ହିଁ ପ୍ରୋପାଗାଣ୍ଡା ଅର୍ଥାତ୍ ନିଜପ୍ରଚାର ବୋଲି ବୁଝିବା । ଏକ ଖାସ୍‌ ଉଦ୍ଦେଶ୍ୟ ରଖି ପ୍ରଚାର । କେତେବେଳେ ନିଜର ପ୍ରଶସ୍ତି ଦ୍ଵାରା ଏବଂ ଆଉ କେତେବେଳେ ଅପର ପକ୍ଷଟାର ଭର୍ତ୍ସନା ଦ୍ଵାରା । ସେହି ଆଭିମୁଖ୍ୟକୁ ଗଣ୍ଠି କରି ଗୋଟିଏ ଜାତି ବା ଦେଶର ଇତିହାସ ମଧ୍ୟ ଲେଖା ଯାଇପାରିବ ।

 

ଯାବତୀୟ ଶିକ୍ଷା-କାର୍ଯ୍ୟକ୍ରମରେ ଅଳ୍ପ ବହୁତ ସେହି ପ୍ରୋପାଗାଣ୍ଡା ଅବଶ୍ୟ ଥାଏ । ବୟସ୍କ ଶିକ୍ଷକ ଜଣେ ଯେତେ ମନ ନକରୁଥିଲେ ମଧ୍ୟ ଆପଣାର ଘୃଣା ଓ ପ୍ରଶଂସାଗୁଡ଼ିକୁ ପ୍ରକାଶ କରି ଦେଉଥାଏ ଏବଂ ସାନମାନେ ତଦ୍ଦ୍ୱାରା ବେଶ୍ ପ୍ରଭାବିତ ବି ହୁଅନ୍ତି । ଆଧୁନିକ କାଳରେ ଏହି ପ୍ରବୃତ୍ତିଟି ସମ୍ଭବତଃ ଆମ ଶିକ୍ଷାରେ ଅଧିକ ପରିମାଣରେ ପଶିଯାଇଛି । ଅଧିକାଂଶ ପିଲା ଆପେ ଯେଉଁ ଧର୍ମରେ ଜନ୍ମ ହୋଇଛନ୍ତି ଓ ନିଜ ସ୍କୁଲରେ ନିଜ ଦେଶକୁ ନେଇ ଗର୍ବ କରିବାରେ ଯେଉଁ ଖୋରାକ ସବୁ ପାଇଥାନ୍ତି, ସେମାନେ ସେହି ଅନୁସାରେ ଖୁବ୍ ପ୍ରେରଣା ଲାଭ କରନ୍ତି । ସେମାନଙ୍କର ଜୀବନରେ ତଥାକଥିତ ନୈତିକତା ତଥା ଅନ୍ୟାନ୍ୟ ଶ୍ରେୟ ସମ୍ପର୍କୀୟ ଧାରଣା ମଧ୍ୟ ଅନୁରୂପ ଭାବରେ ଦାନା ବାନ୍ଧି ରହିଯାଇଥାଏ ।

 

ଏବଂ କହିବା ବାହୁଲ୍ୟ ସର୍ବବିଧ ପ୍ରୋପାଗାଣ୍ଡାରେ ମନୁଷ୍ୟ ଭିତରେ ରହିଥିବା ଭଳି ଭଳି ଭାବପ୍ରବଣତା ଗୁଡ଼ିକୁ ହିଁ ମୁଖ୍ୟତଃ ଉଦ୍ରେକ କରି ଆଣିବାର ଚେଷ୍ଟା କରାଯାଏ, ସଭ୍ୟ ମନୁଷ୍ୟଗଣଙ୍କ ଭିତରେ ଏକାଧିକ ଅସନ୍ତୋଷ ହେତୁ ବହୁତ କିଛି ଆଦିମତା ସଚରାଚର ଚାପି ହୋଇ ରହିଥାଏ ଓ ପ୍ରୋପାଗାଣ୍ଡାରେ ତାହାରି ସୁଯୋଗ ହିଁ ନିଆଯାଏ । ବିଶେଷତଃ ଯୁଦ୍ଧ ସମୟରେ ତଥା ଧର୍ମସଂକ୍ରାନ୍ତୀୟ ନାନା ସଂବେଦନଶୀଳତାକୁ ଉତ୍ତେଜିତ କରି ଆଣିବାରେ ରାଷ୍ଟ୍ରସତ୍ତାମାନେ ପ୍ରାୟ ସଂପୂର୍ଣ୍ଣ ଅଭ୍ୟସ୍ତ ଭାବରେ ପ୍ରୋପାଗାଣ୍ଡା ନିମନ୍ତେ ଆବଶ୍ୟକ ସୁଯୋଗଗୁଡ଼ିକୁ ପାଇଯାଆନ୍ତି ।

 

ପ୍ରୋପାଗାଣ୍ଡାର ଗୋଟିଏ ଖାସ୍ କୁପରିଣାମ ହେଉଛି ଯେ, ସେଥିରେ ବିଚାର ଏବଂ ବିଚାରର ଦ୍ଵାରଟିକୁ ବେଶ୍ କୁଶଳତା ସହିତ ବନ୍ଦ କରି ରଖି ଦିଆଯାଏ । ଆଦୌ କୌଣସି ଆଲୋଚନାର ଅବକାଶ ନଥାଏ । ସାଧାରଣ ସମୟ ମାନଙ୍କରେ କେଡ଼େ ସ୍ଵର ମିଜାଜରେ ରହିଥିବା ପରି ମନେ ହେଉଥିବା ବହୁତ ମନୁଷ୍ୟ ଯୁଦ୍ଧ ଓ ଧର୍ମସଂକଟ ଭଳି ବିଶେଷ ସମୟଗୁଡ଼ିକରେ କେଡ଼େ ଆଖିବୁଜା ଭାବରେ ଭାବପ୍ରବଣ ନହୋଇ ଯାଆନ୍ତି ? ପ୍ରୋପାଗାଣ୍ଡାରେ ବସ୍ତୁତଃ ସେମାନଙ୍କର ସେହି ଅବକାଶମାନଙ୍କର ହିଁ ସତେଅବା ପୂର୍ଣ୍ଣ ସଦୁପଯୋଗ କରାଯାଏ । ଆମ ସ୍କୁଲର ପିଲାମାନଙ୍କୁ ଏହିପରି ଦୁର୍ଗତିରୁ ତଥାପି ଯଥାସମ୍ଭବ ସୁରକ୍ଷିତ କରି ରଖିବାକୁ ସମ୍ଭବତଃ, ଉତ୍ତମ ଉପାୟ ହେଉଛି ଯେ ସେମାନେ ଏକାଧିକ ଦୃଷ୍ଟିରୁ କୌଣସି ଗୋଟିଏ ବିଷୟରେ ବିଭିନ୍ନ ବକ୍ତାଙ୍କ ଠାରୁ ଶୁଣିବାର ସୁଯୋଗ ପାଇବେ ଏବଂ ସେଗୁଡ଼ିକୁ ଭିତ୍ତି କରି ଆପଣାର ନିଜର ମତଟିଏ ମଧ୍ୟ ସୁବିବେଚିତ ଭାବରେ ଗଠିତ କରି ଆଣୁଥିବେ ।

 

ଯେପରି ଉପାୟରେ ହେଉ ପଛକେ, ଆମର ଏହି ପୃଥିବୀକୁ ସବାଆଗ ଅବଶ୍ୟ ହୃଦୟଙ୍ଗମ କରିବାକୁ ହେବ ଯେ, କୌଣସି ଗୋଟିଏ ବାଦ, ଆଦର୍ଶ ତଥା ଧର୍ମମାର୍ଗ ଦ୍ଵାରା ପୃଥିବୀର ଉଦ୍ଧାର ହୋଇ ପାରିବ ନାହିଁ । ତେଣୁ, ସେହି ଅନୁସାରେ ଶିକ୍ଷାରେ ଏକ ଅନେକାନ୍ତବାଦୀ ଆବେଦନ ସବାଆଗ ଅବଶ୍ୟ ରହିବ । ପିଲାମାନେ ସକଳ ପ୍ରକାର ବିବିଧତା ପାଇଁ ଉନ୍ମୋଚିତ ରହିବେ, ଗ୍ରହଣଶୀଳ ହେବେ, ଭବିଷ୍ୟତରେ ସୁସ୍ଥ ଦୃଷ୍ଟିଟିଏ ଦ୍ଵାରା ପରିଚାଳିତ ହୋଇ ପାରିବା ଲାଗି ସେମାନେ ଏହି ବିଦ୍ୟାଳୟର ଅବସ୍ଥାରୁ ହିଁ ବିଚାରଶୀଳ ହୋଇ ଶିଖିବେ । ଅନ୍ୟମାନଙ୍କର ବିଚାର ଅବଶ୍ୟ ରହିଛି ବୋଲି ଅନୁଭବ କରିବେ । ଏବଂ ଯେଉଁ ରାଷ୍ଟ୍ରମାନେ ଶିକ୍ଷାକୁ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା ନାନା କ୍ଷମତାର ସୁଯୋଗ ନେଇ ଶିକ୍ଷାକୁ ସତେଅବା ନିଜ ରାଜନୀତିକ ସ୍ଵପ୍ରଚାରର ଅଂଶ ଭଳି ଦେଖୁଛନ୍ତି, ସେମାନେ ମଧ୍ୟ ଏଇଟିକୁ ସର୍ବଦା ସ୍ମରଣରେ ଅବଶ୍ୟ ରଖିବେ । (ପୃଷ୍ଠା-୧୩୬)

 

ବ୍ୟକ୍ତିର ବ୍ୟକ୍ତିବୋଧ ଓ ତା’ର ନାଗରିକତ୍ଵ : ଏକ ସମନ୍ଵୟ

 

ବହିଟିର ଆରମ୍ଭରେ ହିଁ ପ୍ରଶ୍ନଟିର ପ୍ରାୟ ଏହିପରି ଭାବରେ ଉତ୍ଥାପନ କରାଯାଇଥିଲା: ଏପରି ଗୋଟିଏ ସ୍ଥିତି ବାସ୍ତବରେ ସମ୍ଭବ କି, ଯେଉଁଥିରେ ଏକ ବ୍ୟକ୍ତିଜୀବନର ପୂର୍ଣ୍ଣତମ ବିକାଶ ହୋଇପାରୁଥିବ ଏବଂ ତା’ସହିତ ସମାଜରେ ମଧ୍ୟ ପୂର୍ଣ୍ଣ ସଂହତି ସମ୍ଭବ ହେଉଥିବ ? ସେହି କ୍ରମରେ ପୁସ୍ତକଟିର ବିଭିନ୍ନ ଅଧ୍ୟାୟରେ ଶିକ୍ଷାର ବ୍ୟବସ୍ଥା ଉପରେ ରାଜନୀତି ଓ ଅର୍ଥନୀତି ଆଦିର ପ୍ରଭାବଗୁଡ଼ିକର ମଧ୍ୟ ଆଲୋଚନା କରାଯାଇଛି । ସେହି କ୍ଷେତ୍ରର ବହୁ ପ୍ରତିକୂଳତା ହେତୁ ଆମ ପିଲାମାନଙ୍କର ବହୁବିଧ କ୍ଷତି ହୋଇ ଆସିଛି ଏବଂ ହେଉଛି । କିନ୍ତୁ, ଏପରି ହେବା କ’ଣ ପ୍ରକୃତରେ ଅବଶ୍ୟମ୍ଭାବୀ ? ନା, କେବଳ ଆମର ସାଂପ୍ରତିକ କେତେକ କାରଣବଶତଃ ତାହା ହେଉଛି ? ଏବଂ ଉଚିତ୍ ପ୍ରତିକାରଗୁଡ଼ିକ ସମ୍ଭବ ହେଲେ ବ୍ୟକ୍ତିଜୀବନର ଯଥାର୍ଥ ବିକାଶ ଓ ଜଣେ ଜଣେ ନାଗରିକର ପରିଚୟରେ ଆମର ଭୂମିକାମାନ– ଉଭୟ ମଧ୍ୟରେ ଅଧିକ କିଛି ସମନ୍ୱୟ ସମ୍ଭବ ବୋଲି ଆଶା ବି କରିହେବ କି ?

 

ରାଜନୀତି ଆଡ଼ୁ ଶିକ୍ଷାବ୍ୟବସ୍ଥା ଦୁଇଭଳି ଯାତନା ଭୋଗ କରୁଛି; ସମାଜରେ ଏପରି କିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ରହିଛନ୍ତି ଯେଉଁମାନେ ସବାଆଗ ସମଗ୍ର ମାନବଜୀବନର କଲ୍ୟାଣକୁ ନଦେଖି କେବଳ ଆପଣାର ଖାସ୍ ସ୍ଵାର୍ଥଗୁଡ଼ାକୁ ଦେଖୁଛନ୍ତି । ଦ୍ଵିତୀୟତଃ, ଅଧିକାଂଶ ମନୁଷ୍ୟ ପ୍ରାୟ ସକଳ ଅବସରରେ ପଲଟାର ଅନୁକରଣ କରି ତାହାରି ଭିତରେ ଯାଇ ମିଶିଯିବାକୁ ଅତିରିକ୍ତ ଉତ୍ସାହ ଦେଖାଇବାରେ ଲାଗିଛନ୍ତି । ଅମଲାତନ୍ତ୍ର ଗୁଡ଼ିକର ପଦାଙ୍କମାନ ଅନୁସରଣ କରିବାରେ ଲାଗିଛନ୍ତି । ଶିକ୍ଷାନୀତିର ଚଳନ୍ତି ମତଲବଟା ସର୍ବତ୍ର ନିଜର ରାଷ୍ଟ୍ର, ନିଜର ଧର୍ମ, ପୁରୁଷବର୍ଗ ଓ ଧନାଢ଼୍ୟମାନଙ୍କ ଆଡ଼କୁ ବେଶ୍ ଢଳି କରି ରହିଛି । ପରିଣାମରେ ଆମ ସାମୂହିକ ଜୀବନରେ ଧର୍ମ ଧର୍ମ, ଶ୍ରେଣୀ ଶ୍ରେଣୀ ତଥା ଜାତି ଜାତି ଭିତରେ ଲାଗିଥିବା ସଂଗ୍ରାମରେ ଶିକ୍ଷା ବି ଏକ ସାଧନରୂପେ ବ୍ୟବହୃତ ହେବାରେ ଲାଗିଛି । ଭାବିବା ଏବଂ କହିବା ତ, ଏପରି ଗୋଟିଏ ସମୟ ସତକୁ ସତ ଆସିବ ଯେତେବେଳେ ରାଷ୍ଟ୍ର ଶିକ୍ଷାର ଯାବତୀୟ ନିଷ୍ପତ୍ତିରେ ପିଲାମାନଙ୍କୁ ହିଁ ଆଗ ଦେଖିବ ଏବଂ ସେହିମାନଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ଯାହାକିଛି କରିବ ।

 

ଏଥିଲାଗି ସବୁଠାରୁ ଅଧୁକ ଜରୁରୀ ପଦକ୍ଷେପ ହେଉଛି ଯେ ରାଷ୍ଟ୍ରମାନେ ଆଉ କୌଣସି କାରଣରୁ ମଧ୍ୟ ନିଜ ଭିତରେ ବଡ଼ ବଡ଼ ଯୁଦ୍ଧ ଲଗାଇବାକୁ ମନ କରିବେ ନାହିଁ । ଏବଂ ମାତ୍ର ଏତିକି କ’ଣ ଏକ ସହଜ କଥା ! ଦ୍ଵିତୀୟତଃ, ନିଜର ଜାତି, ଦେଶ, ଧର୍ମ ଓ ଆଦେଶଗୁଡ଼ିକରେ ଲାଖି ରହି ପୃଥିବୀର କୋଟି କୋଟି ମନୁଷ୍ୟ ଯେଉଁସବୁ ଅନ୍ଧବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଛନ୍ତି, ସେଗୁଡ଼ିକୁ ବର୍ଜନ କରିବାକୁ ହେବ । ଏବଂ ରାଷ୍ଟ୍ରମାନେ ସେହି ପ୍ରକ୍ରିୟାରେ ସାଧାରଣ ଜନଗଣଙ୍କୁ ପ୍ରକୃତରେ ସାହାଯ୍ୟ କରିବେ । ଏବଂ ତା’ପରେ ସମ୍ଭବତଃ ସବୁଠାରୁ ଅଧିକ କଷ୍ଟକର କଥାଟି-ମନୁଷ୍ୟମାନେ ନାନା ନିର୍ବୋଧ ଅନୁକରଣର ଆଶ୍ରୟ ନେଇ ଆଦୌ ସମସ୍ତଙ୍କ ପରି ହେବାକୁ ଓ ଦେଖାଯିବାକୁ ଚେଷ୍ଟା କରିବେ ନାହିଁ ଏବଂ କ୍ଷମତାସ୍ଥାନମାନେ ମଧ୍ୟ ସମସ୍ତଙ୍କୁ ଯେକୌଣସି ପ୍ରକାରେ ଏକ ଏକରୂପତା ଦ୍ଵାରା ବାନ୍ଧି ରଖିବାର ଧୃଷ୍ଟତା କରିବେ ନାହିଁ । ବହୁସ୍ଥଳରେ ଜଣେ ଜଣେ ଶିକ୍ଷକ ମଧ୍ୟ ଶିକ୍ଷାଦାନର ଆଳରେ ପିଲାମାନଙ୍କୁ ପ୍ରଧାନତଃ ସତେଅବା ଜଣେ ଶାସକର ଆଖିରେ ଦେଖିବାକୁ ଭଲ ପାଆନ୍ତି ଏବଂ ତେଣୁ ସେମାନଙ୍କୁ ଆପଣାର କୌଣସି ଏକ ଖିଆଲରେ ପ୍ରାୟ ଗୋଟିଏ ପ୍ରକାରେ ଗଢ଼ି ଆଣିବାରେ ଆଗ୍ରହୀ ହୁଅନ୍ତି ।

 

ଅର୍ଥାତ୍ ଶିକ୍ଷା ନ୍ୟାୟତଃ ଯଥା ସମ୍ଭବ ସ୍ଥାନୀୟ ହେବ, ସ୍ଥାନୀୟ ବିଭିନ୍ନତା ଗୁଡ଼ିକୁ ଉତ୍ସାହିତ ମଧ୍ୟ କରି ପାରୁଥବ । ପୃଥିବୀରେ ମହାଯୁଦ୍ଧମାନେ ଲାଗିବା ଫଳରେ ପୃଥିବୀଟା ସତେଅବା ଏକାବେଳକେ ମଥା ହରାଇ ପକାଇଛି । ସହଯୋଗ ତୁଳନାରେ ତୁଚ୍ଛା ପ୍ରତିଦ୍ୱନ୍ଦ୍ୱିତାମାନଙ୍କୁ ହିଁ କେତେ ଉତ୍ସାହରେ ବାଟ ଛାଡ଼ି ଦିଆଯାଉଛି । ମନୁଷ୍ୟମାନଙ୍କର ଜୀବନର ସୁଖନାମକ ସେହି ସମଗ୍ର ଓ ସହଜ ଅନୁଭବଟିକୁ ବହୁ ଯୋଜନା କରି ସତେଅବା ଲୁଟି ନିଆଯାଉଛି । ପିଲାମାନଙ୍କୁ ଶିକ୍ଷାର ଏକ ଅଙ୍ଗରୂପେ ଜାତୀୟତାବାଦର ମନ୍ତ୍ରଣାମାନ ଦିଆଯାଇ ଅନ୍ୟ ମନୁଷ୍ୟମାନଙ୍କୁ ହତ୍ୟା କରିବାର ପାଷଣ୍ଡତାମାନଙ୍କ ନିମନ୍ତେ ମଣ କରି ନିଆଯାଉଛି । ବର୍ଗସ୍ଵାର୍ଥ ନାଆଁରେ କେତେ କେତେ ଅନ୍ୟାୟକୁ ମୁହାଁସ ବି ଦିଆହେଉଛି । ମନୁଷ୍ୟମାନେ ସତେଅବା ଅଧିକରୁ ଅଧିକ ନିର୍ମମ ହୁଅନ୍ତୁ ବୋଲି ପ୍ରୋତ୍ସାହନ ଦିଆ ଯାଉଛି କି ! ତେଣୁ ଅସଲ ସୁଖମାନେ ସୁଦୂରପରାହତ ହୋଇ ରହିଛନ୍ତି । ମନୁଷ୍ୟମାନଙ୍କର ବିବେକରେ କୌଣସି ଭାରସାମ୍ୟ ହିଁ ନାହିଁ । ନିରାଶ ହୋଇ ହାତରୁ ରଜ୍ଜୁମାନଙ୍କୁ ଛାଡ଼ି ଦେବାର ତେଣୁ ବହୁତ କାରଣ ରହିଛି । ମାତ୍ର ଆମେ ତଥାପି ନିରାଶ ହେବା ନାହିଁ । ସୁଖର ସାଧନମାନ ସତେଅବା ହାତପାଆନ୍ତାରେ ଜମା ହୋଇ ରହିଛି । ମନୁଷସମାଜ ଖାଲି ସତକୁ ସତ ମନ କରିପାରିଲେ ହେଲା ! (ପୃଷ୍ଠା–୧୪୬)

 

ଶ୍ରୀ ଚିତ୍ତରଞ୍ଜନ ଦାସ

☆☆☆

 

ଜୀବନର ତାତ୍ପର୍ଯ୍ୟ ଏବଂ ଶିକ୍ଷା

 

Education and the Significance of Life

 

ଲେଖକ: ଜେ, କୃଷ୍ଣମୂର୍ତ୍ତୀ

 

Krishnamurti Foundation, India, Chennai, 2002

 

(ପ୍ରଥମ ପ୍ରକାଶନ ୧୯୫୩)

 

ପୃଷ୍ଠା ସଂଖ୍ୟା–୧୨୮

 

J. Krishnamurty ବା ଜିଡୁ କୃଷ୍ଣମୂର୍ତ୍ତୀ– (ମଇ, ୧୧, ୧୮୯୫ ଫେବୃଆରୀ୧୭, ୧୯୮୬)

 

ଜନ୍ମସ୍ଥାନ ଆନ୍ଧ୍ର ରାଜ୍ୟର ମଦନା ପଲ୍ଲୀଠାରେ । ବାପା ଜିଡୁ ନାରାୟଣାୟା ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟରୁ ବି.ଏ ପାସ୍ କରିବା ପରେ ବ୍ରିଟିଶ ସରକାରଙ୍କର ରାଜସ୍ଵ ବିଭାଗରେ ଜଣେ କର୍ମଚାରୀ ଥିଲେ ଏବଂ ପଦୋନ୍ନତି ଲାଭକରି କ୍ରମେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟ୍ ହୋଇଥିଲେ । କୃଷ୍ଣମୂର୍ତ୍ତୀ ଭାଇଭଉଣୀ ସମସ୍ତେ ମିଶି ଏଗାର ଜଣ । ଅବଶ୍ୟ ପାଞ୍ଚଟି ପିଲାଙ୍କର ସେହି ସାନ ବୟସରେ ହିଁ କାଳ ହୋଇଯାଇଥିଲା । କଡ଼ାକଡ଼ି ଗୋଟିଏ ପୂର୍ଣ୍ଣ ନିରାମିଷାଶୀ ପରିବାର– ଏପରିକି ଅଣ୍ଡାର ପ୍ରବେଶ ମଧ୍ୟ ନଥିଲା ।

 

ମାଆଙ୍କର ଅଷ୍ଟମ ଗର୍ଭରୁ ଜାତ ହୋଇଥିଲେ ବୋଲି ଶ୍ରୀକୃଷ୍ଣଙ୍କ ଅନୁସାରେ ତାଙ୍କର ନାମକରଣ ହୋଇଥିଲା । ମାଆଙ୍କ ନାଆଁ ଜିଡୁ ସଂଜୀବାମ୍ମା ଏବଂ କୃଷ୍ଣମୂର୍ତ୍ତୀଙ୍କୁ ଦଶବର୍ଷ ହୋଇଥିବା ସମୟରେ ସେ ଇହଲୀଳା ସମ୍ବରଣ କରିଥିଲେ । ଚେନ୍ନାଇରେ ଥିବା ଥିଓସୋଫିକାଲ ସୋସାଇଟିର ଜଣେ ବ୍ରିଟିଶ ସଦସ୍ୟ C.W ଲୀଡ୍‍ବିଟ୍‍ର ୧୯୦୯ ମସିହାରେ କୃଷ୍ଣମୂର୍ତ୍ତୀଙ୍କୁ ସହରର ସମୁଦ୍ରକୂଳରେ ଭେଟିବାକୁ ପାଇଥିଲେ ଏବଂ ତାଙ୍କର ଏକ ବିଶେଷ ଦୀପ୍ତିଯୁକ୍ତ ମୁଖମଣ୍ଡଳରୁ କ’ଣ ସବୁ ଆଭାସ ପାଇ ତାକୁ ଆପଣାର ତତ୍ତ୍ୱାବଧାନରେ ସୋସାଇଟିର ବେଢ଼ା ଭିତରକୁ ଆଣି ପାଳନ କରିଥିଲେ । ସେତେବେଳେ ଶ୍ରୀମତୀ ଆନି ବେସାନ୍ତ ଥିଓସୋଫିକାଲ ସଂଗଠନର ସର୍ବମୁଖ୍ୟା ହୋଇ ରହିଥିଲେ ।

 

କୃଷ୍ଣମୂର୍ତ୍ତୀ ହିଁ ବେସାନ୍ତଙ୍କ ଅନ୍ତେ ସୋସାଇଟିର ମୁଖ୍ୟ ବୋଲି ପ୍ରଚାରିତ ହେଲେ ଏବଂ ସେହି ସଂଗଠନର ସଂପୃକ୍ତ ସମସ୍ତେ ତାଙ୍କୁ ଭାବୀ ବିଶ୍ୱ-ଗୁରୁର ଏକ ନିର୍ଦ୍ଦିଷ୍ଟ ମହିମା ସହିତ ସ୍ଵୀକୃତି ମଧ୍ୟ ପ୍ରଦାନ କରିଥିଲେ । ମାତ୍ର, ତା’ପରେ କୃଷ୍ଣମୂର୍ତ୍ତୀଙ୍କ ଜୀବନରେ ଏପରି କିଛି ଉପଲବ୍ଧି ଘଟିଲା, ଯାହାଦ୍ୱାରା ପ୍ରେରିତ ହୋଇ ସେ ସେହି ସ୍ଵୀକୃତିଟି ମଧ୍ୟରୁ ଆପଣାକୁ ମୁକ୍ତ କରି ନେଇଥିଲେ । ୧୯୨୯ ମସିହା ଅଗଷ୍ଟ ମାସରେ ଅନୁଗାମୀବର୍ଗଙ୍କୁ ଅତ୍ୟନ୍ତ ଚକିତ କରି ସେ ଏକ ବିବୃତିରେ କହିଥିଲେ, ‘‘ସତ୍ୟ ହେଉଛି ଏପରି ଏକ ଭୂମି ଯେଉଁଠାକୁ କି ଆଗରୁ ମୋଟେ କୌଣସି ପଥ ତିଆରି ହୋଇ ରହିନାହିଁ । କୌଣସି ବିଶେଷ ଧର୍ମ ଅଥବା ପନ୍ଥାଦ୍ଵାରା ସେଠାରେ ଯାଇ ପହଞ୍ଚିବା ଆଦୌ ସମ୍ଭବ ନୁହେଁ । ତେଣୁ ସତ୍ୟକୁ ନେଇ କୌଣସି ବିଶେଷ ଶୈଳୀ ଅଥବା ସଂସ୍କାରମାନ ବ୍ୟବହାର କରି ମାର୍ଗଟିଏ କଦାପି ଗଠନ କରାଯାଇ ପାରିବନାହିଁ । ହଁ, ମନୁଷ୍ୟମାନେ ଆଗ୍ରହ କଲେ ପରସ୍ପରର ବନ୍ଧୁ ହୋଇ ସେହି ଅନ୍ଵେଷଣର ପଥରେ ଅବଶ୍ୟ ଅଗ୍ରସର ହୋଇ ପାରିବେ ।”

 

ଏହାପରେ କୃଷ୍ଣମୂର୍ତ୍ତୀ କେବଳ ଆଳାପ ଛଳରେ ଯାହାକିଛି କହିବାର ମାଧ୍ୟମରେ ହିଁ ପୃଥିବୀର ନାନା ସ୍ଥାନରେ ଅନ୍ୟମାନଙ୍କୁ ପ୍ରେରଣା ଦେଇଛନ୍ତି । ଅବଶ୍ୟ ମୁଖ୍ୟତଃ ଭାରତ, ଇଂଲଣ୍ଡ ଓ ଯୁକ୍ତରାଜ୍ୟ ଆମେରିକାରେ । ସେହି ପ୍ରବଚନଗୁଡ଼ିକୁ ସଂକଳିତ ରୂପ ଦେଇ ବହୁ ସଂଖ୍ୟକ ପୁସ୍ତକ ପ୍ରକାଶିତ ହୋଇଛି । ବହୁସଂଖ୍ୟକଙ୍କୁ ଉଦ୍‌ବୁଦ୍ଧ କରୁଛି । ତାଙ୍କଦ୍ଵାରା ରଚିତ କେତୋଟି ପୁସ୍ତକ ହେଉଛନ୍ତି; Life in Freedom (1928), Education and the Signifance of Life (1953), The First and Last Freedom (1954), Commentaries on Living 3 Volumes(1956-60), Life Ahead, On Learning and the Search for Meaning(1958), Freedom from the Known (1969), You are the World (1972), The Awakening of Intelligence (1973), Beyond Violence (1973), Truth and Actuality (1977), Krishnamurti on Education (1977), The Wholeness of Life (1978), The Ending of Time (1985), The Future of Humanity (1986), The Furture is Now (1989), Meeting Life (1991), Total Freedom (1996) ଇତ୍ୟାଦି ।

 

ଶିକ୍ଷା ଓ ଜୀବନର ତାତ୍ପର୍ଯ୍ୟ

 

ଆମ ପୃଥିବୀର ଯେଉଁ ଆଡ଼େ ଯେଉଁ ଦେଶକୁ ଯିବା ପଛକେ, ମନୁଷ୍ୟମାନଙ୍କର ସ୍ଵଭାବ କିଭଳି କ୍ରମେ ଏକାଭଳି ହୋଇ ଆସୁଛି, ସେହି କଥାଟିକୁ ହିଁ ଦେଖିବାକୁ ପାଇବା । ବିଶେଷ କରି ତରୁଣ ଅଧ୍ୟୟନରତମାନଙ୍କ ଭିତରେ । ସେମାନେ ସବାଆଗ ନିରାପତ୍ତା ଚାହୁଁଛନ୍ତି, ଜଣେ ଜଣେ ଖାସ୍ ମହତ୍ତ୍ଵର ମନୁଷ୍ୟରୂପେ ସ୍ୱୀକାର ଲାଭ କରିବାକୁ ଖୁବ୍ ଇଚ୍ଛା କରୁଛନ୍ତି ଅଥବା ଏପରି ହୁଏତ ଉଦ୍ୟମମାନ ବି କରୁଛନ୍ତି, ଯାହାଫଳରେ ସେମାନେ ବେଶ୍ ସୁଖରେ ହିଁ ଜୀବନକୁ ବଞ୍ଚିପାରିବେ ଓ ସେମାନଙ୍କୁ ସେଥିପାଇଁ ଯଥାସମ୍ଭବ କମ୍ ଚିନ୍ତା କରିବାକୁ ପଡ଼ୁଥିବ । ପାରମ୍ପରିକ ଶିକ୍ଷା ଆଉ ସ୍ୱାଧୀନ ଭାବରେ କିଛି ଚିନ୍ତା କରିବାଲାଗି ବିଶେଷ ସୁଯୋଗ ଦେଉନାହିଁ । ହଁ, ପ୍ରାୟ ସମସ୍ତେ ଖାପ ଖାଇ ରହିଯିବାକୁ ଉଚିତ ବିଚାରିଲେଣି ଏବଂ ତେଣୁ ଭାରି ମାମୁଲି ହୋଇ ଯାଉଛନ୍ତି । ଆଉମାନଙ୍କ ଠାରୁ ଅଲଗା ପ୍ରକାରର ହେବା କିମ୍ବା ପରିବେଶ ସହିତ ଲଢ଼ିବା,–ଆମେ ସଫଳତାକୁ ସବୁଠାରୁ ବଡ଼ କଥା ବୋଲି ଭାବୁଥିବା ଯାଏ,–ଏସବୁ ଅତ୍ୟନ୍ତ କଷ୍ଟକର ହୋଇ ରହିଥାଏ । ଭୟ ବଢ଼ୁଛି, ସହଜତା ବୋଲି କିଛି ରହି ପାରୁନାହିଁ,–ତେଣୁ ବୁଦ୍ଧିର ସହିତ ଆଦୌ କିଛି ହେଲେ ବିଚାର କରି ହେଉନାହିଁ ।

 

ଏହି ଭୟ, ଏହି ଖାପ ଖାଇବା ଓ ନିର୍ଦ୍ଵନ୍ଦ୍ୱ ହୋଇ ଜୀବନ କାଟିବା– ପରିଣାମରେ କିଛି ନୂଆ କରି ହେବା ଓ କରିବାର ଆଗ୍ରହଗୁଡ଼ିକୁ ମାରି ଦେଉଛି । ଯାହା ଅଛି ଓ ଏକ ଅନ୍ୟ ଭଳି ଜୀବନ ନିମନ୍ତେ ଅନ୍ତରାୟ ହୋଇ ରହିଛି, ସେଗୁଡ଼ିକର ବିରୋଧ କରିବାକୁ ଅବଶ୍ୟ ଖୁବ୍ ଅଳ୍ପ ସଂଖ୍ୟକଙ୍କର କୌଣସି ସାହସ ହେଉଛି । ବିରୋଧ ବା ବିଦ୍ରୋହ ତ ଦୁଇ ପ୍ରକାରର: କେବଳ ହିଂସାଦ୍ୱାରା ପ୍ରେରିତ ହୋଇ– କେବଳ ଏକ ପ୍ରତିକ୍ରିୟା, ଆଦୌ କିଛି ହେଲେ ନବୁଝି । ଆରଟି ହେଉଛି ବୁଦ୍ଧିର ସହିତ, ସଂପୂର୍ଣ୍ଣ ଭାବରେ ଭିତରୁ ପ୍ରେରିତ ହୋଇ । ପ୍ରଥମ ବିଦ୍ରୋହଟି ଦ୍ଵାରା ଗୋଟିଏ ଜାଲରୁ ମୁକ୍ତ ହୋଇ ସଚରାଚର ଆଉ ଗୋଟିଏ ଜାଲରେ ଯାଇ ପଡ଼ିଯିବାକୁ ହୋଇଥାଏ-। ଗୋଟିଏ ଗୁଳାରୁ ବାହାରି ଆଉ ଗୋଟିଏ ଗୁଳାରେ । ଦ୍ଵିତୀୟ ବିଦ୍ରୋହଟି ଆତ୍ମଜ୍ଞାନ ଦ୍ଵାରା ପ୍ରେରିତ ହୋଇ, ପୂର୍ଣ୍ଣ ସଚେତନତା ସହିତ । ଏକ ଜାଗୃତ ଅନ୍ତବୋଧର ପ୍ରେରଣା ଦ୍ଵାରା-। ସତବାଟ ସେଇଟି ହିଁ ଦର୍ଶାଏ ।

 

ପୁନଶ୍ଚ, ଜୀବନର ତାତ୍ପର୍ଯ୍ୟ କହିଲେ ଆମେ ପ୍ରକୃତରେ କ’ଣ ବୁଝିବା ? ସତକୁ ସତ କ’ଣ ପାଇବାର ଇଚ୍ଛା ରଖ୍ ଆମେ ଜୀବନରେ ଏହି ଭଳି ଭଳି ସଂଘର୍ଷ କରିବାରେ ଲାଗିଛୁ ? ହଁ, କିଛି ବିଶେଷ ସ୍ତରଟିଏ ଲାଭ କରିବୁ, ଭଲ କର୍ମସ୍ଥାନଟିରେ ନିଯୁକ୍ତ ହେବୁ, ଅନେକ ଏବଂ ଅନେକଙ୍କ ଉପରେ ଅଧିକାରୀ ହୋଇପାରିବୁ– ଯଦି ଏତିକି ହିଁ ଉଦ୍ଦେଶ୍ୟ ହୋଇ ରହେ, ତେବେ ଜୀବନଟା ଭାରି ଅଗଭୀର ଏବଂ ଶୂନ୍ୟଗର୍ଭ ହୋଇଯିବ । ଆମେ ବୈଜ୍ଞାନିକ ହେବା, ବିଦ୍ଵାନ୍ ବନି ଗ୍ରନ୍ଥମାନଙ୍କର ଅଧ୍ୟୟନରେ ରହିବା, ତେବେ ଏ ପୃଥିବୀର ଦୁଃଖ ହିଁ ବଢ଼ାଇବା, ପୃଥିବୀ ଧ୍ଵଂସ ହୋଇଯିବାର ଏକ କାରଣ ମଧ୍ୟ ହେବା । ଯଦି ଜୀବନ କହିଲେ କୌଣସି ଉଚ୍ଚତର ସମ୍ଭାବନାକୁ ବୁଝାଉଥାଏ, ତେବେ ତାହାର ଆବିଷ୍କାର କରିବା ସକାଶେ ଆଗ୍ରହ ନକଲେ ଆମେ ଲାଭ କରୁଥିବା ଶିକ୍ଷାର ପୁଣି କି ମୂଲ୍ୟ କାହିକି ରହିବ !

 

ବର୍ତ୍ତମାନର ଆମ ଜୀବନରେ ଆମେ ଏପରି ନାନା ଖଣ୍ଡରେ ବିଭାଜିତ ହୋଇ ରହିଛୁ । ତେଣୁ ସେଗୁଡ଼ିକ ଲାଗି ଆମେ ପାଉଥିବା ଶିକ୍ଷାର କୌଣସି ମୂଲ୍ୟ ହିଁ ନାହିଁ । ଅସଲ ଶିକ୍ଷା ତ ଆମ ଜୀବନରେ ଏକ ସମଗ୍ରତା ଆଣି ଦେବ । ହଁ, ଯଦି ଆମର ଓକିଲ ହେବାଦ୍ଵାରା ମୋକଦ୍ଦମାଖୋରିଟା ମଧ୍ୟ ବୃଦ୍ଧି ପାଉଥିବ, ତେବେ ଆମର ଓକିଲ ହୋଇ ପ୍ରକୃତରେ କେଉଁ ଲାଭ-? ଏହି ଯାବତୀୟ ଯାନ୍ତ୍ରିକ କୌଶଳ ଏବଂ କାରିଗରି ମାନଙ୍କରେ ପ୍ରବୀଣତା ହାସଲ କରି ମଧ୍ୟ କି ଲାଭ, ଯଦି ତାହା ଫଳରେ ଆମେ ଏକ ଆରେକକୁ ବିଲୁପ୍ତ କରିଦେବାରେ ଧାଉଁଥିବା ! ଗୋଟିଏ ପାଖରେ ଜଣେ ଜଣେ ବ୍ୟକ୍ତି ହିସାବରେ ଯାହାସବୁର ଆମେ ଅଧିକାରୀ ହୋଇଛି ଏବଂ ଅପର ପକ୍ଷର ଆମର ବ୍ୟକ୍ତିଗତ ଉପଲବ୍ଧି ଗୁଡ଼ିକ । ପ୍ରଥମଟା ପୂରା ଆକସ୍ମିକ,–ଆମର ବଂଶ, ଅନୁକୂଳ ପରିସ୍ଥିତିମାନ, ବିଶେଷ ସୁଯୋଗ–ଏଗୁଡ଼ିକ ଆକସ୍ମିକ । ଅଧିକତଃ ସେହିଗୁଡ଼ିକୁ ହାସଲ କରିବାରେ ଆମର ଶିକ୍ଷା ଏବଂ ସର୍ବବିଧ କୌଶଳର ଅର୍ଜନ । ମାତ୍ର, ପ୍ରକୃତ ଶିକ୍ଷା କହିଲେ କେବଳ ସେତିକିକୁ ଆଦୌ ବୁଝାଇବ ନାହିଁ । ଆଗ ଜୀବନର ପ୍ରକୃତ ତାତ୍ପର୍ଯ୍ୟଟିକୁ ଆବିଷ୍କାର କରିବା ଏବଂ ତା’ପରେ ସେହି ଅନୁସାରେ ଶିକ୍ଷାଟିଏ ପାଇବା । ଗୋଟିଏ ପାଖରେ ଅଧିକରୁ ଅଧିକ ହାସଲ କରିବା–ଅଧିକ କୌଶଳ, ଅଧିକ ପାରିବାପଣ ଅର୍ଥାତ୍ ସାମର୍ଥ୍ୟ, ଆଉ ଗୋଟିଏ ପାଖରେ ଆମର ଭଲ ପାଇବାର ଶକ୍ତି,–ସେହି ଭଲ ପାଇବା ଦ୍ୱାରା ହିଁ ଆମେ ଏହି ଜୀବନକୁ ସମଗ୍ର ଭାବରେ ବୁଝି ପାରିବାର ଯୋଗ୍ୟତା ହାସଲ କରିବା । ଏବର ଶିକ୍ଷା ତ କେଡ଼େ ଧୁରନ୍ଧର ଭାବରେ ଆମକୁ ମୁଖ୍ୟତଃ ପ୍ରଥମଟିକୁ ଆଣିଦେବାର ପ୍ରୟାସମାନ କରୁଛି । ଯଦି ଶିକ୍ଷା ଦ୍ୱାରା ପୃଥିବୀର ଯୁଦ୍ଧର ଆଶଙ୍କାମାନ ବୃଦ୍ଧି ପାଏ, ତେବେ ଆମେ ତାକୁ ସଫଳ ଶିକ୍ଷା ବୋଲି କିପରି ବା କହିପାରିବା-?

 

ତେଣୁ, ଆମେ ଆଗ ଜୀବନର ସମଗ୍ର ତାତ୍ପର୍ଯ୍ୟଟିକୁ ବୁଝିବା,–ଏବଂ ସେଥିପାଇଁ ପ୍ରକୃତରେ ଅନୁରୂପ ଚିନ୍ତା ମଧ୍ୟ କରିପାରିବା । ପୁନଶ୍ଚ, ଜୀବନକୁ ବୁଝିବାର ଅର୍ଥ ହେଉଛି ନିଜକୁ ହିଁ ବୁଝିବା: ସମଗ୍ର ଭାବରେ ଖଣ୍ଡ ଖଣ୍ଡ କରି ଆଦୌ ନୁହେଁ । ଶିକ୍ଷାର ସତ ଉଦ୍ଦେଶ୍ୟଟି ହେଉଛି ସମଗ୍ର ତଥା ପୂର୍ଣ୍ଣବୁଦ୍ଧିସମ୍ପନ୍ନ ମନୁଷ୍ୟମାନଙ୍କୁ ଗଠନ କରି ଆଣିବା । ବର୍ତ୍ତମାନର ଶିକ୍ଷାଦ୍ୱାରା ତ ମଣିଷମାନଙ୍କର ମନଟାକୁ ଅଧିକରୁ ଅଧିକ ଚତୁର କରି ତିଆରି କରିବାର ବହୁ ଚେଷ୍ଟା କରାଯାଉଛି-। ନାଇଁ, ଯଥାର୍ଥ ମନୁଷ୍ୟବୁଦ୍ଧି ସବାଆଗ ଏହି ବର୍ତ୍ତମାନଟିକୁ ସମଗ୍ର ଭାବରେ ବୁଝିବ–ମୋହମୁକ୍ତ, ସ୍ଥିର ଏବଂ ସିଧା ହିଁ ବୁଝିପାରିବ । ଏବଂ ସେହି ସାମର୍ଥଟିକୁ ଆମ ନିଜ ଭିତରେ ତଥା ଅନ୍ୟମାନଙ୍କ ମଧ୍ୟରେ ଜାଗ୍ରତ କରି ରଖୁବା, ତାହା ହେଉଛି ଶିକ୍ଷା । ଅସଲ ଶିକ୍ଷା ।

 

ହଁ, ଅସଲ ଶିକ୍ଷା ଆମକୁ ଆମର ଜୀବନଗତ ସ୍ଥାୟୀ ମୂଲ୍ୟଗୁଡ଼ିକୁ ଆବିଷ୍କାର କରିବାରେ ସହାୟତା କରିବ, ଯେପରିକି ଆମେ ମୋଟେ କୌଣସି ଅଭ୍ୟସ୍ତ ସୂତ୍ର ଅଥବା ବୋଲିଗୁଡ଼ିକ ମଧ୍ୟରେ କିଛି ହୋଇ ରହିଯିବା ନାହିଁ,–ଆମର ତଥାକଥିତ ଜାତି ଏବଂ ସମାଜଗତ କାନ୍ଥସବୁକୁ ଡେଇଁଯାଇ ପାରିବା ! ସେଗୁଡ଼ିକ ତ ମନୁଷ୍ୟମାନଙ୍କ ଭିତରେ ନାନା ଭେଦ ସୃଷ୍ଟି କରି ରଖିବାରେ ଉତ୍ସାହ ଦିଅନ୍ତି । ଜୀବନକୁ ସମଗ୍ର ଭାବରେ ବୁଝି ନପାରିବା ଯାଏ ଆମର ବ୍ୟକ୍ତିସ୍ତରୀୟ ଏବଂ ସାମୂହିକ ସମସ୍ୟାଗୁଡ଼ିକ କ୍ରମେ ଅଧିକ ଜଟିଳ ହିଁ ହେବ । ପ୍ରକୃତ ଶିକ୍ଷା ମନୁଷ୍ୟଗଣଙ୍କୁ ଭୟରୁ ମୁକ୍ତ କରିବା ଏବଂ କେବଳ ଭୟମୁକ୍ତମାନେ ହିଁ କେବଳ ସ୍ଥାୟୀ ଶାନ୍ତିକୁ ସମ୍ଭବ କରିପାରିବେ । ଯଥାର୍ଥ ଶିକ୍ଷାପ୍ରାପ୍ତ ଜଣେ ମନୁଷ୍ୟ ନିଜକୁ ସଦା ନମନୀୟ କରି ରଖ୍ ପାରୁଥିବ, ନୂତନ ଲବ୍ଧ ସତ୍ୟମାନଙ୍କୁ ଗ୍ରହଣ କରିବାରେ ସମର୍ଥ କରାଇ ନେଉଥିବ ।

 

ଆମର ଏହି ପୃଥିବୀରେ ତ ଏବେ ଗୋଟାଏ ପଛକୁ ଆଉଗୋଟିଏ ଯୁଦ୍ଧ ଲାଗି ହିଁ ରହିଛି । ଅର୍ଥାତ୍ ନିଜର ପିଲାମାନଙ୍କ ଲାଗି ଆମେ ଯେଉଁଭଳି ଶିକ୍ଷାଗୁଡ଼ିକର ବରାଦ କରି ରଖିଛୁ, ସେଥିରେ ଅବଶ୍ୟ କିଛି ପ୍ରମାଦ ରହି ହିଁ ଯାଉଛି । ସେକଥା ଆମେ ସମସ୍ତେ ଅନୁଭବ କରୁଛୁ ସିନା, କିନ୍ତୁ ହୁଏତ ତାହାର କିପରି ସମ୍ମୁଖୀନ କରିବାକୁ ହେବ, ସେଇଟି ବିଷୟରେ ଖାସ୍ କିଛି ଆବିଷ୍କାର କରି ପାରୁନାହିଁ । ଶିକ୍ଷା ସମ୍ବନ୍ଧୀ ଓ ରାଜନୀତିକ ସିଷ୍ଟମ୍‍ମାନେ କ’ଣ କୌଣସି ଦୈବର ବରାଦ ଅନୁସାରେ ବଦଳନ୍ତି ? ନାଇଁ, ଆମ ନିଜଭିତରେ କୌଣସି ମୂଳଭୂତ ପରିବର୍ତ୍ତନ ଘଟିଲେ ଯାଇ ସେପରି କିଛି ସମ୍ଭବ ମଧ୍ୟ ହୋଇଥାଏ । ବ୍ୟକ୍ତି ଆଗ;–ତା’ପରେ ଯାଇ ସିଷ୍ଟମ୍ ଏହି ସାମୂହିକ ବ୍ୟବସ୍ଥାମାନ । ଏବଂ ବ୍ୟକ୍ତି ନିଜ ବିଷୟରେ ଆବଶ୍ୟକ ପୂର୍ଣ୍ଣ ପ୍ରତ୍ୟୟଟିଏ ନପାଇଥିବା ପର୍ଯ୍ୟନ୍ତ ବ୍ୟବସ୍ଥାରେ ମଧ୍ୟ କିଭଳି କୌଣସି ପରିବର୍ତ୍ତନ ହୋଇ ପାରିବ ? ଏବଂ ସେଯାଏ ଏହି ପୃଥିବୀରେ ବିଶୃଙ୍ଖଳା ଓ ଅଶାନ୍ତି ବି ସ୍ଥାୟୀ ହୋଇ ରହିଥିବ ।

 

ଯଥାର୍ଥ ପ୍ରକାରର ଶିକ୍ଷା

 

ଯିଏ ପାଠ ନପଢ଼ିଛି, ଆମେ କ’ଣ ତାକୁ ଜଣେ ଜ୍ଞାନ ନଥିବା ବ୍ୟକ୍ତି ବୋଲି କହିବା ? ନାଇଁ ଯିଏ ନିଜକୁ ଜାଣି ନାହିଁ, ସେଇ ପ୍ରକୃତରେ ମୁର୍ଖ ଓ ଜ୍ଞାନହୀନ । ଏବଂ ଯେଉଁ ପଣ୍ଡିତ ଜଣେ ମନୁଷ୍ୟ ବହିମାନଙ୍କରେ ଲେଖା ହୋଇଥିବା କଥାଗୁଡ଼ିକୁ ହିଁ ଏକମାତ୍ର ବିଶ୍ଵାସ କରୁଛି ଓ ସେହିଗୁଡ଼ିକୁ ନିର୍ଭର କରି ରହିଛି, ତାକୁ କେବଳ ନିର୍ବୋଧ ବୋଲି ତ କୁହାଯିବା ଉଚିତ । ଅସଲ ବୁଝିବା ଶକ୍ତି ଆତ୍ମଜ୍ଞାନରୁ ଆସେ । ଆତ୍ମଜ୍ଞାନ ଅର୍ଥାତ୍ ଆପଣାର ସମଗ୍ର ସଚଳତାଟିକୁ ସମ୍ପୂର୍ଣ୍ଣ ଭାବରେ ଜାଣିବା । ଯଥାର୍ଥ ଶିକ୍ଷା ଆପଣାର ସେହି ବୁଝି ପାରିବାର ଶକ୍ତିଟିକୁ ସମ୍ଭବ କରାଇଆଣେ-। କାରଣ, ଆମର ସମ୍ପୂର୍ଣ୍ଣ ଜୀବନଟି ତ ଆମ ନିଜ ଭିତରେ ହିଁ ଠୁଳ ହୋଇରହିଥାଏ-। ବର୍ତ୍ତମାନ ପ୍ରଦତ୍ତ ହେଉଥିବା ଶିକ୍ଷା ଆମକୁ ନିଜ ପାଖରୁ ପଳାୟନ କରିବାର ମାର୍ଗମାନଙ୍କୁ ବତାଇ ଦେବାରେ ଲାଗିଛି ଏବଂ ଯାବତୀୟ ପଳାୟନ ସଦୃଶ ଏଇଟି ଦ୍ଵାରା ମଧ୍ୟ ଆମର ଦୁର୍ଗତିମାନେ ମଧ୍ୟ ବଢ଼ିବାରେ ଲାଗିଛନ୍ତି । ଆମକୁ ତାହା ନିତାନ୍ତ ପ୍ରମାଦପୂର୍ଣ୍ଣ ଭାବରେ ଲୋକମାନଙ୍କ ସହିତ, ବିଚାର ତଥା ଦ୍ରବ୍ୟଗୁଡ଼ିକ ସହିତ ସମ୍ବନ୍ଧିତ କରି ରଖିଛି ଏବଂ ସେହି ସମ୍ବନ୍ଧଟିକୁ ବୁଝି ନବଦଳାଇ ପାରିବା ପର୍ଯ୍ୟନ୍ତ ଏତେ ଏତେ ପାଠ ଓ ବିଦ୍ୟାକୁ ଆୟତ୍ତ କରିବାଦ୍ୱାରା ଆମେ କଦାପି ସେହି ଯାବତୀୟ ଆବର୍ତ୍ତମାନଙ୍କ ଭିତରୁ ବାହାରି ଆସି ପାରିବା ନାହିଁ । ପ୍ରଧାନତଃ ନାନା ବିନାଶର ପଥରେ ଗତି କରିବାରେ ଲାଗିଥିବା ।

 

ଏବେ ତ ଆମେ ଆମ ପିଲାମାନଙ୍କୁ ସ୍କୁଲକୁ ପଠାଉଛୁ, ଯେପରିକି ସେମାନେ ସେଠାରେ କିଛି ଶିକ୍ଷଣ ବା ପ୍ରଶିକ୍ଷଣ ଲାଭ କରିପାରିବେ ଏବଂ ତାହାରି ବଳରେ ବଡ଼ ହୋଇ କୌଣସି ଜୀବିକା ଅର୍ଜନ କରିପାରିବେ । ସିଏ ତଦ୍ଦ୍ଵାରା ଆର୍ଥିକ ଦୃଷ୍ଟିରୁ ଦମ୍ଭ ହୋଇ ଠିଆ ହେବ । କିନ୍ତୁ, ଏସବୁକୁ ହାସଲ କରିବା ଦ୍ଵାରା ଆମେ ଆପଣାକୁ ବୁଝିବା ପାଇଁ କୌଣସି ସାହାଯ୍ୟ ପାଇ ପାରିବା କି ? ହଁ ପଢ଼ି ଶିଖି ଜାଣିବା, କିଛି କୌଶଳ ଅର୍ଜନ କରିବା, ଏସବୁ ଆପଣାକୁ ବୁଝିବାରେ ଆଦୌ କୌଣସି ସାହାଯ୍ୟ କରି ପାରିବେ ନାହିଁ । ମନୁଷ୍ୟର ଜୀବନ କହିଲେ ଯନ୍ତ୍ରଣା, ଆନନ୍ଦ, ସୌନ୍ଦର୍ଯ୍ୟ, କୁତ୍ସିତତା, ପ୍ରୀତି ସବୁକିଛିକୁ ହିଁ ବୁଝାଏ ଏବଂ ଆମେ ଯେତେବେଳେ ଏଗୁଡ଼ିକୁ ଏକ ସମଗ୍ର ଭାବରେ ବୁଝି ପାରିବା, ସେତେବେଳେ ଯାଇ ଜୀବନକୁ ବୁଝିବାର ଗୋଟିଏ ଟେକ୍‌ନିକ୍‌କୁ ମଧ୍ୟ ଅବଶ୍ୟ ପାଇପାରିବା । କିନ୍ତୁ, ଆଗ କୌଣସି ଟେକ୍‌ନିକ୍ ଶିଖିନେବା ଦ୍ୱାରା କୌଣସି ସୁସ୍ଥ ବୁଝିବା ଶକ୍ତି ଆଦୌ ସମ୍ଭବ ହେବନାହିଁ ।

 

ବର୍ତ୍ତମାନ ତ ଆମ ଦ୍ୱାରା ପ୍ରବର୍ତ୍ତିତ ଶିକ୍ଷା କେବଳ ବିଫଳ ହେବାରେ ଲାଗିଛି, କାରଣ ସେଥିରେ ଟେକ୍‌ନିକ୍‌ଗୁଡ଼ାକ ଉପରେ ଅତିରିକ୍ତ ମାତ୍ରାରେ ଗୁରୁତ୍ଵ ଦିଆଯାଉଛି । ଟେକ୍‌ନିକ୍‌କୁ ଏତେ ବେଶୀ ଗୁରୁତ୍ଵ ଦେଇ ମଣିଷକୁ ମାରି ଦିଆଯାଉଛି । ଜୀବନକୁ ବୁଝିବା ନାହିଁ, ନିଜର ଭାବନା ଓ ବାସନାମାନ ଆମ ବୋଧର ବାହାରେ ରହିଥିବେ,–ତେବେ ଆମେ ଅଧିକରୁ ଅଧିକ ହୃଦୟହୀନ ହେବାରେ ଲାଗିଥିବା । ତେବେ, ସେଥିରୁ ଯୁଦ୍ଧମାନ ଉପଜୁଥିବ ଓ ଆମର ଏହି ପୃଥିବୀରେ ତିଷ୍ଠି ରହିବା ବିପନ୍ନ ହେବାରେ ଲାଗିଥିବ । ଜଣେ ମନୁଷ୍ୟ ତା’ ଜ୍ଞାନବଳରେ ଗୋଟାଏ ଅଣୁକୁ ଛଅଫାଳ କରି ପାରୁଥିବ ଅଥଚ ତେଣେ ତା’ ହୃଦୟ ଭିତରେ କୌଣସି ଭଲ ପାଇବା ନଥିବ,–ତେବେ ସିଏ ଅସୁର ଛଡ଼ା ଆଉ କ’ଣ ହୋଇପାରିବ ? ଆମେ ନିଜକୁ ବୁଝିବା ନାହିଁ, ତେବେ ଯେତେ ଯାହା କର୍ମକୁଶଳତା ଅର୍ଜନ କଲେ ମଧ୍ୟ ଆମ ଭିତରେ ଅପାରଗତାବୋଧ ହିଁ ବୃଦ୍ଧି ପାଇବ,–ତେଣୁ, ନିସ୍ତାର ଲୋଡ଼ି ଆମେ ତୁଚ୍ଛା ନାନା ପଳାୟନର ମାର୍ଗକୁ ବରଣ କରୁଥିବା ଏବଂ ପୃଥିବୀରେ ବହୁ ଅନିଷ୍ଟର କାରଣ ହେବା । ଗୁଡ଼ାଏ ରୁଟିନ୍ ଭିତରେ କେବଳ ନିଷ୍କର୍ମା ହୋଇ ରହିଥିବା । ଆମ ଜୀବନରେ ଆଉ ନୂତନତାର କୌଣସି ଅନୁଭବ ହିଁ ରହିବ ନାହିଁ ।

 

ତେଣୁ ଯଥାର୍ଥ ଶିକ୍ଷା ଆମକୁ ଜ୍ଞାନକୌଶଳରେ ଅବଶ୍ୟ ପାରଙ୍ଗମ କରାଇବ ସତ, କିନ୍ତୁ ଆଉ କିଛି ଅଧିକ ମହତ୍ତ୍ୱପୂର୍ଣ୍ଣ ସମ୍ପଦକୁ ମଧ୍ୟ ଆମର ପହୁଞ୍ଚ ମଧ୍ୟକୁ ଆଣିଦେବ: ଆମକୁ ଜୀବନର ସମଗ୍ର ପ୍ରକ୍ରିୟାଟି ବିଷୟରେ ପରିଚିତ ବି କରାଇବ । ଆମଦ୍ଵାରା ଉଦ୍ଭାବିତ ଯନ୍ତ୍ରମାନେ ଆମଲାଗି ଅଧୁକ ଫୁରସତ ଅର୍ଥାତ୍ ଖାଲି ସମୟ ସୃଷ୍ଟି କରିବାରେ ଲାଗିଥିବେ, ମାତ୍ର ତାହାକୁ କାମରେ ଲଗାଇ ପାରିବା ପାଇଁ ଆମର କୌଣସି ଯୋଗ୍ୟତା ନଥିବ । ତା'ପରେ ତୁଚ୍ଛା ପଳାଇବାର କେତେ ଫିସାଦ, ନାନା ହାସ୍ୟାସ୍ପଦ ଭୋଗ ଏବଂ ଉପଭୋଗର କେତେ ଅବସର ତଥା ଅନବସର,–ଏବଂ ଆମକୁ ପ୍ରାୟ ମତ୍ତ କରି ରଖିଥିବା ଆମର ନାନା ଆଦର୍ଶ । ସେହି ଆଦର୍ଶମାନଙ୍କର କ’ଣ ଏଠି ଆମ ପୃଥିବୀରେ କମ୍ ବ୍ୟାଖ୍ୟାନ ହୋଇଛି ଏବଂ ହେଉଛି ? ମାତ୍ର, ସେଗୁଡ଼ିକ ଦ୍ଵାରା ହୃଦୟମାନେ କେତେଦୂର କ’ଣ ବଦଳି ପାରୁଛନ୍ତି । ତେଣୁ ଆଦର୍ଶମାନେ ଆମକୁ ଆମର ଏହି ସ୍ଥିତିରୁ ମୋଟେ ମୁକୁଳାଇ ନେଇ ପାରିବେନାହିଁ । ତାହା କେବଳ ଯଥାର୍ଥ ଶିକ୍ଷାଦ୍ୱାରା ସମ୍ଭବ ହେବ । ଯଥାର୍ଥ ଶିକ୍ଷା ହିଁ ଆମର ପୃଥିବୀ ଯେଉଁଭଳି ସ୍ଥିତିରେ ରହିଛି, ତାହାକୁ ବୁଝିବା ପାଇଁ ପ୍ରକୃତ ଆଖିଗୁଡ଼ିକୁ ଆଣି ଯୋଗାଇଦେବ ।

 

କୌଣସି ଆଦର୍ଶକୁ କାର୍ଯ୍ୟକାରୀ କଲାବେଳେ ତ ଆମେ ମନୁଷ୍ୟମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ଛାଞ୍ଚରେ ପକାଇ ତିଆରି କରିବା ନିମନ୍ତେ ଇଚ୍ଛା କରୁଥାଉ,–ପୂରା ଆମଦ୍ଵାରା କଳ୍ପିତ କୌଣସି ଭବିଷ୍ୟତର ଛାଞ୍ଚରେ । ମନୁଷ୍ୟମାନେ ଆମପାଇଁ ଆଦୌ ସବାଆଗରେ ନଥାନ୍ତି; ସେମାନେ କିପରି ହେବା ଉଚିତ, ଆମର ଯାବତୀୟ ଚେଷ୍ଟା ତଥା ବ୍ୟବସ୍ଥା ମୁଖ୍ୟତଃ ସେତିକି ଚିନ୍ତା କରିବାରେ ଲାଗି ଥାଆନ୍ତି । ମନୁଷ୍ୟମାନେ ଆମର ଛାଞ୍ଚଗୁଡ଼ିକ ଅନୁସାରେ କେଉଁଭଳି ହୁଅନ୍ତୁ, ସେକଥା ନୁହେଁ; ସେମାନେ ନିଜର ସ୍ଥିତିଗୁଡ଼ିକୁ ଯଥାର୍ଥ ଭାବରେ ଜାଣିପାରନ୍ତୁ ବୋଲି ଅଭିପ୍ରାୟ ରଖିଥିବା ଯେଉଁ ଶିକ୍ଷା, ତାହା ହେଉଛି ଯଥାର୍ଥ ଶିକ୍ଷା । ଯଥାର୍ଥ ସ୍ଥିତିଗୁଡ଼ିକୁ ଜାଣୁଥିଲେ ସିନା ଆମେ ସେଥିରୁ ମୁକୁଳି ଆସି ମଧ୍ୟ ପାରିବା । ଏହି ଆଦର୍ଶଗୁଡ଼ିକର ଆମ ଶିକ୍ଷାରେ ମୋଟେ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ । କାରଣ ତାହା ଆମ ଲାଗି ଆମ ବର୍ତ୍ତମାନଟିକୁ ବୁଝିବାରେ ନାନାବିଧ ବାଧା ସୃଷ୍ଟି କରି ରଖିବାରେ ହିଁ ଅଧିକ ସହାୟତା କରୁଥାଏ । କୌଣସି ଭବିଷ୍ୟ ମଧ୍ୟକୁ ପଳାଇବା ଲାଗି ମନ ନକଲେ ଯାଇ ହିଁ ଆମେ ଯଥାର୍ଥ ଭାବରେ ଆମ ବର୍ତ୍ତମାନଟି ବିଷୟରେ ସିନା ସଜ୍ଞାନ ହେବା-। ଏବଂ ଅନ୍ୟ ପକ୍ଷରେ ପ୍ରାୟ ଏକ । ମାନସିକ ଆଳସ୍ୟରେ ବର୍ତ୍ତମାନଟାକୁ ଏଡ଼ି ଦେବାରେ ଲାଗିଥଲେ ହିଁ ଆମେ ଆଦର୍ଶ ଆଦର୍ଶ ବୋଲି ଚିତ୍କାର କରିବାରେ ଲାଗି ରହିଥିବା ।

 

ଗୋଟାଏ ଆଦର୍ଶକୁ ଅର୍ଥାତ୍ କେତେଗୁଡ଼ିଏ ଗୁଳାକୁ ଅନୁସରଣ କରୁଥିବା ପର୍ଯ୍ୟନ୍ତ ଆମ ଜୀବନଗୁଡ଼ିକ ମଧ୍ୟ ବଡ଼ ଉପରଠାଉରିଆ ଏବଂ ଯନ୍ତ୍ରବତ୍ ହୋଇ ରହିଥିବ । ତେଣୁ ଆମର ଏହି ଆଦର୍ଶବାଦୀମାନେ ଅର୍ଥାତ୍ ଯନ୍ତ୍ରବତ୍ ମସ୍ତିଷ୍କମାନ ଧାରଣ କରିଥିବା ମନୁଷ୍ୟମାନେ ଲୋଡ଼ା ନାହାନ୍ତି: ପ୍ରକୃତରେ ପୂର୍ଣ୍ଣାଙ୍ଗ ଜୀବନ ବଞ୍ଚୁଥିବା ଏପରି ମନୁଷ୍ୟଙ୍କର ପ୍ରୟୋଜନ ରହିଛି, ଯେଉଁମାନେ ପୂର୍ଣ୍ଣବୁଦ୍ଧିଯୁକ୍ତ ହୋଇଥିବେ ଏବଂ ନିଜର ଏକ ମୁକ୍ତ ଜୀବନର ଅଧିକାରୀ ହୋଇଥିବେ-। ଅସଲ କଥାଟି ହେଉଛି, ଆମେ ମନୁଷ୍ୟମାନେ ଆଦୌ ଗୋଟିଏ ଗୋଟିଏ ମେସିନ୍ ନୋହୁ ଯେ, ଆମକୁ କୌଣସି ଗୋଟିଏ ଖାସ୍ ଛାଞ୍ଚ ଅନୁସାରେ ଗଢ଼ି ଅଣାଯାଇ ପାରିବ । ଯଥାର୍ଥ ଶିକ୍ଷା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରିପକ୍ଵ ଏବଂ ମୁକ୍ତ ହୋଇ ତିଆରି ହୋଇ ଆସିବାରେ ଅନୁକୂଳତା ଆଣି ଯୋଗାଇ ଦେବ ତା’ର ଭଲ ପାଇବାର ଏବଂ ଭଲଗୁଡ଼ିକୁ ବାଛି ପାରିବାର ସାମର୍ଥ୍ୟଗୁଡ଼ିକୁ ସର୍ବଦା ବଳ ଆଣି ଦେଇ ପାରୁଥିବ ।

 

ଯେଉଁ ଶିକ୍ଷା ପିଲାମାନଙ୍କୁ ସେମାନଙ୍କର ଖିଆଲ ଏବଂ ରୁଚିଗୁଡ଼ିକ ଅନୁସାରେ ନାନା ଶ୍ରେଣୀରେ ବିଭାଜିତ କରି ବିଚାର କରୁଥାଏ, ତାହା ଅତି ପରିମାଣରେ ସେମାନଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟମାନଙ୍କୁ ହିଁ ଅଧିକ ଗୁରୁତ୍ଵ ଦିଏ; ଏବଂ ସେଥିରୁ ନାନା ବିରୋଧର ଭିଆଣ ହୁଏ, ସମାଜକୁ ଭାଗ ଭାଗ କରି ଦେଖେ ଓ ତେଣୁ ଏକ ସମୁଚିତ ସମଗ୍ରତାବୋଧର ବିକାଶପଥରେ ଅନ୍ତରାୟମାନ ସୃଷ୍ଟି କରେ । ପୁନଶ୍ଚ, ଗୋଟିଏ କୌଣସି ନିର୍ଦ୍ଦିଷ୍ଟ ପଦ୍ଧତିକୁ ଏକମାତ୍ର ଠିକ୍ ପଦ୍ଧତି ବୋଲି ଧରିନେଇ ମଧ୍ୟ ଯଥାର୍ଥ ଶିକ୍ଷା କଦାପି ଦେଇ ହୁଏନାହିଁ । କେବଳ ଜଣେ ଅଳସୁଆ ଶିକ୍ଷକ ହୁଏତ ସେହିପରି କିଛି ପ୍ରଣାଳୀ ଅନୁସାରେ ଶିକ୍ଷା ଦେବାପାଇଁ ଆଗ୍ରହୀ ହୁଏ । ସିଏ ତା’ଛାତ୍ରମାନଙ୍କ ମଧ୍ୟରେ ଯାବତୀୟ ସୃଜନଶୀଳତା ବିକଶିତ ହୋଇ ଆସିବାରେ ପ୍ରକୃତରେ ଭାରି ଅନ୍ତରାୟ ହୋଇଥାଏ । କେବଳ ଭଲ ପାଇବା ଦ୍ୱାରା ହିଁ ଜଣେ ମନୁଷ୍ୟ ଆଉଜଣେ ମନୁଷ୍ୟକୁ ଯଥାର୍ଥମନ୍ତେ ବୁଝି ପାରିବ । ଭଲ ପାଇବା ଦ୍ୱାରା ଜଣେ ନିଜକୁ ଅନାୟାସରେ ଆଉଜଣକ ସହିତ ଏକ ସମାନ ସ୍ତରକୁ ନେଇଆସି ପାରିବ ଏବଂ ତାକୁ ବୁଝିବାକୁ ସମର୍ଥ ହେବ । ସରକାରମାନେ ତାହା କରି ପାରିବେ ନାହିଁ । ସେମାନେ ତ ସବୁ ମଣିଷଙ୍କୁ ନିଜର ଇଚ୍ଛା ଅନୁସାରେ ମଣାଇ ରଖୁବାକୁ ଇଚ୍ଛା କରିବେ । ଏବଂ, ସେହି କାରଣରୁ ସରକାରମାନେ ଶିକ୍ଷାକୁ ନିଜ ଆୟତରେ ରଖିବାରେ ଏତେ ଏତେ ଉତ୍ସାହ ପ୍ରକାଶ କରିଛନ୍ତି । ହଁ, ଧର୍ମମାନେ ମଧ୍ୟ ଖୁବ୍ ଆଗ୍ରହୀ ହୋଇ ପଡ଼ିଛନ୍ତି ।

 

ଶିକ୍ଷାର ସବାଉଚ୍ଚ କାର୍ଯ୍ୟ ହେଉଛି ଯେ ତାହା ଜଣେ ସମଗ୍ର ମଣିଷକୁ ତିଆରି କରି ଆଣିବ ଯିଏ କି ତା ସମ୍ମୁଖରେ ରହିଥିବା ଜୀବନକୁ ସମଗ୍ର ଭାବରେ ସାମନା କରି ପାରୁଥିବ । ଜଣେ ଆଦର୍ଶବାଦୀ କିମ୍ବା ବିଶେଷଜ୍ଞାନୀ ତାହା କରି ପାରିବ ନାହିଁ । ଗୋଟିଏ ପିଲାକୁ ଉଚିତ୍ ପ୍ରକାରେ ଶିକ୍ଷିତ ଅର୍ଥାତ୍ ସମର୍ଥ କରି ଆଣିବାକୁ ହେଲେ ଆମକୁ ସର୍ବଦା ଜାଗରୂକ ଓ ସଚେତନ ହୋଇ ରହିବାକୁ ହେବ । ଆଉ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଉଛି ତାହା ଛାତ୍ର ମଧ୍ୟରେ ଏକ ଜାଗରୂକ ବୁଦ୍ଧି ବିକଶିତ ହୋଇ ଆସିବା ସକାଶେ ଅବକାଶମାନ ଆଣିଦେବ । କିନ୍ତୁ, ନିଜକୁ ବୁଝିବା ନିମନ୍ତେ ସମର୍ଥତା ନଥିଲେ ବସ୍ତୁତଃ କେଉଁ ଶିକ୍ଷକ ତାହା କରି ବି ପାରିବ । ଅର୍ଥାତ୍ ଆପେ କୌଣସି ବିଶେଷ ଆଦର୍ଶମାର୍ଗ, ସିଷ୍ଟମ୍ କିମ୍ ବିଶ୍ଵାସ ଉପରେ ଆସ୍ଥା ରଖିଥଲେ ସେ କଦାପି ତାହା କରି ପାରିବ ନାହିଁ ।

 

ଗୋଟିଏ ପିଲା ସତକୁ ସତ ଯେପରି, ଶିକ୍ଷକ ତାହାକୁ ସେହିପରି ମୁଁ ବୁଝିବାକୁ ଚେଷ୍ଟା କରିପାରୁଥିବେ । ପିଲାର ପିତାମାତା ମଧ୍ୟ ସେହିପରି କରିବାରେ ଆଖିଗୁଡ଼ିକୁ ରଖିଥିବେ । ଏବଂ, ପିଲାଟିକୁ ଆମେ ଭଲ ନପାଉଥିଲେ ତାହା ଆଦୌ କରି ପାରିବା ନାହିଁ । ଭଲ ପାଉନଥିଲେ ତ ତା’ ଉପରେ କୌଣସି ଗୋଟିଏ ଆଦର୍ଶକୁ ନେଇ ଲଦିଦେବାର ପ୍ରୟାସ କରିବାରେ ଲାଗିଥିବା । ପ୍ରେମରେ କୌଣସି ଆଦର୍ଶ ନୁହେଁ, ସ୍ଵୟଂ ପିଲାଟି ହିଁ ଆମର ଦୃଷ୍ଟିରେ ସବା ଆଗରେ ବସ୍ତୁ ହୋଇ ରହିଥିବ । ଉଦାହରଣ ସ୍ଵରୂପ, ଆମ ପିଲାଟି ଯଦି ମିଛ କହୁଥିବ, ତେବେ ସତ୍ୟର ସେହି ଉଚିତ୍ ଆଦର୍ଶଟି ବିଷୟରେ ତାକୁ ଭାଷଣମାନ ଦେଲେ ମୋଟେ କୌଣସି ଫଳ ଫଳିବ ନାହିଁ; ସିଏ କାହିଁକି ମିଛର ଆଶ୍ରୟ ନେଉଛି, ଆମକୁ ସେହି କଥାଟିକୁ ହିଁ ଜାଣିବାକୁ ପଡ଼ିବ । ଜଣେ ଆଦର୍ଶବାଦୀଠାରେ ସାଧାରଣତଃ ଭଲ ପାଇବାର କୌଣସି ପାରିବାପଣ ହୁଏତ ନଥାଏ, ତେଣୁ ସେ ପିଲା ଉପରେ ଗୋଟାଏ ଛାଞ୍ଚକୁ ନେଇ ଲଦିଦେବାର ଉଦ୍ୟମ କରୁଥାଏ । ସତେ ଅବା ନିଜର କୌଣସି ଅଭାବକୁ ସିଏ ପିଲାର ମଧ୍ୟଦେଇ ପୂରଣ କରିବାର ଏକ ଚେଷ୍ଟା କରେ କି ?

 

ଆମର ଛାତ୍ର ତା’ ଭିତରେ ବହଳ ବହଳ ହୋଇ ରହିଥିବା ଯାବତୀୟ ଭୟରୁ ମୁକ୍ତିଲାଭ କରିବ ଏବଂ ତାହାରି ବଳରେ ହିଁ ତା’ଭିତରୁ ସକଳ ଭଲ ପାଇବା ତଥା ଉତ୍ତମ ବୃଦ୍ଧି ଖୁବ୍ ସହଜତା ସହିତ ବିକଶିତ ହୋଇଆସିବ । ଆମେ ଅଧିକାଂଶତଃ ସେହି ପ୍ରକ୍ରିୟାଟିରେ ବିଶ୍ୱାସ କରି ପାରୁନାହିଁ, କାରଣ ଆମ ଭିତରେ ଗୋଟିଏ ଦୃଢ଼ ଧାରଣା ଆମକୁ ଅଧିକାର କରି ରହିଥାଏ ଯେ, ମନୁଷ୍ୟର ଏହି ବର୍ତ୍ତମାନ ରହିଥିବା ପ୍ରକୃତିଗୁଡ଼ିକରେ ମୋଟେ କୌଣସି ପରିବର୍ତ୍ତନ ହୋଇ ପାରିବ ନାହିଁ । ପ୍ରକୃତି ବଦଳିବ ନାହିଁ ଓ ତେଣୁ ମନୁଷ୍ୟ ମନୁଷ୍ୟ ଭିତରେ ରହିଥିବା ସମ୍ବନ୍ଧଗୁଡ଼ିକ ମଧ୍ୟ ନ୍ୟାୟତଃ ଯେପରି ସେପରି ହୋଇ ରହିଥିବ । ସେହି ଧାରଣାଟିକୁ ମୂଳ କରି ପୃଥିବୀରେ ସର୍ବଦା ଶୃଙ୍ଖଳାର କଥା କୁହାହୋଇ ଆସିଛି । ଯେହେତୁ ପ୍ରକୃତି କଦାପି ବଦଳିବ ନାହିଁ, ତେଣୁ ଶୃଙ୍ଖଳା ଦ୍ୱାରା ବାଧ୍ୟ କରି ହିଁ ରଖିବାକୁ ହେବ । କିନ୍ତୁ ସେଥିରେ ଥିବା ସବାଆଗର ବିପଦଟି ହେଉଛି ଯେ, ଏହାଦ୍ୱାରା ଶୃଙ୍ଖଳାଟିକୁ ହିଁ ଅଧିକ ମହତ୍ଵପୂର୍ଣ୍ଣ ବୋଲି ଧରି ନିଆଯାଏ ଓ ଖାସ୍ ମନୁଷ୍ୟଟି ଗୌଣ ହୋଇ ରହିଯାଏ । ଅର୍ଥାତ୍ ପ୍ରୀତି ପରିବର୍ତ୍ତେ ଏହି ଶୃଙ୍ଖଳା । ଆମ ହୃଦୟରେ ପ୍ରୀତି ନାହିଁ, ତେଣୁ ବାହାରେ ଏହି ଯାବତୀୟ ଶୃଙ୍ଖଳା । (ପୃଷ୍ଠା–୩୧)

 

ହଁ, ସବୁଠାରୁ ବଡ଼ ବିପତ୍ତି ହେଉଛି ଯେ, ଶୃଙ୍ଖଳାଟା ହିଁ ସବାଆଗ ହୋଇ ରହେ ଏବଂ ମନୁଷ୍ୟମାନଙ୍କୁ ସେଇଟି ମଧ୍ୟରେ କିଳି କରି ରଖି ଦିଆଯାଏ । ଶୃଙ୍ଖଳା ଖଟାଇ କୌଣସି ମୁକ୍ତି ଆଦୌ ସମ୍ଭବ ହେବନାହିଁ । ପୁନଶ୍ଚ, ନିଜ ନିମନ୍ତେ ବହୁ ବହୁ ତୃପ୍ତିର ଅମାପ ନାନା ସୁଯୋଗ ଏବଂ ଅନ୍ୟମାନଙ୍କ ବିଷୟରେ ଏକ ପୂର୍ଣ୍ଣ ଉପେକ୍ଷାଭାବ,–ଏହାକୁ ମୁକ୍ତି ବୋଲି କେବେହେଲେ କୁହାଯିବ ନାହିଁ । ଆମେ ବାଧ୍ୟ କରି କୌଣସି ଅନ୍ୟକୁ ସଚେତନ କରାଇ ଆଣି ପାରିବା ନାହିଁ । ବାଧ୍ୟ କଲେ ପ୍ରତିଶୋଧ ବଢ଼ିବ, ଭୟମାନେ ବୃଦ୍ଧି ପାଇବେ । ପ୍ରଲୋଭନ ଏବଂ ଦଣ୍ଡବିଧାନ,–ଉଭୟେ ହିଁ ଜଣେ ମନୁଷ୍ୟକୁ ସ୍ଥାଣୁ କରି ରଖିବେ । ଆମେ ସତକୁ ସତ ଏହି ପିଲାମାନଙ୍କୁ ଭଲ ପାଉଛୁ କି ? ସେମାନଙ୍କୁ ନେଇ ଆମର ଉଚ୍ଚାଶା ଓ ଉଚ୍ଚ ଉଚ୍ଚ ସ୍ଵପ୍ନ ଯେ ରହିଛି, ତାହାର ଅର୍ଥ ହେଉଛି ଯେ ଆମ ନିଜର ହିଁ ସେହିସବୁ ଉଚ୍ଚ ଆଶା ଏବଂ ସ୍ଵପ୍ନଗୁଡ଼ିକ ରହିଛି, ଅତୃପ୍ତ ହୋଇ ରହିଥିବାରୁ ଛଟପଟ ହୋଇ ରହିଛନ୍ତି ।

 

ପୁନଶ୍ଚ, ଶୃଙ୍ଖଳା ଆମର ବୁଝିବାଶକ୍ତି ନିମନ୍ତେ ଆଦୌ ଅନୁକୂଳ ହୁଏନାହିଁ ଏବଂ ସେହି ଶୃଙ୍ଖଳାଗୁଡ଼ାକ ଦ୍ଵାରା ପିଲା ଉପରେ ଆମର ନିୟନ୍ତ୍ରଣଟା ହୁଏତ ସହଜ ହୋଇଯାଏ । ଯଥାର୍ଥ ଶିକ୍ଷା ଜୀବନକୁ ମୁକ୍ତ ହେବା ସକାଶେ ଉଦ୍‌ବୁଦ୍ଧ କରି ଆଣିବ, ବୁଦ୍ଧିର ବିକାଶ ଲାଗି ବାଟ ଛାଡ଼ିଦେବ; ଏବଂ କୌଣସି ବାଧ ବାଧକତା ରହିଥିବା ଯାଏ ତାହା କଦାପି ସମ୍ଭବ ହେବନାହିଁ । ତେଣୁ ବାଧ୍ୟ ହୋଇ ତଥା ବାଧ୍ୟ କରାଇ କିଛି ମାନିବା ଏବଂ ମଣାଇ ଆଣିବା ଦ୍ଵାରା ନୁହେଁ, ଏକ ପୂର୍ଣ୍ଣ ସହଯୋଗ ଦ୍ୱାରା ହିଁ ପ୍ରକୃତ ଶିକ୍ଷା ନିଜକୁ କାର୍ଯ୍ୟକାରୀ କରିପାରିବ । ଅର୍ଥାତ, ପାରସ୍ପରିକ ସ୍ନେହଭାବ ରହିବ, ପରସ୍ପର ପ୍ରତି ଏକ ସମ୍ମାନବୋଧ ମଧ୍ୟ ଥିବ । ଏହି ପୃଥିବୀରେ ପରସ୍ପର ପ୍ରତି ସେହି ସମ୍ମାନବୋଧ ଅଭାବରେ, ଆମେ ହାସଲ କରୁଥିବା ସର୍ବବିଧ ଜ୍ଞାନ କେବଳ ବିନାଶ ଓ ଦୁଃଖର କାରଣ ହେବାରେ ଲାଗିଥିବ । ଶିକ୍ଷାର ଗୋଟିଏ ଅସଲ ଉଦ୍ଦେଶ୍ୟ ହେଉଛି ଯେ, ତାହା କେବଳ ବ୍ୟକ୍ତି ଏବଂ ବ୍ୟକ୍ତି ମଧ୍ୟରେ ନୁହେଁ, ବ୍ୟକ୍ତି ଓ ସମାଜ ମଧ୍ୟରେ ବି ଯଥାର୍ଥ ସମ୍ପର୍କଗୁଡ଼ିକର ସ୍ଥାପନା କରାଇ ଆଣିବା ଦିଗରେ ସହାୟତା କରିବ । ଏବଂ ଯଥାର୍ଥ ଯାବତୀୟ ବୁଦ୍ଧିର ଅର୍ଥ ହେଉଛି ଯେ, ଜଣେ ବ୍ୟକ୍ତିକୁ ତାହା ଆପଣାକୁ ବୁଝିବା ନିମନ୍ତେ ଏପରି ସାମର୍ଥ୍ୟ ଆଣିଦେବ, ଯଦ୍ଦ୍ୱାରା ସେ ନିଜର ସୀମାଗୁଡ଼ିକରୁ ଆହୁରି ବାହାରକୁ ମଧ୍ୟ ଯାଇ ପାରିବ ଏବଂ ନିଜ ଭିତରେ ଅନୁଭବ ମଧ୍ୟ କରିପାରିବ । ମାତ୍ର ଏବେ ତ ଆମକୁ ନାନାବିଧ ଭୟ ହିଁ ମାଡ଼ି ବସିଛି ଏବଂ ବୁଦ୍ଧିର ଯାବତୀୟ ଉଦୟକୁ ଅଟକାଇ ରଖିଛି । ଶୃଙ୍ଖଳା ସେହି ଭୟମାନଙ୍କୁ ଦାବି ରଖିଥିବ ସିନା, ମାତ୍ର କଦାପି ଦୂର କରିପାରିବ ନାହିଁ ।

 

ଆମେ ପିଲା ଥିବାବେଳେ ଆମ ଭିତରେ କେତେ କେତେ ଭୟ ପୂରାଇ ଦିଆଯାଇଥାଏ; ଘରୁ ଓ ବିଦ୍ୟାଳୟରୁ । ସେହି ଭୟମାନେ ହିଁ କ୍ରମେ ବହଳ ହୋଇ ଆମ ଜୀବନର ମୂଳଦୃଷ୍ଟିଗୁଡ଼ିକୁ କବଳରେ ରଖିଥାଆନ୍ତି ଏବଂ ସମସ୍ୟାମାନ ସୃଷ୍ଟି କରନ୍ତି । ଯଥାର୍ଥ ଶିକ୍ଷା ସେହି ଭୟଟି ବିଷୟରେ ଅବଶ୍ୟ କିଛି କରିବ । ହଁ, ଯାବତୀୟ ଶିକ୍ଷାର କ୍ଷେତ୍ରରେ ଶିକ୍ଷାଦାତା ହିଁ ବସ୍ତୁତଃ ପ୍ରକୃତ ସମସ୍ୟା । ଅଧିକାଂଶ ଶିକ୍ଷକ ତ ପିଲାମାନଙ୍କ ଉପରେ ନିଜର କର୍ତ୍ତୃତ୍ଵଗୁଡ଼ିକୁ ବିସ୍ତାର କରି ରହିବାକୁ ହିଁ ଖୁବ୍ ଆଗ୍ରହ ପ୍ରକାଶ କରନ୍ତି । ଜଣେ ମୁକ୍ତ ମନୁଷ୍ୟ ହିଁ ସୁସ୍ଥ ଭାବରେ ଜୀବନକୁ ସମଗ୍ର ଭାବରେ ବୁଝିବାକୁ ସମର୍ଥ ହୁଏ । କର୍ତ୍ତୃତ୍ୱ ଦେଖାଉଥିବାର ସକଳ ପ୍ରୟାସ କେବଳ ଭୟମାନଙ୍କୁ ବୃଦ୍ଧି କରିବାରେ ହିଁ ସହାୟକ ହୋଇଥାଏ । ଆମ ଧର୍ମମାନଙ୍କରେ ମଧ୍ୟ ନାନାବିଧ କାଇଦାରେ କର୍ତ୍ତୃତ୍ଵଗୁଡ଼ିକୁ ମାନିବାର ପରିବେଶ ସୃଷ୍ଟି କରି ରଖିବାର କୌଶଳ ସବୁ ଭରି ରହିଥାଏ । ଏବଂ ଅସଲ ଆଧ୍ୟାତ୍ମିକତାକୁ ସଂପୃକ୍ତ ସମସ୍ତଙ୍କୁ ନ୍ୟାୟତଃ ବହୁଦୂର କରି ରଖେ । ଧର୍ମରେ ମନାଇ ରଖିବାର କ୍ଷେତ୍ରରେ ଜିଜ୍ଞାସାଗୁଡ଼ିକୁ ସତେଅବା ବହିଷ୍କୃତ କରି ରଖାଯାଏ । ଯଥାର୍ଥ ଧର୍ମ କଦାପି ମନୁଷ୍ୟମାନଙ୍କୁ କିଛି ଖାସ୍ ବିଶ୍ଵାସ ବା ବିଧିରେ ବାନ୍ଧି ହୋଇ ରହିବାକୁ ପ୍ରୋତ୍ସାହିତ କରିବ ନାହିଁ । ଆମେ ଆମକୁ ଅକଳ ଓ ଅଳ୍ପବଳ କରି ରଖିଥିବା ଅଭ୍ୟାସସୂତ୍ର ଗୁଡ଼ିକରୁ ମୁକ୍ତ ହେବା ଏବଂ ଆପେ ସତ୍ୟର ଅନ୍ଵେଷଣ କରିବାର ଅନ୍ତର୍ପ୍ରେରଣା ଗୁଡ଼ିକୁ ଲାଭ କରିବା, କାର୍ଯ୍ୟତଃ ତାହାକୁ ନେଇ ଆମର ଜୀବନକୁ ନେଇ ଆମ ଧର୍ମର ଅସଲ ଲକ୍ଷ୍ୟ ହୋଇ ରହିଥିବା ହିଁ ଉଚିତ ।

 

ପିଲାମାନେ ତ ପ୍ରାୟ ସ୍ୱଭାବପ୍ରେରିତ ହୋଇ ଆପେ କିଛି ନା ଖୋଜିବା ନିମନ୍ତେ ଇଚ୍ଛା କରୁଥାଆନ୍ତି ଓ ଆମେ ବଡ଼ମାନେ ସେମାନଙ୍କୁ ଆମ ଗୁଳାଗୁଡ଼ାକରେ ହିଁ ଛନ୍ଦି ରଖିବାର ନାନା ପ୍ରବଳ ଚେଷ୍ଟା ହିଁ କରୁ,–ପିଲାଙ୍କ ଜୀବନର ସେହି ଯଥାର୍ଥ ପ୍ରୟାସଟିକୁ ହତବଳ କରିବାରେ ଲାଗିଥାଉ । ସେମାନଙ୍କର ଉତ୍ସାହମାନଙ୍କୁ ଭାଙ୍ଗିଦେଉ । ଅଳପରୁ ଅଧିକ ହେବାର, ଜାଣିବାର ଓ ପ୍ରତ୍ୟକ୍ଷ କରିବାର ଉତ୍ସାହମାନ । । ଗୋଟିଏ ପିଲା ଆମ କଥାକୁ ପୂର୍ଣ୍ଣ ସନ୍ତୋଷର ସହିତ ଗ୍ରହଣ କରିନେଇ ପାରୁନାହିଁ, ତାହାର ଅର୍ଥ ହେଉଛି ଯେ ସିଏ ଅଧିକ ଓ ଅଧିକ ଜାଣିବାକୁ ଏବଂ ହେବାକୁ ଇଚ୍ଛା କରୁଛି । ପିଲାବେଳେ ସତକୁ ସତ କିଛି ମୁକ୍ତ ହୋଇ ଗ୍ରହଣ କରି ପାରିନାହାନ୍ତି ବୋଲି ଆମ ଏଯୁଗରେ ଅଧିକାଂଶ ବୟସ୍କ ଓ ବଡ଼ ଏପରି ଏଡ଼େ ଅପରିପକ୍ଵ ହୋଇ ରହିଛନ୍ତି କି ? ଏଣୁ, ସେହି କାରଣରୁ ହିଁ ଇହାଦେ ଆମ ପୃଥବୀରେ ଏତେ ଏତେ ଦୁର୍ଗତି ଏବଂ ଅନିଶ୍ଚୟତା ଆମକୁ ଘେରି କରି ରହିଛି । ଅର୍ଥନୈତିକ ଏବଂ ନୈତିକ ବହୁ ବହୁ ଦୁର୍ଗତି ଏବଂ ଦ୍ଵନ୍ଦ୍ୱ ଓ ଅସଙ୍ଗତି । ଏବଂ ଆମେ ଅନେକ ନିତାନ୍ତ ହାସ୍ୟାସ୍ପଦ ଭାବରେ ସର୍ବଦା ହିଁ ଆଶା କରୁଛୁ ଯେ କିଏ ଜଣେ କେଡ଼େ ବଡ଼ କେଉଁଠାରୁ ଆସିବା ଏବଂ ସତେଅବା କୌଣସି ଯାଦୁ କଲାପରି ଏହି ପୃଥିବୀଟାକୁ ଏବଂ ଆମର ଜୀବନଗୁଡ଼ିକୁ ବଦଳାଇ ଦେବ !

 

ଯଥାର୍ଥ ଶିକ୍ଷାସ୍ଥାନ ତଥା ବିଦ୍ୟାଳୟଟିଏ ପିଲାମାନଙ୍କୁ ଦାୟିତ୍ଵ ସଚେତନ ହେବାକୁ ଶିକ୍ଷା ଦେବ, ସେମାନଙ୍କର ନିଜ ନିଜର ପଥ ଆବିଷ୍କାର କରିବାରେ ସେମାନଙ୍କୁ ସାହାଯ୍ୟ କରିବ । ପିଲା ସ୍ୱାଧୀନ ହେବ ଏବଂ ଅଧିକରୁ ଅଧିକ ପରିପୂର୍ଣ୍ଣତା ନିମନ୍ତେ ଅସ୍ପୃହା ରଖିବ । ଅର୍ଥାତ୍ ସେମାନେ ବଡ଼ ହୋଇ ଯଥାସମ୍ଭବ ଅଧିକ ସରଳ ଭାବରେ ଆପଣାର ଜୀବନଟିକୁ ବଞ୍ଚପାରିବେ : ଅନ୍ତଃଜୀବନରେ ସକଳ ଜଟିଳତାରୁ ମୁକ୍ତ ହେବେ ଓ ବାହ୍ୟ ଜୀବନରେ ମଧ୍ୟ ଗୁଡ଼ାଏ ଆବଶ୍ୟକତାରେ ଆଦୌ ବାନ୍ଧି ହୋଇ ରହିବେ ନାହିଁ । ଜୀବନ କହିଲେ ସେମାନେ ଅସୁମାରି ସମ୍ଭାବନାର ଏକ ସମ୍ଭାବ୍ୟ କ୍ଷେତ୍ର ବୋଲି ବୁଝିବାକୁ ସମର୍ଥ ହେବେ । ‘ମୁଁ’ ବା ‘ମୋର’ ଗୁଡ଼ାକର ଦଉଡ଼ି ଗୁଡ଼ାକରେ ବାନ୍ଧି ହୋଇ ରହିବେ ନାହିଁ ଏବଂ ସମାଜକୁ କାବୁ କରି ରଖିଥିବା ଦୂରତାମାନଙ୍କରୁ ଆପଣାକୁ ବାହାର କରି ଆଣିବେ । ଏବଂ, ପୁନର୍ବାର ସେହି ଅସଲ କଥାଟି: ଆମର ଛାତ୍ରମାନେ ଏକ ପରିପୂର୍ଣ୍ଣ ଜୀବନ ଲାଗି ଆଗ୍ରହୀ ହୁଅନ୍ତୁ ବୋଲି ଶିକ୍ଷାଦାତାମାନେ ସତକୁ ସତ ଇଚ୍ଛା କରିବେ, ତେବେ ସେମାନେ ନିଜେ ମଧ୍ୟ ଅଧିକରୁ ଅଧିକ ପରିପୂର୍ଣ୍ଣ ଏକ ଜୀବନ ନିମନ୍ତେ ସଦାଚେଷ୍ଟିତ ହୋଇ ରହିବେ, ନିର୍ଭୀକ ହୋଇଥବେ ଏବଂ ଭଲ ପାଇ ପାରୁଥିବେ । ଆମେ ଆପଣାର ଦୈର୍ଘ୍ୟ ଓ ପ୍ରସ୍ଥଗୁଡ଼ିକରେ ସତକୁ ସତ ଯାହା ଓ ଯେତିକି, ଆମେ ସକଳ ଅର୍ଥରେ ସେହି ଅନୁସାରେ ହିଁ ତ ଆମ ପିଲାମାନଙ୍କର ସହାୟତା କରିପାରିବା !

 

ଅର୍ଥାତ୍, ଯଥାର୍ଥ ଶିକ୍ଷା ଜଣେ ତଥାକଥିତ ବିଶେଷ କୌଶଳରେ ଅଭିଜ୍ଞ ଓ ଧୁରନ୍ଧର ବ୍ୟକ୍ତିର କୌଣସି ନିଜସ୍ୱ ମାହାଲ ହୋଇ ରହି ପାରିବନାହିଁ । ଏହି ଅଧ୍ୟାୟଟିରେ କେଡ଼େ ସରଳ ନାନା କଥା କୁହାଯାଇଥିବା ପରି ହୁଏତ ଲାଗୁଥିବ ସିନା, କିନ୍ତୁ ଏଗୁଡ଼ିକର ସତକୁ ସତ ପ୍ରୟୋଗ ସମ୍ଭବ ହୋଇ ଆସିଲେ ତାହା ସମାଜକୁ ମଧ୍ୟ ଅତ୍ୟନ୍ତ ଗଭୀର ଭାବରେ ପ୍ରଭାବିତ କରିବାକୁ ଆରମ୍ଭ କରିବ । ଏବେ ତ ସେହି ପୁରୁଣା ଗୁଳାମାନଙ୍କରେ ପଡ଼ି ଆସିଥିବା ହେତୁ ଅଧିକାଂଶ ମନୁଷ୍ୟ ପଚାଶ ବା ପଇଁଚାଳିଶି ହେବା ବେଳକୁ ଆପଣାକୁ ନିତାନ୍ତ ଅସମର୍ଥପ୍ରାୟ ଅନୁଭବ କରୁଛନ୍ତି ଏବଂ ତେଣୁ ତୁଚ୍ଛା କଥା ମାନୁଛନ୍ତି, ନାନାବିଧ ଭୟର ପ୍ରକୋପରେ ନିଷ୍ପେଷିତ ହେବାରେ ଲାଗିଛନ୍ତି । ପ୍ରୀତି ନାହିଁ, ତେଣୁ ଉଚିତ ସମ୍ପର୍କମାନେ ସମ୍ଭବ ହୋଇ ପାରୁନାହାନ୍ତି । ହଁ ଶୃଙ୍ଖଳାମାନ ରହିଛି ଏବଂ ଭିତରେ ବାହାରେ ବହୁ ବିଚିତ୍ର ଶୃଙ୍ଖଳମାନେ ହିଁ ଗୋଡ଼ରେ ବନ୍ଧାହୋଇ ରହିଛନ୍ତି । ଏଣୁ, ଆମେ ଯେଉଁମାନେ ଏହିସବୁ ସମସ୍ୟା ସହିତ ଗଭୀର ଭାବରେ ସଂପୃକ୍ତ କରି ରଖିବାକୁ ଇଚ୍ଛା କରୁଛେ, ଆମେ ସବାଆଗ ଆପଣାକୁ ବୁଝିବା ଏବଂ ତଦ୍ଦ୍ଵାରା ଏହି ସମାଜରେ ପରିବର୍ତ୍ତନ ଆଣିବାରେ ସହାୟତା କରିବା । ଶିକ୍ଷାରେ ଏକ ନୂତନ ଦୃଷ୍ଟିକୋଣକୁ ସମ୍ଭବ କରି ଆଣିବା । ଅର୍ଥାତ୍ ଆମକୁ ମାଧ୍ୟମ କରି ହିଁ ସମସ୍ୟାଟିର ସମାଧାନ ହେବ । ଆଉ ହୁଏତ ଅନ୍ୟ କୌଣସି ପନ୍ଥା ହିଁ ନାହିଁ ।

 

ବର୍ଭମାନର ପ୍ରଚଳିତ ଶିକ୍ଷା ଏବଂ ଆମର ସମାଜ ଯେପରି ହୋଇ ରହିଛି, ସେଥିରେ ଜଣେ ବ୍ୟକ୍ତିକୁ ଏକ ମୁକ୍ତ ତଥା ପୂର୍ଣ୍ଣାଙ୍ଗ ଜୀବନଧାରା ହାସଲ କରିବା ଦିଗରେ ନାନା ପ୍ରତିବନ୍ଧକ ସୃଷ୍ଟି କରି ରଖାଯାଇଛି । ତେଣୁ ପିତାମାତା ଏ ଦିଗରେ ବିଶେଷ ପ୍ରୟାସ କରନ୍ତି ଏବଂ ନିଜର ପିଲାଟି ଏକ ପରିପୂର୍ଣ୍ଣ ଜୀବନ ମଧ୍ୟକୁ ବିକଶିତ ହୋଇ ଯାଇପାରୁ ବୋଲି ମନ କରନ୍ତି, ତେବେ ସେମାନେ ନିଜ ଘରର ଗଢ଼ଣ ତଥା ପରିବେଶକୁ ଅନୁକୂଳ ପ୍ରକାରେ ତିଆରି କରିବା ନିମନ୍ତେ ମଧ୍ୟ ନିଶ୍ଚୟ ପ୍ରୟାସୀ ହେବେ । ତା’ ହେଲେ ସେମାନେ ଏପରି ଅନ୍ୟଭଳି ବିଦ୍ୟାଳୟମାନଙ୍କର ପ୍ରତିଷ୍ଠା ଲାଗି ଆଗ୍ରହୀ ହେବେ, ଯେଉଁଠାରେ କି ଉଚିତ କିସମର ଶିକ୍ଷାଦାତା ବି ଥିବେ । ପିଲାମାନଙ୍କ ଉପରେ ଏକ ପାଖରେ ଘର ଏବଂ ଅନ୍ୟପାଖରେ ଶିକ୍ଷାଳୟ ଆଡ଼ୁ ପଡ଼ୁଥିବା ପ୍ରଭାବ ମଧ୍ୟରେ ଆଦୌ କୌଣସି କ୍ଷତିକାରୀ ବିରୋଧ ମଧ୍ୟ ରହିବା ଉଚିତ ହେବ ନାହିଁ । ଅର୍ଥାତ୍, ଉଭୟ ଶିକ୍ଷକ ଏବଂ ପିତାମାତା ମଧ୍ୟ ସେହି ଅନୁସାରେ ଆପଣାକୁ ସମ୍ମତ କରାଇନେବେ । ଏବେ ତ ସେହି ବିରୋଧ ପ୍ରବଳ ଭାବରେ ରହିଛି ଓ ସରକାର ତଥା ପ୍ରତିଷ୍ଠିତ ଧର୍ମଗୁଡ଼ିକ ତାହାକୁ ଆହୁରି ଜଟିଳ କରିବାରେ ଖୁବ୍ ସାହାଯ୍ୟ କରୁଛନ୍ତି । ବିଚରା ପିଲାଟି ପ୍ରାୟ ମୂଳରୁ ହିଁ ପ୍ରାୟ ଦୁଇଖଣ୍ଡ ହୋଇ ରହିଯାଉଛି ଏବଂ ନାନା ବିପନ୍ନତା ଦ୍ଵାରା ପୀଡ଼ିତ ହେଉଛି ।

 

ତେଣୁ, ଆମେ ଯେଉଁମାନେ ଆମ ପିଲାଙ୍କୁ ପ୍ରକୃତରେ ଭଲ ପାଉଛୁ ଓ ଏହି ସମସ୍ୟାଟିର ଗୁରୁତ୍ୱଟିକୁ ହୃଦୟଙ୍ଗମ କରୁଛୁ, ଆମେ ଏଇଟି ପ୍ରତି ସତକୁ ସତ ମନୋନିବେଶ କରିବା । ତା’ହେଲେ, ଆମର ସଂଖ୍ୟା ଯେତେ ଅଳପ ହେଲେ ମଧ୍ୟ ଆମେ ଉଚିତ ଶିକ୍ଷା ତଥା ସମୁଚିତ ଗୃହ ପରିବେଶ ଦୁଇଟିର ସାହାଯ୍ୟରେ ହିଁ ଆମ ପିଲାମାନଙ୍କୁ ପୂର୍ଣ୍ଣ ମନୁଷ୍ୟ ହେବାରେ ଅବଶ୍ୟ ଏକ ସମ୍ଭାବନା ଯୋଗାଇଦେଇ ପାରିବା । ମାତ୍ର, ଅନେକ ବର୍ତ୍ତମାନ ଯେଉଁଭଳି କରୁଛନ୍ତି, ତଦ୍ଦ୍ଵାରା ଆମର ପିଲାମାନେ ଠିକ୍ ବର୍ତ୍ତମାନ ପରି ଖଣ୍ଡିଆ ହୋଇ ବଢ଼ୁଥିବେ ଏବଂ ଏହି ପୃଥିବୀରେ ଯୁଦ୍ଧ ଲାଗିବ । ଆମେ ବଦଳିଲେ ଆମର ଶିକ୍ଷାପ୍ରୟାସମାନେ ବଦଳି ପାରିବେ । ଅର୍ଥାତ୍, ଆମେ ଆପଣାକୁ ଆଉ ଯୁଦ୍ଧମାନ ଭିଆଇ ପରସ୍ପରକୁ ହତ୍ୟା କରି ବାହାରି ପଡ଼ିବା ନାହିଁ– କୌଣସି ଉଚ୍ଚ ଆଦର୍ଶର ନିଶାରେ ମାତିଯାଇ ମଧ୍ୟ ନୁହେଁ । ଆମେ ପରସ୍ପର ପ୍ରତି କୋମଳ ଓ ବିଚାରଶୀଳ ହେବା, ଯଥାସମ୍ଭବ ଅଳପରେ ସନ୍ତୁଷ୍ଟ ରହିବା,– ଅର୍ଥାତ୍ ସେହି ସର୍ବୋଚ୍ଚ ସତ୍ୟଟିର ଅନ୍ଵେଷଣରେ ସକ୍ରିୟ ହୋଇ ରହିଥିବା । ତେବେ ଯାଇ ତ ମନୁଷ୍ୟଜାତିର ଯଥାର୍ଥ ଉଦ୍ଧାର ସମ୍ଭବ ହେବ !

 

ବୁଦ୍ଧି, କର୍ତ୍ତୃତ୍ଵ–ବ୍ୟବସ୍ଥା ଓ ବୋଧଶକ୍ତି

 

ଆମେ ଅନେକ ଖୁବ୍ ଭାବିନେଉ ଯେ, ସବୁ ମଣିଷଙ୍କୁ ପଢ଼ିବା ଲେଖିବା ଶିଖାଇ ଦେଲେ ଜଣେ ଜଣେ ମନୁଷ୍ୟ ହିସାବରେ ଆମର ଏହି ପୃଥିବୀର ସବୁଯାକ ସମସ୍ୟା ସମାଧାନ ଅବଶ୍ୟ ହୋଇଯିବ । ତାହା ଆଦୌ ସତ୍ୟ ନୁହେଁ । ତଥାକଥିତ ଶିକ୍ଷାପ୍ରାପ୍ତ ମନୁଷ୍ୟମାନେ ଆଦୌ ପୃଥିବୀରେ ଶାନ୍ତି ଆସୁ ବୋଲି ଇଚ୍ଛା କରନ୍ତି ନାହିଁ, ସେମାନେ ମୋଟେ ପୂର୍ଣ୍ଣ ମନୁଷ୍ୟ ନୁହନ୍ତି ଏବଂ, ପୃଥିବୀରେ ସଂପ୍ରତି ଏହି ଯେତେ ଦ୍ଵନ୍ଦ୍ୱ ତଥା ଦୁଃଖ ବିଦ୍ୟମାନ ରହିଛି, ସେଥିରେ ସେମାନଙ୍କର ମଧ୍ୟ ବେଶ୍ ଦାୟିତ୍ଵ ରହିଛି । ଯଥାର୍ଥ ଶିକ୍ଷା ହେଉଛି ଯେ, ତାହା ଆମ ବୋଧଶକ୍ତିକୁ ଜାଗରିତ କରି ଆଣିବ, ଏକ ପୂର୍ଣ୍ଣାଙ୍ଗ ଜୀବନର ଅଭିବୃଦ୍ଧି ଘଟାଇବ,–ତେବେ ଯାଇ ତଦ୍ଦ୍ୱାରା ଏକ ନୂତନ ସଂସ୍କୃତି ଓ ଶାନ୍ତିପୂର୍ଣ୍ଣ ପୃଥ୍ଵୀଜୀବନ ଅନୁକୂଳତା ଲାଭ କରିବ । (ପୃଷ୍ଠା-୫୨) ।

 

ମାତ୍ର ସେଥୁଲାଗି ଏକ ଭିନ୍ନ ମୂଳଦୁଆ ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ହେବ । ତେଣେ ପୃଥିବୀଟା ବରବାଦ ହୋଇ ଯାଉଛି ଏବଂ ଆମେ ଏଣେ ନାନା ସିଦ୍ଧାନ୍ତ ଓ ରାଜନୀତିକ ବୃଥା ସମସ୍ୟାଗୁଡ଼ାକୁ ନେଇ କେତେ ଗମ୍ଭୀର ଆଲୋଚନା କରୁଛୁ । କୌଣସି ସତ୍ୟର ଶ୍ରବଣ କରିବ ଏବଂ ସେହି ଅନୁସାରେ କାର୍ଯ୍ୟ କରୁନଥିବ, ତେବେ ତାହା ଆମ ଜୀବନରେ ଏକ ବିଷରେ ହିଁ ପରିଣତ ହୋଇଯିବ । ତେଣୁ, ମନୁଷ୍ୟ ଭିତରେ ଏକ ଯଥାର୍ଥ ବୋଧଶକ୍ତିର ଜାଗୃତି ଘଟାଇବା, ତାହା ହେଉଛି ଅସଲ କଥା । ବାହାରର ଏଇଟାକୁ କିମ୍ବା ସେଇଟାକୁ ବଦଳାଇ ଦେବାଦ୍ଵାରା ନୁହେଁ, ଆମ ଭିତରେ ପ୍ରକୃତରେ ମୂଳଭୂତ ହୋଇ କିଛି ଘଟିବ, ଆମର ମୂଲ୍ୟମାନେ ବଦଳିବେ– ତେବେ ଯାଇ ପରିବେଶ ବଦଳିବ, ସମାଜର ଗଢ଼ଣ ବଦଳିବ– ଏବଂ ଆମେ ଓ ତୁମେ ହିଁ ସେହି ବିପ୍ଳବଟିକୁ ସମ୍ଭବ କରି ଆଣି ପାରିବା । ତେଣୁ, ଯେଉଁମାନଙ୍କର ନିଷ୍ଠା ଥିବ, ସେମାନେ ଆଗ ଆପଣାକୁ ହିଁ ଏକ ନୂଆ ଗଢ଼ଣରେ ଆଖି ପକାଇବେ । ଆତ୍ମଜ୍ଞାନ ହେଉଛି ସକଳ ମୁକ୍ତିଲାଭର ଦ୍ଵାର ସଦୃଶ ।

 

କେହି କେହି ହୁଏତ ପଚାରିବେ, ମାତ୍ର ଏହିପରି ବଦଳିଗଲେ ମଧ୍ୟ ଜଣେ ମନୁଷ୍ୟ ପ୍ରକୃତରେ କ’ଣ କରିପାରିବ ? ହଁ, ପାରିବ । ତୁମେ ଅଥବା ମୁଁ ତଦ୍ଦ୍ଵାରା କଦାପି ପୃଥିବୀର ଯୁଦ୍ଧଗୁଡ଼ାକୁ ଯାଇ ବନ୍ଦ କରିଦେଇ ପାରିବା ନାହିଁ ସତ, କିନ୍ତୁ ଆମ ନିଜ ନିଜ ଭିତରେ ରହିଥିବା ସମ୍ପର୍କମାନଙ୍କ କେତେ ନା କେତେ ପରିବର୍ତ୍ତନ ଅବଶ୍ୟ ଆଣିପାରିବା ଏବଂ ସେଇଟିର ଏକାଧିକ ଫଳ ନିଶ୍ଚୟ ଫଳିବ, । ନିଜକୁ ବୁଝିବାକୁ ହେଲେ ଆମେ ଆମ ପାରସ୍ପରିକ ସମ୍ବନ୍ଧଗୁଡ଼ିକ ବିଷୟରେ ମଧ୍ୟ ସଜ୍ଞାନ ହେବା । ଆମ ମୂଲ୍ୟବୋଧ ତଥା ଜୀବନଦୃଷ୍ଟି ବଦଳିବ । ମାତ୍ର ଆମେ ନିଜକୁ ବଦଳାଇବାରେ ଆଗ୍ରହୀ ନହୋଇ ବାହାରେ ରାଜନୀତିକ ଏବଂ ଆହୁରି କେତେଭଳି ପରିବର୍ତ୍ତନ ଓ ବିପ୍ଳବ ଆଣିବାରେ ଖୁବ ତତ୍ପର ହୋଇ ରହିଥାଉ । ହିଂସାଦ୍ୱାରା ଅର୍ଥାତ୍ ଏକ ଅନ୍ୟକୁ ଖତମ କିରିଦେବାର ଦଉଡ଼ରେ ମୋଟେ କିଛି ହାସଲ ହିଁ ହୁଏ ନାହିଁ । ଆଧୁନିକ ଶିକ୍ଷା ଆମକୁ ପ୍ରକୃତରେ ଏକାନ୍ତ ପଣେ ବୋଧଶୂନ୍ୟ ଓ ଭାବଶୂନ୍ୟ କରିଦେବାରେ ଲାଗିଛି । ଜଣେ ଜଣେ ବ୍ୟକ୍ତି ହିସାବରେ ଆମ ଜୀବନରେ ଯଥାର୍ଥ ବାଟଟିଏ ବାହାର କରିବାରେ ତାହା ଆମକୁ କୌଣସି ସାହାଯ୍ୟ କରୁନାହିଁ-। ଆମକୁ ପରୀକ୍ଷାମାନଙ୍କରେ ପାସ୍ କରାଇ ଦେଉଛି; ଭାଗ୍ୟରେ ଥିଲେ ଆମେ ଗୋଟାଏ କିଛି କାମ ପାଇଯାଉଛୁ ଏବଂ ତା’ପରେ ଜୀବନତମାମ ଗୋଟାଏ ଗୁଳାରେ ପଡ଼ିଯାଉଛୁ-। ଆମେ ଆଦରି ନେଇଥିବା କାମଟା ହୁଏତ ଆମକୁ ଆଦୌ ଭଲ ଲାଗୁନାହିଁ ଏବଂ ସେଥିରୁ ଆପଣା ଭିତରେ ବହୁ ଦ୍ଵନ୍ଦ୍ୱରେ ପ୍ରାୟ ନିରନ୍ତର ପୀଡ଼ିତ ହୋଇ ରହିବା ସାର ହେଉଛି । ଏବଂ ବାହାରେ ନାନାପ୍ରକାରେ ଖାପ ଖାଇ ବାଧ୍ୟ ହେବା ବ୍ୟତୀତ କୌଣସି ଅନ୍ୟ ଗତି ହିଁ ରହୁନାହିଁ-

 

ଭିତରେ ଭୟ ଏବଂ ବାହାରେ ବହୁ ବହୁ କର୍ତ୍ତୃତ୍ଵ ଦ୍ଵାରା ବାଧ୍ୟ ହୋଇ ରହିବା । ହଁ, ନାନା କିସମର କର୍ତ୍ତୃତ୍ଵ,–ଆମେ ନିଜ ଭିତରେ ରଖୁଥିବା କୁଢ଼ କୁଢ଼ ଜ୍ଞାନ, ସଫଳ ହେବାରେ ସକଳ ପ୍ରୟାସ, କ୍ଷମତା ଏବଂ ଆହୁରି କେତେ କ’ଣ । ଅର୍ଥାତ୍ ଅନ୍ୟମାନଙ୍କ ପାଖରେ କ୍ରୀଡ଼ନକ ହୋଇ ରହିବାର ନିତ୍ୟ ଦୁର୍ଦ୍ଦଶା । କାହାକୁ ଅଧୀନରେ ରଖିବା ଏବଂ କାହାର ଅଧୀନ ହୋଇ ରହିବା । ଆମର ସକଳ ଧର୍ମ ତଥା ଧର୍ମବିଧି-ପାଳନ ଓ ଏପରିକି ଈଶ୍ଵର-ଆରାଧନା ପଛରେ ମଧ୍ୟ ସେହି ଭୟ ଏବଂ ସେହି ଅସହାୟତା ବୋଧ । ଏହି ଯାବତୀୟ ବଳାତ୍କାରିତାରୁ ମୁକ୍ତି,–ସେଥିରୁ ହିଁ ଆତ୍ମଜ୍ଞାନ ନାମକ ସେହି ଅସଲ ଭୂମିଟିରେ ଏକ ଯଥାର୍ଥ ପ୍ରବେଶ । ତା’ପରେ ଯାଇ ଆମ ଭିତରେ ସେହି ଅସଲ ବୁଦ୍ଧି ତଥା ବୋଧର ଉଦୟ । ଏବଂ ତାହାହିଁ ତଥାକଥିତ ଆମ ମଥାବୁଦ୍ଧିକୁ ଅତିକ୍ରମ କରି ଯଥାର୍ଥ ଭଲ ପାଇବାର ସେହି ଅନ୍ୟ କ୍ଷେତ୍ରଟିର ପରିଚୟଲାଭ ।

 

ଅର୍ଥାତ୍, ତୁଚ୍ଛା ବୁଦ୍ଧିମାନଙ୍କର କର୍ଷଣଦ୍ୱାରା ଆମ ଜୀବନରେ ଜୀବନକୁ ବଞ୍ଚିବାର ଅସଲ ବୁଦ୍ଧିଟି ସମ୍ଭବ ହୋଇ ଯାଏନାହିଁ । ଅସଲ ବୁଦ୍ଧି ଓ ଅସଲ ବୋଧକୁ ହାଟରୁ କିଣି ହୁଏ ନାହିଁ କିମ୍ବା ହାଟରେ ବିକି ମଧ୍ୟ ହୁଏ ନାହିଁ । ଗୋଟିଏ ଖୋଲା ମନ,–ତାହା ପାଠମାନଙ୍କୁ ପଇଟାଇ ଆୟତ୍ତ କରି ଆଣିବାଠାରୁ ଅଧିକ ମହତ୍ଵପୂର୍ଣ୍ଣ । ‘ମୁଁ’ର ବାଡ଼ଗୁଡ଼ାକୁ ଡେଇଁଲେ ଯାଇ ଅସଲ ବୁଦ୍ଧି ଏବଂ ଅସଲ ପ୍ରଜ୍ଞା । (ପୃଷ୍ଠା–୬୫) ତଥାକଥିତ ଜ୍ଞାନ ତ ‘ହୁ’ ‘ହୁ’ ହୋଇ ବଢ଼ିବାରେ ଲାଗିଛି,–ମାତ୍ର ଅନୁଭବ କରିବାର ଶକ୍ତିଟି ମଧ୍ୟ ହଜି ହଜି ଯାଉଛି । ତେଣୁ, ବର୍ତ୍ତମାନ ତ ସେହି ଯଥାର୍ଥ ବୁଦ୍ଧି ତଥା ବୋଧ ଏକାନ୍ତ ଆବଶ୍ୟକ ଯାହାକି ଆମକୁ ପୂର୍ଣ୍ଣାଙ୍ଗ କରି ଆଣିବ । ଆମେ ଆମର ବଞ୍ଚିବାର ରୀତି ଗୁଡ଼ିକୁ ସର୍ବାଙ୍ଗୀନ ଭାବରେ ଜାଣିବା, ଆମ ବାସନାମାନଙ୍କର ମଧ୍ୟ ଅନ୍ତର୍ଭେଦ କରିବା । ଆମର ଯାବତୀୟ ପ୍ରସୀମନ ଗୁଡ଼ିକୁ ଜାଣିବା, ସେଗୁଡ଼ିକ ଲାଗି ଆମେ ବ୍ୟକ୍ତ କରୁଥିବା ପ୍ରତିକ୍ରିୟାମାନଙ୍କୁ ମଧ୍ୟ ଜାଣିବା । ଉଭୟ ସାମୂହିକ ତଥା ବ୍ୟକ୍ତିଗତ ପ୍ରତିକ୍ରିୟାଗୁଡ଼ିକୁ । ତାହାହିଁ ଆମ ଭିତରେ ଅଭିଳଷିତ ଯଥାର୍ଥ ବିପ୍ଳବଟିକୁ ଜନ୍ମ ଦେବ । ଏବଂ ଭଲ ପାଇବା ବି ସମ୍ଭବ କିପରି ହେବ ? ଘୃଣା ଦ୍ଵାରା ନୁହେଁ, ଶୋଷଣଦ୍ୱାରା ମଧ୍ୟ ନୁହେଁ । ସେହି ‘ମୁଁ’ ଟାକୁ ହିଁ ଏକମାତ୍ର ଚରମ ଓ ଚରମ ବୋଲି ଧରିନେବାର ପ୍ରମାଦରୁ ମୁକ୍ତ ହେଲେ ଯାଇ ଭଲ ପାଇବାକୁ ଅନୁଭବ କରିହେବ, ଭଲ ପାଇବାକୁ ବଞ୍ଚିହେବ । ଅର୍ଥାତ୍ ହୃଦୟରେ ପରିବର୍ତ୍ତନ ଘଟିବ, ଶୁଭେଚ୍ଛାଶକ୍ତିର ବୃଦ୍ଧି ହେବ, ଆମ ଭିତରଟା ମଧ୍ୟ ରୂପାନ୍ତରିତ ହେବାକୁ ଇଚ୍ଛା କରିବ ।

 

ଶିକ୍ଷା ଓ ବିଶ୍ୱଶାନ୍ତି

 

ସାଂପ୍ରତିକ ଜଗତର ସଙ୍କଟରେ ଶିକ୍ଷାର କିଭଳି ଭୂମିକା ରହିବ, ତାହା ଖୋଜି ବାହାର କରିବାକୁ ହେଲେ ପ୍ରଥମେ ସେହି ସଙ୍କଟ କିଭଳି କେଉଁଠାରୁ ଆସିଲା, ସେହି କଥାଟିକୁ ବୁଝିବାକୁ ହେବ । ମନୁଷ୍ୟ ମନୁଷ୍ୟ ଭିତରେ ରହିଥିବା ସମ୍ପର୍କରେ, ଧନର ଅର୍ଜନ ତଥା ଧନକୁ ଭୋଗ କରିବାର କ୍ଷେତ୍ରରେ ଓ ଆମ ବିଚାରଗୁଡ଼ିକର ଭୂମିରେ କିପରି ଅନୁଚିତ ମୂଲ୍ୟମାନେ ଆସି ପହଞ୍ଚିଗଲେ, ତାହା ଜାଣିବାକୁ ହେବ । କେବଳ ନିଜର ଅଭିବୃଦ୍ଧି ପାଇଁ ଏକନିଷ୍ଠ ହୋଇ ଆମେ ଅନ୍ୟମାନଙ୍କ ସହିତ ସମ୍ପର୍କିତ ହୋଇ ରହିବାକୁ ଇଚ୍ଛା କଲୁ କି ? କେବଳ ନିଜର ଧନ ଏବଂ ସମ୍ପତ୍ତିଗୁଡ଼ାକୁ ବଢ଼ାଇବାରେ ମନୋନିବେଶ କଲୁ କି ? ଆମ ସମାଜରେ ଏକ କ୍ଷୟକାରୀ ପ୍ରତିଦ୍ଵନ୍ଦ୍ୱିତାକୁ ପ୍ରଶ୍ରୟ ଦେଇ ଆମେ ଏକ ଅନ୍ୟଠାରୁ ବିଚ୍ଛିନ୍ନ ହୋଇ ରହିଲୁ କି ? ଖାଲି ନିଜ ଆଦର୍ଶଟିକୁ ଏକମାତ୍ର ଠିକ୍ ବୋଲି ଦାବି କଲୁ । ପରସ୍ପର ଭିତରେ ଅବିଶ୍ୱାସ ବଢ଼ିଲା, ନାନାବିଧ ଅସତ୍-ଇଚ୍ଛା ମଧ୍ୟ ରହିଲା, ଇତ୍ୟାଦି ଇତ୍ୟାଦି । ଆମେ କର୍ତ୍ତୃତ୍ୱଗୁଡ଼ାକ ଉପରେ, ଏହି ନେତାମାନଙ୍କ ଉପରେ ସର୍ବତ୍ର, ଦୈନନ୍ଦିନ ଜୀବନରେ, ଏବଂ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ଯାଏ ଅତ୍ୟନ୍ତ ନିର୍ଭରଶୀଳ ହୋଇ ରହିଲୁ । ଶାନ୍ତି ନିମନ୍ତେ ସରକାର ତଥା ଭଳି ଭଳି ସଂଗଠନ ଓ କର୍ତ୍ତୃତ୍ଵକୁ ଭରସା ମଧ୍ୟ କଲୁ; ଯେଉଁ ସମାଜରେ ସର୍ବଦା ହିଁ ନାନା ବିବାଦ ଓ ବିରୋଧ ଲାଗି ରହିଛି, ସେଠାରେ କୌଣସି ସ୍ଥାୟୀ ସୁଖ କିପରି କାହିଁକି ସମ୍ଭବ ହେବ !

 

ପୁନଶ୍ଚ, ଆମେ ସତକୁ ସତ କୌଣସି ଶାନ୍ତିର ପ୍ରତିଷ୍ଠା ହେଉ ବୋଲି ଆଦୌ ଇଚ୍ଛା କରୁଛୁ କି ? ଏହି ଯାବତୀୟ ଶୋଷଣର ଅନ୍ତ ହେଉ ବୋଲି ଚାହୁଁଛୁ କି ? ଆମର ଲୋଭମାନେ ଯେପରି ସେହିପରି ରହିବେ, ସମାଜର ଗଢ଼ଣଟା ସେହିପରି ରହିବ–ତେବେ ବସ୍ତୁତଃ ଚତୁରମାନେ ଏବଂ କ୍ଷମତାଧିକାରୀମାନେ ଆମ ଜୀବନ ଉପରେ ଅବଶ୍ୟ ରାଜତ୍ଵ କରିବାରେ ଲାଗିଥିବେ । କୌଣସି ଆଦର୍ଶବାଦ ଦ୍ଵାରା ବା ଆଇନ୍‍ଗୁଡ଼ିଏ ପାସ୍ କରିଦେଲେ ଶାନ୍ତି ଆସିବ ନାହିଁ-। ଆମେ ବ୍ୟକ୍ତିମାନେ ନିଜ ବିଷୟରେ ସଜ୍ଞାନ ହେଲେ ଯାଇ ଶାନ୍ତି ସମ୍ଭବ ହେବ । ବ୍ୟକ୍ତି ତାର ଦାୟିତ୍ଵମାନଙ୍କୁ ଏଡ଼ି ଏଡ଼ି ଯାଉଥିବ ଓ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଦ୍ଵାରା ତାହାର ପ୍ରତିଷ୍ଠା ହୋଇଯିବ ବୋଲି ବିଚାର କରି ଅପେକ୍ଷା କରିଥିବ, ତେବେ ସିଏ ସେହି ବ୍ୟବସ୍ଥାଟିର ଦାସ ହୋଇ ରହିବାକୁ ହିଁ ବାଧ୍ୟ ହେବ । ଏବଂ ସମସ୍ତଙ୍କୁ ଉତ୍ତମ ଆହାର ଓ ବସ୍ତ୍ର ଆଦି ମିଳୁଥିବ, ସମସ୍ତେ ଭଲ ଘରମାନଙ୍କରେ ରହିବେ, ତଥାପି ଦ୍ଵନ୍ଦ୍ୱ ବା ବିରୋଧମାନଙ୍କର ଅନ୍ତ ହେବନାହିଁ । ଆମେ ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ଏକ ନିର୍ଦ୍ଦିଷ୍ଟ ମତବାଦର ବା ଧର୍ମର ବୋଲି ଉତ୍ତେଜିତ ହୋଇ ଭାବୁଥିବା ଯାଏ ତାହା କେବଳ ଅହଙ୍କାରିତମାନଙ୍କୁ ହିଁ ପ୍ରେରଣା ଦେଉଥିବ । ବସ୍ତୁତଃ ସରକାରମାନେ ହିଁ ନିଜ ନିଜ ଦେଶରେ ଶିକ୍ଷାବ୍ୟବସ୍ଥାର ମାଲିକ ହୋଇ ରହିଥାଆନ୍ତି ଏବଂ ତାହାଦ୍ୱାରା ବିବାଦମାନଙ୍କୁ ଡାକି ଆଣିବାଟା ହିଁ ସାରହୁଏ । ଅର୍ଥାତ୍ ଶିକ୍ଷା ସରକାରମାନଙ୍କ ହାତରେ ଖେଳନାବତ୍ ହୋଇ ରହିଥିବା ପର୍ଯ୍ୟନ୍ତ କିମ୍ବା ଧର୍ମର ଅକ୍ତିଆର ମଧ୍ୟରେ ଚାଲୁଥିଲେ ପୃଥିବୀରେ ଶାନ୍ତି ବା ଶୃଙ୍ଖଳା ସମ୍ଭବ ହିଁ ହେବନାହିଁ । (ପୃଷ୍ଠା-୭୭) । ଯଦି ସତକୁ ସତ ସନ୍ଦୀପନଯୁକ୍ତ ସମାଜର ସ୍ଥାପନା କରିବାକୁ ହେବ ତେବେ ଆମ ଶିକ୍ଷକମାନେ ମଧ୍ୟ ଏକ ପୂର୍ଣ୍ଣାଙ୍ଗ ଜୀବନର ମାର୍ଗକୁ ବୁଝିବେ ଓ ପିଲାମାନଙ୍କୁ ମଧ୍ୟ ସେହି ବୋଧଟିକୁ ପ୍ରଦାନ କରିପାରିବେ । କିନ୍ତୁ ବର୍ତ୍ତମାନ ଆମ ସମାଜଗୁଡ଼ିକର ଗଠନ ଯେପରି, ସେଥିରେ ସେହିପରି ଶିକ୍ଷକ ତ ନାନା ବିପଦ ସୃଷ୍ଟି କରିବାର କାରଣ ମଧ୍ୟ ହେବେ !

 

କୌଣସି ସାର୍ବଭୌମ ରାଷ୍ଟ୍ର ଇଚ୍ଛା ବି କରିବ ନାହିଁ ଯେ ସେଠାରେ ନାଗରିକମାନେ ମୁକ୍ତ ହୁଅନ୍ତୁ, ମୁକ୍ତ ଭାବରେ ଚିନ୍ତା କରି ପାରନ୍ତୁ । ବର୍ତ୍ତମାନ ତ ଶିକ୍ଷା ଏବଂ ଖାଦ୍ୟର ସବୁଯାକ ବରାଦ ଅଳପଙ୍କ ହାତରେ ରହିଛି ଏବଂ ସେମାନେ ମନୁଷ୍ୟକୁ ଫାଶ ଭିତରେ ବାନ୍ଧି ରଖୁଛନ୍ତି (ପୃଷ୍ଠା-୮୧) । ଏବଂ ଆମେ ମନୁଷ୍ୟମାନେ ସତେଅବା ଯେଉଁପରି ସେହିପରି ହୋଇ ରହିବାକୁ ଇଚ୍ଛା କରୁ, ପୁରୁଣା ମୂଲ୍ୟବୋଧମାନଙ୍କୁ ତ୍ୟାଗ କରି ନୂଆ କରି କିଛି ଆରମ୍ଭ କରିବାକୁ ଆଗ୍ରହ ହିଁ କରୁନାହିଁ । ତେଣେ ଘରମାନେ ଭୁଷୁଡ଼ିବାରେ ହି ଆରମ୍ଭ କଲେଣି । ତେଣୁ ଆମକୁ ନିଜର ଏହି ଅସୁନ୍ଦରତା, ହୃଦୟହୀନତା, ପ୍ରବଞ୍ଚନ ତଥା ଅସାଧୁତାକୁ ଅବଶ୍ୟ ଜାଣିବାକୁ ହେବ । ତେବେ ଯାଇ ପ୍ରୀତିଶକ୍ତି ବଢ଼ିବ, କ୍ଷମତା ପାଇଁ ସର୍ବବିଧ ଲାଳସାରେ ହ୍ରାସ ଘଟିବ ।

 

ନିଷ୍କର୍ଷ ହେଉଛି, ତାଳି ପକାଇଲା ପରି ଆମେ ମୋଟେ କୌଣସି ଶାନ୍ତି ହାସଲ କରି ପାରିବା ନାହିଁ । ଏହି ଯାବତୀୟ ଉପରଠାଉରିଆ ତଥାକଥିତ ଗଢ଼ଣଗୁଡ଼ିକର ପଛରେ ପରିଣାମମାନ କ’ଣ ଅଛି, ସେକଥା ବୁଝିଲେ ଯାଇ ଶାନ୍ତି ସମ୍ଭବ ହେବ । ତେବେ ଯାଇ ଏହି ବିନାଶର ତରଙ୍ଗସ୍ରୋତର ଗତିରୋଧ ସମ୍ଭବ ହେବ । ଯାହା ଯେପରି ବିଦ୍ୟମାନ ରହିଛି, ତାହା ଆମର ଆକ୍ରମଣମୂଳକ ମନୋଭାବ ଏବଂ ଭୟଗୁଡ଼ିକ ଦ୍ୱାରା ହିଁ ସମ୍ଭବ ହୋଇଛି । ସେହି ସତ୍ୟଟିକୁ ବୁଝିଲେ ଯାଇ ଆମ ପିଲାମାନଙ୍କ ସକାଶେ ଆଦୌ କିଛି ଆଶା କରାଯାଇ ପାରିବ: ପୃଥିବୀର ପରିତ୍ରାଣ ନିମନ୍ତେ ମଧ୍ୟ ସତକୁ ସତ କିଛି ଆଗକୁ ବିଚାର କରିହେବ ।

 

ବିଦ୍ୟାଳୟ

 

ବ୍ୟକ୍ତିର ମୁକ୍ତିକୁ ଉପଲବ୍ଧ କରି ଆଣିବା ହେଉଛି ଯଥାର୍ଥ ଶିକ୍ଷାର ଅସଲ କାର୍ଯ୍ୟ । ଆମେ ସମସ୍ତେ ମାନବଜୀବନର ଗଭୀର ତାତ୍ପର୍ଯ୍ୟଟିକୁ ବୁଝିବା ଏବଂ ତେବେ ଯାଇ ଯଥାର୍ଥ ଶିକ୍ଷା ସମ୍ଭବ ହେବ । ମାତ୍ର, ଆମ ପିଲାମାନେ ଆମର ଗୋଟିଏ ଗୋଟିଏ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ ସେହି ଦିଗରେ ଗୋଟିଏ ପାଦ ମଧ୍ୟ ଆଗେଇ ପାରିବା ନାହିଁ । କୌଣସି ବିଦ୍ୟାଳୟରେ ଖୁଆଡ଼େ ପିଲା ଥିବେ ଏବଂ ସେଠାରେ ସେମାନଙ୍କୁ କେବଳ ନାନା ନିପୁଣ କୌଶଳ ବିଷୟରେ ତାଲିମ ଦିଆଯାଉଥିବ, ସେପରି ନୁହେଁ, ତେଣୁ ବରଂ ସେମାନେ ଅଳପ ସଂଖ୍ୟାରେ ହିଁ ଥିବେ । ହଁ ଆମର ସ୍କୁଲନାମକ ଅନୁଷ୍ଠାନଟିକୁ ସମର୍ଥ ଏବଂ ଆହୁରି ଅଧିକ ସମର୍ଥ କରି ତିଆରି କରିବାଟା ମୂଳ ଲକ୍ଷ୍ୟ ହୋଇ ରହିଥିବା ପର୍ଯ୍ୟନ୍ତ ଆମ ପିଲାମାନେ ଆମକୁ ସବାଆଗରେ ଥିବାପରି ଖୁବ୍ ବେଶୀ ଦେଖାଯାଉନଥିବେ । ପୁନଶ୍ଚ, ସେଥିରେ ଶିକ୍ଷକ ହୋଇ ଆସିଥିବା ଶିକ୍ଷକମାନେ ମଧ୍ୟ ସେଠାକୁ ନିଜ ଇଚ୍ଛାରେ ହିଁ ଆସିଥିବେ, ଆଦୌ ଧରା ହୋଇ ଆସି ନଥିବେ । ଏବଂ, କୌଣସି ବିଦ୍ୟାଳୟ ଆପଣାର ଶିକ୍ଷାଦାନ କାର୍ଯ୍ୟରେ ଅଧିକରୁ ଅଧିକ ମନୋନବେଶ କରୁଥିବାରୁ ବାହାରେ ଏକ ବାସ୍ତବ ଜଗତ ସର୍ବଦା ରହିଛି ବୋଲି ଆଦୌ ଭୁଲି ଯିବେ ନାହିଁ ।

 

ପ୍ରଧାନ ଶିକ୍ଷକ ହିଁ ବିଦ୍ୟାଳୟର ପ୍ରାୟ ଏକମାତ୍ର କେନ୍ଦ୍ର ହୋଇ ଆଦୌ ରହିବେ ନାହିଁ । ସିଏ ସେହି ଅନୁଷ୍ଠାନଟି ପାଇଁ ଏକା ହିଁ ଦାୟୀ ବୋଲି ଅନୁଭବ କରୁନଥିବେ, କିନ୍ତୁ ପାରସ୍ପରିକ ସହଯୋଗ ହିଁ ସର୍ବମୂଳ ସୂତ୍ର ହୋଇଥିବ ! ଅସୁବିଧା ଆସିବ, ଭୁଲ ବୁଝାମଣା ନିଶ୍ଚୟ ହେବ । ସମସ୍ତଙ୍କର କାର୍ଯ୍ୟ କ୍ଷୁବ, ବିଶ୍ରାମ ମଧ୍ୟ ରହିଥିବ । ଛାତ୍ର ତଥା ଶିକ୍ଷକ ସମୟ ସମୟରେ ଏକତ୍ର ହୋଇ ସାଧାରଣ ସମସ୍ୟାଗୁଡ଼ିକୁ ଆଲୋଚନା କରି ନେଉଥିବେ । ଏବଂ ଯଦି ଶିକ୍ଷକମାନଙ୍କ ଭିତରେ ଭଲ ପାଇବା ଥିବ, ସ୍ୱତନ୍ତ୍ରତାବୋଧ ବି ରହିଥିବ, ତେବେ ସେମାନେ ପିଲାମାନଙ୍କର ମଧ୍ୟ ସେହିସବୁ ଭାବ ସହିତ ନିକଟବର୍ତ୍ତୀ ହୋଇ ପାରିବେ ।

 

ସ୍କୁଲନାମକ ସେହି ସଂପୂର୍ଣ୍ଣ ପରିବେଶଟିରେ ହିଁ ଜଣେ ଛାତ୍ର ନିଜ ଭିତରର ନିର୍ଦ୍ଦିଷ୍ଟ ଆଗ୍ରହକୁ ଅଥବା ଆଗ୍ରହଗୁଡ଼ିକୁ ଆବିଷ୍କାର କରିବ । ସକଳ ଦୃଷ୍ଟିରୁ ବିଚାରି ଦେଖିଲେ ଏକ ଶାନ୍ତିପୂର୍ଣ୍ଣ ଓ ସନ୍ଦୀପିତ ସମାଜ ରଚିତ ହୋଇ ଆସିବାରେ ସାହାଯ୍ୟ କରିବାର ହେଉଛି ମୁଖ୍ୟତଃ ଜଣେ ଯୋଗ୍ୟ ଶିକ୍ଷକର ଯଥାର୍ଥ କାର୍ଯ୍ୟ । ପୁନଶ୍ଚ ଯଦି ପିତାମାତାମାନେ ପ୍ରକୃତରେ ସେମାନଙ୍କର ପିଲାଙ୍କ ବିଷୟରେ ପ୍ରକୃତରେ ଆଗ୍ରହୀ ହୋଇଥିବେ, ତେବେ ସେମାନେ ସ୍ଵୟଂ ମଧ୍ୟ ସେହିପରି ଗୋଟିଏ ସମାଜ ଗଠନ କରିବାରେ ଅବଶ୍ୟ ତତ୍ପର ହୋଇ ରହିବେ । ନହେଲେ ସେମାନେ ବରଂ ପଇସା କମାଇବାରେ ଅଧିକ ସୁଖଭୋଗ ବିଷୟରେ ସବାଆଗ ବ୍ୟସ୍ତ ରହିବେ । ଏବଂ ଏକ ନୂତନ ସମାଜ ଗଠନ କରି ଆଣିବାକୁ ହେଲେ ଆମ ସମସ୍ତଙ୍କୁ ମଧ୍ୟ ଜଣେ ଜଣେ ଯଥାର୍ଥ ଶିକ୍ଷକ ହେବାର ଲକ୍ଷ୍ୟ ରଖିବାକୁ ପଡ଼ିବ; ଅର୍ଥାତ୍ ଆମେ ପ୍ରତ୍ୟେକ ଏକାଧାରରେ ଜଣେ ଜଣେ ଛାତ୍ର ହେବା, ଶିକ୍ଷାଦାତା ମଧ୍ୟ ହେବା ।

 

ପିତାମାତା ଓ ଶିକ୍ଷକମାନେ

 

ଶିକ୍ଷାଦାତା ହେଉଛି ସର୍ବପ୍ରଥମ: ସିଏ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇଥିବ । ତେଣୁ ପିଲାମାନେ ନୁହନ୍ତି–ଅସଲ ସମସ୍ୟା ପିତାମାତା ଏବଂ ଶିକ୍ଷକ । ତେଣୁ, ସବାଆଗ ଆମେ ଶିକ୍ଷକ ଓ ଶିକ୍ଷକମାନେ ହିଁ ଆପଣାକୁ ସେହି ଅନୁସାରେ ପୁନର୍ବାର ତାଲିମ କରିଦେବା । ସେହି ତାଲିମ ନଥିଲେ ଆମେ ପିଲାମାନଙ୍କୁ ଯଥୋଚିତ ପ୍ରକାରେ ଆଦୌ ସାହାଯ୍ୟ ହିଁ କରିପାରୁନାହିଁ ଓ ନିଜର ଖଣ୍ଡଧାରଣା ତଥା ବୋଲମାନଙ୍କୁ ନେଇ ପଲାଉପରେ ଲଦିଦେଉ ।

 

ପୁନଶ୍ଚ, ଶିକ୍ଷକ ଓ ପିତାମାନେ ଆପଣାର ନିଜ ଧନ୍ଦାମାନଙ୍କରେ ଏତେ ବ୍ୟସ୍ତ ହୋଇ ରହିଥାଆନ୍ତି ଓ ନିଜର ଦୁଃଖ ଏବଂ ଦ୍ଵନ୍ଦ୍ୱ ଭିତରେ ଧନ୍ଦି ହୋଇ ରହିଥାନ୍ତି । ବହୁତ ପିତା ସେମାନେ ନିଜ ପିଲାଙ୍କ ସହିତ ଖୋଲା ମନରେ କଥା ହୋଇ ପାରୁଥିବେ– ସେହି ପିଲାଟି ବିଷୟରେ ପୃଥିବୀ ବିଷୟରେ,–ପୃଥିବୀ ନାମକ ଏହି ସକଳ ଆଶା ଓ ନିରାଶା ବିଷୟରେ । ଶିକ୍ଷକ ବି ପିଲାକୁ ଜଣେ ବ୍ୟକ୍ତିରୂପେ ଦେଖିବେ,– ତା’ଉପରେ ବିଶ୍ଵାସ ବି ସ୍ଥାପନ କରି ପାରୁଥିବେ । ପୁନଶ୍ଚ ଜଣେ ଶିକ୍ଷକ ଯଦି ନିତାନ୍ତ କାତର ଭାବରେ ନିରନ୍ତର ନିଜର ସଫଳତା ଉପରେ ହିଁ ସବୁଯାକ ଆଖୁ ରଖିଥିବ, ତେବେ ସେ ତା’ ଛାତ୍ରମାନଙ୍କୁ ମଧ୍ୟ କିପରି କ’ଣ ଉଚିତ ସହାୟତା ଗୁଡ଼ିକୁ ଯୋଗାଇଦେଇ ପାରିବ-?

 

ଶିକ୍ଷାରେ ସର୍ବବିଧ କର୍ତ୍ତୃତ୍ଵ କେବଳ ବାଧା ହିଁ ସୃଷ୍ଟି କରୁଥାଏ । ତେଣୁ, ଶିକ୍ଷକ ପିଲାଙ୍କ ଲାଗି ଆଦୌ ଏକ କର୍ତ୍ତୃତ୍ଵର ମଡ଼େଲ ହୋଇ ରହିବାକୁ ଇଚ୍ଛା କରିବନାହିଁ । (ପୃଷ୍ଠା-୧୦୯) ସିଏ ଛାତ୍ରମାନଙ୍କୁ କଦାପି ତା’ଉପରେ ନିର୍ଭରଶୀଳ କରି ମଧ୍ୟ ରଖିବ ନାହିଁ । ଅର୍ଥାତ୍ ପାରସ୍ପରିକତା ହିଁ ସବୁଠାରୁ ଅଧିକ ମୀମାଂସାକାରୀ ରୀତି ହୋଇରହିବ । ପିତାମାତାମାନେ ମଧ୍ୟ ଘର ଓ ସ୍କୁଲ ଭିତରେ ସେପରି କୌଣସି କ୍ଷତିକାରୀ ବିରୋଧ ଛିଡ଼ା କରି ରଖିବାଲାଗି ଚେଷ୍ଟା କରିବେ ନାହିଁ ।

 

ଆମେ ଆମର ପିଲାକୁ ଶିକ୍ଷାଦାନ କରିବାକୁ ଇଚ୍ଛା କରୁଛୁ, କାରଣ ସିଏ ନିଜ ଭିତରେ ହିଁ ଅଧିକରୁ ଅଧିକ ଯଥାର୍ଥ ସମ୍ପଦର ଅଧିକାରୀ ହେଉ ବୋଲି ପ୍ରକୃତରେ ଇଚ୍ଛା ମଧ୍ୟ କରୁଛୁ । ପିଲା ଆପଣାର ଭିତରୁ ହିଁ ଶକ୍ତିଶାଳୀ ଅନୁଭବ କରି ଆସୁଥିବ,–ତା’ ଜୀବନରେ ସତେଅବା ସବୁକିଛି ଠିକ୍ ଭାବେ ଋଲିଛି ବୋଲି କେତେ ସହଜ ଅଚେତନତା ସହିତ ଅନୁଭବ କରୁଥିବ । ଏକ ମିଛ ସଚେତନତାର ନାନା ଦ୍ଵନ୍ଦ୍ୱ ସହିତ ସିଏ ଆଦୌ ଅନ୍ୟମାନଙ୍କ ସହିତ ଏବଂ ସମାଜ ସହିତ ଗଣ୍ଠି ପଡ଼ି ବାଧ୍ୟ ହୋଇ ରହୁନଥିବ । ତେବେ ଯାଇ ମିଛ ‘ମୁଁ’ର ବନ୍ଧନଗୁଡ଼ିକ ଅପସରି ଯିବେ, ଭିତରର କୁପିତ ବିରୋଧମାନେ ଦୂର ହେବେ ଓ ଅସଲ ସତ୍ୟ ତଥା ଅସଲ ଭଗବାନ ମୂର୍ତ୍ତି ହୋଇ ଆସୁଥିବେ ।

 

କାମ ପ୍ରବୃତ୍ତି ଏବଂ ବିବାହ

 

ଆମର କାମନା ତଥା କାମପ୍ରବୃତ୍ତିର ତୃପ୍ତି– ସେଇଟିର ଏକାଦିକ ଦିଗ ରହିଛି ଏବଂ ଶିକ୍ଷାର କ୍ଷେତ୍ରରେ ସେଇଟିକୁ ମଧ୍ୟ ସମୁଚିତ ଭାବରେ ବୁଝିବାକୁ ହୋଇଥାଏ । ସେହି ସନ୍ତାପଦ୍ୱାରା ସନ୍ତପ୍ତ ହୋଇ ରହିଥିବା ପିତାମାତା ଓ ଶିକ୍ଷକମାନଙ୍କୁ ସେଇଟିକୁ ଆଦୌ କରି ପାରନ୍ତିନାହିଁ । ଏହି କାମନା ବୃତ୍ତିଟା ଆମ ଅନେକଙ୍କ ନିମନ୍ତେ ପ୍ରକୃତରେ କାହିଁକି ଗୋଟିଏ ସମସ୍ୟା ହୋଇ ରହିଥାଏ ଏବଂ ଆମ ଜୀବନର ଏତେଗୁଡ଼ାଏ ଜାଗା ମାଡ଼ି ବସିଥାଏ ? ସବାଆଗ କାରଣଟିଏ ହେଉଛି ଯେ ଆମ ଜୀବନରେ ସୃଜନଶୀଳତା ବୋଲି ପ୍ରାୟ ସେପରି କିଛି ନଥାଏ । ଆମ ସାମାଜିକ ଓ ଉନ୍ନତିଗତ ଏବଂ ଶିକ୍ଷାପ୍ରଣାଳୀର ଧାରାମାନେ ସେଦିଗରେ କିଛି ଯଥେଷ୍ଟ ହେବାଭଳି ଯୋଗାଇ ପାରୁନଥାନ୍ତି । ସେମାନେ ଅନ୍ୟ ସକଳ କ୍ଷେତ୍ରପରି, ମୁଖ୍ୟତଃ ବୁଦ୍ଧିରେ ସୀମାବଦ୍ଧ ହୋଇ ରହିଥାନ୍ତି-

 

ଆମ ଭାବନାମାନେ ତଥା ଜୀବନମାନେ ଅତ୍ୟନ୍ତ ସଂକୀର୍ଣ୍ଣ, ଶୁଷ୍କ ତଥା ଶୂନ୍ୟ ୟାଡ଼ୁସାଡ଼ୁ ଭିତରେ ବାନ୍ଧି ହୋଇ ରହିଯାଇ ଥାଆନ୍ତି– ଆମର ଭାବଦିଗଟି ଉପବାସୀ ରହିଥାଏ । ଧର୍ମ ଓ ବୁଦ୍ଧିମତ୍ତା ନାମରେ ଗୁଡ଼ିଏ ପୁନରାବୃତ୍ତି ଲାଗି ରହିଥାଏ । ଜୀବନରେ ଖୁସି ହିଁ ନଥାଏ, ପ୍ରାଣଶକ୍ତି ଗୁଡ଼ିକର ପ୍ରକାଶ ହିଁ ହେଉନଥାଏ । ସତେଅବା ସବୁକିଛି ଚାପିହୋଇ ରହି ଯାଉଥାଏ । ଫଳରେ କାମବୃତ୍ତିଟିକୁ ଚରିତାର୍ଥ କରିବା ହୁଏତ ଏକମାତ୍ର ପ୍ରକାଶମାଧ୍ୟମ ହୋଇ ରହେ । ଅନ୍ତତଃ, କିଛି କ୍ଷଣ ପାଇଁ ତ କିଛି ଶାନ୍ତି ମିଳେ ! ଅର୍ଥାତ୍ କିଛି ସୁଖ ପାଉଥିବା ପରି ଲାଗିବ । ତାହାହିଁ ଏକମାତ୍ର ଗତି ହୋଇରହିଯାଏ । ଭିତରର “ମୁଁ ଚେତନାଟି କେଡ଼େ, କ୍ଷୁଦ୍ର ହୋଇ ରହିଥାଏ,– ବଡ଼ ଦୁଃଖ ଦିଏ, ସେଥିପାଇଁ କୌଣସି ନା କୌଣସି ବ୍ୟକ୍ତିଗତ ଓ ସାମୂହିକୁ ଉତ୍ତେଜନାଲାଭରୁ ସତେଅବା କେତେ ଶାନ୍ତି ମିଳେ ।

 

ଆଦୌ କୌଣସି ସୃଜନାତ୍ମକ ଜୀବନ ଲାଗି ସର୍ବବୃହତ୍ ବାଧା ହେଉଛି ଭୟ ଏବଂ ନିଜର କିଞ୍ଚିତ୍ ମିଛ ସମ୍ମାନ ରହିଛି ବୋଲି ଦେଖାଇଦେବା ପଛରେ ସେହି ଭୟ ହିଁ ରହିଥାଏ । ସମ୍ମାନ ଲାଳସୀମାନେ ଜୀବନର ଗଭୀର ତାତ୍ପର୍ଯ୍ୟ ବିଷୟରେ ମୋଟେ କିଛି ଜାଣି ନଥାନ୍ତି । ଆପଣାର ଭଲପଣର କାନ୍ଥ ଭିତରେ ଏମାନେ ବନ୍ଦୀ ହୋଇ ରହିଥାନ୍ତି– କେତେ ଟଙ୍କା ଆଦର୍ଶ ଏବଂ ଧାର୍ମିକ ବିଶ୍ୱାସର ଭାଗ କରନ୍ତି ଏବଂ ଆଦୌ ବାସ୍ତବ ଭୂମିରେ ରହିନଥାନ୍ତି । ସେହି ଭୟ ହିଁ ଗୁଳାରେ ବାନ୍ଧି ହୋଇ ରହିବାର ମନ୍ତ୍ରଣା ଦିଏ । ଅପର ପକ୍ଷରେ, କୌଣସି ସୃଜନାତ୍ମକ ଜୀବନ ବଞ୍ଚିବାର ଅର୍ଥ ହେଉଛି ଭୟରୁ ମୁକ୍ତ ହେବା । ଆମକୁ ଉତ୍ତେଜିତ କରି ରଖିବାକୁ ତ ଆମ ଚାରିପାଖରେ କେତେ କେତେ ବହି, କେତେ ବିଜ୍ଞାପନ, ସିନେମା ଓ ଆହୁରି କେତେ କ’ଣ ସବୁ ! ରାଜନୀତି ଓ ଧର୍ମର ପ୍ରଦର୍ଶନମାନେ ମଧ୍ୟ କମ୍ କମ୍ ଉତ୍ତେଜିତ କରାଇ ରଖିବାକୁ ପ୍ରୟାସ କରିବାରେ ଲାଗିଛନ୍ତି !

 

ଏଗୁଡ଼ିକୁ ବୁଝିବାକୁ ହିଁ ପଡ଼ିବ । ଆମ ଜୀବନରେ ଭଲ ପାଇବା ନାହିଁ ଏବଂ ତେଣୁ ଏବେ କାମବୃତ୍ତିକୁ ଚରିତାର୍ଥ କରିବାର ଜ୍ଵରଟା ଏତେଗୁଡ଼ାଏ ଆକ୍ରାନ୍ତ କରି ରଖି ପାରୁଛି । ଧର୍ମମାନେ ଆମର ସେହି କାମଲାଳସାକୁ ଆୟତ୍ତରେ ରଖିବା ପାଇଁ କେତେ କ’ଣ କରୁଛନ୍ତି, କିନ୍ତୁ ଅନ୍ୟପକ୍ଷରେ ଦେଶପ୍ରତି କର୍ତ୍ତବ୍ୟ ନାଆଁରେ ଆମକୁ ହିଂସା ଓ ହତ୍ୟା କରିବା ସକାଶେ ବାଟ ଛାଡ଼ି ଦେଉଛନ୍ତି, ଅଧିକରୁ ଅଧିକ କ୍ଷମତା ଓ ସଫଳତା ଲାଗି ଟିହାଇବାରେ ଲାଗିଛନ୍ତି । ଶୋଷଣ, ଲୋଭ ଏବଂ ଯୁଦ୍ଧମାନେ ବନ୍ଦ ହୁଅନ୍ତୁ ବୋଲି କିଛି କହୁନାହାନ୍ତି । ଅର୍ଥାତ୍ ଆମର ମନଗୁଡ଼ିକ ଏହିପରି ନାନାବିଧ ଜଞ୍ଜିର ଦ୍ୱାରା ବନ୍ଧା ହୋଇ ହିଁ ପଡ଼ିଛନ୍ତି ।

 

ବାସନା ନାମକ ସେହି ସମଗ୍ର ପ୍ରକ୍ରିୟାଟିକୁ ବୁଝିବା ପାଇଁ ଯେପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ନଥିବ, ତେବେ ବର୍ତ୍ତମାନ ବିବାହ ନାମକ ଅନୁଷ୍ଠାନଟି ଯେପରି ଭାବରେ ବିଶ୍ଵଯାକ ପ୍ରଚଳିତ ହୋଇ ଆସିଛି, ତାହା କାମ ପ୍ରବୃତ୍ତି ନାମକ ସମସ୍ୟାଟିକୁ ମୋଟେ କୌଣସି ସମାଧାନ କରି ପାରିବ ନାହିଁ-। ଆମର ପରିବାରଟା ତ ଆମକୁ ବିଚ୍ଛିନ୍ନ ହୋଇ ରହିବାରେ କେତେ କେତେ ସାହାଯ୍ୟ ହିଁ କରିବାରେ ଲାଗିଛି । ପରିବାର ଏବଂ ଧନ ଓ ଅଧିକ ଧନ ଆଖି ଠୁଳ କରିବାର ବାସନା,–ତାହା ଏହି ପୃଥିବୀରେ ନାନା ଅଧିକାରବୋଧ ଜାତ କରାଇ ବହୁ ଦ୍ଵନ୍ଦ୍ୱର କାରଣ ହେବାରେ ଲାଗିଛି-। ଆମେ ବାପାମାଆମାନେ ମଧ୍ୟ, ଶିକ୍ଷକମାନଙ୍କ ସମେତ ସମ୍ଭବତଃ ସ୍ୱୟଂ ଅତ୍ୟନ୍ତ କ୍ରାନ୍ତ ହୋଇଗଲୁଣି ଏବଂ ଟିକିଏ ଭଲ ପାଇବା ନିମନ୍ତେ ପିପାସିତ ହୋଇ ରହିଛୁ । ଏବଂ, ଆପେ ଏପରି ନିଃସ୍ୱ ଓ ବଳହୀନ ହୋଇଚ ରହି ଏହି ପିଲାମାନଙ୍କୁ ପୁଣି କିପରି କୌଣସି ଠିକ୍ ଶିକ୍ଷା ଦେଇ ପାରିବା !

 

ତେଣୁ ପିଲା ନୁହେଁ, ଅସଲ ସମସ୍ୟା ଶିକ୍ଷାଦାତାମାନେ, ପିତାମାତା ଏବଂ ଶିକ୍ଷକ । ସବାଆଗ ଆମର ହୃଦୟ ଏବଂ ମନରେ ଏକ ଉଚିତ୍ ପରିଚ୍ଛନ୍ନତା ସମ୍ଭବ ହୋଇ ପାରିବା ହିଁ ଉଚିତ୍-। ଆମେ ବାଟ ପାଇ ନଥିବା, ବଙ୍କା ହୋଇ ନଥିବା, ବାସନାର ଜଙ୍ଗଲ ଭିତରେ ବାଟ ପାଉନଥିବା, ପୁଣି ଆଉ କାହାକୁ କି ଦିଗ୍‌ଦର୍ଶନ ବା ଦେଇ ପାରିବ ? ତେଣୁ, ସର୍ବପ୍ରଥମେ ଆପଣାର ଅଡ଼ୁଆ ଗୁଡ଼ାକୁ ଖୋଲି ଥିର ହୋଇ ଦେଖିବା, ଯଥାସମ୍ଭବ ନିଜର ସ୍ୱଭାବଗୁଡ଼ିକୁ ବୁଝିବା, ସମ୍ଭବତଃ ତାହାରି ଦ୍ୱାରା ଆଗକୁ ଆଗକୁ ବି ବାଟ ମିଳି ଯାଉଥିବ ।

 

କଳା, ସୌନ୍ଦର୍ଯ୍ୟ ଓ ସର୍ଜନାତ୍ମକତା

 

ଅଧିକାଂଶ ମଣିଷ ତ ଆପଣାପାଖରୁ ପଳାଇ ଯିବାକୁ ଚେଷ୍ଟା କରନ୍ତି ଓ ତେଣୁ ସେମାନେ କଳାକୁ ଏକ ଉତ୍ତମ ଆଶ୍ରୟ ରୂପେ ଗ୍ରହଣ କରି ନେଇଥାନ୍ତି । କିଏ କଳାସକ୍ତ ହୁଏ କିଏ, କିଏ ମଦ୍ୟ ପାନ ଆଡ଼କୁ ଓ ପୁଣି ଆଉ କିଏ ଧର୍ମ ଆଡ଼କୁ । ଉଚିତ୍ ଶିକ୍ଷା ଜଣେ ବ୍ୟକ୍ତିକୁ ତା’ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାରେ ସାହାଯ୍ୟ କରିବ । ତା’ପରେ ସିନା ସିଏ ଯାବତୀୟ ଦ୍ଵନ୍ଦ୍ୱରୁ ମୁକ୍ତ ହୋଇ ସର୍ଜନାତ୍ମକତାରେ ପ୍ରବେଶ କରି ପାରିବ । ଜଣେ ଯଥାର୍ଥ କଳାକାରର ଭିତରେ କୌଣସି ଦମ୍ଭ ନଥାଏ । ତା’ ଭିତରଟା ଆମ ଅନେକଙ୍କ ପରି ଗୋଟାଏ କେଡ଼େ ନା କେଡ଼େ ‘ମୁଁ’ ରେ ଫୁଲିକରି ରହିନଥାଏ । ଏବଂ, ଭିତରେ ଭଲ ପାଇବା ବଢ଼ିଲେ ଯାଇ ଦ୍ଵନ୍ଦ୍ୱମାନେ ଦୂର ହୁଅନ୍ତି । ସୁନ୍ଦରତାର ବୋଧ ଆମକୁ ତଥାକଥିତ କେବଳ ଆପଣା ନିମନ୍ତେ ହିଁ ଅଧିକରୁ ଅଧିକ ଜମା କରିବାରେ ସେହି ଦୃଷ୍ଟ ପ୍ରବୃତ୍ତିଟାର କବଳରୁ ମୁକ୍ତ ହୋଇ ଆସିବାର ସହଜତା ଆଣିଦିଏ । ସର୍ବବିଧ ଭୟ ଦୂର ହୁଏ । ସୌନ୍ଦର୍ଯ୍ୟ ତ ସଦା-ବିଦ୍ୟମାନ ହୋଇ ରହିଥାଏ, କିନ୍ତୁ ଆମେ ଆପେ ତା’ ଆଡ଼କୁ ଆଦୌ ଉନ୍ମୋଚିତ ହୋଇ ରହିନଥାଉ ।

 

ସର୍ଜନାତ୍ମକତାର ଯୋଗ୍ୟ ହେବା ଲାଗି କୌଣସି ଖାସ୍ ଟେକ୍‌ନିକ୍ ରହିଛି କି ? ମାତ୍ର ଯଦି ଭିତରେ ସତକୁ ସତ ସର୍ଜନାତ୍ମକତାର ଅଗ୍ନିଟିଏ ରହିଥାଏ, ତାହା ଆପଣାକୁ ଆପେ ହିଁ ପ୍ରକଟ କରି ଆଣେ । ନିଜ ଭିତରେ ପ୍ରୀତି ରହିଥିଲେ ଶବ୍ଦଗୁଡ଼ିକୁ ସାଉଁଟି ପକାଇବାର ଏକ ଶୈଳୀ ଖୋଜି ବାହାରିବାର କୌଣସି ଆବଶ୍ୟକତା ନଥାଏ । ସର୍ଜନାତ୍ମକତା ହେଉଛି ଏପରି ଏକ ସ୍ଥିତି, ଯେତେବେଳେ କି ଭିତରେ କୌଣସି ଦ୍ଵନ୍ଦ୍ୱ କିମ୍ବା ଦୁଃଖ ଆମକୁ ସନ୍ତାପିତ କରି ରଖି ନଥାଏ । ଆମର ମାନସଭୂମି ବାସନାଗୁଡ଼ିକର ଦାବି ତଥା ଦଉଡ଼ମାନଙ୍କର ତାପରୁ ମୁକ୍ତ ହୋଇ ରହିଥାଏ । (ପୃଷ୍ଠା–୧୨୮)

 

ସର୍ଜନାତ୍ମକତାର ସେହି ସ୍ତରଟି ହେଉଛି ସତ୍ୟଟିଏ ଅବତୀର୍ଣ୍ଣ କରାଇ ଆଣିବାର ଏକ ସ୍ତର । ଭବନାଗୁଡ଼ିକର ଉପଦ୍ରବ ନଥାଏ । ଆଦୌ କୌଣସି ପ୍ରକାରର ବଳପ୍ରୟୋଗ ଅଥବା ଚାପ ଦ୍ୱାରା ବାଧ୍ୟ ନହୋଇ ମନ ନୀରବ ହୋଇ ରହିଥାଏ । ତେବେ ଯାଇ କବାଟ ଖୋଲେ । ଆମେ ତ କେତେ କିଏ ଗୋଟିଏ ଗୀତ ଦ୍ଵାରା ଆପଣାକୁ ବ୍ୟକ୍ତ କରୁ, କେତେ ଚମତ୍କାର ଭାବରେ ଏକ ନୀରବତା ବି ଅବଲମ୍ବନ କରୁ; ମାତ୍ର ଆମର ଅଧିକାଂଶତଃ ନୀରବ ହେବାଲାଗି କୌଣସି ମତ ଅନୁରାଗ ମଧ୍ୟ ନଥାଏ । ଚଢ଼େଇମାନଙ୍କୁ ଅନାଇ ଦେଖିବାକୁ ସମୟ ମିଳେନାହିଁ, ଉପରେ ଭାସି ଯାଉଥିବା ମେଘଖଣ୍ଡ ଗୁଡ଼ିକୁ, କାରଣ ଆମେ ତ ଅନୁକ୍ଷଣ ନିଜ ସୁଖ ଗୁଡ଼ିକୁ ଲୋଡ଼ିବାରେ ହି ବ୍ୟସ୍ତ ହୋଇ ରହିଥାଉ । ଏଭଳି ହୋଇ ରହିଥିବା ଯାଏ ଆମେ ସେଥିରେ ପିଲାମାନଙ୍କୁ ମଧ୍ୟ ଆଉ କିପରି ସାହାଯ୍ୟ କରିପାରିବା ! କେବଳ ମନୁଷ୍ୟମାନେ ତିଆରି କରିଥିବା ସୌନ୍ଦର୍ଯ୍ୟରେ ନୁହେଁ, ପ୍ରକୃତିର ସୌନ୍ଦର୍ଯ୍ୟଗୁଡ଼ିକୁ ମଧ୍ୟ ଦେଲେ ଯେଉଁ ଆନନ୍ଦ ଉପଲବ୍ଧ ହୁଏ, ସର୍ବବିଧ ସୁଯୋଗରେ ହିଁ ପିଲାମାନଙ୍କ ମଧ୍ୟରେ ସେହି ଅସଲ ସାମର୍ଥ୍ୟଟିକୁ ଜାଗୃତ କରିଆଣି ପାରିବା ନିମନ୍ତେ ଆମେ ନିଜ ଭିତରେ ମଧ୍ୟ ସେହିପରି ଗ୍ରହଣଶୀଳ ହୋଇ ତିଆରି ହୋଇଥିବା ଉଚିତ୍ ।

 

ଶ୍ରୀ ଚିତ୍ତରଞ୍ଜନ ଦାସ

☆☆☆

 

Unknown

ଗଣତନ୍ତ୍ର ଓ ଶିକ୍ଷା

 

Democracy and Education

 

ଲେଖକ : ଜନ୍ ଡୁଇ

 

MacMillan Publishing Co., New York 1966

 

(ପ୍ରଥମ ପ୍ରକାଶନ– ୧୯୧୬)

 

ପୃଷ୍ଠା ସଂଖ୍ୟା– ୩୫୭

 

John Dewey (ଅକ୍ଟୋବର ୨୦, ୧୮୫୯- ଜୁନ୍୧,୧୯୫୨)– ଯେଉଁ ବର୍ଷ (୧୮୫୯) ଡାରଉଇନ୍‌ଙ୍କର ପ୍ରସିଦ୍ଧ କୃତୀ Origin of Species ପ୍ରକାଶିତ ହେଲା, ସେହିବର୍ଷ ଅକ୍ଟୋବର ମାସ ୨୦ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଭରମଣ୍ଟ ରାଜ୍ୟର ବର୍ଲିଂଟନ୍ ସହରରେ ଜନ୍ ଡୁଇ ଜନ୍ମ ଗ୍ରହଣ କରିଥିଲେ । ବର୍ଲିଂଟନ୍ ରେ ତାଙ୍କର ବାଲ୍ୟ ଶିକ୍ଷା ସମାପ୍ତ ହୋଇଥିଲା । ବାଲ୍ୟ ଶିକ୍ଷାରୁ ସେ ଦୁଇଟି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ପ୍ରଥମଟି ହେଲା ଗତାନୁଗତିକ ଶିକ୍ଷା ନିସ୍ପନ୍ଦ ଓ ନିରର୍ଥକ । ଅନ୍ୟଟି ହେଉଛି, ଜୀବନର ବାସ୍ତବ ପରିସ୍ଥିତି ଓ ସମସ୍ୟା ସହିତ କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ପ୍ରକୃତ ଶିକ୍ଷାଲାଭ କରାଯାଏ । ପିଲାଦିନର ଏହି ଦୁଇଟି ସିଦ୍ଧାନ୍ତ ତାଙ୍କର ଭବିଷ୍ୟତ ଚିନ୍ତାଧାରାକୁ ପ୍ରଭୂତଭାବେ ପ୍ରଭାବିତ କରିଥିଲା ।

 

ସେ ଭରମଣ୍ଟ ବିଶ୍ଵବିଦ୍ୟାଳୟରୁ ୧୮୭୯ରେ କଳାରେ ସ୍ନାତକ କରିବା ପରେ ତିନିବର୍ଷ ପାଇଁ ଏକ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଡୁଇ ପ୍ରାଥମିକ କିମ୍ବା ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଁ ନିଜକୁ ଅନୁପଯୁକ୍ତ ମନେକରିଥିଲେ ଓ ଦର୍ଶନଶାସ୍ତ୍ର ଅଧ୍ୟୟନ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କର ଅପ୍ରକାଶିତ ଥେସିସ୍ (The Psychology of Kant) ପ୍ରାରମ୍ଭିକ ସ୍ତରରେ ତାଙ୍କ ଉପରେ କାଣ୍ଟଙ୍କ ପ୍ରଭାବ ସୂଚାଇଥାଏ । ଜନ୍ ହପ୍‍କିନ୍‍ସ୍ ବିଶ୍ଵବିଦ୍ୟାଳୟରୁ ୧୮୮୪ରେ ଡକ୍ଟରେଟ୍ ଡିଗ୍ରୀ ହାସଲ ପରେ ମିସିଗାନ୍ ବିଶ୍ୱବିଦ୍ୟାଳୟ ଓ ପରେ ନୂତନଭାବେ ପ୍ରତିଷ୍ଠିତ ଚିକାଗୋ ବିଦ୍ୟାଳୟରେ ୧୮୯୪ରେ ଯୋଗଦାନ କଲେ । ଏଠାରେ ତାଙ୍କର ସୁଦୀର୍ଘ ଶିକ୍ଷାଦାନ ଓ ଗବେଷଣାକାଳରେ ଅନୁଭୂତି ଆଧାରିତ ଜ୍ଞାନତତ୍ତ୍ଵ ଉପରେ ନିଜର ବିଶ୍ୱାସକୁ ପ୍ରାୟୋଗିକ ଚିନ୍ତନଭାବେ ସାକାର କରିଥିଲେ । ଚାର୍ଲସ ସାଣ୍ଡରସ୍ ପିଅର୍ସ ଓ ଉଇଲିୟମ୍ ଜେମ୍‍ସ୍‍ଙ୍କ ସହ ଡୁଇ ପ୍ରୟୋଗବାଦ ଚିନ୍ତନର ସ୍ରଷ୍ଟା ଭାବେ ସ୍ଵୀକୃତି ପାଇଛନ୍ତି । ଯଦିଓ ଡୁଇ ପ୍ରୟୋଗବାଦ ଅପେକ୍ଷା ନିଜର ଦର୍ଶନକୁ କରଣବାଦ (instrumentalist)ର ବୋଲି କରିଥାନ୍ତି-। ଶିକ୍ଷାରେ ପ୍ରଗତିବାଦ (progressivism)ର ଅୟମାରମ୍ଭ ଓ ସଫଳ ପ୍ରୟୋଗର ଶ୍ରେୟ ଡୁଇଙ୍କୁ ହିଁ ଦିଆଯାଏ । ପୁରାତନ ପଦ୍ଧତିର ଶିକ୍ଷାରେ ଥିବା ନିରାନନ୍ଦ, ନିଷ୍ଠୁର ଓ ଅମନୋବୈଜ୍ଞାନିକ ରୀତିକୁ ପରିବର୍ତ୍ତନ କରି ପ୍ରାଣଚଞ୍ଚଳ ଶିଶୁର ଆଗ୍ରହ, ଔତ୍ସୁକ୍ୟ ଓ କ୍ରିୟାଶୀଳତା ଏବଂ ଗଣତାନ୍ତ୍ରିକ ସମାଜର ପ୍ରୟୋଜନକୁ ଶିକ୍ଷାର ପ୍ରାଣକେନ୍ଦ୍ର ବୋଲି ସ୍ଵୀକାର କରି ସେ ନୂତନ ପ୍ରାଣବନ୍ତ ପ୍ରଗତିମୂଳକ ଶିକ୍ଷାର ପ୍ରବର୍ତ୍ତନ କରିଥିଲେ । ସେ ଏହି ପ୍ରଗତିବାଦର ସଫଳ ପ୍ରୟୋଗ ଚିକାଗୋ ବିଶ୍ଵବିଦ୍ୟାଳୟରେ ତାଙ୍କ ପତ୍ନୀଙ୍କ ସହିତ ମିଳିତ ଭାବେ ୧୯୦୧ ରେ ପ୍ରତିଷ୍ଠିତ Chicago Laboratory ରେ କରିଥିଲେ । ଡୁଇଙ୍କ ଦର୍ଶନକୁ ପ୍ରୟୋଗବାଦ (Pragmatism) ସହିତ ବହୁନାମରେ ନାମକରଣ କରାଯାଇଛି । ଜଣେ କରଣବାଦୀ (instrumentalist), ପରୀକ୍ଷଣବାଦୀ (experimentalist), ଇନ୍ଦ୍ରିୟାନୁଭବବାଦୀ (empiricist), ପ୍ରକାର୍ଯ୍ୟବାଦୀ (functionalist) ଏବଂ ପ୍ରକୃତିବାଦୀ (naturalist) ଭାବେ ବିଭିନ୍ନ ଲେଖକ ତାଙ୍କୁ ବର୍ଣ୍ଣନା କରିଛନ୍ତି । ଜୀବନର ଶେଷ ଭାଗରେ ନିଜର ଜ୍ଞାନ ଏବଂ ଅଭିଜ୍ଞତା ତତ୍ତ୍ୱକୁ ତୁଲ କାର୍ଯ୍ୟ ସମ୍ପାଦନ (transactional) ଭାବେ ବର୍ଣ୍ଣନା କରିଛନ୍ତି ।

 

ବିଂଶ ଶତାବ୍ଦୀର ଦର୍ଶନ ବିଶେଷକରି ଶିକ୍ଷାଦର୍ଶନ ଓ ତହିଁର ସଫଳ କାର୍ଯ୍ୟକାରିତାରେ ଡୁଇଙ୍କର ଅବଦାନ ଅତୁଳନୀୟ । ଡୁଇଙ୍କର ଶିକ୍ଷାତତ୍ତ୍ୱ ବୌଦ୍ଧିକ ବିକାଶ, ସମସ୍ୟା ସମାଧାନ ଦକ୍ଷତା ଓ ସମୀକ୍ଷାତ୍ମକ ଚିନ୍ତନର ଅଭିବୃଦ୍ଧି ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରେ । ଏହି ତତ୍ତ୍ୱର ଏକ ବିଶିଷ୍ଟ ବ୍ୟାବହାରିକ ଦିଗ ହେଉଛି ଶିକ୍ଷାର୍ଥୀଙ୍କର ଅତୀତ ଅଭିଜ୍ଞତାକୁ ଶ୍ରେଣୀ ଶିକ୍ଷଣରେ ସାମିଲ କରିବା । ଡୁଇଙ୍କର ପ୍ରଗତିବାଦ ଶିକ୍ଷାର ମୂଳମନ୍ତ୍ର ହେଉଛି ଅନୁଭୂତିର ପରିସର ଓ ମାନ ବୃଦ୍ଧି କରିବା । ପୂର୍ବାନୁଭୂତିର ଉତ୍ତରଣ ନହେଲେ ଏବଂ ଏଥିରୁ କିଛି ଉପଯୋଗୀ ଅନୁଭୂତିର ପୁନର୍ଗଠନ ନହେଲେ, ଶିକ୍ଷା ଏପରି ପ୍ରାକ୍ ଅନୁଭୁତି ଉପରେ ମନନ କରିବା ବର୍ତ୍ତମାନ କାର୍ଯ୍ୟରେ ଉପଯୋଗ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ସଂଭବ ନୁହେଁ । ପରବର୍ତ୍ତୀକାଳରେ ଡୁଇଙ୍କର ପ୍ରଗତିବାଦୀ ଶିକ୍ଷାଧାରା ପୃଥିବୀର ଅନେକ ଦେଶର ଶିକ୍ଷା ବ୍ୟବସ୍ଥାକୁ ପ୍ରଭୂତଭାବେ ପ୍ରଭାବିତ କରିଛି ଏବଂ ବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷାର ଚିନ୍ତାନାୟକ ଭାବେ ତାଙ୍କୁ ପ୍ରତିଷ୍ଠିତ କରିଛି । ବିଶିଷ୍ଟ ସମାଜତତ୍ତ୍ୱବିତ୍ ଏମିଲ୍ ଦୁର୍‍କ୍‍ହାଇମ ଲେଖୁଛନ୍ତି, “ଜନ୍ ଡୁଇ ହେଉଛନ୍ତି ଆମେରିକୀୟ ପ୍ରତିଭାର ଗଭୀର ଓ ସଂପୂର୍ଣ୍ଣ ଅଭିବ୍ୟକ୍ତି ।’’

 

ଡୁଇଙ୍କ ଶିକ୍ଷାଦର୍ଶନ ଉପରେ ଆଧାରିତ Democracy and Education (୧୯୬୬)କୁ ତାଙ୍କର ଶ୍ରେଷ୍ଠକୃତି ଭାବେ ବିଚାର କରାଯାଇଥାଏ । । ଏତଦ୍‌ବ୍ୟତୀତ ସେ ବହୁ ପୁସ୍ତକ ଓ ଅସଂଖ୍ୟ ଗବେଷଣାତ୍ମକ ନିବନ୍ଧର ରଚୟିତା । ତାଙ୍କର ପ୍ରଥମ ଲେଖା ‘Metaphysical Assumptions of Naturalism’ ୧୮୮୨ ମସିହାରେ ପ୍ରକାଶିତ ହୁଏ । ତାଙ୍କର ଶିକ୍ଷାଦର୍ଶନରେ କେତେକ ବିଶେଷ ପୁସ୍ତକ ହେଉଛି My Pedagogic Creed (1897), The Child and Curriculum(1902), Experiences and Nature (1925), Experiences and Education (1938) । ଦର୍ଶନ ଶାସ୍ତ୍ରରେ ତାଙ୍କର ପୁସ୍ତକ The Postulate of Immediate Empiricism (1905), Reconstruction in Philosophy (1919), The Quest for Certainty (1929), Individualism Old and New (1930), Philosophy of Civilisation (1931), A Common Faith (1934), Liberalism and Social Action (1935), Logic : The Theory on Inquiry (1938) ଏବଂ Freedom and Culture (1939) ତାଙ୍କର ଚିନ୍ତାଧାରାର ପ୍ରତିନିଧିତ୍ଵ କରେ । ଏତଦ୍ ବ୍ୟତୀତ ତାଙ୍କର ଜେମ୍‍ସ୍‍ ହେଡେନ୍ ଟଫ୍‍ଟ୍‍ଙ୍କ ସହିତ Ethics (1932) ଏବଂ ଆର୍ଥର ବେଣ୍ଟଲିଙ୍କ ସହିତ Knowing the Known (1949) ମଧ୍ୟ ଦର୍ଶନ ଓ ଅଧ୍ୟୟନ ପାଇଁ ଅତ୍ୟନ୍ତ ଉପାଦେୟ ପୁସ୍ତକ ।

 

ଜୀବନର ଏକ ଆବଶ୍ୟକତା ଭାବେ ଶିକ୍ଷା

 

ଜୀବ ଓ ନିର୍ଜୀବଙ୍କ ମଧ୍ୟରେ ପ୍ରଧାନ ପାର୍ଥକ୍ୟ ହେଉଛି ଯେ ଜୀବମାନେ ସବୁବେଳେ ନିଜକୁ ନବୀକରଣ ଦ୍ଵାରା ପୋଷଣ କରିଥାନ୍ତି । ମାତ୍ର ନିର୍ଜୀବଙ୍କର ଆତ୍ମନବୀକରଣ ଶକ୍ତି ନାହିଁ । ଏହି କାରଣରୁ ମଣିଷ ଜୀବନ ଏକ ଆତ୍ମନବୀକୃତ ପ୍ରକ୍ରିୟା । ଏହି ପ୍ରକ୍ରିୟା ପରିବେଶ ଉପରେ ସାଧିତ କାର୍ଯ୍ୟକ୍ରିୟା ମାଧ୍ୟମରେ ସଂଗଠିତ ହୋଇଥାଏ । ଏହି ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳପାଇଁ ଜାରି ରହିପାରେ ନାହିଁ । କିଛି କାଳପରେ ତାହା ସଂପୂର୍ଣ୍ଣ ବନ୍ଦ ହୋଇଯାଏ ଅବା ମରିଯାଏ । ଅନିର୍ଦ୍ଦିଷ୍ଟ ଆତ୍ମନବୀକରଣ କାର୍ଯ୍ୟ ସହିତ ଜୀବ ସମାନ ନୁହେଁ । ଜୀବନ ପ୍ରକ୍ରିୟାର ନିରବଚ୍ଛିନ୍ନତା କୌଣସି ଏକ ବ୍ୟକ୍ତିର ସ୍ଥିତିର ଦୀର୍ଘତା ଉପରେ ନିର୍ଭର କରେ ନାହିଁ । ଜୀବନର ଅନ୍ୟାନ୍ୟ ରୂପର ପ୍ରତିରୂପ ନିରନ୍ତର କ୍ରମରେ ଚାଲିଥାଏ । କେବଳ ମଣିଷ ନୁହେଁ ଯେକୌଣସି ପ୍ରଜାତି ଲୋପ ପାଇଲେ ବି ଜୀବନ ପ୍ରକ୍ରିୟା ଆହୁରି ଅଧିକ ଓ ଜଟିଳ ରୂପରେ ଚାଲୁରହେ । ସୁତରାଂ ଜୀବନର ଆବଶ୍ୟକତା ଅନୁଯାୟୀ ପରିବେଶର ଅବିରତ ପୁନଃ ଉପଯୋଗକୁ ଜୀବନର ନିରବଚ୍ଛିନ୍ନତା କୁହାଯାଏ ।

 

ସମଗ୍ର ଜୀବନ ପରିଧି ଭିତରେ ବିଭିନ୍ନ ଅନୁଷ୍ଠାନ, ପରମ୍ପରା, ପ୍ରଥା, ବିଶ୍ଵାସବୋଧ, ଜୟପରାଜୟ, ଆମୋଦପ୍ରମୋଦ, ବୃତ୍ତି ଆଦି ସାମାଜିକ ବ୍ୟବସ୍ଥା ଓ ରୀତିନୀତି ଅନ୍ତର୍ଭୁକ୍ତ । ଏସବୁ ପ୍ରତି ମଧ୍ୟ ନବୀକରଣ ମାଧ୍ୟମରେ ନିରବଚ୍ଛିନ୍ନତା ନିୟମ ପ୍ରଯୁଜ୍ୟ । ଅର୍ଥାତ୍ ଏସବୁର ନିରବଚ୍ଛିନ୍ନତା ନବୀକରଣ ମାଧ୍ୟମରେ ସମ୍ଭବ ହୋଇଥାଏ । ଭୌତିକ ରୂପର ନବୀକରଣ ସହ ବିଶ୍ୱାସବୋଧ, ଆଦର୍ଶ, ଆଶା, ପ୍ରତ୍ୟାଶା, ଆନନ୍ଦନିରାନନ୍ଦ, ଦୁଃଖ ରୀତିନୀତି ଆଦିର ମଧ୍ୟ ନୂତନ ସର୍ଜନ ଓ ପୁନର୍ବିନ୍ୟାସ ଘଟିଥାଏ । ସାମାଜିକ ଗୋଷ୍ଠୀର ନବୀକରଣ ମାଧ୍ୟମରେ ଯେ କୌଣସି ଅଭିଜ୍ଞତାର ନିରନ୍ତରଣ ରକ୍ଷା ଏବଂ ଅବଶ୍ୟମ୍ଭାବୀ ଘଟଣା । ଏହି ଦୃଷ୍ଟିରୁ ଶିକ୍ଷା ହିଁ ଜୀବନର ସାମାଜିକ ନୀରବଚ୍ଛିନ୍ନତାର ମାଧ୍ୟମ । ଯେକୌଣସି ସାମାଜିକ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତି ଜନ୍ମ ହେଲାବେଳକୁ ଏକାନ୍ତ ଅସହାୟ ଅପରିପକ୍ଵ ତଥା ଭାଷା, ବିଶ୍ୱାସବୋଧ, ଆଦର୍ଶ ଓ ସାମାଜିକ ନୀତିନିୟମ ବିରହିତ ହୋଇଥାନ୍ତି । ସମୟକ୍ରମେ ମଧ୍ୟ ପ୍ରତ୍ୟେକ ଦୁନିଆରୁ ବିଦାୟ ନିଅନ୍ତି । ମାତ୍ର ସଂପୃକ୍ତ ଗୋଷ୍ଠୀର ନିରବଚ୍ଛିନ୍ନ ପ୍ରକ୍ରିୟା ଅବିଶ୍ରାନ୍ତ ଚାଲୁରହେ ।

 

ସଞ୍ଚରଣ ପ୍ରକ୍ରିୟା ମାଧ୍ୟମରେ ସମାଜ ତିଷ୍ଠିରହେ । ବଡ଼ମାନଙ୍କଠାରୁ ସାନମାନଙ୍କୁ କାମ କରିବା ଚିନ୍ତାକରିବା ଓ ଭାବିବା ଆଦି ଅଭ୍ୟାସର ସଞ୍ଚାର ହେବା ଦ୍ୱାରା ଏହି ସଞ୍ଚରଣ ଘଟିଥାଏ । ଆଦର୍ଶ, ଆଶାପ୍ରତ୍ୟାଶା, ରୀତିନୀତି ଚଳଣି ଆଦିର ସଞ୍ଚାର ବ୍ୟତିରେକେ ସାମାଜିକ ଜୀବନ ତିଷ୍ଠି ରହିପାରେ ନାହିଁ । ସୁତରାଂ ସତ୍ତାରକ୍ଷା କରିବା ପାଇଁ ନିରବଛିନ୍ନଭାବରେ ସଂଗ୍ରାମ କରିବା ହେଉଛି ଜୀବନର ମୂଳଧର୍ମ । ଅବିରତ ନବୀକରଣ ଦ୍ଵାରା ନିରବଚ୍ଛିନ୍ନ ସତ୍ତାରକ୍ଷା କରିବା ସୁନିଶ୍ଚିତ ହେଉଥିବା ଦୃଷ୍ଟିରୁ ଜୀବନକୁ ଏକ ଆତ୍ମନବୀକୃତ ପ୍ରକ୍ରିୟାଭାବେ ବିବେଚନା କରାଯାଏ । ଦୈନିକ ଜୀବନ ପାଇଁ ପୃଷ୍ଟି ଓ ପ୍ରଜଜନ ଯେପରି ଏକାନ୍ତ ଆବଶ୍ୟକ, ସାମାଜିକ ଜୀବନ ପାଇଁ ଶିକ୍ଷା ତତ୍ତୁଲ୍ୟ ଅପରିହାର୍ଯ୍ୟ । ସାମାଜିକ ନିରବଚ୍ଛିନ୍ନତା ରକ୍ଷା କରିବା ପାଇଁ ଶିକ୍ଷା ଏକ ଉପାୟ ବା ମାଧ୍ୟମ । ଅତଏବ ଶିକ୍ଷା ସମାଜ ତଥା ଜୀବନର ଆବଶ୍ୟକତା ଭାବେ ସ୍ଵୀକୃତ ।

 

ସମାଜ କେବଳ ସଞ୍ଚରଣ ଓ ଯୋଗାଯୋଗ ଦ୍ଵାରା ନିରବଚ୍ଛିନ୍ନଭାବେ ତିଷ୍ଠି ରହେ ନାହିଁ, ବରଂ ଏହା ସଞ୍ଚରଣ ଓ ଯୋଗାଯୋଗ ଭିତରେ ହିଁ ତିଷ୍ଠି ରହେ । ଏହି ଦୃଷ୍ଟିରୁ ସାମାଜିକ ଜୀବନ ଯୋଗାଯୋଗର ଅନୁରୂପଭାବେ ବିବେଚିତ । ଅପର ପକ୍ଷରେ ଶିକ୍ଷା ମୂଳତଃ ଯୋଗାଯୋଗ ମାଧ୍ୟମରେ ସଞ୍ଚରଣ ହେତୁ ସଂଗଠିତ ହୋଇଥାଏ । ଯୋଗାଯୋଗ ପ୍ରକ୍ରିୟାରେ ଅଭିଜ୍ଞତାର ବିନିମୟ ହୋଇଥାଏ । ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଉଭୟ ପରିପକ୍ଵ ଓ ଅପରିପକ୍ଵ ଗୋଷ୍ଠୀର ସ୍ୱଭାବ ଓ ମନୋଭାବ ପରିବର୍ତ୍ତିତ ହୋଇଥାଏ । ଏଣୁ ଶିକ୍ଷା ସାମାଜିକ ଜୀବନର ନିରବଚ୍ଛିନ୍ନତା ପାଇଁ ଏକାନ୍ତ ଅପରିହାର୍ଯ୍ୟ ।

 

ଉଦ୍ଦେଶ୍ୟପୂର୍ଣ୍ଣ ଶିକ୍ଷଣ ଓ ଶିକ୍ଷାଦାନ କ୍ଷେତ୍ରରେ ମାନବ ସଂସର୍ଗ ଏକ ପ୍ରାଥମିକ ଆବଶ୍ୟକତାଭାବେ ସ୍ଵୀକୃତ । ତେଣୁ ବିଦ୍ୟାଳୟରେ ମାନବ ସଂସର୍ଗ ଦ୍ଵାରା ସାଧିତ । ଆନୁଷ୍ଠାନିକ ଶିକ୍ଷାଦାନ-ଶିକ୍ଷଣ ସାମାଜିକ ନିରବଚ୍ଛିନ୍ନତା ରକ୍ଷା ପାଇଁ ବଳିଷ୍ଠ ଭୂମିକା ଗ୍ରହଣ କରେ । ବିଦ୍ୟାଳୟ ମଧ୍ୟ ସଞ୍ଚରଣର ଅନ୍ୟତମ ବଳିଷ୍ଠ ମାଧ୍ୟମ ଯାହାକି ଅପରିପକ୍ଵଙ୍କ ମନୋବୃତ୍ତି ଓ ସ୍ଵଭାବକୁ ଗଠନ କରିବାରେ ସହାୟକ ହୋଇଥାଏ । ସୁତରାଂ ମଣିଷର ସାମାଜିକ ନିରବଚ୍ଛିନ୍ନତା ରକ୍ଷା କରିବା ପାଇଁ କିଶୋର (ଅପରିପକ୍ୱ) ଓ ବୟସ୍କ (ପରିପକ୍ଵ)ଙ୍କ ମଧ୍ୟରେ ସଂସର୍ଗ ଓ ଯୋଗାଯୋଗ ସ୍ଥାପନ ପୂର୍ବକ ସଞ୍ଚରଣ ପ୍ରକ୍ରିୟା ମାଧ୍ୟମରେ ଜୀବନର ନବୀକରଣ ସାଧନ କରିବା ପାଇଁ ଶିକ୍ଷାର ପ୍ରଭୂତ ଆବଶ୍ୟକତା ରହିଛି ।

 

ଏକ ସାମାଜିକ କାର୍ଯ୍ୟଭାବେ ଶିକ୍ଷା

 

ଗୋଟିଏ ସାମାଜିକ ଗୋଷ୍ଠୀ ନିରନ୍ତର ଆତ୍ମ-ନବୀକରଣ ଦ୍ଵାରା ନିଜକୁ ବଞ୍ଚାଇ ରଖେ । ସଂପୃକ୍ତ ଗୋଷ୍ଠୀର ଅପରିପକ୍ଵ/କିଶୋରମାନଙ୍କର ଶୈକ୍ଷିକ ବିକାଶଦ୍ଵାରା ଏହି ନବୀକରଣ ସାଧିତ ହୋଇଥାଏ । ନିରନ୍ତର ସାମାଜିକ ସମୃଦ୍ଧି ପାଇଁ ଅପରିପକ୍ଵ । କିଶୋରମାନଙ୍କ ଭିତରେ ଆବଶ୍ୟକ ମନୋବୃତ୍ତି ଓ ସ୍ଵଭାବର ବିକାଶ ସିଧାସଳଖ ଜ୍ଞାନ ପ୍ରଦାନ ଦ୍ୱାରା ସମ୍ଭବ ହୁଏ ନାହିଁ ବରଂ ଏହା ପରିବେଶ ମାଧ୍ୟମରେ ସାଧିତ ହୋଇଥାଏ । ଗୋଟିଏ ଜୀବର କାର୍ଯ୍ୟକୁ ଯେଉଁ ପରିସ୍ଥିତିଗୁଡ଼ିକ ସହାୟତା ବା ପ୍ରତିରୋଧ କରିଥାନ୍ତି, ସେଗୁଡ଼ିକୁ ନେଇ ପରିବେଶ ଗଠିତ ହୋଇଥାଏ । ଯେପରି ମାଛ ପାଇଁ ଜଳ ହେଉଛି ତା’ର ପରିବେଶ ।

 

ପରସ୍ପର ସମ୍ପର୍କିତ ବ୍ୟକ୍ତି ବିଶେଷଙ୍କର ସମସ୍ତ କାର୍ଯ୍ୟକୁ ନେଇ ସାମାଜିକ ପରିବେଶ ଗଠିତ । ସାମାଜିକ ପରିବେଶରେ ପ୍ରତ୍ୟେକଙ୍କର କାର୍ଯ୍ୟକଳାପ ଅନ୍ୟ ଅଧିବାସୀଙ୍କ କାର୍ଯ୍ୟକଳାପ ଉପରେ ନିର୍ଭର କରେ । କେହି ମନମୁଖୀଭାବେ କୌଣସି କାର୍ଯ୍ୟ କରିପାରିବେ ନାହିଁ ଯାହାକି ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ । ସାମାଜିକ ପରିବେଶରେ ସମ୍ପାଦିତ ପ୍ରତିଟି ସଂଯୁକ୍ତା/ଯୌଥ କାର୍ଯ୍ୟ ଶିକ୍ଷାପ୍ରଦ । ଏଥିରେ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିବା ଦ୍ଵାରା କାର୍ଯ୍ୟର ଉଦ୍ଦେଶ୍ୟ, ପ୍ରଣାଳୀ ଓ କୌଶଳ ସହ ପରିଚିତ ହୁଏ । ଏହାଦ୍ଵାରା ତା’ର ମୌଳିକ ପ୍ରବୃତ୍ତିର ପରିବର୍ତ୍ତନ ହୁଏ । ସମୟକ୍ରମେ ସେ ତା ନିଜର ସାମାଜିକ ଗୋଷ୍ଠୀର ଅନ୍ୟ ସଦସ୍ୟଙ୍କ ସହ ସମକକ୍ଷ ହୁଏ । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ, ସାମାଜିକ ମାଧ୍ୟମ ସିଧାସଳଖ କୌଣସି ଅଭିଳାଷ ଓ ଆଦର୍ଶକୁ ବ୍ୟକ୍ତି ଭିତରେ ରୋପଣ କରେ ନାହିଁ କିମ୍ବା କୌଣସି ଅଭ୍ୟାସକୁ ତା’ ଉପରେ ଲଦି ଦିଏ ନାହିଁ । ବରଂ, ଏପରି ପରିସ୍ଥିତି ସୃଷ୍ଟିକରେ ଯଦ୍ଦ୍ୱାରା ବ୍ୟକ୍ତି ନିଜେ ସେ ସବୁକୁ ଆୟତ୍ତ କରେ ଏବଂ ନିଜ ଭିତରେ ତା’ର ବିକାଶ ଘଟାଏ । ସୁତରାଂ ସାମାଜିକ ପରିବେଶ ବ୍ୟକ୍ତି ବିକାଶର ଏକ ବଳିଷ୍ଠ ମାଧ୍ୟମ ।

 

ସାମାଜିକ ପରିବେଶ ବ୍ୟକ୍ତି ବିଶେଷଙ୍କୁ ପ୍ରବୃତ୍ତି ଉଦ୍ରେକକାରୀ ଓ ବଳକାରୀ କାର୍ଯ୍ୟରେ ନିୟୋଜିତ କରେ ସେମାନଙ୍କ ଭିତରେ ମାନସିକ ଓ ଆବେଗିକ ସ୍ଵଭାବ ସୃଷ୍ଟି କରେ ଯାହାର କି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ପରିଣତି ଥାଏ । ଉଦାହରଣ ସ୍ୱରୂପ ଗୋଟିଏ ସଂଗୀତଜ୍ଞ ପରିବାରରେ ଗୋଟିଏ ପିଲାର ଅନ୍ତର୍ନିହିତ ସଂଗୀତକଳା ଅନ୍ୟ କଳା ତୁଳନାରେ ଆପେ ଆପେ ଉବ୍ଦୀପିତ ହୋଇଥାଏ । ଏହା ପରିବାର ଦ୍ଵାରା ସୃଷ୍ଟ ପରିବେଶ ଯୋଗୁଁ ସମ୍ଭବ ହୋଇଥାଏ । ସୁତରାଂ ସାମାଜିକ ପରିବେଶ ବ୍ୟକ୍ତିର ଅଜ୍ଞାତରେ ତା’ଉପରେ ଏକ ଶିକ୍ଷାପ୍ରଦ ପ୍ରଭାବ ପକାଇଥାଏ । ପରିବେଶର ଏତାଦୃଶ ଅଜ୍ଞାତ ପ୍ରଭାବ ଏତେ ବ୍ୟାପକ ଓ ଶକ୍ତିଶାଳୀ ଯେ ଏହା ବ୍ୟକ୍ତିର ଚରିତ୍ର ଓ ମନର ପ୍ରତିଟି ସୂକ୍ଷ୍ମ ବିଭାବକୁ ଗଭୀର ଭାବେ ପ୍ରଭାବିତ କରିଥାଏ ।

 

କେହି କେବେ ସିଧାସଳଖ ଆପେ ଆପେ ଶିକ୍ଷିତ ହୁଏ ନାହିଁ, ବରଂ ପରୋକ୍ଷଭାବେ ପରିବେଶ ମାଧ୍ୟମରେ ଶିକ୍ଷା ଲାଭ କରିଥାଏ । ଶିକ୍ଷାପ୍ରଦ ପ୍ରଭାବ ଦୃଷ୍ଟିରୁ ଯେ କୌଣସି ପରିବେଶ ଏକ ଆକସ୍ମିକ ପରିବେଶ ଭାବେ ବିବେଚିତ । କାରଣ ଏହାକୁ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇ ନାହିଁ । ମାତ୍ର ବିଦ୍ୟାଳୟ ପରିବେଶ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ନିର୍ଦ୍ଦିଷ୍ଟ ଲକ୍ଷ୍ୟନେଇ ଗଠିତ । ଏହା ତା’ର ଅନ୍ତେବାସୀଙ୍କର ମାନସିକ ତଥା ନୈତିକ ସ୍ଵଭାବକୁ ନିର୍ଦ୍ଦିଷ୍ଟ ଭାବେ ପ୍ରଭାବିତ କରିଥାଏ-। ବିଦ୍ୟାଳୟ ସାମାଜିକ ଅଙ୍ଗବିଶେଷର ପ୍ରଥମ ଅଂଶ । ଏହା ସରଳ ଓ ସୁସ୍ଥ ପରିବେଶ ପ୍ରଦାନ କରେ । ଏହା ଅପରିପକ୍ଵ କିଶୋରମାନଙ୍କ ଦ୍ଵାରା ସହଜରେ ଗ୍ରହଣୀୟ ଏବଂ ଏକାନ୍ତ ମୌଳିକ ବିଷୟବସ୍ତୁକୁ ଚୟନ କରିଥାଏ ଓ ସେଗୁଡ଼ିକୁ ସରଳରୁ ଜଟିଳ କ୍ରମରେ ପ୍ରସ୍ତୁତ କରେ-

 

ବିଦ୍ୟାଳୟ ପରିବେଶର ପ୍ରମୁଖ କାର୍ଯ୍ୟ ହେଉଛି ପ୍ରଚଳିତ ପରିବେଶରେ ଥିବା ଅନୁପଯୁକ୍ତ ବିଭାଗଗୁଡ଼ିକୁ ଦୂର କରିବା । ଏହା କରିବା ଦ୍ଵାରା ଶିକ୍ଷାର୍ଥୀଙ୍କର ମାନସିକ ସ୍ଥିତି ଉପରେ କୁପ୍ରଭାବ ପଡ଼େ ନାହିଁ । ସମାଜର ଭବିଷ୍ୟତ ଗଠନରେ ସହାୟକ ସଫଳକୃତୀ ଗୁଡ଼ିକୁ ବିଦ୍ୟାଳୟ ପରିବେଶ ସଂରକ୍ଷଣ ଓ ସଞ୍ଚାରଣ କରିବାରେ ପ୍ରମୁଖ ଭୂମିକା ନେଇଥାଏ । ଏତଦ୍ ଭିନ୍ନ ବିଦ୍ୟାଳୟ ପରିବେଶ ସାମାଜିକ ପରିବେଶରେ ଥିବା ବିଭିନ୍ନ ଉପାଦାନ ମଧ୍ୟରେ ସନ୍ତୁଳନ ରକ୍ଷାକରେ ଏବଂ ପ୍ରତିବ୍ୟକ୍ତି ଯେପରି ଏକ ବୃହତ୍ତର ପରିବେଶ ସଂସ୍ପର୍ଶରେ ଆସିବାର ସୁଯୋଗ ପାଆନ୍ତି ସେଥିପାଇଁ ଯତ୍ନଶୀଳ ହୁଏ ।

 

ମୋଟରେ କହିବାକୁ ଗଲେ ସମାଜ କ୍ରମଶଃ ଜଟିଳ ହେଉଥିବା ଦୃଷ୍ଟିରୁ ଅପରିପକ୍ଵ କିଶୋରମାନଙ୍କର ସାମର୍ଥ୍ୟର ପରିପୋଷଣ ପାଇଁ ବିଶେଷଧାନ ଦେବା ନିମନ୍ତେ ବିଦ୍ୟାଳୟକୁ ଏକ ସ୍ଵତନ୍ତ୍ର ସାମାଜିକ ପରିବେଶ ଭାବେ ସୃଷ୍ଟି କରାଯାଇଛି । ଏହି ସ୍ଵତନ୍ତ୍ର ପରିବେଶର ତିନୋଟି ମୁଖ୍ୟ କାର୍ଯ୍ୟ ହେଲା–

 

୧) ବିକାଶ ନିମିତ୍ତ ଉଦ୍ଦିଷ୍ଟ ଇପ୍‍ସିତ ସ୍ଵଭାବଗୁଡ଼ିକୁ ପ୍ରଭାବିତ କରୁଥିବା କାରଣ/ ଉପାଦାନ ଗୁଡ଼ିକୁ ସରଳ କରିବା ଓ ଶୃଙ୍ଖଳାକ୍ରମରେ ସଜାଇବା;

 

୨) ପ୍ରଚଳିତ ସାମାଜିକ ପରିବେଶରୁ ଅବାଞ୍ଚିତ ଉତ୍ପାଦାନ ଗୁଡ଼ିକୁ ଦୂରକରି ଏହାକୁ ବିଶୁଦ୍ଧ ଓ ଆଦର୍ଶ କରାଇବା ଓ

 

୩) ଏକ ବ୍ୟାପକ ଓ ଅପେକ୍ଷାକୃତ ସନ୍ତୁଳିତ ପରିବେଶ ସୃଷ୍ଟି କରିବା ଯଦ୍ଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଗୋଷ୍ଠୀର ସୀମିତତାକୁ ଅତିକ୍ରମ କରି ଏକ ପରିବ୍ୟାପ୍ତ ପରିବେଶ ସଂସ୍ପର୍ଶରେ ଆସିପାରିବ ।

 

ଶିକ୍ଷା ଏକ ମାର୍ଗଦର୍ଶନ

 

କିଶୋରମାନଙ୍କର ସ୍ଵାଭାବିକ ପ୍ରବୃତ୍ତି ସେମାନେ ଜନ୍ମ ନେଇଥିବା ଗୋଷ୍ଠୀର ଜୀବନଧାରା ସହ ମେଳ ଖାଏ ନାହିଁ । ଫଳତଃ ସେମାନଙ୍କୁ ନିୟନ୍ତ୍ରଣ କରିବା ବି ମାର୍ଗଦର୍ଶନ ଦେବା ଆବଶ୍ୟକ ହୋଇଥାଏ । ଏପରି ନିୟନ୍ତ୍ରଣ ଶାରୀରିକ ବାଧ୍ୟ ବାଧକତା ସହ ସମାନ ନୁହେଁ । ସଂପୃକ୍ତ ଗୋଷ୍ଠୀର ବୟସ୍କମାନେ ସାଧାରଣତଃ କିଶୋରମାନଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ଏହାକୁ ସାମାଜିକ ମାର୍ଗଦର୍ଶନ କୁହାଯାଏ । ପ୍ରଚଳିତ ମାର୍ଗଦର୍ଶନ ବ୍ୟବସ୍ଥାରେ କିଶୋରମାନଙ୍କୁ ବୟସ୍କମାନଙ୍କର ନୈତିକତା, ବିଚାରଧାରା, ନିଜ ଆଦର୍ଶ ଆଦି ଅନୁକରଣ କରିବାକୁ ନିର୍ଦ୍ଦେଶନା ଦିଆଯାଇଥାଏ । କିନ୍ତୁ ଏ ପ୍ରକାର ମାର୍ଗଦର୍ଶନ ପ୍ରକୃତ ସାମାଜିକ ମାର୍ଗଦର୍ଶନ ନୁହେଁ । ମାର୍ଗଦର୍ଶନର ମୌଳିକ ଉପାୟ ହେଉଛି ବୌଦ୍ଧିକତା ଯାହାକି କାହାର ବ୍ୟକ୍ତିଗତ ବ୍ୟାପାର ନୁହେଁ । ବୌଦ୍ଧିକ ମାର୍ଗଦର୍ଶନ ଦ୍ଵାରା କିଶୋରମାନଙ୍କର ସ୍ଵଭାବ, ମନୋବୃତ୍ତି, ବୁଝାମଣା ଆଦିର ବିକାଶ ହୋଇଥାଏ । ଫଳରେ ସେମାନେ ସାମାଜିକ କାର୍ଯ୍ୟକ୍ରମରେ ସାର୍ଥକ ଭାବେ ଅଂଶ ଗ୍ରହଣ କରିଥାନ୍ତି । ଏହାଦ୍ୱାରା ସେମାନେ ନିଜର ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଦକ୍ଷତା ହାସଲ କରନ୍ତି । ଅନ୍ୟମାନଙ୍କର କାର୍ଯ୍ୟଶୈଳୀ ଓ ବିଚାରଧାରାକୁ ତର୍ଜମା ଓ ବିବେଚନା କରି ତଦନୁଯାୟୀ କାର୍ଯ୍ୟକରିଥାନ୍ତି । ଏହାଦ୍ୱାରା କାର୍ଯ୍ୟର ଲକ୍ଷ୍ୟ ଓ ଉପାୟ ସମ୍ବନ୍ଧୀୟ ବୈଜ୍ଞାନିକ ମନୋବୃତ୍ତି ଓ ଅବବୋଧ ସେମାନଙ୍କ ଭିତରେ ସୃଷ୍ଟି ହୁଏ । ଏହି ସର୍ବସମ୍ମତ ଅବବୋଧ ବା ବୁଝାମଣା ହିଁ ସାମାଜିକ ନିୟନ୍ତ୍ରଣର ନିର୍ଯ୍ୟାସ । ସୁତରାଂ ସାମାଜିକ ମାର୍ଗଦର୍ଶନ ପରୋକ୍ଷ, ଆବେଗିକ ଓ ବୌଦ୍ଧିକ । ଏହା ଆଭ୍ୟନ୍ତରୀଣ ନିୟନ୍ତ୍ରଣ ସର୍ବସ୍ୱ । ଶିକ୍ଷାର କାର୍ଯ୍ୟହେଲା ଏହି ଆଭ୍ୟନ୍ତରୀଣ ନିୟନ୍ତ୍ରଣ ହାସଲ କରାଇବା ।

 

ଅଭିବୃଦ୍ଧି ଭାବେ ଶିକ୍ଷା

 

କିଶୋର/ଯୁବକମାନଙ୍କର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରି, ମାର୍ଗଦର୍ଶନ କରାଇ ସମାଜ ସେମାନଙ୍କର ଭବିଷ୍ୟତ ନିରୂପଣ କରେ । ସେମାନଙ୍କର ଅଭିବୃଦ୍ଧି ଓ ବିକାଶ ସମାଜର ବିକାଶ ପାଇଁ ଏକାନ୍ତ ଆବଶ୍ୟକ । ଅଭିବୃଦ୍ଧିର ପ୍ରାରମ୍ଭ ସ୍ଥିତି ହେଉଛି ଅପରିପକ୍ଵତା । ଅପରିପକ୍ଵତାର ଅର୍ଥ ପରିପକ୍ଵତାର ସମ୍ଭାବନା ବା ବିକାଶ ପାଇଁ ଶକ୍ତି ବା ସାମର୍ଥ୍ୟ । ଏହି ସମ୍ଭାବନାର ଗଠନାତ୍ମକ ଓ ସକରାତ୍ମକ ଦିଗ ଅପରିପକ୍ଵତାର ଦୁଇଟି ମୁଖ୍ୟ ଗୁଣକୁ ସୂଚାଇଥାଏ । ତାହାହେଲା, ନିର୍ଭରଶୀଳତା ଓ ନମନୀୟତା । ବିକାଶପାଇଁ ସାମର୍ଥ୍ୟ ଅନ୍ୟମାନଙ୍କ ପାଇଁ ଆବଶ୍ୟକତା ଉପରେ ନିର୍ଭର କରେ । ନମନୀୟତା ବା ଅଭିଜ୍ଞତାରୁ ଶିଖିବାର ସାମର୍ଥ୍ୟର ଅର୍ଥ ହେଉଛି ଅଭ୍ୟାସ ଗଠନ । ଅଭ୍ୟାସ ପରିବେଷ୍ଟନୀ ଉପରେ ନିୟନ୍ତ୍ରଣ ଜାରି ରଖେ ଏବଂ ମାନବୀୟ ଉଦ୍ଦେଶ୍ୟ ସାଧନ ପାଇଁ ନିୟନ୍ତ୍ରଣକୁ ବ୍ୟବହାର କରିବାକୁ ଶକ୍ତି ଦିଏ । ଅଭ୍ୟାସ ଅଭିବୃଦ୍ଧି ପାଇଁ ପୃଷ୍ଠଭୂମି ଯୋଗାଇଥାଏ, ପ୍ରସ୍ତୁତ କରିଥାଏ । ସକ୍ରିୟ ଅଭ୍ୟାସରେ ଚିନ୍ତନ, ଉଦ୍ଭାବନ ଓ ନୂତନ ଲକ୍ଷ୍ୟରେ ସାମର୍ଥ୍ୟ ପ୍ରୟୋଗ କରିବାର ପ୍ରଚେଷ୍ଟା ଜଡ଼ିତ ଥାଏ । ଗତାନୁଗତିକ କାର୍ଯ୍ୟଧାରା ବୃଦ୍ଧିର ପରିପନ୍ଥୀ ହୋଇଥିବାରୁ ଅଭ୍ୟାସ ତାହାର ବିରୋଧ କରେ । ଅଭିବୃଦ୍ଧି ହେଉଛି ଜୀବନର ବୈଶିଷ୍ଟ୍ୟ । ତେଣୁ ଶିକ୍ଷା ହେଉଛି ବୃଦ୍ଧି ସମ୍ପନ୍ନ ଓ ବୃଦ୍ଧି ସର୍ବସ୍ଵ । ଶିକ୍ଷା ଓ ବୃଦ୍ଧି ସମାର୍ଥକ । ଶିକ୍ଷା ପ୍ରକ୍ରିୟାର ଅନ୍ତ ନାହିଁ । ଏହା ନିଜେ ନିଜର ଅନ୍ତ । ଏହା ଏକ ନିରନ୍ତର ପୁନର୍ଗଠନ, ପୁନଃସଂଗଠନ ଓ ରୂପାନ୍ତରକରଣ ପ୍ରକ୍ରିୟା ।

 

ପ୍ରସ୍ତୁତି, ଉନ୍ମୋଚନ ଏବଂ ଔପଚାରିକ ଶୃଙ୍ଖଳା

 

ଶୈକ୍ଷିକ ପ୍ରକ୍ରିୟା ଏକ ନିରନ୍ତର ଅଭିବୃଦ୍ଧିର ପ୍ରକ୍ରିୟା ଏବଂ ବୃଦ୍ଧି ସହିତ ତାଳଦେଇ ପ୍ରତ୍ୟେକ ସ୍ତର ପାଇଁ ଏହାର ଲକ୍ଷ୍ୟ ସ୍ଥିର କରାଯାଇଥାଏ ଏବଂ ସ୍ତରର ଉନ୍ନତି ସହିତ ଅଧିକରୁ ଅଧିକ ଶିକ୍ଷାର ଆବଶ୍ୟକ ହୋଇଥାଏ । କିନ୍ତୁ ଏହାର କେତେକ ବିପରୀତ ଧାରଣା ଶୈକ୍ଷିକ କାର୍ଯ୍ୟକୁ ପ୍ରଭାବିତ କରିସାରିଅଛି । ଏଭଳି ପ୍ରଥମ ଧାରଣା ହେଉଛି ଯେ ଶିକ୍ଷା ପ୍ରକ୍ରିୟା ଭବିଷ୍ୟତର କାର୍ଯ୍ୟ ବା ଅଧିକାର ହାସଲ ପାଇଁ ଏକ ପ୍ରସ୍ତୁତି । ଏହି ଲକ୍ଷ୍ୟଟି ବର୍ତ୍ତମାନର ଆବଶ୍ୟକତା ଓ ସମ୍ଭାବନା ଠାରୁ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କର ଧ୍ୟାନକୁ ଅନ୍ୟଦିଗକୁ ନେଇଥାଏ ବୋଲି କେତେକ ମତ ଦେଇଥାନ୍ତି । ଶିକ୍ଷାର୍ଥୀଙ୍କର ଅନ୍ତର୍ନିହିତ କ୍ଷମତାକୁ ବିକାଶ ଭାବେ ଶିକ୍ଷା ପ୍ରକ୍ରିୟା ଅଭିବୃଦ୍ଧିର ଧାରଣା ସହିତ ସମାନ ବୋଲି ଜଣାଯାଉଥିଲେ ମଧ୍ୟ ଫ୍ରୋବେଲ୍ ଓ ହେଗେଲ୍‌ଙ୍କର ତତ୍ତ୍ଵ ଅନୁସାରେ ବର୍ତ୍ତମାନ ପରିବେଶର ପରିସ୍ଥିତିରେ ତାତ୍‍କାଳୀକ ଜୈବିକ ଧାରାକୁ ଏଡ଼ାଇଦେବାର ଧାରଣା ଉପରୋକ୍ତ ଧାରଣାର ପରିପନ୍ଥୀ ବୋଲି ଜଣାଯାଏ ।

 

ଶିକ୍ଷାରେ ଗଣତାନ୍ତ୍ରିକ ଅବଧାରଣା

 

ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା କହିଲେ ଅପରିପକ୍ଵମାନଙ୍କର ନିଜ ଗୋଷ୍ଠୀ ଜୀବନରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ବିକାଶ ଓ ଲକ୍ଷ୍ୟ ହାସଲ କରିବାକୁ ବୁଝାଇଥାଏ । ଅର୍ଥାତ୍ ଏକ ଗୋଷ୍ଠୀରେ ଜୀବନର ମାନ ସହିତ ଶିକ୍ଷା ପ୍ରକ୍ରିୟା ବଦଳୁଥାଏ । ଶିକ୍ଷାର ସ୍ଵରୂପ ସଂପର୍କରେ ଅବଧାରଣା କରିବାକୁ ହେଲେ ବର୍ତ୍ତମାନର ସାମାଜିକ ଜୀବନକୁ ଅତିନିକଟରୁ ନିରୀକ୍ଷଣ କରିବା ଆବଶ୍ୟକ । ଅନ୍ୟ ଭାବେ କହିଲେ ବର୍ତ୍ତମାନ ବିଭିନ୍ନ ପ୍ରକାରର ସମାଜରେ ଶିକ୍ଷାର ଧାରା ସମ୍ପର୍କରେ ଆଲୋଚନା ଏବଂ ସଂଗଠନ କରିବା ପାଇଁ ଏକ ମାପଦଣ୍ଡଭାବେ ନିର୍ଦ୍ଦିଷ୍ଟ ସମାଜର ସାମାଜିକ ଆଦର୍ଶକୁ ନେବାକୁ ହେବ । ଏକ ସାମାଜିକ ଜୀବନର ମାନ ନିର୍ଦ୍ଧାରଣ କରିବା ପାଇଁ ମାନଦଣ୍ଡର ଦୁଇଟି ଉପାଦାନ ରହିବା ବିଧେୟ । ଗୋଟିଏ ହେଲା ଗୋଟିଏ ଗୋଷ୍ଠୀର ସ୍ୱାର୍ଥ, ଏହାର ସମସ୍ତ ସଦସ୍ୟମାନେ ଏଥିରେ କେତେଦୂର ଅଂଶଗ୍ରହଣ କରୁଛନ୍ତି ଏବଂ ଅନ୍ୟଟି ହେଉଛି ଗୋଟିଏ ଗୋଷ୍ଠୀ ଅନ୍ୟଗୋଷ୍ଠୀମାନଙ୍କ ସହ କେତେଦୂର ସ୍ଵାଧୀନ ଓ ସଂପୂର୍ଣଭାବେ ଆଦାନପ୍ରଦାନ କରିପାରୁଛି । ମାନଦଣ୍ଡର ଏହି ଦୁଇଟି ଆକଳନ ଉପାଦାନ ଭିଭିରେ ଏକ ବାଞ୍ଛିତ ଏବଂ ଏକ ଅବାଞ୍ଛିତ ସମାଜ ମଧ୍ୟରେ ପାର୍ଥକ୍ୟ ସଂବନ୍ଧରେ ଧାରଣା କରିହେବ ।

 

ଏକ ଅବାଞ୍ଛିତ ସମାଜ ମୁକ୍ତ ସମ୍ପର୍କ ଓ ଅଭିଜ୍ଞତା ବିନିମୟ କ୍ଷେତ୍ରରେ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ପ୍ରତିବନ୍ଧକ ସୃଷ୍ଟି କରିଥାଏ । କିନ୍ତୁ ଏକ ବାଞ୍ଛିତ ସମାଜରେ ପ୍ରତ୍ୟେକ ସଦସ୍ୟଙ୍କୁ ଅନ୍ୟ ସଦସ୍ୟଙ୍କ ଅଭିଜ୍ଞତାରେ ସମାନଭାବେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇଥାଏ ଏବଂ ବିଭିନ୍ନ ପ୍ରକାର ଯୌଥ ଜୀବନର କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ଏହାର ଅନୁଷ୍ଠାନ ଗୁଡ଼ିକରେ ନମନୀୟ ସମନ୍ଵୟ କରାଯାଇଥାଏ । ଏହି ପ୍ରକାର ବାଞ୍ଛିତ ସମାଜକୁ ଗଣତାନ୍ତ୍ରିକ ସମାଜ କୁହାଯାଏ । ଏଠାରେ ଯୌଥ ଅଭିଜ୍ଞତାର ସୁଯୋଗ ଓ ସୁବିଧା ସବୁଠାରୁ ବେଶୀ ଥାଏ । କାରଣ ଏଠାରେ ନାଗରିକମାନଙ୍କର ଚିନ୍ତା ଓ ଆଚରଣ ଉପରେ ବାଧା ବିଶେଷ ଭାବରେ ନଥାଏ । ଗଣତନ୍ତ୍ର ଏକ ସରକାର ନୁହେଁ । Democracy is more than a form of government: it is primarily a mode and associated living of conjoint communicated experience. (ପୃ-୮୭)

 

ଗଣତାନ୍ତ୍ରିକ ସମାଜର ଶିକ୍ଷା ସାମାଜିକ ସମ୍ପର୍କ ଓ ନିୟନ୍ତ୍ରଣ ପ୍ରତି ବ୍ୟକ୍ତିର ବ୍ୟକ୍ତିଗତ ଆଗ୍ରହ ସୃଷ୍ଟି କରିଥାଏ ଏବଂ ବିନା ବିଶୃଙ୍ଖଳାରେ ସାମାଜିକ ପରିବର୍ତ୍ତନ ଆଣିବାକୁ ସେମାନଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିଥାଏ ।

 

ଏହି ପରିପ୍ରେକ୍ଷୀରେ ଡୁଇ ଶିକ୍ଷାର ତିନିଟି ଐତିହାସିକ ଦର୍ଶନର ଅବତାରଣା କରିଛନ୍ତି । ପ୍ଲାଟୋଙ୍କର ଶୈକ୍ଷିକ ଦର୍ଶନର ବିଚାର ପ୍ରଥମେ କରିଛନ୍ତି । ପ୍ଲାଟୋଙ୍କ ଅନୁସାରେ ଏକ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜର ଅଭିରୁଚି ଓ ସାମର୍ଥ୍ୟ ଅନୁଯାୟୀ ଅନ୍ୟମାନଙ୍କର ଉପଯୋଗୀ ହେବା ଭଳି କାର୍ଯ୍ୟ କରୁଥିଲେ ସେହି ସମାଜଟି ସ୍ଥାୟୀଭାବେ ସଂଗଠିତ ହୋଇଥାଏ । ଏଭଳି ଅଭିରୁଚିଗୁଡ଼ିକୁ ଆବିଷ୍କାର କରିବା ଏବଂ ସେଗୁଡ଼ିକୁ କ୍ରମାଗତଭାବେ ସାମାଜିକ ଉପଯୋଗିତା ପାଇଁ ଯୋଗ୍ୟକରିବା ହିଁ ଶିକ୍ଷାର କାର୍ଯ୍ୟ ହେବ । କିନ୍ତୁ ତାଙ୍କର ବ୍ୟକ୍ତିର ଅନନ୍ୟତା ସମ୍ପର୍କରେ ଧାରଣା ସ୍ପଷ୍ଟ ନୁହେଁ । ସେ ବ୍ୟକ୍ତିମାନଙ୍କୁ କେତେକ ସାମାଜିକ ଶ୍ରେଣୀ (Social Class)ର ସଦସ୍ୟଭାବେ ଚିହ୍ନିତ କରିଥିଲେ । ସେଥପାଇଁ ଶିକ୍ଷା ପାଇଁ ଏକକ ବ୍ୟକ୍ତି ନହୋଇ ଏକ ଶ୍ରେଣୀ ବା ଗୋଷ୍ଠୀ ହୋଇଥିଲା ।

 

ଅଷ୍ଟାଦଶ ଶତାବ୍ଦୀର ରୁଷୋଙ୍କର ‘ପ୍ରକୃତି’ ହିଁ ବ୍ୟକ୍ତିଗତ ପ୍ରତିଭାର ବିବିଧତାକୁ ପ୍ରକାଶ କରିବାର ସାମର୍ଥ୍ୟ ଅଛି ବୋଲି ବିଚାର କରାଯାଇଥିଲା । ପ୍ରକୃତି ଅନୁସାରେ ଶିକ୍ଷାର ଲକ୍ଷ୍ୟ, ଶିକ୍ଷାଦାନ ପଦ୍ଧତି ଏବଂ ଶୃଙ୍ଖଳା ନିର୍ଦ୍ଧାରିତ ହେଉଥିଲା । ଏସବୁ ସତ୍ତ୍ଵେ ବାସ୍ତବରେ ଏହି ଯୁଗରେ ସାମାଜିକ ଅଗ୍ରଗତି ହିଁ ମୂଳ ଲକ୍ଷ୍ୟ ଥିଲା । ଏବଂ ଏହାର ଆଦର୍ଶ ଥିଲା ମାନବିକତା । ଏପରି ମାନବୀୟ ସମାଜରେ ମଣିଷର ସାମର୍ଥ୍ୟ ସବୁ ମୁକ୍ତିଲାଭ କରି ବିକଶିତ ହୋଇପାରେ ବୋଲି ଚିନ୍ତା କରାଯାଉଥିଲା । ଅପରପକ୍ଷରେ ରାଜନୈତିକ ସଂଗଠନରେ ବ୍ୟକ୍ତିକ କ୍ଷମତା କ୍ଷୁର୍ଣ୍ଣ ଏବଂ ବିକଳାଙ୍ଗ କରାଯାଇ ରାଷ୍ଟ୍ରର ଶାସକଙ୍କର ସ୍ଵାର୍ଥ ସିଦ୍ଧି ପାଇଁ ବ୍ୟବହାର କରାଯାଉଥିଲା । ଏଥିପାଇଁ ଏଭଳି ରାଷ୍ଟ୍ରରେ ବ୍ୟକ୍ତିଉପରେ ଅନେକ ଅଙ୍କୁଶ ଲଗାଯାଉଥିଲା । ଏହି ସମୟରେ ପ୍ରାକୃତିକ ବିଜ୍ଞାନରେ ହୋଇଥିବା ଅଗ୍ରଗତି ପ୍ରକୃତି ଉପରେ ଅଖଣ୍ଡ ବିଶ୍ୱାସ ସୃଷ୍ଟି କରିଥିଲା । ପ୍ରକୃତିର ନିୟମ ଅନୁସାରେ ଶିକ୍ଷାକୁ ଏକ ଅଧିକ ସାମାଜିକ ସମାଜ ନିଶ୍ଚିତ କରିବାରେ ପ୍ରଥମ ପଦକ୍ଷେପ ଭାବେ ଚିନ୍ତା କରାଗଲା । କିନ୍ତୁ ଶିକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାଧ୍ୟମ ସମ୍ପର୍କରେ ସ୍ପଷ୍ଟ ଧାରଣା ଜନ୍ମି ନଥିଲା-। ଏହି ସମୟରେ ଉଦ୍ଭବ ଆଦର୍ଶ ସବୁର ବିକାଶ ପାଇଁ ପ୍ରକୃତି ଉପରେ ଅଧିକ ନିର୍ଭରଶୀଳ ହେବାର ଦୃଷ୍ଟାନ୍ତ ମିଳେ ।

 

ଅଷ୍ଟାଦଶ ଶତାବ୍ଦୀର ଆନୁଷ୍ଠାନିକ ଶୈକ୍ଷିକ ବ୍ୟବସ୍ଥାର ଅଭାବ ପରବର୍ତ୍ତୀ ଶତାବ୍ଦୀରେ ଜାତୀୟ ରାଷ୍ଟ୍ର ଦ୍ଵାରା ପୂରଣ ହୋଇଥିଲା । ଏହି ସମୟରେ ଜାତୀୟବାଦ ଆନ୍ଦୋଳନ ମୁଣ୍ଡ ଟେକିଥିଲା ଓ ଶିକ୍ଷା ମଧ୍ୟ ଜାତୀୟତାବାଦ ଦ୍ବାରା ପ୍ରଭାବିତ ହୋଇ ଜାତୀୟ ରାଷ୍ଟ୍ର ଦ୍ୱାରା ପରିଚାଳିତ ହୋଇଥିଲା । ମାନବିକତା ‘ରାଷ୍ଟ୍ର’ ଦ୍ଵାରା, ସାର୍ବଭୌମତା ‘ଜାତୀୟ’ ଦ୍ଵାରା ପରିବର୍ତ୍ତିତ ହେଲା । ‘ମଣିଷ’ ସୃଷ୍ଟି ପରିବର୍ତ୍ତେ ନାଗରିକ ପ୍ରସ୍ତୁତି ଶିକ୍ଷାର ଉଦ୍ଦେଶ୍ୟ ହେଲା । କିନ୍ତୁ ଏହାଦ୍ୱାରା ଶିକ୍ଷାର ସାମାଜିକ ଲକ୍ଷ୍ୟ କ୍ଷମତାରେ ଥିବା ରାଜନୈତିକ ଗୋଷ୍ଠୀ ପ୍ରତି ଆନୁଗତ୍ୟରେ ସୀମିତ ହୋଇଗଲା ଏବଂ ବ୍ୟକ୍ତିକୁ ଅନୁଷ୍ଠାନର ଅନୁଗତ ଭାବେ ପରିଣତ କରିଦିଆଗଲା ।

 

ଶିକ୍ଷାରେ ଲକ୍ଷ୍ୟ :

 

ଏକ ଗଣତାନ୍ତ୍ରିକ ଗୋଷ୍ଠୀରେ ଶିକ୍ଷାକୁ ସାଧାରଣତଃ ବ୍ୟକ୍ତିମାନଙ୍କୁ ସେମାନଙ୍କର ଅଭିବୃଦ୍ଧି ପାଇଁ ସାମର୍ଥ୍ୟ ବୃଦ୍ଧି କରିବାକୁ ନିରନ୍ତର ପ୍ରଚେଷ୍ଟା ଭାବେ ବୁଝାଯାଇଥାଏ । ଅବଶ୍ୟ ଏକ ସମାଜରେ କେବଳ ପରସ୍ପର ମଧ୍ୟରେ ଆପୋଷ ଆଦାନ ପ୍ରଦାନ ପ୍ରକ୍ରିୟାରେ ନିୟୋଜିତ ରହି ଯେଉଁମାନେ ସାମାଜିକ କାର୍ଯ୍ୟକ୍ରମ ଓ ଅନୁଷ୍ଠାନ ମାନଙ୍କରେ ପୁନର୍ଗଠନ କରିବାରେ ପ୍ରୟାସୀ ଥିବେ କେବଳ ସେହିମାନଙ୍କ ପାଇଁ ଶିକ୍ଷାର ଏପରି ଉଦ୍ଦେଶ୍ୟ ପ୍ରଯୁଜ୍ୟ ହୋଇପାରେ । ସମାଜର ଅନ୍ୟମାନଙ୍କ ପାଇଁ ସମଭାବରେ ଏହା ଉଚିତ ବୋଧ ହୋଇନଥାଏ ।

 

ଶୈକ୍ଷିକ ଲକ୍ଷ୍ୟର ପ୍ରକୃତି ନିର୍ଦ୍ଧାରଣ କରିବାବେଳେ ଶିକ୍ଷାର ଫଳାଫଳ ଓ ପରିଣତି ମଧ୍ୟରେ ଥିବା ପାର୍ଥକ୍ୟକୁ ବିଶ୍ଳେଷଣ କରିବାର ପନ୍ଥା ଅନୁସରଣ କରିଥାଉ । ଯେହେତୁ ଲକ୍ଷ୍ୟ ସର୍ବଦା ଫଳାଫଳ ସହିତ ଜଡ଼ିତ ସେଥିପାଇଁ ପ୍ରଥମ ପ୍ରଶ୍ନ ହେବ ଯେ ନ୍ୟସ୍ତ କାର୍ଯ୍ୟଟି ମଧ୍ୟରେ ଅନ୍ତର୍ନିହିତ ଅଖଣ୍ଡତା ଅଛିକି ନା ଏହା କେତେକ ଅସଂଲଗ୍ନ କାର୍ଯ୍ୟର ସମାହାର ଅଟେ । ଗୋଟିଏ ଶୈକ୍ଷିକ କାର୍ଯ୍ୟକୁ ଶିକ୍ଷକଙ୍କର ଧାରାବାହିକ ନିର୍ଦ୍ଦେଶନା ବା ସ୍ୱତଃସ୍ଫୁର୍ତ୍ତ ପରିପ୍ରକାଶ ଯୋଗୁ କେତେକ ବିଚ୍ଛିନ୍ନ କାର୍ଯ୍ୟର ସମାହାର ଭାବେ ଚିନ୍ତାକରିବା ଭୁଲ ହେବ | An aim implies an orderly and ordered activity, one in which the order consists in the progressive completing of a person. (ପୃ-୧୦୨) ଏଥିରୁ ଜଣାଯାଏ ଯେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏବଂ ସମୟ ବ୍ୟବଧାନ କ୍ରମ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ଅଭିବୃଦ୍ଧି ହେଉଥିବା ଏକ କାର୍ଯ୍ୟ କରାଯିବାକୁ ଥିଲେ, ସେଠାରେ ଲକ୍ଷ୍ୟର ଅର୍ଥ ହେଉଛି ବହୁପୂର୍ବରୁ କାର୍ଯ୍ୟର ପରିଣତି ସମ୍ପର୍କରେ ଦୂରଦୃଷ୍ଟି । ଏଭଳି ଦୂରଦୃଷ୍ଟି ତିନିଟି ବାଟରେ କାର୍ଯ୍ୟକାରୀ ହୋଇଥାଏ-। ପ୍ରଥମଟି ହେଉଛି ଅତ୍ୟନ୍ତ ଯତ୍ନ ସହକାରେ ଉପସ୍ଥିତ ପରିସ୍ଥିତିରେ ନିର୍ଦ୍ଦିଷ୍ଟ ପରିଣତି ହାସଲ କରିବା ପାଇଁ ମିଳୁଥିବା ସାଧନମାନଙ୍କୁ ପର୍ଯ୍ୟବେକ୍ଷଣ କରିବା ଏବଂ ଏଥିପାଇଁ ଥିବା ବାଧାବିଘ୍ନ ଗୁଡ଼ିକୁ ଆବିଷ୍କାର କରିବା ।

 

ଦ୍ଵିତୀୟତଃ, ଏହି ସାଧନଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ବ୍ୟବହାର କରିବା ପାଇଁ ସଜାଡ଼ିବା ଏବଂ ତୃତୀୟରେ ପରିଣତି ହାସଲ ପାଇଁ ବିକଳ୍ପ ପନ୍ଥାମାନ ଚିନ୍ତା କରିବା-। ଏପରି ଭାବେ ଏକ ଉଦ୍ଦେଶ୍ୟ କଥା ଚିନ୍ତା କରିବା ପାଇଁ ବୁଦ୍ଧିମତାର ସହ କାର୍ଯ୍ୟ କରିବାକୁ ହେବ-

 

ଏକ ଉତ୍ତମ ଲକ୍ଷ୍ୟ ସ୍ଥିର କରିବା ପାଇଁ ତିନିଟି ବିଷୟ ପ୍ରତି ସାବଧାନତା ଅବଲମ୍ବନ କରିବାକୁ ହେବ ।

 

ନିର୍ଦ୍ଧାରଣ କରାଯାଉଥିବା ଲକ୍ଷ୍ୟଟି ସାଂପ୍ରତିକ ପରିସ୍ଥିତିରୁ ଉଦ୍ଭବ ହେଉଥିବା ଆବଶ୍ୟକ । ବହୁ ସମୟରେ ଶିକ୍ଷା ଏବଂ ନୈତିକ ତତ୍ତ୍ୱମାନଙ୍କ ଆଧାରରେ ଆଦର୍ଶ ଏବଂ ସ୍ଵାଭାବିକ ପରିସ୍ଥିତି ସହିତ ଅସଂପୃକ୍ତ ଲକ୍ଷ୍ୟମାନଙ୍କୁ ସ୍ଥିର କରିବା ଦ୍ଵାରା ଏହା ବହିସ୍ଥ କର୍ତ୍ତୃତ୍ୱ ଦ୍ଵାରା ଲଦିଦିଆଯାଇଥାଏ । ତାହା ଲକ୍ଷ୍ୟ ନିର୍ଦ୍ଧାରଣରେ ବୁଦ୍ଧିମତ୍ତାର ଆବଶ୍ୟକତାକୁ ସୀମିତ କରିଥାଏ । ଫଳରେ ଲକ୍ଷ୍ୟ ସାଧନ ପାଇଁ ଉପାୟମାନ ଯନ୍ତ୍ରବତ୍ ପ୍ରୟୋଗ କରାଯାଇଥାଏ ।

 

କାର୍ଯ୍ୟପୂର୍ବରୁ ନିର୍ଦ୍ଧାରିତ ଲକ୍ଷ୍ୟ ବହୁ ଭାବରେ ନମନୀୟ ହେଲେ ଏଥିପାଇଁ ହେଉଥିବା କାର୍ଯ୍ୟ ସମୟ ମଧ୍ୟରେ ଲକ୍ଷ୍ୟଟି ଉପଯୁକ୍ତଭାବେ ପରିମାର୍ଜିତ କରାଯାଇପାରିବ ।

 

ଲକ୍ଷ୍ୟ କେବଳ ଅନ୍ତିମ ଫଳାଫଳ ସୂଚାଇନଥାଏ । ଏଥିରେ କାର୍ଯ୍ୟକରିବାର ପ୍ରକ୍ରିୟା ମଧ୍ୟ ଜଡ଼ିତ ଥିବାରୁ ଲକ୍ଷ୍ୟ ହାସଲ ସହିତ ସେହି ପ୍ରକ୍ରିୟାଗୁଡ଼ିକରେ ପରିଣତି କ’ଣ ହେବ ସେ ସମ୍ପର୍କରେ ଲକ୍ଷ୍ୟ ନିର୍ଦ୍ଧାରଣ ସମୟରେ ଚିନ୍ତା କରିବା ଆବଶ୍ୟକ ।

ସମସ୍ତ ଉତ୍ତମ ଶୈକ୍ଷିକ ଲକ୍ଷ୍ୟର କେତେକ ବିଶେଷ ଲକ୍ଷଣ ଏଠାରେ ଉଲ୍ଲେଖ କରାଯାଇଛି ।

ଜଣେ ବ୍ୟକ୍ତି ଶିକ୍ଷିତ ହେବାର ଅନ୍ତର୍ନିହିତ କାର୍ଯ୍ୟାବଳୀ ଓ ଆବଶ୍ୟକତା ଉପରେ ଏକ ଶୈକ୍ଷିକ ଲକ୍ଷ୍ୟ ଆଧାରିତ ହେବା ବିଧେୟ ।

ଯେଉଁମାନଙ୍କୁ ଶିକ୍ଷାଦାନ ଦିଆଯାଉଥିବ ସେମାନଙ୍କର କାର୍ଯ୍ୟାବଳୀ ସହିତ ସହଯୋଗୀ ହେଉଥିବା ପଦ୍ଧତି ନିର୍ଦ୍ଧାରଣ କରିବାରେ ଲକ୍ଷ୍ୟଟିର ସାମର୍ଥ୍ୟ ଥିବ ।

ଲକ୍ଷ୍ୟଗୁଡ଼ିକ ନିର୍ଦ୍ଦିଷ୍ଟ ଏବଂ ନମନୀୟ ହୋଇଥିବା ଆବଶ୍ୟକ । ଶିକ୍ଷକମାନଙ୍କର ସାଧାରଣ ଏବଂ ଅପରିବର୍ତ୍ତନୀୟ ଲକ୍ଷ୍ୟ ଗୁଡ଼ିକ ସମ୍ପର୍କରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।

 

ଲକ୍ଷ୍ୟଗୁଡ଼ିକର ସ୍ଵାଭାବିକ ବିକାଶ ଏବଂ ସାମାଜିକ ଦକ୍ଷତା

 

ସାଧାରଣ କିମ୍ବା ସାମଗ୍ରିକ ଲକ୍ଷ୍ୟମାନ ଶିକ୍ଷାର ନିର୍ଦ୍ଦିଷ୍ଟ ସମସ୍ୟା ସର୍ବେକ୍ଷଣ ପାଇଁ ଦୃଷ୍ଟିକୋଣ ହୋଇପାରନ୍ତି । ଏଗୁଡ଼ିକ ପରବର୍ତ୍ତୀ ସମୟରେ ଏକ ବୃହତ୍ତର ପରିଣତିରୁ ଅନ୍ୟଦ୍ୱାରା ପ୍ରସ୍ତାବିତ କାର୍ଯ୍ୟଧାରା ଖୁବ୍ ଶୀଘ୍ର ଏବଂ ସୁସଂଗଠିତ ଭାବେ ନିର୍ଦ୍ଧାରଣ କରିବାର ସମ୍ଭାବ୍ୟତାକୁ ପରୀକ୍ଷା କରିବା ପାଇଁ ଉତ୍ତମ ମାନଦଣ୍ଡଭାବେ କାର୍ଯ୍ୟ କରିପାରେ । ଏହାକୁ ଶିକ୍ଷାର ତିନିଟି ସାଧାରଣ ଲକ୍ଷ୍ୟରେ ପ୍ରୟୋଗ କରାଯାଇପାରେ । ଏହି ତିନିଟି ଉଦ୍ଦେଶ୍ୟ ହେଉଛି ପ୍ରକୃତି ବା ସ୍ଵଭାବ ଅନୁସାରେ ବିକାଶ, ସାମାଜିକ ଦକ୍ଷତା ଏବଂ ସାଂସ୍କୃତିକ ବା ବ୍ୟକ୍ତିଗତ ମାନସିକ ଅଭିବୃଦ୍ଧି-। ପ୍ରତ୍ୟେକ କ୍ଷେତ୍ରରେ ଆମେ ଦେଖୁ ଯେତେବେଳେ ଲକ୍ଷ୍ୟ ଗୁଡ଼ିକ ଅସଂପୂର୍ଣ୍ଣଭାବେ ବ୍ୟକ୍ତ କରାଯାଏ, ସେତେବେଳେ ସେଗୁଡ଼ିକ ପରସ୍ପର ସହ ଦ୍ଵନ୍ଦ୍ୱାତ୍ମକ ହୋଇଥାନ୍ତି । ସ୍ଵାଭାବିକ ବିକାଶର ଆଂଶିକ ଉକ୍ତି ତଥାକଥିତ ସ୍ୱତଃସ୍ଫୁର୍ତ୍ତ ବିକାଶରେ ଆଦିମ କ୍ଷମତା ହାସଲ କରିବାକୁ ସର୍ବଶେଷ ଲକ୍ଷ୍ୟଭାବେ ବିବେଚନା କରାଯାଏ । ଏହି ଦୃଷ୍ଟିକୋଣରୁ ଅନ୍ୟମାନଙ୍କ ଉପଯୋଗୀ ହେବା ପାଇଁ ପ୍ରଶିକ୍ଷଣ ଏକ ଅସ୍ୱାଭାବିକ ପ୍ରତିବନ୍ଧକ ହୋଇଥାଏ ଏବଂ ଏହି ଲକ୍ଷ୍ୟକୁ ଉଦ୍ଦେଶ୍ୟମୂଳକଭାବେ ପରିବର୍ତ୍ତନ କରାଯିବା ଏକ ଭ୍ରଷ୍ଟାଚାର ଅଟେ । କିନ୍ତୁ ଯେତେବେଳେ ସ୍ଥାନୀୟ କାର୍ଯ୍ୟାବଳୀକୁ ସ୍ଵାଭାବିକ କାର୍ଯ୍ୟଭାବେ ବିଚାର କରାଯାଏ ଓ ସେଗୁଡ଼ିକ ସ୍ୱାଭାବିକ ବ୍ୟବହାର ଦ୍ୱାରା ବିକାଶ ଲାଭ କରିଥାଏ, ସେତେବେଳେ ପୂର୍ବୋକ୍ତ ଦ୍ଵନ୍ଦ୍ୱ ଦୂର ହୋଇଯାଏ । ସେହିପରି ଅନ୍ୟମାନଙ୍କୁ ବାହ୍ୟିକ ସେବା ପ୍ରଦାନ ଅର୍ଥରେ ସାମାଜିକ ଦକ୍ଷତା ଅଭିଜ୍ଞତାର ଅର୍ଥକୁ ରୁଦ୍ଧିମନ୍ତ କରିବା ଲକ୍ଷ୍ୟର ବିରୋଧ କରିଥାଏ ।

 

ଏକ ବ୍ୟକ୍ତି ମନର ଆଭ୍ୟନ୍ତରୀଣ ଶୁଦ୍ଧି କରୁଥିବା ସଂସ୍କୃତି, ସାମାଜିକ ସ୍ୱଭାବର ପରିପନ୍ଥୀ ହୋଇଥାଏ । କିନ୍ତୁ ଏକ କୌଶଳ ପ୍ରକ୍ରିୟାଭାବେ ସାମାଜିକ ଦକ୍ଷତା ମୁକ୍ତ ଏବଂ ସଂପୂର୍ଣ୍ଣ ଭାବେ ଅନ୍ୟମାନଙ୍କ ସହ ସାଧାରଣ କାର୍ଯ୍ୟାବଳୀରେ ଯୋଗଦାନ କରିବାର କ୍ଷମତାରେ ବିକାଶକୁ ବୁଝିବା ଉଚିତ । ସଂସ୍କୃତି ବିନା ଏହା ଅସମ୍ଭବ । ଏକ ସାଂସ୍କୃତିକ ପରିବେଶରେ ଶିକ୍ଷଣ ବିନା ଏବଂ ବୃହତ୍ତର ଦୃଷ୍ଟିକୋଣ ହାସଲ ନକରି ଜଣେ ଅନ୍ୟମାନଙ୍କ ସହ ଆଦାନ ପ୍ରଦାନରେ ଭାଗୀଦାରୀ ହୋଇପାରିବ ନାହିଁ । ବୋଧହୁଏ ‘‘there is no better difficulties of culture than that it is the capacity for constantly expanding the range and accuracy of one's perception of meanings.” (ପୃ-୧୨୩)

 

ଆଗ୍ରହ ଏବଂ ଶୃଙ୍ଖଳା

 

ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିବା ଏକ କାର୍ଯ୍ୟର ଆଗ୍ରହ ଏବଂ ଶୃଙ୍ଖଳା ଦୁଇଟି ସହସମ୍ବନ୍ଧୀ ଲକ୍ଷଣ । କାର୍ଯ୍ୟକୁ ସଂଜ୍ଞାକୃତ କରୁଥିବା ଉଦ୍ଦେଶ୍ୟ ସବୁ ଆଗ୍ରହକୁ ବୁଝାଏ । କାର୍ଯ୍ୟହାସଲ ପାଇଁ ଏହି ଉଦ୍ଦେଶ୍ୟଗୁଡ଼ିକ ଉପାୟ ଏବଂ ଆହ୍ଵାନ ଯୋଗାଇ ଦେଇଥାନ୍ତି । ଲକ୍ଷ୍ୟଭିତ୍ତିକ ଯେକୌଣସି କାର୍ଯ୍ୟ ପୂର୍ବର ଅସମାହିତ ଅବସ୍ଥା ଏବଂ ପରବର୍ତ୍ତୀ ସମାହିତ ଅବସ୍ଥା ମଧ୍ୟରେ ପାର୍ଥକ୍ୟକୁ ବୁଝାଇଥାଏ । ଏହା ମଧ୍ୟ ଏହି ଦୁଇ ଅବସ୍ଥାର ମଧ୍ୟବର୍ତ୍ତୀ ସୋପାନଗୁଡ଼ିକୁ ବୁଝାଇଥାଏ । କୌଣସି କାର୍ଯ୍ୟ ପାଇଁ ଆଗ୍ରହ ସୃଷ୍ଟି କରିବାର ଅର୍ଥ ଏପରି ଏକ ନିରବଚ୍ଛିନ୍ନଭାବେ ବିକଶିତ କାର୍ଯ୍ୟ ପରିସ୍ଥିତିରେ ପ୍ରବେଶ କରିବା । ଦୁଇ ଅସମାହିତ ସ୍ଥିତି ଏବଂ ଇପ୍‍ସିତ ସଂପୂର୍ଣ୍ଣ ଅବସ୍ଥା ମଧ୍ୟରେ ଥିବା ସମୟ ବ୍ୟବଧାନ ଆଗ୍ରହ ପରିବର୍ତ୍ତନକୁ ପ୍ରଭାବିତ କରିଥାଏ । ଏହା ମନଯୋଗ ଏବଂ ସହନଶୀଳତାରେ ନିରବଚ୍ଛିନ୍ନତା ଆବଶ୍ୟକ କରେ । ଏହି ମନୋବୃତ୍ତିର ଅର୍ଥ ବାସ୍ତବତା ଦୃଷ୍ଟିରୁ ଇଚ୍ଛାଶକ୍ତି ଅଟେ । ଶୃଙ୍ଖଳା ବା ନିରବଚ୍ଛିନ୍ନ ମନଯୋଗ କ୍ଷମତାର ବିକାଶ ହିଁ ଏହାର ଫଳ ।

 

ଶିକ୍ଷାତତ୍ତ୍ଵ ପାଇଁ ଏହି ମତବାଦର ଗୁରୁତ୍ଵ ଦ୍ଵିବିଧ । ମନ ଏବଂ ମାନସିକ ଅବସ୍ଥା ଯେ ସ୍ୱୟଂସଂପୂର୍ଣ୍ଣ ଏବଂ ପୂର୍ବପ୍ରସ୍ତୁତ ବସ୍ତୁ ବା ବିଷୟ ଉପରେ ପ୍ରୟୋଗଦ୍ଵାରା ଜ୍ଞାନର ଉଦ୍ଭବ ହୋଇଥାଏ, ଏହି ଧାରଣାରୁ ଆମକୁ ରକ୍ଷା କରିଥାଏ । ଏହା ଦର୍ଶାଇଥାଏ ଯେ ମନ ଏବଂ ବୁଦ୍ଧି ବା, ଏକ କାର୍ଯ୍ୟଧାରାରେ ଉଦ୍ଦେଶ୍ୟମୂଳକଭାବେ ନିୟୋଜନ ଅଭିନ୍ନ ଅଟନ୍ତି । ସେଥିପାଇଁ ମନର ବିକାଶ ଏବଂ ପ୍ରଶିକ୍ଷଣ ଦ୍ଵାରା ଏପରି କାର୍ଯ୍ୟକରିବା ପାଇଁ ପ୍ରୋତ୍ସାହିତ କରିବାରେ ଏକ ପରିବେଶ ଯୋଗାଇ ଦିଆଯାଇପାରିବ । ଅନ୍ୟପକ୍ଷରେ, ବିଷୟବସ୍ତୁ ଗୁଡ଼ିକ ଯେ ପୃଥକ ଏବଂ ସ୍ୱାଧୀନ ଏହି ଧାରଣାରୁ ଆମକୁ ରକ୍ଷା କରିଥାଏ । ଏହା ଦର୍ଶାଇଥାଏ ଯେ ଶିକ୍ଷଣର ବିଷୟବସ୍ତୁ ସମସ୍ତ ବସ୍ତୁ, ଧାରଣା ଏବଂ ତତ୍ତ୍ୱ ସହିତ ଅଭିନ୍ନ ଏବଂ ଏଗୁଡ଼ିକ ସମ୍ବଳଭାବେ ଶିକ୍ଷଣର କାର୍ଯ୍ୟଧାରା ସହିତ ନିରବଚ୍ଛିନ୍ନ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଜଡ଼ିତ । ଏହାଦ୍ୱାରା ବିକଶିତ କାର୍ଯ୍ୟଧାରା ଏକ ସ୍ୱାଧୀନ ମନ ଏବଂ ବସ୍ତୁମାନଙ୍କର ଏକ ସ୍ୱାଧୀନ ଜଗତ ମଧ୍ୟରେ ବହୁସମୟରେ ଉଠୁଥିବା ବିଭେଦତାକୁ ଦୂର କରି ଏକ ଏକତ୍ଵ ସୃଷ୍ଟି କରି ଶିକ୍ଷଣ ପାଇଁ ଅନୁକୂଳ ପରିସ୍ଥିତି ଯୋଗାଇଥାଏ ।

 

ଅଭିଜ୍ଞତା ଓ ଚିନ୍ତନ

 

କାର୍ଯ୍ୟ କରିବା ବା ଏହାର ଫଳାଫଳ ପାଇବା ପାଇଁ କିଛି ଚେଷ୍ଟା କରିବା ସହିତ ଅଭିଜ୍ଞତା ବା ଅନୁଭୂତି ସଂପୃକ୍ତ । ସକ୍ରିୟ କର୍ମ ଅବସ୍ଥାକୁ ନିଷ୍କ୍ରିୟ କର୍ମ ଅବସ୍ଥାଠାରୁ ପୃଥକ କରିବା ଦ୍ୱାରା ଏକ ଅନୁଭୂତିର ମୂଳ ଅର୍ଥ ନଷ୍ଟ ହୋଇଯାଏ । ସମାହିତ କାର୍ଯ୍ୟ ଏବଂ ଏହାର ପରିଣତି ମଧ୍ୟରେ ନିର୍ଭୁଲ ଏବଂ ଇଚ୍ଛାକୃତଭାବେ ସଂଯୋଗ ସ୍ଥାପନ କରିବା ହିଁ ଚିନ୍ତନ ଅଟେ । ଚିନ୍ତନ ଏପରି ସଂଯୋଗ ପ୍ରତିଷ୍ଠା କରିବା ସହିତ ତା’ର ସବିସ୍ତୃତ ବିବରଣୀ ପ୍ରସ୍ତୁତ କରିଥାଏ । ଏହା ସଂଯୋଗକାରୀ ସୂତ୍ରଗୁଡ଼ିକୁ ସଂପର୍କ ଆକାରରେ ନିର୍ଦ୍ଦିଷ୍ଟ କରିଥାଏ । ସଂପନ୍ନ ହୋଇଥିବା ବା ସଂପନ୍ନ କରିବାକୁ ଥିବା କେତେକ କାର୍ଯ୍ୟର ବିଶେଷତ୍ଵକୁ ନିର୍ଦ୍ଧାରଣ କରିବା ହିଁ ଚିନ୍ତା କରିବା ପାଇଁ ଉଦ୍ଦୀପକଭାବେ କାର୍ଯ୍ୟ କରିଥାଏ । ସେତେବେଳେ ଆମେ ପରିଣତିର ପ୍ରତ୍ୟାଶା କରିଥାଉ । ଏହା ସୂଚାଇଥାଏ ଯେ ବର୍ତ୍ତମାନ ଯେଭଳି ପରିସ୍ଥିତି ଅଛି ତାହା ବାସ୍ତବିକ ବା ଆମକୁ ପ୍ରତୀୟମାନ ହେବାଭଳି ଅସଂପୂର୍ଣ୍ଣ କିମ୍ବା ଅନିଶ୍ଚିତ ଅଟେ । ପରିଣତିମାନଙ୍କର ଚିନ୍ତା କରିବାର ଅର୍ଥ ହେଉଛି ପ୍ରସ୍ତାବିତ କିମ୍ବା ଅନିର୍ଦ୍ଦିଷ୍ଟ ସମାଧାନ । ଏହି ପ୍ରାକ୍‍କଳ୍ପନାକୁ ସିଦ୍ଧ କରିବା ପାଇଁ ଉପସ୍ଥିତ ପରିସ୍ଥିତିଗୁଡ଼ିକୁ ସାବଧାନତାର ସହ ତନଖିବା ଉଚିତ । ଏବଂ ଏହି ପ୍ରାକ୍‍କଳ୍ପନାର ନିହିତାର୍ଥ ବିକାଶ କରିବାକୁ ହୋଇଥାଏ । ଏଭଳି ପ୍ରକ୍ରିୟାକୁ ‘ଯୁକ୍ତି’ (Reasoning) କୁହାଯାଏ । ତତ୍ପରେ ପ୍ରସ୍ତାବିତ ସମାଧାନକୁ–ଏହା ଧାରଣା ବା ତତ୍ତ୍ଵ ହୋଇପାରେ– ବାସ୍ତବରେ କାର୍ଯ୍ୟକାରୀ କରାଇ ପରୀକ୍ଷା କରାଯିବା ଉଚିତ । ଯଦି ଏହା ପୃଥିବୀରେ କିଛି ପରିଣତି, କିଛି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଆଣେ, ତା’ହେଲେ ଏହାକୁ ବୈଧ ବୋଲି ଧରାଯାଏ । ଅନ୍ୟଥା ଏହାକୁ ପରିମାର୍ଜନ କରି ଅନ୍ୟ ଏକ ପରୀକ୍ଷଣ କରାଯାଏ । ଚିନ୍ତନର ଏହି ସବୁ ସୋପାନ ଥାଏ– ସମସ୍ୟାର ଧାରଣା କରିବା, ପରିସ୍ଥିତିର ପର୍ଯ୍ୟବେକ୍ଷଣ, ପ୍ରସ୍ତାବିତ ସମାଧାନର ପ୍ରସ୍ତୁତି ଏବଂ ଯୁକ୍ତିଯୁକ୍ତ ବିବରଣୀ, ଏବଂ ସକ୍ରିୟ ପରୀକ୍ଷାମୂଳକ ଅନୁଧ୍ୟାନ କରିବା । ସମସ୍ତ ପ୍ରକାର ଚିନ୍ତନର ଫଳାଫଳ ଜ୍ଞାନ ହୋଇଥିବାରୁ ପରିଶେଷରେ ଜ୍ଞାନର ମୂଲ୍ୟ ଚିନ୍ତନରେ ଉପଯୋଗୀତା ଉପରେ ନିର୍ଭରଶୀଳ ହୋଇଥାଏ । ସମସ୍ତ ଜ୍ଞାନ ପଶ୍ଚାତ୍ ଦୃଷ୍ଟିଭିତ୍ତିକ ହୋଇଥିବାବେଳେ ଚିନ୍ତନ ଭବିଷ୍ୟତ ସହିତ ସଂପୃକ୍ତ । ଯେହେତୁ ଆମେ ଏକ ସ୍ଥିର ଏବଂ ସଂପୂର୍ଣ୍ଣ ପୃଥିବୀରେ ବାସ କରୁନାହୁଁ ବରଂ ଏହା ସଦାସର୍ବଦା ପରିବର୍ତ୍ତିତ ହେଉଛି, ସେଠାରେ ଆମର ମୁଖ୍ୟ କାର୍ଯ୍ୟ ଭବିଷ୍ୟତ ବା ଅଗ୍ରଦୃଷ୍ଟି ସହିତ ଜଡ଼ିତ ସମସ୍ତ ଜ୍ଞାନର ମୂଲ୍ୟ ଭବିଷ୍ୟତ ସହିତ ଆମର କ୍ରିୟା ପ୍ରତିକ୍ରିୟା ପାଇଁ ଏହା ଯୋଗାଉଥିବା ଦୃଢ଼ତା, ନିରାପତ୍ତା ଏବଂ ସୃଜନ କ୍ଷମତା ଉପରେ ନିର୍ଭର କରିଥାଏ ।

 

ଶିକ୍ଷାରେ ଚିନ୍ତନ

 

ଚିନ୍ତନର ଉତ୍ତମ ଅଭ୍ୟାସ କେତେଦୂର ସମ୍ଭବ ହେଉଛି ତା’ ଉପରେ ଶିକ୍ଷାଦାନ ପ୍ରକ୍ରିୟା ଗୁଡ଼ିକର ସଂହତି ସମ୍ପର୍କରେ ଧାରଣା କରିହେବ । ଆମେ ନିର୍ଭୁଲଭାବେ ଚିନ୍ତନର ପଦ୍ଧତି ସମ୍ପର୍କରେ କହିପାରୁ । କିନ୍ତୁ ଗୁରୁତ୍ଵପୂର୍ଣ୍ଣ କଥାଟି ହେଉଛି ଯେ ଚିନ୍ତନ ଏକ ଶିକ୍ଷାଦାୟକ ଅଭିଜ୍ଞତା । ସେଥପାଇଁ ପଦ୍ଧତିର ମୌଳିକଗୁଣ ମନନର ମୌଳିକ ଗୁଣ ସହିତ ଅଭିନ୍ନ । ଚିନ୍ତନର ପ୍ରାରମ୍ଭିକ ଅବସ୍ଥା ହେଉଛି ଅନୁଭୂତି । ସାଧାରଣତଃ ଅନୁଭୂତିକୁ ଚିନ୍ତନ ଠାରୁ ପୃଥକ୍ ଭାବେ ମନେକରାଯାଇଥାଏ । ଏଥିରୁ ଉପୁଜୁଥିବା ଭ୍ରମାତ୍ମକ ଯୁକ୍ତିଦ୍ୱାରା ବିଦ୍ୟାଳୟ କାର୍ଯ୍ୟ ବିଶେଷଭାବେ ପ୍ରଭାବିତ ହୋଇଥାଏ । ଏହା ଅନୁସାରେ ଏକ ପରିସ୍ଥିତିରେ ପରିଚିତ ଉପକରଣର ବ୍ୟବହାର ଭଳି ସିଧାସଳଖ, ବ୍ୟକ୍ତିଗତ ଅଭିଜ୍ଞତାକୁ ସମୟର ଅପଚୟ ଭାବି ସେଗୁଡ଼ିକୁ ଯେତେ ସମ୍ଭବ ଏଡ଼ାଇ ଦିଆଯାଇଥାଏ ଓ ଗଣିତ, ଭୂଗୋଳ କିମ୍ବା ଏହିପରି ପୂର୍ବପ୍ରସ୍ତୁତ ବିଷୟବସ୍ତୁ ଦ୍ଵାରା ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରାଯାଇ ଥାଏ-। ଏପରିକି କିଣ୍ଡରଗାର୍ଟେନ ଓ ମଣ୍ଟେସୋରୀ ପଦ୍ଧତି ମଧ୍ୟ ଏଥିରୁ ମୁକ୍ତ ନୁହେଁ । କିନ୍ତୁ ଚିନ୍ତା ଉଦ୍ରେକ କରିବା ପାଇଁ ଶବ୍ଦର ଆବଶ୍ୟକତା ଅପେକ୍ଷା ଅଣବୌଦ୍ଧିକ ଅଭିଜ୍ଞତା ମାଧ୍ୟମରେ ବିଦ୍ୟାଳୟରେ ଯେକୌଣସି ବିଷୟ ଆରମ୍ଭ କରିବା ଉଚିତ ହେବ । ବିଦ୍ୟାଳୟ ବାହାରେ ସାଧାରଣ ଜୀବନରେ ଶିକ୍ଷାର୍ଥୀମାନେ ଆଗ୍ରହ କରୁଥିବା ବୃତ୍ତି ଏପରି ଆନୁଭୂତିକ ପରିସ୍ଥିତି ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ମନନ କରିବା ପାଇଁ ଯଥେଷ୍ଟ ସୁଯୋଗ ମିଳିଥାଏ-। ସଂକ୍ଷେପରେ, ଚିନ୍ତନ ଆରମ୍ଭ କରିବା ପାଇଁ ଶିକ୍ଷାର୍ଥୀଙ୍କର ଅନୁଭୂତିର ଅସଲି ସ୍ଥିତିଟିଏ ଥିବା ଆବଶ୍ୟକ, ଯେଉଁଥିରେ କି ଶିକ୍ଷାର୍ଥୀ ଆଗ୍ରହୀ ଥିଲେ କାର୍ଯ୍ୟାବଳୀ ନିରବଚ୍ଛିନ୍ନଭାବେ କରିପାରୁଥିବ-। ଦ୍ଵିତୀୟତଃ, ଏଭଳି ପରିସ୍ଥିତିରେ ଏକ ବାସ୍ତବ ସମସ୍ୟା ଉପୁଜିଥାଏ ଯାହାକି ଚିନ୍ତନପାଇଁ ଉଦ୍ଦୀପନା ଯୋଗାଇଥାଏ । ତୃତୀୟତଃ, ଏହି ସମସ୍ୟା ସମାଧାନ ପାଇଁ ସେ ତଥ୍ୟ ସଂଗ୍ରହ କରିବା ସହିତ ଆବଶ୍ୟକ ପର୍ଯ୍ୟବେକ୍ଷଣମାନ କରିଥାଏ । ଚତୁର୍ଥତଃ, ପ୍ରସ୍ତାବିତ ସମାଧାନ ସେ ଚିନ୍ତା କରିପାରେ ଯାହାକୁ ଶୃଙ୍ଖଳିତଭାବେ ବିକାଶ କରିବା ତା’ର ଦାୟିତ୍ଵ ହୋଇଥାଏ । ପଞ୍ଚମତଃ, ପ୍ରୟୋଗଦ୍ୱାରା ନିଜର ଧାରଣାସବୁକୁ ପରୀକ୍ଷଣ କରିବା, ସେଗୁଡ଼ିକର ଅର୍ଥ ସ୍ପଷ୍ଟ କରିବା ଏବଂ ସେଗୁଡ଼ିକର ବୈଧତାକୁ ନିଜେ ଆବିଷ୍କାର କରିବାର ସମୟ ଓ ସୁଯୋଗ ତା’ର ଥାଏ । (ପୃ-୧୬୩) ।

 

ପଦ୍ଧତିର ପ୍ରକୃତି

 

ଏକ ଅନୁଭୂତିର ବିଷୟବସ୍ତୁ ସର୍ବାକ ଫଳପ୍ରଦଭାବେ ବିକଶିତ ହେବାର ପନ୍ଥା ସଂବନ୍ଧିତ ଉକ୍ତି ପଦ୍ଧତି ଅଟେ । ତଦନୁସାରେ ଏହା ଅନୁଭୂତିର କ୍ରମ ପର୍ଯ୍ୟବେକ୍ଷଣରୁ ଉଦ୍ଭବ ହୋଇଥାଏ, ଯେଉଁଥିରେ କି ବ୍ୟକ୍ତିଗତ ମନୋବୃତ୍ତି ଓ ବ୍ୟବହାର ଏବଂ ଉପଯୋଗୀ ଉପକରଣମାନଙ୍କ ମଧ୍ୟରେ ଜ୍ଞାତସାରରେ କୌଣସି ପ୍ରଭେଦ ସୃଷ୍ଟି କରାଯାଇନଥାଏ । ବସ୍ତୁର ଜଗତରୁ ନିଜକୁ ଏବଂ ମନକୁ ବିଚ୍ଛିନ୍ନ କରିବା ଧାରଣା ସହିତ ପଦ୍ଧତି ଏକ ଭିନ୍ନ ପନ୍ଥାର ଧାରଣା ସଂଯୁକ୍ତ ହୋଇଥାଏ । ଏହାଦ୍ୱାରା ଶିକ୍ଷାଦାନ ଏବଂ ଶିକ୍ଷଣ ଔପଚାରିକ, ଯନ୍ତ୍ରବତ୍ ଏବଂ ସୀମାବଦ୍ଧ ହୋଇଥାନ୍ତି । ପଦ୍ଧତିସବୁ ବ୍ୟକ୍ତିକରଣ ହୋଇଥାଏ । ପୂର୍ବ ଅଭିଜ୍ଞତାର ଉଦ୍ଭବ ଜ୍ଞାନର ଭଣ୍ଡାର ଏବଂ ସମୟାନୁକ୍ରମେ ବ୍ୟବହୃତ ବିଭିନ୍ନ ଉପକରଣ ମଧ୍ୟରେ ସାଦୃଶଯୋଗୁ, ଏବେ ଅନୁଭୂତିର ସାଧାରଣ ଧାରାରେ କେବଳ ଲକ୍ଷଣ ମଧ୍ୟରେ ବିଭେଦ କରଣ କରାଯାଇପାରେ । ବ୍ୟକ୍ତିର ମନୋବୃତ୍ତି ଅନୁସାରେ ବ୍ୟକ୍ତକଲେ, ଏକ ଉତ୍ତମ ପଦ୍ଧତିର ଲକ୍ଷଣଗୁଡ଼ିକ ହେଉଛି ସ୍ପଷ୍ଟବାଦୀତା, ନମନୀୟ ବୌଦ୍ଧିକ ଆଗ୍ରହ କିମ୍ବା ଶିକ୍ଷଣ ପାଇଁ ମୁକ୍ତ ମନୋଭାବ ସଂପନ୍ନ ଇଚ୍ଛା, ଉଦ୍ଦେଶ୍ୟର ସାଧୁତା ଏବଂ ନିଜର କାର୍ଯ୍ୟ ଓ ଚିନ୍ତନର ପରିଣତି ପାଇଁ ଦାୟିତ୍ଵବୋଧର ସ୍ୱୀକାର ।

 

ବିଷୟବସ୍ତୁର ପ୍ରକୃତି

 

ଶିକ୍ଷାର ବିଷୟବସ୍ତୁ ମୌଳିକତଃ ଅର୍ଥ ସହିତ ସଂପୃକ୍ତ ଯାହା ଉପସ୍ଥିତ ସାମାଜିକ ଜୀବନକୁ ଆଧେୟ ଯୋଗାଇଥାଏ । ସାମାଜିକ ଜୀବନର ନିରବଚ୍ଛିନ୍ନତାର ଅର୍ଥ ହେଉଛି ଯେ ଏହିସବୁ ଅର୍ଥମାନଙ୍କ ମଧ୍ୟରୁ ଅନେକ, ଅତୀତ ସାମୁହିକ ଅଭିଜ୍ଞତା ମାଧ୍ୟମରେ ବର୍ତ୍ତମାନର କାର୍ଯ୍ୟର ଅନ୍ତର୍ଭୁକ୍ତ ହୋଇଥାନ୍ତି । ସାମାଜିକ ଜୀବନ ଅଧିକ ଜଟିଳ ହେବା ସହ ଏହି ସବୁ ଅର୍ଥର ସଂଖ୍ୟା ଏବଂ ଗୁରୁତ୍ଵ ବୃଦ୍ଧି ପାଇଥାଏ । ନୂତନ ପିଢ଼ିକୁ ଓ ଉପଯୁକ୍ତ ସଞ୍ଚରଣ ପାଇଁ ସେଗୁଡ଼ିକର ସ୍ଵତନ୍ତ୍ର ଚୟନ, ପ୍ରସ୍ତୁତି ଏବଂ ସଂଗଠନର ଆବଶ୍ୟକତା ରହିଛି । ଅପରିପକ୍ଵ ଶିକ୍ଷାର୍ଥୀମାନଙ୍କ ବର୍ତ୍ତମାନର ଅଭିଜ୍ଞତାରେ ଏସବୁ ଅର୍ଥ ହୃଦୟଙ୍ଗମ କରିବାର ଉନ୍ନତି ସାଧନ କରିବା ସହିତ ବିଷୟବସ୍ତୁ ଗୁଡ଼ିକ ପାଇଁ ଉପଯୁକ୍ତ ମାନଦଣ୍ଡ ନିର୍ଣ୍ଣୟ କରିବା, ସେହି ବିଷୟଟି ଏକ ପ୍ରତ୍ୟକ୍ଷ ଗୁଣାତ୍ମକ ବିଚାର ଦ୍ଵାରା ତତ୍‌କାଳୀନ ଅଭିଜ୍ଞତାର ବିଶେଷତ୍ଵ କେତେଦୂର ପ୍ରଭାବିତ କରୁଛି ତା’ର ଉପଲବ୍ଧି ଉପରେ ନିର୍ଭର କରିଥାଏ । ସାହିତ୍ୟ ଏବଂ ଲଳିତକଳାର ବିଶେଷ ମୂଲ୍ୟ ଅଛି କାରଣ ସେଗୁଡ଼ିକ ଗୁଣାତ୍ମକବୋଧର ସର୍ବଶ୍ରେଷ୍ଠ ପ୍ରତିନିଧିତ୍ଵ କରିଥାନ୍ତି । ବିକାଶର କୌଣସି ସ୍ତରରେ ପ୍ରତ୍ୟେକ ବିଷୟରେ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ଏକ ସୌନ୍ଦର୍ଯ୍ୟବୋଧ ରହିଥିବା ନିତାନ୍ତ ଆବଶ୍ୟକ ।

 

ବିଷୟବସ୍ତୁ ଗୁଡ଼ିକର ସାଧନ ମୂଲ୍ୟ ଏବଂ ନିଷ୍ପନ୍ନ ମୂଲ୍ୟର ମାନ ନିର୍ଣ୍ଣୟ କରିବା ପାଇଁ ସେମାନଙ୍କର ତାତ୍‍କାଳିକ ସମସ୍ତ ପ୍ରକାର ଅନ୍ତର୍ନିହିତ ମୂଲ୍ୟ ଅଭିଜ୍ଞତାକୁ କେତେଦୂର ପ୍ରଭାବିତ କରୁଛନ୍ତି ତାହା ହେଉଛି ଏକମାତ୍ର ମାନଦଣ୍ଡ । ପ୍ରତ୍ୟେକ ବିଷୟ ପାଇଁ ପୃଥକ୍ ମୂଲ୍ୟବୋଧ ନିର୍ଦ୍ଦିଷ୍ଟ କରିବା ହେଉଛି ସାମାଜିକ ଗୋଷ୍ଠୀ ଓ ଦଳମାନଙ୍କୁ ଭିନ୍ନ ଭିନ୍ନ ଭାବେ ପୃଥକ କରିବାର ପରିଣତି । ଏପରି ପୃଥକୀକରଣ ବିରୁଦ୍ଧରେ ସଂଗ୍ରାମ କରିବା ହିଁ ଏକ ଗଣତାନ୍ତ୍ରିକ ସାମାଜିକ ଗୋଷ୍ଠୀରେ ଶିକ୍ଷାର କର୍ତ୍ତବ୍ୟ ହେବ ।

 

ଶୈକ୍ଷିକ ମୂଲ୍ୟବୋଧ

 

ମୂଲ୍ୟବୋଧ ବା “Value" ର ଦୁଇଟି ଭିନ୍ନ ଭିନ୍ନ ଅର୍ଥ ଅଛି । ଗୋଟିଏ ପକ୍ଷରେ ଏକ ଦ୍ରବ୍ୟକୁ ପସନ୍ଦ ବା ପୁରସ୍କୃତ କରିବାର ମନୋବୃତ୍ତି । ଏହାର କିଛି ଯୋଗ୍ୟତା ଥିବାର ଅନୁଭବକୁ ଏହା ବୁଝାଇଥାଏ । ଏହା ସଂପୂର୍ଣ୍ଣ ଅନୁଭୂତିର ଅନ୍ୟନାମ ଅଟେ । ଏହି ଦୃଷ୍ଟିକୋଣରୁ ମୂଲ୍ୟବୋଧ ହେଉଛି ପସନ୍ଦ କରିବା । କିନ୍ତୁ ଅନ୍ୟପକ୍ଷରେ ମୂଲ୍ୟବୋଧ ଏକ ସ୍ପଷ୍ଟ ବୌଦ୍ଧିକ ପ୍ରକ୍ରିୟା ଭାବେ ବ୍ୟବହାର କରାଯାଏ ଯେଉଁଥିରେ ତୁଳନା କରିବା, ବିଚାର କରିବା ବା ମୂଲ୍ୟନିର୍ଣ୍ଣୟ କରିବା କାର୍ଯ୍ୟ କରାଯାଇଥାଏ । ଯେତେବେଳେ ପୂର୍ଣ୍ଣ ଅନୁଭୂତିର ଅଭାବ ଥାଏ ଏବଂ ଏକ ପରିସ୍ଥିତିରେ ବହୁ ସମ୍ଭାବନା ମଧ୍ୟରୁ କେଉଁଟିକୁ ଗ୍ରହଣ କଲେ ପୂର୍ଣ୍ଣ ଉପଲବ୍ଧି ବା ଅପରିହାର୍ଯ୍ୟ ଅଭିଜ୍ଞତା ହାସଲ ହୋଇପାରିବ ଏହି ପ୍ରଶ୍ନର ସମାଧାନ ପାଇଁ ମୂଲ୍ୟବୋଧ ପ୍ରକ୍ରିୟା ଆବଶ୍ୟକ ହୋଇଥାଏ । ପ୍ରଥମଟିକୁ ଗୁଣାତ୍ମକ ନିର୍ଣ୍ଣୟ (appreciative judgement) ଏବଂ ଦ୍ଵିତୀୟକୁ ସାଧନ ମୂଲ୍ୟ (instrumental value) କୁହାଯାଇଥାଏ । ପାଠ୍ୟକ୍ରମ ଅଧ୍ୟୟନକୁ ଆମେ ଗୁଣାତ୍ମକ ମୂଲ୍ୟବୋଧ ଯାହା ପାଠ୍ୟକ୍ରମର ଅନ୍ତର୍ନିହିତ ମୂଲ୍ୟ ସହ ସଂପୃକ୍ତ ଏବଂ ସାଧନ ମୂଲ୍ୟ ଯାହା ପାଠ୍ୟକ୍ରମର ପରିଣତି ସହ ସଂପୃକ୍ତ ଏପରି ଦୁଇଭାଗରେ ଆଦୌ ବିଭକ୍ତ କରିବା ନାହିଁ । କୌଣସି ବିଷୟରେ ଉପଯୁକ୍ତ ମାନ ନିର୍ଦ୍ଧାରଣ କରିବା ଅଭିଜ୍ଞତାକୁ ସମୃଦ୍ଧ କରିବା ପାଇଁ ସେହି ବିଷୟର ଭୂମିକା ଉପରେ ନିର୍ଭର କରେ ଓ ଏହା ପ୍ରତ୍ୟକ୍ଷ ପସନ୍ଦ ସହିତ ସମ୍ପର୍କିତ ହୋଇଥାଏ । ସାହିତ୍ୟ ଏବଂ ଚାରୁକଳାର ବିଶେଷ ମୂଲ୍ୟବୋଧ ଥାଏ କାରଣ ଏସବୁ ସର୍ବୋତ୍ତମ ପସନ୍ଦର ପ୍ରତିନିଧିତ୍ଵ କରିଥାନ୍ତି । ଏପରି ମୂଲ୍ୟବୋଧ ଉତ୍ତମ ଚୟନ ଏବଂ ଅଧ୍ୟବସାୟ ଦ୍ୱାରା ସର୍ବୋଚ୍ଚ ସ୍ତରର ଅର୍ଥର ଅନୁଭୂତିରୁ ଉଦ୍ଭବ ହୋଇଥାଏ । କିନ୍ତୁ ପ୍ରତ୍ୟେକ ବିଷୟରେ ବିକାଶ କାଳରେ କୌଣସି ଅବସ୍ଥାନର ସମ୍ପୃକ୍ତ ବ୍ୟକ୍ତି ପାଇଁ ଏକ ସୌନ୍ଦର୍ଯ୍ୟବୋଧ ନିହିତ ଥାଏ ।

 

ଗୋଟିଏ ବିଷୟ ଦ୍ଵାରା ଯେତେ ପ୍ରକାରର ଅଭିଜ୍ଞତା ସମ୍ଭବ ସେ ସବୁର ତାତ୍କାଳିକ ଅନ୍ତର୍ନିହିତ ମୂଲ୍ୟବୋଧ ପାଇଁ ଅବଦାନ ସେହି ବିଷୟର ସାଧନ ମୂଲ୍ୟ ନିର୍ଦ୍ଧାରଣ କରିବାର ଏକମାତ୍ର ମାନ ଅଟେ । କେତେକ ସ୍ଥଳରେ ପ୍ରତ୍ୟେକ ବିଷୟକୁ ସ୍ୱତନ୍ତ୍ର ମୂଲ୍ୟବୋଧ ସହ ସଂଯୁକ୍ତ କରି, ସେଗୁଡ଼ିକୁ ଏକତ୍ର କରି ଏକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥାଏ । ଏପରି ଭିନ୍ନ ଭିନ୍ନ ମୂଲ୍ୟବୋଧ ସଂଯୁକ୍ତ ପାଠ୍ୟକ୍ରମ ସାମାଜିକ ଗୋଷ୍ଠୀ ଏବଂ ଶ୍ରେଣୀମାନଙ୍କର ପୃଥକୀକରଣର ଫଳାଫଳ ଅଟେ । ସେଥିପାଇଁ ଏକ ଗଣତାନ୍ତ୍ରିକ ସମାଜରେ ଏପରି ପୃଥକୀକରଣ ବିରୁଦ୍ଧରେ ସଂଗ୍ରାମ କରିବା ହେଉଛି ଶିକ୍ଷାର ମୂଖ୍ୟ କାର୍ଯ୍ୟ ।

 

ଶ୍ରମ ଓ ଅବସର ବିନୋଦନ

 

ପୂର୍ବରୁ ଆଲୋଚିତ ବିଚ୍ଛିନ୍ନ ଶୈକ୍ଷିକ ମୂଲ୍ୟବୋଧ ଗୁଡ଼ିକ ମଧ୍ୟରୁ ବୋଧହୁଏ ସାଂସ୍କୃତିକ ଏବଂ ବ୍ୟାବହାରିକ ମୂଲ୍ୟବୋଧ ମଧ୍ୟରେ ଥିବା ବିଚ୍ଛିନ୍ନତା ସବୁଠାରୁ ମୌଳିକ । ଏହା ପୁରାତନ ଗ୍ରୀସରେ ହିଁ ଜନ୍ମଲାଭ କରିଥିଲା, ଯେଉଁ ସମାଜରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି ଅନ୍ୟମାନଙ୍କର ଶ୍ରମଦ୍ଵାରା ପ୍ରକୃତ ମାନବୀୟ ଜୀବନ ଅତିବାହିତ କରୁଥିଲେ । ଏହା ବୁଦ୍ଧି ଓ କାମନା, ତତ୍ତ୍ଵ ଏବଂ ବ୍ୟବହାର ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧୀୟ ମନସ୍ତାତ୍ତ୍ଵିକ ମତବାଦକୁ ପ୍ରଭାବିତ କରିଥିଲା । ଏହା ମଧ୍ୟ ଏକ ରାଜନୈତିକ ତତ୍ତ୍ଵ ସୃଷ୍ଟି କରିଥିଲା ଯେଉଁଥିରେ ମଣିଷମାନଙ୍କୁ ଦୁଇଟି ଭାଗରେ ବିଭାଜନ କରାଯାଇଥିଲା । ଦଳେ ଯେଉଁମାନେ ଯୁକ୍ତିଯୁକ୍ତ ଜୀବନ ଅତିବାହିତ କରିବାରେ ସମର୍ଥ ଥିଲେ ଏବଂ ଅନ୍ୟ ଦଳେ କେବଳ କର୍ମ ଓ କାମନା ଉପରେ ବଞ୍ଚି ରହିଥିଲେ । ମନସ୍ତାତ୍ତ୍ଵିକ ଓ ରାଜନୈତିକ କ୍ଷେତ୍ରରେ ସୃଷ୍ଟ ଏପରି ପ୍ରଭେଦ ଶିକ୍ଷାକୁ ମଧ୍ୟ ସଂକ୍ରମିତ କରିଥିଲା । ଦଳେ ନିଜର ଅବସର ବିନୋଦନ ପାଇଁ କେବଳ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ଉଦାରବାଦୀ ଶିକ୍ଷା ସହିତ ସଂଯୁକ୍ତ ଥିବାବେଳେ ଅନ୍ୟ ଅଧିକାଂଶମାନେ ବୌଦ୍ଧିକ ଏବଂ ସୌନ୍ଦର୍ଯ୍ୟବୋଧ ବିରହିତ ଯାନ୍ତ୍ରିକ ବୃଦ୍ଧି ପାଇଁ ବ୍ୟାବହାରିକ ତାଲିମ ନେଉଥିଲେ । ଯଦିଚ ବର୍ତ୍ତମାନର ପରିସ୍ଥିତି ତାତ୍ତ୍ୱିକ ଦୃଷ୍ଟିରୁ ସଂପୂର୍ଣ୍ଣ ଭିନ୍ନ ଅଟେ, ତଥାପି ପୂରାତନ ଐତିହାସିକ ପରିସ୍ଥିତି ଶିକ୍ଷାକ୍ଷେତ୍ରରେ ପରିଦୃଷ୍ଟ ହୁଏ । ଏକ ଗଣତାନ୍ତ୍ରିକ ସମାଜରେ ଏପରି ଦ୍ଵୈତବାଦକୁ ଦୂର କରିବା ଶିକ୍ଷାର ଏକ ସମସ୍ୟା ଅଟେ । ଏପରି ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ ଯାହା ସେବା ପାଇଁ ଦାୟିତ୍ଵବୋଧ ଗ୍ରହଣ କରିବାର ପୁରସ୍କାର ଭାବେ ଅବସରକୁ ବ୍ୟବହାର କରାଯିବ । ଦାୟିତ୍ଵବୋଧରୁ ନିବୃତ୍ତି ପାଇଁ ନୁହେଁ ।

 

ଶିକ୍ଷା ଦର୍ଶନ

 

ପୂର୍ବରୁ ଦର୍ଶନକୁ ଶିକ୍ଷାର ସାଧାରଣୀକୃତ ତତ୍ତ୍ୱ (Generalized theory) ଭାବେ ସଂଜ୍ଞାକୃତ କରାଯାଇଛି । ଦର୍ଶନକୁ ଚିନ୍ତନର ଏକ ରୂପ ଭାବେ ବ୍ୟକ୍ତ କରାଯାଇଥାଏ । ସମସ୍ତ ପ୍ରକାରର ଚିନ୍ତନ ଭଳି, ଏହା ଅନୁଭୂତି ସମ୍ପର୍କିତ ବିଷୟରେ ଯୁବା ଅନିଶ୍ଚିତତାରୁ ଉଦ୍ଭବ ହୋଇଥାଏ-। ବିଷୟଗୁଡ଼ିକର ବିଭ୍ରାନ୍ତିକର ପରିସ୍ଥିତିର ଲକ୍ଷଣ ଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ସମାଧାନ ପାଇଁ ପ୍ରାକ୍‌କଳନ ପ୍ରସ୍ତୁତ କରିଥାଏ, ଯାହା ବାସ୍ତବକ୍ଷେତ୍ରରେ ପରୀକ୍ଷିତ ହୋଇପାରିବ । ଅନ୍ୟ ପ୍ରକାରର ଚିନ୍ତନ ଠାରୁ ଦାର୍ଶନୀକ ଚିନ୍ତନର ବିଶେଷତ୍ୱ ହେଉଛି ଯେ ଏହା ବିସ୍ତୃତ ସାମାଜିକ ପରିସ୍ଥିତି ଓ ଲକ୍ଷ୍ୟମାନଙ୍କ ଅନ୍ତର୍ନିହିତ ସଂଗଠିତ ସ୍ୱାର୍ଥ ଓ ଆନୁଷ୍ଠାନିକ ଦାବି ମଧ୍ୟରେ ଦ୍ଵନ୍ଦ୍ୱଜନିତ ଅନିଶ୍ଚିତତା ସହ ସମ୍ପୃକ୍ତ ଅଟେ ।

 

ବିଷୟବସ୍ତୁମାନଙ୍କ ପରିପ୍ରେକ୍ଷୀରେ ଦର୍ଶନ ବିଷୟବସ୍ତୁରେ ନିହିତ ଜୀବନ ଏବଂ ସଂସାରର ବିବିଧ ଏବଂ ସବିଶେଷ ତଥ୍ୟାବଳୀକୁ ଏକତ୍ରିତ କରି ଏକ ବା ଖୁବ୍ ଅଳ୍ପ ସଂଖ୍ୟକ ସବିଶେଷ ବା ଚରମ ତତ୍ତ୍ଵଭାବେ ବୁଝିବା ପାଇଁ ଚେଷ୍ଟା କରିଥାଏ । ଏହିପରି ଜୀବନର ଅଭିଜ୍ଞତା ପ୍ରତି ଏକ ଏକତ୍ରୀକୃତ, ସୁସଙ୍ଗତ ଏବଂ ପରିପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଓ ମନୋବୃତ୍ତିର ବିକାଶ ପାଇଁ ଦାର୍ଶନିକ ଓ ଦର୍ଶନକୁ ଗ୍ରହଣ କରୁଥିବା ବ୍ୟକ୍ତିମାନେ ସର୍ବଦା ଆଗ୍ରହୀ ହୋଇଥାନ୍ତି । ଏହାକୁ ହିଁ ଦର୍ଶନ ଭାଷାରେ ‘ପ୍ରଜ୍ଞା ପ୍ରତି ଅନୁରାଗ’(Love of wisdom) କୁହାଯାଏ ।

 

ଜୀବନ ସହିତ ଦର୍ଶନର ଏପରି ପ୍ରତ୍ୟକ୍ଷ ଓ ଅନ୍ତରଙ୍ଗ ସମ୍ପର୍କ ହିଁ ଦର୍ଶନକୁ ବିଜ୍ଞାନଠାରୁ ପୃଥକ୍ କରିଥାଏ । ପୃଥିବୀ ଓ ଜୀବନ ସମ୍ପର୍କରେ ନୂତନ ତଥ୍ୟ ଆବିଷ୍କାର କରିବା ସହିତ ଯେତେବେଳେ ବିଜ୍ଞାନ ଆବିଷ୍କୃତ ତଥ୍ୟାବଳୀ ଆଧାରିତ ପୃଥିବୀ ଓ ଜୀବନ ପ୍ରତି ଏକ ସାଧାରଣ ମନୋବୃତ୍ତି ସୃଷ୍ଟିକରେ ସେତେବେଳେ ଏହା ଦର୍ଶନ ସହିତ ଏକାକାର ହୋଇଯାଏ । ବସ୍ତୁମାନଙ୍କ ସମ୍ପର୍କରେ ବାସ୍ତବ ଏବଂ ଯୁକ୍ତିଯୁକ୍ତ ଜ୍ଞାନ ହେଉଛି ବିଜ୍ଞାନ । କିନ୍ତୁ ଯାହା ଜଣା ଅଛି ସେସବୁ ଆମଠାରୁ କ’ଣ ଆଶାକରେ ଏବଂ ଭବିଷ୍ୟତରେ ସେସବୁର କି କି ସମ୍ଭାବନା ଅଛି ଏସବୁର ବିଚାର ଦର୍ଶନର ଅନ୍ତର୍ଭୁକ୍ତ । "It is an idea of what is possible, not a record of accomplished fact (ପୂ. ୩୨୬) ।

 

ସକାରାତ୍ମକ ବିଜ୍ଞାନ ସର୍ବଦା ବାସ୍ତବ ପରିଣତିକୁ ହିଁ ବୁଝାଇଥାଏ, ଯାହାକୁ ଗୋଷ୍ଠୀ ହାସଲ କରିବା ପାଇଁ ସଚେଷ୍ଟ ଥାଏ । ଏପରି ପରିଣତିରୁ ବିଚ୍ଛିନ୍ନ ହୋଇଗଲେ ବିଜ୍ଞାନ ସାମାଜିକ କ୍ରିୟା ପ୍ରତି ଉଦାସୀନ ହୋଇଯାଏ । ଏଥିରେ ଥିବା ଜ୍ଞାନ ରୋଗର ନିଦାନ ଅଥବା ରୋଗର ପ୍ରସାର ପାଇଁ ବ୍ୟବହାର କରାଯାଇପାରେ । ଜୀବନ ରକ୍ଷା ପାଇଁ ଉପଯୋଗ ବା ଜୀବନ ଧ୍ଵଂସକାରୀ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଦର୍ଶନର ଦ୍ଵୈତ ଭୂମିକା ଅଛି । ପ୍ରଥମଟି ହେଉଛି ସାଂପ୍ରତିକ ବିଜ୍ଞାନର ସ୍ଥିତି ସୃଷ୍ଟିରୁ ପ୍ରଚଳିତ ଶିକ୍ଷାର ଲକ୍ଷ୍ୟଗୁଡ଼ିକୁ ବିଶ୍ଳେଷଣ କରିବା । ଏପରି କରିବା ଦ୍ଵାରା ନୂତନ ସମ୍ବଳର ଅଧିକାରୀ ହେବାବେଳେ କେଉଁସବୁ ମୂଲ୍ୟବୋଧ ପୁରାତନ ଓ ଅଦରକାରୀ ହୋଇଗଲାଣି ସେସବୁକୁ ଚିହ୍ନଟ କରିହେବ । ଦ୍ଵିତୀୟତଃ, ବିଜ୍ଞାନର ବିଶିଷ୍ଟ ବିଭାଗ ଗୁଡ଼ିକର ଫଳାଫଳ ଗୁଡ଼ିକୁ ଭବିଷ୍ୟତ ସାମାଜିକ ପ୍ରଚେଷ୍ଟାରେ ସେମାନଙ୍କ ପ୍ରଭାବ ଅନୁସାରେ ତର୍ଜମା କରିବା । କ’ଣ କରାଯିବ ବା କ’ଣ ନକରାଯିବ ତହିଁର ଶୈକ୍ଷିକ ବିକଳ୍ପ ସ୍ଥିର କରିବାରେ ସଫଳତା ହାସଲ କରିବା ଦର୍ଶନ ବିନା ଅସମ୍ଭବ । ଏପରି ପ୍ରଭେଦ ନିରୂପଣ ପାଇଁ ଶିକ୍ଷା ପ୍ରକୃଷ୍ଟ କ୍ଷେତ୍ର ଯୋଗାଇଥାଏ | Education is the laboratory in which philosophic distinctions become concrete and tested. (ପୃ. ୩୨୯) ।

 

ୟୁରୋପୀୟ ଇତିହାସରୁ ଏହା ସ୍ପଷ୍ଟ ଯେ ଶିକ୍ଷା ପଦ୍ଧତି ଗୁଡ଼ିକର ତନ୍ତ୍ର ଦର୍ଶନ ଓ ଶିକ୍ଷା ମଧ୍ୟରେ ଥିବା ଅନ୍ତରଙ୍ଗ ସମ୍ପର୍କରୁ ହିଁ ଉଦ୍ଭବ ହୋଇଥାଏ । ‘ଶିକ୍ଷାର ଦର୍ଶନ’ କିଛି ପୂର୍ବ ପ୍ରସ୍ତୁତ ଧାରଣା ନୁହେଁ ଯାହାକୁ ସମ୍ପୂର୍ଣ୍ଣ ବିପରୀତ ଉତ୍ସ ଏବଂ ଉଦ୍ଦେଶ୍ୟ ଥିବା କାର୍ଯ୍ୟକାରୀ ସଂସ୍ଥାମାନଙ୍କରେ ବହିଃପ୍ରୟୋଗ କରାଯାଇପାରେ । ସାଂପ୍ରତିକ ଜୀବନ ପ୍ରସଙ୍ଗରେ ଉଚିତ ମାନସିକ ଏବଂ ନୈତିକ ଅଭ୍ୟାସ ଗଠନ ସମସ୍ୟାର ନିର୍ଦ୍ଦିଷ୍ଟ ଉପାୟଗୁଡ଼ିକ ସହିତ ଶିକ୍ଷା ଦର୍ଶନ ଓତଃପ୍ରୋତ ଭାବେ ସମ୍ପୃକ୍ତ । ଏହିପରି ଦର୍ଶନ, ଶିକ୍ଷା ଏବଂ ସାମାଜିକ ଆଦର୍ଶ ଗୁଡ଼ିକର ପୁନର୍ଗଠନ ଏକ ସଙ୍ଗରେ ସଂଗଠିତ ହୋଇଥାଏ । ବିଜ୍ଞାନର ଅଗ୍ରଗତି, ଶିଳ୍ପ ବିପ୍ଳବ ଏବଂ ଗଣତନ୍ତ୍ରର ବିକାଶ ସାମାଜିକ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି । ସେଥିପାଇଁ ପାରମ୍ପରିକ ଦାର୍ଶନିକ ବ୍ୟବସ୍ଥାର ମୌଳିକ ଚିନ୍ତାଧାରାର ଯଥାଶୀଘ୍ର ପୁନର୍ବିଚାର ଓ ସାଂପ୍ରତିକ ଶିକ୍ଷାର ପୁନର୍ଗଠନର ସ୍ଵତନ୍ତ୍ର ଆବଶ୍ୟକତା ଅଛି-। ଶିକ୍ଷାର ପୁନର୍ଗଠନ ଦୃଷ୍ଟିରୁ ଜ୍ଞାନ ଓ । ନୈତିକତାର ତତ୍ତ୍ଵ ସମ୍ପର୍କରେ ଆଲୋଚନାର ଆବଶ୍ୟକତା ରହିଛି ।

 

ଜ୍ଞାନ ତତ୍ତ୍ଵ

 

ସାମାଜିକ ବିଭାଗୀକରଣ ସମାଜର ବିଭାଗୀକୃତ ସଦସ୍ୟମାନଙ୍କୁ ଜାଣିବା ଏବଂ ବୁଦ୍ଧିର ବିକାଶ ପାଇଁ ଆବଶ୍ୟକ ମୁକ୍ତ ଏବଂ ସମ୍ପୁର୍ଣ୍ଣ ଆଦାନପ୍ରଦାନରେ ବାଧାସୃଷ୍ଟି କରିଥାଏ । ବୃହତ୍ତର ପରିଣତିରୁ ବିଚ୍ଛିନ୍ନ କେବଳ ଉପଯୋଗୀତାରେ ଅଭିଜ୍ଞତାକୁ ସୀମାବଦ୍ଧ କରିବା ପାଇଁ ଯୁକ୍ତି ବାଢ଼ୁଥିବା ବ୍ୟକ୍ତିମାନଙ୍କୁ ପ୍ରୟୋଗାତ୍ମକ ଅଭିଜ୍ଞତାବାଦୀ କୁହାଯାଇଥାଏ । ଯେଉଁମାନେ କେବଳ ବାଗାର୍ଥ ଚିନ୍ତା କରିବା ଉପଭୋଗ କରିଥାନ୍ତି ଏବଂ ତତ୍‍ସମ୍ପର୍କିତ କାର୍ଯ୍ୟରେ ସଂପୃକ୍ତ ନଥାନ୍ତି ସେମାନଙ୍କୁ ବାସ୍ତବ ଯୁକ୍ତିବାଦୀ କୁହାଯାଇଥାଏ । ଯେଉଁମାନେ ବସ୍ତୁମାନଙ୍କ ସହିତ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥାନ୍ତି ଏବଂ ନିଜର କାର୍ଯ୍ୟାବଳୀକୁ ଉପଯୁକ୍ତଭାବେ ତତ୍‌କାଳ ଉପଯୋଗ କରନ୍ତି ସେମାନେ ବାସ୍ତବବାଦୀ ଅଟନ୍ତି । ଯେଉଁମାନେ ବସ୍ତୁମାନଙ୍କରୁ ସେମାନଙ୍କର ଅର୍ଥକୁ ପୃଥକ୍ କରି ସେଗୁଡ଼ିକୁ ବସ୍ତୁ ପ୍ରତି ଉଦାସୀନ ଧର୍ମ ବା ତଥାକଥିତ ଆଧ୍ୟାତ୍ମିକ ଜଗତ ସହ ସଂଯୁକ୍ତ କରନ୍ତି ସେମାନେ ଆଦର୍ଶବାଦୀ ହୋଇଥାନ୍ତି । ଯେଉଁମାନେ ପ୍ରଗତି ସହିତ ସମ୍ପୃକ୍ତ ଏବଂ ପୁରୁଣାକାଳିଆ ବିଶ୍ୱାସକୁ ପରିବର୍ତ୍ତନ କରିବାରେ ଚେଷ୍ଟିତ ଥାଆନ୍ତି, ସେମାନେ ଜ୍ଞାନ ଆହରଣରେ ବ୍ୟକ୍ତିକୁ ଅଗ୍ରାଧିକାର ଦେଇଥାନ୍ତି । ଏହିପରି ବିଭିନ୍ନ ପ୍ରକାରର ଦାର୍ଶନିକ ବ୍ୟବସ୍ଥାମାନ, ଏପରିକି ପରସ୍ପର ବିରୋଧୀ ବ୍ୟବସ୍ଥାମାନ ବହୁ ସମୟରେ ବାସ୍ତବତା ଓ ଅଭିଜ୍ଞତାକୁ ଏକତରଫାଭାବେ ବିଚାର କରିଥାନ୍ତି ।

 

ଅପର ପକ୍ଷରେ, ଭାବରେ ମୁକ୍ତ ଆଦାନ ପ୍ରଦାନ ଓ ସାମାଜିକ ନିରବଚ୍ଛିନ୍ନତା ଉପରେ ଗଣତନ୍ତ୍ର ପ୍ରତିଷ୍ଠିତ । ଏହା ଏପରି ଏକ ଜ୍ଞାନତତ୍ତ୍ୱର ବିକାଶ କରିବ ଯାହା ଜ୍ଞାନରେ ଅଭିଜ୍ଞତାର ସାର୍ଥକ ଓ ଅବାଧ ବଣ୍ଟନର ପଦ୍ଧତି ସଂଯୁକ୍ତ ହୋଇଥିବ । ଶରୀର ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ପ୍ରାୟୋଗିକ ବିଜ୍ଞାନର ଯୁକ୍ତିରେ ଘଟୁଥିବା ସାଂପ୍ରତିକ ଅଗ୍ରଗତି ଏପରି ଏକ ତତ୍ତ୍ୱର ବିକାଶ ପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ ବୌଦ୍ଧିକ ସାଧନ ମାନ ଯୋଗାଇ ଦେଇପାରୁଛନ୍ତି । ଶିକ୍ଷା କ୍ଷେତ୍ରରେ ଏପରି ଚିନ୍ତାର ସମାର୍ଥବୋଧକ ତତ୍ତ୍ୱ ହେଉଛି ବିଦ୍ୟାଳୟରେ ସହଯୋଗୀ ଜୀବନ ମାଧ୍ୟମରେ ଧନ୍ଦା ଓ କାର୍ଯ୍ୟ ସହିତ ଜ୍ଞାନ ଆହରଣକୁ ସଂଯୁକ୍ତ କରିବା ।

 

ନୈତିକତାର ତତ୍ତ୍ୱ

 

ବିଦ୍ୟାଳୟରେ ନୈତିକତା ଶିକ୍ଷାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଟି ଜ୍ଞାନ ଓ ଆଚରଣ ମଧ୍ୟରେ ଥିବା ସମ୍ପର୍କ ସହ ଜଡ଼ିତ । ଦୈନନ୍ଦିନ ଅଧ୍ୟୟନ ଦ୍ଵାରା ଆହରିତ ଜ୍ଞାନ ଯଦି ଚରିତ୍ର ଗଠନକୁ ପ୍ରଭାବିତ ନକରେ ତେବେ ନୈତିକତାକୁ ଶିକ୍ଷାର ଏକତ୍ରୀକରଣ ଏବଂ ସର୍ବଶେଷ ପରିଣତିଭାବେ ଚିନ୍ତା କରିବା ନିରର୍ଥକ । ଯଦି ଜ୍ଞାନର ପଦ୍ଧତି ଓ ସାଧନ ସହିତ ନୈତିକତାର ଅଭିବୃଦ୍ଧିର କୌଣସି ପ୍ରକାରର ଅନ୍ତରଙ୍ଗ ଜୈବିକ ସମ୍ପର୍କ ନଥାଏ ସେହି କ୍ଷେତ୍ରରେ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ଏବଂ କାର୍ଯ୍ୟରେ ଜ୍ଞାନ ସମନ୍ଵିତ ହୁଏ ନାହିଁ ଏବଂ ନୀତିଗୁଡ଼ିକ ନୈତିକବାଦୀ ହୋଇ ଜୀବନଠାରୁ ପୃଥକ୍ ହୋଇଯାନ୍ତି ଯେପରିକି ସେଗୁଡ଼ିକ ଶିଖିବା ପାଇଁ ଭିନ୍ନ ପନ୍ଥା ଆବଶ୍ୟକ ।

 

ଶିକ୍ଷଣକୁ କାର୍ଯ୍ୟରୁ ଏବଂ ସେଥିପାଇଁ ନୈତିକତାରୁ ପୃଥକ୍ କରିବା ସହିତ ମୁଖ୍ୟତଃ ଦୁଇଟି ତତ୍ତ୍ଵ ସଂପୃକ୍ତ । ଗୋଟିକରେ ଅନ୍ତର୍ନିହିତ ସ୍ଵଭାବ ଏବଂ ମନୋବୃତ୍ତିକୁ କାର୍ଯ୍ୟଠାରୁ ପୃଥକ୍ ଭାବେ ବିଚାର କରିଥାନ୍ତି । ଅନ୍ୟ ଭାବରେ କହିଲେ ବ୍ୟକ୍ତିର ଅନ୍ତର୍ନିହିତ ଗୁଣଗୁଡ଼ିକୁ ବାହାରର ଭୌତିକ କାର୍ଯ୍ୟରୁ ଭିନ୍ନ ବୋଲି ମନେ କରାଯାଇଥାଏ । ଅନ୍ୟଟିରେ କାର୍ଯ୍ୟକୁ ଆଗ୍ରହ ଏବଂ ନୀତିଠାରୁ ପୃଥକ୍‍ କରିଥାନ୍ତି । ଶିକ୍ଷାରେ ସାମାଜିକ ଲକ୍ଷ୍ୟ ଏବଂ ନିର୍ଦ୍ଦିଷ୍ଟ ସାମାଜିକ ପରିବେଶରେ ଉପଲବ୍ଧ ଉପକରଣମାନେ ଦୈନନ୍ଦିନ ଶିକ୍ଷଣରେ ନିରନ୍ତରଭାବେ ସଂଯୁକ୍ତ କରିବା ଦ୍ଵାରା ଶିକ୍ଷା ବ୍ୟବସ୍ଥା ଉପରୋକ୍ତ ପୃଥକୀକରଣକୁ ଦୂର କରିପାରିବ । ଏପରି କାର୍ଯ୍ୟଦ୍ଵାରା ବିଦ୍ୟାଳୟ ବାସ୍ତବରେ ଏକ ସାମାଜିକ ଜୀବନର ଏକ ପ୍ରତିରୂପ ହୋଇଥାଏ ଏବଂ ଏକ କ୍ଷୁଦ୍ର ସାମାଜିକ ଗୋଷ୍ଠୀଭାବେ ବିଦ୍ୟାଳୟ ବାହାରର ଅନ୍ୟ ସଂଯୁକ୍ତ ଅଭିଜ୍ଞତା ସହିତ ନିବିଡ଼ ଭାବ ବିନିମୟରେ ସକ୍ଷମ ହୋଇଥାଏ । All education which develops power to share effectively in social life is moral. (ପୃ.୩୬୦) । ଏହାଦ୍ୱାରା ଏପରି ଏକ ଚରିତ୍ର ଗଠନ ସମ୍ଭବ ହୁଏ ଯାହା କାର୍ଯ୍ୟର ସାମାଜିକ ଆବଶ୍ୟକତା ବୃଦ୍ଧି କରେ ଏବଂ ଅଭିବୃଦ୍ଧିର ଅତ୍ୟାବଶ୍ୟକ ନିରନ୍ତର ପୁନଃସଂସ୍ଥାପନାରେ ଆଗ୍ରହୀ ହୋଇଥାଏ । ଜୀବନର ସମଗ୍ର ସଂପୃକ୍ତି ପ୍ରତି ଆଗ୍ରହ ହେଉଛି ମୌଳିକ ନୈତିକ ଆଗ୍ରହ ।

 

ଶ୍ରୀ ଦୁର୍ଗାଚରଣ ରଣା

☆☆☆

 

Unknown

ଅଧୁନାତମ ଖିଆଲ (ମୌଳିକ ଶିକ୍ଷା)

 

The Latest Fad (Basic Education)

 

ଲେଖକ : ଜୀବତ୍‍ରାମ ଭଗବାନଦାସ କ୍ରିପାଲାନୀ

 

Hindustani Talimi Sangha, Sevagram, Wardha

 

ଦ୍ଵିତୀୟ ସଂସ୍କରଣ, ଡିସେମ୍ବର, ୧୯୪୮, ପୃଷ୍ଠା ସଂଖ୍ୟା–୯୪

 

J.B. Kripalani– (ଆଚାର୍ଯ୍ୟ କ୍ରିପାଲାନୀ ନଭେମ୍ବର, ୧୧, ୧୮୮୮–ମାର୍ଚ୍ଚ ୧୯, ୧୯୮୨୬) ୧୮୮୮ ଖ୍ରୀଷ୍ଟାବ୍ଦରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ । ବଂଶଗତ ଭାବରେ ସେ ସିନ୍ଧୀ ଥିଲେ, ଗୁଜରାଟୀ ମଧ୍ୟ ଥିଲେ । ବମ୍ବେର ଫର୍‍ଗୁସନ୍ କଲେଜରେ ଶିକ୍ଷାଲାଭ ପରେ ଜଣେ ଶିକ୍ଷକ ରୂପେ କର୍ମଜୀବନ ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧୀଙ୍କର ନେତୃତ୍ଵ ଦ୍ଵାରା ପରିଚାଳିତ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇ ଏକାଧିକ ଅବସରରେ କ୍ରିପାଲାନୀ କାରାବରଣ କରିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସରେ ଜଣେ ଆଗ ଧାଡ଼ିର ନେତା ହିସାବରେ ପ୍ରସିଦ୍ଧ ମଧ୍ୟ ହେଲେ । ସ୍ୱାଧୀନ ଭାରତରେ ମଧ୍ୟ ନାନା ଉଲ୍ଲେଖଯୋଗ୍ୟ ରାଜନୀତିକ ଭୂମିକା ଗ୍ରହଣ କରିଥିଲେ । ୧୯୮୨ ମସିହାରେ ତାଙ୍କର ତିରୋଧାନ ହେଲା ।

 

ସକ୍ରିୟ ଭାବରେ ରାଜନୀତିକୁ ଆସିବା ପୂର୍ବରୁ ଆଚାର୍ଯ୍ୟ କ୍ରିପାଲାନୀ ବିହାରରେ ଅଧ୍ୟାପନା କରି ପରବର୍ତ୍ତୀ କାଳରେ ଗୁଜରାଟ ବିଦ୍ୟାପୀଠର ଅଧ୍ୟକ୍ଷରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ଦ୍ଵାରା ଲିଖିତ ଆଉ ଦୁଇଟି ମୁଖ୍ୟ ପୁସ୍ତକ: The Gandhian Way ଏବଂ My Times ଶୀର୍ଷକରେ ଏକ ଆତ୍ମଜୀବନୀ ।

 

ସେବାଗ୍ରାମର ସେହି ବୃଦ୍ଧ ବ୍ୟକ୍ତି ମଝିରେ ମଝିରେ ଗୋଟିଏ ଗୋଟିଏ ସଂପୂର୍ଣ୍ଣ ନୂଆ କଥା କହି ଦେଶଟାଯାକକୁ ବିସ୍ମିତ କରି ହିଁ ଦିଅନ୍ତି । ଆମ ଉଚ୍ଚଶିକ୍ଷିତମାନେ ହିଁ ତାହାଦ୍ୱାରା ସବୁଠାରୁ ଅଧିକ ବିଚଳିତ ହୋଇ ପଡ଼ୁଥିବା ପରି ବୋଧହୁଏ । ଗାନ୍ଧୀଜୀଙ୍କର ନୂଆ ଶିକ୍ଷାଟି ସମ୍ବନ୍ଧରେ ବିଶେଷ ଯୋଜାନଟି ନିଶ୍ଚୟ ସେମାନଙ୍କୁ ଖୁବ୍ ଆଚମ୍ବିତ କରି ଦେଉଛି । ଔର୍ଦ୍ଧା ଶିକ୍ଷା ଯୋଜନା ଓ ମୌଳିକ ଶିକ୍ଷା ବୋଲି ଉଦ୍‌ଭାବିତ ସେହି ନୂତନ ଘଟଣାଟି ଶିକ୍ଷା ପଣ୍ଡିତମାନଙ୍କର ଚିତ୍ତରେ ଯେ ଏତେ ଏତେ କୋଳାହଳର କାରଣ ହୋଇଛି, ସେଥିରେ ଆଦୌ କୌଣସି କାରଣ ରହିବା ମଧ୍ୟ ଉଚିତ ହେବ ନାହିଁ ।

 

ଯେତେବେଳେ ଗାନ୍ଧୀ ‘ହରିଜନ’ ସାପ୍ତାହିକ ପତ୍ରିକାରେ ସେହି ଯୋଜନାଟିର ପ୍ରାୟ ଅଚାନକ ଭାବରେ ଏକୁ ସୂଚନା ଦେଲେ ସେତେବେଳେ ମୁଖ୍ୟତଃ ପ୍ରତିବାଦର ସ୍ଵରମାନ ଶୁଣାଗଲା । ଶିକ୍ଷାଜ୍ଞାନୀମାନେ ତାହାକୁ ଏକାବେଳକେ ଗୋଟିଏ ଅସମ୍ଭବ ବୋଲି କହିବାକୁ ଆରମ୍ଭ କରିଦେଲେ । ଆପଣାର କଥାଗୁଡ଼ିକୁ ଉପସ୍ଥାପିତ କରିବା ନିମନ୍ତେ କେତେକଙ୍କର ଏକ ବୈଠକ ଡକାଇଥିଲେ । ସ୍ଵୟଂ ଗାନ୍ଧୀଜୀ ସେଥିରେ ସଭାପତିତ୍ଵ କଲେ । ସମସ୍ତ ଚର୍ଚ୍ଚା ହିନ୍ଦୁସ୍ଥାନୀ ଭାଷାରେ ହିଁ ହୋଇଥିଲା ।

 

ସେତେବେଳେ ଶିକ୍ଷାକୁ ମୂଳ କରି ଏକ ବିଶେଷ ପ୍ରୟୋଗରେ ରତଥିବା ଶ୍ରୀଯୁକ୍ତ ଜକିର ହୋସେନ୍‌ଙ୍କର ନେତୃତ୍ଵରେ ନୂଆ ବିଚାର ତଥା ଯୋଜନାଟିକୁ ଅଳ୍ପ ବହୁତ କିଞ୍ଚିତ୍ ସୂତ୍ରରୂପ ଦେବା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ଏସବୁ ହେଉଛି ୧୯୩୮ ମସିହା ଆରମ୍ଭର ଘଟଣା-

 

ଯୋଜନାଟିର ସ୍ୱତନ୍ତ୍ରତା

 

ଏଥିରେ ସର୍ବପ୍ରଥମ ଦୁଇଟି କଥା ହେଉଛି ଯେ, ଯାବତୀୟ ଶିକ୍ଷା କୌଣସି ଏକ ଧନ୍ଦାକୁ ମାଧ୍ୟମ କରି ଚାଲିବ ଏବଂ ଦ୍ଵିତୀୟତଃ ଧନ୍ଦାଟିରୁ ଯାହା ଆୟ ହେବ, ସେଥିରୁ ବିଦ୍ୟାଳୟର ଶିକ୍ଷକ-ବେତନ ଭଳି କେତୋଟି ଖର୍ଚ୍ଚର ଭରଣା ହୋଇପାରିବ । ଆମେ ଏଠାରେ ସେହି ବିଷୟରେ ହିଁ କିଛି ଆଲୋଚନା କରିବା । ସଂପ୍ରତି ଦେଶରେ ପ୍ରଚଳିତ ଶିକ୍ଷାର ବାସ୍ତବତା ସହିତ କୌଣସି ସମ୍ପର୍କ ନାହିଁ । ଏକ ନିତାନ୍ତ ସୀମାବଦ୍ଧ ଅର୍ଥରେ ଏଥିରେ କେବଳ ବୁଦ୍ଧିର ଚାଷ କରାଯାଉଛି । ପିଲାମାନେ ପଠିତ ପାଠକୁ ମୁଖସ୍ଥ କରୁଛନ୍ତି ଓ ଲିଖିତ ପରୀକ୍ଷାମାନ ଦେଉଛନ୍ତି । ଜଣେ ଛାତ୍ରର ବ୍ୟକ୍ତିତ୍ଵର ଅଭିବୃଦ୍ଧି ବିଷୟରେ କୌଣସି ନଜର ନାହିଁ । ଏବଂ ଶରୀରଶ୍ରମ ପ୍ରତି ପ୍ରାୟ ଏକ ଅନ୍ତର୍ଗତ ଘୃଣା ଏବଂ ଅନିଚ୍ଛା ସ୍ଥାୟୀ ହୋଇରହିଛି । ଚାକିରି ଅଭାବରେ ବେକାରି ବୃଦ୍ଧି ପାଉଛି ।

 

ମୌଳିକ ଶିକ୍ଷାଯୋଜନାରେ ଶରୀରଶ୍ରମ ପରି ରହିଥିବା କୁଣ୍ଠାଟିକୁ ଦୂର କରିବାକୁ ସବାଆଗ ଗୋଟିଏ ଅତ୍ୟାବଶ୍ୟକତା ବୋଲି ଗ୍ରହଣ କରାଯାଇଛି । ପ୍ରତ୍ୟେକ ଛାତ୍ର ଏକ ଧନ୍ଦାକୁ ଶିଖି ତାହାରି ଦ୍ଵାରା ନିଜ ଜୀବନରେ ଆତ୍ମନିର୍ଭର ହୋଇ ପାରିବ ବୋଲି ଅବଶ୍ୟ ଯେତେ କଳ୍ପନା କରାଯାଇଛି, ଶିକ୍ଷାର ପୂର୍ଣ୍ଣ ପଦ୍ଧତିଟି ଶ୍ରମକୁ ହିଁ ମାଧ୍ୟମରୂପେ ଗ୍ରହଣ କରିବେ ବୋଲି ତଦ୍ଦ୍ଵାରା ଅଧିକ ମହତ୍ତ୍ଵ ଦିଆହୋଇଛି । ସେହି ଶ୍ରମରୂପୀ ମାଧ୍ୟମଟି ହିଁ ଛାତ୍ରର ବୁଦ୍ଧିଶକ୍ତି, କଳାତ୍ମକତା ଏକ ବୈଜ୍ଞାନିକ ଦୃଷ୍ଟି ଅର୍ଜନ କରିବାର ରୁଚି ତଥା ଶାରୀରିକ ବିକାଶକୁ ଗୋଟିଏ ପୂର୍ଣ୍ଣ ସମ୍ବନ୍ଧିତତାର ସୂତ୍ରରେ ବାନ୍ଧି ରଖିବାଲାଗି ସର୍ବଦା ପ୍ରୟାସ କରୁଥିବ । ବହି ରହିବ ମାତ୍ର ପୁସ୍ତକର ଜ୍ଞାନଚୟକୁ ଏକ ନିଜସ୍ୱ ସମ୍ପଦ ତଥା ଅର୍ଜନରେ ପରିଣତ କରିନେବାର ଉଦ୍ଦେଶ୍ୟ ମୁଖ୍ୟ ହୋଇ ରହିବ । ଶିକ୍ଷକ ଓ ଛାତ୍ର ଯାବତୀୟ ଶିକ୍ଷାର୍ଜନରେ ପରସ୍ପରର ସହଚାରୀ ଏବଂ ସହଯୋଗୀ ହୋଇ ରହିଥିବେ । ପୂର୍ଣ୍ଣ ସୃଜନାତ୍ମକ ଭାବରେ ସ୍ଵଭାବପ୍ରେରିତ ହୋଇ ପ୍ରକ୍ରିୟାଟି ସହିତ ଯୁକ୍ତ ହୋଇ ରହିବେ ।

 

ସଭ୍ୟତାର ଧାରାରେ ମୌଳିକ ଶିକ୍ଷା

 

ମନୁଷ୍ୟମାନେ ସେହି ଆଦିମ କାଳରୁ ଏଯାଏ କିପରି ପାହାଚ ପାହାଚ ହୋଇ ଅଗ୍ରସର ହୋଇ ଆସିଛନ୍ତି ? ମୁଖ୍ୟତଃ ଆପଣା ଅବଲୋକନର ଆଖିପକାଇ ନିଜର ପରିବେଷ୍ଟନୀଟିକୁ ଦେଖିଛନ୍ତି ଓ ତାହାକୁ ଭିତ୍ତି କରି ଭଳି ଭଳି ପ୍ରୟୋଗ ମଧ୍ୟ କରିଛନ୍ତି । ପରିବେଶମାନଙ୍କରେ ପରିବର୍ତ୍ତନ ଆଣିଛନ୍ତି । ସେହି ପ୍ରକିୟାଟି ଦ୍ଵାରା ବିଜ୍ଞାନର ମଧ୍ୟ ଏକ କ୍ରମ-ଅଭ୍ୟୁଦୟ ସମ୍ଭବ ହୋଇଛି । ଅଜ୍ଞାତ ଏବଂ ଅବୋଧ୍ୟମାନେ ତା’ର ବୋଧ୍ୟର ପରିଧି ଭିତରକୁ ଆସି ପାରିଛନ୍ତି । ବାହାରୁ ଭିତର ଆଡ଼କୁ ତଥା ବ୍ୟକ୍ତିରୁ ସମୂହ ଆଡ଼କୁ ବାଟମାନେ ଖୋଲି ଯାଇଛନ୍ତି ।

 

ଆମ ପିଲାମାନଙ୍କର ଜୀବନରେ ମଧ୍ୟ ସେହିଭଳି । ସେମାନଙ୍କର ଗ୍ରହଣଦ୍ଵାର ଗୁଡ଼ିକର ଉନ୍ମୋଚନ ଘଟିବ, ତାହାହିଁ ଶିକ୍ଷା । ଶରୀର ସମୃଦ୍ଧି ଲାଭ କରିବ, ମନ ପ୍ରଶିକ୍ଷିତ ହେବାରେ ଲାଗିଥିବ, ନିଜକୁ ନାନା ବୃହତ୍ତର ମେଳ ନିମନ୍ତେ ଯୋଗ୍ୟରୁ ଯୋଗ୍ୟତର କରି ଗଠନ କରି ନେବାଲାଗି ଶ୍ରଦ୍ଧା ବଢ଼ୁଥିବ, ବିଶ୍ୱାସ ମଧ୍ୟ ଆସୁଥିବ । ଯାବତୀୟ ବିଦ୍ୟାଳୟ-ଶିକ୍ଷା ସେଥିଲାଗି ଏକ ମୂଳଭୂତ ଅନୁକୂଳତା ସୃଷ୍ଟି କରି ରଖିବା ଲାଗି ହିଁ ପ୍ରୟାସ କରିବ । ସେହି ପ୍ରୟାସରେ ଶିକ୍ଷକମାନେ ହିଁ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ସହଚାରୀ ଏବଂ ସହାୟକ ହୋଇ ରହିବେ ।

 

ଜିଜ୍ଞାସା ବଢ଼ିବ । ଛାତ୍ର କ୍ରମେ ନିଜର ବଳ ଉପରେ ବିଶ୍ଵାସ କରି ଆପଣାର ପୃଥିବୀଟିର ସମୃଦ୍ଧିସାଧନ କରୁଥିବ । ତା' ଜୀବନର ସର୍ବବିଧ କ୍ଷେତ୍ର ପରିଚିତି ତାକୁ ଏକ ଆତ୍ମବିଶ୍ଵାସ ଆଣି ଦେଉଥିବ । କେବଳ ତଥାକଥିତ ପାରମ୍ପରିକ ପାଠଗୁଡ଼ିକ ନୁହେଁ, ମାଧ୍ୟମରୂପେ ଗୃହୀତ ଧନ୍ଦାଗୁଡ଼ିକ ମଧ୍ୟ ତାକୁ ଜଣେ ପ୍ରୟୋଗକାରୀର ଆଶାୟୀ ଆଖିମାନଙ୍କୁ ଆଣି ଦେଇ ଯିବାରେ ଲାଗିଥିବେ । ଶିକ୍ଷାନାମକ ତା’ର ସର୍ବବିଧ ପ୍ରୟୋଗଶାଳା ତାକୁ ଏକ ପ୍ରଧାନତଃ ସ୍ୱାକାରତ୍ମକ ଜୀବନଦୃଷ୍ଟି ସହିତ ହିଁ ପରିଚିତ କରାଇ ନେଉଥିବ ।

 

କେତୋଟି ପୂର୍ବପ୍ରୟୋଗ–୧

 

ସଭ୍ୟତାର ପ୍ରଥମ କାଳରେ କୌଣସି ଔପଚାରିକ ବିଦ୍ୟାଳୟ ନଥିଲା ଏବଂ ସକଳ ପ୍ରକାରର ଶିକ୍ଷା ବସ୍ତୁତଃ ଅବଲୋକନ ଓ ଜୀବନର ନାନା କର୍ମର ମାଧ୍ୟମରେ ସମ୍ପନ୍ନ ହେଉଥିଲା । ପ୍ରଧାନତଃ ଶରୀରର ବଳଟା ହିଁ କାମରେ ଲାଗୁଥିଲା । ଲିଖିତ ଶାସ୍ତ୍ର ବୋଲି ସେପରି କିଛି ମଧ୍ୟ ନଥିଲା । ଶିକ୍ଷାର୍ଥୀମାନେ ମଠ ଓ ଆଶ୍ରମମାନଙ୍କରେ ଗୁରୁଙ୍କ ପରିବାରର ଗୋଟିଏ ଅଂଶ ହୋଇ ବାସ କରୁଥିଲେ ଓ ଦୈନନ୍ଦିନ ଜୀବନର ସମସ୍ତ ସଂସାରଟି ଶିକ୍ଷାର ଅନ୍ତର୍ଗତ ଥିଲା । ଯୁଗାନୁକ୍ରମେ ସିନା ଶ୍ରମରେ ବିଭାଜନମାନ ହେଲା । ବ୍ରାହ୍ମଣମାନେ ହିଁ ଯାବତୀୟ ଶାସ୍ତ୍ରାନୁଶୀଳନର ଖାସ୍ ଅଧିକାରୀ ମଧ୍ୟ ହେଲେ । ଏବଂ ଯେଉଁମାନେ ସାମୂହିକ ଜୀବନର ଅନ୍ୟ କ୍ଷେତ୍ରମାନଙ୍କରେ ଥିଲେ, ଜ୍ଞାନର ବିଶେଷାଧିକାରୀମାନେ ସେମାନଙ୍କୁ ସତେଅବା କିଞ୍ଚିତ୍ ଉଣା ନଜରରେ ଦେଖିବାରେ ଉତ୍ସାହିତ ହେଲେ । ଶରୀରଶ୍ରମ ମର୍ଯ୍ୟାଦା ହରାଇଥିଲା ।

 

ପଣ୍ଡିତମାନେ ଏକ ସ୍ଵତନ୍ତ୍ର ବର୍ଗ ପରି ଅନ୍ୟ ସକଳଙ୍କ ଠାରୁ କିଞ୍ଚିତ ଦୂରତା ରକ୍ଷାକରି ଆପଣାର ପାଣ୍ଡିତ୍ୟଗୁଡ଼ିକର ନାନାବିଧ ନିମଞ୍ଜନ ମଧ୍ୟରେ ଅଲଗା ହୋଇ ରହିବେ ଓ ଆମେ ବଞ୍ଚୁଥିବା ଏହି ପୃଥିବୀଟି ସହିତ ସେମାନଙ୍କର କୌଣସି ସୂତ୍ର ଲାଗି ନଥିବ, ଇଉରୋପ ମହାଦେଶର ରେନେସାନ୍ସ ତାହାର ପ୍ରତିବାଦ କରିଥିଲା । ଯାବତୀୟ ଜ୍ଞାନାଗ୍ରହର ଆସ୍ପୃହାକୁ ଏହି ପୃଥିବୀ ଉପରକୁ ଆକର୍ଷିତ କରି ଆଣିଥିଲା । ଏହି ସନ୍ଦର୍ଭରେ ବେକନ୍‍, ଜନ୍ ଲକ୍ ଏବଂ ରୁସୋଙ୍କ ଭଳି ବ୍ୟକ୍ତିମାନଙ୍କୁ ତାହାର ଅଗ୍ରଣୀ ବୋଲି ସ୍ୱୀକାର କରାଯିବ । ଶିକ୍ଷାର କ୍ଷେତ୍ରରେ ନାନା ନୂତନ ଦିଗ୍‍ବଳୟର ଉନ୍ମୋଚନ ହୋଇ ଆସିବା ଫଳରେ ଶିକ୍ଷା ତଥା ଶିକ୍ଷାର୍ଥୀ–ଜୀବନ ବିଷୟରେ ଏକ ଅଭୂତପୂର୍ବ ପ୍ରସ୍ଥଗୁଡ଼ିକୁ ଦେଇ ଚିନ୍ତା ବି କରାଗଲା । ରୁସୋଙ୍କ ପରେ ସେହି ପଂକ୍ତିରେ ପେଷ୍ଟାଲଜି, ଫ୍ରୋଏବେଲ ଏବଂ ଆହୁରି ଆଗକୁ ଆସି ଜନ୍ ଡୁଇ । ଶିକ୍ଷାର କ୍ଷେତ୍ରରେ ଭଳି ଭଳି ପ୍ରୟୋଗ, ମୁଖ୍ୟତଃ ଶିକ୍ଷାଲାଭ କରୁଥିବା ଶିକ୍ଷାର୍ଥୀମାନଙ୍କୁ ନେଇ । ସେମାନଙ୍କ ଉପରେ ବାହାରୁ କିଛି ଲଦି ଦେଇ ନୁହେଁ, ସେମାନଙ୍କୁ ସାଙ୍ଗରେ ଯିବାକୁ ରାଜି କରାଇ, ସେମାନଙ୍କ ଉପରେ ପୂର୍ଣ୍ଣ ପ୍ରତ୍ୟୟ ସ୍ଥାପନ କରି ଏବଂ ସେମାନଙ୍କ ପ୍ରତ୍ୟୟ ସହିତ ଜଡ଼ିତ ହୋଇ । ଏସବୁ ତେଣେ ସିନା ହେଉଥିଲା; କିନ୍ତୁ ଭାରତବର୍ଷରେ ଗୋଟିଏ ଗୋଟିଏ ସିଦ୍ଧାନ୍ତ ରୂପେ ସେଗୁଡ଼ିକ ଲାଗି ସମ୍ମାନ ପ୍ରଦର୍ଶନ ଖୁବ୍ କରାଯାଉଥିଲେ ମଧ୍ୟ ପ୍ରତ୍ୟକ୍ଷ କ୍ଷେତ୍ରରେ ପ୍ରକୃତରେ କେତେ କମ୍ ହୋଇ ରହିଥିଲା ! (ପୃଷ୍ଠା-୨୭)

 

ଏହିପରି ନୂଆ ବିଚାରଗୁଡ଼ିକର ଡେଣାରୁ ବଳ ପାଇ ଶିକ୍ଷା କ୍ରମେ ଏକ ଶିକ୍ଷାବିଜ୍ଞାନର ବଳ ପାଇଲା ଏବଂ ମାଟିଉପରର ଜୀବନଗୁଡ଼ିକର କ୍ଷେତ୍ରରେ ଆପଣାର ପ୍ରାସଙ୍ଗିକତା ଗୁଡ଼ିକୁ ଆବିଷ୍କାର କରି ପାରିଲା । ଫଳରେ ସେଥରେ ନାନା ନୂତନ ଗବାକ୍ଷ ଉନ୍ମୋଚିତ ମଧ୍ୟ ହୋଇ ଆସିଥିଲା ।

 

କେତୋଟି ପୂର୍ବପ୍ରୟୋଗ-୨

 

ଶିକ୍ଷା ବିଷୟରେ ନୂତନ ସମ୍ଭାବନା ଗୁଡ଼ିକର ଉଚ୍ଚାଟନା ଆଣି ଦେଇଥିବା ସେହି ମନୀଷୀମାନେ କେବଳ ଦର୍ଶନର ଭଣିତାମାନ କରିନଥିଲେ । ସେମାନେ ପ୍ରାୟ ସମସ୍ତେ ନିଜ ବିଚାରଗୁଡ଼ିକ ଅନୁସାରେ ନୂଆ ନୂଆ ପ୍ରୟୋଗ ମଧ୍ୟ କରି ଯାଇଛନ୍ତି । ଶିକ୍ଷାର, ଯାବତୀୟ ଶିକ୍ଷାର ଗୋଟିଏ ଗୋଟିଏ ସାମାଜିକ ଏବଂ ରାଜନୀତିକ ଆଲୋକପାତର ଦିଗ ଯେ ରହିଛି, ସେମାନେ ସେହି ସତ୍ୟଟିକୁ ମଧ୍ୟ ସ୍ପଷ୍ଟ କରି ଆଣିଥିଲେ । ତଥାପି, ସମସ୍ତଙ୍କର ବିଚାର ତଥା ପ୍ରୟାସରେ ଗୋଟିଏ ମୂଳ ଆବେଦନ ସର୍ବତ୍ର ରହିଥିଲା । ସେଇଟି ହେଉଛି, ଶିକ୍ଷା ଆମ ଜୀବନର ଅଧିକ ନିକଟବର୍ତ୍ତୀ ହେବ, ଆମ ଜୀବନକୁ ଅଧିକତର ତାତ୍ପର୍ଯ୍ୟମାନ ଆଣି ଦେବାରେ ସହଯୋଗ କରିବ । ତାହାର ଯାବତୀୟ ପ୍ରକ୍ରିୟାରେ ଯଥାସମ୍ଭବ କୌଣସି କୃତ୍ରିମତା ମଧ୍ୟ ରହିବ ନାହିଁ । ଶିକ୍ଷାର କାର୍ଯ୍ୟକ୍ରମକୁ ତୁଚ୍ଛା ଏକ ମଥାର ଚାଷ କରି ଆଦୌ ରଖାଯିବ ନାହିଁ । କୌଣସି ଆଦର୍ଶବାଦର ଅନମନୀୟତାରେ ବାନ୍ଧି ରଖିଦିଆଯିବ ନାହିଁ । ସର୍ବଦା ନୂଆ ପ୍ରୟୋଗ ଲାଗି ରହିଥିବ । ଏବଂ ପ୍ରଣାଳୀଗୁଡ଼ିକୁ ମଧ୍ୟ ଚରମ ବୋଲି ମାନି ନିଆଯିବ ନାହିଁ । ଅର୍ଥାତ୍ ଯାବତୀୟ ଶିକ୍ଷା ସତତ ନାନା ସୃଜନାତ୍ମକ ସଚଳତାରେ ଜୀବନ୍ତ ଏବଂ ସଦାଗତିଶୀଳ ହୋଇ ରହିଥିବ ।

 

ପୃଥବୀଯାକର ଜନମାନସକୁ ବିଶେଷ ଭାବରେ ସମ୍ମୁଖମୁଖୀ କରି ନେବାରେ ସହାୟତା କରିଥିବା କାର୍ଲମାର୍କସ୍ ଏବଂ କ୍ରୋପଟ୍‍କିନ୍ ମଧ୍ୟ ଶିକ୍ଷାରେ ଶରୀରର ଶ୍ରମକୁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଉ ବୋଲି କେତେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମଥା ପାଇଁ ପିଲାମାନେ ବିଦ୍ୟାଳୟରେ ଆବଶ୍ୟକ ଜ୍ଞାନଗୁଡ଼ିକୁ ଲାଭ କରିବା ସଙ୍ଗେ ସଙ୍ଗେ ଶାରୀରିକ ଶ୍ରମର ଏକ କାର୍ଯ୍ୟକ୍ରମ ସହିତ ମଧ୍ୟ ଅବଶ୍ୟ ନିୟମିତ ଭାବରେ ଯୁକ୍ତ ହୋଇ ରହିବେ ବୋଲି ମାର୍କସ୍‌ ଖୁବ୍ ସ୍ପଷ୍ଟଭାବରେ ଘୋଷଣା କରିଛନ୍ତି । ସେତେବେଳେ କାରଖାନାମାନଙ୍କରେ ଯେଉଁ ପିଲାମାନେ କାର୍ଯ୍ୟ କରୁଥିଲେ ସେମାନେ ଅଧା ସମୟ ସ୍କୁଲରେ ଓ ଆଉ ଅଧଟା ଶରୀରଶ୍ରମରେ ଅତିବାହିତ କଲେ ସେମାନଙ୍କର ଶିକ୍ଷାଗତ ସାମର୍ଥ୍ୟ ଯେ ଅଧିକ ଉଲ୍ଲେଖନୀୟ ଭାବରେ ବିକାଶ ଲାଭ କରିପାରିବ, ଆପଣାର କିଛି ପ୍ରୟୋଗ ଦ୍ୱାରା ସେ ତାହା ଦର୍ଶାଇ ଦେଇ ପାରିଥିଲେ । କେବଳ ମଥାର ଶିକ୍ଷା ଏବଂ କେବଳ ଶ୍ରମ ଖଟିବା ଅପେକ୍ଷା ଯେ ଏହାଦ୍ୱାରା ଶିଶୁର ଯୋଗ୍ୟତାର ବିକାଶ ଯେ ସମ୍ଭବ ହେବ, ମାର୍କସ୍ ଖୁବ୍ ନିଶ୍ଚିତ ଭାବରେ ତାହା ପ୍ରତିପାଦିତ କରି ଦେଇଥିଲେ । ରୁଷିଆର ଶ୍ରୀଯୁକ୍ତ କ୍ରୋପଟ୍‍କିନ୍ ମଧ୍ୟ ଶିକ୍ଷାର ସେତେବେଳର ଚଳନ୍ତି ଧାରାରେ ଅବଶ୍ୟ ଏକ ପରିବର୍ତ୍ତନ ସମ୍ଭବ କରାଯାଉ ବୋଲି ଦାବି କରି କହିଥିଲେ, ଆମର ସମାଜ ଯେପରି ଭାବରେ ମଥା ଚାଷ ଓ ଶରୀରଶ୍ରମର ମଝି ବାଡ଼ଟିଏ ପକାଇ ଦେଇ ଦୁଇଭାଗରେ ବିଭାଜିତ ହୋଇ ରହିଛି । ତାହାର ପରିବର୍ତ୍ତେ ଏକ ସୁସ୍ଥତର ପଦ୍ଧତିକୁ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ । ନିଜର ଭାଷାରେ ସେହି ପଦ୍ଧତିଟିକୁ ସେ education integrate ବୋଲି କହିଥିଲେ । ସେଥିରେ ମୋଟେ କୌଣସି ବିଭାଜନ ରହିବ ନାହିଁ, ଯାହାକି ବିଦ୍ୟାଳୟର ପିଲାଙ୍କର ବହୁତ ଅନିଷ୍ଟସାଧନ ହିଁ କରୁଥିଲା । ତାଙ୍କର କଳ୍ପନାଟି ଅନୁସାରେ ୧୮ ବା ୨୦ବର୍ଷ ବୟସରେ ଇସ୍କୁଲ୍‍ରୁ ବାହାରି ପୃଥିବୀରେ ପ୍ରବେଶ କରିବା ସମୟରେ ପ୍ରତ୍ୟେକ ବାଳକ ଓ ବାଳିକା ଏକ ବିଶେଷ କାରିଗରୀ ଅର୍ଥାତ୍ କୌଶଳରେ ନିପୁଣତା ଅର୍ଜନ କରିଥିବ ଏବଂ ଯୁଗପତ୍ ଭାବରେ ନିଜ ଜୀବନରେ ସେଥପାଇଁ ଦୃଢ଼ ଭୂମିଟିଏ ଯେଗାଇ ଦେବାପାଇଁ ପ୍ରାସଙ୍ଗିକ ସିଦ୍ଧାନ୍ତଜ୍ଞାନଟି ସହିତ ପରିଚିତ ହୋଇ ଯାଇଥିବ ।

 

ସୋଭିଏଟ୍ ଋଷିଆର ପ୍ରୟୋଗ

 

ସେହି ଦେଶର ଜଣେ ଶିକ୍ଷାବିଶାରଦଙ୍କ ଭାଷାରେ, ଶ୍ରମର ଏକ ଶିକ୍ଷାମୂଳକ ମାଧ୍ୟମରେ ଆମେ ଆମ ପିଲାମାନଙ୍କୁ ଶ୍ରମର ଜଗତଟି ମଧ୍ୟକୁ ଅନ୍ତର୍ଗତ କରି ଆଣିବାକୁ ଇଚ୍ଛା କରୁଛୁ ଯେପରିକି ସେମାନେ ଜନସମୂହଙ୍କର ବାସ୍ତବ ଜୀବନଯୁଦ୍ଧଟିକୁ ବୁଝିପାରିବେ ଏବଂ ସେଥିରେ ସକ୍ରିୟ ଭାଗ ମଧ୍ୟ ନେବେ । ମନୁଷ୍ୟଜାତିର ସମାଜଟିଏ ନିର୍ମାଣ କରି ଆଣିଥିବାର ଇତିହାସଟିକୁ ମଧ୍ୟ ବୁଝିବେ,–ଆପଣା ଜୀବନର ଅଭ୍ୟାସଗତ ରୁଚିମାନଙ୍କୁ ଅନୁରୂପ ଅନୁକୂଳତା ଦେଇ ଗଢ଼ି ଆଣି ପାରିବେ । ସେମାନେ ଏକ ଶ୍ରମଭିତ୍ତିକ ଜୀବନର ମୂଳରେ ରହିଥିବା ଶୃଙ୍ଖଳାଟିକୁ ମଧ୍ୟ ଅର୍ଜନ କରିବେ ।

 

ପୂର୍ବରୁ ପ୍ରଚଳିତ ହୋଇ ଆସିଥିବା ଓ ବର୍ତ୍ତମାନ ଲାଗୁ ହେବାକୁ ଯାଉଥିବା ନୂତନ ଉଭୟ ମଧ୍ୟରେ ରହିଥିବା ପାର୍ଥକ୍ୟଟିକୁ ସ୍ପଷ୍ଟ କରିଦେଇ ରଷିଆର ଆଉ ଜଣେ ଶିକ୍ଷାବିଶେଷଜ୍ଞ କହିଛନ୍ତି; ସେହି ପୂର୍ବର ସମୟଟିରେ ପ୍ରଧାନତଃ ଆନୁଗତ୍ୟ ରଖୁଥିବା ଭୃତ୍ୟ, କିରାଣୀ ଏବଂ ଦାସ ବୋଲକରାମାନଙ୍କୁ ତିଆରି କରିବାର ଆବଶ୍ୟକତା ଥିଲା । ବର୍ତ୍ତମାନ ଋଷିଆ ଦେଶରେ ଯଥାସମ୍ଭବ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଆମର ସର୍ବବିଧ ଅର୍ଥନୈତିକ ତଥା ସାଂସ୍କୃତିକ ନିର୍ମାଣଗୁଡ଼ିକ ଭିତରେ ସାମିଲ୍‌ କରି ଆଣିବା ହେଉଛି ଆମର ସବାଆଗର ଲକ୍ଷ୍ୟ । ତେଣୁ, ବିଦ୍ୟାଳୟର ଶିକ୍ଷା ସମାପ୍ତ କରି ଗୋଟିଏ ପିଲା ମୂଳତଃ ଶ୍ରମିକମାନଙ୍କୁ ସବାଆଗରେ ରଖିଥିବା ଗୋଟିଏ ରାଷ୍ଟ୍ରକୁ ଗଢ଼ି ଆଣିବା ବିଷୟରେ ଉଭୟ ସିଦ୍ଧାନ୍ତ ତଥା କ୍ରିୟାଶୀଳତାର କ୍ଷେତ୍ରରେ ଏକ ଅତ୍ୟନ୍ତ ସ୍ପଷ୍ଟ ବୋଧ ଅବଶ୍ୟ ହାସଲ କରିବ । ପୁନଶ୍ଚ, “ତେଣୁ, ଲୋକଗଣ ନିଯୁକ୍ତ ରହିଥିବା ଶ୍ରମର କ୍ଷେତ୍ରଟି ହିଁ ଆମ ବିଦ୍ୟାଳୟରେ ଦିଆହେବାକୁ ଯାଉଥିବା ଶିକ୍ଷାର ସବାମୂଳ ବିନ୍ଦୁ ହୋଇ ରହିବ । ଅର୍ଥାତ, ଏକାବେଳକେ ମୂଳରୁ ହିଁ ବିଦ୍ୟାଳୟର-ଶିକ୍ଷାର ସକଳ ସ୍ତରରେ ତାହା ସବୁକିଛି କାର୍ଯ୍ୟକ୍ରମରେ ଅନ୍ତର୍ଗତ ହେବ,–ପିଲାମାନଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଶେଷଜ୍ଞ କରି ତିଆରି କରିବା ନୁହେଁ, ମାତ୍ର ଏକ ନୂତନ ଜୀବନର ନିର୍ମାଣ କରି ଆଣିବାରେ ସେମାନଙ୍କୁ ସମର୍ଥ କରାଇବା ହିଁ ଉଦ୍ଦେଶ୍ୟ ରହିବ । ତାହାରି ଏକ ସକଳାଙ୍ଗ ବାସ୍ତବାୟନକୁ ଆମେ ଶିକ୍ଷା ବୋଲି କହି ସମ୍ମୁଖରେ ଉତ୍ତୋଳିତ କରି ଧରିଛୁ ।”

 

ପୂର୍ବ-ପ୍ରୟୋଗମାନଙ୍କର ବିଫଳତା

 

କିନ୍ତୁ ଶିକ୍ଷାର କ୍ଷେତ୍ରରେ ଏହି ଏଡ଼େ ପ୍ରୟୋଜନୀୟ ସଂସ୍କାରଟି କ’ଣ ପାଇଁ ସମ୍ଭବ ହୋଇ ପାରିନାହିଁ ? ଏପରିକି ୟୁରୋପ ମଧ୍ୟ କେଉଁ କାରଣରୁ ତାହାକୁ ଗ୍ରହଣ କରିନାହିଁ । ହଁ, ସେଠାରେ ଘଟିଥିବା Industrial Revolution ବା ଶିଳ୍ପ-ବିପ୍ଳବ ହିଁ ଏଥିରେ ପ୍ରତିବନ୍ଧକ ରୂପେ ଠିଆ ହୋଇଛି । ସେହି ବିପ୍ଳବ ସେଠାରେ ଆବହମାନକାଳରୁ ଚଳି ଆସିଥିବା ଅର୍ଥନୀତିକୁ ନଷ୍ଟ କରିଦେଇଛି ତଥା ଗ୍ରାମଜୀବନର ଜୀବନ ଏବଂ ସଂସ୍କୃତିକୁ ନଷ୍ଟ କରିଦେଇଛି । କାରିଗରକୁଳ ବିଲୁପ୍ତ ହୋଇଯାଇଛି । ଜୀବନ ସହରକେନ୍ଦ୍ରିତ ହୋଇଛି । ପୂର୍ବରୁ ତ ନିଜ ପରିବାରରେ ହିଁ ଗୋଟିଏ ପିଲାକୁ ଶିକ୍ଷା ଏବଂ ବୃଦ୍ଧିର ଦୃଢ଼ ସଂସ୍ଥାନଟିଏ ମିଳି ଯାଉଥିଲା । ସେଇଟି ସଂପୂର୍ଣ୍ଣଭାବେ ଭାଙ୍ଗିଯାଇଛି ! ଗାଆଁରୁ ଉତ୍ପାଦିତ ହୋଇ ଆସିଥିବା ଜନସମୂହ ସହରିତଳିକୁ ଆସି ତୁଚ୍ଛା ଏକ ଶ୍ରମିକଯୂଥରେ ପରିଣତ ହୋଇଛନ୍ତି । ସହରର ଧନୀ ସଂପ୍ରଦାୟଟି ହିଁ ଉଚ୍ଚ ବର୍ଗ ବୋଲାଇଛି ଏବଂ ବାକି ସମସ୍ତଙ୍କୁ ଅବର ଏବଂ ବଞ୍ଚିତ କରି ରଖିଛି । ଜୀବିକାର ନିର୍ଭରଗୁଡ଼ିକୁ ଭାଙ୍ଗି ପକାଇଛି ଏବଂ ଶିକ୍ଷାର ସୁସ୍ଥ ପରିମଳମାନଙ୍କୁ ଭାରି ଛିନଛତ୍ର କରିଦେଇଛି ।

 

ତଥାପି, ଯନ୍ତ୍ରଶିଳ୍ପ ଏବଂ ଦ୍ରବ୍ୟ- ଉତ୍ପାଦନକୁ ଯେତେ ମହତ୍ତ୍ଵ ଦିଆଯାଇଥିଲେ ମଧ୍ୟ ଇଉରୋପ ଓ ଆମେରିକାରେ ଶିକ୍ଷାରେ ପ୍ରୟୋଗମାନ ଲାଗି ରହିଛି ଏବଂ ଶିକ୍ଷାର କାର୍ଯ୍ୟକ୍ରମ ଗୁଡ଼ିକରେ ମାନସିକ ଉତ୍କର୍ଷଲାଭ ସହିତ ପର୍ଯ୍ୟବେକ୍ଷଣ ଓ କର୍ମର ନାନା ବାସ୍ତବ ଅନୁଶୀଳନକୁ ତାତ୍ପର୍ଯ୍ୟ ପ୍ରଦାନ କରାଯାଇଛି । ଏହି ପର୍ଯ୍ୟାୟରେ ଆମେ କିଣ୍ଡର୍‍ଗାର୍ଟନ, ମଣ୍ଟେସରି ପ୍ରଣାଳୀ ଏବଂ ଡାଲ୍‍ଟନ୍ ଶିକ୍ଷାନିର୍ଣ୍ଣୟ ଗୁଡ଼ିକୁ ନିଶ୍ଚୟ ସ୍ମରଣ କରିପାରିବା । ଭାରତବର୍ଷରେ ଏଗୁଡ଼ିକରେ ମଧ୍ୟ କେତେକ ପ୍ରୟାସ ହୋଇଛି ଏବଂ ହେଉଛି ସତ, ମାତ୍ର ନାନା ତାତ୍କାଳିକ ସ୍ଵାର୍ଥର ଅଡ଼ୁଆ ଭିତରେ ପଡ଼ିଯାଇ ତାହା ପ୍ରଧାନତଃ ଧନୀ ଏବଂ ଉଚ୍ଚବର୍ଗମାନଙ୍କର ପ୍ରାୟ କିଞ୍ଚିତ ବିରଳ ବିଳାସରେ ହିଁ ପରିଣତ ହୋଇଯାଇଛି । ଶିକ୍ଷା ଖୁବ୍ ଖର୍ଚ୍ଚାନ୍ତ ହୋଇ ରହିବାକୁ ବାଧ୍ୟ ହୋଇଛି । ଏବଂ ଯେପରି ହେଉ ପଛକେ, ସେହି ବ୍ୟବସ୍ଥାଟି କେବଳ ତଳ କେତୋଟି କ୍ଲାସ୍ ମଧ୍ୟରେ ସୀମାବଦ୍ଧ ହୋଇରହିଛି-

 

ମୌଳିକ ଶିକ୍ଷାଦ୍ୱାରା ଗାନ୍ଧୀଜୀ ସେଥିଲାଗି ଇଚ୍ଛା କରିଛନ୍ତି ଯେ ଶିକ୍ଷାର୍ଥୀମାନେ ନିଜକୁ କିଛି ସୃଜନାତ୍ମକ ଶ୍ରମର କାର୍ଯ୍ୟକ୍ରମ ଦ୍ୱାରା ଯେତେ ଅଳପ ହେଉ ପଛକେ, ଅବଶ୍ୟ କିଛି ଉପାର୍ଜନ ମଧ୍ୟ କରିବାକୁ ସମର୍ଥ ହେବେ । ଏହାକୁ ଆମେ କଦାପି ସ୍କୁଲରେ ପିଲାମାନଙ୍କୁ କତିପୟ ଖେଳନାର ସରଞ୍ଜାମ ଯୋଗାଇଦେଇ ସମ୍ଭବ କରିପାରିବା ନାହିଁ । ସବୁ ପିଲାଙ୍କ ନିମିତ୍ତ କେବେହେଲେ ଯୋଗାଇ ଦେଇ ପାରିବା ନାହିଁ । ତେଣୁ, ସେମାନଙ୍କୁ ଏପରି କିଛି କର୍ମର ଯୋଜନା ଦିଆଯିବ, ଯାହାକି ସେମାନଙ୍କୁ ସେମାନଙ୍କ ଲାଗି ଶିକ୍ଷାପ୍ରାପ୍ତିର ମାଧ୍ୟମ ହୋଇ ରହିବ ଏବଂ ହାତକୁ କିଛି ଅର୍ଥୋପାର୍ଜନ ମଧ୍ୟ ସମ୍ଭବ କରାଇବ । ଶିକ୍ଷାର୍ଥୀର ବ୍ୟକ୍ତିତ୍ଵର ବିକାଶରେ ସିଏ ଲାଭ କରୁଥିବା ଶିକ୍ଷା ସହାୟକ ହୋଇ ରହିବ ଏବଂ ତା’ଲାଗି ନିଜ ଉପାର୍ଜନ-ସାମର୍ଥ୍ୟ ବିଷୟରେ ଏକ ନିଶ୍ଚିତ ବିଶ୍ଵାସ ଆଣିଦେବ । ସେହି ଶିକ୍ଷା ସମଗ୍ର ଭାବରେ ସମାଜର ବିକାଶ ତଥା ଅଗ୍ରଗତିରେ ମଧ୍ୟ ଯେ ଅନୁକୂଳ ପ୍ରେରଣା ଗୁଡ଼ିକର ସୃଷ୍ଟି କରିବ, ବର୍ତ୍ତମାନ ସେହି କଥାଟିକୁ ବୁଝିବାରେ ତେଣୁ ଆମର ଆଦୌ କାହାରି କୌଣସି ସନ୍ଦେହ ରହିବା ଉଚିତ୍ ମଧ୍ୟ ହେବନାହିଁ ।

 

ସମସ୍ୟାମାନଙ୍କର ଅଧୟନ:

 

ଯାବତୀୟ ଶିକ୍ଷା ହେଉଛି ଜୀବନ ନିମନ୍ତେ । ତେଣୁ, ସେଇଟିକୁ କଦାପି ଜୀବନ ଏବଂ ଜୀବନର ସମସ୍ୟାଗୁଡ଼ିକରୁ ବିଚ୍ଛିନ୍ନ ରଖାଯାଇ ପାରିବନାହିଁ । ସେହି ସମସ୍ୟାମାନେ ଆଦୌ ଏକମୁଖୀ ନୁହନ୍ତି ଓ ତେଣୁ ଖାସ୍ ତଥାକଥିତ କୌଣସି ଗୋଟିଏ କ୍ଷେତ୍ରର ବିଶେଷ ଜ୍ଞାନ ଦ୍ଵାରା ସେଗୁଡ଼ିକର ସମାଧାନ ମିଳିବ ନାହିଁ । ଉଦାହରଣ ସ୍ଵରୂପ, କୃଷିକ୍ଷେତ୍ରର ସମସ୍ୟାଟିର ବିଚାର କରାଯାଇପାରେ । କେବଳ କୃଷି ସମ୍ପର୍କିତ କେତେଟା ବିଜ୍ଞାନ ଦ୍ଵାରା କ’ଣ ସମାଧାନ ମିଳିଯିବ ? ଆମକୁ ଅର୍ଥନୀତି ଏବଂ ରାଜନୀତିର ବ୍ୟବସ୍ଥାଟିକୁ ମଧ୍ୟ ବିଚାରକୁ ନେବାକୁ ପଡ଼ିବ । ଏହିସବୁ ବିଷୟରେ ତ ଆମ ଜ୍ଞାନଲାଭର ଉଚ୍ଚ ସ୍ଥାନମାନଙ୍କରେ କେତେ କ’ଣ ସବୁ ଶିକ୍ଷା ଦିଆଯାଏ; କିନ୍ତୁ ସେଗୁଡ଼ିକ ଗୋଟିଏ ଆରଟିଠାରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି । ତେଣୁ, ଫଳରେ ପ୍ରବୀଣ କୃଷି ବିଜ୍ଞାନମାନେ ସମ୍ଭବ ହୁଅନ୍ତି, ଯେଉଁମାନେ ହାଟର ନାଭିନକ୍ଷତ୍ର ସମ୍ପର୍କରେ ହୁଏତ କିଛି ଜାଣିନଥାନ୍ତି-। ତଦ୍ଦ୍ଵାରା ହୁଏତ ଫସଲ ଖୁବ୍ ଫଳେ ମାତ୍ର ବଜାରରେ ବିକ୍ରି ହୁଏନାହିଁ । ଏବେ ତ ସ୍ଥିତିମାନେ ସକଳ କ୍ଷେତ୍ରରେ ସେହିପରି ହୋଇ ରହିଛନ୍ତି ।

 

ତେଣୁ ସର୍ବୋତ୍ତମ ଶିକ୍ଷା ଏକ ସମଗ୍ର ଶିକ୍ଷାର କାର୍ଯ୍ୟକ୍ରମ ହେବ,–ଅନ୍ତର୍ନିହିତ ସମ୍ପର୍କ ଗୁଡ଼ିକୁ ଜାଣିବ ଏବଂ ସବାମୂଳରେ ବାସ୍ତବ ଜୀବନଟିକୁ ରଖି ସେଇଟିକୁ ଅର୍ଜନ ବି କରିବ । ସମ୍ପ୍ରତି ଆମ ଶିକ୍ଷାଦାନର ଛାଞ୍ଚଟି ଭିତରେ ମୋଟେ ସେପରି କରାଯାଇନାହିଁ । ସେଥିରେ କୌଣସି ସମଗ୍ର ଦୃଷ୍ଟି ନାହିଁ । ମହାନ୍‍ ଅଧ୍ୟାପକମାନେ କେବଳ ନିଜ ବିଷୟଟିକୁ ହିଁ ତନ୍ନତନ୍ନ କରି ଜାଣିଛନ୍ତି ଏବଂ ଅଧ୍ୟାପନାକୁ ସତେଅବା ଚେନା ଚେନା କରି ରଖିଛନ୍ତି । ଆପଣା ବିଶେଷଜ୍ଞାନଟି ମଧ୍ୟରେ ବନ୍ଦୀ ହୋଇରହିଛନ୍ତି । ଆଦୌ କୌଣସି ସମସ୍ୟାକୁ ସମଗ୍ର ନ୍ୟାୟରେ ଦେଖାଯାଉନାହିଁ । ଛାତ୍ରକୁଳ ସବୁ ଜାଣି ପକାଇଛି ବୋଲି ଅନୁମାନ କରୁଥିଲେ ମଧ୍ୟ ଘୋର ଅଜ୍ଞାନ ଅର୍ଥାତ୍ ଅସମର୍ଥତା ମଧ୍ୟରେ ବାନ୍ଧିହୋଇ ରହିଛି । ଜୀବନ ଆମ ସତ ଜୀବନର ସରହଦ୍ ଗୁଡ଼ିକରୁ ବିଚ୍ଛିନ୍ନ ହୋଇଛି । ସତେଅବା ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ଗୋଟାସୁଦ୍ଧା ତୁଣ୍ଡର କଥାଟା ଭିତରେ ହିଁ ଛନ୍ଦିହୋଇ ପଡ଼ିଛି । ତେଣୁ ଗୋଟିଏ ଧନ୍ଦାକୁ ମାଧ୍ୟମ କରି ବିଦ୍ୟାଳୟରେ ଯାହାକିଛି ହେବ, ତାହା ସେହି ବିଚ୍ଛିନ୍ନତାକୁ ଦୂର କରିପାରିବ । ଏକାଧିକ ଶିକ୍ଷକ ମଧ୍ୟ ଏକତ୍ର ଅଧିକ ସହଯୋଗର ସୂତ୍ରରେ ପରସ୍ପର ସହିତ ସଂଯୁକ୍ତ ହୋଇ ରହିବେ । ଏହାଦ୍ୱାରା କେବଳ ଯେ ଜ୍ଞାନର ଅଭିବୃଦ୍ଧି ଘଟିବ, ତା’ ନୁହେଁ ଏହି ପ୍ରକ୍ରିୟାଟି ଫଳରେ ଅନେକ ବାସ୍ତବ ସୁଫଳ ମଧ୍ୟ ଅବଶ୍ୟ ପ୍ରାପ୍ତ ହେବ । ଶିକ୍ଷାର୍ଥୀମାନଙ୍କୁ ବାସ୍ତବ ଜୀବନ ଏବଂ ବାସ୍ତବ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ମଜବୁତ କରାଇ ନେଉଥିବ ।

 

ଶବ୍ଦମାନଙ୍କର ଉତ୍ପୀଡ଼ନ

 

ଶିକ୍ଷାର ଶୈଳୀ ପ୍ରଧାନତଃ ତଥାକଥିତ ତତ୍ତ୍ୱପ୍ରଧାନ ହୋଇ ରହିଆସିଛି ଓ ତେଣୁ ତୁଣ୍ଡର ଶବ୍ଦଟା ଉପରେ ହିଁ ନିର୍ଭର କରିଆସିଛି । କର୍ମକୁ ଏକ ଅବଶ୍ୟ ଆନୁଷଙ୍ଗିକ ବୋଲି ଘୋଷଣା କରୁଥିବା ମୌଳିକ ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ଶବ୍ଦମାନଙ୍କର ସେହି ଉପୀଡ଼ନରୁ ମୁକ୍ତି ଦେବା ପାଇଁ ଚିନ୍ତା କରିଛି । ଶବ୍ଦମାନେ ତ ତୁଚ୍ଛା ଗୋଟିଏ ଗୋଟିଏ ପ୍ରତୀକ । ସେହି ପ୍ରତୀକଗୁଡ଼ିକୁ ଗୁଡ଼ାଏ ମହତ୍ତ୍ୱ ଦେଇ କାଳେ କାଳେ କେତେ କଳହର ସୂତ୍ରପାତ ନହୋଇଛି ! ଶବ୍ଦମାନେ ଜୀବନ ବଞ୍ଚିବାର ବହୁ ବାସ୍ତବ ଆବେଦନ ଏବଂ ଆହ୍ଵାନକୁ ଘୋଡ଼ାଇ ରଖିଛନ୍ତି ଏବଂ ମନୁଷ୍ୟମାନେ ତଥାକଥିତ ତୁଚ୍ଛା ବୁଦ୍ଧିବାଦିତା ଦ୍ୱାରା ହିଁ ବିଡ଼ମ୍ବିତପ୍ରାୟ ରହି ଯାଇଛନ୍ତି ।

 

ଆମ ଏକାଳର ଏକାଧିକ ଅତିପରିଚିତ ଶବ୍ଦ– ପୁଞ୍ଜିବାଦ, ସମାଜବାଦ, ଗାନ୍ଧୀବାଦ, ଶୋଷଣ, ସମାନତା, ପୌର ସ୍ୱାଧୀନତା, ବାକ୍-ସ୍ୱାଧୀନତା, ଧର୍ମଘଟ କରିବାର ଅଧିକାର– ଖୁବ୍ ବିଶ୍ଵାସ କରାଯାଇଥାଏ ଯେ, ଏହି କଥାଗୁଡ଼ିକର ପ୍ରକୃତ ଅର୍ଥଟା ସତେଅବା ଆଗରୁ ପରୀକ୍ଷିତ ଏବଂ ନିର୍ଦ୍ଦିଷ୍ଟ ହୋଇ ରହିଥିବା ପରି ସବୁ ମନୁଷ୍ୟ ସେଗୁଡ଼ିକୁ ଏକା ଅର୍ଥାୟତନ ଦେଇ ହିଁ ବ୍ୟବହାର କରନ୍ତି । ଅଥଚ, ସେହିଗୁଡ଼ିକୁ ନେଇ ସତେବା ପୃଥିବୀଯାକର କନ୍ଦଳ ହିଁ ଅନୁକ୍ଷଣ ଲାଗି ରହିଥାଏ । ତେଣୁ ଏକ ସୁସ୍ଥ ଭାରସାମ୍ୟଯୁକ୍ତ ଶିକ୍ଷା ଏହି ଦିଗରେ ଆମର ଅଡ଼ୁଆଗୁଡ଼ିକୁ ବହୁପରିମାଣରେ ସମାଧାନ ପ୍ରଦାନ କରିପାରିବ । ବାସ୍ତବ ଜୀବନର ଅନୁଭବ ଏବଂ ମାନସିକ କଳ୍ପନାକଳନ ମଧ୍ୟରେ ଯଥାସମ୍ଭବ ରକ୍ଷା କରାଯାଉଥିବା ସେହି ଭାରସାମ୍ୟଟି !

 

ଏହି ଶିକ୍ଷା-ଯୋଜନାର ସାମାଜିକ ତଥା ନୈତିକ ଦିଗ

 

ଇଉରୋପରେ ସମାଜର କ୍ଷେତ୍ରରେ ନାନା ପରିବର୍ତ୍ତନ ହେଉଥିବା ଅନୁସାରେ ଶିକ୍ଷାଦାନର ପଦ୍ଧତିରେ ମଧ୍ୟ ପରିବର୍ତ୍ତନମାନ କରାଯାଇଛି । ଗୋଟିଏ ପାଖରେ ପ୍ରକୃତି ବିଜ୍ଞାନର କ୍ଷେତ୍ରରେ ନୂତନ ଆଲୋକପାତମାନ ହେଉଥିବା ସହିତ ସମାଜ ତଥା ରାଜନୀତିକ ଜୀବନ ଆଡ଼କୁ ନିର୍ଦ୍ଦିଷ୍ଟ ଗୁରୁତ୍ଵମାନ ଦେଇ ସାମାଜିକ କଲ୍ୟାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମଗ୍ର ପରିବର୍ତ୍ତନର ଦୃଷ୍ଟିଟି ଇଉରୋପରେ ତା’ର ବର୍ତ୍ତମାନର ଏହି ଆଧୁନିକ ଯୁଗପ୍ରୟାସ ଗୁଡ଼ିକୁ କ୍ରମେ ସମ୍ଭବ ତଥା ସାକାର କରି ଆଣିଛି ।

 

ଏବଂ ସେହି ନୂତନ ଆଗ୍ରହ ଏବଂ ନାନା କ୍ରିୟାଶୀଳତାରୁ ହିଁ ଆଧୁନିକ ଗଣତନ୍ତ୍ରମାନେ ବିକଶିତ ହୋଇ ଆସିଛନ୍ତି । ଜନଗଣଙ୍କର ସରକାର ହିଁ ସବାଆଗ ସେହି ଜନଗଣଙ୍କୁ ହିଁ ଶିକ୍ଷିତ କରି ଆଣିବାର ଦାୟିତ୍ଵ ଗ୍ରହଣ କରିବ । ସମସ୍ତଙ୍କ ନିମନ୍ତେ ଏକ ସର୍ବନିମ୍ନ ଅତ୍ୟାବଶ୍ୟକ ଶିକ୍ଷାର ବ୍ୟବସ୍ଥା ଅବଶ୍ୟ ରହିବ । ପୁଣି, ବୈଜ୍ଞାନିକ ଯନ୍ତ୍ରକୌଶଳର ଅଗ୍ରଗତି ସହିତ ଉପଯୁକ୍ତ ପ୍ରଶିକ୍ଷଣପ୍ରାପ୍ତ ଏକ ଶ୍ରମିକକୁଳ ମଧ୍ୟ ନିଶ୍ଚୟ ଆବଶ୍ୟକ ହେବେ । କୌଣସି ରାଷ୍ଟ୍ର ଏହିସବୁ ସମ୍ମୁଖ କର୍ତ୍ତବ୍ୟକୁ କଦାପି ଅବହେଳା କରି ପାରିବ ନାହିଁ । ଉପଯୁକ୍ତ ନାଗରିକଙ୍କୁ ସମ୍ଭବ କରିଆଣିବା ସକାଶେ ଅନୁରୂପ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା । ବ୍ୟକ୍ତି ଯଥାସମ୍ଭବ ଅଧିକ ଯୋଗ୍ୟ ତଥା ସମର୍ଥ ହେବ ଏବଂ ତାହାରି ଦ୍ଵାରା ହିଁ ଏକ ସୁସ୍ଥ ସାମଗ୍ରିକ ଜୀବନ ମଧ୍ୟ ମୂର୍ତ୍ତ ହୋଇ ଆସୁଥିବ ।

 

ଅର୍ଥାତ୍, ଆଧୁନିକ କାଳଟିର ଏହି ଯାବତୀୟ ଆବଶ୍ୟକ ଏବଂ ତାହାରି ଅନୁସାରେ ଏକ ଅନୁରୂପ ଶିକ୍ଷାର ବାସ୍ତବ ବ୍ୟବସ୍ଥା । ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀ ତଥା ଦିକ୍‍ ନିର୍ଦ୍ଦେଶନା । କେବଳ ଗୁଡ଼ିଏ ତତ୍ତ୍ୱ ଅର୍ଥାତ୍ ପୁସ୍ତକପାଠ ନୁହେଁ ଜୀବନଶାଳାରେ ସେଗୁଡ଼ିକର ନିତ୍ୟ ପ୍ରୟୋଗ ଏବଂ ସେଇଥିରୁ ଆଗକୁ ଆଗକୁ ବାଟଗୁଡ଼ିକୁ ବାହାର କରିବାର ମୂଳ ଆଭିମୁଖ୍ୟଟିଏ । ତେଣୁ, ଶିକ୍ଷାର ସବାମୂଳ ଚରିତ୍ରଟି ଶିକ୍ଷାର୍ଥୀକୁ ତା’ ଆଗରେ ରହିଥିବା ଜୀବନ ଲାଗି ଗଢ଼ି ଆଣିବାରେ ହିଁ କ୍ରିୟାଶୀଳ ଅବଶ୍ୟ ହେବ । ବିଦ୍ୟାଳୟ ନାମକ ଖାସ୍ ଜୀବନ କ୍ଷେତ୍ରଟି ତାକୁ ବୃହତ୍ତର ସହଜୀବନଟି ଲାଗି ସମ୍ମତ କରିନେବ । ବିଦ୍ୟାଳୟ କହିଲେ ତେଣୁ ଏକ ଦୈନନ୍ଦିନ ସଂହତିକୁ ବୁଝାଇବ । ସେହି ସଂହତିର ମାଧ୍ୟମରେ ହିଁ କ୍ରମଶଃ ସମ୍ମତ କରି ନେଉଥିବ । ଆତ୍ମ-ଶାସନ ଏବଂ ଆତ୍ମ-ଶୃଙ୍ଖଳା,–ସେହି ବିଦ୍ୟାଳୟର ସ୍ତରରୁ ହିଁ ପିଲାମାନେ ତାହାର ପ୍ରୟୋଗାତ୍ମକ ଅନୁଭବଗୁଡ଼ିକୁ ଲାଭ କରିବେ । ବିଦ୍ୟାଳୟର ପ୍ରାତ୍ୟହିକ କାର୍ଯ୍ୟକ୍ରମଗୁଡ଼ିକୁ ଦେଇ ସହଯୋଗ ଏବଂ ପାରସ୍ପରିକତାର ଗଭୀର ତାତ୍ପର୍ଯ୍ୟଗୁଡ଼ିକୁ ମଧ୍ୟ ଅଙ୍ଗେ ନିଭାଇ ପାରିବେ । ବିଦ୍ୟାଳୟ ନାମକ ସଂହତି ତଥା ପ୍ରୟୋଗଟିରେ ସେହିମାନେ ହିଁ ସବାମୂଳ ନିର୍ଭରଶୀଳା ହୋଇ ରହିଥିବେ । ସେହି ସହଯୋଗିତାର ଏକ ସହଜ ଅନୁଶୀଳନ ମଧ୍ୟରେ ଛାତ୍ର ଏବଂ ଶିକ୍ଷକ ମଧ୍ୟରେ ବି କୌଣସି ମିଥ୍ୟା ଅର୍ଥାତ୍ ଅନାବଶ୍ୟକ ଦୂରତା ମଧ୍ୟ ଆଉ କାହିଁକି ରହୁଥିବ !

 

ଏହିଭଳି ଏକ ପରିବେଶରେ ବର୍ଗ ବା ଜାତିର ମଧ୍ୟ କୌଣସି ପୃଥକ୍‌ଭାବନା କାହିଁକି ବା ରହିବ ! ମନୁଷ୍ୟ ମନୁଷ୍ୟ ମଧ୍ୟରେ ଏକ ଅନ୍ତର୍ଗତ ମୈତ୍ରୀ-ଭାବନାର ଜାଗରଣ ସମ୍ଭବ ହୋଇ ଆସୁଥିଲେ ଦୂରତାର କୌଣସି ଅବିବେକପଣ ଦୁଷ୍ଟତାମାନେ ମଧ୍ୟ କ’ଣ ପାଇଁ ରହିବେ ? କିଏ କ’ଣ ପାଇଁ ଅନ୍ୟମାନଙ୍କ ଅପେକ୍ଷା କିଛି ଅଧିକ ସୁବିଧାର ଅଧିକାରୀ ହେବା ନିମନ୍ତେ ଇଚ୍ଛା କରିବ ? ଜୀବନରେ ଆପଣାଠାରୁ ଅନ୍ୟ କେତେଜଣଙ୍କୁ ଅଧିକ ଅଥବା ନ୍ୟୁନ ବୋଲି ଜ୍ଞାନ କରି ନାକ ଟେକି ସଦାଦଗ୍ଧ ହୋଇ ରହିବାର ଦୁର୍ଭାଗ୍ୟ ମଧ୍ୟ ଆଉ କାହିକି ରହିବ ? ଏବଂ ଖାସ୍ ଧର୍ମଶିକ୍ଷା ବୋଲି ଏକ ବରାଦ ମଧ୍ୟ କାହିଁକି ଆବଶ୍ୟକ ହେବ ? ଅସଲ ଆଧ୍ୟାତ୍ମିକତା ଅର୍ଥାତ୍ ଅସଲ ଗୁହାମୁକ୍ତି ତ ତାହାରିଦ୍ଵାରା ସମ୍ଭବ ହେବ । ପରସ୍ପରର ମାର୍ଗ ପ୍ରତି ଏକ ସମ୍ମାନବୋଧର ସୁସ୍ଥ ଚଳଣିଟିଏ ଯେତେ ଭିନ୍ନତା ସତ୍ତ୍ୱେ ବଡ଼ ସାନ ସମସ୍ତଙ୍କୁ ଏକାଠି ହିଁ ଧରି ରଖିଥିବ ।

 

ସ୍ୱାବଲମ୍ବନର ଶିକ୍ଷା ସିଦ୍ଧାନ୍ତ :

 

ମୌଳିକ ଶିକ୍ଷା ଏକ ଧନ୍ଦାକୁ ମାଧ୍ୟମରୂପେ ଗ୍ରହଣ କରି କାର୍ଯ୍ୟକାରୀ ହେବ । ଏବଂ ସେହି ଧନ୍ଦାଟିକୁ ପିଲାମାନେ ଏପରି ଭାବରେ ମଧ୍ୟ ଶିକ୍ଷା କରିବେ, ଯାହାଦ୍ୱାରା କି ସେମାନଙ୍କର ଉତ୍ପାଦନ ସେମାନଙ୍କର ଅନ୍ତତଃ ଶିକ୍ଷାବାବଦ ବେତନ-ପରିମାଣଟିକୁ ଉପାର୍ଜନ କରିବାରେ ସମର୍ଥ ହେବ ।

 

ପ୍ରଥମେ ଶିକ୍ଷାରେ ପ୍ରବୀଣମାନେ କଥାଟିର ଦୃଢ଼ ବିରୋଧ କରିଥିଲେ । ବିଦ୍ୟାଗତ ସୂକ୍ଷ୍ମ ଜ୍ଞାନଗୁଡ଼ିକୁ କିପରି ଏକ ଧନ୍ଦାକୁ ମାଧ୍ୟମ କରି ସମ୍ଭବ ହେବ ସେମାନେ ସେଥିରେ ବିଶ୍ଵାସ ହିଁ କଲେ ନାହିଁ । ଏବଂ, ସେଥିରୁ ପିଲାମାନେ ପୁଣି କେତେ ଅର୍ଥ ବା ରୋଜଗାର କରିବେ ଯେ ତାହା ପୁଣି ସେମାନଙ୍କ ଶିକ୍ଷାର ଅଂଶିକ ଖର୍ଚ୍ଚ ମଧ୍ୟ ତୁଲାଇ ପାରିବ । ଅର୍ଥାତ୍, ସେମାନେ ଯଦି ଧନ୍ଦାଦ୍ୱାରା ଅର୍ଥୋପାର୍ଜନ କରିବାରେ ବ୍ୟସ୍ତ ରହିବେ, ତେବେ ବୌଦ୍ଧିକ ଶିକ୍ଷାର ଅବହେଳା ଅବଶ୍ୟ ହେବ ଏବଂ ଶିଶୁମାନଙ୍କୁ ଶ୍ରମିକରୂପେ ଖଟାଇବାର ଅପରାଧ ମଧ୍ୟ କରାଯିବ । ଏବଂ ଯଦି ସମଗ୍ର ଯୋଜନାଟିକୁ ଆଶାନୁରୂପ କାର୍ଯ୍ୟକାରିତା ଯୋଗାଇବା ହିଁ ଆମର ମୂଳ ଉଦ୍ଦେଶ୍ୟ ହୋଇଥାଏ, ତେବେ ତଥାକଥିତ ମାନସିକ ଅର୍ଥାତ୍ ବୁଦ୍ଧିଗତ ଶିକ୍ଷା ଓ ଗୃହୀତ ଧନ୍ଦାକୁ ଉପାର୍ଜନ କ୍ଷମା ରଖିବା ଉଭୟଟି ପରେ ଅବଶ୍ୟ ସମାନ ଗୁରୁତ୍ଵ ଦେବାକୁ ପଡ଼ିବ । ନହେଲେ, ଭାରତବର୍ଷ ଭଳି ଆମର ଏହି ଦେଶରେ ସବୁ ପିଲାଙ୍କ ଲାଗି ଏକ ସୁସ୍ଥ ଓ ସନ୍ତୋଷଜନକ ଶିକ୍ଷାର ବ୍ୟବସ୍ଥା କଦାପି ସମ୍ଭବ ହେବନାହିଁ ।

 

ଦ୍ଵିତୀୟଟି ହେଉଛି, ବିଦ୍ୟାଳୟରେ ଶିଶୁମାନଙ୍କୁ ଶ୍ରମିକ ପରି ବ୍ୟବହାର କରାଯିବାର ପ୍ରଶ୍ନଟି । ପିଲାମାନେ ପ୍ରକୃତରେ ଆପଣାର ଶ୍ରମ ଦ୍ଵାରା ଅନ୍ତତଃ ଶିକ୍ଷକଙ୍କର ପାରିଶ୍ରମିକକୁ ଭରଣା କରି ପାରିବେ ତ ? ଉଚିତ ତତ୍ପରତା ତଥା ମାର୍ଗଦର୍ଶନ ବଳରେ ଯାହା ସୂଚନା ବିଭିନ୍ନ ପ୍ରୟୋଗରୁ ମିଳୁଛି, ସେଥିରୁ ତାହା ଗୋଟାସୁଦ୍ଧା ଅସମ୍ଭବ ବୋଲି ଆଦୌ କୁହାଯାଇ ପାରିବ ନାହିଁ । ଅଧିକ ପ୍ରୟୋଗରୁ ନିଃସନ୍ଦେହ ଭାବରେ ଅଧିକ ସଫଳତା ମିଳିବ । ପିଲାମାନେ ନିୟମତଃ ଧନ୍ଦା ଲାଗି ଦିନକୁ ଦୁଇଘଣ୍ଟା ସମୟ ଦାନ କରିବେ । କେବଳ ହାତଧନ୍ଦା ଗୁଡ଼ିକରେ ନୁହେଁ, ଉଦ୍ୟୋଗୀକରଣର ଅଗ୍ରଗତି ହେତୁ ଯେତେବେଳେ ବିବିଧ ଯନ୍ତ୍ରଶିଳ୍ପର ପ୍ରତିଷ୍ଠା ହେବ, ସେତେବେଳେ ମଧ୍ୟ ବିଦ୍ୟାଳୟ-ଶିକ୍ଷାର ଏହି ସୂତ୍ରଟି ତଥାପି ସନ୍ତୋଷଜନକ ଭାବରେ ଗୃହୀତ ହୋଇ ରହିପାରିବ ।

 

ପୁନଶ୍ଚ, ଭାରତବର୍ଷ ଭଳି ଗୋଟିଏ ଦେଶରେ, ଯେଉଁପରି ଏକ ବିଶେଷ ଧାରାରେ ସାମୁହିକ ଜୀବନ-ନିର୍ଭର ଗୁଡ଼ିକର ବିକାଶ ହୋଇଆସିଛି, ଆମେ ସେଠାରେ ସତେଅବା ମାତ୍ର କେତେଟା ବର୍ଷରେ ବାହାରର କିଛି ଅନ୍ୟ ଧାରାର ଅନୁକରଣ କରି ସମାଜକୁ ଏକ ନୂତନ ଢାଞ୍ଚାରେ ଗଢ଼ି ଥୋଇଦେଇ ପାରିବା ନାହିଁ । ସତ୍ଵର ଯନ୍ତ୍ରୋଦ୍ୟୋଗୀକରଣର ଲକ୍ଷ୍ୟଟିକୁ ଗ୍ରହଣ କରିନେଲେ ମଧ୍ୟ ସେଥିଲାଗି ଏକାଧିକ ଦଶନ୍ଧି ନିଶ୍ଚୟ ଲାଗିବ । ତେଣୁ, ଯାହାସବୁ ଯେପରି ଥିଲା, ସେଗୁଡ଼ିକର ପୁନରୁଦ୍ଧାରକୁ ମଧ୍ୟ ଦୃଷ୍ଟି ହିଁ ଦେବାକୁ ହେବ । ଯନ୍ତ୍ରୋଦ୍ୟୋଗ ଦିଗରେ ପ୍ରଭୂତ ଅଗ୍ରସର ହୋଇଥିବା ଜାପାନ ପରି ଦେଶରେ ମଧ୍ୟ ଗ୍ରାମୋଦ୍ୟୋଗ ଓ ହସ୍ତଶିଳ୍ପ ଉପରେ ତଥାପି ଗୁରୁତ୍ୱ ଦିଆଯାଉଛି । ଏବଂ ଯନ୍ତ୍ରୋଦ୍ୟୋଗର ପୂର୍ଣ୍ଣ ନୀତିଟିଏ ଆମ ଦେଶରେ ଗ୍ରହଣ କରି ନିଆଗଲେ ମଧ୍ୟ ତଥାପି ବିଦ୍ୟାଳୟ ଗୁଡ଼ିକରେ ଅବଶ୍ୟ ଅନୁରୂପ କର୍ମଶାଳାମାନ ରହିବ । ସେଥିରେ କୁଟୀରଶିଳ୍ପ ଇତ୍ୟାଦି ମାଧ୍ୟମ ନିମନ୍ତେ ଅବଶ୍ୟ ନାନା ଅବକାଶ ଯୋଗାଇଦେବା ଆବଶ୍ୟକ ହେବ ।

 

ମୌଳିକ ଶିକ୍ଷାର କେତୋଟି ମୁଖ୍ୟ ସିଦ୍ଧାନ୍ତ :

 

ଇଉରୋପରେ ରୁସୋଙ୍କ ଠାରୁ କାର୍ଲମାର୍କସ୍‍ଙ୍କ ପର୍ଯ୍ୟନ୍ତ ଶିକ୍ଷାକ୍ଷେତ୍ରର ତତ୍ତ୍ଵାଗ୍ରହୀମାନେ ବାସ୍ତବ କର୍ମ ଏବଂ ଧନ୍ଦାକୁ ଶିକ୍ଷାର ଏକ ଆବଶ୍ୟକ ଅଙ୍ଗରୂପେ ସ୍ଵୀକାର କରି ଯାଇଛନ୍ତି । ସେମାନେ ମୁଖ୍ୟତଃ ସାମାଜିକ ସୁସ୍ଥତା ଏବଂ ଶିକ୍ଷାଗତ ଆବଶ୍ୟକତା ଦୃଷ୍ଟିରୁ ବିଷୟଟିର ବିଚାର କରିଛନ୍ତି । ମାତ୍ର, ଏହି ଦିଗଟିରୁ ଗାନ୍ଧୀଜୀ ହିଁ ଆହୁରି ଅନେକ ଆଗକୁ ଦେଖୁଛନ୍ତି ଏବଂ ତଦ୍ଦ୍ଵାରା ଅଧିକ ସାହସର ପରିଚୟ ମଧ୍ୟ ଦେଇଛନ୍ତି । ଅଳପରେ ତାଙ୍କର ଏହି ଶିକ୍ଷାବିଚାରକୁ ନିମ୍ନ ପ୍ରକାରେ ହୁଏତ ସୂଚାଇ ଦିଆଯାଇ ପାରିବ:

 

୧) ଏକ ସର୍ବନିମ୍ନ ଅବଧିର ଶିକ୍ଷାଲାଭ ପୁରୁଷ ତଥା ସ୍ତ୍ରୀ ସବୁ ନାଗରିକଙ୍କ ନିମନ୍ତେ ଅବଶ୍ୟ ପ୍ରାପ୍ତ ହେବ । ଏବଂ, ଆବଶ୍ୟକ ଭିତ୍ତିଟି ପ୍ରସ୍ତୁତ ହୋଇଗଲେ ତାହାକୁ ବାଧ୍ୟତାମୂଳକ ମଧ୍ୟ କରାଯିବ । ଏଇଟିକୁ ଗାନ୍ଧୀଜୀ ମୌଳିକ ଶିକ୍ଷା ବୋଲି କହିଛନ୍ତି । ସମଗ୍ର ଭାରତବର୍ଷ ଲାଗି ଉଦ୍ଦେଶିତ ହୋଇଥିବାରୁ ତାହାକୁ ମୌଳିକ ଜାତୀୟ ଶିକ୍ଷା ବୋଲି ମଧ୍ୟ ଘୋଷଣା କରାଯାଇଛି ।

 

୨) ଶିକ୍ଷାର ଏହି କାର୍ଯ୍ୟକ୍ରମଟି ସାତବର୍ଷ ନିମନ୍ତେ । ଗୋଟିଏ ପିଲାର ସାତ ବର୍ଷ ବୟସରୁ ତାହା ଆରମ୍ଭ କରାଯାଇ ପାରିବ ।

 

୩) ଅନ୍ତତଃ ବର୍ତ୍ତମାନ ନିମନ୍ତେ ଏଥିରେ ପ୍ରାକ୍-ବିଦ୍ୟାଳୟ ଶିକ୍ଷା କିମ୍ବା ସାତବର୍ଷ ପରେ ପିଲାକୁ କିଭଳି ଶିକ୍ଷା ଦିଆଯିବ, ସେ ବିଷୟରେ ସେପରି କିଛି ଚିନ୍ତା କରାଯାଇନାହିଁ ।

 

୪) ମାତୃଭାଷା ହିଁ ଶିକ୍ଷାର ମାଧ୍ୟମ ହୋଇରହିବ ।

 

୫) ଏହି ଶିକ୍ଷାକୁ କୌଣସି ଗୋଟିଏ ଧନ୍ଦାକୁ ମାଧ୍ୟମ କରି ପ୍ରଦାନ କରାଯିବ । ତଥାକଥିତ ସର୍ବବିଧ ବୌଦ୍ଧିକ ଶିକ୍ଷାଦାନ ନିର୍ବାଚିତ ସେହି ଧନ୍ଦାଟିର ମାଧ୍ୟମରେ ହିଁ ହେଉଥିବ ।

 

୬) ସଂପୂର୍ଣ୍ଣ ବିଧି ସହିତ ଓ ବିଜ୍ଞାନ ସମ୍ମତ ଭାବରେ ଧନ୍ଦା ବିଷୟରେ ଶିକ୍ଷା ଦିଆଯିବ ଯେପରିକି ପିଲାମାନେ ସେଇଟିରେ ଆବଶ୍ୟକ ଦକ୍ଷତା ଅର୍ଜନ କରିବେ ଏବଂ ବାସ୍ତବ ସୁପରିଣାମ ଗୁଡ଼ିକୁ ସମ୍ଭବ କରି ଆଣିବେ । କେବଳ ଏକ ବୁଦ୍ଧିଗତ କାର୍ଯ୍ୟ ହିସାବରେ ଅଥବା କେବଳ ଆର୍ଥିକ ସ୍ଵ-ନିର୍ଭରତା ନିମନ୍ତେ ତାହାକୁ ବ୍ୟବହାର କରାଯିବ ନାହିଁ । ଅର୍ଥାତ୍, ସେଇଟି ଏକାଧାରରେ ଗୋଟିଏ ମାଧ୍ୟମ ଏବଂ ଏକ ଲକ୍ଷ୍ୟ ହୋଇ ମଧ୍ୟ ରହିଥିବ ।

 

୭) ଧନ୍ଦାରୁ ହେଉଥିବା ଉତ୍ପାଦନଟିରୁ ସେଥିଲାଗି କରାଯାଇଥିବା ଖର୍ଚ୍ଚଟି ନିଶ୍ଚୟ ଉଠି ଯାଉଥିବ ।

 

୮) ଏପରି ପ୍ରୟାସମାନ ମଧ୍ୟ କରାଯିବ, ଯେପରିକି ଧନ୍ଦାରୁ ଲବ୍‍ଧି ଉପାର୍ଜନରୁ ସଂପୃକ୍ତ ଶିକ୍ଷକଙ୍କର ବେତନଟିର ଭରଣା ହୋଇଯିବ ।

 

୯) ଏଇଟିର ବାହାରେ ଆଉ ଯେତେ ବ୍ୟୟ, ବିଦ୍ୟାଳୟକୁ ସରକାର ଯୋଗାଇ ଦେବେ,–ସ୍କୁଲଗୃହ, ଆସବାବପତ୍ର, ପୁସ୍ତକ, ମାନଚିତ୍ର ଏବଂ ଅନ୍ୟାନ୍ୟ ଯାବତୀୟ ଅନ୍ୟ ଉପକରଣ, ଯାହାକିଛି ସେହି ଧନ୍ଦାଶିକ୍ଷା ନିମନ୍ତେ ଆବଶ୍ୟକ ହେବ ।

 

୧୦) ଧନ୍ଦାରୁ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିକ୍ରୟ ଇତ୍ୟାଦି ସରକାରଙ୍କର ଦାୟିତ୍ଵରେ ରହିବ– ସରକାର ଇଚ୍ଛା କଲେ ସେଥିରୁ ବିଦ୍ୟାଳୟ ସକାଶେ ଆପଣାର ଦେୟ ବାବତକୁ ଅଥବା ସଂପୃକ୍ତ ସ୍ଥାନୀୟ ସଂସ୍ଥାଗୁଡ଼ିକର ସହାୟତା ମଧ୍ୟ କରିପାରିବେ । ଏହି କ୍ଷେତ୍ରରେ ଯେତେ ଯାହା ଅଧିକା ଦ୍ରବ୍ୟର ଉତ୍ପାଦନ ହେବ, ସେଥିଲାଗି ମଧ୍ୟ ସରକାର ବଜାର ଯୋଗାଇଦେବେ ।

 

ଏହି ଲକ୍ଷ୍ୟଟିର ସାଧନରେ ରହିଥିବା ଅସୁବିଧାମାନ

 

ଗାନ୍ଧୀଜୀଙ୍କ ଦ୍ଵାରା ଉପସ୍ଥାପିତ ଏହି ଯୋଜନାଟି ସୃଷ୍ଟତଃ ଖୁବ୍ ସରଳ, ବିଜ୍ଞାନସମ୍ମତ ଏବଂ ଶିଶୁମନର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ଅନୁକୂଳ । ତଥାପି, ତାହାକୁ ପ୍ରୟୋଗ କରିବାର କ୍ଷେତ୍ରରେ ଅବଶ୍ୟ ଅସୁବିଧାମାନେ ରହିଛନ୍ତି । ସବାବଡ଼ ଅସୁବିଧାଟି ହେଉଛି ଉପଯୁକ୍ତ ଶିକ୍ଷକମାନଙ୍କୁ ଆବିଷ୍କାର କରି ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିବା । ଏବର କାର୍ଯ୍ୟତଃ ଶିକ୍ଷକମାନେ ଅନେକ ନୂତନ ବିଚାରଗୁଡ଼ିକୁ ଆଧାର କରି କିଛି ଅନ୍ୟପ୍ରକାରେ ଆରମ୍ଭ କରିବା ନିମନ୍ତେ ଆଦୌ ସମର୍ଥ ନୁହନ୍ତି । ମୌଳିକ ଶିକ୍ଷାରେ ପୁଣି ଛାତ୍ରମାନଙ୍କ ତୁଳନାରେ ଶିକ୍ଷକଙ୍କୁ ଅଧିକ ପରିଶ୍ରମ କରି ପାରୁଥବା ଉଚିତ । ସଦା କର୍ମଠ ତଥା ସଦା ଜାଗରୁକ ରହିଥିବା ଉଚିତ । ସିଏ ଆପଣା ଦୈନିକ ଯାବତୀୟ କାର୍ଯ୍ୟର ବିବରଣୀ ରଖିବେ । ପ୍ରତ୍ୟେକ ଛାତ୍ରର କାର୍ଯ୍ୟ ମଧ୍ୟ ତାଙ୍କ ଆଗରେ ସ୍ପଷ୍ଟ ହୋଇ ରହିଥିବ ।

 

ସର୍ବୋପରି ବହୁତକିଛି କ୍ରମେ ଗୁଳାମାନଙ୍କରେ ପଡ଼ିଯିବାର ପୂର୍ଣ୍ଣ ଆଶଙ୍କା ବି ସର୍ବଦା ରହିଥିବ ଓ ସର୍ବବିଧ ସୃଜନାତ୍ମକତାର ବାଧକ ହେବ । ଅତୀତର ସେହି ଦୁର୍ଗତିଟି ହେତୁ ହିଁ ବହୁତ ପ୍ରଶଂସନୀୟ ଶିକ୍ଷାପ୍ରୟୋଗ କ୍ରମଶଃ ଆପଣାର ସମସ୍ତ ଶକ୍ତିକୁ ହରାଇ ବସିଛି । ଉତ୍ସାହଗୁଡ଼ିକର କ୍ଷେତ୍ରରେ ମନ୍ଥରତା ଆସିଛି । ତେଣୁ, ସ୍ୱୀକୃତ ପ୍ରଣାଳୀ ଏବଂ ପଦ୍ଧତିଗୁଡ଼ିକର କ୍ଷେତ୍ରରେ ମଧ୍ୟ ନିରନ୍ତର ଆଗକୁ ଆଗକୁ ନୂତନ ପଦକ୍ଷେପମାନ ଗ୍ରହଣ କରାଯାଇ ପାରୁଥିବା ଉଚିତ ।

 

ମୌଳିକ ଶିକ୍ଷା– ଗାନ୍ଧୀଦର୍ଶନରେ ଏହାର ସ୍ଥାନ

 

କ) ବିଦ୍ୟାଳୟ, ବ୍ୟକ୍ତି ଓ ସମାଜ ।

 

ବ୍ୟକ୍ତିର ପ୍ରଶିକ୍ଷଣ ତଥା ବିକାଶ ହେଉଛି ଶିକ୍ଷାର ଅସଲ କର୍ମକ୍ଷେତ୍ର । ଏବଂ, କେବଳ ଏକ ସମାଜରେ ହିଁ ତ ଜଣେ ବ୍ୟକ୍ତିର ଯାବତୀୟ ନିଜସ୍ଵ ବିକାଶ ଏବଂ ବୃଦ୍ଧି ସମ୍ଭବ ହୋଇଥାଏ । ତେଣୁ, ବ୍ୟକ୍ତିବିକାଶର ଭିଭିରୂପେ ଗୋଟିଏ ଉଚିତ ଦୃଢ଼ ସମାଜ ରହିଥିବାର ପ୍ରୟୋଜନ ସର୍ବଦା ରହିଛି । ତେଣୁ ଆମେ କେଉଁଟିକୁ ଅଧିକ ମହତ୍ତ୍ଵ ଦେବା ଏବଂ କେଉଁଟିକୁ କମ୍ ? ଅର୍ଥାତ୍ ଶିକ୍ଷାର ସର୍ବବିଧ ବ୍ୟବସ୍ଥା ବ୍ୟକ୍ତିର ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାର ଆପଣା ଯୋଜନାଟିରେ ସମାଜ ବିଷୟରେ ମଧ୍ୟ ସଂବଦ୍ଧ ନକ୍‍ସା ଏବଂ ଯୋଜନାକୁ ଆପଣା ସମ୍ମୁଖରେ ଅବଶ୍ୟ ଉତ୍ତୋଳିତ କରି ରଖିଥିବ । ବର୍ତ୍ତମାନର ଭାରତବର୍ଷରେ ପ୍ରଚଳିତ ଶିକ୍ଷାର ଢାଞ୍ଚାଟିରେ ସେହି ଦୃଷ୍ଟିରୁ ପ୍ରାୟ ଆଦୌ କୌଣସି ସାମାଜିକ ଅଭୀଷ୍ଟ ପ୍ରକୃତରେ ରହିଥିବା ପରି ମନେ ହୁଏନାହିଁ, ଏବଂ ତେଣୁ, ନ୍ୟାୟତଃ ବ୍ୟକ୍ତିର ସମସ୍ୟାଗୁଡ଼ିକର କ୍ଷେତ୍ରରେ ମଧ୍ୟ ଅସଲ ସମାଧାନଗୁଡ଼ିକୁ କରାଯାଇ ପାରେନାହିଁ ।

 

ପୁନଶ୍ଚ, ସକଳ ଶିକ୍ଷା ହେଉଛି ଜୀବନ ଲାଗି । ଜୀବନ କହିଲେ ସର୍ବତ୍ର ଏକ ସମାଜରେ ରହିଥିବା ଗଢ଼ଣକୁ ହିଁ ବୁଝାଇବ । ତେଣୁ, ପ୍ରତ୍ୟେକ ଗଢ଼ଣର ସମାଜ ପ୍ରକୃତରେ ଆପଣା ନିମନ୍ତେ ଶିକ୍ଷାର ଅନୁରୂପ ପ୍ରଣାଳୀଟିଏ ବି ସ୍ଥିର କରି ରଖିଥାଏ । ପୁଣି, ଶିକ୍ଷା ତ ତୁଚ୍ଛା ନାନାବିଧ ଜ୍ଞାନଗୁଡ଼ିକୁ ହିଁ ପ୍ରଦାନ କରେନାହିଁ– ତାହା ଚରିତ୍ରର ବିକାଶକୁ ମଧ୍ୟ ନଜର ଦିଏ । ଖାସ୍ ଖାସ୍ ସମାଜ ଅନୁସାରେ ହିଁ ସେହି ଚରିତ୍ରର ଭାଙ୍ଗ ତଥା ଭଙ୍ଗୀଗୁଡ଼ିକର କଳ୍ପନା କରାଯାଇଥାଏ । ସକଳ ଶିକ୍ଷା ମଧ୍ୟ ଆପଣାକୁ ସେଇଟି ଅନୁସାରେ ଅନୁକୂଳିତ କରାଇ ନେବାକୁ ପ୍ରୟାସମାନ କରିବାକୁ ଉଚିତ ମନେକରେ । ଏବଂ ଯୁଗପତ୍ ଭାବରେ ତାହା ଉଭୟ ବ୍ୟକ୍ତି ଓ ସମାଜକୁ କିଛି ନିର୍ଦ୍ଦିଷ୍ଟ ଦିଗ ଯୋଗାଇ ଦେବାର ଚେଷ୍ଟା ମଧ୍ୟ କରୁଥାଏ । ସେଥିପାଇଁ ଭଳି ଭଳି ପ୍ରଣାଳୀର ଉଦ୍ଭାବନ କରେ ।

 

ଖ) ଗାନ୍ଧୀ-ଜୀବନଦର୍ଶନ

 

ଗାନ୍ଧୀଜୀଙ୍କର ନିଜସ୍ୱ ଦୃଷ୍ଟିଟି ଅନୁସାରେ ପ୍ରତ୍ୟେକ ମନୁଷ୍ୟବ୍ୟକ୍ତି ଏକ ଈଶ୍ୱରୀୟ ଉତ୍ସରୁ ହିଁ ଆସି ଏହି ପୃଥିବୀରେ ଜନ୍ମଗ୍ରହଣ କରିଛି । ତାକୁ ଏକ ଈଶ୍ଵରୀୟ ନିୟତି ଅନୁସାରେ ହିଁ ନିଜର ଜୀବନକୁ ପରିଚାଳିତ କରିନେବାକୁ ହେଉଛି । ତେଣୁ, ତା’ ଜୀବନର ମୂଳତଃ ଏକ ଆଧ୍ୟାତ୍ମିକ ଲକ୍ଷ୍ୟ ଅବଶ୍ୟ ଅଛି । ସେହି ଲକ୍ଷ୍ୟଟିକୁ ସେ ସଚେତନ ଭାବରେ ଆବିଷ୍କାର କରିବ, ସେହି ଅନୁସାରେ ଆପଣାକୁ ସଜାଡ଼ି ନେଉଥିବ । ଯଦି ସମାଜ ସେଥିଲାଗି ଅନୁକୂଳ ନହୁଏ, ତେବେ ତାହାର ବର୍ଜନ କରିବ ଏବଂ ନିଜ ନିମନ୍ତେ ପ୍ରକୃତରେ ଅନ୍ୟ ବିକଳ୍ପଟିଏ ଅବଶ୍ୟ ବାହାର କରିବାରେ ସଚେଷ୍ଟ ବି ରହିଥିବ ।

 

ତେଣୁ, ଏକ ଯଥାର୍ଥ ସମାଜ ବ୍ୟକ୍ତିକୁ ତାର ମାର୍ଗନିୟତିଟି ମୁତାବକ ଅଗ୍ରସର ହେବାରେ ଅନୁକୂଳତା ଆଣିଦେବ । ଅର୍ଥାତ୍, ସେହି ସମାଜରେ ପ୍ରେମ ରହିବ, ଅହିଂସା ସତ୍ୟ ତଥା ନ୍ୟାୟ ହିଁ ରହିଥିବ । ସକଳ ଶୋଷଣ ଦୂର ହେବ– ଆର୍ଥିକ, ସାମାଜିକ, ରାଜନୀତିକ ଓ ଏପରିକି ଧର୍ମୀୟ ଶୋଷଣ । ଯାବତୀୟ ଶୋଷଣ ମନୁଷ୍ୟର ଈଶ୍ୱରୀୟ ଜୀବନନିୟତିର ବିରୋଧ କରିଥାଏ ଏବଂ ସିଏ ନାନାପ୍ରକାରେ କେତେ କେତେ ଅନ୍ୟାୟର ହାତରେ ସତେ ଯେପରି ଗୋଟିଏ ଖେଳନା ହୋଇ ରହିବାକୁ ବାଧ୍ୟ ହୁଏ । ତେଣୁ, କ୍ଷମତା, ସାମାଜିକ ସର୍ବବିଧ ପ୍ରତିଷ୍ଠା ବା ସଂସାରର ବିତ୍ତସମ୍ପଦମାନ ଅଳ୍ପ କେତେକଙ୍କର ହାତରେ ରହୁ ବୋଲି ସେ ମୋଟେ ଇଚ୍ଛା କରିନାହାନ୍ତି । ସମାଜରେ ସମସ୍ତେ ଶ୍ରମ କରିବେ, ଏବଂ ସମାଜ କୌଣସି ବର୍ଗଗତ ଖାସ୍ ବରାଦରେ ଉଚ୍ଚ ନିମ୍ନ ହୋଇ ମଧ୍ୟ ରହିବ ନାହିଁ । ବଡ଼ ବଡ଼ ଯନ୍ତ୍ରଶିଳ୍ପର କେନ୍ଦ୍ରୀକରଣରେ ମଧ୍ୟ ଗାନ୍ଧିଜୀ ବିଶ୍ୱାସ କରିନାହାନ୍ତି । କୌଣସି ରାଷ୍ଟ୍ର–ତାହା ପୁଞ୍ଜିବାଦୀ ଅଥବା ସାମ୍ୟବାଦୀ ଯାହା ହେଉ ପଛକେ, ଅସ୍ତ୍ରବଳ ଦ୍ଵାରା ଆପଣାର ନାଗରିକମାନଙ୍କୁ ଆଦୌ ବାଧ୍ୟ କରି ରଖିବାର ପ୍ରୟାସ କରିବ ନାହିଁ । ସେପରି କଲେ ମୁଖ୍ୟତଃ ବହୁ ବିଡ଼ମ୍ବନାକୁ ହିଁ ବାଟ ଫିଟାଇଦେବ ।

 

ସେହି ବିଡ଼ମ୍ବନା ଗୁଡ଼ିକରୁ ଯେପରି ରକ୍ଷା ମିଳିବ, ସେଥିଲାଗି ଗାନ୍ଧୀଜୀ ଅର୍ଥନୀତିକ ତଥା ସାମାଜିକ ଜୀବନର ଗଢ଼ଣଟିକୁ ବିକେନ୍ଦ୍ରୀକୃତ କୃଷି ଓ ଶିକ୍ଷୋଦ୍ୟୋଗ ଉପରେ ଛିଡ଼ା କରାଇବାର ପ୍ରସ୍ତାବ ଦେଇଛନ୍ତି । ସେଥିଲାଗି ସେ କୁଟୀରଶିଳ୍ପ ଏବଂ ଗ୍ରାମୋଦ୍ୟୋଗ ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି । ଏଗୁଡ଼ିକ ଫଳରେ ଅଳପଙ୍କ ହାତରେ ବହୁତ ଅର୍ଥ ଜମା ହେବାର ଶଙ୍କା ପ୍ରକୃତରେ ରହିବ ନାହିଁ । ତେବେ ସାମ୍ପ୍ରତିକ ସଭ୍ୟତା ନିମନ୍ତେ ଆବଶ୍ୟକ ଯେଉଁ ଶିଳ୍ପଗୁଡ଼ିକରେ ବିକେନ୍ଦ୍ରୀକରଣ ନହୋଇ ପାରିବ, ସେଗୁଡ଼ିକ ବିଷୟରେ ପୁଣି କିପରି କ’ଣ କରାଯିବ ? ଏଗୁଡ଼ିକର କ୍ଷେତ୍ରରେ ସାମୂହିକ ମାଲିକାନା ରହିବ ବୋଲି ଗାନ୍ଧିଜୀ କହିଛନ୍ତି । କୃଷି ଏବଂ ଉଦ୍ୟୋଗ ପରସ୍ପରର ପରିପୂରକ ହୋଇରହିବେ । ବହୁତ ଜମିର ମାଲିକ ହୋଇ କେହି ଜମିଦାର ମଧ୍ୟ ରହିବେ ନାହିଁ ବୋଲି ସେ କହିଛନ୍ତି, ଏସବୁ ପରିବର୍ତ୍ତନ ହେବ, କିନ୍ତୁ ହିଂସାଦିର ଆଚରଣ ଦ୍ୱାରା ହେବ, ସତ୍ୟାଗ୍ରହ ଓ ଆଇନ୍-ଅମାନ୍ୟ ଦ୍ଵାରା ହେବ । (ପୃଷ୍ଠା-୭୮)

 

ଭାରତ ସ୍ଵାଧୀନ ହେବାପରେ ଅନୁରୂପ ଆଇନ୍ ଦ୍ଵାରା ମଧ୍ୟ ବହୁତ କିଛି ସମ୍ଭବ ହୋଇଯିବ, ଏବଂ ନ୍ୟସ୍ତସ୍ୱାର୍ଥ ସକଳ ବାଧା ଦେବାକୁ ବାହାରିଲେ ସତ୍ୟାଗ୍ରହ-ଅସ୍ତ୍ରର ପ୍ରୟୋଗ କରାଯିବ । ଗାନ୍ଧିଜୀଙ୍କ ଦୃଷ୍ଟିରେ ଏକ ଉଚ୍ଚତର ଜୀବନମୂଲ୍ୟର ପ୍ରତିଷ୍ଠା ପାଇଁ ପ୍ରଥମେ ଉଦରଟାର ସନ୍ତୋଷବିଧାନ କରାଯିବା ଆବଶ୍ୟକ ହେଉଥିଲେ ମଧ୍ୟ ତଥାପି ସେହି ସ୍ତରର ତୃପ୍ତିସାଧନ କଦାପି ଆମର ପ୍ରାୟ ଏକମାତ୍ର, ଧେୟ ହୋଇ ରହିବ ନାହିଁ । ଅର୍ଥାତ୍, ଉପଭୋଗ୍ୟ କଦାପି ଲକ୍ଷ୍ୟ ବୋଲି ଗଣ୍ୟ ହେବନାହିଁ । ସେଥିଲାଗି ଏକ ସାଧନରୂପେ ଆମର ଶିକ୍ଷା ମଧ୍ୟ ସହାୟକ ହୋଇପାରିବା ଉଚିତ । ତା’ସହିତ ରାଜନୀତିକ ଜୀବନଟି ମଧ୍ୟ ସର୍ବବିଧ ଅତିଲୋଭ ଓ ଶୋଷଣରୁ ମୁକ୍ତ ହୋଇ ରହିବ । ଏହି କ୍ଷେତ୍ରରେ ମନୁଷ୍ୟଗଣଙ୍କୁ ଆଦୌ ଖେଳନା ବା କୌଣସି ଯନ୍ତ୍ରର ପେଚ ପରି ବ୍ୟବହାର କରାଯିବ ନାହିଁ । (ପୃଷ୍ଠା–୮୧)

 

ଗ) ଗାନ୍ଧୀ-ମାର୍ଗର ସମଗ୍ରୈକତା

 

ଗାନ୍ଧିଜୀ ସ୍ଵବିଚାରର ବିଭିନ୍ନ ବ୍ୟାଖ୍ୟାରେ ଯାହାକିଛିର ଅବତାରଣା କରିଛନ୍ତି, ସେଥିରେ ସର୍ବଦା ଏକ ଐକ୍ୟ ଅବଶ୍ୟ ସୂଚିତ ହୋଇରହିଛି । କିଛି ମୂଳସତ୍ୟର ଆବେଦନ ସର୍ବତ୍ର ନିଶ୍ଚୟ ଲକ୍ଷ୍ୟ କରାଯାଇ ପାରୁଛି । ସତ୍ୟ ଏବଂ ଅହିଂସା ପ୍ରଭୃତି ଆପଣାର ସନ୍ଦେଶକୁ ଗାନ୍ଧୀଜୀ ସେଗୁଡ଼ିକର ସେହି ପାରମ୍ପରିକ ଧର୍ମୀୟ ଅର୍ଥରେ ଆଦୌ ଗ୍ରହଣ କରିନାହାନ୍ତି । ସେଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଜୀବନମୂଲ୍ୟ, ଯେଉଁଗୁଡ଼ିକୁ କି ଜାତୀୟ ବାସ୍ତବଟି ମଧ୍ୟକୁ ସଞ୍ଚାରିତ କରାଇ ଅଣାଯାଇ ପାରିବ । ସତ୍ୟାଗ୍ରହୀମାନେ ସେଥିଲାଗି ଉପଯୁକ୍ତ ତାଲିମ ମଧ୍ୟ ଲାଭ କରିବେ : ଅସତ୍ୟ ସହିତ ଅସହଯୋଗ କରି ପାରିବାକୁ ହେଲେ ପାରସ୍ପରିକ ସହଯୋଗ ମଧ୍ୟରେ ଦୃଢ଼ ହୋଇ ତିଆରି ମଧ୍ୟ ହେବ । ଗାନ୍ଧୀଜୀଙ୍କର ନିଜ ଭାଷାରେ, ତେଣୁ ଅହିଂସା କେବେହେଲେ ଦୁର୍ବଳ ଏବଂ ଭୀରୁମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ରହିପାରିବ ନାହିଁ, ତାହା କେବଳ ସାହସୀ ଓ ସବଳମାନଙ୍କର ସମ୍ପଦରେ ପରିଣତ ହୋଇପାରିବ । (ପୃଷ୍ଠା–୮୬)

 

ଅର୍ଥାତ୍, ସତ୍ୟ ଏବଂ ଅହିଂସା କେବଳ ଆମର କତିପୟ କାର୍ଯ୍ୟକ୍ରମରେ ମଣ୍ଡନ ସଦୃଶ ହୋଇ ରହିବେ ନାହିଁ ଏବଂ ଆମ ବ୍ୟକ୍ତିଗତ ଏବଂ ପାରସ୍ପରିକ ଜୀବନର ପ୍ରାୟ ଗୋଟିଏ ଗୋଟିଏ ଧାତୁଗତ ପରିଚିତି ହୋଇ ରହିଥିବେ । ଏହି ଦୃଷ୍ଟିରୁ ଗାନ୍ଧୀ ଦର୍ଶନ ଓ ଗାନ୍ଧୀଜୀଙ୍କର ସକଳ କାର୍ଯ୍ୟକ୍ରମକୁ ଏକ ସମଗ୍ର ଏକକ ରୂପେ ହିଁ ବିଚାର କରାଯିବ : ଏକ ଭବିଷ୍ୟତରେ ସମଗ୍ର ଆବେଦନ ହିସାବରେ । ସେହି ସମଗ୍ରଟି ମଧ୍ୟରେ ମୌଳିକ ଶିକ୍ଷାର ଯୋଜନାଟିକୁ ଅଦ୍ୟତମ ବୋଲି ବିଚାର କରାଯାଇ ପାରିବ । ସେଇଟି ମଧ୍ୟ କେବଳ ତଥାକଥିତ ଗୋଟିଏ କାର୍ଯ୍ୟକ୍ରମ ନୁହେଁ-। ତାହା ଏକ ଅନ୍ୟ ଜୀବନମୂଲ୍ୟର ଦ୍ୟୋତକ, ଯାହାକୁ ଗାନ୍ଧୀଜୀ ସାମାଜିକ କ୍ରିୟାଶୀଳତାର ସବାମୂଳ ସମ୍ପଦ ବୋଲି ସର୍ବଦା ବିଚାର କରି ଆସିଛନ୍ତି । ସମଗ୍ରତଃ, ଶିକ୍ଷାର ସେହି ଯୋଜନାଟି ଜଣେ ଶିକ୍ଷାର୍ଥୀକୁ ଏପରି ଏକ ଭବିଷ୍ୟ ସମାଜ ନିମନ୍ତେ ନାନାବିଧ କାର୍ଯ୍ୟକ୍ରମ ତଥା ସାନ୍ନିଧ୍ୟର ମାଧ୍ୟମରେ ଗଠନ କରି ନେବାଲାଗି ପ୍ରୟାସ କରିବ, ଯେଉଁଥିରେ କୌଣସି ଶୋଷଣ ନଥିବ ଏବଂ ଯାହା ନ୍ୟାୟ ତଥା ନୀତି ଉପରେ ପ୍ରତିଷ୍ଠିତ ହେବାରେ ଲାଗିଥବ । ସେଇଟିକୁ ସୁଦୃଷ୍ଟିର କେନ୍ଦ୍ରରେ ରଖି ସିଏ ନିଜର ଚରିତ୍ରଟିକୁ ଗଢ଼ି ନେବାରେ ସଚେଷ୍ଟ ରହିଥିବ । ଏକ ସୁସ୍ଥ ସମାଜ-ରାଜନୀତିକ ଜୀବନ ସକାଶେ ଆପଣାର ସକଳ ଆଗ୍ରହ ତଥା ଉତ୍ସାହର କ୍ଷେତ୍ରରେ ଆପଣାକୁ ସମ୍ମତ କରାଇ ନେଉଥିବ ।

 

ଶ୍ରୀ ଚିତ୍ତରଞ୍ଜନ ଦାସ

☆☆☆

 

Unknown

ଶିକ୍ଷା : ଏକ ଅନ୍ତର୍ଘାତୀ କାର୍ଯ୍ୟ

 

Teaching as a Subversive Activity

 

ଲେଖକ : ନିଲ୍ ପୋଷ୍ଟମ୍ୟାନ୍ ଓ ଚାର୍ଲସ ୱାଇନ୍‍ଗାର୍ଟନର

 

Penguine Bookes, Middlesex, England, 1969

 

ପୃଷ୍ଠା ସଂଖ୍ୟା–୨୦୪

 

Neil Postman (ମାର୍ଚ୍ଚ ୮, ୧୯୩୧–ଅକ୍ଟୋବର ୫, ୨୦୦୩) ଜଣେ ଆମେରିକୀୟ ପ୍ରଫେସର, ମେଡ଼ିଆ ତତ୍ତ୍ୱବିତ୍‍, ଏବଂ ସଂସ୍କୃତି ସମାଲୋଚକ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ୧୯୫୫ରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତିରେ ଦୁଇଟି ବିଶ୍ଵବିଦ୍ୟାଳୟରୁ ୧୯୫୮ ଏ ୧୯୫୯ରେ ଶିକ୍ଷାରେ ଡକ୍ଟରେଟ୍‌ ଉପାଧି ହାସଲ କରନ୍ତି । ସେ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ନିଉୟର୍କ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଓ ଗବେଷଣାରେ ଲିପ୍ତ ରହିଥିଲେ ।

 

ପୋଷ୍ଟମ୍ୟାନ୍ ୧୮ଟି ପୁସ୍ତକ ଓ ୨୦୦ରୁ ଅଧିକ ନିବନ୍ଧର ରଚୟିତା । ତନ୍ମଧ୍ୟରୁ Teaching as a Conservative Activity (1979), The Disappearance of Childhood (1982) ଏବଂ Amusing Ourselves to Death (1985) ବହୁଳ ଭାବେ ଆଦୃତ ।

 

କୁଇନ୍‍ସ୍ କଲେଜର ଶିକ୍ଷାବିଭାଗର ପ୍ରଫେସର Charles Weingartenerଙ୍କ ସହ ନିଲପୋଷ୍ଟମ୍ୟାନ ମିଳିତଭାବେ ୪ଟି ପୁସ୍ତକ ରଚନା କରିଛନ୍ତି । ସେଗୁଡ଼ିକ ହେଉଛି Linguistics :A Revolution in Teaching(1966), Teaching as a Subversive Activity(1969), The Soft revolution: A Student Hand book for Turning School Around (1971) ଏବଂ The School Book: For people who want to know what all the hollering about (1973) I

 

Teaching as a Subversive Activity ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଓ ପ୍ରଣାଳୀ ବିରୁଦ୍ଧରେ ଏକ ବଳିଷ୍ଠ ସ୍ଵର । ବର୍ତ୍ତମାନ ସମୟରେ ବହୁ ଆଦୃତ ଶିକ୍ଷାରେ ଗଠନବାଦ (Constructivism)ର ପ୍ରୟୋଗାତ୍ମକ ପୁସ୍ତିକା ଭାବେ ଏହାକୁ ବିବେଚନା କରାଯାଇପାରେ । ତେରଟି ଅଧ୍ୟାୟ ବିଶିଷ୍ଟ ଏହି ପୁସ୍ତକରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଭରି ରହିଥିବା ଆବର୍ଜନା ବା ଅବସ୍ତୁକୁ ଦୂର କରି ଏକ ବାସ୍ତବ ଶିକ୍ଷାର୍ଥୀ କୈନ୍ଦ୍ରିକ, ପ୍ରାସଙ୍ଗିକ ଓ ଅର୍ଥପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ପାଇଁ ସୁଦୂରପ୍ରସାରୀ ବୈପ୍ଳବିକ ଚିନ୍ତାଧାରାର ଉପସ୍ଥାପନା କରାଯାଇଛି ।

 

ଅଧିକରୁ ଅଧିକ ଅଭୂତପୂର୍ବ ସମସ୍ୟା ଆମ ସମାଜକୁ ଦୋହଲାଇ ଦେଉଛି । ଏହି ସମସ୍ୟାଗୁଡ଼ିକର ଆପାତତଃ କୌଣସି ସମାଧାନ ଚିନ୍ତାକରି ହେଉନାହିଁ । ଏଗୁଡ଼ିକ ସଂପୂର୍ଣ୍ଣ ଦୂର କରିନହେଲେ ବି ସେମାନଙ୍କ ମଧ୍ୟରେ ଅଧିକାଂଶର କୁପ୍ରଭାବକୁ ଶିକ୍ଷାର ଏକ ନୂତନ ପନ୍ଥା ମାଧ୍ୟମରେ ସର୍ବନିମ୍ନ ଅବସ୍ଥାକୁ ଆଣି ହେବ ବୋଲି ଆମର ବିଶ୍ୱାସ । ଆମେ ଯଦି ଆଧୁନିକ ସମାଜର ସମସ୍ୟାଗୁଡ଼ିକର ତାଲିକା କରୁ ଯଥା; ଅସ୍ୱାସ୍ଥ୍ୟକର ପରିସ୍ଥିତି ଜନିତ ସମସ୍ୟା, ଜନସଂଖ୍ୟା ବିସ୍ଫୋରଣ, ସମସ୍ତ ନିଶା ସମସ୍ୟା, ଆନ୍ତର୍ଜାତିକ ସମସ୍ୟା, ପ୍ରଦୂଷଣ ସମସ୍ୟା, ଟ୍ରାଫିକ ସମସ୍ୟା ଆଦି ଏ ସମସ୍ତ ସମସ୍ୟା ‘ପ୍ରଗତି’ ସହିତ ସଂପର୍କିତ । ଏ ସମସ୍ତ ସମସ୍ୟାକୁ ଗୋଟିଏ ସମସ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ କରିହେବ । ତାହା ହେଉଛି ‘ଏ ସମସ୍ୟା ସମ୍ବନ୍ଧରେ ଆମେ କିଛି କରିପାରିବା କି ?’ର ସମସ୍ୟା । ଆମେ କ’ଣ କରିପାରିବା ସେହି ସମ୍ପର୍କରେ ଏହି ପୁସ୍ତକ ଲେଖାଯାଇଛି ।

 

ପେଶାଦାର ଶିକ୍ଷକଭାବେ ଆମେ ବେଶ୍ ଗଭୀରଭାବେ ବିଶ୍ୱାସ କରୁ ଯେ ମାନବୀୟ ପରିସ୍ଥିତିଗୁଡ଼ିକର ଉନ୍ନତି ଶିକ୍ଷା ଦ୍ୱାରା ସମ୍ଭବ । ଆମେ ଅବଶ୍ୟ ଏତେ ସରଳ ଏବଂ ରୋମାଣ୍ଟିକ ନୋହୁଁ ଯେ ଯେତେ ସମସ୍ୟା ଅଛି ସେ ସବୁର ସମାଧାନ ଶିକ୍ଷା ବା ଅନ୍ୟ କିଛି ଦ୍ୱାରା ସମ୍ଭବ ହେବ ବୋଲି କହିବୁ । କିନ୍ତୁ କେତେକ ସମସ୍ୟାର ସମାଧାନ ଅନ୍ୟ କୌଣସି ପନ୍ଥା ଅପେକ୍ଷା ହୁଏତ ସିଧାସଳଖଭାବେ ଶିକ୍ଷା ଦ୍ୱାରା ସମ୍ଭବ ।

 

ଶିକ୍ଷା କଥା କହିଲେ ବିଦ୍ୟାଳୟ ଆଗକୁ ଆସେ । ବିଦ୍ୟାଳୟ ଆମ ସମାଜର ଏକ ଅନୁଷ୍ଠାନ ଯାହା ସମସ୍ତଙ୍କ ଉପରେ ଲଦି ଦିଆଯାଇଛି ଏବଂ ବିଦ୍ୟାଳୟ ହିଁ ଅନେକ କିଛି ପ୍ରଭେଦ ସୃଷ୍ଟି କରିପାରେ, ଭଲ ହେଉ ବା ମନ୍ଦ ହେଉ । ଆମେ ‘ଲଦି ଦେବା’ କହୁ କାରଣ ଆମେ ବିଶ୍ଵାସ କରୁ ଯେ ବର୍ତ୍ତମାନ ଯେଭଳି ବିଦ୍ୟାଳୟ କାର୍ଯ୍ୟକ୍ରମ ଚାଲୁ ରହିଚି ତାହା ପରସ୍ପର ତିଷ୍ଠି ରହିବା ପାଇଁ ବୋଧହୁଏ କିଛି କରୁନାହିଁ, ଅର୍ଥାତ୍ କୌଣସି ସମସ୍ୟା ସମାଧାନରେ ବିଦ୍ୟାଳୟ ଶିକ୍ଷା ଆମର ସହାୟକ ହେଉନାହିଁ । ମାର୍ଶାଲ୍ ମାକ୍ ଲୁହାନଙ୍କ ଭାଷାରେ ଏହା ଅପ୍ରାସଙ୍ଗିକ ହୋଇପଡ଼ିଛି । ନର୍ବର୍ଟ ୱାଇନର କହନ୍ତି ଯେ ବିଦ୍ୟାଳୟ ପିଲାମାନଙ୍କୁ ବାସ୍ତବତାଠାରୁ ଦୂରେଇ ରଖିଛି । ଜନ୍ ଗାର୍ଡନରଙ୍କ ମତରେ ଏହା ଘୁଣଖିଆ ପୁରୁଣା କଥା ଶିଖାଉଛି । ଜେରମ୍ ବ୍ରୁନର ଦେଖାଇଛନ୍ତି ଯେ ଏହା ବୁଦ୍ଧିର ବିକାଶ କରେ ନାହିଁ । ଜନ୍ ହୋଲ୍‍ଟ ବିଶ୍ୱାସ କରନ୍ତି ଯେ ଏହା ଭୟ ଉପରେ ପ୍ରତିଷ୍ଠିତ-। ସଂକ୍ଷେପରେ କହିଲେ ବିଦ୍ୟାଳୟ ଯାହା କରିବା ଆବଶ୍ୟକ ତାହା କରୁନାହିଁ । ଏହାକୁ ପରିବର୍ତ୍ତନ କରିହେବ; ଏହାକୁ ଅବଶ୍ୟ ପରିବର୍ତ୍ତନ କରିବାକୁ ହେବ ।

 

ଏହି ପୁସ୍ତକର ମୁଖ୍ୟ ସଂଦର୍ଭ ହେଉଛି ଯେ ଆମେ ବାସ କରୁଥିବା ପୃଥିବୀର ଅତ୍ୟନ୍ତ ଆଖିଦୃଶିଆ ଲକ୍ଷଣ ହେଉଛି ପରିବର୍ତ୍ତନ ଯାହାକି ନିରବଚ୍ଛିନ୍ନ, ଅତିଦ୍ରୁତ ଏବଂ ସର୍ବବ୍ୟାପୀ । କିନ୍ତୁ ଆମର ଶିକ୍ଷାବ୍ୟବସ୍ଥା ଏପର୍ଯ୍ୟନ୍ତ ଏହି ତଥ୍ୟଟିକୁ ଗ୍ରହଣ କରିନାହିଁ । ଆମେ ଯାହାକୁ ‘ବିଦ୍ୟାଳୟ’ କହୁ ତାହା ତରୁଣମାନଙ୍କୁ ଶିକ୍ଷା ଦେଉନାହିଁ, ଯଦ୍ଦ୍ଵାରା ସେମାନେ ଦ୍ରୁତ ପରିବର୍ତ୍ତନଶୀଳ ପୃଥିବୀରେ ତିଷ୍ଠି ରହିବା ପାଇଁ ପାରଙ୍ଗମତା ହାସଲ କରିପାରିବେ ।

 

ଏପରି ଏକ ଶିକ୍ଷା ଆବଶ୍ୟକ ଯାହା ଅଭୂତପୂର୍ବ ବାଧାବିଘ୍ନ ପୂର୍ଣ୍ଣ ଏକ ଜଗତରେ ତିଷ୍ଠି ରହିବା ପାଇଁ ସର୍ବୋତ୍କୃଷ୍ଟ କୌଶଳମାନ ପ୍ରୟୋଗ କରିବାର ଦକ୍ଷତା ଯୁବକ ଯୁବତୀମାନଙ୍କ ମଧ୍ୟରେ ବିକଶିତ କରିବ ।

 

ଅବସ୍ତୁ ଚିହ୍ନଟ

 

ଇତିହାସକୁ ଆମେ ପ୍ରତ୍ୟେକ ଭିନ୍ନ ଭିନ୍ନ ଭାବେ ଉପସ୍ଥାପନ କରିଥାଉ । କିନ୍ତୁ ସମସ୍ତେ ନିଜ ନିଜର ବର୍ଣ୍ଣନା ମଧ୍ୟରେ ଗୋଟିଏ ବିଷୟ ଅନ୍ତର୍ଭୁକ୍ତ କରିଥାଉ, ତାହା ହେଉଛି ‘ଗଣତାନ୍ତ୍ରିକ ପ୍ରକ୍ରିୟା’ । ମଣିଷମାନଙ୍କୁ ଯେକୌଣସି ବିଷୟରେ ଚିନ୍ତା କରିବା ଓ ନିଜର ମତାମତ ବ୍ୟକ୍ତ କରିବାର ସ୍ୱାଧୀନତା ଦିଆଯିବା ଆବଶ୍ୟକ, ଏପରିକି ଏକ ଗଣତାନ୍ତ୍ରିକ ସମାଜ ବିରୁଦ୍ଧରେ କହିବା ପାଇଁ ମଧ୍ୟ ସ୍ଵାଧୀନତା ରହିବ । ଏପରି ଏକ ସମାଜର ପ୍ରଧାନ ସାଧନୀ ହେବ ‘ବିଦ୍ୟାଳୟ’, ଯାହା ତରୁଣମାନଙ୍କ ଏପରି ସ୍ଵାଧୀନତା ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କ ମଧ୍ୟରେ ତାହାର ପ୍ରୟୋଗ କରିବା ପାଇଁ ଇଚ୍ଛାଶକ୍ତି, ବୌଦ୍ଧିକ କ୍ଷମତା ଓ ଦୃଷ୍ଟିଭଙ୍ଗୀ ବିକାଶ କରିବ । ଏହିପରି ତତ୍ତ୍ୱ ବୟାନ କରାଯାଇଛି । ବାସ୍ତବରେ ଆମେ ଭିନ୍ନ କଥାଟିଏ ପାଉ । ଆମ ସମାଜରେ ପ୍ରଭାବଶାଳୀ ବ୍ୟକ୍ତିମାନେ, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନମାନଙ୍କର ପ୍ରଧାନ ହୋଇଥାନ୍ତି, ସେମାନେ ପରିବର୍ତ୍ତନକୁ ବଡ଼ ଅସୁବିଧା ଏବଂ ଅସହ୍ୟ ମନେକରନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାର ତତ୍ତ୍ଵଦ୍ୱାରା ନିଜର ପ୍ରାଧାନ୍ୟ ହରାଇବା ଭୟରେ ଅସହାୟ ଲୋକଙ୍କ ଭଳି ଶଙ୍କାକ୍ରାନ୍ତ ହୋଇପଡ଼ନ୍ତି-। ତେଣୁ ତରୁଣମାନଙ୍କୁ ସମାଜର କୌଣସି ବ୍ୟବସ୍ଥାକୁ ପ୍ରଶ୍ନ କରିବା, ସନ୍ଦେହ କରିବା କିମ୍ବା ଆହ୍ଵାନ କରିବାରେ ବିଦ୍ୟାଳୟ କିଛି ନକରୁ ତାହା ଏହି ମୁଖିଆମାନେ ଚାହାନ୍ତି ।

 

ଆମେ କିନ୍ତୁ ବିଶ୍ଵାସ କରୁ ଯେ ତରୁଣମାନଙ୍କ ମଧ୍ୟରେ ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ମନୋବୃତ୍ତି ଏବଂ ଦକ୍ଷତାର ବିକାଶ ପାଇଁ ବିଦ୍ୟାଳୟ ମୁଖ୍ୟ ମାଧ୍ୟମହୋଇ କାର୍ଯ୍ୟ କରିବ ।

 

୧୯୬୦ ଦଶକରେ ଅର୍ଣ୍ଣେଷ୍ଟ ହେମିଂୱେ ‘ଏକ ବିଖ୍ୟାତ ଲେଖକର’ ଗୁଣ ସମ୍ପର୍କରେ ମତାମତ ଦେବାକୁ ଯାଇ କହିଥିଲେ, “ମହାନ୍ ଲେଖକ ହେବାକୁ ହେଲେ ଜଣେ ବ୍ୟକ୍ତିଙ୍କର ନିଶ୍ଚିତଭାବେ ନିଜ ଭିତରେ ଏକ ଘାତ ପ୍ରତିରୋଧକ ଅବସ୍ତୁ ଚିହ୍ନଟ ଯନ୍ତ୍ରଟିଏ (Crap detector) ଥିବ । ଆମର ଧାରଣା ହେଉଛି ଯେ ହେମିଂୱେ ତାଙ୍କ ଉତ୍ତରରେ ଆଜିର ଦୁନିଆଁରେ ତିଷ୍ଠି ରହିବାର ଏକ ପ୍ରୟୋଜନୀୟ କୌଶଳ ଏବଂ ବିଦ୍ୟାଳୟର ଏକ ଅତ୍ୟାବଶ୍ୟକ କାର୍ଯ୍ୟକୁ ଚିହ୍ନଟ କରିଛନ୍ତି । ମାନବ ଜାତିର ଇତିହାସକୁ ଏକ ଦୃଷ୍ଟିରେ ଦେଖିଲେ ଜଣାଯାଏ ଯେ ଏହା ‘ଅବସ୍ତୁ’ର ସ୍ତୁତିଗାନ ବିରୋଧରେ ଏକ ନିରବଚ୍ଛିନ୍ନ ସଂଗ୍ରାମ ଅଟେ । ଆମର ବୌଦ୍ଧିକ ଇତିହାସ ସେହି ବ୍ୟକ୍ତି ବିଶେଷମାନଙ୍କର ମାନସିକ ବ୍ୟଥା ଓ ଯନ୍ତ୍ରଣାର ଏକ ବୃତ୍ତାନ୍ତ ଯେଉଁ ବ୍ୟକ୍ତିମାନେ ହିଁ ସେମାନଙ୍କର ସମସାମୟିକମାନଙ୍କୁ ସେମାନଙ୍କର ଅତିପ୍ରିୟ ବିଶ୍ଵାସରୁ କେତେକାଂଶ ଭ୍ରାନ୍ତ ଧାରଣା, ଭୁଲ ତଥ୍ୟ, ଅନ୍ଧବିଶ୍ଵାସ ଏପରିକି ସଂପୂର୍ଣ୍ଣ ମିଥ୍ୟା ବୋଲି ହୃଦୟଙ୍ଗମ କରିବାରେ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଥିଲେ ।

 

‘ଅବସ୍ତୁ’ ଚିହ୍ନଟ କରିବାଭଳି ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ଗଢ଼ିବା ପାଇଁ ଶିକ୍ଷାବ୍ୟବସ୍ଥାରେ ବିଦ୍ୟାଳୟର ଭୂମିକା କ’ଣ ହେବ ସେ ସମ୍ପର୍କରେ ବିଭିନ୍ନ ବିଶେଷଜ୍ଞ ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି । ସେମାନଙ୍କ ମଧ୍ୟରେ ନର୍ବର୍ଟ ୱାଇନର୍‍ଙ୍କ ତତ୍ତ୍ୱ ପ୍ରଣିଧାନ ଯୋଗ୍ୟ । ସେ ବିଦ୍ୟାଳୟକୁ ଏକ ‘ଏଣ୍ଟ୍ରୋପି-ବିରୋଧୀ ଫଳାଫଳ ପ୍ରଦର୍ଶକ ବ୍ୟବସ୍ଥା' (anti-entropic feedback system) ଭାବେ କାର୍ଯ୍ୟକରିବା ଉପରେ ଗୁରୁତ୍ଵ ଦେଇଛନ୍ତି । ଏଣ୍ଟ୍ରୋପି (entropy) ଶବ୍ଦଟିକୁ ସେ ବିଶ୍ଵର ଉଭୟ ପ୍ରାକୃତିକ ଓ କୃତ୍ରିମ ବ୍ୟବସ୍ଥା ସବୁକୁ ଖର୍ବ ଓ କିରବା, ବିଶୃଙ୍ଖଳା ଏବଂ ଅନାବଶ୍ୟକତାରେ ପରିଣତ କରିବାର ଏକ ସାଧାରଣ ଅଥଚ ଏକ ଅଭ୍ରାନ୍ତ ପ୍ରକ୍ରିୟାକୁ ସୂରଇବା ପାଇଁ ବ୍ୟବହାର କରିଛନ୍ତି । ଏହା ଏପରି ଏକ ପ୍ରକ୍ରିୟା ଯାହାକୁ ବିପରୀତମୁଖୀ କରିହେବ ନାହିଁ, କେବଳ ଏହାର ଗତିକୁ ମନ୍ଥର କରି ଆଂଶିକଭାବେ ନିୟନ୍ତ୍ରଣ କରିହେବ । ଏଣ୍ଟ୍ରୋପି ବିରୋଧି ବଳ ପାଇବା ପାଇଁ ଆମ ପାଖରେ ଫଳାଫଳ ଜୀଣିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିବା ଆବଶ୍ୟକ । ଅନ୍ୟ ପ୍ରକାରରେ କହିଲେ, ଆମ ପାଖରେ ଏପରି ସାଧନୀ ଥିବା ଆବଶ୍ୟକ ଯାହା କ୍ଷୟ ହେଉଥିବା ଜଣାଇପାରେ ଏବଂ କେତେବେଳେ ଏହି କ୍ଷୟର ମରାମତି କରିବା ଆବଶ୍ୟକ ତା’ର ସତର୍କ ସୂଚନା ଦେଇଥାଏ । ୱାଇନର୍‍ଙ୍କ ମତରେ ଏପରି ସାଧନୀ ହେଉଛନ୍ତି ସେହିଭଳି ବ୍ୟକ୍ତି ବିଶେଷ ଯେଉଁମାନେ ପରିବର୍ତ୍ତନକୁ ସ୍ୱୀକାର କରୁଥବେ, ପରିବର୍ତ୍ତନ ଦ୍ୱାରା ସୃଷ୍ଟି ସମସ୍ୟାଗୁଡ଼ିକ ପ୍ରତି ସମ୍ବେଦନଶୀଳ ହେଉଥିବେ ଏବଂ ‘ଏଣ୍ଟ୍ରୋପି’ ବିପଦଜନକ ସ୍ତରରେ ପହଞ୍ଚିବା ବେଳେ ସତର୍କଘଣ୍ଟି ବଜାଇବାର ସାହାସ ଏବଂ ଅଭିପ୍ରେରଣା ପାଇଁ ଶିକ୍ଷିତ ହୋଇଥିବେ । ଆମେ ଏହାକୁ ହିଁ ‘ଅବସ୍ତୁ ଚିହ୍ନଟ’ ବୋଲି କହୁ ଯାହାକି ଜନଗାର୍ଡନ୍‍ରଙ୍କର ‘ସଦା-ନବୀକୃତ ସମାଜ’ (Ever renewing society) ଏବଂ କେନେଥ ବୋଲ୍‍ଡିଂଙ୍କର ‘ସାମାଜିକ ଆତ୍ମସଚେତନତା’ ସହ ସମାର୍ଥବୋଧକ । ଏଥିପାଇଁ ବିଦ୍ୟାଳୟ ତରୁଣମାନଙ୍କ ମନରେ ଏକ ନୃତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ ଯାହାକି ସର୍ବାଧିକ ଧ୍ଵଂସକାରୀ ବୌଦ୍ଧିକ ସାଧନୀ ସୃଷ୍ଟି କରିବ । ଏହି ଦୃଷ୍ଟିଭଙ୍ଗୀ ଜଣକୁ ନିଜର ସଂସ୍କୃତିର ଏକ ଅଂଶଭାବେ ବିବେଚନା କରିବା ସହିତ ଠିକ୍ ସେହି ସମୟରେ ଏହାର ବାହାରେ ରହିବାରେ ସାହାଯ୍ୟ କରିଥାଏ । ଏକ ନୃତତ୍ତ୍ଵବିଦ୍‍ଙ୍କ ଭଳି ତରୁଣମାନେ ନିଜ ଗୋଷ୍ଠୀର କାର୍ଯ୍ୟକଳାପ, ରୀତିନୀତି, ଭୟଭ୍ରାନ୍ତି, ଏହାର ଅହମିକା ଓ ଜାତିକ୍ରେନ୍ଦିକ ଭାବକୁ ଲକ୍ଷ୍ୟ କରିପାରୁଥିବେ । ଏହିପରିଭାବେ ବାସ୍ତବତା କେତେବେଳେ ଗୋଷ୍ଠୀର ଆୟତ୍ତର ବହୁଦୂରକୁ ଯିବା ଆରମ୍ଭ କରିଥାଏ ତାହା ଜଣେ ଜାଣିବା ସମର୍ଥ ହୋଇପାରିବେ । ଏପରି ଏକ ଦୃଷ୍ଟିଭଙ୍ଗୀ ହାସଲ କରିବା ଯେ ଅତ୍ୟନ୍ତ ଦୁସାଧ୍ୟ ବ୍ୟାପାର ବିଶେଷକରି ଏଥିପାଇଁ ଯେ ଯଥେଷ୍ଟ ସାହାସର ଆବଶ୍ୟକ ହୋଇଥାଏ ତାହା କହିବା ନିଷ୍ପ୍ରୟୋଜନ । ନିଜ ଗୋଷ୍ଠୀର ବୌଦ୍ଧିକ ଏବଂ ସାମାଜିକ କଟକଣାରୁ ମୁକ୍ତିଲାଭ କରି ଉଚ୍ଚମାନର ସ୍ଵାଧୀନତା ହାସଲ କରିବା କଥା ଆମେ କହୁଛୁ ।

ଅଧିକାଂଶ ବ୍ୟକ୍ତି ଜନ୍ମଗତଭାବେ କେତେକ ମତବାଦରେ ଦୀକ୍ଷିତ ହୋଇଯାଆନ୍ତି । ପ୍ରତ୍ୟେକ ଗୋଷ୍ଠୀର ଭୌତିକ ପରିବେଶ ସହ ଏକ ସାଙ୍କେତିକ ପରିବେଶ ଥାଏ । ଆମେ ପ୍ରତ୍ୟେକ ଜନ୍ମରୁ ଏକ ‘ସ୍ଵାଭାବିକ’ ଭାବେ କହିବା ସହିତ ଅଭ୍ୟସ୍ତ ହୋଇଥାଉ ଏବଂ ଏହାରି ମାଧ୍ୟମରେ କ’ଣ ‘ସତ୍ୟ’ କ’ଣ ‘ମିଥ୍ୟା’ ତାହା ଏହି ସଙ୍କେତ ବା ସଙ୍କେତ ବ୍ୟବହାରକାରୀ ଅନୁଷ୍ଠାନମାନଙ୍କ ଦ୍ଵାରା ଶିଖିଥାଉ । ଯାହାକି ପରବର୍ତ୍ତୀକାଳରେ ଆମକୁ ଏକ ଆଦର୍ଶଗତ ପରିଚୟ ଦେଇଥାଏ । ଏହାକୁ ଗୋଟିଏ ଶବ୍ଦରେ ‘ମତାନ୍ଧତା’ ବୋଲି କୁହାଯାଇପାରେ । ଯେଉଁମାନେ ନିଜର ‘ସ୍ଵାଭାବିକ’ ପରିବେଶର ଏହି ମତାନ୍ଧତା ସମ୍ପର୍କରେ ସଚେତନ ଥା’ନ୍ତି ସେମାନେ ଗୋଷ୍ଠୀର ଅନ୍ୟମାନଙ୍କୁ ‘ଆତ୍ମଘାତୀ’ ବୋଲି ଜଣାଯାଆନ୍ତି । ଏପରି ବ୍ୟକ୍ତି ବିପଦଜନକ ହୋଇଥାନ୍ତି କାରଣ ସେ ଜାଣିପାରିଥାନ୍ତି ଯେ ନିଜ ଗୋଷ୍ଠୀର ଭାଷା ସୀମିତ ଓ ପକ୍ଷପାତୀ । ସେ ସହଜରେ ଗୋଷ୍ଠୀର ଆଦର୍ଶବାଦ ଦ୍ୱାରା ଆବଦ୍ଧ ହୋଇ ରହିପାରନ୍ତି ନାହିଁ ।

ଧାର୍ମିକ ମତାନ୍ଧତା ମଧ୍ୟ ଏପରି ଆଉ ଏକ ଉଦାହରଣ । ଯେକୌଣସି ଧର୍ମ ପ୍ରତି ଅପରିବର୍ତ୍ତନୀୟ ପ୍ରତିଶ୍ରୁତିବଦ୍ଧତା କେବଳ ଯେ ବୌଦ୍ଧିକ ଆତ୍ମହତ୍ୟା ତାହାନୁହେଁ, ଏହା ନିଶ୍ଚିତଭାବେ ଅବିଶ୍ଵାସ୍ୟ କାରଣ ଏହା ଦୁନିଆର କୌଣସି ନୂତନ ଦୃଷ୍ଟିଭଙ୍ଗୀକୁ ସ୍ଵୀକାର କରେନାହିଁ-। ସେଥିପାଇଁ ‘ଅବସ୍ତୁ ଚିହ୍ନଟ ଏପରି ଏକ ମତବାଦ କଥା କହେ ଯାହା ମୁକ୍ତତା ଉପରେ ଏବଂ ଅଜଣାକୁ ଜାଣିବା ଉପରେ ବିଶ୍ୱାସ କରେ ।

ପ୍ରାରମ୍ଭରେ ସୂଚାଇଥିବା ବିଂଶ ଶତାବ୍ଦୀର ସମସ୍ୟାଗୁଡ଼ିକ ସମ୍ବନ୍ଧରେ ପୁନର୍ବାର ଦୃଷ୍ଟିପାତ କରିବା । ଏପରି ତିନିଟି ବିଶେଷ ସମସ୍ୟା ଅଛି ଯାହା ବିଦ୍ୟାଳୟ ସବୁ ନିଜକୁ ‘ଆତ୍ମଘାତ’ର କେନ୍ଦ୍ରରୂପେ ସଚେତନ ହୋଇ ପୁନର୍ଗଠନ କରିବା ନିତାନ୍ତ ଆବଶ୍ୟକ ।

 

ପ୍ରଥମ ସମସ୍ୟାଟି ‘ଯୋଗାଯୋଗ ବିପ୍ଳବ’ କିମ୍ବା ‘ମାଧ୍ୟମ ପରିବର୍ତ୍ତନ’ | ବର୍ତ୍ତମାନ ଯୁଗରେ ଯୋଗାଯୋଗ ବ୍ୟବସ୍ଥା ଏବଂ ଆମର ସାଧାରଣ ଜୀବନଯାପନ ପ୍ରଣାଳୀ ମଧ୍ୟ ଟେକ୍‌ନୋଲୋଜି ଦ୍ଵାରା ପ୍ରଭୂତଭାବେ ପ୍ରଭାବିତ । ଏଠାରେ ଚିନ୍ତାର ବିଷୟ ହେଉଛି ଯେ ଗୋଟିଏ ନୂତନ ବୈଦ୍ୟୁତିକ ବା ଇଲେକ୍‌ଟ୍ରୋନିକ୍ ବ୍ୟବସ୍ଥା ଖଞ୍ଜିଦେଲେ ଆମର ପରିବେଶରେ କୌଣସି ଗୋଟିଏ ଦିଗରେ ପରିବର୍ତ୍ତନ ହୁଏ ନାହିଁ ବରଂ ଏଥର ସାମଗ୍ରିକ ପରିବର୍ତ୍ତନ ଆସି ଏକ ନୂତନ ପରିବେଶ ସୃଷ୍ଟି ହୋଇଥାଏ । ଗତ ଶତାବ୍ଦୀରେ ରେଡ଼ିଓ, ଟି.ଭି., ଟେପ୍ ରେକର୍ଡର, ଟେଲିଫୋନ୍, ଟେଲିଗ୍ରାଫ ଆଦି ଏତେ ଅଭିନବ ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଆମ ପରିବେଶକୁ ଆସିଛି ଯେ, ଯଦି ସେଗୁଡ଼ିକୁ ବର୍ତ୍ତମାନ ସଂପୂର୍ଣ୍ଣଭାବେ ଉଠାଇଦିଆଯାଏ ତେବେ ଆମର ସମଗ୍ର ଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିବ । ପରିବେଶରେ ଗୋଟିଏ ପରିବର୍ତ୍ତନ କ୍ଵଚିତ ସରଳରୈଖିକ ବା ଯୋଗକାରୀ ହୋଇଥାଏ । ନୂତନ ପରିବେଶରେ ତିଷ୍ଠି ରହିବା ପାଇଁ ସଂପୂର୍ଣ୍ଣ ନୂତନ କୌଶଳମାନ ଆବଶ୍ୟକ ହୋଇଥାଏ । ଏହାର ଅର୍ଥ ନୂତନ ପରିବେଶରେ ବଞ୍ଚିରହିବା ପାଇଁ ଆତ୍ମରକ୍ଷା, ଅନୁଭୂତି, ବୁଝାମଣା ଓ ମୂଲ୍ୟାୟନର ନୂତନ ଢାଞ୍ଚାର ଆବଶ୍ୟକ ହେବ । ଏବଂ ଏକ ନୂତନ ପ୍ରକାରର ଶିକ୍ଷା ଆବଶ୍ୟକ କରିବ ।

 

ଗଣମାଧ୍ୟମରେ ଅନ୍ୟ ଏକ ଦିଗ ହେଉଛି ଯେ ଏହା ନଥିଲେ ଫଳପ୍ରଦ ପ୍ରଚାର ହୋଇପାରନ୍ତା ନାହିଁ । କିନ୍ତୁ ଏହି ପ୍ରଚାର ଗୁଡ଼ିକ ଅଗଣତାନ୍ତ୍ରିକ କାରଣ ଗଣମାଧମ ଗୁଡ଼ିକର ଯୋଗାଯୋଗ ସଂପୂର୍ଣ୍ଣ ଏକପାଖିଆ । ଏବଂ ଏହା ଉପରୁ ତଳକୁ । ସେଥିପାଇଁ ଏପରି ମାଧ୍ୟମରେ ଯୋଗାଯୋଗ ଏକ ପ୍ରକାର ଯାନ୍ତ୍ରିକ, ଅମୂର୍ତ୍ତ ଏବଂ ସ୍ଫୁର୍ତ୍ତିବିହୀନ ଭାବେ କାର୍ଯ୍ୟକରେ, ଯାହାକି ବ୍ୟକ୍ତିଗତ ଚିନ୍ତା ଓ କାର୍ଯ୍ୟକୁ ଆଦୌ ସୁଯୋଗ ଦେଇ ନଥାଏ । ଭିନ୍ନମତ ପ୍ରକାଶ କରିବା ଏପରିକି କୌଣସି ପ୍ରକାରର ମତପ୍ରକାଶ କରିବାକୁ ସୁଯୋଗ ଦିଏ ନାହିଁ । ଏହି ମେଡ଼ିଆରେ ବୃହତ କର୍ପୋରେସନ ବହୁ ଅର୍ଥ ବିନିଯୋଗ କରନ୍ତି । ଫଳରେ ଏହା ସଂପୂର୍ଣ୍ଣ ନୂତନ ରାଜନୀତି ସୃଷ୍ଟି କରେ । ନର୍ବର୍ଟ ୱାଇନର୍‍ ଆମର କ୍ରମବର୍ଦ୍ଧିଷ୍ଣୁ ଇଲେକ୍‌ଟ୍ରୋନିକ୍ ଯୋଗାଯୋଗର କ୍ଷମତା ସଂପର୍କରେ ଏକ ପରସ୍ପର ବିରୋଧୀଭାବେ ଲକ୍ଷ୍ୟ କରନ୍ତି : ଯେତେବେଳେ ବାର୍ତ୍ତା ଅଧିକରୁ ଅଧିକ ବୃଦ୍ଧିପାଏ, ତଥ୍ୟ ପରିମାଣ କମିଯାଏ । ଆମେ ବହୁ ମାଧ୍ୟମରେ ଖୁବ୍ କମ୍ ଗୁରୁତ୍ୱପୂର୍ଣ୍ଣ ଧାରଣା ପାଇଥାଉ ।

 

ସ୍ଵଳ୍ପରୁ ସ୍ଵଳ୍ପତର ଧାରଣା ମିଳୁଥିବାବେଳେ ନିଜର ମତର ସାର୍ଥକ ପ୍ରକାଶ କରିବାରେ ଖୁବ୍ କମ୍ ପନ୍ଥା ଥିଲେ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକରୁ ଅଧିକ ନୈରାଶ୍ୟ ଜାତ ହୋଇପାରେ ଯାହାକି ହିଂସାରେ ସେମାନଙ୍କର ଉକ୍ତି ପ୍ରକାଶ କରିବାର କାରଣ ହୋଇଥାଏ ।

 

‘ପରିବର୍ତ୍ତନ ବିପ୍ଳବ’ ହେଉଛି ଦ୍ୱିତୀୟ ସମସ୍ୟା ଯାହାକି ବିଦ୍ୟାଳୟର ଅନ୍ତର୍ଘାତୀ ଭୂମିକାକୁ ଆବଶ୍ୟକତାରେ ପରିଣତ କରିଦିଏ । ଏହାକୁ ବୁଝାଇବା ପାଇଁ ୬୦ ମିନିଟ୍ ଚିହ୍ନିତ ଏକ ଘଡ଼ିର ରୂପକ ବ୍ୟବହାର କରିପାରିବା ଯାହା ମାନବର ଲିଖିତ ବ୍ୟବସ୍ଥା ଉଦ୍ଭବଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୟକୁ ସୁଚାଉ ଅଛି । ଆମର ଏହି ଘଡ଼ି ପ୍ରାୟ ତିନିହଜାର ବର୍ଷକୁ ସୂଚାଇବ ଏବଂ ଏଥିରେ ଏକ ମିନିଟ ପଚାଶବର୍ଷକୁ ନିର୍ଦ୍ଦେଶ କରିବ । ଏହି ମାପରେ ମିଡ଼ିଆ ପରିବର୍ତ୍ତନ ନଅମିନିଟ୍ ପୂର୍ବରୁ ଆରମ୍ଭ ହୋଇଛି ଯେତେବେଳେ ପାଶ୍ଚାତ୍ୟ ସଂସ୍କୃତିରେ ମୁଦ୍ରଣ ପାଇଁ ଛାପାଖାନା ଆସିଛି । ତିନି ମିନିଟ୍ ପୂର୍ବରୁ ଟେଲିଗ୍ରାଫ, ଫଟୋଗ୍ରାଫ୍ ରେଳଗାଡ଼ି, ଦୁଇ ମିନିଟ୍ ପୂର୍ବରୁ ଟେଲିଫୋନ, ଚଳଚ୍ଚିତ୍ର, ମଟରଗାଡ଼ି, ଉଡ଼ାଜାହାଜ ଏବଂ ରେଡ଼ିଓ ଆସିଛି । କଥାକୁହା ଚଳଚ୍ଚିତ୍ର ଆସିଛି ଏକ ମିନିଟ୍ ପୂର୍ବରୁ, ଟେଲିଭିଜନ୍ ଦଶସେକେଣ୍ଡ ପୂର୍ବରୁ, କମ୍ପ୍ୟୁଟର ପାଞ୍ଚସେକେଣ୍ଡ ପୂର୍ବରୁ ଓ ଯୋଗାଯୋଗ ଉପଗ୍ରହ ଏକ ସେକେଣ୍ଡ ପୂର୍ବରୁ ଆସିଛି । ଆମ ଜୀବନର ପ୍ରାୟ କୌଣସି ଭାଗକୁ ଏହି ଘଡ଼ିର ସମୟ ମାପରେ ମାପିଲେ ଆମେ ପ୍ରାୟ ଏକ ସମାନ ଧରଣର ଫଳାଫଳ ପାଇବା । ଅନ୍ୟ ସମୟଠାରୁ ପ୍ରାୟ ବିଗତ ଦଶ ସେକେଣ୍ଡରେ ସର୍ବାଧିକ ଘଟଣା ଘଟିଥିବାର ସୂଚନା ଏହି ଘଡ଼ିରୁ ଆମେ ଜାଣିପାରୁ । ଏହାକୁ ହିଁ ‘ଜ୍ଞାନର ବିସ୍ଫୋରଣ’ କୁହାଯାଏ । ବୈଜ୍ଞାନିକ ଅନୁସନ୍ଧାନ ଦ୍ୱାରା ପ୍ରଭାବିତ ହେଉଥିବା ଜ୍ଞାନର ପ୍ରତ୍ୟେକ କ୍ଷେତ୍ରରେ ଏହା ଘଟୁଛି ।

 

ପରିବର୍ତ୍ତନ କିଛି ନୂଆକଥା ନୁହେଁ କେବଳ ପାର୍ଥକ୍ୟ ହେଉଛି ପରିବର୍ତ୍ତନର ମାତ୍ରା । ଆମର ଘଡ଼ି-ରୂପକକୁ ବ୍ୟବହାର କରି ଆମେ କହିବାକୁ ଚାହୁଁ ଯେ ପ୍ରାୟ ତିନିମିନିଟ୍ ପୂର୍ବେ ପରିବର୍ତ୍ତନର ଲକ୍ଷଣରେ ଏକ ଗୁଣାତ୍ମକ ପାର୍ଥକ୍ୟର ସୂତ୍ରପାତ ହୋଇଛି । ପରିବର୍ତ୍ତନ ହିଁ ପରିବର୍ତ୍ତିତ ହୋଇଯାଇଛି । (ପୃ-୨୩) ପୂର୍ବରୁ ନିଜର ମୌଳିକ ମୂଲ୍ୟବୋଧ, ବିଶ୍ୱାସ ଏବଂ ଆଚାର ବ୍ୟବହାର ଆଦି ପ୍ରତି କୌଣସି ଗୁରୁତର ଆହ୍ଵାନ ନଥିଲା । ସ୍ଥିରତା ଏବଂ ତାର ଫଳସ୍ଵରୂପ ସ୍ଵାଭାବିକ ଚକ୍ର ମଧ୍ୟରେ ଭବିଷ୍ୟତର ସମ୍ଭାବନା ଏକ ଧରାବନ୍ଧା ଧାରାରେ ହେଉଥିଲା । କିନ୍ତୁ ଆମେ ଏବେ ପରିବର୍ତ୍ତନର ଏପରି ଅବସ୍ଥାରେ ଆସି ପହଞ୍ଚିଛେ ଯେ ଆମେ ଏକ କାର୍ଯ୍ୟକ୍ଷମ ବ୍ୟବସ୍ଥାଟିଏ ଚିହ୍ନଟ କରିବା ବେଳକୁ ତାହା ଅନାବଶ୍ୟକ ହୋଇଯାଉଛି, କାରଣ ଚିହ୍ନଟ ପ୍ରକ୍ରିୟା ସମୟ ମଧ୍ୟରେ ବହୁ ପରିବର୍ତ୍ତନ ଘଟିଯାଇଥିବ ।

 

ଏଭଳି ହତାଶାଭାବ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉପୁଜିଛି । ଆପଣ ପଚିଶ ବର୍ଷରୁ ଉର୍ଦ୍ଧ୍ୱ ବୟସର ହୋଇଥିଲେ, ବିଦ୍ୟାଳୟରେ ଯେଉଁସବୁ ଗଣିତ ଶିଖାଯାଇଥିଲା ସେସବୁ ପୁରୁଣା ହୋଇଗଲାଣି ଏବଂ ପଢ଼ିଥିବା ବ୍ୟାକରଣ, ଜୀବବିଦ୍ୟା ଏବଂ ଇତିହାସ ଆଦି ସମସ୍ତ ବିଦ୍ୟା ସବୁର ଉପଯୋଗିତା ବିବଦମାନ ହୋଇଗଲାଣି । ଯାହା The Adventure of Ideasରେ ଆଲଫ୍ରେଡ୍ ନର୍ଥ ହ୍ୱାଇଟ୍ ହେଡ୍ ନିର୍ଦ୍ଦେଶ କରିଛନ୍ତି:

 

ଆମର ସାମାଜିକ ତତ୍ତ୍ୱ ଆମର ରାଜନୈତିକ ଦର୍ଶନ, ଆମର ବ୍ୟବସାୟର ପ୍ରାୟୋଗିକ ନିୟମ ଆମର ଶିକ୍ଷାଦର୍ଶନ ପ୍ଳାଟୋଙ୍କ ଯୁଗରୁ ଏକ ନିରବଚ୍ଛିନ୍ନ ପରମ୍ପରାରୁ ହିଁ ଗଢ଼ି ଆସିଛି । ଏହି ପରମ୍ପରାର ସମଗ୍ର ତତ୍ତ୍ୱ, ଦର୍ଶନ ଏକ ଭୟଙ୍କର ଅନୁମାନ ଦ୍ୱାରା ଆଚ୍ଛାଦିତ, ଯାହା ହେଉଛି ଯେ ପ୍ରତ୍ୟେକ ପିଢ଼ି ସେମାନଙ୍କର ପୂର୍ବ ପିଢ଼ିର ଜୀବନକୁ ନିୟନ୍ତ୍ରଣ କରୁଥିବା ପରିସ୍ଥିତିରେ ବଞ୍ଚିଥାନ୍ତି ଓ ସେହି ପରିସ୍ଥିତି ଗୁଡ଼ିକୁ ସେମାନେ ପରବର୍ତ୍ତୀ ପିଢ଼ିର ପିଲାମାନଙ୍କର ଜୀବନକୁ ସମାନ ଭାବେ ଗଢ଼ିବା ପାଇଁ ପ୍ରଦାନ କରିଥାନ୍ତି । ଆମେ ମାନବ ଇତିହାସର ପ୍ରଥମ ଅବଧିରେ ବଞ୍ଚିଛୁ ଯାହା ପାଇଁ ଏହି ଅନୁମାନ ମିଥ୍ୟା ଅଟେ । (ପୃ-୨୪)

 

ତୃତୀୟ ସମସ୍ୟାଟି ହେଉଛି ଫୁଲି ଉଠୁଥିବା ଅମଲାତନ୍ତ୍ର । ଅମଲାତନ୍ତ୍ରକୁ ଅପରିହାର୍ଯ୍ୟ ମନେକରାଯାଉଥିଲେ ମଧ୍ୟ ତାହା ପରିବର୍ତ୍ତନକୁ ବିରୋଧ କରିଥାଏ ଏବଂ ଅଧିକାଂଶ ଅମଲାତନ୍ତ୍ରର ଆଦର୍ଶ ହେଉଛି ‘ଯେକୌଣସି ପ୍ରକାରେ ଚଳାଇ ନିଅ’ । ସେମାନେ ନିଜକୁ କେବେହେଲେ ପଚାରନ୍ତି ନାହିଁ ‘କାହିଁକି ?ବରଂ କେବଳ ପରରନ୍ତି ‘କିପରି ?’ । ଅମଲାତନ୍ତ୍ର ପରିବର୍ତ୍ତନକୁ ବିରୋଧ କରି ବିଶୃଙ୍ଖଳାକୁ ଦ୍ରୁତ କରିଥାଏ । ଏହା ପାରମ୍ପରିକ ଧାରଣା ଓ ଧରାବନ୍ଧା କାର୍ଯ୍ୟର ଗନ୍ତାଘର ହୋଇଥାଏ ଯେଉଁ ଦୁଇଟିକି ବିଶୃଙ୍ଖଳାକୁ ସବୁଠାରୁ ଦ୍ରୁତଗାମୀ କରାଇଥାନ୍ତି । ଗୋଟିଏ ଗଣତାନ୍ତ୍ରିକ ସମାଜର ବିଶେଷ କ୍ଷମତାଗୁଡ଼ିକୁ ସୁରକ୍ଷିତ ଏବଂ ବ୍ୟବହାର ଉପଯୋଗୀ କରିବା ପାଇଁ ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ନିତାନ୍ତ ଆବଶ୍ୟକ । ଏହି ନିୟନ୍ତ୍ରଣ କରିବା ପାଇଁ ଯେଉଁମାନେ ମେଡ଼ିଆକୁ କବ୍‌ଜାରେ ରଖିଛନ୍ତି, ବା ଜେନେରାଲ ଏବଂ ରାଜନୈତିକ ନେତାମାନଙ୍କ ଠାରୁ ଆଶା କରିବା ଅବାସ୍ତବ । ଏପରିକି ବୁଦ୍ଧିଜୀବୀମାନେ ଏହା କରିପାରିବା ଆଶା କରାଯାଇନପାରେ କାରଣ ସେମାନେ ଅଧିକାଂଶ ଯୁବଶକ୍ତିଠାରୁ ଦୂରରେ ରହିଥାନ୍ତି । କିନ୍ତୁ ବିଦ୍ୟାଳୟର ଶିକ୍ଷକମାନେ ଏହା କରିପାରିବେ, ତେଣୁ ଏହାର ପ୍ରାଥମିକ ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ । ସେଥିପାଇଁ ବିଦ୍ୟାଳୟଗୁଡ଼ିକ ଅଣଅମଲାନ୍ତ୍ରିକ ଅମଲାତନ୍ତ୍ର ଭାବରେ ଗତାନୁଗତିକ ଧାରାଗୁଡ଼ିକୁ ପ୍ରଶ୍ନ କରିବାରେ ଯୁବକମାନଙ୍କୁ ଉଦ୍‌ବୁଦ୍ଧ କରିପାରିବେ ଏବଂ ଏହିପରି ବିଦ୍ୟାଳୟ ଗୁଡ଼ିକ ‘ଅନ୍ତର୍ଘାତୀ’ ହୋଇପାରିବେ । କିନ୍ତୁ ଅସୁବିଧାର କଥା ହେଉଛି ଯେ ଅଧିକାଂଶ ଶିକ୍ଷକମାନଙ୍କର ଧାରଣା ହେଉଛି ଯେ ସେମାନେ ଅନ୍ୟ କିଛି ବ୍ୟବସାୟରେ ଅଛନ୍ତି । ଯେପରି କେତେକ ବିଶ୍ୱାସ କରନ୍ତି ଯେ, ସେମାନେ ‘ତଥ୍ୟାବଳୀ ବିତରଣ’ ବ୍ୟବସାୟରେ ଅଛନ୍ତି । ଏହି ବ୍ୟବସାୟଟି ଆମ ଘଡ଼ି-ରୂପକରେ ପ୍ରାୟ ଏକ ବା ଦୁଇମିନିଟ୍ ପୂର୍ବର ଏକ ଯୁକ୍ତିଯୁକ୍ତ ବ୍ୟବସାୟ ଥିଲା । ସେମାନଙ୍କର ବ୍ୟବସାୟ ଯେ ବିପର୍ଯ୍ୟସ୍ତ ହେଲାଣି ତା’ର ସୂଚନା ଯଥେଷ୍ଟ ଦେଖିବାକୁ ପାଇବା । କିନ୍ତୁ ସେମାନେ ସେହି କାର୍ଯ୍ୟରେ ଅଧିକ ଯତ୍ନଶୀଳ ହେବାରେ ନିଜକୁ ନିୟୋଜିତ କରୁଛନ୍ତି । ଜର୍ଜ ସାନ୍ତାୟନା କହିଛନ୍ତି ଯେ ଜଣେ ମତାନ୍ଧ ହେଉଛି ସିଏ, ଯେକି ନିଜର ଲକ୍ଷ୍ୟ ଭୁଲି ଯାଇଥିଲେ ମଧ୍ୟ ନିଜର ପ୍ରଚେଷ୍ଟାକୁ ଦ୍ୱିଗୁଣିତ କରିଥାଏ । ଏହି କ୍ଷେତ୍ରରେ ଯଦିଓ ଲକ୍ଷ୍ୟସବୁ କେହିଭୁଲି ନାହାନ୍ତି । ସେହି ଲକ୍ଷ୍ୟ ସବୁ ବର୍ତ୍ତମାନ ଅପ୍ରାସଙ୍ଗିକ ହୋଇଗଲାଣି ଯଦିଓ ଚେଷ୍ଟା ବହୁଗୁଣିତ ହେବାରେ ଲାଗିଛି । (ପୃ-୨୫)

 

ବିଦ୍ୟାଳୟମାନଙ୍କର ଆବଶ୍ୟକ କାର୍ଯ୍ୟ କ’ଣ ? ଏହା କ’ଣ ଆଗ୍ରହୀ ଉପଭୋକ୍ତା ସୃଷ୍ଟି କରିବ ? ଏହା କ’ଣ ମୃତପ୍ରାୟ ଧାରଣା, ମୂଲ୍ୟବୋଧ, ରୂପକ ଏବଂ ତଥ୍ୟାବଳୀକୁ ବିତରଣ କରିବ-? ନିର୍ବିଘ୍ନ ଭାବେ କାର୍ଯ୍ୟକ୍ଷମ ଏକ ଅମଲାତନ୍ତ୍ର ସୃଷ୍ଟି କରିବା ଏହାର ଲକ୍ଷ୍ୟ ହେବ କି ? ଏହିଗୁଡ଼ିକ ପ୍ରକୃତରେ ଅନ୍ତର୍ଘାତୀ ଲକ୍ଷ୍ୟ ଅଟନ୍ତି କାରଣ ଏସବୁ ଏକ ଚଳନକ୍ଷମ ଗଣତାନ୍ତ୍ରିକ ସମାଜ ତିଷ୍ଠି ରହିବାର ସୁଯୋଗ ଗୁଡ଼ିକୁ ଧ୍ୱଂସ କରିଥାନ୍ତି । ଏଗୁଡ଼ିକ ପରମ୍ପରା ଏବଂ ଗତାନୁଗତିକ ଅଭ୍ୟାସ ନାମରେ ସେମାନଙ୍କର କାର୍ଯ୍ୟ କରିଥାନ୍ତି । ଆମେ ଚାହୁଁ ଯେ ବିଦ୍ୟାଳୟଗୁଡ଼ିକ ଏହି ଧ୍ୱଂସକାରୀ ଶକ୍ତି ବିରୋଧ ଭାବେ କାର୍ଯ୍ୟ କରନ୍ତୁ । ତାହା ମଧ୍ୟ ଅନ୍ତର୍ଘାତୀ କାର୍ଯ୍ୟ ଅଟେ । କିନ୍ତୁ ଏଠାରେ ଉଦ୍ଦେଶ୍ୟ ହେଉଛି ବିଶୃଙ୍ଖଳା ଏବଂ ଅପଦାର୍ଥତାକୁ ଉତ୍ସାହିତ କରୁଥିବା ମନୋବୃତ୍ତି, ବିଶ୍ୱାସ ଓ ଧାରଣାଗୁଡ଼ିକୁ ଧ୍ୱଂସ କରିବା ।

 

ମାଧ୍ୟମ ହିଁ ବାର୍ତ୍ତା

 

ବିଖ୍ୟାତ ଗଣମାଧ୍ୟମ ବିଶେଷଜ୍ଞ ମାର୍ଶାଲ ମାକ୍‍ଲୁହାନ୍‍ଙ୍କୁ ଆମେ ଜଣେ କ୍ରିୟାଶୀଳ ଶିକ୍ଷାବିତ୍‍ଭାବେ ବିବେଚନା କରୁ । ତାଙ୍କର ବହୁସିଦ୍ଧାନ୍ତ ଅନ୍ୟ ଶିକ୍ଷାବିତ୍‌ଙ୍କ ଦ୍ଵାରା ପୂର୍ବରୁ ଦିଆଯାଇଥିବା ଧାରଣାମାନଙ୍କର ପୁନଃସ୍ଥିରୀକରଣ ଅଟେ । ଯେଉଁ ଧାରଣା ଗୁଡ଼ିକ ସେହିମାନଙ୍କ ଦ୍ଵାରା ଅବହେଳିତ ହୋଇରହିଥିଲା, ଯେଉଁମାନେ ହିଁ ସେହି ସବୁ ଧାରଣା ଦ୍ୱାରା ସର୍ବାଧିକ ଉପକୃତ ହୋଇଥାନ୍ତେ । ଉଦାହରଣ ସ୍ଵରୂପ ଡୁଇଙ୍କର ବିଶ୍ୱାସ ‘ଆମେ ଯାହା କରୁ ତାହାହିଁ ଶିଖୁ (We learn what we do)କୁ ମାକ୍‍ଲୁହାନ୍ ଏକ ଆନୁପ୍ରାସିକ ଶବ୍ଦ ଯୋଜନାରେ ପୁନର୍ବିନ୍ୟାସ କରି ତାଙ୍କର ପ୍ରସିଦ୍ଧ ଉକ୍ତି ‘ମାଧ୍ୟମ ହିଁ ବାର୍ତ୍ତା’ (The medium is the message) ଦ୍ଵାରା ତାହା ହିଁ ବୁଝାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଟିଏ କଥା ପ୍ରତି ଦୃଷ୍ଟି ଆକର୍ଷଣ କରୁ । ଏହା ଲକ୍ଷ୍ୟ କରାଯାଇପାରେ ଯେ ମାନବର ସ୍ନାୟୁ ସଂସ୍ଥାଉପରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସ୍ନାୟୁ ସଂସ୍ଥାଟି କାର୍ଯ୍ୟକାରୀ ହେଉଥିବା ପରିବେଶର ଲକ୍ଷଣ ଓ ଢାଞ୍ଚା ଦ୍ଵାରା ପଡ଼ିଥାଏ । ନିର୍ଦ୍ଦିଷ୍ଟ ପରିବେଶରେ ବଢ଼ୁଥିବା ବ୍ୟକ୍ତିମାନଙ୍କର ଅନୁଭୂତି ଓ ମନୋବୃତ୍ତିକୁ ନିୟନ୍ତ୍ରଣ କରି ପରିବେଶଟି ସ୍ୱୟଂ ନିର୍ଣ୍ଣୟାତ୍ମକ ଏବଂ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରିଥାଏ । ପରିବେଶରେ ଜଣେ ବ୍ୟକ୍ତିକୁ ଯେଉଁ ଭୂମିକା ଦିଆଯାଉଥାଏ ଅର୍ଥାତ୍ ତାଙ୍କୁ ଯାହା କରିବାକୁ ଦିଆଯାଇଥାଏ, ଡୁଇ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି କାରଣ ତାଙ୍କ ମତରେ ତାହାହିଁ ସେହି ବ୍ୟକ୍ତି ଶିଖିଥାନ୍ତି । ଅନ୍ୟଭାଷାରେ ମାଧ୍ୟମଟି ନିଜେ ଅର୍ଥାତ୍ ପରିବେଶଟି ହିଁ ହେଉଛି ବାର୍ତ୍ତା । ଏଠାରେ ‘ବାର୍ତ୍ତା’ କହିଲେ ଜଣକର ଆହରିତ ଅଭିଜ୍ଞତା, ମନୋବୃତ୍ତି ଏବଂ ସମ୍ବେଦନଶୀଳତାକୁ ଏବଂ ଯାହାସବୁ ଜଣେ ଦେଖିବା, ଅନୁଭବ କରିବା ଓ ସମ୍ମାନ କରିବା ଶିଖିଥାଏ ସେସବୁକୁ ବୁଝାଏ । ଜଣେ ସେସବୁ ଶିଖେ କାରଣ ତା’ର ପରିବେଶ ଏପରି ଭାବରେ ସଂଗଠିତ ହୋଇଥାଏ ଯାହା ସେସବୁ ଶିଖିବା ପାଇଁ ତା’କୁ ପ୍ରୋତ୍ସାହିତ କରିଥାଏ ।

 

ଗୋଟିଏ ଟେଲିଭିଜନ, ଏକ ସମ୍ବାଦପତ୍ର, ଏକ ମଟରଗାଡ଼ି କିମ୍ବା ଏକ ଜେରକ୍ସ ମେସିନକୁ ଏପରି ଏକ ପରିବେଶ ଭାବେ ବୁଝିବା ସମସ୍ତଙ୍କ ପକ୍ଷେ କଷ୍ଟକର ହୋଇଥାଏ ଯଦିଓ ସେଗୁଡ଼ିକ ପ୍ରତ୍ୟେକ ଆମର ଅନୁଭବ ଓ ମନୋବୃତ୍ତିକୁ ପ୍ରଭାବିତ କରିଥାନ୍ତି । ଅପରପକ୍ଷେ ଶ୍ରେଣୀଗୃହ ଯେ ଏକ ପରିବେଶ ତାହା ଜଣକୁ ବୁଝାଇବା ଅପେକ୍ଷାକୃତ ଭାବେ ସହଜ ବୋଲି ଆମେ ଅନୁଭବ କରିଥାଉ । କିନ୍ତୁ ଅସୁବିଧା କଥା ହେଉଛି ଯେ ଏହା ଏକ ପରିବେଶ ନୁହେଁ । ପ୍ରତ୍ୟେକ ଶ୍ରେଣୀଗୃହର ଦୁଇଟି ଉପାଦାନ ଅଛି : ବିଷୟବସ୍ତୁ ଓ ପଦ୍ଧତି । ବିଷୟବସ୍ତୁକୁ ଗୋଟିଏ ପାଠର ଆଧାରଭାବେ ମନେକରାଯାଇଥାଏ, ଏହା ସାମାନ୍ୟ ବା ଗୁରୁତ୍ୱପୂର୍ଣ୍ଣ ହେଉ ନା କାହିଁକି । ଏହାକୁ ହିଁ ପଢ଼ାଯାଇଥାଏ ଏବଂ ଏହାକୁ ହି ଶିକ୍ଷାର୍ଥୀମାନଙ୍କୁ ଶିଖିବାକୁ ହୋଇଥାଏ । ଯେକୌଣସି ସିଲାବ୍‌ସକୁ ଦେଲେ ଜଣାଯାଏ ଯେ ବିଷୟବସ୍ତୁ ଶିକ୍ଷାର୍ଥୀମାନେ ଶ୍ରେଣୀକୁ ଆସିବା ପୂର୍ବରୁ ଏବଂ ସେମାନଙ୍କ ସହିତ କୌଣସି ସମ୍ପର୍କ ନଥାଇ ସ୍ଥିର କରାଯାଇଥାଏ ଏବଂ ଏହା ଯେଉଁ ପରିବେଶରେ ପ୍ରଦାନ କରାଯାଇଥାଏ ତା’ସହିତ ମଧ୍ୟ କୌଣସି ସଂପୃକ୍ତି ନଥାଏ । ଅନ୍ୟପକ୍ଷରେ ‘ପଦ୍ଧତି’ ବିଷୟବସ୍ତୁକୁ ଉପସ୍ଥାପନ କରିବାର ଏକ ଉପାୟମାତ୍ର । ଏହାର ନିଜସ୍ୱ କୌଣସି ବିଷୟବସ୍ତୁ ନଥାଏ । ଏହା ହୁଏତ ଉତ୍ତେଜନା ବା ବିରାଗ ସୃଷ୍ଟି କରିପାରେ କିନ୍ତୁ ଏହା କୌଣସି ‘ବାର୍ତ୍ତା’ ବହନ କରେ ନାହିଁ । ପ୍ରାୟ ସମସ୍ତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ବା ଅନୁଷ୍ଠାନମାନ ବିଷୟବସ୍ତୁ ଓ ପଦ୍ଧତି ଉଭୟ ପରସ୍ପରଠାରୁ ଭିନ୍ନ ବୋଲି ବିବେଚନା କରିଥାନ୍ତି ଏବଂ ଏହାକୁ ଆଧାର କରି ସେମାନଙ୍କର ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତ କରାଯାଇଥାଏ । ପ୍ରଶିକ୍ଷଣ ପାଉଥିବା ପ୍ରତ୍ୟେକ ଶିକ୍ଷକଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଥାଏ ଯେ ଏହି ଭିନ୍ନତା ବାସ୍ତବ, ଉପଯୋଗୀ ଓ ଜରୁରୀ ଏବଂ ଏହାକୁ ବିଦ୍ୟାଳୟରେ ଜାରି ରଖିବାକୁ ହେବ । ଏହାର ଅନ୍ୟ ଏକ ସାଧାରଣ ବାର୍ତ୍ତାଟିଏ ହେଉଛି ଯେ ‘ବିଷୟବସ୍ତୁ’ ଓ ‘ପଦ୍ଧତି’ ପୃଥକ୍, ସମାନ ନୁହନ୍ତି । ବିଷୟବସ୍ତୁର ପାଠ୍ୟକ୍ରମକୁ ‘ଅସଲ’ ପାଠ୍ୟକ୍ରମ ଓ ‘ପଦ୍ଧତି’କୁ ‘ନକଲି’ ପାଠ୍ୟକ୍ରମଭାବେ ବିଚାର କରାଯାଏ ।

 

‘ମାଧ୍ୟମ ହିଁ ବାର୍ତ୍ତା’ ସୂଚାଇଥାଏ ଯେ ବିଷୟବସ୍ତୁ ଓ ପଦ୍ଧତି ମଧ୍ୟରେ ଏକ ଦ୍ୱୈତଭାବର ଉଦ୍ଭାବନ ଅତି ସହଜିଆ ଏବଂ ବିପଦଜନକ ଅଟେ । ପିଲାମାନଙ୍କୁ କେଉଁ ବିଷୟ କିପରି ଭାବରେ କୁହାଯିବ ତାହା ସେମାନଙ୍କର ଶିକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସେମାନଙ୍କୁ କେଉଁ କାର୍ଯ୍ୟ କରିବାରେ ନିୟୋଜିତ କରାଯାଇଛି ତାହା ତାତ୍ପର୍ଯ୍ୟପୂର୍ଣ୍ଣ; କାରଣ ତହିରୁ ହିଁ ସେମାନେ ଶିଖିଥାନ୍ତି । ଶିକ୍ଷାର୍ଥୀମାନେ ଶ୍ରେଣୀଗୃହରେ ଯାହାକରନ୍ତି ତାହା ହିଁ ଶିଖନ୍ତି (ଯାହା ଡୁଇ କହନ୍ତି) ଏବଂ ସେମାନେ ଯାହା କରିବା ଶିଖନ୍ତି ତାହା ହିଁ ଶ୍ରେଣୀଗୃହର ବାର୍ତ୍ତା (ଯାହା ମାକ୍‍ଲୁହାନ୍ କହନ୍ତି) । ଏଠାରେ ଲକ୍ଷ୍ୟକରିବା କଥା ହେଉଛି ଯେ ବର୍ତ୍ତମାନ ଶିକ୍ଷାର୍ଥୀମାନେ ଶ୍ରେଣୀଗୃହରେ କ’ଣ କରୁଛନ୍ତି । ଶ୍ରେଣୀଗୃହରେ ସେମାନେ ନୀରବରେ ବସିରହି ଶୁଣୁଛନ୍ତି ଏବଂ ଏକମାତ୍ର କାର୍ଯ୍ୟ ହେଉଛି ‘ମନେପକାଇବା’ । ପ୍ରାୟ କେବେହେଲେ ପର୍ଯ୍ୟବେକ୍ଷଣ କରିବା, ସଂଜ୍ଞା ପ୍ରସ୍ତୁତ କରିବା କିମ୍ବା କୌଣସି ବୌଦ୍ଧିକ କାର୍ଯ୍ୟ କରିବାରେ ସେମାନଙ୍କୁ ନିୟୋଜିତ କରାଯାଏ ନାହିଁ । ପ୍ରକୃତ ବା ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ପଚାରିବାରେ ସେମାନଙ୍କୁ କ୍ଵଚିତ ଉତ୍ସାହିତ କରାଯାଇଥାଏ । କେବଳ ଶିକ୍ଷକ ପଚାରୁଥିବା ପ୍ରଶ୍ନର ଠିକ୍ ଉତ୍ତର ଦେବା ଆବଶ୍ୟକ ହୋଇଥାଏ । ଶିକ୍ଷକ କେବଳ ଗୋଟିଏ ପ୍ରକାରର ପ୍ରଶ୍ନ ଯାହାର ନିଃସନ୍ଦେହ ଏକମାତ୍ର ଠିକ୍ ଉତ୍ତରଥିବା ବା ଅଭିସାରୀ ପ୍ରଶ୍ନ (Convergent question) ପଚାରିଥାନ୍ତି ଯାହାର ଉତ୍ତର ଦେବା ପାଇଁ ଶିକ୍ଷାର୍ଥୀମାନଙ୍କୁ କେବଳ ମନେପକାଇବା ଓ ଅନୁମାନ କରିବା ଆବଶ୍ୟକ । ଶ୍ରେଣୀଗୃହର କାର୍ଯ୍ୟକଳାପକୁ ବିଶ୍ଳେଷଣ କରି ଲେଖକଦ୍ଵୟ ଶିକ୍ଷକମାନଙ୍କର ଅଲିଖିତ ଲକ୍ଷ୍ୟ ସମ୍ପର୍କରେ କହନ୍ତି :

 

• ସକ୍ରିୟ ସମାଲୋଚନା ଅପେକ୍ଷା ନିଷ୍କ୍ରିୟ ସ୍ଵୀକାରକ୍ତି ଅଧିକ ସ୍ପୃହଣୀୟ ।

 

• ଜ୍ଞାନର ଆବିଷ୍କାର ଶିକ୍ଷାର୍ଥୀଙ୍କର କ୍ଷମତା ବହିର୍ଭୁତ

 

• ସ୍ମରଣ ବୌଦ୍ଧିକ ଉପଲବ୍ଧିର ସର୍ବୋଚ୍ଚରୂପ ଏବଂ ଅସମ୍ପର୍କିତ ତଥ୍ୟାବଳୀର ସଂଗ୍ରହ ହିଁ ଶିକ୍ଷାର ଉଦ୍ଦେଶ୍ୟ

 

• ସ୍ୱାଧୀନ ବିଚାର ଅପେକ୍ଷା ବିଶେଷଜ୍ଞମାନଙ୍କର ଉକ୍ତି ବିଶ୍ୱାସ ଯୋଗ୍ୟ

 

• ଶିକ୍ଷାର୍ଥୀ ବା ତା’ର ସହପାଠୀମାନଙ୍କର ଧାରଣା ଅତି ନଗଣ୍ୟ

 

• ଶିକ୍ଷାରେ ଆବେଗ ଅପ୍ରାସଙ୍ଗିକ

 

• ଏକ ପ୍ରଶ୍ନର ସର୍ବଦା ସ୍ପଷ୍ଟ ଭାବରେ ଏକମାତ୍ର ଠିକ୍ ଉତ୍ତର ଅଛି

 

• ଏକ ବିଷୟ (ଇତିହାସ, ବିଜ୍ଞାନ, କଳା ଭଳି) ଯାହାକୁ ‘ଗ୍ରହଣ କରିବାକୁ ହୁଏ । ଜଣେ ଯେତେବେଳେ ଗ୍ରହଣ କରେ ତାହା ହାସଲ ହୋଇଥାଏ । ଏବଂ ଥରେ ହାସଲ ହୋଇଗଲେ ଆଉଥରେ ତାହା ଗ୍ରହଣ କରିବା ଆବଶ୍ୟକ ହୁଏ ନାହିଁ (The Vaccination Theory of Education) । (ପୃ-୩୧-୩୨)

 

ଗୋଟିଏ ପ୍ରଶ୍ନର ତତ୍‌କ୍ଷଣାତ୍ ଠିକ୍ ଉତ୍ତର ଦେବା ଜଣେ ଶିକ୍ଷିତ ବ୍ୟକ୍ତିର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଲକ୍ଷଣ ବୋଲି ସାଧାରଣରେ ବିଚାର କରାଯାଏ । ସେଥିପାଇଁ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷକଙ୍କର ପ୍ରଶ୍ନର ଠିକ୍ ଉତ୍ତର ଦେବା ପାଇଁ ଅଭ୍ୟସ୍ତ କରାଯାଇଥାଏ । ସେମାନଙ୍କର ପ୍ରଶ୍ନକୁ ପ୍ରଶ୍ନ କରିବା ବା ସହପାଠୀମାନଙ୍କୁ ପ୍ରଶ୍ନ ପଚାରିବା କ୍ଵଚିତ୍ ପ୍ରୋତ୍ସାହିତ କରାଯାଉଥାଏ । ଶ୍ରେଣୀଗୃହର ପରିଚାଳନା ମୁଖ୍ୟତଃ ଏହି ଢାଞ୍ଚା ଉପରେ ଆଧାରିତ କିନ୍ତୁ ବିଚାର କରିବା, 'ଜ୍ଞାନ’ କେଉଁଠାରୁ ମିଳିଥାଏ ? ଏହା ପୁସ୍ତକରେ ନିବଦ୍ଧ ନଥାଏ ଯାହାକୁ ଜଣେ କେହି ପଢ଼ିଲେ ଶିଖିଯିବ । ପ୍ରଶ୍ନର ଉତ୍ତରଦେବାରେ ହିଁ ଜ୍ଞାନ ଉତ୍ପନ୍ନ ହୋଇଥାଏ । ନୂତନ ପ୍ରଶ୍ନ ପଚାରିବାରେ, ଏବଂ ବହୁସମୟରେ ପୁରୁଣା ପ୍ରଶ୍ନ ସମ୍ବନ୍ଧରେ ନୂତନ ପ୍ରଶ୍ନ ପଚାରିବାରେ ନୂତନଜ୍ଞାନ ମିଳିଥାଏ । ଥରେ ଜଣେ କିପରି ପ୍ରାସଙ୍ଗିକ, ଉପଯୁକ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବା ଶିଖିଗଲେ, କିପରି ଶିଖିବାକୁ ହୁଏ ତାହା ସେ ଜାଣିଯାଏ । ତା’ ପରେ ସେ ଯାହା ଶିଖିବାକୁ ଇଚ୍ଛାକରେ ସେଥିରୁ କେହି ତାକୁ ନିବୃତ୍ତ କରିପାରନ୍ତି ନାହିଁ । କିନ୍ତୁ ବିଦ୍ୟାଳୟରେ ପ୍ରଶ୍ନ ପଚାରିବାର କଳା ଓ ବିଜ୍ଞାନ କଦାପି ଶିକ୍ଷାଦିଆଯାଏ ନାହିଁ । ପ୍ରଶ୍ନ ପଚାରିବା ହିଁ ହେଉଛି ବ୍ୟବହାର । ଯଦି ଜଣେ ଏହା ନ କରେ ତା’ହେଲେ ସେ ବ୍ୟବହାର ଶିଖିପାରେ ନାହିଁ । (ପୃ-୩୪)

 

ବିଭିନ୍ନ ମାଧ୍ୟମମାନ ମଧ୍ୟ ଆମର ବ୍ୟବହାର ଶିଖିବାରେ ଆମକୁ ପ୍ରଭାବିତ କରିଥାନ୍ତି । ମାକ୍‍ଲୁହାନ୍‍ ସୂଚିତ କରିଛନ୍ତି ଯେ ମଟରଗାଡ଼ି, ଟି.ଭି, ଜେରକ୍ସ ମେସିନ ଆଦି ବିଭିନ୍ନ ମାଧ୍ୟମ ମଧ୍ୟ ଶିକ୍ଷଣ ପରିବେଶ ଅଟନ୍ତି । କିନ୍ତୁ ଆମେ ବିଦ୍ୟାଳୟ ଉପରେ ଅଧିକ ଗୁରୁତ୍ୱ ଦେଉଛୁ କାରଣ ତିଷ୍ଠି ରହିବା ପାଇଁ ଆବଶ୍ୟକ ବିଶ୍ୱାସ ଓ ବ୍ୟବହାରମାନ ପ୍ରୋତ୍ସାହିତ କରିବା ପାଇଁ ନିର୍ଣ୍ଣୟାତ୍ମକ ପରିବେଶ ସୃଷ୍ଟି କରିବାର କ୍ଷମତା ବିଦ୍ୟାଳୟର ହିଁ ଅଛି ।

 

ଅନୁସନ୍ଧାନ ପଦ୍ଧତି :

 

ଶିକ୍ଷାଦ୍ୱାରା ଯେତେ ସବୁ ତିଷ୍ଠି ରହିବାର କୌଶଳ ମିଳିଥାଏ ତନ୍ମଧ୍ୟରୁ ଶିଖିବା ଓ ଶିକ୍ଷାଦାନରେ ଅନୁସନ୍ଧାନ ପଦ୍ଧତି ହେଉଛି ନିଆରା । ଏହା ଏକ ନୂତନ ମାଧ୍ୟମ ଏବଂ ଏହାର ବାର୍ତ୍ତା ଶିକ୍ଷାର୍ଥୀମାନଙ୍କ ସହ ଯୋଗାଯୋଗର ଅନ୍ୟ ସାଧାରଣ ପଦ୍ଧତିଠାରୁ ଅତ୍ୟନ୍ତ ଶକ୍ତିଶାଳୀ । ସେଥିପାଇଁ ‘ଅନୁସନ୍ଧାନ ପରିବେଶ’କୁ ଭଲଭାବରେ ବୁଝିବାର ଆବଶ୍ୟକତା ରହିଛି ।

 

ଏହି ପରିପ୍ରେକ୍ଷୀରେ ପୁନର୍ବାର ମାକ୍‍ଲୁହାନ୍‍ଙ୍କର ତିନୋଟି ରୂପକ ବା ମେଟାଫରର ସାହାଯ୍ୟ ନେବା । ପ୍ରଥମଟିକୁ ‘ନାମ/ବଦନାମର ପ୍ରାରମ୍ଭିକ ଚାଲ୍’ (Label-Libel gambit) କହିପାରିବା । ମାକ୍‍ଲୁହାନ୍‍ ସର୍ବଦା ଏକ ମାନବୀୟ ପ୍ରବୃତ୍ତି ସମ୍ପର୍କରେ କହିଛନ୍ତି । ତାହା ହେଉଛି କୌଣସି ଏକ ନୂତନ ଧାରଣାର ଯଥାଶୀଘ୍ର ଏକ ନାମକରଣ କରି ତା’କୁ ହେୟଜ୍ଞାନ କରିବା । ନାମକରଣ କରି ତା’ର ହତାଦର କରିବା । ଏଠାରେ ସେ ସୂଚାଇ ଦେଇଛନ୍ତି ଯେ ମାଧ୍ୟମ ହେଉଛି ଏକ ପ୍ରକ୍ରିୟା ଏକ ବସ୍ତୁ ନୁହେଁ । ଏକ ପ୍ରକ୍ରିୟାକୁ କ’ଣ କୁହାଯାଏ ତାହା ଜାଣିବା ଅପେକ୍ଷା ତା’ର କାର୍ଯ୍ୟକାରିତା ବୁଝିବା ଆବଶ୍ୟକ । କିନ୍ତୁ ନାମକରଣ (Label)ଏକ ପ୍ରକ୍ରିୟା ନୁହେଁ । ଅନୁସନ୍ଧାନ ପଦ୍ଧତି ଏକ ପ୍ରକ୍ରିୟା ଏବଂ କେବଳ ଏହାର ନାମ ଜାଣିଲେ ତା’ର କାର୍ଯ୍ୟ ସମ୍ବନ୍ଧରେ କିଛି ଜାଣିହେବ ନାହିଁ ।

 

ମାକ୍‍ଲୁହାନ୍‍ଙ୍କ ଦ୍ୱିତୀୟ ଉପଯୋଗୀ ରୂପକ ହେଉଛି ‘ପଶ୍ଚାତ୍ ଦୃଶ୍ୟ ଦର୍ପଣ’ ଲକ୍ଷଣ (Rearview–mirror syndrome) । ତାଙ୍କ ବିଚାରରେ ଆମେ ଅଧିକାଂଶ ନୂତନ ମାଧ୍ୟମରେ ପ୍ରଭାବକୁ ବୁଝିବା ପାଇଁ ସମର୍ଥ ନୋହୁ । କାରଣ ଆମେ ସେହି ଡ୍ରାଇଭର ଭଳି ଯାଉଛୁ, ଯାହାର ଦୃଷ୍ଟି ସେ କେଉଁଠାକୁ ଯାଉଛି ସେଥିରେ ନିବଦ୍ଧ ନ ରହି କେଉଁଠାରୁ ଆସିଲା ତାହା ଉପରେ ରହିଛି । ସେଥିପାଇଁ ରେଳଗାଡ଼ିକୁ ‘ଲୌହଅଶ୍ୱ’, ଇଲେକ୍‍ଟ୍ରିକ୍ ବତୀକୁ ‘ଏକ ଶକ୍ତିଶାଳୀ ମହମବତୀ’ ଭାବେ ଭ୍ରାନ୍ତ ଧାରଣା କରାଯାଇଥିଲା । ଏହି ମାଧ୍ୟମ ଗୁଡ଼ିକ ସଂପୂର୍ଣ୍ଣ ନୂତନ ଅଭିଜ୍ଞତା ଥିଲେ ଏବଂ ସେଗୁଡ଼ିକର ସଂପୂର୍ଣ୍ଣ ନୂତନ ପ୍ରଭାବ ଆମ ଉପରେ ପଡ଼ିଥିଲା । ଠିକ୍ ସେହିପରି ଅନୁସନ୍ଧାନ ପଦ୍ଧତିକୁ ପୂର୍ବର କୌଣସି ପଦ୍ଧତିର ପରିବର୍ତ୍ତିତ ରୂପଭାବେ ନ ବୁଝି ଏହାକୁ ନୂତନ ପ୍ରକ୍ରିୟାଭାବେ ବୁଝିବାକୁ ହେବ ।

 

ଏହି ପଦ୍ଧତି ଶିକ୍ଷାର୍ଥୀମାନଙ୍କୁ ନୂତନ ଉତ୍ତର ଦେବା ଓ ସେଗୁଡ଼ିକୁ ଦୀର୍ଘ ସମୟଧରି ମନେ ରଖିବାରେ ସାହାଯ୍ୟ କରିବ ଯାହା ସେମାନଙ୍କର ଶିକ୍ଷକଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ । କେବଳ ଏପରି ଗତାନୁଗତିକ କାର୍ଯ୍ୟ ମଧ୍ୟରେ ଏହି ପଦ୍ଧତି ସୀମିତ ନୁହେଁ । ଏହା ଭିନ୍ନ ମନୋବୃତ୍ତ, ଅଭିଜ୍ଞତା ଆଦିକୁ ସକ୍ରିୟ କରିଥାଏ । ଏବଂ ଏହା ଏକ ଶକ୍ତିଶାଳୀ ଏବଂ କ୍ଷମତାସମ୍ପନ୍ନ ଭିନ୍ନ ପ୍ରକାରର ବୌଦ୍ଧିକ ପ୍ରକ୍ରିୟା ସୃଷ୍ଟି କରିଥାଏ । ଶିକ୍ଷା ସମ୍ବନ୍ଧରେ ସମସ୍ତ ବିଷୟକୁ ଏହା ପରିବର୍ତ୍ତନ କରିଦେବ । ପୁରାତନ ସରଳରୈଖିକ ପଦ୍ଧତିମାନ ଏଥିପାଇଁ ଆଦୌ ସମର୍ଥ ନୁହନ୍ତି ।

 

ଏଥିରୁ ମାକ୍‍ଲୁହାନ୍‍ଙ୍କର ତୃତୀୟ ମେଟାଫର ‘କଥା ଧାରା’ (Story Line) କଥାକୁ ଆସିବା । ସେ ବାରମ୍ବାର ଦର୍ଶାଇଛନ୍ତି ଯେ ଇଲେକ୍‌ଟ୍ରିକ ଯୁଗଆସିବାପରେ ତଥ୍ୟ ପ୍ରବାହର ଧାରା ଆଉ ସରଳରୈଖିକ ହୋଇ ରହିନାହିଁ । ଗପରେ ଯେପରି ଘଟଣାପରେ ଘଟଣା ଗୁଡ଼ିକ ଧାରାବାହିକ ଭାବେ କୁହାଯାଇଥାଏ, ଆଧୁନିକ ଯୁଗରେ ବିଭିନ୍ନ ଯୋଗାଯୋଗରେ ସେପରି କୌଣସି ନିର୍ଦ୍ଦିଷ୍ଟ କ୍ରମ ବା ଧାରା ନାହିଁ । ମାକ୍‍ଲୁହାନ୍ କହନ୍ତି ଯେ କୌଣସି ଧାରାବାହିକ କଥା ବିନା ବିଭିନ୍ନ ପ୍ରକାରର ଯୋଗଯୋଗ ପ୍ରକ୍ରିୟା ଅଧିକ ସକ୍ରିୟ ଓ ଉଚ୍ଚମାନର ଭାଗୀଦାରୀ ହୋଇପାରୁଛି । ଏଥିରେ ମୁଖ୍ୟ ଲକ୍ଷ୍ୟ ହେଉଛି ସଂରଚନାର ଆବିଷ୍କାର କରିବା ଓ ସେଗୁଡ଼ିକୁ ଅର୍ଥ ଦେବା । ସେଥିପାଇଁ ଜଣକୁ ନିଜର ସମସ୍ତ ବୌଦ୍ଧିକ ଶକ୍ତିକୁ ବିନିଯୋଗ କରି ସମ୍ପର୍କ ଏବଂ ସଂଗଠନକୁ ଅନୁସନ୍ଧାନ କରିବାକୁ ହେବ । ନିଷ୍କ୍ରିୟ ଶ୍ରୋତାଭାବେ ଅନ୍ୟ କାହାର କଥାକୁ ଗ୍ରହଣ କରିବାରେ କୌଣସି ବୌଦ୍ଧିକ ଶକ୍ତି ସକ୍ରିୟ ହୋଇନଥାଏ । ଏହାହିଁ ବିଦ୍ୟାଳୟର ସିଲାବସ୍‌ର କଥା-ଅନ୍ୟ କାହାର କଥା । ଅଧିକାଂଶ ପାରମ୍ପରିକ ବିଦ୍ୟାଳୟର ଶିକ୍ଷଣ ପରିବେଶ ବିଭିନ୍ନ କଥାଧାରାକୁ ପ୍ରେରଣ ଓ ଗ୍ରହଣ କରିବାରେ ସହାୟକ ହୋଇଥାନ୍ତି । ସେଥିପାଇଁ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କୁ ଧ୍ୟାନଦେବା, ଆଗକୁ ମୁହଁ କରି ନିଜର ସିଟ୍-ରେ ବସିବା, ଏବଂ ନୀରବରେ ଶୁଣିବାକୁ ସ୍ପୃହଣୀୟ ବୋଲି ଭାବିଥାନ୍ତି । ଅନୁସନ୍ଧାନ ପଦ୍ଧତି କିନ୍ତୁ ଏପରି ପାଠ୍ୟକ୍ରମ, ପାଠଧାରାକୁ ପୁରୁଣାକାଳିଆ ଓ ଅଚଳ କରିଦିଏ । ଶିକ୍ଷାର୍ଥୀମାନଙ୍କୁ ନିଜର ଶିକ୍ଷଣ ପଦ୍ଧତିରେ ସଂପୃକ୍ତ ହୋଇ ନିଜେ ନିଜେ ଶିଖିବାର ଧାରା ଖୋଜିବାରେ ଏହି ପଦ୍ଧତି ସାହାଯ୍ୟ କରିଥାଏ । ଯେତେବେଳେ ପୁରୁଣା ବିଦ୍ୟାଳୟ ପରିବେଶ ପଚାରେ ‘କିଏ ଆମେରିକା ଆବିଷ୍କାର କରିଥିଲେ ?’ ଅନୁସନ୍ଧାନ ପଦ୍ଧତି ପଚାରେ ‘ଆମେରିକା କିଏ ଆବିଷ୍କାର କରିଥିଲେ ତାହା ତୁମେ କିପରି ଆବିଷ୍କାର କରିପାରିବ ?’ ଏଭଳି ପରିବେଶ ଯେ ଆଗରୁ ନଥିଲା ତାହା ନୁହେଁ । ସକ୍ରେଟିସ୍‌ଙ୍କର ବାର୍ତ୍ତାଳାପରେ କୌଣସି କଥା ଧାରା ନଥିଲା । ତାଙ୍କର ଶିକ୍ଷା ବସ୍ତୁତଃ ପ୍ରକ୍ରିୟା ସମ୍ବନ୍ଧରେ ଥିଲା, ତାଙ୍କର ପଦ୍ଧତି ହିଁ ଥିଲା ତାଙ୍କର ବାର୍ତ୍ତା ।

 

ବିଦ୍ୟାଳୟର ସିଲାବସ୍ ଶିକ୍ଷାର୍ଥୀମାନେ କ’ଣ ଶିଖିବେ ତାହା ସ୍ଥିର କରିବା ସହିତ କେଉଁ କ୍ରମରେ ଶିଖିବେ ତାହା ମଧ୍ୟ ନିର୍ଦ୍ଧାରଣ କରିଥାଏ । ଏପରି ‘କ୍ରମବଦ୍ଧ ପାଠ୍ୟକ୍ରମ’ (Sequential Curriculum) ଯାହା ସରଳରୈଖିକ ଓ ଯନ୍ତ୍ରବତ୍ କ୍ରମବଦ୍ଧ ଶିକ୍ଷଣ ଧାରଣା ଉପରେ ଆଧାରିତ, ତାହା ବର୍ତ୍ତମାନ ଯୁଗରେ ଆଦୌ ସନ୍ତୋଷଜନକଭାବେ କାର୍ଯ୍ୟ କରୁନାହିଁ । ଏଥିରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବାନାହିଁ ଯେ ଶିକ୍ଷଣ ପ୍ରକ୍ରିୟା ଆଦୌ ଯୁକ୍ତିଯୁକ୍ତ ନୁହେଁ-। ଏହା ମନସ୍ତାତ୍ତ୍ୱିକ ତର୍କ ଉପରେ ଆଧାରିତ । ଅନୁସନ୍ଧାନ ପଦ୍ଧତି ଏହି ଯୁକ୍ତିଧାରା ଉପରେ ପ୍ରତିଷ୍ଠିତ ଏବଂ ଏହା ଶିକ୍ଷାର୍ଥୀଙ୍କୁ ସେମାନଙ୍କର ଶିକ୍ଷଣ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ-। ଏହା ହାସଲ କରିବା ପାଇଁ ଫଳପ୍ରଦ ଶିକ୍ଷାର୍ଥୀମାନେ ଯାହା କରନ୍ତି ତାହା କରିବା ପାଇଁ ଏହି ପଦ୍ଧତି ଦ୍ୱାରା ଆଶା କରାଯାଏ । ଉତ୍ତମ ଶିକ୍ଷାର୍ଥୀମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଜୀବନ୍ତ, ପ୍ରଶ୍ନ ପରରିବାରେ ଆଗ୍ରହୀ, ଅନୁଭବକାରୀ, ଭୟାଳୁ, ସ୍ନେହୀ ଏବଂ ବିଚଳିତ ହୋଇଥାନ୍ତି-। କିନ୍ତୁ ସେମାନେ ଉତ୍ତମ ଶିକ୍ଷାର୍ଥୀ, କାରଣ ସେମାନଙ୍କର କେତେକ ବିଶ୍ୱାସ ଓ କାର୍ଯ୍ୟ ସେମାନଙ୍କୁ ଅନ୍ୟ ସ୍ପଳ୍ପ ଫଳପ୍ରଦ ଶିକ୍ଷାର୍ଥୀମାନଙ୍କ ଠାରୁ ପୃଥକ୍ କରିଥାଏ । ଉତ୍ତମ ଶିକ୍ଷାର୍ଥୀ କେଉଁଥିରେ ବିଶ୍ୱାସ କରନ୍ତି ? ସେମାନେ କ’ଣ କରନ୍ତି ?

 

ଉତ୍ତମ ଶିକ୍ଷାର୍ଥୀମାନଙ୍କର ଶିଖିବାରେ ନିଜର ସାମର୍ଥ୍ୟ ଉପରେ ଆତ୍ମବିଶ୍ଵାସ ଥାଏ । ଅନ୍ୟମାନଙ୍କ ଭଳି ହତାଶ ଏବଂ ନିରୁତ୍ସାହିତ ହେଉଥିଲେ ମଧ୍ୟ ସମସ୍ୟା ସମାଧାନ କରିବାରେ ନିଜର ସାମର୍ଥ୍ୟ ଉପରେ ସେମାନଙ୍କର ଗଭୀର ବିଶ୍ଵାସ ଥାଏ ।

 

• ଉତ୍ତମ ଶିକ୍ଷାର୍ଥୀମାନେ ସମସ୍ୟା ସମାଧାନ କରିବାରେ ଆନନ୍ଦ ଲାଭ କରିଥାନ୍ତି ।

 

• ସେମାନଙ୍କର ତିଷ୍ଠି ରହିବାରେ କ’ଣ ପ୍ରାସଙ୍ଗିକ ଓ କ’ଣ ପ୍ରାସଙ୍ଗିକ ନୁହେଁ, ସେମାନେ ଜାଣିଥିବାର ଜଣାପଡ଼େ ।

 

• ଉତ୍ତମ ଶିକ୍ଷାର୍ଥୀମାନେ ନିଜର ବିଚାରବୁଦ୍ଧି ଉପରେ ନିର୍ଭର କରିଥାନ୍ତି ।

 

• ସେମାନେ ଭୁଲ ପାଇଁ ଭୟଭୀତ ହୁଅନ୍ତି ନାହିଁ । ସେମାନେ ନିଜର ସାମର୍ଥ୍ୟର ସୀମା ଜାଣିଥାନ୍ତି ଓ ସେଥିପାଇଁ ସେମାନେ ଭୁଲ୍‍କଲେ ତାହା ପରିବର୍ତ୍ତନ କରିବାର ମନୋବୃତ୍ତି ତାଙ୍କର ଥାଏ । ମନର ଲକ୍ଷଣକୁ ପରିବର୍ତ୍ତନ କରିବାରେ ସେମାନେ ଅଧିକ ଆଗ୍ରହୀ ହୋଇଥାନ୍ତି ।

 

• ଉତ୍ତମ ଶିକ୍ଷାର୍ଥୀମାନେ ନିଶ୍ଚିତଭାବେ କ୍ଷୀପ୍ର ଉତ୍ତରପ୍ରଦାନକାରୀ ନୁହନ୍ତି । ସେମାନେ ଉତ୍ତର ପାଇଁ ସର୍ବାଧିକ ତଥ୍ୟ ହାସଲ କରିବା ପର୍ଯ୍ୟନ୍ତ ନିଜର ବିଚାର ସ୍ଥଗିତ ରଖିଥାନ୍ତି ।

 

• ତଥ୍ୟପ୍ରତି ସେମାନଙ୍କର ଉଚ୍ଚ ସମ୍ମାନବୋଧ ଥାଏ ଏବଂ ସେମାନେ ଏହା ମଧ୍ୟ ବୁଝିଥାନ୍ତି ଯେ ତଥ୍ୟସବୁ ଅନିଶ୍ଚିତ ।

 

• ଉତ୍ତମ ଶିକ୍ଷାର୍ଥୀମାନେ ଅନୁସନ୍ଧାନ ପାଇଁ ଆବଶ୍ୟକ ସମସ୍ତ ଭାଷାଗତ ଦକ୍ଷତାରେ ଧୁରୀଣ ।

 

ବୋଧହୁଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଉତ୍ତମ ଶିକ୍ଷାର୍ଥୀମାନେ ପ୍ରତ୍ୟେକ ସମସ୍ୟାର ଏକ ସୁନିର୍ଦ୍ଦିଷ୍ଟ ସବିଶେଷ, ଅପରିବର୍ତ୍ତନୀୟ ସମାଧାନ ଆବଶ୍ୟକ କରନ୍ତି ନାହିଁ । (ପୃ ୪୧, ୪୨) ଉତ୍ତମ ଶିକ୍ଷାର୍ଥୀମାନଙ୍କର ଏହିସବୁ ଲକ୍ଷଣରୁ ‘ଅନୁସନ୍ଧାନ ପଦ୍ଧତି’ ସମ୍ପର୍କରେ ଏକ ସ୍ଥୂଳ ଧାରଣା କରିହେବ । ଶିକ୍ଷାର୍ଥୀମାନଙ୍କୁ ଅନୁସନ୍ଧାନୀ ହେବାପାଇଁ କିପରି ପରିବେଶ ସହାୟକ ହେବ ? ଆମେ ଭାବୁ ଯେ ଏପରି ପରିବେଶର ଚାରିଟି ମୁଖ୍ୟ ଉପାଦାନ ରହିବ : ଶିକ୍ଷକ, ଶିକ୍ଷାର୍ଥୀ, ସମସ୍ୟାସମୂହ ଏବଂ ସମସ୍ୟା ସମାଧାନ ପାଇଁ କୌଶଳସବୁ । ଶିକ୍ଷକ ବିଶେଷକରି ସେମାନଙ୍କର ମନୋବୃତ୍ତି ଏକ ଅନୁସନ୍ଧାନକାରୀ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ଶିକ୍ଷାରେ ଯେକୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଅଭିନବ ପ୍ରୟାସର କେନ୍ଦ୍ରରେ ଶିକ୍ଷକଙ୍କର ମନୋବୃଦ୍ଧି ହିଁ ଥାଏ । ଜଣେ ଅନୁସନ୍ଧାନକାରୀ ଶିକ୍ଷକଙ୍କ ମନୋବୃତ୍ତି ତାଙ୍କର ବ୍ୟବହାରରେ ପ୍ରତିଫଳିତ ହୋଇଥାଏ । କାର୍ଯ୍ୟରତ ଅବସ୍ଥାରେ ଏହିପରି ଜଣେ ଶିକ୍ଷକଙ୍କର ନିମ୍ନଲିଖତ ବ୍ୟବହାର ଗୁଡ଼ିକୁ ଲକ୍ଷ୍ୟ କରିପାରିବା :

 

• ଶିକ୍ଷାର୍ଥୀମାନେ କ’ଣ ଜାଣିବା ଉଚିତ ତାହା ଶିକ୍ଷକ ସେମାନଙ୍କୁ କ୍ଵଚିତ୍ କହିଥାନ୍ତି କାରଣ ଏପରି କହିଦେବା ଦ୍ଵାରା ଶିକ୍ଷାର୍ଥୀମାନଙ୍କୁ ନିଜର ଜ୍ଞାନ ଆହରଣ କରିବା ଏବଂ ଶିକ୍ଷାର୍ଥୀଭାବେ ନିଜର ଶିକ୍ଷଣ କ୍ଷମତା ବୃଦ୍ଧି କରିବାରେ ସୁଯୋଗର ବାଧାସୃଷ୍ଟି ହୋଇଥାଏ ।

 

• ତାଙ୍କର ଶିକ୍ଷାଦାନର ମୌଳିକ ସାଧନୀ ହେଉଛି ପ୍ରଶ୍ନ ପଚାରିବା ବିଶେଷକରି କେନ୍ଦ୍ରାପସାରୀ (divergent) (ବହୁ ସମ୍ଭାବ୍ୟ ଉତ୍ତର ସମ୍ବଳିତ) ପ୍ରଶ୍ନ ପଚାରିବା । ଏହାଦ୍ଵାରା ସେମାନେ ଗୋଟିଏ ଠିକ୍ ଉତ୍ତରକୁ ମୁଖସ୍ଥ ନକରି ବିଭିନ୍ନ ସମ୍ଭାବନାକୁ ଆବିଷ୍କାର କରିବାରେ ନିଜକୁ ନିୟୋଜିତ କରିବେ ।

 

• ଶିକ୍ଷାର୍ଥୀ-ଶିକ୍ଷକ ଭାବବିନିମୟ ପରିବର୍ତ୍ତେ ସେ ଶିକ୍ଷାର୍ଥୀ-ଶିକ୍ଷାର୍ଥୀ ବିନିମୟକୁ ଉତ୍ସାହିତ କରିଥାନ୍ତି ।

 

• ସେ କ୍ଵଚିତ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ସୃଷ୍ଟ ପରିସ୍ଥିତିକୁ ସଂକ୍ଷିପ୍ତକରଣ କରିଥାନ୍ତି । କାରଣ ସେ ଭାବନ୍ତି ଯେ ସାରାଂଶ ନିର୍ଣ୍ଣୟ କରିବା ଅର୍ଥ ହେଉଛି ପରବର୍ତ୍ତୀ ଚିନ୍ତାର ବିସ୍ତାରରେ ପରିସମାପ୍ତି ଘଟାଇବା ।

 

• ତାଙ୍କର ପାଠଯୋଜନା ଶିକ୍ଷାର୍ଥୀମାନଙ୍କର ପ୍ରତିକ୍ରିୟାକୁ ଆଧାର କରି ବିକଶିତ ହୋଇଥାଏ । ତାହା କୌଣସି ପୂର୍ବନିରୂପିତ ‘ଯୁକ୍ତିଯୁକ୍ତ’ ଜ୍ଞାନ ଉପରେ ପର୍ଯ୍ୟବସିତ ହୋଇନଥାଏ । ତାଙ୍କ ପାଠର ‘ବିଷୟବସ୍ତୁ’ ହେଉଛି ଶିକ୍ଷାର୍ଥୀମାନଙ୍କର ପ୍ରତିକ୍ରିୟା ।

 

• ସେ ଚିନ୍ତାର ଶେଷ ଫଳାଫଳ (ଠିକ୍ ଉତ୍ତର) ପରିବର୍ତ୍ତେ ଚିନ୍ତାର ପ୍ରକ୍ରିୟା ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ସେଥିପାଇଁ ସେ ଶିକ୍ଷାର୍ଥୀମାନଙ୍କୁ ଅଧିକ ସମୟ କହିବା ପରିବର୍ତ୍ତେ ଅଧିକ ସମୟ ସେମାନଙ୍କୁ ଶୁଣିବାରେ ବିତାଇଥାନ୍ତି ।

 

• ତାଙ୍କର ପ୍ରତ୍ୟେକ ପାଠ ଏକ ସମସ୍ୟା ଉପସ୍ଥାପନ କରିଥାଏ ଯାହା ତାଙ୍କର ଛାତ୍ରଛାତ୍ରୀମାନେ ସମସ୍ୟା ସମାଧାନ କରିବା ପାଇଁ ପ୍ରଶ୍ନ ପଚାରିବା, ପର୍ଯ୍ୟବେକ୍ଷଣ କରିବା ଏବଂ ସେସବୁ ଉପରେ ପର୍ଯ୍ୟବସିତ ସିଦ୍ଧାନ୍ତ ଗ୍ରହଣ କରିବା ତାଙ୍କ ପାଠର ଲକ୍ଷ୍ୟ ହୋଇଥାଏ । ସଂକ୍ଷେପରେ କହିଲେ ଶିକ୍ଷାର୍ଥୀମାନଙ୍କୁ ସେହିପରି କାର୍ଯ୍ୟରେ ନିୟୋଜିତ କରିବା ତାଙ୍କର ଲକ୍ଷ୍ୟ ହୋଇଥାଏ, ଯେଉଁଥିରୁ ଯାହା ତାଙ୍କର ଜ୍ଞାନ ଉପୁଜାଇ ପାରୁଥିବ ଯଥା: ସଂଜ୍ଞାନିରୁପଣ, ପ୍ରଶ୍ନପଚାରିବା, ପର୍ଯ୍ୟବେକ୍ଷଣ, ବର୍ଗୀକରଣ, ସିଦ୍ଧାନ୍ତୀକରଣ, ସତ୍ୟାସତ୍ୟ ନିରୂପଣ, ପ୍ରୟୋଗ ଆଦି ସଂଭବ ହେଉଥିବ ।

 

• ତାଙ୍କର ପାଠଦାନର ସଫଳତା ସେ ତାଙ୍କର ଶିକ୍ଷାର୍ଥୀମାନଙ୍କର ବ୍ୟବହାରର ପରିବର୍ତ୍ତନ ଦ୍ୱାରା ହିଁ ମାପ କରିଥାନ୍ତି ଯଥା, ଶିକ୍ଷାର୍ଥୀମାନେ କେତେଥର ପ୍ରଶ୍ନ ପଚାରୁଛନ୍ତି ପ୍ରଶ୍ନର ପ୍ରାସଙ୍ଗିକତା ଓ ନିର୍ଦ୍ଦିଷ୍ଟତାରେ ବୃଦ୍ଧି ଇତ୍ୟାଦି ।

 

ଅନୁସନ୍ଧାନୀ ପରିବେଶ ଅନ୍ୟାନ୍ୟ ବିଦ୍ୟାଳୟ ପରିବେଶ ପରି ମୁଖ୍ୟତଃ ଶିକ୍ଷକଙ୍କ ଦ୍ଵାରା ହିଁ ନିୟନ୍ତ୍ରିତ ହୋଇଥାଏ । କିନ୍ତୁ ସାଧାରଣ ଭାବରେ ବୁଝାଯାଉଥିବା ‘ଶିକ୍ଷାଦାନ’ ଏପରି ପରିବେଶର ପରିପନ୍ଥୀ । ଏଠାରେ ‘ଶିକ୍ଷଣ’ ହିଁ କେନ୍ଦ୍ରବିନ୍ଦୁ । ସେଥିପାଇଁ ଆମର ବିଦ୍ୟାଳୟ ପରିଭାଷାରେ ‘ଶିକ୍ଷାଦାନ’ ଶବ୍ଦଟି ରହିବ ନାହିଁ । ତତ୍‍ସହିତ ସଂପୃକ୍ତ ‘ସିଲାବସ୍’ ବା ପାଠ୍ୟକ୍ରମ, ସିଲାବସ୍‌ ଅନ୍ତର୍ଭୁକ୍ତ ବିଷୟବସ୍ତୁର ନିୟନ୍ତ୍ରଣ, ଆଦି ଧାରଣା ମଧ୍ୟ ଆମ ପରିଭାଷାରୁ ବାଦ୍ ଦିଆଯିବ-। ଏହାଦ୍ୱାରା ଆମେ ଚାହୁଁ ଯେ ପଢ଼ାଇବା ଅପେକ୍ଷା ଶିକ୍ଷାର୍ଥୀମାନେ କିପରି ଅଧିକ ଶିଖିବାରେ ସମର୍ଥ ହୁଅନ୍ତୁ ତାହା ଶିକ୍ଷକଙ୍କର ଏକମାତ୍ର ଲକ୍ଷ୍ୟ ଓ କାର୍ଯ୍ୟ ହେବା ଉଚିତ । ଏହା ହିଁ ଅନୁସନ୍ଧାନ ପଦ୍ଧତିର ଚରମ ଲକ୍ଷ୍ୟ ।

 

ଶିକ୍ଷାର ପ୍ରାସଙ୍ଗିକତା :

 

ବହୁ ଶିକ୍ଷକ ବିଶ୍ୱାସ କରନ୍ତି ଯେ କେତେକ ବିଷୟବସ୍ତୁ ଅନ୍ତର୍ନିହିତ ଭାବେ ‘ଉତ୍ତମ’ ଅଟନ୍ତି । ଯଦି ପଚରାଯାଏ ‘କାହା ପାଇଁ ଉତ୍ତମ ?’ ବା ‘କେଉଁଥିପାଇଁ ଉତ୍ତମ ?' ତା’ହେଲେ ଉତ୍ତର ମିଳେ ଯେ ସାହିତ୍ୟକୁ ସାହିତ୍ୟଭାବେ ପଢ଼ିବା, ବ୍ୟାକରଣକୁ ବ୍ୟାକରଣଭାବେ ଓ ଗଣିତକୁ କେବଳ ଗଣିତଭାବେ ହି ଅଧ୍ୟୟନ କରାଯାଇ ପାରିବ କାରଣ ସେଗୁଡ଼ିକର ନିଜସ୍ଵ ଉପାଦେୟତା ଅଛି ଯାହା ପ୍ରଶ୍ନ କରାଯାଇ ପାରିବ ନାହିଁ । ଏପରି ଉତ୍ତର ଦେଉଥିବା ବ୍ୟକ୍ତିମାନଙ୍କୁ ସାଧାରଣତଃ ‘ମାନବବାଦୀ’ କୁହାଯାଇଥାଏ ।

 

ଏପରି ବହୁଶିକ୍ଷକ ଅଛନ୍ତି ଯେଉଁମାନେ କେତେକ ନିର୍ଦ୍ଦିଷ୍ଟ ବିଷୟ ଯଥା : ସେକ୍‍ସ୍‍ପିଅର, ଶିଳ୍ପ ବିପ୍ଳବ କିମ୍ବା ଜ୍ୟାମିତି ପଢ଼ାନ୍ତି କାରଣ ସେହି ବିଷୟକୁ ସେମାନେ ଅଧିକ ଉପଭୋଗ କରିଥାନ୍ତି । ଏବଂ ବାସ୍ତବରେ ସେଥିପାଇଁ ହିଁ ସେମାନେ ଶିକ୍ଷକ ହୋଇଥାନ୍ତି । ଏଥିପାଇଁ ମଧ୍ୟ ସେମାନଙ୍କର ଛାତ୍ରଛାତ୍ରୀମାନେ ଦକ୍ଷ ଶିକ୍ଷାର୍ଥୀ ହୋଇପାରନ୍ତି ନାହିଁ । ଯେଉଁ ଛାତ୍ର ଉଦ୍ଦିଷ୍ଟ ପାଠ ପ୍ରତି କୌଣସି ଆଗ୍ରହ ଦେଖାଏ ନାହିଁ ତାକୁ ‘ମନ୍ଦ’ ଛାତ୍ରଭାବେ ଅଧିକାଂଶ ଶିକ୍ଷକ ଭାବିଥାନ୍ତି । ଆହୁରି ମଧ୍ୟ ଅଧିକାଂଶ ଶିକ୍ଷକ ପାଠ୍ୟ ବିଷୟଗୁଡ଼ିକୁ ଛାତ୍ରଛାତ୍ରୀମାନଙ୍କ ପାଇଁ କେତେକ ଦୃଷ୍ଟିରୁ ଉପଯୋଗୀ ଭାବି ପଢ଼ାଇଥାନ୍ତି ଯାହା ବାସ୍ତବରେ ଉପଯୋଗୀ ହୁଏ ନାହିଁ, କଦାପି ଉପଯୋଗୀ ହୋଇନଥିଲା ବରଂ କେତେକ କ୍ଷେତ୍ରରେ ବିପରୀତ ଫଳ ପ୍ରଦାନ କରିଥିବାର ଯଥେଷ୍ଟ ପ୍ରମାଣ ଅଛି ।

 

ପାଠ୍ୟ ବିଷୟବସ୍ତୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଯେତେ ସବୁ କାରଣ ଦିଆଯାଇଥାଏ ସେସବୁର ଅସୁବିଧା ହେଉଛି ଯେ ସେହି ସବୁ ବିଚାରରୁ ଶିକ୍ଷାର୍ଥୀ ବାଦ୍ ପଡ଼ିଥାଏ । ଏହାକୁ ଅନ୍ୟଭାଷାରେ କହିଲେ ସେସବୁ ବାସ୍ତବତାକୁ ଏଡ଼ାଇ ଯାଇଥାନ୍ତି ।

 

ଉଦାହରଣ ସ୍ୱରୂପ ଇଂରାଜୀ ଭାଷା ଶିକ୍ଷାର ପାଠ୍ୟକ୍ରମ କଥା ବିଚାର କରାଯାଉ । ଅଧିକାଂଶ ଶିକ୍ଷକ ବ୍ୟାକରଣ ଭିତ୍ତିକ (କେତେ ପ୍ରକାରର ବ୍ୟାକରଣ !) । ଇଂରାଜୀ ଶିକ୍ଷା ଉପରେ ଗଭୀର ଆସ୍ଥା ସ୍ଥାପନ କରିଥାନ୍ତି । ଏଥିରେ ଶିକ୍ଷାର୍ଥୀ କେଉଁଠି ଥାଏ ? ତା’ର ଦୁନିଆଁ ଏଥିରେ କେଉଁଠାରେ ପ୍ରତିଫଳିତ ହୋଇଥାଏ କି ? ଆମର ପାଠ୍ୟକ୍ରମ, ପାଠ୍ୟପୁସ୍ତକ ଆଦି ଏପରି ପ୍ରସ୍ତୁତ କରାଯାଇଛି ଯେପରିକି ନିଜ ସମ୍ବନ୍ଧରେ ଏବଂ ସେମାନଙ୍କର ପରିବେଶ ସମ୍ବନ୍ଧରେ ବାସ୍ତବଭାବେ ଜାଣିବା ଠାରୁ ଶିକ୍ଷାର୍ଥୀମାନଙ୍କୁ ଦୂରେଇ ରଖାଯାଇଛି । ଅନ୍ୟ ପ୍ରକାରରେ କହିଲେ ବିଦ୍ୟାଳୟ ବାହାରେ ଥିବା ଦୁନିଆଁର ବିଷୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଅନୁସନ୍ଧାନ କରିବାରେ ଏହି ପାଠ୍ୟକ୍ରମ ଅନୁମତି ଦେଇନଥାଏ । ଏକ ରୋଗୀ ଉପରେ ଅନାବଶ୍ୟକ ଅସ୍ତ୍ରୋପଚାରର ପ୍ରଭାବ ଭଳି ଶିକ୍ଷାର୍ଥୀପାଇଁ କୌଣସି ବିଶେଷ ଆବଶ୍ୟକତା ନଥାଇ ଏକ ବିଷୟ ଶିକ୍ଷାଦାନ କଲେ ତା’ର ଜୀବନ ଉପରେ ଅଭାବନୀୟ ପ୍ରଭାବ ପଡ଼ିଥାଏ । ଏହା କ୍ରମଶଃ ଶିକ୍ଷାର୍ଥୀଙ୍କର ଶିକ୍ଷା ପ୍ରକ୍ରିୟା ପ୍ରତି ବିପର୍ଯ୍ୟୟ ସୃଷ୍ଟିକାରୀ ପ୍ରତିକୂଳ ମନୋଭାବ ସୃଷ୍ଟି କରିଥାଏ । ସେ ହୃଦୟଙ୍ଗମ କରେ ଯେ ବିଦ୍ୟାଳୟ ସମ୍ବନ୍ଧରେ ତାଙ୍କୁ ଯାହା ଭାବିବାକୁ କୁହାଯାଉଛି, ତାହା ସହିତ ସେ କ’ଣ ଭାବିବାକୁ ଶିକ୍ଷା କରିବା ଆବଶ୍ୟକ ଅଛି ତାହାର କୌଣସି ସମ୍ପର୍କ ନାହିଁ । ସେଥିପାଇଁ ଔପରରିକ ଶିକ୍ଷାରୁ ତା’ର ଗୁରୁତ୍ୱପୂର୍ଣ୍ଣ ନିଜକୁ ଦୂରେଇ ଦେଇଥାଏ । ଏପରି ପ୍ରତିକୂଳ ମନୋଭାବର ପ୍ରତିଫଳନ ଆମେ ଜର୍ଜ ବର୍ଣ୍ଣାଡଶଙ୍କର ଉକ୍ତିରେ ଲକ୍ଷ୍ୟ କରିବା । ସେ କହିଥିଲେ ଯେ ତାଙ୍କର ଶିକ୍ଷା କେବଳ ଗୋଟିଏ ସମୟରେ ବାଧାପ୍ରାପ୍ତ ହୋଇଥିଲା ଯେତେବେଳେ ସେ ବିଦ୍ୟାଳୟରେ ଥିଲେ । (ପୃ-୫୭) ।

 

ଯେଉଁ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ଗୋଟିଏ ସମସ୍ୟାକୁ ନିଜର ସମସ୍ୟାଭାବେ ଗଣନା କରି ନଥାଏ ବା ଯାହା ଶିଖିବାକୁ ଥାଏ ତାହା ଶିଖିବା ଯୋଗ୍ୟ ବୋଲି ବିଚାର କରି ନଥାଏ ଏବଂ ଯଦି ସେ ସମସ୍ୟାର ସମାଧାନରେ ସକ୍ରିୟ ଅଂଶଗ୍ରହଣ କରିନଥାଏ, ସେ ପର୍ଯ୍ୟନ୍ତ ଶିକ୍ଷାର୍ଥୀକୁ ଶୃଙ୍ଖଳିତ, ସକ୍ରିୟ ଏବଂ ଶିକ୍ଷଣରେ ସଂପୂର୍ଣ୍ଣଭାବେ ମଗ୍ନହେବା ପାଇଁ କୌଣସି ପ୍ରକାର ସାହାଯ୍ୟ କରିହେବ ନାହିଁ । ପାଠ୍ୟକ୍ରମରେ ବିଷୟବସ୍ତୁଗୁଡ଼ିକ ଶିକ୍ଷାର୍ଥୀ ପାଇଁ ପ୍ରାସଙ୍ଗିକ ନହେଲେ ଏବଂ ନିଜ ପାଇଁ ବିଷୟବସ୍ତୁର ସାର୍ଥକତା ଶିକ୍ଷାର୍ଥୀ ଅନୁଭବ ନକଲେ, ତାହାକୁ ଗୋଷ୍ଠୀର ଅନ୍ୟମାନେ ଯେତେ ଉଚ୍ଚକୋଟିର ବିଷୟ ଭାବେ ବିଚାର କଲେ ମଧ୍ୟ ସେଥିରୁ ଶିକ୍ଷଣର ସମ୍ଭାବନା ଖୁବ୍-କମ୍ ହୋଇଥାଏ । ଏହା କହିଲେ ବହୁ ପ୍ରଭାବଶାଳୀ ବ୍ୟକ୍ତି ବିରକ୍ତି ପ୍ରକାଶ କରିବା କିଛି ଅସମ୍ଭବ ନୁହେଁ-। କାରଣ ଅପ୍ରାସଙ୍ଗିକ ବିଦ୍ୟାଳୟ ପାଠ୍ୟକ୍ରମ ଚାଲୁରଖିବାରେ ସେମାନେ ନିର୍ଭରଶୀଳ । ସେମାନେ ଯେ ଶିକ୍ଷାରେ ନୂତନତ୍ୱର ସଂପୂର୍ଣ୍ଣ ବିରୋଧୀ ଏକଥା କୁହାନଯାଇପାରେ । ବରଂ ସେମାନେ ଶିକ୍ଷାରେ ଅଭିନବ ତକ୍‌ନିକିର ପ୍ରୟୋଗକୁ ଦୃଢ଼ ସମର୍ଥନ ଜଣାଇଥାନ୍ତି । ଶୈକ୍ଷିକ ଟେଲିଭିଜନ କାର୍ଯ୍ୟକ୍ରମର ବ୍ୟବହାର, ଦଳଗତ ଶିକ୍ଷାଦାନ, ଅଧିକ ପାଠ୍ୟପୁସ୍ତକ, ଶିକ୍ଷାଦାନ ମେସିନ୍‌ର ପ୍ରଚଳନ ଓଭରହେଡ୍ ପ୍ରୋଜେକ୍ଟର ଆଦି ଯାହାର ଫଳପ୍ରଦ ଶିକ୍ଷଣରେ କୌଣସି ଭୂମିକା ନଥାଏ ସେସବୁର ବହୁଳ ବ୍ୟବହାର ଉପରେ ସେମାନେ ଜୋର୍ ଦେଇଥାନ୍ତି । ଏ ସମ୍ପର୍କରେ ପାର୍କିନ୍‍ସନଙ୍କର ତୁଚ୍ଛତାନିୟମ (Law of Triviality)ର ଏକ ବିକଳ୍ପ, ଉକ୍ତି ପ୍ରଣିଧାନଯୋଗ୍ୟ । ଏକ ଅଭିନବ ଶିକ୍ଷା ପ୍ରତି ଗୋଷ୍ଠୀ ପ୍ରଦର୍ଶିତ ଉତ୍ସାହ ସେହି ଶିକ୍ଷଣ ପ୍ରକ୍ରିୟାର ଗୁରୁତ୍ୱ ସହିତ ବିପରୀତ ସମାନୁପାତୀ ଅଟେ । (ପୃ.–୬୩)

 

କ’ଣ ଜାଣିବା ଯୋଗ୍ୟ :

 

ମନେକରାଯାଉ ବିଦ୍ୟାଳୟର ପାଠ୍ୟକ୍ରମ, ସିଲାବସ୍‌, ପାଠ୍ୟପୁସ୍ତକ ଆଦି ସବୁ ବିଦ୍ୟାଳୟର ସମସ୍ତ ସାଧାରଣ ଉପାଦାନମାନ ହଜିଗଲା ବା ଅଦୃଶ୍ୟ ହୋଇଗଲା ବା ଆଦୌ ନଥିଲା । ଏବଂ ମନେକରାଯାଉ ଯେ ଏହି ‘ବିପର୍ଯ୍ୟୟ’କୁ ଆପଣ ବିଦ୍ୟାଳୟର ପ୍ରାସଙ୍ଗିକତା ବୃଦ୍ଧି କରିବାର ଏକ ସୁଯୋଗରେ ପରିଣତ କରିବା ପାଇଁ ଆପଣ ନିଷ୍ପତ୍ତି ନେଲେ । ତା’ହେଲେ ଆପଣ କ’ଣ କରିବେ ?

 

ଆପଣଙ୍କ ବିଚାର ପାଇଁ ଆମେ ଏକ ପ୍ରସ୍ତାବ ରଖୁଛୁ : ମନେକରନ୍ତୁ ଆପଣ ନିଷ୍ପତ୍ତି ନେଲେ ଯେ ସମଗ୍ର ‘ପାଠ୍ୟକ୍ରମ’ କେବଳ ପ୍ରଶ୍ନମାନଙ୍କ ଦ୍ଵାରା ଗଠିତ ହେବ । ଏହି ପ୍ରଶ୍ନର ଉତ୍ତର ଖୋଜିବା ସାର୍ଥକ ହେବ କେବଳ ଆପଣଙ୍କ ଦୃଷ୍ଟିକୋଣରୁ ନୁହେଁ ବରଂ ଶିକ୍ଷାର୍ଥୀମାନଙ୍କ ଦୃଷ୍ଟିକୋଣରୁ । ଏହି ପ୍ରଶ୍ନଗୁଡ଼ିକ ବର୍ତ୍ତମାନର ଓ ଭବିଷ୍ୟତର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ତିଷ୍ଠି ରହିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସେହିପରି ପ୍ରତ୍ୟୟ ଗୁଡ଼ିକର ବିକାଶ ଓ ଅନ୍ତଃକରଣ କରିବାରେ ସହାୟକ ହେବ । ପ୍ରାଥମିକ ବିଦ୍ୟାଳୟ ସ୍ତରର ଶିକ୍ଷାର୍ଥୀମାନଙ୍କ ସହ ଏଭଳି ପ୍ରଶ୍ନ ପ୍ରସ୍ତୁତି କରିବାର ଚେଷ୍ଟା କରିଛୁ ଏବଂ ବେଶ୍ ଉତ୍ସାହଜନକ ଫଳାଫଳ ପାଇଛୁ । ଆମର ପ୍ରସ୍ତାବିତ ‘କ’ଣ-ଜାଣିବା ଯୋଗ୍ୟ ପ୍ରଶ୍ନାବଳୀ ପାଠ୍ୟକ୍ରମ’ର କେତେକ ବିଶେଷ ଲକ୍ଷଣ ସମ୍ପର୍କରେ ଏଠାରେ ସୂଚନା ଦେବା ଆବଶ୍ୟକ । ଉଦାହରଣ ସ୍ଵରୂପ, ଏଥିରେ ଥିବା ପ୍ରତ୍ୟେକ ପ୍ରଶ୍ନ ଏକ ନିର୍ଦ୍ଦିଷ୍ଟ ଉତ୍ତର ମୂଳକ ନହୋଇ, କେନ୍ଦ୍ରାପସାରୀ (divergent) ଏବଂ ମୁକ୍ତାନ୍ତ (Open ended) ହେବ ଯାହାକି ଶିକ୍ଷାର୍ଥୀଙ୍କୁ ଅଧିକ ଲକ୍ଷ୍ୟାଭିମୁଖୀ କରିପାରିବ । ଶିଖିବାର ପ୍ରକ୍ରିୟାକୁ କିପରି ଶିଖିପାରିବ ସେଥିପାଇଁ ପ୍ରତ୍ୟେକ ଜାଣିବା-ଯୋଗ୍ୟ ପ୍ରଶ୍ନକୁ ଆହୁରି ଅନେକ ଉତ୍ତର ଦେଇ ହେଉଥିବା ଜାଣିବା-ଯୋଗ୍ୟ ପ୍ରଶ୍ନରେ ବିଭକ୍ତ କରିହେଉଥିବ । ଅଧକାଂଶ ସହଜରେ ଶିଖି ପାରନ୍ତି ନାହିଁ (ବିଶେଷକରି ବିଦ୍ୟାଳୟରେ ତ କଦାପି ନୁହେଁ) ଯେ ଅଧିକାଂଶ ପ୍ରଶ୍ନର ଉତ୍ତର ହେଉଛି ଅନ୍ୟ ଏକ ପ୍ରଶ୍ନ । ଆମେ ଯେଉଁଭଳି ପ୍ରଶ୍ନ କହୁଛୁ କେବଳ ସେସବୁ ପ୍ରଶ୍ନ ପାଇଁ ନୁହେଁ, ଏହା ମଧ୍ୟ ସାଧାରଣ ପ୍ରଶ୍ନ ଯଥା ‘ବିଶେଷ୍ୟ କ’ଣ ?' ‘କିଏ ଅମ୍ଳଜାନ ଆବିଷ୍କାର କରିଥିଲେ ?' ଭଳି ପ୍ରଶ୍ନମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ-

 

ଆମର ପ୍ରଶ୍ନାବଳୀ ପାଠ୍ୟକ୍ରମର ପ୍ରଶ୍ନ ସବୁର ଲକ୍ଷଣ ଖୋଜିବା ସହିତ ଏଭଳି ପ୍ରଶ୍ନର ଅବତାରଣା କରିବାର କ୍ଷମତା ଥିବ ଯାହା ସମ୍ପର୍କରେ ଶିକ୍ଷାର୍ଥୀ ଆଦୌ ସଚେତନ ହୋଇନଥିବ । ଅନ୍ୟଭାଷାରେ କହିଲେ କେନ୍ଦ୍ରାପସାରୀ ପ୍ରଶ୍ନଗୁଡ଼ିକ ‘ଚେତନା ସଂପ୍ରସାରଣ’ର ଆୟୁଧ ଅଟନ୍ତି । ଏହାକୁ ବୁଝାଇବା ପାଇଁ ଲେଖକମାନେ ଜଣେ ଶିକ୍ଷକ ଓ ତାଙ୍କର ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ କାଳ୍ପନିକ ସୁଦୀର୍ଘ ଆଲୋଚନା ବର୍ଣ୍ଣନା କରିଛନ୍ତି (ପୃ-୭୫-୭୯) । ‘ଭାଷା କ’ଣ’ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ପ୍ରଶ୍ନ ପ୍ରସ୍ତୁତ କରିବାକୁ ଯାଇ ଗୋଟିଏ ଦଳ ଶିକ୍ଷାର୍ଥୀ ‘ଭାଷା ବ୍ୟବସ୍ଥା କ’ଣ ?’ ବିଭିନ୍ନ ପ୍ରକାର ଭାଷା ବ୍ୟବସ୍ଥାର ଲକ୍ଷଣମାନ କ’ଣ ?’ ଆଦି ପ୍ରଶ୍ନ ସୃଷ୍ଟି କରିଛନ୍ତି ଏବଂ ଦୁଇସପ୍ତାହ ମଧ୍ୟରେ ସେହି ଦଳ ପ୍ରାୟ ଶତାଧିକ ପ୍ରଶ୍ନ ପ୍ରସ୍ତୁତ କରି ସେସବୁକୁ ନିମ୍ନୋକ୍ତ ପାଞ୍ଚଟି ଶ୍ରେଣୀରେ ବର୍ଗୀକରଣ କରିପାରିଛନ୍ତି :

 

• ବିଜ୍ଞାପନରେ ବ୍ୟବହୃତ ଭାଷା

 

• ସମ୍ବାଦ ପରିବେଷଣର ଭାଷା

 

• ରାଜନୀତିର ଭାଷା

 

• ଧର୍ମ ଏବଂ ପ୍ରାର୍ଥନାରେ ବ୍ୟବହୃତ ଭାଷା

 

• ବିଜ୍ଞାନର ଭାଷା

 

ଏହି ପ୍ରଶ୍ନକୁ ପ୍ରସ୍ତୁତ କରି ସେସବୁର ଉତ୍ତର ଦେବାକୁ ଯାଇ ସେମାନେ କେବଳ ଅଧିକ ପ୍ରଶ୍ନ ସୃଷ୍ଟି କରିପାରନ୍ତି ସେତିକି ନୁହେଁ, ପ୍ରଚଳିତ ବିଷୟ ଭିତ୍ତିକ ପାଠ୍ୟକ୍ରମର ଅସାରତା ପ୍ରତିପାଦନ କରିପାରନ୍ତି । ପ୍ରଥମ ସାଧାରଣ କଥାଟି ହେଲା କେଉଁ ବିଷୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ତାର କାରଣ ନିର୍ଣ୍ଣୟ କରିବା ଅତ୍ୟନ୍ତ କଷ୍ଟକର । ଇତିହାସ, ଭୂଗୋଳ ଏଠାରେ କାହିଁକି ରହିବ ବା ନୃତତ୍ତ୍ୱ ଓ ଭାଷା, ମନୋବିଜ୍ଞାନ କାହିଁକି ରହିବ ନାହିଁ ସେସବୁର କିଛି ବିଶ୍ୱସନୀୟ କାରଣ ଅଛି କି ? ପାରମ୍ପରିକ ପାଠ୍ୟକ୍ରମରେ ବିଷୟବସ୍ତୁ ଚୟନ ଯେ ସଂପୂର୍ଣ୍ଣ ଖାମ୍‌ଖିଆଲି ଅଟେ, ଏହି ଅନୁଭବରୁ ମୁକ୍ତି ମିଳିବା ଆଦୌ ସହଜ ନୁହେଁ ।

 

ଆମର ନୂତନ ପାଠ୍ୟକ୍ରମରେ ବିଷୟବସ୍ତୁ ଗୁଡ଼ିକର ବିଘଟନର ଦ୍ୱିତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଯାହା ଅଧିକ ସୁକ୍ଷ୍ମ ଏବଂ ଶକ୍ତିଶାଳୀ ଅଟେ । ଜାଣିବା-ଯୋଗ୍ୟ ପ୍ରଶ୍ନ ପଚାରିବା ଉପରେ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ଧ୍ୟାନ କେନ୍ଦ୍ରୀଭୂତ ହେବାଦ୍ୱାରା ବିଷୟବସ୍ତୁମାନଙ୍କ ମଧ୍ୟରେ ଥିବା ସମ୍ପର୍କମାନେ ସିଧାସଳଖ ଅନ୍ୱେଷଣ କରିବା ସମ୍ଭବ ହୋଇଥାଏ । ଏହା ବହୁ ସମୟରେ ଜ୍ଞାନ ସମ୍ପର୍କରେ ନୂତନ ଏବଂ ମୌଳିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥାଏ । ପାରମ୍ପରିକ ପାଠ୍ୟକ୍ରମରେ ଜ୍ଞାନର ବିଭାଗୀକୃତ ଦୃଷ୍ଟିଭଙ୍ଗୀଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ ।

 

ଏଠାରେ ଆମେ ଜେରମ ବ୍ରୁନର୍-ଙ୍କ ଠାରୁ ଭିନ୍ନମତ ପୋଷଣ କରୁ । ଶିକ୍ଷାର୍ଥୀମାନେ ଗୋଟିଏ ‘ବିଷୟର ସଂଗଠନ’ (structure) କିପରି ବୁଝିପାରିବେ ସେଥିପାଇଁ ବ୍ରୁନର୍ ଏକ ଶିକ୍ଷାଦାନର ଆବିଷ୍କାର ବା ପ୍ରଶ୍ନ-ପଚାରିବା ପନ୍ଥା ବୟାନ କରିଛନ୍ତି । ଏଠାରେ ଲକ୍ଷ୍ୟ କରିବାର କଥା ଯେ ଆବିଷ୍କାର ପଦ୍ଧତିମାନ ବ୍ୟବହାର କରିବା ବେଳେ ‘ବିଷୟ’କୁ ସୁନିର୍ଦ୍ଦିଷ୍ଟ ନକରିବା ପାଇଁ ସେ କୌଣସି କାରଣ ଦେଖିନାହାନ୍ତି । ତାଙ୍କ ରଚିତ The Process of Education ରେ ଲେଖନ୍ତି, ‘କୌଣସି ଏକ ନିର୍ଦ୍ଦିଷ୍ଟ ବିୟସରେ ପିଲାକୁ ଏକ ବିଷୟ ପଢ଼ାଇବା କାର୍ଯ୍ୟ ହେଉଛି ସେହି ବିଷୟର ସଂଗଠନ(structure)ରୁ ପିଲାଟି କିପରି ଦୁନିଆଁକୁ ଦେଖେ ସେହିଭଳି ଉପସ୍ଥାପନା କରିବା ।’ ବ୍ରୁନର ବୋଧହୁଏ ଚିନ୍ତା କରନ୍ତି ଯେ ଏକ ବିଷୟ ହେଉଛି ଏକ ନିର୍ଦ୍ଦିଷ୍ଟ ଅପରିବର୍ତ୍ତନୀୟ ତଥ୍ୟ ଖଣ୍ଡ ଗୁଡ଼ିକର ‘ସୁସଂଗଠିତ’ ସଂଗ୍ରହର ଏକ ନିବୁଜ ପରିସଂସ୍ଥା । (ପୃ-୮୧)

 

ଆମେ ଜ୍ଞାନର ଏଭଳି ଧାରଣାକୁ ଅତ୍ୟନ୍ତ ଯାନ୍ତ୍ରିକ ବୋଲି ବିଚାର କରୁ । ଆମେ ବିଚାର କରୁ ଯେ ଯଦିବା କେଉଁଥିରେ କିଛି ସଂଗଠନ ଅଛି ତାହା ସଂଗଠକ ଅର୍ଥାତ୍ ଶିକ୍ଷାର୍ଥୀର ବୌଦ୍ଧିକ ପ୍ରକ୍ରିୟାର ଫଳାଫଳ ଅଟେ । ଏଠାରେ ହାଇଜେନ୍‌ବର୍ଗଙ୍କର ଉକ୍ତ ପ୍ରଣିଧାନଯୋଗ୍ୟ, ଆମକୁ ମନେରଖିବାକୁ ହେବ ଯେ ଆମେ ଯାହା ପର୍ଯ୍ୟବେକ୍ଷଣ କରୁ ତାହା ପ୍ରକୃତିର ନିଜସ୍ୱ ନୁହେଁ, ବରଂ ଆମେ ପଚାରୁଥିବା ପ୍ରଶ୍ନର ଉତ୍ତର ଭାବେ ପ୍ରକୃତି ଯେପରି ଆମକୁ ଦେଖାଯାଇଥାଏ ।’ ଅନ୍ୟଭାବରେ କହିଲେ ଆମର ପରିବେଶର ଆମେ କୌଣସି ଅର୍ଥ ପାଇନଥାଉ, ବରଂ ଆମେ କେବଳ ଏହାକୁ ଅର୍ଥ ଦେଇଥାଉ । (We do not get meaning from our environment. We assign meanings) (ପୃଷ୍ଠା ୮୨)

 

ଏଥିରୁ ସ୍ପଷ୍ଟ ହୁଏ ଯେ କୌଣସି ବିଷୟରେ ଯେଉଁ ସଂଗଠନ ପରିଦୃଷ୍ଟ ହୁଏ, ତାହା କେବଳ କେତେକ ପ୍ରତ୍ୟକ୍ଷକାରୀଙ୍କର ଦୃଷ୍ଟିଭଙ୍ଗୀ ଅଟେ । ସଂଗଠନଟିର ପ୍ରସ୍ତୁତି, ଆବିଷ୍କାର ଏବଂ କଳ୍ପନା ଜଣେ ପ୍ରତ୍ୟକ୍ଷକାରୀଙ୍କ ଦ୍ୱାରା ହିଁ ହୋଇଥାଏ । ପ୍ରଚଳିତ ପୁରୁଣା ଶିକ୍ଷାବ୍ୟବସ୍ଥାରେ ପିଲାକୁ ଶିଖାଇବା ଅର୍ଥ ହେଉଛି ତା’କୁ ବସ୍ତୁ ଏବଂ ସମ୍ପର୍କମାନଙ୍କୁ ଯେଉଁଭଳି ଅଧିକାରୀମାନେ ପ୍ରତ୍ୟକ୍ଷ କରିଛନ୍ତି ଠିକ୍ ସେହିଭଳି ପ୍ରତ୍ୟକ୍ଷ କରିବା ପାଇଁ ନିର୍ଦ୍ଦେଶନା ଦେବା । ଶିକ୍ଷକ ଯେଉଁଭଳି ଇଚ୍ଛା କରନ୍ତି ସେହିଭଳି ଦେଖିବା ପାଇଁ ପିଲାଙ୍କୁ ଶିକ୍ଷା ଦିଆଯାଏ, କାରଣ ତାହାହିଁ କେବଳ ବିଷୟଟିର ଲକ୍ଷଣ ବୋଲି ଅନ୍ୟମାନେ ସ୍ଥିର କରିଛନ୍ତି । ଏହାକୁ ଆମେ ପ୍ରଲୋଭନକାରୀ (seductive) ପଦ୍ଧତି ବୋଲି ନାମ ଦେଇପାରିବା ।

 

ଆମର ପ୍ରଶ୍ନାବଳୀ ପାଠ୍ୟକ୍ରମରେ ବିଷୟଗୁଡ଼ିକ ବାରମ୍ବାର ସେମାନଙ୍କର ସ୍ପଷ୍ଟ ଏବଂ ମନମୁଖୀ ନିର୍ଦ୍ଦିଷ୍ଟ ପରିସରଗୁଡ଼ିକୁ ହରାଇଥାନ୍ତି । ବିଷୟର ସଂଗଠନ’ ସମ୍ପର୍କରେ କମ୍ କହି ‘ଶିକ୍ଷାର୍ଥୀର ସଂଗଠନ ଓ ତା’ର ଶିକ୍ଷଣ’ ସମ୍ବନ୍ଧରେ ଅଧିକ କହିବା ଆବଶ୍ୟକ ।

 

ଆମର ପ୍ରଶ୍ନାବଳୀ ପାଠ୍ୟକ୍ରମର ଅନ୍ୟ ଦୁଇଟି ଲକ୍ଷଣ ସମ୍ପର୍କରେ ଏଠାରେ କହିବା ଉଚିତ ହେବ । ପ୍ରଥମଟି ହେଉଛି ସଦ୍ୟତମ ଆବିଷ୍କୃତ (ଉଦ୍ଭାବିତ !) ଅନଗ୍ରସର ପିଲାଙ୍କ ସମ୍ପର୍କରେ । ସାଧାରଣଭାବେ କହିଲେ ଏମାନେ ଅନ୍ୟପିଲାମାନଙ୍କଠାରୁ ଧୀରଗାମୀ ଶିକ୍ଷାର୍ଥୀ ହୋଇଥାନ୍ତି । ଏହା ଯଦି ସତ୍ୟ ହୋଇଥାଏ, ତା’ ହେଲେ ଏହାର ସରଳ ଅର୍ଥ ହେଉଛି ବର୍ତ୍ତମାନର ବିଦ୍ୟାଳୟ ପରିବେଶରେ ଏହି ପିଲାମାନେ ଅନ୍ୟମାନଙ୍କ ଭଳି କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ । ଏଥରୁ ଧରାଯାଇ ପାରିବ ନାହିଁ ଯେ ଯଦି ବିଦ୍ୟାଳୟ ପରିବେଶ ସଂପୃକ୍ତ ଭିନ୍ନ ହୋଇଥାନ୍ତା, ଏହି ଅନଗ୍ରସର ପିଲାମାନେ ସମସ୍ୟା ଭାବେ ରହିଥାନ୍ତେ । ହାଇଜେନ୍‌ବର୍ଗଙ୍କର ଉକ୍ତିକୁ ଭିନ୍ନ ଭାବରେ ବ୍ୟକ୍ତ କଲେ ଏହି ଧାରଣା ଅଧିକ ସ୍ପଷ୍ଟ ହେବ, ‘ଆମକୁ ମନେରଖିବାକୁ ହେବଯେ ପିଲାମାନେ ବିଦ୍ୟାଳୟରେ ଯାହା କରୁଥିବାର ପର୍ଯ୍ୟବେକ୍ଷଣ କରୁ ତାହା ସେମାନଙ୍କର ନିଜସ୍ୱ ନୁହେଁ, ବରଂ ଆମର ଶିକ୍ଷାଦାନ ପଦ୍ଧତି ଦ୍ଵାରା ସେମାନେ କ’ଣ କରୁଥାନ୍ତି ତାହାହିଁ ଦେଖାଯାଇଥାଏ ।’

 

ଦ୍ୱିତୀୟତଃ, ଆମେ ଯେଉଁ ପ୍ରକାର ପ୍ରଶ୍ନର ପ୍ରସ୍ତାବନା କରିଛୁ, ପ୍ରତ୍ୟେକ ଶ୍ରେଣୀର ପିଲାମାନେ ସେଗୁଡ଼ିକର ଉତ୍ତର ଦେବାରେ ସମର୍ଥ ହେବେ । ସେଗୁଡ଼ିକର ଏବଂ ଉତ୍ତର ଦେବାର ପ୍ରଣାଳୀ ପିଲାମାନଙ୍କର ଅଭିଜ୍ଞତା ଅନୁସାରେ ଭିନ୍ନ ହେବ । ସେମାନେ କେଉଁଠାରେ ଅଛନ୍ତି, ସେମାନଙ୍କର ବିଶ୍ୱାସ କ’ଣ ଓ ସେମାନଙ୍କର ଉଦ୍ଦେଶ୍ୟ କ’ଣ ଏହି ସବୁ ଅଭିଜ୍ଞତା ସେମାନଙ୍କର ଉତ୍ତରକୁ ପ୍ରଭାବିତ କରିବ । ଏହି ପାଠ୍ୟକ୍ରମ କୌଣସି ଗୋଟିଏ ସେଟ୍ ଉତ୍ତର ଉପରେ ଗୁରୁତ୍ୱ ଦିଏ ନାହିଁ, ସେଥିପାଇଁ ଏହା ଗୋଟିଏ ସେଟର ଉତ୍ତରଦାତା ମଧ୍ୟ ଆଶାକରେ ନାହିଁ ।

 

କ’ଣ ଜାଣିବା-ଯୋଗ୍ୟ-ପ୍ରଶ୍ୱାବଳୀ ପାଠ୍ୟକ୍ରମର କାର୍ଯ୍ୟ ଦୁଇଟି ଧାରଣା ଉପରେ ସ୍ପଷ୍ଟଭାବେ ଗୁରୁତ୍ୱ ପ୍ରଦାନ କରିଥାଏ । ପ୍ରଥମଟି ହେଉଛି ଯେ ପ୍ରଶ୍ନ ପରରିବାର କଳା ଓ ବିଜ୍ଞାନ ସମସ୍ତ ଜ୍ଞାନର ଉତ୍ସ ଅଟେ । ଦ୍ୱିତୀୟଟି ହେଉଛି ପ୍ରଶ୍ନ ପଚାରିବା ଶୈଳୀ । ଗତାନୁଗତିକ ଏବଂ ଅବାସ୍ତବ ନହୋଇ ଶିକ୍ଷାର୍ଥୀଙ୍କ ଦ୍ଵାରା ଅନୁଭୂତ ବାସ୍ତବ ଏବଂ ଉପଯୋଗୀ ସମସ୍ୟା ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ । କ’ଣ ପ୍ରାସଙ୍ଗିକ ସମ୍ପର୍କରେ ପିଲାମାନଙ୍କ ଧାରଣା ଯେ ନିର୍ଦ୍ଦିଷ୍ଟ ଏବଂ ଅପରିବର୍ତ୍ତନୀୟ ଆମେ ସେ କଥା କହୁନାହିଁ । ବରଂ ଆମେ ଯେଉଁ ପାଠ୍ୟକ୍ରମ କଥା କହୁଛୁ ତାହା କ’ଣ ପ୍ରାସଙ୍ଗିକ ଓ କ’ଣ ପ୍ରାସଙ୍ଗିକ ନୁହେଁ ସେ ସମ୍ପର୍କରେ ପିଲାର ଧାରଣାକୁ ଆହୁରି ସଂପ୍ରସାରଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ।

 

ସରଳଭାଷାରେ କହିଲେ, ଜଣେ ଶିକ୍ଷାର୍ଥୀ ବିନା ଶିକ୍ଷଣ ସମ୍ଭବ ନୁହେଁ । ଏବଂ ଜଣେ ଅର୍ଥକାରୀ ବିନା ଅର୍ଥ ସମ୍ଭବ ନୁହେଁ । ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆଁରେ ତିଷ୍ଠି ରହିବା ପାଇଁ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଯୋଗ୍ୟ ଅର୍ଥମାନ କିପରି ପ୍ରସ୍ତୁତ କରାଯାଇପାରିବ ସେହି ପ୍ରକ୍ରିୟାକୁ ଜାରି ରଖିବା ବ୍ୟତୀତ ଅନ୍ୟ କୌଣସି ଯୋଗ୍ୟ ଜ୍ଞାନ ନାହିଁ ।

 

ଅର୍ଥ ପ୍ରସ୍ତୁତି (Meaning Making) :

 

ଆମେ ବାରମ୍ବାର ଗୁରୁତ୍ୱ ଦେଇଆସୁଛୁ ଯେ ନୂତନ ଶିକ୍ଷା ନୂତନ ଅଟେ କାରଣ ଏହା କୌଣସିଥିରୁ ଅଧିକ ପ୍ରଦାନକରେ ବୋଲି ନୁହେଁ, ବରଂ ଏହା ଏକ ସଂପୂର୍ଣ୍ଣ ନୂତନ ଧନ୍ଦା ସୃଷ୍ଟି କରେ : ମୌଳିକତଃ ଅବସ୍ତୁ ଚିହ୍ନଟକରଣ ଓ ପ୍ରାସଙ୍ଗିକ ଧନ୍ଦା । ଶିକ୍ଷକମାନଙ୍କୁ ସେମାନଙ୍କର ଉଚିତ ଧନ୍ଦା ବିଷୟରେ ପ୍ରବର୍ତ୍ତାଇବାରେ କେତେକ ସମସ୍ୟା ଉପୁଜିଥାଏ । କିନ୍ତୁ ଶିକ୍ଷକମାନେ ନିଜର ଜୀବିକାଭାବେ କ’ଣ କରୁଛନ୍ତି ସେ ସମ୍ପର୍କରେ ସେମାନଙ୍କର କୌଣସି ସୁନିର୍ଦ୍ଦିଷ୍ଟ ମତାମତ ନାହିଁ । ମନୁଷ୍ୟର ମନ ସମ୍ପର୍କରେ ସେମାନଙ୍କର ଧାରଣା ଏହାର ଏକ ସ୍ପଷ୍ଟ ଉଦାହରଣ । ମଣିଷର ମନ ଏକ ଅନ୍ଧକାର କୋଠରୀ ଯାହାକୁ ଆଲୋକିତ କରିବାକୁ ହେବ, ଏକ ଶୂନ୍ୟପାତ୍ର ଯାହାକୁ ଭରିବାକୁ ହେବ, ଏକ ମାଟିର ଗୁଳା ଯାହାକୁ ନିର୍ଦ୍ଦିଷ୍ଟ ଆକାର ଦେବାକୁ ହେବ, ଏକ ଚାରାଗଛପୂର୍ଣ୍ଣ ବଗିଚା ଯାହାକୁ ସାର ଦେଇ ଚାଷ କରିବାକୁ ହେବ, ଏକ ପୃଥୁଳ ମାଂସପେଶୀ ଯୁକ୍ତ ଅଙ୍ଗ ଯାହାକୁ ବ୍ୟାୟାମ ଦ୍ଵାରା କାର୍ଯ୍ୟକ୍ଷମ କରିବାକୁ ହେବ ଇତ୍ୟାଦି ଭାବେ ଚିନ୍ତା କରାଯାଏ । ତଦନୁଯାୟୀ ଜଣେ ଶିକ୍ଷକ ନିଜକୁ ଆଲୋକ ଧନ୍ଦା, ପାତ୍ରଭରିବାଧନ୍ଦା, ମଡେଲ ନିର୍ମାଣ ଧନ୍ଦା କିମ୍ବା ବଗିଚାର ମାଳି ଧନ୍ଦା ଆଦିରେ ନିୟୋଜିତ କରିଥାନ୍ତି ବୋଲି ଆମେ ଭାବିବା ଅଯଥାର୍ଥ କି ? ଜନ୍-ଡୁଇ ଏବଂ ଆର୍ଥରବେଣ୍ଟ୍‍ଲିଙ୍କ କହିବା ଅନୁଯାୟୀ ଆମେ ବାସ୍ତବତାର ନିକଟତର ହେବ ଯଦି ମନ (ଏକ ପଦାର୍ଥ) ବଦଳରେ ମନନ (minding) କରିବା (ଏକ ପ୍ରକ୍ରିୟା) କଥା କହିବା । ଏକ ବିଶେଷ୍ୟ ପଦଭାବେ ମନକୁ ବିଭିନ୍ନ ପ୍ରକାରର ଅସଂଲଗ୍ନ ଏବଂ ବିଭକ୍ତ ଖଣ୍ଡଭାବେ ବିଚାର କରାଯାଇଥାଏ । ଏପରି ବିଚାରର ବଶବର୍ତ୍ତୀ ହୋଇ ଆମେ ବହୁସମୟରେ କହିଥାଉ ଯେ ବିଦ୍ୟାଳୟ ପିଲାର ବୁଦ୍ଧି ସହିତ ସଂପୃକ୍ତ ହୋଇଥାଏ ଓ ପରିବାର ତା’ର ଆବେଗ ଓ ଧର୍ମାନୁଷ୍ଠାନ ତାର ଆତ୍ମାର ଯତ୍ନ ନେଇଥାନ୍ତି (ଏବଂ ଡାକ୍ତରଖାନା ତା’ର ଯକୃତର ଯତ୍ନ ନେଇଥାନ୍ତି !) । କିନ୍ତୁ ମନୁଷ୍ୟର ମନନ ପ୍ରକ୍ରିୟା ଏକ ସ୍ଵୟଂ ସଂପୂର୍ଣ୍ଣ, ବିଭକ୍ତ ଖଣ୍ଡ ନୁହେଁ । ଏଭଳି କେହିଜଣେ ନାହାନ୍ତି ଯିଏ ଚିନ୍ତା କରୁଥିବା ସମୟରେ ଆବେଗ, ଆଧ୍ୟାତ୍ମିକ ଏବଂ ଶାରୀରିକ ଦିଗପ୍ରତି ସଂପୂର୍ଣ୍ଣ ନିଷ୍କ୍ରିୟ ଥିବେ । କିନ୍ତୁ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କର ସଂପୂର୍ଣ୍ଣ ବିକାଶ ପ୍ରତି ଦୃଷ୍ଟି ଦିଆନଯାଇ କେବଳ ବୌଦ୍ଧିକ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇ ଆସୁଅଛି । ଏହାଦ୍ଵାରା ଅନେକ ଗୁରୁତ୍ୱପୂର୍ଣ୍ଣ ମାନବୀୟ ଗୁଣର ବିକାଶ ଆମର ଅଲକ୍ଷ୍ୟରେ ସମ୍ଭବ ହୋଇପାରେ ନାହିଁ । ଏଥିରେ ‘ପୂର୍ଣ୍ଣାଙ୍ଗ ଶିଶୁ’ (Whole Child) ଅନ୍ୟ ଏକ ମେଟାଫରରେ ପରିଣତ ହୋଇଛି । ଏପରି ଶିକ୍ଷାରେ ସ୍ୱତଃସ୍ଫୁର୍ଭ ଏବଂ ଯଥାର୍ଥ ବାର୍ତ୍ତାଳାପ ସମ୍ଭବ ହୋଇପାରୁନାହିଁ ଏବଂ ଏଥିରେ ଏକ ସମୟରେ ବିଭିନ୍ନ ପ୍ରକାର ଅନୁଭୂତି ହାସଲ କରିବା ପାଇଁ ସୁଯୋଗ ନାହିଁ । ବାସ୍ତବତାକୁ ଭାଗ ଭାଗ କରି ବିଭିନ୍ନ ବର୍ଗର (ବିଷୟବସ୍ତୁର) ମୁଣା ଭିତରେ ରଖାଯାଇ ବିଦ୍ୟାଳୟର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । କିନ୍ତୁ ମନନ ପ୍ରକ୍ରିୟା (minding)କୁ ଆମର ନୂତନ ଶିକ୍ଷାର ଆଧାର ରୂପେ ଆମେ ଗ୍ରହଣ କରୁ । ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପୂର୍ବରୁ ଏହା କେଉଁଠାରୁ ଆସିଛି ସେ ସମ୍ପର୍କରେ ସାମାନ୍ୟ ସୂଚନା ଦେବା । ଏହାର ପ୍ରାରମ୍ଭ ପ୍ରାୟତଃ ଖୁବ୍ କମ୍ ପରିଚିତ ଆଡେଲବର୍ଟ ଆମେସ୍ ଜୁନିଅରଙ୍କ ଠାରୁ ହୋଇଛି । ଯଦିଓ ଆମେସ୍‍ ସାଧାରଣରେ ବିଶେଷ ପରିଚିତ ନୁହନ୍ତି, କିନ୍ତୁ ଜନ୍-ଡୁଇ, ଆଲ୍-ଫ୍ରେଡ ନର୍ଥ ହ୍ୱାଇଟ୍-ହେଡ ଏବଂ ହୋରେସ୍ କାଲେନ୍‍ଙ୍କ ଭଳି ସୁବିଖ୍ୟାତ ଚିନ୍ତାନାୟକମାନେ ତାଙ୍କୁ ‘ପ୍ରକୃତ ପ୍ରତିଭା’ ଭାବେ ବର୍ଣ୍ଣନା କରିଛନ୍ତି । ଆମେସ୍ ଦୃଷ୍ଟି ବିଜ୍ଞାନରେ ଗବେଷଣା କରିଥିଲେ ହେଁ ମାନବୀୟ ପ୍ରତ୍ୟକ୍ଷଣ ସମ୍ପର୍କରେ ତାଙ୍କର ଆଲେଖ୍ୟ ପ୍ରଣିଧାନଯୋଗ୍ୟ ।

 

ଆମେସ୍‍ଙ୍କ ଗବେଷଣାରୁ ଉପଲବ୍‍ଧ ତଥ୍ୟ ଅନୁସାରେ ଆମ ଚତୁଃପାର୍ଶ୍ୱରେ ଥିବା ବସ୍ତୁମାନଙ୍କଠାରୁ ଆମେ ପ୍ରତ୍ୟକ୍ଷଣ କରିନଥାଉ ଏହା ଆମ ଭିତରୁ ଆସିଥାଏ । । ଆମେ ଯାହା ପ୍ରତ୍ୟକ୍ଷଣ କରିଥାଉ ତାହା ଆମର ପୂର୍ବ ଅଭିଜ୍ଞତା, ଆମର ପ୍ରତ୍ୟକ୍ଷଣର ଉଦ୍ଦେଶ୍ୟ ଓ ତତ୍‍ସଂକ୍ରାନ୍ତୀୟ ଆମର ପୂର୍ବଧାରଣା ଉପରେ ପର୍ଯ୍ୟବସିତ ହୋଇଥାଏ । ଅନ୍ୟ ପ୍ରକାରରେ କହିଲେ ପ୍ରତ୍ୟକ୍ଷକାରୀ ହିଁ ନିଜର ଆବଶ୍ୟକତା ଏବଂ ପୂର୍ବ ସ୍ଵୀକାରୋକ୍ତି ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ଥିର କରିଥାନ୍ତି ବସ୍ତୁଟି କ’ଣ, ଏହା କେଉଁଠାରେ ଅଛି ଓ କାହିଁକି ଅଛି । ଆମର ପ୍ରତ୍ୟକ୍ଷଣ ଉପରେ ଆଧାର କରି ଆମେ କୌଣସି କାର୍ଯ୍ୟ କରିବାର ପ୍ରଚେଷ୍ଟାରେ ହତାଶ ନହେବା ପର୍ଯ୍ୟନ୍ତ ଆମର ପ୍ରତ୍ୟକ୍ଷଣକୁ ପରିବର୍ତ୍ତନ କରିନଥାଉ । ଆମର କାର୍ଯ୍ୟ ଯେଉଁ ପର୍ଯ୍ୟନ୍ତ ଆମର ଉଦ୍ଦେଶ୍ୟ ସାଧନ କରିବାରେ ସମର୍ଥ ହୋଇଥାଏ, ଆମେ ଆମର ପ୍ରତ୍ୟକ୍ଷଣକୁ ପରିବର୍ତ୍ତନ କରିବା ସେତେବେଳେ ଆବଶ୍ୟକ ମନେ କରିନଥାଉ ଯଦିଓ ଅନ୍ୟମାନେ ଏହାକୁ ଭୁଲ୍ ବୋଲି କହିଥାନ୍ତି । ଆମର ପ୍ରଚେଷ୍ଟାରେ ବିଫଳ ହେଲେ ଯେ ଆମେ ତତ୍‌କ୍ଷଣାତ୍ ଆମର ପ୍ରତ୍ୟକ୍ଷଣକୁ ପରିବର୍ତ୍ତନ କରିଥାଉ ତାହାନୁହେଁ । ଏହାର ଅର୍ଥ ହେଉଛି ଯେ ଆମର ପ୍ରତ୍ୟକ୍ଷଣକୁ ପରିବର୍ତ୍ତନ କରିବା ପାଇଁ ଆମ ନିକଟରେ ବିକଳ୍ପ ଅଛି । ଏହି ପରିପ୍ରେକ୍ଷୀରେ ଶିଖିବାର ଦକ୍ଷତାକୁ ଅନୁପଯୁକ୍ତ ପ୍ରତ୍ୟକ୍ଷଣକୁ ତ୍ୟାଗ କରି ନୂତନ ଏବଂ ଅଧିକ କାର୍ଯ୍ୟକାରୀ ପ୍ରତ୍ୟକ୍ଷଣର ବିକାଶର ପ୍ରକ୍ରିୟାଭାବ ବୁଝାଯାଇ ପାରିବ ।

 

ଯେହେତୁ ଆମର ପ୍ରତ୍ୟକ୍ଷଣ ଆମ ଭିତରୁ ଓ ଏହା ଆମର ପୂର୍ବ ଅଭିଜ୍ଞତାରୁ ଆସିଥାଏ, ଏହା ସ୍ପଷ୍ଟ ଯେ ଗୋଟିଏ ବିଷୟରେ ପ୍ରତ୍ୟେକଙ୍କର ପ୍ରତ୍ୟକ୍ଷଣ ଅନନ୍ୟ ହୋଇଥାଏ । ଦୁଇଜଣ ପ୍ରତ୍ୟକ୍ଷଣକାରୀଙ୍କର ପୂର୍ବ ଅଭିଜ୍ଞତା, ପୂର୍ବାନୁମାନ ଏବଂ ସମାନ ଉଦ୍ଦେଶ୍ୟ ମଧ୍ୟରେ ଯେତେଦୂର ସମାନତା ଥାଏ, ଉଭୟଙ୍କ ମଧ୍ୟରେ ସେତେଦୂର ଯୋଗାଯୋଗ ସମ୍ଭବ ହୋଇଥାଏ । ଅନ୍ୟଥା ପ୍ରତ୍ୟେକଙ୍କର ପ୍ରତ୍ୟକ୍ଷଣର ଦୁନିଆ ଭିନ୍ନ ଭିନ୍ନ ହୋଇଥାଏ । ଜଣେ ଉତ୍ତମ ସାମାଜିକ ବ୍ୟକ୍ତି ହେବାର ପ୍ରକ୍ରିୟା ଅନ୍ୟମାନଙ୍କର ଦୃଷ୍ଟିକୋଣକୁ କେତେ ଦୂର ବୁଝିପାରୁଛି ତାହାଉପରେ ନିର୍ଭର କରିଥାଏ । ପୁନଶ୍ଚ, ପ୍ରତ୍ୟକ୍ଷଣକାରୀଙ୍କୁ ମିଳୁଥିବା ବିଭିନ୍ନ ଭାଷା ତାଙ୍କର ପ୍ରତ୍ୟକ୍ଷଣକୁ ନିୟନ୍ତ୍ରଣ କରିଥାଏ । ଆମେ କ’ଣ ଦେଖୁଛୁ ଓ ଅନୁଭବ କରୁଛୁ ତାହା ଆମେ ବ୍ୟକ୍ତ କରିବା ଆମର ଉପଲବ୍ଧ ଭାଷା ବ୍ୟବସ୍ଥାରେ ଥିବା ପ୍ରକାର ଓ ବର୍ଗୀକରଣମାନଙ୍କ ଉପରେ ନିର୍ଭର କରେ ଓ ତଦନୁଯାୟୀ ଆମର ପ୍ରତ୍ୟକ୍ଷଣ ପ୍ରଭାବିତ ହୋଇଥାଏ । ହୁଏତ ଏହା କହିବା ସାମାନ୍ୟ ଅତିରଞ୍ଜିତ ହୋଇପାରେ, ମାତ୍ର ଆମେ ଆମ ଭାଷା ସାହାଯ୍ୟରେ ଦେଖିଥାଉ ।

 

ଏକ ପ୍ରତ୍ୟକ୍ଷଣର ଅର୍ଥ ହେଉଛି ଏହା କିପରି ଆମକୁ ସକ୍ରିୟ ହେବାର କାରଣ ହୋଇଥାଏ । ଉଦାହରଣ ସ୍ଵରୂପ, ବର୍ଷା ହେଲେ କେତେକ ଏଥିରୁ ରକ୍ଷା ପାଇବା ପାଇଁ ଆଶ୍ରୟସ୍ଥଳକୁ ଧାଇଁଥାନ୍ତି, ଅଥଚ ଅନ୍ୟକେତେକ ବର୍ଷାରେ ଭିଜି ଚାଲିବାରେ ଆନନ୍ଦ ପାଉଥାନ୍ତି । ବର୍ଷାର ପ୍ରତ୍ୟକ୍ଷଣ ସେମାନଙ୍କ ପାଇଁ ଭିନ୍ନ ହୋଇଥିବାରୁ ସେମାନେ ଭିନ୍ନ କାର୍ଯ୍ୟ କରିଥାନ୍ତି । ଏହା ସତ୍ୟ ଯେ ଉଭୟ ଦଳ ଗୋଟିଏ ଉକ୍ତି ସହିତ ସହମତ ହେବେ, ତାହା ହେଉଛି, ‘ବର୍ଷା ହେଉଛି’ର ଅର୍ଥ ଉଭୟ ସମାନ ଭାବେ ପ୍ରତ୍ୟକ୍ଷଣ କରନ୍ତି ନାହିଁ ।

 

ପ୍ରତ୍ୟକ୍ଷଣ ସମ୍ପର୍କରେ ଆମର ଆଲୋଚନାର ଉଦ୍ଦେଶ୍ୟ ବର୍ତ୍ତମାନ ସ୍ପଷ୍ଟ ହୋଇଯିବଣି । ବିଦ୍ୟାଳୟରେ ମନ ସମ୍ପର୍କରେ ଯେତେସବୁ ମେଟାଫର (ଯଥା, ବୁଦ୍ଧି, IQ, ଆବେଗ, ତେଜ ଆଦି) ବ୍ୟବହାର କରାଯାଏ, ସେସବୁ ଠାରୁ ‘ଅର୍ଥ ପ୍ରସ୍ତୁତି’ (Meaning Making) କୁ ଆମେ କାହିଁକି ଗୁରୁତ୍ୱର ସହ ଚୟନ କରିବୁ ତାହା ଉପରୋକ୍ତ ଆଲୋଚନାରୁ ବୁଝିହେବ । ଅନ୍ୟ ଯେକୌଣସି ମେଟାଫର ଠାରୁ ଅର୍ଥ ପ୍ରସ୍ତୁତି ଭିନ୍ନ ଏବଂ ନିରନ୍ତର ପରିବର୍ତ୍ତନଶୀଳ କାରଣ ଏହା ପ୍ରକ୍ରିୟାଭିତ୍ତିକ ଯାହାକୁ କେବେ ନିର୍ଦ୍ଦିଷ୍ଟ କରିହେବ ନାହିଁ । ଯେହେତୁ ପ୍ରତ୍ୟେକ ବ୍ୟକ୍ତିର ଅର୍ଥ ପ୍ରସ୍ତୁତି ପ୍ରକ୍ରିୟା ଅନ୍ୟଜଣଙ୍କଠାରୁ ଭିନ୍ନ ଏହା ଆମକୁ ବ୍ୟକ୍ତି କୈନ୍ଦ୍ରିକ ଅର୍ଥାତ୍ ଶିକ୍ଷାର୍ଥୀ କୈନ୍ଦ୍ରିକ ହେବାକୁ ବାଧ୍ୟ କରେ-। ଅନ୍ୟ ଯେକୌଣସି ମେଟାଫରରେ ସମସ୍ତ ଶିକ୍ଷାର୍ଥୀ ସମାନ ପ୍ରକାରର କାର୍ଯ୍ୟକରିବା ଆଶାକରାଯାଏ । ବଗିଚାର ଯତ୍ନ ନେବା ହେଉ, ଅନ୍ଧକାରକୁ ଆଲୋକିତ କରିବା ହେଉ, କାଦୁଅ ପିଣ୍ଡୁଳାକୁ ଆକାର ଦେବା ହେଉ ଆଦି ପ୍ରତ୍ୟେକରେ ଗୋଟିଏ ସ୍ଵୀକାର୍ଯ୍ୟ ଅଛି । ତାହା ହେଉଛି ସମସ୍ତ ପ୍ରକାରର ଶିକ୍ଷଣ ସମାନଭାବରେ ହୋଇଥାଏ । ଅର୍ଥାତ୍ ସବୁଶିକ୍ଷାର୍ଥୀ ସମାନ ପ୍ରକ୍ରିୟାରେ ଶିଖିଥାନ୍ତି । ସେଥିପାଇଁ ପାଠ୍ୟକ୍ରମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ । ଅର୍ଥ ପ୍ରସ୍ତୁତିରେ ସେଭଳି ସୀମା ସରହଦ ନାହିଁ । ପ୍ରତ୍ୟେକ ଅର୍ଥ ପ୍ରସ୍ତୁତକାରୀର ଶିକ୍ଷା ପ୍ରକ୍ରିୟାରେ କୌଣସି ପରିସମାପ୍ତି ନାହିଁ । ସେ ନିଜର ପରିବେଶ ସହିତ ନୂତନ ପ୍ରକ୍ରିୟା ସୃଷ୍ଟି କରି ଚାଲିଥାଏ ଓ ନିରନ୍ତର ନୂତନ ଅର୍ଥ ପ୍ରସ୍ତୁତ କରି ଚାଲିଥାଏ ।

 

‘ଅର୍ଥ ପ୍ରସ୍ତୁତି’ରେ ବିଶ୍ୱାସକରି ତଦନୁଯାୟୀ ଶିକ୍ଷା ବ୍ୟବସ୍ଥା କଲେ ଆମେ କି ପରିବର୍ତ୍ତନ ଆଶା କରିବା ? ଯଦି ଶିକ୍ଷାର୍ଥୀମାନଙ୍କୁ ଅର୍ଥ ପ୍ରସ୍ତୁତିକାରୀଭାବେ ଶିକ୍ଷକମାନେ ବିଚାର କରନ୍ତି ଓ ତା’ପାଇଁ ଉପଯୁକ୍ତ କାର୍ଯ୍ୟ ବ୍ୟବସ୍ଥା କରନ୍ତି, ତା’ହେଲେ ଆମର ଶିକ୍ଷାବ୍ୟବସ୍ଥା ଆମୂଳଚୂଳ ପରିବର୍ତ୍ତିତ ହୋଇଯିବ । ଶିକ୍ଷକମାନେ ଶିକ୍ଷାଦାତା ନହୋଇ ଶିକ୍ଷଣ ସହାୟକ ହୋଇଯିବେ, ପିଲାମାନେ ଶିକ୍ଷା ଗ୍ରହୀତା ନହୋଇ ଶିକ୍ଷଣ ପ୍ରସ୍ତୁତକାରୀ ହେବେ । ‘ବିଷୟବସ୍ତୁ’ ବୋଲି କିଛି ନିର୍ଦ୍ଦିଷ୍ଟ ହୋଇ ରହିବ ନାହିଁ । ପ୍ରତ୍ୟକ୍ଷଣକାରୀଙ୍କ ମନରେ ହିଁ ବିଷୟବସ୍ତୁ ପ୍ରସ୍ତୁତ ହେବ । ସବୁ ଶିକ୍ଷାର୍ଥୀଙ୍କ ପାଇଁ ସମାନ ପାଠ୍ୟକ୍ରମ, ସମାନ ଶିକ୍ଷାଦାନ ପଦ୍ଧତି ଓ ସମାନ ପରୀକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଅନାବଶ୍ୟକ ହୋଇଯିବ । ସମାନ ପାଠ୍ୟକ୍ରମ, ଭାଷଣ ପଦ୍ଧତିରେ ଶିକ୍ଷାଦାନ, ମାନବୀକୃତ ପରୀକ୍ଷଣ ବ୍ୟବସ୍ଥା । ଶିକ୍ଷଣ ପ୍ରକ୍ରିୟା ବିରୋଧୀଭାବେ ଏବେ ମଧ୍ୟ ବିଚାର କରାଗଲାଣି ।

 

ଏକ ଅନୁସନ୍ଧାନୀ ପରିବେଶରେ ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବା ମାଧ୍ୟମରେ ନିଜର ଶିକ୍ଷଣ ପ୍ରକ୍ରିୟାକୁ ସାକାର କରିବେ । ଅନୁସନ୍ଧାନୀ ପରିବେଶରେ ସମସ୍ତ ପାଠ ଶିକ୍ଷାର୍ଥୀମାନଙ୍କ ସମ୍ପର୍କରେ ହିଁ ହୋଇଥାଏ । ସେ ହିଁ ବିଷୟବସ୍ତୁ, ସେ ହିଁ ଅର୍ଥପ୍ରସ୍ତୁତକାରୀ ଓ ତାହାହିଁ ସେମାନଙ୍କୁ ବାସ୍ତବ ଶିକ୍ଷାର୍ଥୀରେ ପରିଣତ କରିଥାଏ । ସଂକ୍ଷେପରେ କହିଲେ ଅର୍ଥପ୍ରସ୍ତୁତକାରୀ ମେଟାଫର ଶିକ୍ଷାର୍ଥୀକୁ ଶିକ୍ଷଣପ୍ରକ୍ରିୟାର କେନ୍ଦ୍ରରେ ସ୍ଥାପନ କରେ । ଏହା ବହୁବିଧ ଅର୍ଥର ସମ୍ଭାବନାକୁ ସ୍ୱୀକାର କରେ ଓ ସେ ସବୁଅର୍ଥକୁ ବାସ୍ତବରେ ପରିଣତ କରେ । ଶିକ୍ଷଣ କରିବାକୁ ଶିଖିବା ଏହାର ଆଧାର ଅଟେ ଓ ଏହା ଶିକ୍ଷାର୍ଥୀକୁ ‘ଅର୍ଥହୀନ’ ପ୍ରତ୍ୟୟ ଓ କାର୍ଯ୍ୟଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ତ୍ୟାଗ କରିବାର ଶକ୍ତିଦେବା ସହ ପରିବର୍ତ୍ତନଶୀଳ ପରିବେଶ ସହିତ ନିଜକୁ ଖାପ ଖୁଆଇ ନୂତନ ଅର୍ଥ କିପରି ପ୍ରସ୍ତୁତ କରିପାରିବାର ସାମର୍ଥ୍ୟ ସୃଷ୍ଟି କରିହେବ ତାହା ଶିଖାଇଥାଏ ।

 

ଭାଷାକରଣ (Languaging) :

 

ପୂର୍ବରୁ ଆମେ କହିଛୁ ଯେ ପ୍ରତ୍ୟେକ ମଣିଷ ଅନନ୍ୟଭାବେ ପ୍ରତ୍ୟକ୍ଷଣ କରିଥାନ୍ତି ଏବଂ ସେ ଜଣେ ଅର୍ଥପ୍ରସ୍ତୁତକାରୀ ଭାବେ ନିଜର ଏକ ଦୁନିଆଁ ସୃଷ୍ଟି କରିଥାନ୍ତି । ଏହି ଦୃଷ୍ଟିରୁ ପ୍ରତ୍ୟେକ ମଣିଷ ସଂପୂର୍ଣ୍ଣ ନିଜସ୍ଵଭାବେ ଏକ ଦ୍ଵୀପ ଅଟନ୍ତି । କୌଣସି ବସ୍ତୁ ସମ୍ପର୍କରେ ନିଜର ପ୍ରତ୍ୟକ୍ଷଣକୁ ସମ୍ପୂର୍ଣ୍ଣଭାବେ ପ୍ରକାଶ କିରବା ସମ୍ଭବ ନୁହେଁ । ଅତିବେଶୀରେ ବସ୍ତୁଟି ତାଙ୍କୁ କିପରି ଦେଖାଯାଉଛି ସେ ସମ୍ପର୍କରେ ସେ କିଛି କହିପାରନ୍ତି । ଗୋଟିଏ ବସ୍ତୁକୁ ବର୍ଣ୍ଣନା କରିବାର ଭାଷା ବ୍ୟକ୍ତି ବିଶେଷରେ ଭିନ୍ନ ହୋଇଥାଏ ଏବଂ କୌଣସି ଗୋଟିଏ ଉକ୍ତି ନିର୍ଦ୍ଦିଷ୍ଟ ବସ୍ତୁଟିକୁ ସମ୍ପୂର୍ଣ୍ଣଭାବେ ପ୍ରକାଶ କରିପାରେ ନାହିଁ । । ଆପେକ୍ଷିକତା ଏବଂ ଅନିଶ୍ଚିତତାର ନିୟମମାନ ପଦାର୍ଥବିଜ୍ଞାନ ଅପେକ୍ଷା ଏହି କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ଏବଂ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସେସବୁ ସହିତ ବଞ୍ଚିରହିବାକୁ ବାଧ୍ୟ (ପୃଷ୍ଠା–୧୦୦)

 

ଏଥିରୁ ଏହି ସିଦ୍ଧାନ୍ତରେ ଆମେ ଉପନୀତ ହେଉ ଯେ ପ୍ରତ୍ୟକ୍ଷଣ ପ୍ରକ୍ରିୟା ଏବଂ ପ୍ରତ୍ୟକ୍ଷଣର ମାନ ମୂଲ୍ୟାୟନ ପ୍ରକ୍ରିୟାରେ ଭାଷା ଆଦୌ ନିରପେକ୍ଷ ହୋଇ ରହିନଥାଏ । ଆମେ ଯାହା ଦେଖୁ ଓ ଚିନ୍ତା କରୁ ସେସବୁ ଭାଷାରେ ପ୍ରତିଫଳିତ ହୋଇଥାଏ ବୋଲି ଆମେ ଭାବିବାରେ ଅଭ୍ୟସ୍ତ ହୋଇଥାଉ । ଏବେ ଆମେ ଜାଣୁଛୁ ଯେ ଏପରି ବିଶ୍ୱାସ ଅତି ସରଳ ଓ ପିଲାଳିଆ । ପ୍ରତ୍ୟକ୍ଷଣ ଉପରେ ହୋଇଥିବା ଗବେଷଣାରୁ ସୂଚାଉଛି । ଯେ ଆମେ କୌଣସି ବସ୍ତୁରୁ କିଛି ଅର୍ଥ ପାଇ ନଥାଉ, ବରଂ ଆମେ ଏଥରେ ଅର୍ଥ ଦେଉ । ଏହା ଉପରାନ୍ତେ ଅଧିକରୁ ଅଧିକ ଉପଲବ୍ଧି ହେଉଛି ଯେ ଆମର ଏପରି ଅର୍ଥ ଦେବାର ପ୍ରକ୍ରିୟା ଆମେ ବ୍ୟବହାର କରୁଥିବା ସଙ୍କେତ (ଶବ୍ଦ)ମାନଙ୍କୁ ସଜାଡ଼ିବାର ଏକ ବ୍ୟବସ୍ଥା ବା ସଂରଚନା ଅଟେ ।

 

ଏହାର ଅର୍ଥ ହେଉଛି ଆମର ଭାଷା ଆମର ପ୍ରତ୍ୟକ୍ଷଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ । ଭାଷା ଓ ବାସ୍ତବତା ସମ୍ପର୍କରେ ଏପରି ଦୃଷ୍ଟିକୋଣକୁ ସାପିର୍-ହୋର୍ଫ ପରିକଳ୍ପନା (Sapir–WhorfHypothesis) ବୋଲି କୁହାଯାଏ । ଏହା ଅନୁସାରେ, ପ୍ରତ୍ୟେକ ଭାଷା– ଏହାର ଉଭୟ ସଂରଚନା ଓ ଶବ୍ଦାବଳୀ–ବାସ୍ତବତାକୁ ପ୍ରତ୍ୟକ୍ଷଣ କରିବାର ଏକ ଅନନ୍ୟ ପନ୍ଥାର ପରିପ୍ରକାଶ ଅଟେ । ଅନ୍ୟଭାବେ କହିଲେ, ସେମାନେ ବିଶ୍ଵାସ କରୁଥିଲେ ଯେ ଆମେ ସମସ୍ତେ ଭାଷାର ଗୋଟିଏ ଗୋଟିଏ ଗୃହଭିତରେ ବନ୍ଦୀ ହୋଇ ରହିଛୁ । ଏହି ଘରଭିତରେ ରହି ବାହାରର ପରିସ୍ଥିତିକୁ ଆକଳନ କରିବାକୁ ଚେଷ୍ଟା କରିଥାଉ ।

 

ସାପିର୍-ହୋର୍ଫ ପରିକଳ୍ପନା (ବେଳେବେଳେ ଏହାକୁ ସାପିର-ହୋର୍ଫ-କୋର୍‍ଜାଇବ୍‍ସ୍କି ପରିକଳ୍ପନା କୁହାଯାଏ) ‘ମାଧ୍ୟମ ହିଁ ବାର୍ତ୍ତା’ ଉକ୍ତିର ଏକ ପରିମାର୍ଜିତ ଉକ୍ତି ଭାବେ ବିଚାର କରାଯାଇପାରେ । କାରଣ ଏହା ସ୍ୱୀକାର କରେ ଯେ ମାଧ୍ୟମ (ଏହି କ୍ଷେତ୍ରରେ ଜଣଙ୍କର ଭାଷା) ଜଣେ ଯାହା ଦେଖେ ବା ବିଶ୍ୱାସ କରେ ତା’କୁ ସଂଗଠିତ କରିଥାଏ । କେବଳ ତାହା ନୁହେଁ, ବରଂ ବାସ୍ତବରେ ଜଣେ ଯାହା ଦେଖେ ଓ ବିଶ୍ୱାସକରେ ତା’ଠାରୁ ଏହା ଅବିଚ୍ଛେଦ୍ୟ ଅଟେ । ଶିକ୍ଷଣର ସମସ୍ତ ବିଭାଗରେ ଉଦାହରଣ ସ୍ଵରୂପ, ପଦାର୍ଥ ବିଜ୍ଞାନ, ଭାଷାତତ୍ତ୍ଵ, ଦର୍ଶନ, ମନୋବିଜ୍ଞାନରେ ଏହି ପରିକଳ୍ପନାଟି ଅଧିକରୁ ଅଧିକ ଆଦୃତି ଲାଭ କରିଛି । ଆମେ ଗ୍ରହଣ କରିଛୁ ଯେ ଭାବ ପ୍ରକାଶ କରିବା ପାଇଁ ଭାଷା କେବଳ ଏକ ବାହନ ନୁହେଁ ଏହା ଚାଳକ ମଧ୍ୟ । ଆମେ ଯାହା ପ୍ରତ୍ୟକ୍ଷଣ କରୁ ତାହାଦ୍ୱାରା ଆମେ ଶିଖୁ ଏବଂ ଏହା ଭାଷାର ପ୍ରକ୍ରିୟା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଆମର ନୂତନ ଶିକ୍ଷା ବ୍ୟବସ୍ଥାରେ ଭାଷା ଏତେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ଯାହାକି ପୂର୍ବରୁ କୌଣସି ଶିକ୍ଷାଦର୍ଶନରେ ନଥିଲା ।

 

ଆମେ ପାରମ୍ପରିକ ଭାବେ ଯାହାକୁ ‘ଜ୍ଞାନ’ ବୋଲି କହିବା, ସେ ସମସ୍ତ ଭାଷା ଅଟନ୍ତି । ଅର୍ଥାତ୍ କୌଣସି ବିଷୟକୁ ବୁଝିବାକୁ ହେଲେ ସେହି ବିଷୟର ଭାଷାକୁ ବୁଝିବାକୁ ହେବ । ଜ୍ଞାନର ବିଭାଗ (Discipline) ଜାଣିବାର ଏକ ପନ୍ଥା ଅଟେ ଏବଂ ଯାହା ଜ୍ଞାତବ୍ୟ ତାହା ସେଥିରେ ବ୍ୟବହୃତ ସଙ୍କେତ ମାନଙ୍କ (ଅଧିକାଂଶ ଭାବେ ଶବ୍ଦାବଳୀ) ଠାରୁ ଅବିଚ୍ଛେଦ୍ୟ ଅଟେ । ଜୀବବିଜ୍ଞାନ କ’ଣ ? ଯଦି ଜୀବ ବୈଜ୍ଞାନିକମାନେ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକୁ ଏଥିରେ ବ୍ୟବହୃତ ଭାଷାରୁ କାଢ଼ି ନିଆଯାଏ ତା’ହେଲେ ଆଉ ଜୀବବିଜ୍ଞାନ ବୋଲି କିଛି ରହିବ ନାହିଁ, ଯେଉଁ ପର୍ଯ୍ୟନ୍ତ ସେଥିପାଇଁ ନୂତନ ଶବ୍ଦାବଳୀ ସୃଷ୍ଟି ନ ହୋଇଛି । ସେହିପରି ଇତିହାସ, ପଦାର୍ଥ ଦିଜ୍ଞାନ ଆଦି ଜ୍ଞାନର ବିଭିନ୍ନ ବିଭାଗର ନିଜସ୍ଵ ଭାଷା ଅଛି । ଏହି ଚିନ୍ତାଧାରାରେ ପ୍ରତ୍ୟେକ ବିଷୟ ଶିକ୍ଷାଦାନ କରୁଥିବା ଶିକ୍ଷକ ଜଣେ ଜଣେ ଭାଷା ଶିକ୍ଷକ ଅଟନ୍ତି । ନୂତନ ଭାଷା ପ୍ରତ୍ୟକ୍ଷଣର ନୂତନ ସମ୍ଭାବନାକୁ ବୁଝାଇଥାଏ (ପୃ-୧୦୩) । ସେଥିପାଇଁ ନୂତନ ଶିକ୍ଷା ଶିକ୍ଷାର୍ଥୀ-କୈନ୍ଦ୍ରିକ ଏବଂ ପ୍ରଶ୍ନ-କୈନ୍ଦ୍ରିକ ହେବା ସହିତ ନିଶ୍ଚିତଭାବେ ଭାଷା-କୈନ୍ଦ୍ରିକ ହେବ । (ପୃ-୧୦୪)

 

ଭାଷା ଶିକ୍ଷା କେବଳ ଇଂରାଜୀ ଶ୍ରେଣୀ ମଧ୍ୟରେ ସୀମିତ ହେବା ଉଚିତ ନୁହେଁ କାରଣ ଏପରି ଶ୍ରେଣୀରେ ଭାଷାର ବାସ୍ତବତା ସହିତ କୌଣସି ସମ୍ପର୍କ ନଥାଏ । ଯେପରି ୱେଣ୍ଡେଲ୍ ଜନ୍‍ସନ୍ କହିଥିଲେ ଯେ ତୁମେ ଲେଖିବା ପାଇଁ ଲେଖିବା ଶିଖି ନଥାଅ । କୌଣସି ବିଷୟରେ ତୁମକୁ ଲେଖିବାର ଆବଶ୍ୟକତା ରହିଲେ ଲେଖିବା ଶିଖିହୁଏ । । ତାହା ଭାଷା ଶିକ୍ଷାର ଅନ୍ୟ ସମସ୍ତ ଦକ୍ଷତା ଯଥା, କଥନ, ଶ୍ରବଣ, ପଠନ ଆଦି ପାଇଁ ସତ୍ୟ ଅଟେ । ଅନ୍ୟ ଭାବରେ କହିଲେ, ଭାଷାର ଅର୍ଥପୂର୍ଣ୍ଣ ଅଧ୍ୟୟନ ବାସ୍ତବତା ସହିତ ଏହାର ସମ୍ପର୍କ ସମ୍ବନ୍ଧରେ ହେବା ଉଚିତ ।

 

ଭାଷା ସଚେତନତା ସମ୍ପର୍କରେ ଜଣେ ବିଶେଷ ଅବସ୍ତୁ ଚିହ୍ନଟକାରୀ ଆଲଫ୍ରେଡ୍ କୋର୍ଜାଇବ୍‍ସ୍କିଙ୍କର ଅନୁଶୀଳନ ଲେଖକ ବର୍ଣ୍ଣନା କରିଛନ୍ତି । ପୋଲାଣ୍ଡର ଜଣେ ଇଞ୍ଜିନିୟର ଭାବେ ପ୍ରଥମ ବିଶ୍ଵଯୁଦ୍ଧରେ ତାଙ୍କର ଅଭିଜ୍ଞତା ତାଙ୍କୁ ‘ମଣିଷର ବିଜ୍ଞାନ’ (Science of Man) ସମ୍ପର୍କରେ ଅଧ୍ୟୟନ କରିବା ପାଇଁ ପ୍ରେରଣା ଯୋଗାଇଥିଲା । ୧୯୩୩ ମସିହାରେ ପ୍ରକାଶିତ ତାଙ୍କ ରଚିତ Science and Society ରେ ତାଙ୍କର ପ୍ରସିଦ୍ଧ ସାଧାରଣ ଶବ୍ଦାର୍ଥ ବିଜ୍ଞାନ (General Semantics) ର ଅବତାରଣା କରିଥିଲେ । ସେଥିରେ ସେ ଭାଷା ସମ୍ପର୍କରେ କେତେକ ପ୍ରକାରର ସଚେତନତାର କେତେଗୁଡ଼ିଏ ଦିଗ ଉପରେ ବିଶେଷ ଆଲୋଚନା କରିଛନ୍ତି । ସେଥିମଧ୍ୟରୁ କେତେଗୋଟି ବିଶେଷ ପ୍ରକାରର ସଚେତନତା ମଧ୍ୟରୁ ପ୍ରଥମ ଏବଂ ସମ୍ଭବତଃ ଅନ୍ୟସବୁର କେନ୍ଦ୍ରରେ ଅଛି ଶବ୍ଦାର୍ଥ ସମ୍ବନ୍ଧୀୟ ସଚେତନତା । ତାଙ୍କ ମତରେ ଶବ୍ଦମାନଙ୍କରେ ଅର୍ଥ କିଛି ନଥାଏ, ଅର୍ଥ ଲୋକମାନଙ୍କ ମଧ୍ୟରେ ଥାଏ । ଲୋକମାନେ ଶବ୍ଦକୁ ଯେଉଁ ଅର୍ଥ ପ୍ରଦାନ କରିଥାନ୍ତି ତାହାହିଁ ସେହି ଶବ୍ଦର ଅର୍ଥ ହୋଇଥାଏ । ଶବ୍ଦର ଅର୍ଥ ସ୍ଥିର କରିବା ବେଳେ ଲୋକମାନଙ୍କର ପୂର୍ବର ଅଭିଜ୍ଞତା ହିଁ ସେଥିରେ ପ୍ରତିଫଳିତ ହୋଇଥାଏ । ଗୋଟିଏ ଶବ୍ଦ ଓ ତାହାର ବିଭିନ୍ନ ବ୍ୟବହାର ତାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଅଭିଜ୍ଞତାର ବହିର୍ଭୂତ ହୋଇଥିଲେ, ଶବ୍ଦଟି ସେହି ବ୍ୟକ୍ତିଙ୍କ ପାଇଁ ଅର୍ଥଶୂନ୍ୟ ହୋଇଥାଏ । ଏଥିସହିତ ଜଡ଼ିତ ଦ୍ୱିତୀୟ ପ୍ରକାରର ସଚେତନତା ହେଉଛି ଯେ ଶବ୍ଦଟି ଯାହାକୁ ସୂଚାଉଥାଏ, ସେ ତାହା ନୁହେଁ, ଅର୍ଥାତ୍ ଶବ୍ଦ କୌଣସି ଜିନିଷ ନୁହେଁ । ଏହା ଅତି ସାଧାରଣ କଥା ଭଳି ଜଣାଯାଉଥିଲେ ମଧ୍ୟ ଏ ସମ୍ପର୍କରେ ସଚେତନତା ନଥିଲେ ବେଳେବେଳେ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଏ । ଗୋଟିଏ ଘଟଣା ଘଟିବା ଯେତେ ଅସ୍ୱାଭାବିକ ହୋଇ ନଥାଏ ତା’କୁ ବର୍ଣ୍ଣନା କରୁଥିବା ଶବ୍ଦାବଳୀ ଆପତ୍ତିଜନକ ହେଲେ ଅସୁବିଧା ପରିସ୍ଥିତି ସୃଷ୍ଟି ହୋଇଥାଏ ।

 

କୌଣସି ବିଷୟର ଅଧ୍ୟୟନ ବସ୍ତୁତଃ ଭାଷାର ଏକ ଅଧ୍ୟୟନ । ଏହି ଧାରଣା କେବଳ ବିଦ୍ୟାଳୟ ବ୍ୟତୀତ ଅନ୍ୟ ସବୁଠାରେ ସ୍ୱୀକୃତି ପାଇଛି । ଅନୁସନ୍ଧାନ ପଦ୍ଧତି ସମ୍ପର୍କରେ ସାମାନ୍ୟ ଚିନ୍ତାକଲେ ଜଣାଯାଏ ଯେ ଏହି ପଦ୍ଧତି ସହିତ ସଂପୃକ୍ତ ସମସ୍ତ ପ୍ରକ୍ରିୟା ବସ୍ତୁତଃ ଭାଷା ସହିତ ଓତଃପ୍ରୋତଭାବେ ଜଡ଼ିତ । ଅନୁସନ୍ଧାନ ପଦ୍ଧତିରେ ବ୍ୟବହୃତ ଦକ୍ଷତା ମାନ ଯଥା, ପ୍ରଶ୍ନ ପଚାରିବା, ସଂଜ୍ଞାକରଣ କରିବା, ପର୍ଯ୍ୟବେକ୍ଷଣ କରିବା, ବର୍ଗୀକରଣ କରିବା, ସିଦ୍ଧାନ୍ତଗ୍ରହଣ କରିବା, ତନଖିବା ଆଦି ସମସ୍ତ ଦକ୍ଷତାମାନଙ୍କ ମଧ୍ୟରୁ କୌଣସିଟିକୁ ଭାଷାଠାରୁ ଦୂରେଇ ଦିଆଯାଇପାରିବ ନାହିଁ । ଅବଶ୍ୟ ବିଭିନ୍ନ ବିଷୟରେ ଅନୁସନ୍ଧାନର ଭାଷା ଭିନ୍ନ ହୋଇଥାଏ । ଉଦାହରଣ ସ୍ୱରୂପ ଜୀବବିଜ୍ଞାନରେ ବ୍ୟବହୃତ ତଥ୍ୟ ଗଣିତଠାରୁ ସଂପୂର୍ଣ୍ଣ ଭିନ୍ନ, ସେହିପରି ଇତିହାସର ଭାଷା ଅନ୍ୟ ବିଷୟରେ ବ୍ୟବହୃତ ଭାଷାଠାରୁ ଭିନ୍ନ ହୋଇଥାଏ ।

 

ଅନ୍ୟ ଏକ ସାଧାରଣ ଶବ୍ଦ ‘ଉତ୍ତର’ କଥା ଚିନ୍ତା କରାଯାଉ । ଏଥିରେ କିଭଳି ଭାଷା ପ୍ରକ୍ରିୟା ସଂପୃକ୍ତ ତାହା ବିଚାର କରିବା । ଦୈନନ୍ଦିନ ଜୀବନରେ ଆମେ ଯାବତୀୟ କାର୍ଯ୍ୟ କରିବା ବେଳେ ବହୁ ପ୍ରଶ୍ନର ସମ୍ମୁଖୀନ ହୋଇଥାଉ ଯାହାର ଉତ୍ତର ଖୋଜିଥାଉ । ଅଧିକାଂଶ ସମୟରେ ଆମେ ପାଉଥିବା ଉତ୍ତରଗୁଡ଼ିକ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖି ନଥାଉ । ଉତ୍ତରମାନଙ୍କ ମଧ୍ୟରେ ଭେଦଭାବ ନଦେଖିଲେ ଅନ୍ତତଃ ଗୋଟିଏ ସମ୍ଭାବନା ଥାଏ : ଆମେ ଏଭଳି ଏକ ଉତ୍ତର ପାଇବା ଯାହା ସଂପୂର୍ଣ୍ଣ ଅପ୍ରାସଙ୍ଗିକ ହୋଇପାରେ, ଏହା କାର୍ଯ୍ୟକାରୀ ହୋଇନପାରେ ବା ଯେଉଁ ଉଦ୍ଦେଶ୍ୟରେ ଏହି ଉତ୍ତର ମିଳିଥାଏ ତାହା ସାଧିତ ହୋଇ ନଥାଏ । ଏଭଳି ଉତ୍ତର ଯଦି ଜଣେ ଚିକିତ୍ସକ, ମେକାନିକ ବା ରାଜନୈତିକ ନେତା ଦିଅନ୍ତି ତା’ହେଲେ ଫଳ ବିପଦଜନକ ପରିସ୍ଥିତି ସୃଷ୍ଟି କରିବା ଅସମ୍ଭବ ନୁହେଁ । ଏହାଦ୍ୱାରା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଏକ ଅପ୍ରାସଙ୍ଗିକ ଉତ୍ତର ଜାଣିବା ସଂଭାବନାକୁ ହ୍ରାସ କରିବାର ଗୋଟିଏ ବାଟ ହେଉଛି ଉତ୍ତରମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଜାଣିବା । ଏଥିପାଇଁ ବୋଧହୁଏ ସବୁଠାରୁ ଉପାଦେୟ କୌଶଳ ହେଉଛି ଆପଣ କେଉଁ ସଂସ୍ଥା (System)ର ସମ୍ମୁଖୀନ ହେଉଛନ୍ତି ତାହା ନିର୍ଣ୍ଣୟ କରିବା । ଏହି ପରିପ୍ରେକ୍ଷୀରେ ସଂସ୍ଥା କହିଲେ ଆମେ ଏକ ପରିସ୍ଥିତିକୁ ବୁଝୁ ଯେଉଁଥିରେ ଆମେ କିଛି ଜାଣିବାକୁ ଚେଷ୍ଟା କରୁଛୁ ବା ଯେଉଁଥିରେ ଆମେ ଅର୍ଥ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛୁ । ଏପରି ସଂସ୍ଥା ଦୁଇପ୍ରକାରର ହୋଇପାରେ ଆବଦ୍ଧ ସଂସ୍ଥା (Closed System) ଏବଂ ମୁକ୍ତ ସଂସ୍ଥା (Open System) । ଯେଉଁ ସଂସ୍ଥାରେ ଜ୍ଞାତବ୍ୟ ବିଷୟ ଗୁଡ଼ିକ ନିର୍ଦ୍ଦିଷ୍ଟ ହୋଇଥାଏ ତାହା ଏକ ଆବଦ୍ଧ ସଂସ୍ଥା ଅଟେ । ଏଥିରେ ଉତ୍ତର କେବଳ ଠିକ୍ କିମ୍ବା ଭୁଲ୍ ହୋଇପାରେ । ଉତ୍ତର ଦେବା ପାଇଁ କଳ୍ପନା ଶକ୍ତିର ଆବଶ୍ୟକ କରେ ନାହିଁ । ଆମର ବିଦ୍ୟାଳୟମାନଙ୍କରେ ଏହିଭଳି ଉତ୍ତର ଉପରେ ଗୁରୁତ୍ଵ ଦିଆଯାଉଥିବାରୁ ଆମେ ଧରିନେଇଥାଉ ଯେ ଏହାହିଁ ସବୁ ପରିସ୍ଥିତି ପାଇଁ ଉପଯୁକ୍ତ ଅଟେ । କ୍ଵଚିତ ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ଆବଦ୍ଧ ସଂସ୍ଥାରେ ମିଳୁଥିବା ଉତ୍ତରମାନଙ୍କ ଦ୍ଵାରା କେତେବେଳେ କେମିତି ସମ୍ଭବ ହୋଇଥାଏ । ଅନ୍ୟ ପକ୍ଷରେ ମୁକ୍ତ ସଂସ୍ଥାରେ ଉତ୍ତର କିଛି ମାତ୍ରାରେ ଠିକ୍ ହୋଇପାରେ । ଆଜିର ଠିକ୍ ଉତ୍ତର ହୁଏତ କାଲି ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇପାରେ । ଅଧିକାଂଶ ମାନବୀୟ ସମସ୍ୟାର ସମାଧାନ ପାଇଁ ଆମ ପାଖରେ ବିଭିନ୍ନ ସମ୍ଭାବ୍ୟ ଉତ୍ତର ମିଳୁଥିବା ଆବଶ୍ୟକ ଯାହା ମୁକ୍ତ ସଂସ୍ଥାରେ ହିଁ ମିଳିବା ସମ୍ଭବ । ବିଦ୍ୟାଳୟମାନଙ୍କୁ ଏପରି ମୁକ୍ତ ସଂସ୍ଥାରେ ପରିଣତ କରିବାର ଆବଶ୍ୟକତା ଅନସ୍ୱୀକାର୍ଯ୍ୟ । ଆମର ଶିକ୍ଷାର୍ଥୀମାନେ ସମସ୍ୟାମାନଙ୍କ ସମ୍ପର୍କରେ ମୁକ୍ତ ଚିନ୍ତା କରିବା ଦ୍ଵାରା ସମାଧାନ ପାଇଁ ବିଭିନ୍ନ ଉତ୍ତର ଖୋଜିବା ପାଇଁ ବାରମ୍ବାର ସୁଯୋଗ ଆବଶ୍ୟକ କରିବେ । ସେଥିପାଇଁ ବିଦ୍ୟାଳୟମାନଙ୍କରେ ବର୍ତ୍ତମାନର ଆବଦ୍ଧ ପରିବେଶ ଆଦୌ ଉପଯୁକ୍ତ ନୁହେଁ । ଏହି ଯୁକ୍ତି ସପକ୍ଷରେ ଓ ଶିକ୍ଷାରେ ଭାଷାର ଗୁରୁତ୍ଵ ଉପରେ ଲେଖକ ଆଇନ୍‌ଷ୍ଟାଇନ୍‌, ଡିଉଇ, ଆଲଡସ୍ ହକ୍ସଲେ ଆଦି ବହୁ ବିଶେଷଜ୍ଞ ଓ ଚିନ୍ତାନାୟକଙ୍କର ଉକ୍ତି ଉଦ୍ଧାର କରିଛନ୍ତି ।

 

ନୂତନ ଶିକ୍ଷକ :

 

ପ୍ରସ୍ତାବିତ ନୂତନ ଶିକ୍ଷା ପାଇଁ ନୂତନ ଶିକ୍ଷକ ପାଇବା ଏକ ବିରାଟ ସମସ୍ୟା । ବର୍ତ୍ତମାନର ଶିକ୍ଷକମାନଙ୍କୁ ଦୁଇଟି ଶ୍ରେଣୀରେ ଭାଗ କରାଯାଇପାରେ । ଅଧିକାଂଶ ଶିକ୍ଷକ ଚିନ୍ତା କରନ୍ତି ଯେ ସେମାନଙ୍କର କାର୍ଯ୍ୟ ହେଉଛି ଶିକ୍ଷାଦାନ କରିବା । ଶିକ୍ଷାର୍ଥୀମାନଙ୍କୁ ଭଲ ପାଇବା ନୁହେଁ । ଅନ୍ୟ କେତେକଙ୍କର ପ୍ରତ୍ୟକ୍ଷଣ ନୂତନ ଶିକ୍ଷାର ଲକ୍ଷ୍ୟଠାରୁ ବିଶେଷ ଭିନ୍ନ ନୁହେଁ । ଉଭୟ ଶିକ୍ଷାର୍ଥୀମାନଙ୍କର ସମସ୍ୟା ସମ୍ପର୍କରେ ସଚେତନ ବୋଲି ଦାବି କରନ୍ତି, କିନ୍ତୁ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଶିକ୍ଷାର୍ଥୀମାନଙ୍କୁ କିପରି ସହାୟତା ପ୍ରଦାନ କରିହେବ ସେ ବିଷୟରେ ସେମାନେ ଆଦୌ ସ୍ପଷ୍ଟ ନୁହନ୍ତି । କେହି ପ୍ରଶ୍ନ କରିପାରନ୍ତି ଯଦି ଏହି ଶିକ୍ଷକମାନେ ସେମାନଙ୍କର ଛାତ୍ରମାନଙ୍କର ସମସ୍ୟା ବିଷୟରେ ଅବଗତ ଅଛନ୍ତି ସେମାନେ ସାହାଯ୍ୟ କରିପାରୁ ନାହାନ୍ତି କାହିଁକି-? ହୁଏତ ହୋଇପାରେ ସେମାନେ ଶିକ୍ଷାର୍ଥୀମାନଙ୍କର ସମସ୍ୟା କ’ଣ ଜାଣନ୍ତି ନାହିଁ କିମ୍ବା ବିଦ୍ୟାଳୟର ଅପରିବର୍ତ୍ତନୀୟ ଆବଦ୍ଧ ପରିସର ମଧ୍ୟରେ ଶିକ୍ଷାର୍ଥୀମାନଙ୍କର ସମସ୍ୟା ଯେ ସମାଧାନ ହୋଇପାରିବ ତାହା ସେମାନେ ଚିନ୍ତା କରିପାରୁନାହାନ୍ତି । ବିଦ୍ୟାଳୟରେ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକମାନଙ୍କର ପ୍ରତ୍ୟକ୍ଷଣରେ ଯେ ସଂପୂର୍ଣ୍ଣ ପରିବର୍ତ୍ତନ ଆବଶ୍ୟକ ଏଥିରେ ସନ୍ଦେହ ନାହିଁ । ଏହା କରିବା ସହଜସାଧ୍ୟ ନୁହେଁ । କେବଳ ପରିସ୍ଥିତି ବଦଳିଲେ ପ୍ରତ୍ୟକ୍ଷକାରୀ ବାଧ୍ୟ ହୋଇ ନିଜର ଅଭିଜ୍ଞତାରେ ପରିବର୍ତ୍ତନ ଆଣିଥାନ୍ତି । ଏଥିପାଇଁ ବିଭିନ୍ନ ଉପାୟରେ ପ୍ରସ୍ତାବ ଦିଆଯାଇଛି । ଲେଖକ ମଧ୍ୟ କେତେକ ପ୍ରସ୍ତାବ ଦେଇଛନ୍ତି ଯାହା ସାଧାରଣତଃ ଅବାସ୍ତବ ମନେ ହୋଇପାରେ । କିନ୍ତୁ ସେମାନେ ଭାବନ୍ତି ଯେ ବର୍ତ୍ତମାନର ଶିକ୍ଷକମାନଙ୍କର ମନୋଭାବ ଓ ଅଭ୍ୟାସକୁ ନୂତନ ଶିକ୍ଷାଭିମୁଖୀ କରାଇବା ପାଇଁ ଏହି ପ୍ରସ୍ତାବ ଗୁଡ଼ିକ ଅତ୍ୟନ୍ତ ବାସ୍ତବ ଏବଂ ଆବଶ୍ୟକ । ସମସ୍ୟାର ଗୁରୁତ୍ଵ ଏବଂ ବିଶାଳତା ସମ୍ମୁଖରେ ଏଗୁଡ଼ିକ ଅତ୍ୟନ୍ତ ରକ୍ଷଣଶୀଳ ବୋଲି ଲେଖକ ମତ ଦେଇଛନ୍ତି-। ସେହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ କେତେକ ନମୁନା ଏଠାରେ ଦିଆଯାଇଛି ।

 

• ସମସ୍ତ ପାଠ୍ୟପୁସ୍ତକ ଉପରେ ପାଞ୍ଚବର୍ଷ ପାଇଁ ରହିତାଦେଶ ଜାରି କରାଯାଉ । ଗୋଟିଏ ବା ଦୁଇଟି ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟଗୁଡ଼ିକ ନିହାତି ଅନାକର୍ଷଣୀୟ, ମୂଲ୍ୟହୀନ କିମ୍ବା କ୍ଷତିକାରକ ।

 

• ଇଂରାଜୀ ପଢ଼ାଉଥିବା ଶିକ୍ଷକଙ୍କୁ ଗଣିତ, ଗଣିତ ଶିକ୍ଷକଙ୍କୁ ଇଂରାଜୀ, ସାମାଜିକ ପାଠ ଶିକ୍ଷକଙ୍କୁ ବିଜ୍ଞାନ ଏହିଭଳି ପଢ଼ାଇବା ପାଇଁ ବାଧ୍ୟ କରାଯାଉ । ଏହାଦ୍ୱାରା ସେମାନେ ଜାଣିଥିବା ଜ୍ଞାନକୁ ପିଲାଙ୍କ ମସ୍ତିଷ୍କ ମଧ୍ୟରେ ଭର୍ତ୍ତି ନକରି ନିଜେ ଶିକ୍ଷାର୍ଥୀଭାବେ ବିଷୟକୁ ପ୍ରତ୍ୟକ୍ଷଣ କରିପାରିବେ ଓ ତଦନୁଯାୟୀ ଶିକ୍ଷଣ ସହାୟକ ହୋଇପାରିବେ ।

 

• ଯେଉଁ ଶିକ୍ଷକ କୌଣସି ବିଷୟରେ ବହୁତ ଭଲ ଜ୍ଞାନ ଅଛି ବୋଲି ଚିନ୍ତା କରୁଛନ୍ତି ସେହି ବିଷୟରେ ଗୋଟିଏ ବହି ଲେଖିବା ପାଇଁ ତାଙ୍କୁ ବାଧ୍ୟ କରାଯାଉ । ଫଳରେ ସେ ଅନ୍ୟମାନଙ୍କୁ ବିଶେଷ କରି ତାଙ୍କର ଶିକ୍ଷାର୍ଥୀମାନଙ୍କୁ ନିଜର ଜ୍ଞାନ ଦ୍ଵାରା କ୍ଷତାକ୍ତ କରିବାରୁ ନିବୃତ୍ତ ହେବେ ।

 

• ସମସ୍ତ ବିଷୟ, ପାଠ୍ୟକ୍ରମ ବିଶେଷ କରି ପାଠ୍ୟକ୍ରମର ଆବଶ୍ୟକତାକୁ ସଂପୂର୍ଣ୍ଣଭାବେ ନିଶ୍ଚିହ୍ନ କରାଯାଉ । ଏହାଦ୍ଵାରା ପ୍ରତ୍ୟେକ ଶୈକ୍ଷିକ ଅମଲାତନ୍ତ୍ର ଧ୍ୱଂସ ହେବ ଓ ଶିକ୍ଷକମାନେ ନିଜର ଶିକ୍ଷାର୍ଥୀମାନଙ୍କ ଉପରେ ଅଧିକ ଧ୍ୟାନ ଦେବେ ।

 

• ଯେଉଁ ପ୍ରଶ୍ନର ଉତ୍ତର ଶିକ୍ଷକଙ୍କୁ ଜଣାଥିବ ସେଭଳି ପ୍ରଶ୍ନ ପରରିବାରେ ତାଙ୍କୁ ବାରଣ କରାଯାଉ । ଏହାଦ୍ୱାରା ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ଦୃଷ୍ଟିକୋଣରୁ ଶିକ୍ଷଣକୁ ପ୍ରତ୍ୟକ୍ଷଣ କରିବେ ଓ ଜ୍ଞାନ ଉପୁଜାଇବା ପାଇଁ କିଭଳି ପ୍ରଶ୍ନ ପଚରାଯାଇପାରେ ତାହା ଶିକ୍ଷାର୍ଥୀମାନଙ୍କୁ ଶିଖିବାରେ ସାହାଯ୍ୟ କରିପାରିବେ ।

 

• ସମସ୍ତ ପ୍ରକାରର ପରୀକ୍ଷଣ ଓ ଗ୍ରେଡ୍ ଦେବା ପଦ୍ଧତି ଉପରେ ରହିତାଦେଶ ଜାରି କରାଯାଉ । ଏହାଦ୍ଵାରା ଶିକ୍ଷକମାନଙ୍କ ହାତରୁ ଜୋର ଜବରଦସ୍ତ କରିବାର ଅସ୍ତ୍ର କାଢ଼ି ନିଆଯିବ ଓ ଶିକ୍ଷାର୍ଥୀମାନଙ୍କର ସାର୍ଥକ ଶିକ୍ଷଣର ଦୁଇଟି ମୁଖ୍ୟ ବାଧକକୁ ଦୂର କରାଯାଇପାରିବ ।

 

ଶ୍ରେଣୀର ଉପସ୍ଥାନ ପାଇଁ ବାଧ୍ୟ ନକରି ଯେଉଁ ଶିକ୍ଷକଙ୍କର ଶ୍ରେଣୀରେ ଛାତ୍ର ଉପସ୍ଥାନ କରାହେବ ତାଙ୍କ ପାଇଁ ଶାସ୍ତିବିଧାନ କରିବା । ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ପରୀକ୍ଷଣ ଶିକ୍ଷକ ଉତ୍ତର ଦେବା ଭଳି ପ୍ରସ୍ତାବ ସହ ପ୍ରଚଳିତ କେତେକ ଶବ୍ଦାବଳୀ ଯଥା ଶିକ୍ଷାଦାନ, ସିଲାବସ୍‌, ସିଲାବସ ଶେଷ କରିବା, ବୁଦ୍ଧ୍ୟଙ୍କ, ପରୀକ୍ଷଣ, ଅନଗ୍ରସର, ମାର୍କ, ଗ୍ରେଡ୍ ଆଦିର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବାକୁ ଲେଖକ ମତପୋଷଣ କରନ୍ତି । (ପୃ୧୩୫-୧୩୭)

 

ଯେତେ ପ୍ରକାର ସଂସ୍କାର ଆଣିଲେ ମଧ୍ୟ ବର୍ତ୍ତମାନର ଅଧକାଂଶ ଶିକ୍ଷକଙ୍କ ଦ୍ୱାରା ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଜରୁରୀ ବ୍ୟାପାର । କିନ୍ତୁ ଭବିଷ୍ୟତରେ ଶିକ୍ଷକମାନଙ୍କ ଦ୍ଵାରା ହିଁ ଏହି ବିପ୍ଳବ ସମ୍ଭବ ହୋଇପାରେ ନତୁବା ଏହା କେବେ ହେବ ନାହିଁ । ସେଥିପାଇଁ ଟ୍ରେନିଂ କଲେଜର ଶିକ୍ଷାର୍ଥୀମାନଙ୍କ ପାଇଁ ଆମେ କେତେକ ପାରମ୍ପରିକ ପ୍ରସ୍ତାବ ରଖିଛୁ-

 

• ମାଧ୍ୟମ ହିଁ ବାର୍ତ୍ତା ବା ତୁମେ ଯାହା କରିବ ତାହା ଶିଖିବ, ଏହି ବାର୍ତ୍ତା ଉପରେ ଆଧାର କରି ଭବିଷ୍ୟତର ଶିକ୍ଷକମାନଙ୍କୁ ଶିକ୍ଷାର୍ଥୀଭାବେ ଏପରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯିବ ଯେପରି ସେମାନେ ଶିକ୍ଷକ ହିସାବରେ ଛାତ୍ରମାନଙ୍କର ଶିକ୍ଷଣ ସହାୟକ ହୋଇପାରିବେ । ଫଳପ୍ରଦ ଶିକ୍ଷାଦାନ କୌଶଳର ଉଦ୍ଭାବକଭାବେ ସେମାନଙ୍କର ଭୂମିକାରେ ପରିବର୍ତ୍ତନ ଆଣିବାକୁ ହେବ । ଏହାଦ୍ୱାରା ଭବିଷ୍ୟତରେ ଶିକ୍ଷକ ବାସ୍ତବ ସମସ୍ୟାର ସମ୍ମୁଖୀନ ହୋଇ ନିଜେ ନିଜକୁ ପ୍ରଶ୍ନ କରିବେ ଯେ ସେ କ’ଣ କରୁଛନ୍ତି, କାହିଁକି କରୁଛନ୍ତି, ଏହାଦ୍ୱାରା କ’ଣ ମଙ୍ଗଳ ହେବ ଏବଂ ସେ କିପରି କହିପାରିବେ ଯେ ଏହା ବାସ୍ତବିକ ଉପଯୋଗୀ ଅଟେ ।

 

• ଭବିଷ୍ୟତ ଶିକ୍ଷକ ପ୍ରସ୍ତୁତି ପାଠ୍ୟକ୍ରମ କୌଣସି ବିଷୟଭିତ୍ତିକ ନହୋଇ ସାଧାରଣ ପଦ୍ଧତିଭିତ୍ତିକ ହେବ, ଯେଉଁଥିରେ ଶିକ୍ଷାର୍ଥୀମାନେ ଅଧିକ ପ୍ରଶ୍ନ ପଚାରି ପାରୁଥିବେ । ବର୍ତ୍ତମାନର ପ୍ରକ୍ରିୟା ଓ ପଦ୍ଧତିମାନଙ୍କୁ ଆହ୍ୱାନ କରିପାରୁଥିବେ । ଏବଂ ଯାହା ବାସ୍ତବରେ ଅନୁପଯୋଗୀ ବା ଅଦରକାରୀ (ଅବସ୍ତୁ) ସେସବୁ ଚିହ୍ନଟ କରି ତ୍ୟାଗ କରିବାର ସାହାସ ସୃଷ୍ଟି କରୁଥିବେ ।

 

• ଆଣବିକ ସ୍ପେଶ୍-ଯୁଗରେ (Nuclear Space Age)ଏକ ସର୍ବୋତ୍ତମ ମାଧ୍ୟମିକ ବିଦ୍ୟାଳୟରେ କ’ଣ ରହିବା ଉଚିତ ତାହା ଉଦ୍ଭାବନ କରିବା ପାଇଁ ସେମାନଙ୍କୁ ଯଥେଷ୍ଟ ସ୍ୱାଧୀନତା ଓ ପରେ ଦାୟିତ୍ୱ ଦେବା ପାଇଁ ସୁଯୋଗ ସୃଷ୍ଟି କରାଯିବ ।

 

ଏଠାରେ ହିଁ ବିରାଟ ସମସ୍ୟାର ସମ୍ମୁଖୀନ ହେବା । ଯେଉଁ ଶିକ୍ଷାର୍ଥୀମାନେ ଭବିଷ୍ୟତ ଶିକ୍ଷକ ହେବା ପାଇଁ ଏପରି ପ୍ରଶିକ୍ଷଣ ପାଇବାକୁ ଆସୁଛନ୍ତି ସେମାନେ ନିଜ ଜୀବନର ଷୋଳବର୍ଷ ଏପରି ଆନୁଷ୍ଠାନିକ ଶିକ୍ଷା ପାଇଛନ୍ତି ଯେଉଁଥିରେ ସେମାନେ ବୌଦ୍ଧିକ ପକ୍ଷାଘାତରେ ଆକ୍ରାନ୍ତ ହୋଇଯାଇଛନ୍ତି । ସେମାନେ ସଫଳତାକୁ ପାରମ୍ପରିକ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁସାରେ ତଉଲ କରିଥାନ୍ତି । ଯେପରିକି ନୀରବରେ ବସି ରହିବା, ଯେତେ ଅର୍ଥହୀନ ଅତ୍ୟାଚାରକୁ ବିନା ପ୍ରଶ୍ନରେ ସହ୍ୟ କରିବା, କେବଳ ଶିକ୍ଷକଙ୍କଠାରୁ ସଙ୍କେତ ମିଳିଲେ କହିବା ଆଦି ବିଦ୍ୟାଳୟରେ ଆଶାକରାଯାଉଥିବା କାର୍ଯ୍ୟଗୁଡ଼ିକୁ ଖୁବ୍ ଭଲଭାବେ କରିଯିବା । ଏହି ସମୟରେ ସେମାନେ ଚିନ୍ତା ନକରିବାକୁ, ପ୍ରଶ୍ନ ନପଚାରିବାକୁ, ନିଜ ପାଇଁ କିଛି ବ୍ୟବସ୍ଥା ନକରିବାକୁ ଶିଖିଛନ୍ତି । ସେମାନେ ସମର୍ପିତ ଭାବରେ ଶିକ୍ଷକଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହେବା ଶିଖିଛନ୍ତି । ସେଥିପାଇଁ ସେମାନଙ୍କୁ ଚିନ୍ତାକରିବା, କାର୍ଯ୍ୟକାରୀ ଅର୍ଥ ପ୍ରସ୍ତୁତ କରିବା, ନିଜେ ନିଜେ ନିଷ୍ପତ୍ତି ଗ୍ରହଣ କରିବା ଆଦି କାର୍ଯ୍ୟକରିବାରେ ଅସୁବିଧା ଉପୁଜିଥାଏ ।

 

ଏହି ସମୟରେ ଆମେ ଶିକ୍ଷା କ୍ଷେତ୍ରରେ ସବୁଠାରୁ କଷ୍ଟକର ସମସ୍ୟାର ସାମନା କରିବା । ତାହା ହେଉଛି ଶିକ୍ଷାର୍ଥୀମାନେ ଯାହାସବୁ ଜାଣିଛନ୍ତି ସେଥିମଧ୍ୟରୁ ଅଧିକାଂଶକୁ । ଅଣଶିକ୍ଷଣ (Unlearn) କରିବା କାରଣ ସେସବୁ ଶିକ୍ଷା ନାମରେ ଶିକ୍ଷାର ପରିପନ୍ଥୀ । ଉଦାହରଣ ସ୍ୱରୂପ ସେଗୁଡ଼ିକ ମଧ୍ୟରୁ କେତେକ ହେଉଛି; ଜଣେ ଯେତେ ଅଧିକ ‘ବିଷୟବସ୍ତୁ’ ଜାଣନ୍ତି ସେ ସେତେ ଉତ୍ତମ ଶିକ୍ଷକ ହୋଇଥାନ୍ତି; ପାଠ୍ୟକ୍ରମ ମାଧ୍ୟମରେ ‘ବିଷୟବସ୍ତୁ’କୁ ସବୁଠାରୁ ଭଲଭାବରେ ଶିକ୍ଷାଦାନ କରିହୁଏ; ‘ବିଷୟବସ୍ତୁ’ର ବିଭାଗୀକୃତ ଶିକ୍ଷାଦାନ ଦ୍ୱାରା ସେଗୁଡ଼ିକର ପବିତ୍ରତା ରକ୍ଷା କରାଯାଇପାରିବ; ବଡ଼ ବିଦ୍ୟାଳୟଗୁଡ଼ିକ ସାନ ବିଦ୍ୟାଳୟମାନଙ୍କ ଠାରୁ ଭଲ; କ୍ଷୁଦ୍ରାକାର ଶ୍ରେଣୀ ବୃହଦାକାର ଶ୍ରେଣୀମାନଙ୍କଠାରୁ ଅଧୁକ ଭଲ ଇତ୍ୟାଦି । ଏଗୁଡ଼ିକ ସପକ୍ଷରେ ଯେ କୌଣସି ତଥ୍ୟ ନାହିଁ ବରଂ ଏହାର ବିପକ୍ଷରେ ବହୁ ପ୍ରମାଣ ଥିବାର ଜଣାଇଲେ ଅଧିକାଂଶ ମର୍ମାହତ ହେବେ ।

 

ଏକ ଅନୁସନ୍ଧାନୀ ବାତାବରଣ ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର କଳ୍ପିତ ଆଦର୍ଶ ବିଦ୍ୟାଳୟର ଯୋଜନା କରିବା ପାଇଁ କହିବା ପୂର୍ବରୁ ଯେତେ ସମ୍ଭବ ସାର୍ଥକ ଏବଂ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣର ବିଭିନ୍ନ ଲକ୍ଷଣ ସମ୍ପର୍କରେ ମୁକ୍ତ ଆଲୋଚନା କରାଯିବା ଉଚିତ ହେବ । ଏହାଦ୍ୱାରା ସେମାନଙ୍କ ମନରେ ଜମାଟ ବାନ୍ଧି ରହିଥିବା ଭ୍ରାନ୍ତଧାରଣାମାନ କ୍ରମଶଃ ଭାଙ୍ଗିବାରେ ଲାଗିବ । ଆମର ପ୍ରଶିକ୍ଷଣର ପ୍ରଥମ କାର୍ଯ୍ୟ ହେବା ଏଭଳି ବଦ୍ଧମୂଳ ଭ୍ରାନ୍ତ ପ୍ରତ୍ୟୟ ଗୁଡ଼ିକର ଅଣଶିକ୍ଷଣ (Unlearned) କରିବାରେ ସେମାନଙ୍କୁ ସାହାଯ୍ୟ କରିବା । ଅନୁସନ୍ଧାନ ପଦ୍ଧତିରେ ସେମାନେ ଅଭ୍ୟସ୍ତ ହୋଇଗଲେ ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ଅସୁମାରୀ ପ୍ରଶ୍ନ ପଚାରିବେ ଓ ତହିଁର ସମାଧାନ ନିଜ ନିଜ ମଧ୍ୟରେ ଖୋଜିବେ । ପ୍ରଥମେ ଏଭଳି ବିଦ୍ୟାଳୟର ଉଦ୍ଦେଶ୍ୟ କ’ଣ ? ଏହା କିଭଳି ଶିକ୍ଷାର୍ଥୀ ପ୍ରସ୍ତୁତ କରିବ ? ଏଥିପାଇଁ ସମାଜ ଓ ଗୋଷ୍ଠୀ ସହିତ କେଉଁଭଳି ସମ୍ପର୍କ ରହିବା ବାଞ୍ଛନୀୟ ? ଏଥିରେ କେଉଁମାନେ ଶିକ୍ଷାର୍ଥୀ ହେବେ ? ସେମାନେ କ’ଣ ଜାଣିଥିବେ ? ସେମାନଙ୍କ ଦୃଷ୍ଟିରେ ଦୁନିଆଁ କିପରି ଦେଖାଯାଏ ? ସେମାନେ ଏଥିରେ କିପରି ଅନୁଭବ କରନ୍ତି ? ସେମାନେ ଏଭଳି ଦୁନିଆଁରେ କ’ଣ କରିବାକୁ ଇଚ୍ଛା କରନ୍ତି ? ଶିକ୍ଷାର୍ଥୀମାନଙ୍କର ମନୋବୃତ୍ତି, ପ୍ରତ୍ୟକ୍ଷଣ, ଅନୁମାନ, ବିଶ୍ଵାସ, ମୂଲ୍ୟବୋଧ ଓ ପସନ୍ଦକୁ ପ୍ରଭାବିତ କରୁଥିବା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାରକ ଗୁଡ଼ିକ କ’ଣ ? ଶିକ୍ଷାର୍ଥୀମାନେ ସେସବୁ ପ୍ରତି କେତେଦୂର ସଚେତନ ? ସେମାନଙ୍କ ପାଖରେ ‘ତିଷ୍ଠି ରହିବାର କୌଶଳ’ କ’ଣ ଅଛି ? ଶିକ୍ଷାର୍ଥୀମାନେ କେଉଁ ସବୁ ପ୍ରତ୍ୟୟରେ ପାରଙ୍ଗମତା ହାସଲ କରିବେ ଯାହା ସେମାନଙ୍କୁ ସେମାନେ ବାସ କରୁଥିବା ଦୁନିଆଁରେ ଖାପଖୁଆଇ ଚଳିବା ପାଇଁ ଉପଯୁକ୍ତ ବ୍ୟବହାରମାନ ପ୍ରଦର୍ଶନ କରିପାରିବେ ? ଏହିସବୁ ପ୍ରତ୍ୟୟମାନଙ୍କରେ ପାରଙ୍ଗମ ହେବାରେ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବାରେ କେଉଁ କେଉଁ ବିଷୟବସ୍ତୁମାନ ସର୍ବାଧୂକ ଉପଯୋଗୀ ହେବ ? ଏହିପରି ଅନେକ ପ୍ରଶ୍ନ ଯାହାର ଉତ୍ତର ପ୍ରଚଳିତ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକରୁ ମିଳିବ ନାହିଁ । ଉତ୍ତର ଆସିବ ନିଜ ଅଭିଜ୍ଞତାରୁ, ନିଜର ଅନୁସନ୍ଧିତ୍ସାରୁ, ନିଜର ପରିପାର୍ଶ୍ୱରୁ, ନିଜକୁ ନିଜେ ପଚାରୁଥିବା ପ୍ରଶ୍ନରୁ, ନିଜର ସହପାଠୀମାନଙ୍କ ଠାରୁ । ଏଭଳି ପ୍ରଶ୍ନମାନଙ୍କର ଉତ୍ତର ଶିକ୍ଷାର୍ଥୀମାନଙ୍କୁ ଏଭଳି ଏକ ପରିବେଶରେ କାର୍ଯ୍ୟ କରିବାରେ ଉତ୍ସାହିତ କରିବ ଯାହା ଶିକ୍ଷଣ ସମ୍ବନ୍ଧରେ ଯାହା ଜଣାଅଛି ତାହାଉପରେ ପର୍ଯ୍ୟବସିତ ହୋଇଥିବ । ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ସେମାନଙ୍କୁ ଯଥେଷ୍ଟ ଉପାଦାନ (ପୁସ୍ତକ, ଜର୍ଣ୍ଣାଲ, ସିଡି ଇତ୍ୟାଦି) ଯୋଗାଇବା ନିଶ୍ଚିତ କରିବାକୁ ହେବ ।

 

ଭବିଷ୍ୟତର ଶିକ୍ଷକମାନେ ଏହିଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନୁଭୂତି ହାସଲ କରିବାପରେ ପାରମ୍ପରିକ ଟ୍ରେନିଂ ବ୍ୟବସ୍ଥାର ଅସାରତା ସହଜରେ ଉପଲବ୍ଧି କରିପାରିବେ ଓ ଶିକ୍ଷାରେ ଏକ ବିପ୍ଳବାତ୍ମକ ପଦକ୍ଷେପ ନେବା ପାଇଁ ସେମାନେ ଆଦୌ ପଶ୍ଚାତପଦ ହେବେ ନାହିଁ । ଶିକ୍ଷାରେ ବିପ୍ଳବ ସେତିକିବେଳେ ଦୃଶ୍ୟମାନ ହେବ ଯେତେବେଳେ ଏହି ଶିକ୍ଷକମାନେ ନିମ୍ନଲିଖିତ ପଦକ୍ଷେପମାନ ନେବେ (ଏଭଳି ପ୍ରଶିକ୍ଷଣ ପାଇଥିବା ଶିକ୍ଷକମାନେ ନିମ୍ନଲିଖିତ ପଦକ୍ଷେପମାନଙ୍କୁ ଅବାସ୍ତବ ବୋଲି ଆଦୌ ମାନନ୍ତି ନାହିଁ) :

 

୧. ସମସ୍ତ ପାରମ୍ପରିକ ପରୀକ୍ଷା ଓ ପରୀକ୍ଷଣକୁ ଉଠାଇ ଦେବେ ।

 

୨. ସମସ୍ତ ପାଠ୍ୟକ୍ରମକୁ ଉଠାଇ ଦେବେ ।

 

୩. ସମକ୍ତ ପାଠ୍ୟକ୍ରମ ଆବଶ୍ୟକତାକୁ ଦୂରେଇ ଦେବେ ।

 

୪. ସମସ୍ତ ପୂର୍ଣ୍ଣ ସମୟ କାର୍ଯ୍ୟକରୁଥିବା ପ୍ରଶାସକ ଓ ପ୍ରଶାସନ ସବୁକୁ ହଟାଇ ଦେବେ-

 

୫. ଶିକ୍ଷାର୍ଥୀମାନଙ୍କୁ ବାକ୍ସ ମଧ୍ୟରେ ଥିବା, ବାକ୍ସ ଭିତରେ ନିଶ୍ଚଳ ହୋଇ ବସିରହିବାରେ ବାଧ୍ୟ କରୁଥିବା ସମସ୍ତ ବାଧାବିଘ୍ନକୁ ହଟାଇ ଦେବେ । (ପୃ.-୧୪୭)

 

ଏହା ମନମୁଖୀ କାର୍ଯ୍ୟରୂପେ ପରିଗଣିତ ହେବ ନାହିଁ । ଏଗୁଡ଼ିକ ଶିକ୍ଷଣର ସାଧାରଣ ବାଧକ ଅଟନ୍ତି । ଆମେ କିନ୍ତୁ ବିଦ୍ୟାଳୟରେ ଏସବୁ ଜାଲର ଫାସରେ ଛନ୍ଦି ହୋଇପଡ଼ିଛୁ ଏବଂ ଆମର ସମସ୍ତ ସାଧନ ଓ ଶକ୍ତି ଏଗୁଡ଼ିକର ସଂରକ୍ଷଣରେ । ଅପବ୍ୟୟ କରିବାରେ ଲାଗିଛୁ । ଏଥିରୁ କୌଣସି ସୁଫଳ ମିଳିବା ପରିବର୍ତ୍ତେ ଅଧିକ କୁଫଳ ମିଳୁଛି ।

 

ଉଦାହରଣ ସ୍ଵରୂପ, ପାରମ୍ପରିକ ପରୀକ୍ଷଣ ଓ ପରୀକ୍ଷାପଦ୍ଧତ୍ତି ଶିକ୍ଷାର୍ଥୀମାନଙ୍କୁ ପାଶ୍ ବା ଫେଲ ପାଇଁ ନିର୍ଣ୍ଣାୟକଭାବେ ବ୍ୟବହାର କରାଯାଉଛି । ଯଦି ଏତଦ୍ଦ୍ୱାରା କୌଣସି ସୃଜନାତ୍ମକ ବୌଦ୍ଧିକ କାର୍ଯ୍ୟ ଶିକ୍ଷାର୍ଥୀମାନେ କରିବାର ସୁଯୋଗ ପାଉଛନ୍ତି ତାହା ହେଉଛି– ଠକିବା । ସମ୍ଭବତଃ ବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ଯେଉଁ ସବୁଠାରୁ ଅସଲ ସମସ୍ୟା ସମାଧାନମୂଳକ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ତାହା ହେଉଛି ବର୍ତ୍ତମାନର ସଂସ୍ଥାକୁ ହଟାଇବା ପାଇଁ ଅନ୍ୟ ଏକ ସଂସ୍ଥାର ଉଦ୍ଭାବନ ।

 

ପାଠ୍ୟକ୍ରମ ଯେଭଳି ପ୍ରସ୍ତୁତ ଓ ବ୍ୟବହାର ହେଉଛି ମନେହୁଏ ତାହା କେବଳ ପରୀକ୍ଷା ପାଇଁ । ପାଠ୍ୟକ୍ରମ ଆବଶ୍ୟକତା ଗୁଡ଼ିକ ମଧ୍ୟ ବିଷୟଗୁଡ଼ିକରେ ପରିବର୍ତ୍ତନ ଆଣେ ଶିକ୍ଷା ପାଇଁ ନୁହେଁ ଏହା ପରିବର୍ତ୍ତେ ଆଉ କିଛି ପାଇଁ । ଯଦି ଆମେ ଶିକ୍ଷଣ ଉପରେ ଗୁରୁତ୍ୱ ଦେବା ତା’ହେଲେ ଏଗୁଡ଼ିକୁ ବିଦ୍ୟାଳୟ କାର୍ଯ୍ୟକ୍ରମରୁ ବାଦ୍ ଦେବାକୁ ପଡ଼ିବ ।

 

ଏଥିରୁ ଆମେ ପ୍ରଶାସକଙ୍କ ପାଖକୁ ଯିବା । ପ୍ରଶାସକମାନେ ହେଉଛନ୍ତି ସେହି ଅମଲାତନ୍ତ୍ରର ଏକ ବିଚିତ୍ର ପରିଣତି ଯାହା ନିଜ ସ୍ଥିତିର କାରଣ ସଂପୂର୍ଣ୍ଣ ଭୁଲିଯାଇଛି । ଏମାନେ ଏତେ ସମୀପଦୃଷ୍ଟି ସମ୍ପନ୍ନ ଯେ ବିଦ୍ୟାଳୟର ସମସ୍ୟାମାନ ସମ୍ମୁଖୀନ ହେଲାବେଳେ ଏହାର ଅସଲ ଉପାଦାନ ଅର୍ଥାତ୍ ଶିକ୍ଷାର୍ଥୀମାନଙ୍କ ପ୍ରତି ଆଦୌ ଦୃଷ୍ଟି ଦିଅନ୍ତି ନାହିଁ । ଏଭଳି ପ୍ରଶାସକମାନଙ୍କୁ ଯେତେ ଶୀଘ୍ର ବିଦ୍ୟାଳୟରୁ ହଟାଇ ଦିଆଯାଇ ପାରିବ ଶିକ୍ଷାର୍ଥୀଙ୍କର ଶିକ୍ଷଣ ଦୃଷ୍ଟିରୁ ତାହା ସେତେ ମଙ୍ଗଳକର । ଦାୟିତ୍ୱକୁ କେତେକ ନିର୍ଦ୍ଦିଷ୍ଟ ପ୍ରଶାସକମାନଙ୍କ ଠାରେ କେନ୍ଦ୍ରୀଭୂତ ନକରି ଯେତେଦୂର ସମ୍ଭବ ବିକେନ୍ଦ୍ରୀକରଣ କରାଯାଇ ବିଦ୍ୟାଳୟର ମୌଳିକ ଉପାଦାନ, ଅର୍ଥାତ୍ ଶିକ୍ଷାର୍ଥୀମାନଙ୍କ ପ୍ରତି ଉତ୍ତରଦାୟୀ କରାଯାଉ । ଏହାର ଯେତେ ଅପାରଗତା ସତ୍ତ୍ୱେ ଗଣତନ୍ତ୍ର ତଥାପି ସର୍ବୋତ୍ତମ ସଂସ୍ଥା ଯାହା ଆମର ପାରସ୍ପରିକ ତିଷ୍ଠି ରହିବାର ସମ୍ଭାବନାକୁ ବୃଦ୍ଧି କରିଥାଏ । ବିଦ୍ୟାଳୟଗୁଡ଼ିକୁ ଏପରି ସଂସ୍ଥାଭାବେ ଗଢ଼ି ତୋଳିବା ପାଇଁ ଏବେଠୁ କାର୍ଯ୍ୟ ଆରମ୍ଭ କରିବାକୁ ହେବ I (ପୃ୧୪୯)

 

ଅଧିକନ୍ତୁ ଇଲେକ୍‌ଟ୍ରୋନିକ ତଥ୍ୟ ପ୍ରକ୍ରିୟାକରଣ ଏପରି ସ୍ତରରେ ଆସି ପହଞ୍ଚିଲାଣି ଯେ ବିଦ୍ୟାଳୟର ବର୍ତ୍ତମାନ ସ୍ଥିତି ଅନାବଶ୍ୟକ ଭଳି ମନେ ହେଲାଣି । ସେଥିପାଇଁ ଆମକୁ ‘ନୂତନ ଶିକ୍ଷା’ କଥା ଚିନ୍ତା କରିବାକୁ ହେବ । ଏହାର ଉଦ୍ଦେଶ୍ୟ ହେବ ପରିବର୍ତ୍ତନ ସହ ଉପଯୁକ୍ତ ତାଳଦେଇ ଆଗେଇବା ପାଇଁ ବ୍ୟକ୍ତିମାନଙ୍କୁ ପ୍ରସ୍ତୁତ କରିବା । ଆମକୁ ହୁଏତ ସମସ୍ତ ଟେକ୍‌ନୋଲୋଜି ବା ନିର୍ଦ୍ଦିଷ୍ଟ ପରିସ୍ଥିତି ପାଇଁ ଯାହା ପ୍ରାସଙ୍ଗିକ ସେସବୁର ଉପଯୋଗ କରିବାକୁ ହେବ ଏବଂ ତାହା ଶିକ୍ଷାର୍ଥୀମାନଙ୍କୁ ପରିବର୍ତ୍ତନଶୀଳ ପୃଥିବୀରେ ତିଷ୍ଠି ରହିବା ପାଇଁ ଯାବତୀୟ କୌଶଳ ଶିଖିବାରେ ସହାୟକ ହୋଇପାରିବ । ନୂତନ ଶିକ୍ଷା ଏପରି ଏକ ପୃଥିବୀ ପାଇଁ ଉଦ୍ଦିଷ୍ଟ । ଏହି ଶିକ୍ଷାକୁ ବାସ୍ତବତାରେ ପରିଣତ କରିବା ପାଇଁ ନୂତନ ପ୍ରକାରର ଶିକ୍ଷକମାନଙ୍କର ମଧ୍ୟ ଆବଶ୍ୟକତା ରହିଛି-। (ପୃ–୧୪୯)

 

ମାଧ୍ୟମ : ନୂତନ ଭାଷା ଓ ଶିକ୍ଷା

 

ନୂତନ ଶିକ୍ଷାପ୍ରତି ମାକ୍‍ଲୁହାନ୍‍ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି ସାପିରହୋର୍ପିଂ ପରିକଳ୍ପନାକୁ ସଂପ୍ରସାରଣ କରି ପ୍ରୟୋଗ କରିବା । ଏହି ପରିକଳ୍ପନା ଅନୁଯାୟୀ ପ୍ରତ୍ୟେକ ଭାଷା ଦ୍ୱାରା ବାସ୍ତବତାର ପ୍ରତ୍ୟକ୍ଷଣ ନିୟନ୍ତ୍ରିତ ହୋଇଥାଏ । ମାକ୍‍ଲୁହାନ୍ ଓ ତାଙ୍କର ସହଯୋଗୀମାନେ ଇଲେକ୍‌ଟ୍ରୋନିକ ମାଧ୍ୟମରେ ହେଉଥିବା ଯୋଗାଯୋଗକୁ ନୂତନ ଭାଷା ଦ୍ଵାରା ସଂଗଠିତ ହେଉଛି ବୋଲି ଦର୍ଶାଇଛନ୍ତି । ଯୋଗାଯୋଗର ବ୍ୟବସ୍ଥାର ଆରମ୍ଭ ହୁଏ ମୌଖିକ ପରମ୍ପରାରୁ ବହୁ ଆଦିମକାଳରୁ ଏବଂ ତତ୍ପରେ ଲିଖନ ପ୍ରଣାଳୀ, ମୁଦ୍ରଣ ପାଠ୍ୟର ଉଦ୍ଭବ, ଯୋଗାଯୋଗ ବ୍ୟବସ୍ଥାର ପରିବର୍ତ୍ତନ ଆଣିବା ସହିତ ଶିକ୍ଷା ପ୍ରକ୍ରିୟାରେ ଏହି ପରିବର୍ତ୍ତନର ସୁଦୂରପ୍ରସାରୀ ପ୍ରଭାବକୁ ବହୁଭାବରେ ଅଧ୍ୟୟନ କରାଯାଇଛି । ବିଂଶ ଶତାବ୍ଦୀରେ ଇଲେକ୍‍ଟ୍ରିକ୍ ଓ ଇଲେକ୍‌ଟ୍ରୋନିକ୍ ଟେକ୍ନୋଲୋଜିର ଅଭୂତପୂର୍ବ ଅଗ୍ରଗତିଦ୍ୱାରା ଯୋଗାଯୋଗ କ୍ଷେତ୍ରରେ ବିପ୍ଳବାତ୍ମକ ପରିବର୍ତ୍ତନ ଘଟିଛି । ଗୋଟିଏ ମାଧ୍ୟମରୁ ଅନ୍ୟ ଏକ ମାଧ୍ୟମକୁ ପରିବର୍ତ୍ତନ ଦ୍ୱାରା ଶିକ୍ଷା କେତେଦୂର ପ୍ରଭାବିତ ହୋଇଛି ସେ ସମ୍ପର୍କରେ ମାକ୍‍ଲୁହାନ୍‍ ଓ ତାଙ୍କ ସହଯୋଗୀମାନଙ୍କର ଅଧ୍ୟୟନ ବେଶ୍ ପ୍ରଭାବଶାଳୀ-। ଏପରି ଅଧ୍ୟୟନ କେବଳ ବିଷୟବସ୍ତୁ ଉପରେ ସୀମିତ ନରହି ନୂତନ ମାଧ୍ୟମରେ ବ୍ୟବହୃତ ଭାଷାର ଆମ ଉପରେ କି ପ୍ରକାରର ଆନୁଭୂତିକ ତଥା ବୌଦ୍ଧିକ ପ୍ରଭାବ ପଡ଼ୁଛି ତାହା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଯେକୌଣସି ମାଧ୍ୟମରେ ବାଧାସୃଷ୍ଟିକାରୀ ପ୍ରଭାବରୁ ମୁକ୍ତ ହେବା ପାଇଁ ଏହା ସମ୍ପର୍କରେ ଏକ ସାମଗ୍ରିକ ଦୃଷ୍ଟିକୋଣର ବିକାଶ କରିବା ଉଚିତ । ନୂତନ ମାଧ୍ୟମର ପ୍ରକ୍ରିୟା ସମ୍ପର୍କରେ ଅଜ୍ଞ ବ୍ୟକ୍ତିମାନେ ଏହାକୁ ନିୟନ୍ତ୍ରଣକାରୀମାନଙ୍କ ଦୟା ପରବଶ ହୋଇ ତିଷ୍ଠିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ । ଏହି ଦୃଷ୍ଟିରୁ ନୂତନ ମାଧ୍ୟମ ଅର୍ଥାତ୍ ନୂତନ ଭାଷା ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହାକୁ ତିଷ୍ଠି ରହିବା ପାଇଁ ଅଧ୍ୟୟନ କରିବାର ଆବଶ୍ୟକତା ଅବଶ୍ୟ ରହିଛି । କିନ୍ତୁ ତାହାକୁ ବୁଝିବା ପାଇଁ ନୂତନ ପଦ୍ଧତିରେ ଅଧ୍ୟୟନ କରିବା ଆବଶ୍ୟକ– ତାହା ପ୍ରତ୍ୟକ୍ଷଣର ମାଧ୍ୟମଭାବେ ଶିଖିବାକୁ ହେବ ।

 

ଅତ୍ୟନ୍ତ ଦ୍ରୁତ, ସମସାମୟିକ ଜଟିଳ ଏବଂ ସାମଗ୍ରିକ କ୍ଷେତ୍ର ପରିବର୍ତ୍ତନଶୀଳ ଦୁନିଆଁରେ ପାରମ୍ପରିକ, ମନ୍ଥର, ସରଳରୈଖିକ ଏବଂ ବିଭାଗୀକୃତ ଶିକ୍ଷାପ୍ରକ୍ରିୟା ଆମର ତିଷ୍ଠି ରହିବା ପ୍ରତି ଏକ ବିପଦ ଅଟେ ! ନୂତନ ଶିକ୍ଷାର ପ୍ରକ୍ରିୟାମାନ ଦୁନିଆଁର ସମସ୍ତ ବାସ୍ତବ କ୍ଷେତ୍ରମାନଙ୍କର ପ୍ରତିନିଧିତ୍ୱ କରିବେ ଯଦି ଶିକ୍ଷାର୍ଥୀମାନେ ଶିଖନ୍ତୁ ବୋଲି ଆମେ ଆଶା କରିବା । ନୂତନ ଶିକ୍ଷାର ପୁରାତନ ଶିକ୍ଷା ସହିତ ସାମଞ୍ଜସ୍ୟ ସେହିପରି, ଯେପରି ମହାକାଶ ଯାନର ନଦୀରେ ଚାଲୁଥିବା ଆହୁଲା ଚାଳିତ ଡଙ୍ଗା ସହିତ ସମ୍ପର୍କ । ପୁରାତନ ନକ୍ସା, ଉପକରଣ ଏବଂ ଶବ୍ଦାବଳୀକୁ ନେଇ ଆଣବିକ ସ୍ପେଶ୍ ଯୁଗର ଉଦ୍ଦେଶ୍ୟ ସାଧନ ପାଇଁ ନୂତନ ଶିକ୍ଷା ପ୍ରସ୍ତୁତ କରିବାର ପ୍ରଚେଷ୍ଟାର କୌଣସି ଅର୍ଥ ନାହିଁ ।

 

ପୁସ୍ତକର ଶେଷ ଦୁଇଟି ଅଧ୍ୟାୟରେ ଲେଖକ ଶ୍ରେଣୀରେ ନୂତନ ଶିକ୍ଷା ପାଇଁ ଶିକ୍ଷକଙ୍କର କର୍ତ୍ତବ୍ୟ ଓ ତିଷ୍ଠି ରହିବା ପାଇଁ କୌଶଳ ଉପରେ ପ୍ରସ୍ତାବମାନ ଅବତାରଣା କରିଛନ୍ତି ଯାହା ମୁଖ୍ୟତଃ ପୂର୍ବ ଅଧ୍ୟାୟମାନଙ୍କରେ ହୋଇଥିବା ବିସ୍ତୃତ ଆଲୋଚନାମାନଙ୍କର ସଂକ୍ଷିପ୍ତ ଉପସ୍ଥାପନା ଅଟେ । ଭବିଷ୍ୟତରେ ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଉପଯୁକ୍ତ ପ୍ରତ୍ୟୟମାନଙ୍କର ଶିକ୍ଷଣ ପ୍ରଶ୍ନକୁ ପ୍ରଶ୍ନ କରିବା ଓ ଅର୍ଥପ୍ରସ୍ତୁତ କରିବା ଉପରେ ଆଧାରିତ ହେବ । ସଂକ୍ଷେପରେ କହିଲେ ଶିଖିବାର ଉପାୟମାନ ବା ଶିଖିବାର ପ୍ରକ୍ରିୟା ହିଁ ଭବିଷ୍ୟତର ଶିକ୍ଷା ବ୍ୟବସ୍ଥାର କେନ୍ଦ୍ର ହେବ । ମନେ ରଖିବାକୁ ହେବ ଯେ ମୂଳ ଉଦ୍ଦେଶ୍ୟ ହେଉଛି ସମସ୍ତ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଘାତପ୍ରତିରୋଧକ, ଅବସ୍ତୁ ଚିହ୍ନଟକାରୀ ବ୍ୟବସ୍ଥା ଯାହାକି ସେମାନେ ତିଷ୍ଠି ରହିବା ପାଇଁ ମୌଳିକ ସାଧନୀ ହେବ, ତହିଁର ବିକାଶ କରିବାରେ ସେମାନଙ୍କୁ ସହାୟତା ପ୍ରଦାନ କରିବା ।

 

ଶ୍ରୀ ମୋହିତ ମୋହନ ମହାନ୍ତି

☆☆☆

 

Unknown

ଶିକ୍ଷାର ରାଜନୀତି

 

The Politics of Education : Culture, Power and Libration

 

ଲେଖକ : ପାଉଲୋ ଫ୍ରେଇରେ ।

 

MacMillan Published Ltd. : London 1985

 

ପୃଷ୍ଠା ସଂଖ୍ୟା–୨୦୫

 

Paulo Regluous Neves Freire ବା ବିଶ୍ୱ ବିଖ୍ୟାତ ପାଉଲୋ (ସେପ୍ଟେମ୍ବର ୧୯, ୧୯୨୧ ରୁ ମେ ୨,୧୯୯୭) ବ୍ରାଜିର ରେସିଫେ ସହରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଓ ବିଶ୍ୱବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିଲେ । । ଯଦିଓ ଆଇନ, ଦର୍ଶନ ଓ ମନସ୍ତତ୍ତ୍ଵ ବିଦ୍ୟାରେ ସେ ଶିକ୍ଷା ଲାଭ କରିଥିଲେ, ଫ୍ରେଇରେ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଶିକ୍ଷାଦାର୍ଶନୀକ ଭାବେ ସାରା ବିଶ୍ୱରେ ସମ୍ମାନ ଲାଭ କରିଛନ୍ତି ।

 

ଆଇନରେ ସ୍ନାତକ ହୋଇ ମଧ୍ୟ ଆଇନ୍ ବ୍ୟବସାୟ ତ୍ୟାଗ କରି ଏକ ମାଧ୍ୟମିକ ବିଦ୍ୟାଳୟରେ ପର୍ତ୍ତୁଗୀଜ୍ ଭାଷା ଶିକ୍ଷକ ଭାବେ ଯୋଗ ଦେଇଥିଲେ ଏବଂ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏଲ୍‍ଜା ମେରିଆ ଅଲିଭିଏରାଙ୍କୁ ବିବାହ କରିଥିଲେ । ୧୯୮୬ରେ ମେରିଆଙ୍କର ଅକାଳ ବିୟୋଗ ପରେ ଫ୍ରେଇରେ ତାଙ୍କର ପୂର୍ବତନ ଛାତ୍ରୀ ମେରିଆ ଆରାଭଜୋଙ୍କୁ ବିବାହ କରିଥିଲେ । ଉଭୟ ପତ୍ନୀ ଚିନ୍ତନ ଓ କର୍ମକ୍ଷେତ୍ରରେ ବାସ୍ତବ ସହଧର୍ମିଣୀ ଥିଲେ ।

 

୧୯୪୬ ଠାରୁ ୧୯୬୪ ପର୍ଯ୍ୟନ୍ତ ରେସିଫେଠାରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ଶିକ୍ଷା ବିଶେଷ କରି କୃଷକମାନଙ୍କର ସାକ୍ଷରତା କାର୍ଯ୍ୟକ୍ରମରେ ପ୍ରଭୂତ ସଫଳତା ହାସଲ କରିଥିଲେ । ୧୯୬୨ ମସିହାରେ ୩୦୦ ଆଖୁ ଚାଷୀଙ୍କୁ ୪୫ଦିନ ମଧ୍ୟରେ ପଢ଼ିବା ଓ ଲେଖିବା ଶିଖାଇ ଦେବାରେ ଅଭୂତ ପୂର୍ବ ସଫଳତାରେ ତାଙ୍କର ଶିକ୍ଷାତତ୍ତ୍ଵର ପ୍ରଥମ ପ୍ରୟୋଗ ଆନ୍ତର୍ଜାତିକ ସ୍ତରରେ ଲୋକଲୋଚନକୁ ଆସିଥିଲା ।

 

ପରବର୍ତ୍ତୀ କାଳରେ ସେ ବ୍ରାଜିଲର ମିଲିଟାରୀ ଶାସକଙ୍କ ଦ୍ୱାରା ଦେଶଦ୍ରୋହ ଓ ଅଜ୍ଞତା ଅଭିଯୋଗରେ ଜେଲ ଦଣ୍ଡ, ବ୍ରାଜିଲ୍‍ରୁ ନିର୍ବାସନ, ଚିଲିରେ ଜାତିସଂଘ ସଂସ୍ଥାର ଉପଦେଷ୍ଟା, ଚିଲି ଓ ହାର୍ଭାଡ ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରଫେସର, ବିଶ୍ୱ ଚର୍ଚ୍ଚପରିଷଦ, ଜେନେଭାର ସ୍ଵତନ୍ତ୍ର ଉପଦେଷ୍ଟା, ଆଫ୍ରିକାରେ ପର୍ତ୍ତୁଗାଲର ପୂର୍ବତନ ଉପନିବେଶ ଗିନିବିଶାଉ ଓ ମୋଜାମ୍ବିକରେ ଶିକ୍ଷା ଉପଦେଷ୍ଟା ଭାବେ କର୍ମରତ ହୋଇ ନିଜ ଶିକ୍ଷାତତ୍ତ୍ଵର ସଫଳ ପ୍ରୟୋଗ କରି ଶତାବ୍ଦୀର ଶ୍ରେଷ୍ଠ ଶିକ୍ଷାବିତ୍‍ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି । ୧୯୭୯ ମସିହାଠାରୁ ଜୀବନର ଶେଷ ପର୍ଯ୍ୟନ୍ତ ବ୍ରାଜିଲରେ ଶିକ୍ଷାକ୍ଷେତ୍ରରେ ବିଶେଷ କରି ପୌଢ଼ ସାକ୍ଷରତା କ୍ଷେତ୍ରରେ ତାଙ୍କର ମୌଳିକ ଶିକ୍ଷାଦର୍ଶନର ସଫଳ ରୂପାୟନରେ ନିଜକୁ ନିୟୋଜିତ କରିଥିଲେ ।

 

ପ୍ଳାଟୋଙ୍କଠାରୁ ଆରମ୍ଭକରି ମାର୍କ୍ସଙ୍କ ପର୍ଯ୍ୟନ୍ତ ଚିନ୍ତାନାୟକଙ୍କ ଦ୍ୱାରା ବିଶେଷକରି ଉପନିବେଶ ବିରୋଧୀମାନଙ୍କ ଦ୍ଵାରା ପାଉଲୋ ଫ୍ରେଇରେ ପ୍ରଭାବିତ ହୋଇଥିଲେ । ତାଙ୍କ ବର୍ଣ୍ଣିତ ‘ବ୍ୟାଙ୍କିଙ୍ଗ୍’ ଶିକ୍ଷାତତ୍ତ୍ୱ ବିରୁଦ୍ଧରେ ତାଙ୍କର ଚିନ୍ତାଧାରାର ସୂତ୍ରପାତ ହୋଇଥିଲା । ଶିକ୍ଷାର୍ଥୀ ଅଜ୍ଞ, ଏକ ଶୂନ୍ୟପାତ୍ର ଓ ସେଥିରେ ଶିକ୍ଷକ ବିଭିନ୍ନ ଅଭିଜ୍ଞତା ଭରିଦେବା କଥାକୁ ସେ ତ୍ୟାଗ କରିଥିଲେ ଓ ନିଜର ପରିବେଶରେ, ସଂସ୍କୃତିରେ ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ସହ ସହଯୋଗ କରି ନିଜର ଅବସ୍ଥାର ଉନ୍ନତି କରିବା ସହ ଏକ ମାନବୀୟ ଶିକ୍ଷାଲାଭ କରିବାରେ ସେ ଦୃଢ଼ ବିଶ୍ୱାସୀ ଥିଲେ ଓ ଜଣେ ସକ୍ରିୟ ଶିକ୍ଷାବିତ୍ ଭାବେ ତାହା ସେ କାର୍ଯ୍ୟରେ ପ୍ରମାଣିତ କରିଛନ୍ତି ।

 

କ୍ରିୟାବାଦ୍ (Activism) ଓ ବାଚନିକବାଦ (Verbalism) ବା ବୌଦ୍ଧିକତାବାଦ (Intellectualism) ର ସମନ୍ଵୟ ପ୍ରାକ୍‌ସିସ୍ (Praxis) ହାସଲ ହିଁ ତାଙ୍କ ଦର୍ଶନର ମୂଳ ଆଧାର ଥିଲା । ମୁକ୍ତି ପାଇଁ ସାଂସ୍କୃତିକ କାର୍ଯ୍ୟ (Culture Action for Freedom), ବିବେକୀକରଣ (Conscientization) ନିରବତାର ସଂସ୍କୃତି (Culture of Silence) ଓ ବ୍ୟାଙ୍କିଙ୍ଗ ଶିକ୍ଷା (Banking Education) ଆଦି ମୌଳିକ ଧାରଣା ପ୍ରତି ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ସେ ଶତାଧିକ ପୁସ୍ତକର ରଚୟିତା । ତନ୍ମଧ୍ୟରୁ Pedagogy of the Oppressed (1970) ଶିକ୍ଷାତତ୍ତ୍ଵରେ ଏକ କ୍ଲାସିକ୍ ଅଟେ । ଏତଦ୍‌ବ୍ୟତୀତ Pedagogy of Libration (1987), Cultural Action for Freedom (1972), Pedagogy of Hope (1997), Education: The Practice of Freedom (1974) ଏବଂ Conscientization and Libration (1973) ତାଙ୍କର କେତେକ ବିଖ୍ୟାତ ପୁସ୍ତକ ।

 

The Politics of Education: Culture, Power and Liberation (1985) ତାଙ୍କର ଏକ ବିଶିଷ୍ଟକୃତି । ଏଥିରେ ବିଭିନ୍ନ ସମୟରେ ଲେଖାଯାଇଥିବା ଦଶଟି ପ୍ରବନ୍ଧ ଓ ଦୁଇଟି ସାକ୍ଷାତକାରର ସମାବେଶ ହୋଇଛି । ପୌଢ଼ଶିକ୍ଷା, ବିବେକୀକରଣ ଓ ସାଂସ୍କୃତିକ କାର୍ଯ୍ୟ ମାଧ୍ୟମରେ ମୁକ୍ତି ଲାଭର ପନ୍ଥା ସମ୍ପର୍କରେ ବିଶ୍ଳେଷଣ କରାଯାଇଛି । ତାଙ୍କର ମୌଳିକତତ୍ତ୍ଵ ଏହି ପ୍ରବନ୍ଧମାନଙ୍କ ମଧ୍ୟରେ ବାରମ୍ବାର ପୁନରାବୃତ୍ତି କରାଯାଇଥିବାରୁ ଏହି ଉପସ୍ଥାପନାରେ ମଧ୍ୟ ତାହାର ପ୍ରତିଫଳନ ମିଳିପାରେ ।

 

ପୌଢ଼ ସାକ୍ଷରତା

 

ନିରକ୍ଷରତା ସମ୍ପର୍କରେ ଆମର ଧାରଣା ଅତ୍ୟନ୍ତ ସରଳ । ଏପରି ଧାରଣାର ବଶବର୍ତ୍ତୀ ହୋଇ ନିରକ୍ଷରତା ସାଧାରଣତଃ ଲୋକମାନଙ୍କର ଅକ୍ଷମତା, ବୁଦ୍ଧିର ଅଭାବ ବା ତଥାକଥିତ ଆଳସ୍ୟର ପରିପ୍ରକାଶକୁ ବୁଝାଇଥାଏ । ଏହି ଜଟିଳ ସମସ୍ୟାକୁ ବୁଝିବାରେ ପ୍ରଶିକ୍ଷକମାନେ ଏପରି ଧାରଣାରେ ସୀମିତ ରହିଲେ ସେମାନଙ୍କର ସମାଧାନ ସର୍ବଦା ଏକ ଯାନ୍ତ୍ରିକ ଲକ୍ଷଣଯୁକ୍ତ ହୋଇଥାଏ । ଏହି ଅର୍ଥରେ ନିରକ୍ଷରଙ୍କ ମନ ଭିତରେ ଶବ୍ଦ, ବାକ୍ୟାଶ ଏବଂ ଅକ୍ଷର ସବୁକୁ ଯାନ୍ତ୍ରିକ ଭାବେ ‘ଜମା କରିବା’କୁ ସାକ୍ଷରତା ବୁଝାଏ । ଲେଖା ହେଉ ବା ପଢ଼ା ହେଉ ଏହି ଶବ୍ଦଗୁଡ଼ିକ ନିରକ୍ଷରଙ୍କ ପାଇଁ ମ୍ୟାଜିକ୍ ତାବିଜ ଭାବେ କାର୍ଯ୍ୟକରେ ଯଦ୍ଦ୍ୱାରା ସେ ସାକ୍ଷର ବୋଲାଇଥାନ୍ତି କିନ୍ତୁ ଏଗୁଡ଼ିକୁ ସେ ଅର୍ଥହୀନ ପୁନରାବୃତ୍ତି ହିଁ କରିଥାନ୍ତି, ଯାହା ତାଙ୍କର ଦୁନିଆଁରେ ଥିବା ପଦାର୍ଥମାନଙ୍କ ସହ କୌଣସି ସମ୍ପର୍କ ସ୍ଥାପନ କରିନଥାନ୍ତି । ତଥାକଥିତ ଜଣେ ପ୍ରଶିକ୍ଷକଙ୍କର ଗୋଟିଏ କାର୍ଯ୍ୟର– ନିରକ୍ଷର ଶିକ୍ଷାର୍ଥୀଙ୍କ ଭିତରେ ଶବ୍ଦ ଭରିବାର । ଫଳ ହୋଇଥାଏ ସାକ୍ଷରତା । ଶବ୍ଦର ଏହି ମାଜିକ୍ ଅର୍ଥ ଅନ୍ୟ ଏକ ଚତୁରତା ସୃଷ୍ଟିର ସହାୟକ ହୋଇଥାଏ । ତାହା ହେଉଛି ପ୍ରଶିକ୍ଷକ ଜଣେ ତ୍ରାଣକର୍ତ୍ତାଭାବେ ଉଭା ହୁଅନ୍ତି । ନିରକ୍ଷର ଜଣେ ‘ଲୁପ୍ତ ମାନବ’, ସେଥିପାଇଁ ଜଣେ କେହି ତାକୁ ‘ଉଦ୍ଧାର କରିବାକୁ ହେବ ଏବଂ ତାଙ୍କର ‘ମୁକ୍ତି ତାଙ୍କର ଏହିସବୁ ଶବ୍ଦଦ୍ଵାରା ‘ଭରିହେବା’ (being filled) ଉପରେ ନିର୍ଭର କରିଥାଏ । ଏହି ଶବ୍ଦ ଏବଂ ସେଗୁଡ଼ିକର ଅଲୌକିକ ଧ୍ୱନି ସେମାନଙ୍କ ଉପରେ ଶିକ୍ଷକଙ୍କ ଦ୍ୱାରା ଲଦିଦିଆଯାଇଥାଏ । ଶିକ୍ଷକ ନିଜର ଅଜାଣତରେ ସାକ୍ଷରତା ଅଭିଯାନରେ ଅନ୍ତର୍ନିହିତ ରାଜନୈତିକ ଉଦ୍ଦେଶ୍ୟମାନଙ୍କର ଜଣେ ଏଜେଣ୍ଟଭାବେ କାର୍ଯ୍ୟ କରିଥାନ୍ତି-

 

ସାକ୍ଷରତା ଅଭିଯାନରେ ବ୍ୟବହୃତ ପ୍ରାରମ୍ଭିକ ପୁସ୍ତିକା ବା ପ୍ରାଇମରଗୁଡ଼ିକ ଉଭୟ ପଦ୍ଧତିଗତ ଏବଂ ସମାଜତାତ୍ତ୍ୱିକ ଦୃଷ୍ଟିକୋଣରୁ ଏକ ଯାନ୍ତ୍ରିକ କ୍ରିୟାଭାବେ ଶିକ୍ଷାର୍ଥୀଙ୍କ ଭିତରକୁ ପ୍ରଶିକ୍ଷକଙ୍କର ଶବ୍ଦଗୁଡ଼ିକୁ ‘ଭରିଦେବା’ର ସାଧନୀଭାବେ ପ୍ରସ୍ତୁତ କରାଯାଇଥାଏ । ଭାବବ୍ୟକ୍ତ କରିବାର କ୍ଷମତା ଓ ସୃଜନୀଶକ୍ତିର ବିକାଶକୁ ସଙ୍କୁଚିତ କରୁଥିବାରୁ ଏଗୁଡ଼ିକ ‘ପୋଷା ମନେଇବାର’ ସାଧନୀ ହିଁ ହୋଇଥାନ୍ତି । ଏହି ପାଠ୍ୟ ସାମଗ୍ରୀ ଯେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନଙ୍କର ବ୍ୟବହୃତ ଶବ୍ଦ, ସେମାନଙ୍କର ଭାଷା ଓ ସେମାନଙ୍କର ଅଭିଜ୍ଞତା ଏଥିରେ ପ୍ରତିଫଳିତ ହୋଇନଥାଏ । କାରଣ ନିରକ୍ଷରମାନଙ୍କୁ ଭିନ୍ନ ଧରଣର, ବିପର୍ଯ୍ୟସ୍ତ ବ୍ୟକ୍ତି ଭାବେ ପରିଗଣିତ କରାଯାଇଥାଏ ଓ ସେମାନଙ୍କର ବାସ୍ତବ ଦୁନିଆଁର ଅଭିଜ୍ଞତାକୁ ହେୟ ଜ୍ଞାନ କରାଯାଇଥାଏ । ଫଳରେ ନୂତନ ଶବ୍ଦ, ନୂତନ ଜ୍ଞାନ ଗ୍ରହଣ କରିବା ବ୍ୟତୀତ ବାସ୍ତବତାର ପରିବର୍ତ୍ତନ ପ୍ରକ୍ରିୟାରେ କୌଣସି ପ୍ରକାର ଅବଦାନ କରିବାରେ ସେମାନେ ଅକ୍ଷମ ହୋଇଯାନ୍ତି ।

 

ପୁସ୍ତକରେ ବ୍ୟବହୃତ ଶବ୍ଦ, ବାକ୍ୟ, ପ୍ରଶ୍ନ ଓ ଚିତ୍ରମାନ ଶିକ୍ଷାର୍ଥୀମାନଙ୍କର ଦୈନନ୍ଦିନ ଜୀବନର ଅଭିଜ୍ଞତାଠାରୁ ଭିନ୍ନ ଏକ ସ୍ଵପ୍ନର ଦୁନିଆଁ ସୃଷ୍ଟି କରିଥାନ୍ତି । ଏଥିରୁ କୃଷକ ଓ ଶ୍ରମିକମାନେ ପୃଥିବୀରେ ନିଜର ଭୂମିକା ସମ୍ପର୍କରେ କି ପ୍ରକାରର ସକାରାତ୍ମକ ଦୃଷ୍ଟିକୋଣର ବିକାଶ କରିପାରିବେ ? ଏଭଳି ଏକ କୃତ୍ରିମ ଶବ୍ଦାବଳୀ ଉପରେ ନିର୍ଭର କରୁଥିବା ସାକ୍ଷରତା କାର୍ଯ୍ୟକ୍ରମ କେବଳ ‘ ନିରବତାର ସଂସ୍କୃତି’ (Culture of Silence) ର ପୁନର୍ବଳନ ଦ୍ୱାରା ଅଧିକାଂଶ ଲୋକଙ୍କ ଉପରେ ଅଧିକାର ଜାହିର କରିଛି । ଏହି ପ୍ରକାରର ସାକ୍ଷରତା କଦାପି ବାସ୍ତବ ଦୁନିଆଁକୁ ପରିବର୍ତ୍ତନ କରିବାର ସାଧନୀ ହୋଇପାରିବ ନାହିଁ । (ପୃ-୯)

 

ସାମାନ୍ୟ ଗଭୀରତାକୁ ଗଲେ ଆମେ ଜାଣିପାରିବା ଯେ ନିରକ୍ଷରତା ଏକ କ୍ଷତ, ରୋଗ ବା ବିଷ ବୃକ୍ଷ ନୁହେଁ ଯାହାର ନିରାକରଣ ଆବଶ୍ୟକ । ନିରକ୍ଷରତା ଏକ ଅନ୍ୟାୟ ସାମାଜିକ ବାସ୍ତବତା, ଏହା ସଂପୂର୍ଣ୍ଣଭାବେ ଭାଷାଗତ, ଶୈକ୍ଷିକ କିମ୍ବା ପଦ୍ଧତିଗତ ସମସ୍ୟା ନୁହେଁ । ଏହା ରାଜନୈତିକ । ତେଣୁ କେବଳ ବୌଦ୍ଧିକ ଦିଗ ଉପରେ ଗୁରୁତ୍ଵ ଦେବା ଦ୍ୱାରା ଏଥିରେ ଅନ୍ତର୍ନିହିତ ରାଜନୀତି କୌଣସି ଭାବେ ପ୍ରଭାବିତ ହୋଇନଥାଏ । ସେଥିପାଇଁ ସାକ୍ଷରତା ପାଠ୍ୟକ୍ରମରେ ପ,ପା,ପେ,ପି,ପୁ ବା ଲ,ଲା,ଲି... ଆଦିକୁ ଯନ୍ତ୍ରବତ୍ ପୁନରାବୃତ୍ତି କରିବା ଅନ୍ତର୍ଭୁକ୍ତ ନକରି ସେଥିରେ ଏଭଳି ବିଷୟବସ୍ତୁ ରହିବ ଯାହା ଶିକ୍ଷାର୍ଥୀଙ୍କର ନିଜର ଅଧିକାର ସହିତ ବାସ୍ତବ ଜଗତରେ ସେମାନଙ୍କର ସ୍ଥିତି ସମ୍ପର୍କରେ ସଚେତନତା ବୃଦ୍ଧି କରିପାରିବ । ଏହି ପରିପ୍ରେକ୍ଷୀରେ ସାକ୍ଷରତା କାର୍ଯ୍ୟକ୍ରମ ପ୍ରଭାବଶାଳୀ ଗୋଷ୍ଠୀଙ୍କ ଦ୍ୱାରା ନିୟନ୍ତ୍ରିତ ନହୋଇ ନିରକ୍ଷରମାନଙ୍କର ଅନୁସନ୍ଧାନ ଓ ସୃଜନ ପ୍ରକ୍ରିୟାକୁ ପ୍ରତିଷ୍ଠିତ କରିବାର କାର୍ଯ୍ୟକ୍ରମ ହେବ ଯେଉଁଥିରେ ନିରକ୍ଷର ଶିକ୍ଷାର୍ଥୀମାନେ ସେମାନଙ୍କୁ ବଞ୍ଚିତ କରାଯାଇଥିବା ଶବ୍ଦ ଓ ଭାଷାର ଗୁଢ଼ତମ ଅର୍ଥ ବୁଝିବା ପାଇଁ ଯଥେଷ୍ଟ ଆହ୍ୱାନ ଥିବ । (ପୃ-୧୦)

 

ଉଭୟ ଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ବାସ୍ତବତା ସମ୍ପର୍କରେ ଚିନ୍ତା କରିବା ପାଇଁ ନିର୍ଭୁଲ ପନ୍ଥା ବିକାଶ କରିବାର ଆବଶ୍ୟକତା ରହିଛି । ଅର୍ଥହୀନ ବାକ୍ୟ ବା ବାକ୍ୟାଂଶକୁ ପୁନରାବୃତ୍ତି କରିବା ଦ୍ଵାରା ଏହା ସମ୍ଭବ ହେବ ନାହିଁ, ବରଂ ତତ୍ତ୍ୱ ଓ କାର୍ଯ୍ୟ ମଧ୍ୟରେ ଥିବା ଐକ୍ୟକୁ ସମ୍ମାନ ଦେବା ଦ୍ଵାରା ଏହା ଉପଲବ୍ଧ ହୋଇଥାଏ ! ନିରର୍ଥକ ଶବ୍ଦଖଣ୍ଡର ଯାନ୍ତ୍ରିକ ପୁନରାବୃତ୍ତିଦ୍ୱାରା ଶିକ୍ଷାର୍ଥୀମାନେ ବାଚିକତା (Verbalism)ର ଶିକାର ହୋଇଥାନ୍ତି ଏବଂ ଏହା କେବଳ ସମୟର ଅପଚୟ ମାତ୍ର । ଏଠାରେ ତତ୍ତ୍ୱବିତ୍ ଏବଂ ବାଚନିକମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ସୂଚାଇବାକୁ ହେବ । କାରଣ ବାଚନିକମାନେ ଅଧିକାଂଶଙ୍କ ମନରେ ଏକ ଧାରଣା ସୃଷ୍ଟି କରିଥାନ୍ତି ଯେ ଶିକ୍ଷା କମ୍ ତାତ୍ତ୍ୱିକ ହୋଇ ଅଧିକ କ୍ରିୟାତ୍ମକ ହେବା ଉଚିତ । ତତ୍ତ୍ୱ ଓ କ୍ରିୟା ମଧ୍ୟରେ ଅଙ୍ଗାଅଙ୍ଗୀ ସମ୍ପର୍କ ଅଛି କିନ୍ତୁ କ୍ରିୟା ବାଚିକତା ସହିତ ସମ୍ପର୍କିତ ନୁହେଁ କାରଣ ବାଚିକତା କର୍ମରହିତ ହୋଇଥାଏ । ସେହିପରି କ୍ରିୟାକୁ ମଧ୍ୟ କ୍ରିୟାବାଦରୁ (Activism) ପୃଥକ୍ କରିବାକୁ ହେବ କାରଣ କ୍ରିୟାବାଦ କ୍ରିୟା ସମ୍ପର୍କରେ ସମୀକ୍ଷାତ୍ମକ ପ୍ରତିଫଳନ ବିରହିତ ହୋଇଥାଏ । କ୍ରିୟାବାଦୀ ଓ ବାଚନିକ ଏହି ଦୁଇଗୋଷ୍ଠୀ ମଧ୍ୟ ଭାଗରେ ମୁଁ ନିଜକୁ ଥିବାର ବିଚାର କରେ କାରଣ ମୁଁ ସେହିମାନଙ୍କ ମଧ୍ୟରେ ଜଣେ ଯେଉଁମାନେ ତତ୍ତ୍ୱ ଏବଂ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟକୁ ସ୍ୱୀକାର କରନ୍ତି ନାହିଁ କାରଣ ସମସ୍ତ ଶୈକ୍ଷିକ କାର୍ଯ୍ୟ କୌଣସି ଶିକ୍ଷାତତ୍ତ୍ୱ ଉପରେ ଆଧାରିତ ହୋଇଥାଏ ।

 

ଗୋଟିଏ କଥା ମନେରଖିବାକୁ ହେବ ଯେ କୌଣସି ଶୈକ୍ଷିକ କାର୍ଯ୍ୟ ଶୂନ୍ୟତା ମଧ୍ୟରେ ସମ୍ଭବ ହୋଇନଥାଏ । ଏହା ଏକ ବାସ୍ତବ ପରିସ୍ଥିତିରେ ହୋଇଥାଏ ଯାହା ଐତିହାସିକ, ଅର୍ଥନୈତିକ, ରାଜନୈତିକ ହୋଇପାରେ ଏବଂ ଯାହା ଅନ୍ୟ ଏକ ପରିସ୍ଥିତି ସହିତ ଆଦୌ ସମାନ ହୋଇ ନଥାଏ । ଉଦାହରଣ ସ୍ଵରୂପ, ବ୍ରାଜିଲରେ ମୋର ଅଭିଜ୍ଞତାର ଏକ ସମୀକ୍ଷାମୂଳକ ଦୃଷ୍ଟିକୋଣ ଗୋଟିଏ ନିର୍ଦ୍ଦିଷ୍ଟ ସାମାଜିକ ପ୍ରସଙ୍ଗରେ ଉଦ୍ଭବ ହୋଇଥିଲା । ଯେଉଁ ସ୍ଥାନ ଓ ପ୍ରସଙ୍ଗରେ ଏହାର ବିକାଶ ହୋଇଥିଲା ତା’ର ଐତିହାସିକ ପରିବେଶକୁ ବୁଝିବା ମୋ ପକ୍ଷରେ କଷ୍ଟକର ଥିଲା ଓ ସେଥିପାଇଁ ଏହାର ଅନ୍ୟତ୍ର ପ୍ରୟୋଗ କଥା ଚିନ୍ତା କରିବା ସମ୍ଭବ ନଥିଲା । ଏପରି ବୁଝାମଣାର ପ୍ରଚେଷ୍ଟା ମୋତେ ଓ ଅନ୍ୟମାନଙ୍କୁ ତତ୍ତ୍ୱ ଓ କାର୍ଯ୍ୟ ମଧ୍ୟରେ ଥିବା ଐକ୍ୟକୁ ହୃଦୟଙ୍ଗମ କରିବା ପାଇଁ ପଡ଼ିଥିଲା । କିନ୍ତୁ ଶିକ୍ଷାର ତତ୍ତ୍ୱ ଓ କାର୍ଯ୍ୟ ମଧ୍ୟରେ ଥିବା ସମ୍ପର୍କ ବୁଝିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମାଜରେ ଥିବା ସାମାଜିକ ତତ୍ତ୍ୱ ଏବଂ କାର୍ଯ୍ୟ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା ଆବଶ୍ୟକ । ସେଥିପାଇଁ ଶିକ୍ଷାର ତତ୍ତ୍ୱ ଓ କାର୍ଯ୍ୟ କଦାପି ନିରପେକ୍ଷ ହୋଇପାରିବ ନାହିଁ ଯଦି ମୁକ୍ତିଲାଭ (Liberation) ପାଇଁ ଶିକ୍ଷା ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଶିକ୍ଷା ଯଦି ‘ପୋଷାମନେଇବା’ ପାଇଁ ବ୍ୟବହାର କରାଯାଏ, ସେତେବେଳେ ତତ୍ତ୍ୱ ଓ କାର୍ଯ୍ୟ ମଧ୍ୟରେ ଥିବା ଐକ୍ୟକୁ ବୁଝିବାର ଆବଶ୍ୟକ ହୋଇନଥାଏ । କାରଣ ଏପରି ଶିକ୍ଷା ବ୍ୟବସ୍ଥା ପ୍ରଭାବ ବିସ୍ତାରକାରୀ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ଯେତେବେଳେ ଶିକ୍ଷାତତ୍ତ୍ୱକୁ ଏକ ‘ନିରପେକ୍ଷ ତତ୍ତ୍ୱ’ ଓ ‘ନିରପେକ୍ଷ ତତ୍ତ୍ୱ’ ଓ ‘ନିରପେକ୍ଷ କୌଶଳ’ ଭାବେ ଗ୍ରହଣ କରାଯାଇଥାଏ । ଏଥିରେ ଶିକ୍ଷାର୍ଥୀ ଓ ତା’ର ପରିବେଶର କୌଣସି ଭୂମିକା ନଥାଏ । (ପୃ-୧୨)

 

କେହି ଜାଣିଶୁଣି ନିରକ୍ଷର ହେବା ପାଇଁ ଇଚ୍ଛା କରିନଥାନ୍ତି । କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତି ଯୋଗୁଁ ଜଣେ ନିରକ୍ଷର ହେବା ପାଇଁ ବାଧ୍ୟ ହୋଇଥାଏ । କେତେକ ପରିସ୍ଥିତିରେ ‘‘ସେହି ବ୍ୟକ୍ତି ନିରକ୍ଷର ହୋଇଥାଏ ଯାହାର ପଢ଼ିବା ଆବଶ୍ୟକ ହୋଇନଥାଏ’’ ଏବଂ ଅନ୍ୟ ପରିସ୍ଥିତିରେ ଏପରି ବ୍ୟକ୍ତିଙ୍କ ଠାରୁ ପଢ଼ିବାର ଅଧିକାର ଛଡ଼ାଇ ନିଆଯାଇଥାଏ । ଉଭୟ ପରିସ୍ଥିତିରେ ତାଙ୍କର କିଛି କରିବାର ନଥାଏ । ପ୍ରଥମ ପରିସ୍ଥିତିରେ ବ୍ୟକ୍ତିଟି ଏଭଳି ଏକ ସଂସ୍କୃତିରେ ବଢ଼ିଥାଏ ଯାହାର ଯୋଗାଯୋଗ ଏବଂ ଇତିହାସ ଅଧିକାଂଶ ଭାବେ ମୌଖିକ ହୋଇଥାଏ । ଲେଖିବାର ଏଠାରେ କୌଣସି ଅର୍ଥ ହୋଇନଥାଏ । ଏପରି ଏକ ବାସ୍ତବତାରେ ଲିଖିତ ଶବ୍ଦର ଅୟମାରମ୍ଭ କରି ସେଥିରେ ସଫଳତା ଲାଭ କରିବା ଓ ତତ୍‍ସହିତ ସାକ୍ଷରତା ଅଭିଯାନରେ ଅଗ୍ରଗତି କରିବା ପାଇଁ ଏପରି ପରିସ୍ଥିତିର ଗୁଣାତ୍ମକ ପରିବର୍ତ୍ତନ ସବାଦୌ ବାଞ୍ଚନୀୟ ।

 

ଦ୍ୱିତୀୟ କ୍ଷେତ୍ରରେ ଅର୍ଥାତ ଏକ ସାକ୍ଷର ସଂସ୍କୃତିରେ ପଢ଼ି ପାରୁନଥିବା ବ୍ୟକ୍ତି ଜଣକୁ ନିରକ୍ଷର ଭାବେ ବିବେଚନା କରାଯାଇଥାଏ । ଏପରି ପରିସ୍ଥିତିରେ ଯିଏ ସାକ୍ଷର ହେବାର ସୁଯୋଗ ପାଇନଥାଏ ସିଏ ନିରକ୍ଷର ହୋଇଥାଏ । ଏ ସମ୍ପର୍କରେ ଉତ୍ତର ପୂର୍ବ ବ୍ରାଜିଲରେ ଜଣେ କୃଷକଙ୍କର ଉକ୍ତି ମୋ ପାଇଁ ଏକ ଅବିସ୍ମରଣୀୟ ଘଟଣା ହୋଇ ରହିଛି । ତାଙ୍କ ଆଗରେ ଆମେ ଦୁଇଟି ସାଙ୍କେତିକ ଚିତ୍ର ଉପସ୍ଥାପନା କରିଥିଲୁ– ପ୍ରଥମଟି ଜଣେ ଲୋହିତଭାରତୀୟ ଧନୁଶର ଦ୍ଵାରା ଶିକାର କରିବାର ଚିତ୍ର ଓ ଅନ୍ୟଟି ତାଙ୍କ ପରି ଜଣେ କୃଷକ ବନ୍ଧୁକ ଦ୍ଵାରା ଶିକାର କରୁଥିବାର ଚିତ୍ର-। ତାଙ୍କ ମତରେ ଏହି ଦୁଇଜଣଙ୍କ ମଧ୍ୟରୁ ଦ୍ୱିତୀୟ ଜଣକ ନିରକ୍ଷର ହୋଇଥିବେ କିନ୍ତୁ ପ୍ରଥମ ଜଣକ ନୁହଁନ୍ତି । କାରଣ ଦର୍ଶାଇବାକୁ ଯାଇ ସେ କହିଥିଲେ ଯେ ଲୋହିତ ଭାରତୀୟଙ୍କୁ ନିରକ୍ଷର ବୋଲି କୁହାଯାଇ ପାରିବ ନାହିଁ କାରଣ ସେ ଯେଉଁ ସଂସ୍କୃତିରେ ବସବାସ କରନ୍ତି ସେଥିରେ କୌଣସି ଅକ୍ଷରର ବ୍ୟବହାର ନାହିଁ । ନିରକ୍ଷର ହେବାକୁ ହେଲେ ଜଣକୁ ଏପରି ଏକ ସ୍ଥାନରେ ବାସ କରିବାକୁ ହେବ ଯେଉଁଠାରେ ଅକ୍ଷରର ପ୍ରଚଳନ ଅଛି କିନ୍ତୁ ସେ ସମ୍ପର୍କରେ ବ୍ୟକ୍ତି ଜଣକ କିଛି ଜାଣି ନାହାନ୍ତି । (ପୃ-୧୪)

 

ନିରକ୍ଷର ଶିକ୍ଷାର୍ଥୀମାନେ ସେମାନଙ୍କର ଦୁନିଆଁ ସମ୍ପର୍କରେ ଏକ ସମସ୍ୟାତ୍ମକ ଦୃଷ୍ଟିଭଙ୍ଗୀ ଓ ସେମାନଙ୍କର ଅଭିଜ୍ଞତାର ସମୀକ୍ଷାତ୍ମକ ବିଶ୍ଳେଷଣ ମାଧ୍ୟମରେ ଏକ ଅଧିକତର ସଂକ୍ଷିପ୍ତ ରୂପରେ ନିଜର ଚିନ୍ତାଧାରାକୁ ସଂଗଠିତ କରିବା ଆରମ୍ଭ କରିଥାନ୍ତି ଓ ତଦ୍ଦ୍ୱାରା ସେମାନେ ପୃଥିବୀରେ ଅଧିକରୁ ଅଧିକ ନିରାପଦ ଅନୁଭବ କରି କାର୍ଯ୍ୟ କରିଥାନ୍ତି । ସାମଗ୍ରିକ କାର୍ଯ୍ୟକୁ ବୁଝିବା ସହିତ ସେମାନଙ୍କର ସାମାଜିକ ଅନୁଭୂତି ଦ୍ଵାରା ଶିକ୍ଷାର୍ଥୀମାନେ ଏକ ତତ୍ତ୍ୱ ସମନ୍ଵିତ କାର୍ଯ୍ୟ (Praxis) ଅର୍ଥାତ୍ କାର୍ଯ୍ୟନିର୍ବାହୀଭାବେ ସେମାନଙ୍କର ନିଜର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବାର ଦାୟିତ୍ଵ ସେହିମାନେ ହିଁ ଗ୍ରହଣ କରିଥାନ୍ତି । ସେତେବେଳେ ସାକ୍ଷରତା ଏକ ସାମଗ୍ରିକ କାର୍ଯ୍ୟରେ ପରିଣତ ହୋଇଯାଏ । ଯେଉଁଥିରେ ନିରକ୍ଷର ଶିକ୍ଷାର୍ଥୀ, ଦୁନିଆଁ ଓ ଅନ୍ୟମାନଙ୍କ ସହିତ ସମ୍ପର୍କ ନିବିଡ଼ଭାବେ ଯୋଡ଼ି ହୋଇଯାଏ । ନିଜର କାର୍ଯ୍ୟମାଧ୍ୟମରେ ସେ ଦୁନିଆଁର ରୂପାନ୍ତରଣ କରିବା ସହିତ ନିଜର ଏକ ଦୁନିଆଁ ମଧ୍ୟ ସୃଷ୍ଟି କରିଥାନ୍ତି । ଏପରି ରୂପାନ୍ତରଣ କାର୍ଯ୍ୟର ସୃଜନାତ୍ମକ ଏବଂ ପୁନଃସୃଷ୍ଟିକାରୀ ଅର୍ଥ ଗୁଡ଼ିକୁ ମଧ୍ୟ ସେମାନେ ବୁଝିବାରେ ସମର୍ଥ ହୋଇଥାନ୍ତି । ଏଥି ସହିତ ସେମାନେ ନୂତନ ଅର୍ଥ ମଧ୍ୟ ଆବିଷ୍କାର କରିଥାନ୍ତି ।

 

ଏପରି କ୍ରମାଗତ ଆବିଷ୍କାର ମଧ୍ୟରୁ ସେମାନେ ନିମ୍ନସ୍ଥ ମୌଳିକ ସତ୍ୟରେ ଉପନୀତ ହୁଅନ୍ତି :

 

କ) ‘ଶବ୍ଦ ଉଚ୍ଚାରଣ’ କରିବା ପାଇଁ ସେମାନଙ୍କର ଅଧିକାର ପ୍ରତି ପ୍ରତିବନ୍ଧକମାନ ସେମାନଙ୍କ ଓ ସେମାନଙ୍କ କାର୍ଯ୍ୟର ଫଳାଫଳ ଗୁଡ଼ିକୁ କ୍ଷମତାପନ୍ନ ସଂସ୍ଥା ନାପସନ୍ଦ କରିବା ସହ ସିଧାସଳଖ ସଂପର୍କିତ ଅଟନ୍ତି ।

 

ଖ) ଯେହେତୁ ସେମାନଙ୍କର କାର୍ଯ୍ୟ ସେମାନଙ୍କୁ କେତେକ ଜ୍ଞାନ ପ୍ରଦାନ କରିଥାଏ ସେଥିପାଇଁ ସେମାନେ ନିରକ୍ଷର ହେବା କିଛି ବିଶେଷ ଗୁରୁତ୍ଵପୂର୍ଣ୍ଣ ନୁହେଁ ।

 

ଗ) ପରିଶେଷରେ, ମାନବୀୟ ଅଜ୍ଞତା ଓ ଜ୍ଞାନ ପରିପୂର୍ଣ୍ଣ ନୁହେଁ । କେହି ସବୁକଥା ଜାଣି ନଥାନ୍ତି । କେହି ମଧ୍ୟ ସବୁବିଷୟରେ ଅଜ୍ଞ ନୁହଁନ୍ତି । (ପୃ-୧୫)

 

ବ୍ରାଜିଲ ଓ ଚିଲିରେ କାର୍ଯ୍ୟ କରୁଥିବାବେଳେ ଏହି ସତ୍ୟସବୁ ବାରମ୍ବାର ପ୍ରମାଣିତ ହୋଇଥିବାର ଅନୁଭବ କରିଛି । ଏହାର ଏକ ଉଦାହରଣ ହେଉଛି ଚିଲିର ଜଣେ ବୟସ୍କ କୃଷକଙ୍କର ଉତ୍ତର । କାର୍ଯ୍ୟର ଅର୍ଥ ସମ୍ପର୍କରେ ଆଲୋଚନା କରିବା ବେଳେ ସେ ଥରେ କହିଲେ, “ବର୍ତ୍ତମାନ ମୁଁ ଜାଣୁଛି ଯେ ମୁଁ ଜଣେ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି’’ ସେ ଏଭଳି ଅନୁଭୂତିର କାରଣ ଦର୍ଶାଇବାକୁ ଯାଇ କହିଲେ, “କାରଣ କାର୍ଯ୍ୟ ମାଧ୍ୟମରେ ଏକ କାର୍ଯ୍ୟ କରିବା ଦ୍ୱାରା ହିଁ ମୁଁ ଦୁନିଆଁକୁ ପରିବର୍ତ୍ତନ କରିପାରେ । ଏପ୍ରକାରର ଦୃଢ଼ୋକ୍ତିରୁ ଜଣାଯାଏ ଯେ ଲୋକମାନେ ପ୍ରକୃତରେ ଏକ ବାସ୍ତବତା ସ୍ତରରେ ପୃଥିବୀରେ ନିଜର ଉପସ୍ଥିତିକୁ ଦେଖିବାକୁ ସମର୍ଥ ହୋଇଛନ୍ତି । ସେମାନେ କେବଳ ପୃଥିବୀରେ ରହିଛନ୍ତି ସେତିକି ନୁହେଁ ସେମାନେ ପୃଥିବୀ ସହିତ ଅଛନ୍ତି, ଏହି ଜ୍ଞାନ ସେମାନଙ୍କର ସ୍ପଷ୍ଟୋକ୍ତିରୁ ମଧ୍ୟ ସୂଚିତ ହୁଏ । ଯେତେବେଳେ ଆମେ ହୃଦୟଙ୍ଗମ କରୁ ଯେ ଆମେ ସଂସ୍କୃତି ସମ୍ପନ୍ନ କାରଣ କାର୍ଯ୍ୟମାଧ୍ୟମରେ ଏବଂ କାର୍ଯ୍ୟ କରିବା ଦ୍ଵାରା ହିଁ ଆମେ ଦୁନିଆଁକୁ ପରିବର୍ତ୍ତନ କରିଥାଉ, ସେତେବେଳେ ସମାଜର ରୂପାନ୍ତର କରିବା ଦିଗରେ ଏହା ଏକ ନୂତନ ଏବଂ ଗୁରୁତ୍ଵପୂର୍ଣ୍ଣ ଚେତନା ଅଟେ । ଏପରି ବୋଧ ବ,ବା,ବି,ବା,ବୁ....ର ନିରସ ଓ ବିରକ୍ତିକର ପୂନରାବୃତ୍ତି ଦ୍ଵାରା ଆଦୌ ସମ୍ଭବ ନୁହେଁ ।

 

ନିରକ୍ଷରମାନଙ୍କର ସାମାଜିକ ଅନୁଭୂତିରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରିବା ଯେ ଏକ ସୃଜନାତ୍ମକ କାର୍ଯ୍ୟମାଧ୍ୟମରେ ପଢ଼ିବା ଓ ଲେଖିବା ଶିଖିବାକୁ ସଂପୃକ୍ତ କରୁଥିବା ସାକ୍ଷରତା କାର୍ଯ୍ୟ ହିଁ ଅନୁଭୂତିର ନିର୍ଣ୍ଣାୟକ ବୁଝାମଣା ସୃଷ୍ଟି କରିବ । ନିଶ୍ଚିତଭାବେ ଏହା ସେମାନଙ୍କର ମୁକ୍ତିର ପ୍ରକ୍ରିୟାରେ ସହାୟତା କରିଥାଏ । ଅବଶ୍ୟ ଏହା ପ୍ରଭାବ ବିସ୍ତାରକାରୀ ଗୋଷ୍ଠୀର କାର୍ଯ୍ୟ ହୋଇନପାରେ । (ପୃ-୧୭)

 

କୃଷକ ଏବଂ ସେମାନଙ୍କର ପଠନ ବିଷୟ

 

କାର୍ଯ୍ୟ ମାଧ୍ୟମରେ ପୃଥିବୀକୁ ପରିବର୍ତ୍ତନ କରିବା, ପୃଥିବୀ ଉପରେ ନିଜର “କର୍ତ୍ତୃତ୍ୱ ଜାହିର’’ କରିବା, ଏହାକୁ ପ୍ରକାଶ କରିବା ହେଉଛି ମନୁଷ୍ୟମାନଙ୍କର ଅନନ୍ୟ ଗୁଣ । ଯେକୌଣସି ସ୍ତରରେ ଶିକ୍ଷା ସନ୍ତୋଷଦାୟକ ହୋଇଥାଏ ଯଦି ଏହା ଉପଭୋକ୍ତ ମୌଳିକ ମାନବୀୟ ଆବଶ୍ୟକତାର ବିକାଶକୁ ଉଜ୍ଜୀବିତ କରେ । କିନ୍ତୁ ଏହା ‘ସଞ୍ଚୟୀ ଶିକ୍ଷା’ ରେ ଆଦୌ ସମ୍ଭବ ନୁହେଁ । ସଞ୍ଚୟୀ ଶିକ୍ଷାରେ ପ୍ରଶିକ୍ଷକ ଆମ ଅଭିବ୍ୟକ୍ତି ପରିବର୍ତ୍ତେ କିଛି ‘ସଞ୍ଚୟ’ କରିଥାନ୍ତି ଯାହାକୁ ଜଣେ ଶିକ୍ଷାର୍ଥୀ ‘ମୂଳଧନ’ ଭାବେ ବ୍ୟବହାର କରିଥାଏ । ଶିକ୍ଷାର୍ଥୀ ଦକ୍ଷତାର ସହିତ ଯେତେ ଅଧିକ ସଞ୍ଚୟ କରେ ତା’କୁ ସେତେ ଉତ୍ତମ ଶିକ୍ଷିତ ବ୍ୟକ୍ତିଭାବେ ବିଚାର କରାଯାଏ । (ପୃ-୨୧)

 

ପୌଢ଼ ସାକ୍ଷରତା ଓ ଉତ୍ତରସାକ୍ଷରତା କାର୍ଯ୍ୟକ୍ରମରେ ମୌଖିକ ଓ ଲିଖିତ ଭାଷାରେ ପାରଙ୍ଗମତା ହାସଲ କରିବା ଭାବପ୍ରକାଶ କରିବାର ଗୋଟିଏ ଦିଗ ମାତ୍ର ପଢ଼ିବା ଓ ଲେଖି ଶିଖିବାର କୌଣସି ଅର୍ଥ ହୁଏ ନାହିଁ ଯଦି ଏହା ଯାନ୍ତ୍ରିକଭାବେ ଶବ୍ଦାଂଶକୁ ପୁନରାବୃତ୍ତି କରି ଶିଖିବାକୁ ହୋଇଥାଏ । ଯେତେବେଳେ ଶିକ୍ଷାର୍ଥୀ ନିଜର ପରିବର୍ତ୍ତନରେ ବାସ୍ତବତା ଓ ଭାଷାଭାବନା ମଧ୍ୟରେ ଥିବା ଅନ୍ତରଙ୍ଗ ସମ୍ପର୍କକୁ ଅନୁଭବ କରିବାକୁ ଆରମ୍ଭ କରନ୍ତି, ସେ ନୂତନ ପ୍ରକାରର ଅବବୋଧ ଏବଂ ଅଭିବ୍ୟକ୍ତିର ଆବଶ୍ୟକତାକୁ ଅନୁଭବ କରିପାରନ୍ତି । ଏହାହିଁ କୃଷି ଭିତ୍ତିକ ସଂସ୍ଥାର କାର୍ଯ୍ୟକ୍ରମରେ ଦେଖାଯାଇଥାଏ । ଯେତେବେଳେ ଭୂସଂସ୍କାର ଦ୍ଵାରା ବିରାଟ ଜମିଦାରୀ (ବ୍ରାଜିଲରେ ଏହାକୁ ଲାଟିଫଣ୍ଡିୟମ୍ କୁହାଯାଏ)କୁ ଭାଙ୍ଗି ପୂର୍ବତନ ଭାଗଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା, ସେତେବେଳେ ପୂର୍ବରୁ ବ୍ୟବହୃତ ଲାଟିଫଣ୍ଡିୟମ୍ ସଂସ୍କୃତିର ଶବ୍ଦାବଳୀରେ ସଂପୂର୍ଣ୍ଣ ପରିବର୍ତ୍ତନ ଘଟିବାକୁ ଆରମ୍ଭ ହେଲା ଏବଂ ନୂତନ ପ୍ରକାରର ଅଭିବ୍ୟକ୍ତି ଓ ଚିନ୍ତାର ଭାଷା ଉଦ୍ଭବ ହେଲା । ଚିନ୍ତାର ଭାଷା ଓ ସାମାଜିକ ସଂରଚନା ମଧ୍ୟରେ ଥିବା ସମ୍ପର୍କକୁ ଭଲଭାବରେ ହୃଦୟଙ୍ଗମ କଲେ ପ୍ରୋଢ଼ ସାକ୍ଷରତା ଓ ଉତ୍ତରସାକ୍ଷରତାର କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ଭାବେ ସାର୍ଥକ ହେବ ।

 

ଏହି ସମ୍ପର୍କସବୁକୁ ଉପଯୁକ୍ତ ଧ୍ୟାନ ଦେଇ ପ୍ରଶିକ୍ଷକମାନେ ପଠନ ସାମଗ୍ରୀ ପ୍ରସ୍ତୁତ କରିବା ବେଳେ ଅଧିକ ଶବ୍ଦ ସୃଷ୍ଟିକାରୀ ଶବ୍ଦ ଗୁଡ଼ିକୁ ଏଥିପାଇଁ ଚୟନ କରିବାରେ ବିଶେଷ ଧ୍ୟାନ ଦେବା ଉଚିତ । ଏହି ସାମଗ୍ରୀ ଗୁଡ଼ିକର ଲକ୍ଷ୍ୟ କିଛି ପାଠକୁ ଘୋଷି କରି ମନେରଖିବା ନୁହେଁ । ବରଂ ପରିସ୍ଥିତିକୁ ସମସ୍ୟାମୂଳକ କରି ଶିକ୍ଷାର୍ଥୀମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବାସ୍ତବତାଗୁଡ଼ିକୁ ଆହ୍ଵାନଭାବେ ଏଗୁଡ଼ିକୁ ପ୍ରଶିକ୍ଷକମାନେ ଉପସ୍ଥାପନ କରୁଥିବେ । ଏହି ସମସ୍ୟାଗୁଡ଼ିକ ପାଠ୍ୟ ବିଷୟରେ ଏପରିଭାବେ ଜଡ଼ିତ ହୋଇଥିବେ ଯେପରିକି ଏସବୁର ଅର୍ଥ ବୁଝିବା ପାଇଁ ଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ଉଭୟଙ୍କୁ ଏକ ଦ୍ଵନ୍ଦ୍ୱାତ୍ମକ ପଦ୍ଧତି ମାଧ୍ୟମରେ ଗଭୀରଭାବେ ଅନୁଧ୍ୟାନ କରିବାକୁ ହେଉଥିବ । ଏପରି ଅଧ୍ୟୟନ ଶ୍ରେଣୀରେ ଗତାନୁଗତିକ ଧାରା ଅବଲମ୍ବନ କରି ଆଲୋଚନା ଚକ୍ର ଭଳି ପ୍ରତ୍ୟେକ ପାଠକୁ ବିଶ୍ଳେଷଣ କରିବା ଓ ଏହାକୁ ଗୋଷ୍ଠୀର ବାସ୍ତବଜୀବନର ବିଭିନ୍ନ ଦିଗ ସହିତ ସମ୍ପର୍କିତ କରିବାର ସୁଯୋଗ ସର୍ବଦା ସୃଷ୍ଟି କରୁଥିବ । ଏହା ମାଧ୍ୟମରେ ସେମାନେ ସମ୍ମୁଖୀନ ହେଉଥିବା ଗୋଷ୍ଠୀର ବିଭିନ୍ନ ସମସ୍ୟା ଯଥା ସ୍ୱାସ୍ଥ୍ୟଗତ ସମସ୍ୟା, ନୂତନ ପରିସ୍ଥିତି ସହିତ ଖାପଖାଇ ଚଳିବା ପାଇଁ ଉପୁଜୁଥିବା ସମସ୍ୟା ସମ୍ପର୍କରେ ବାସ୍ତବ ଆଲୋଚନା ହୋଇପାରିବ । ଏଥିପାଇଁ ପ୍ରଶିକ୍ଷକମାନଙ୍କର ଗଭୀର ଆତ୍ମପ୍ରତ୍ୟୟ ଥିବା ସହିତ ନିଜର କାର୍ଯ୍ୟକୁ ନିରନ୍ତର ମୂଲ୍ୟାୟନ କରିବା ଆବଶ୍ୟକ ହୋଇଥାଏ । ଏଠାରେ ମୂଲ୍ୟାୟନ ସାଧାରଣ ଭାବେ ହେଉଥିବା ପରିଦର୍ଶନକୁ ବୁଝାଏ ନାହିଁ । ଅର୍ଥାତ୍ ଏପରି ପ୍ରକ୍ରିୟାରେ ଜଣେ ପ୍ରଶିକ୍ଷକ ଅନ୍ୟଜଣେ ପ୍ରଶିକ୍ଷକଙ୍କୁ ମୂଲ୍ୟାୟନ ନକରି ଉଭୟ ପ୍ରଶିକ୍ଷକ ଏକ ଅନୁଭୂତି, ତା’ର ବିକାଶ, ସମ୍ମୁଖୀନ ହେଉଥିବା ବାଧାବିଘ୍ନ ଏବଂ କୌଣସି ତ୍ରୁଟି ବିଚ୍ୟୁତିର ମୂଲ୍ୟାୟନ ସମ୍ମିଳିତ ଭାବେ କରିବା ଆବଶ୍ୟକ ହୋଇଥାଏ । ଏପରି ମୂଲ୍ୟାୟନରେ ମଧ୍ୟ ଦ୍ୱନ୍ଦ୍ୱାତ୍ମକ (Dialectical) ଲକ୍ଷଣ ଥାଏ ।

 

ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟ ସାମଗ୍ରୀ ସହିତ କୃଷକ(ଶିକ୍ଷାର୍ଥୀ)ମାନଙ୍କୁ ପାଠ୍ୟ ସାମଗ୍ରୀ ଲେଖିବା ପାଇଁ ଉତ୍ସାହିତ କରିବା ଉଚିତ ଏବଂ ଯେତେ ଅଧିକ ସମ୍ଭବ ସେହି ସାମଗ୍ରୀଗୁଡ଼ିକ ପ୍ରସ୍ତୁତ କରିବା ସେଥିରୁ ପ୍ରଶିକ୍ଷକ ଶିକ୍ଷଣ ପାଇଁ ଅଧୁକ ସୁଯୋଗ ସୃଷ୍ଟି କରିବା ନିଶ୍ଚିତ ହେବ । ବାସ୍ତବରେ ପ୍ରଶିକ୍ଷକ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ସୁଯୋଗର ଉପଯୋଗ କରିବା ଉଚିତ । କୃଷକମାନଙ୍କ ସହିତ ନିଜର ମତାମତ, ସଂଶୟ ଏବଂ ସମାଲୋଚନା ଆଦି ପୁଙ୍ଖାନୁପୁଙ୍ଖ ଭାବେ ବିନିମୟ କରିବା ଦ୍ୱାରା ସେମାନଙ୍କୁ ବୁଝିବା ସହିତ ସେମାନଙ୍କଠାରୁ ତାଙ୍କର ଦୁନିଆଁ ସମ୍ପର୍କରେ ସ୍ପଷ୍ଟ ଧାରଣା କରିହୁଏ ଓ ଏହାଦ୍ୱାରା ସେମାନଙ୍କୁ ଫଳପ୍ରଦଭାବେ ସାକ୍ଷର କରିବା ସମ୍ଭବ ହୋଇଥାଏ ।

 

ପ୍ରଶିକ୍ଷକଙ୍କ ପାଇଁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ସେ ବିଭିନ୍ନ କାର୍ଯ୍ୟରେ ସମ୍ପୃକ୍ତ କୃଷି ଅର୍ଥନୀତିଜ୍ଞ, କୃଷିବିଦ୍ୟାବିତ୍, ସାଧାରଣ ସ୍ୱାସ୍ଥ୍ୟ କର୍ମକର୍ତ୍ତା, ସମବାୟ କର୍ମକର୍ତ୍ତା, ପଶୁ ଡାକ୍ତରଙ୍କ ଭଳି ବିଶେଷଜ୍ଞମାନଙ୍କୁ କୃଷକମାନଙ୍କର ବାସ୍ତବ ଦୁନିଆଁ ସମ୍ପର୍କରେ ଦୃଷ୍ଟିଭଙ୍ଗୀ ଓ ସେମାନଙ୍କର ଆଲୋଚନାର ବିଶ୍ଳେଷଣ କରିବାରେ ଅଭିପ୍ରେରିତ କରିବେ । ସମସ୍ତ ବିଶେଷଜ୍ଞମାନଙ୍କର କୃଷକମାନଙ୍କଠାରୁ ବହୁତ କିଛି ଶିଖିବାର ଅଛି । ଆମେ ସେମାନଙ୍କଠାରୁ ଶିଖିବା ପାଇଁ ଇଚ୍ଛା ନକଲେ ସେମାନଙ୍କୁ ଆମେ କିଛି ଶିଖାଇ ପାରିବା ନାହିଁ । (ପୃ-୨୫)

 

କୃଷକମାନଙ୍କର ଆଲୋଚନାକୁ ବୁଝିବା ପାଇଁ ଚେଷ୍ଟା କରିବା ଦ୍ଵାରା ସମସ୍ୟାମାନଙ୍କ ପ୍ରତି ବିଶେଷଜ୍ଞମାନଙ୍କରେ ସଂକୀର୍ଣ୍ଣ ମନୋଭାବ ଦୂରୀକରଣ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ହେବ । କୃଷକମାନଙ୍କର ଆଲୋଚନାରୁ ସେମାନଙ୍କର ରାଜନୈତିକ ଏବଂ ଶୈକ୍ଷିକ ବିସ୍ତାର କେତେ ସେ ସମ୍ପର୍କରେ ଆମେ ବେଶ୍ କିଛି କଳନା କରିପାରିବା ।

 

ସାଂସ୍କୃତିକ କାର୍ଯ୍ୟ ଏବଂ କୃଷି ସଂସ୍କାର

 

ଏକ ଐତିହାସିକ, ସାଂସ୍କୃତିକ ତଥା ମାନବୀୟ ପରିସରରେ ଘଟୁଥିବାରୁ କୃଷି ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକୁ ଯାନ୍ତ୍ରିକ କାର୍ଯ୍ୟଭାବେ ପରିରଳନା କରିବା ଏକ ମୌଳିକ ତ୍ରୁଟି । ଯାନ୍ତ୍ରିକବାଦ, କାରିଗରୀବାଦ, ଏବଂ ଅର୍ଥନୀତିବାଦ କୃଷି ସଂସ୍କାର ପ୍ରକ୍ରିୟାର ସମାନ ପ୍ରକାରର ଅଣବିଶ୍ଳେଷଣାତ୍ମକ ଦୃଷ୍ଟିକୋଣର ବିଭିନ୍ନ ପରିସର ଅଟନ୍ତି । ଏ ସମସ୍ତବାଦ କୃଷକମାନଙ୍କୁ ସଂସ୍କାରର ସମାନ ଅଂଶୀଦାର ଭାବେ ବିବେଚନା ନକରି ସେମାନଙ୍କୁ ସଂସ୍କାରର ବସ୍ତୁଭାବେ ବିଚାର କରିଥାନ୍ତି । ଏଠାରେ ଆମେ ଭୁଲିଯାଉ ଯେ ଟେକ୍‌ନିକ, ବୈଜ୍ଞାନିକ ଜ୍ଞାନ ଓ କୃଷକମାନଙ୍କର ଅଭିଜ୍ଞତା ସଂସ୍କୃତି ଦ୍ଵାରା ପ୍ରସୀମିତ (Conditioned) ହୋଇଥାନ୍ତି । ଏହି ଧରଣରେ, ବିଶେଷଜ୍ଞଙ୍କର ଟେକ୍‌ନିକ୍ ଓ କୃଷକଙ୍କର ବାସ୍ତବ ଅଭିଜ୍ଞତା ସମପରିମାଣରେ ସାଂସ୍କୃତିକ ପରିପ୍ରକାଶ ଅଟନ୍ତି ।

 

ଯେକୌଣସି ସ୍ତରରେ କୃଷକମାନଙ୍କର ସୃଜନୀ ପ୍ରତିଭା ଓ ସେମାନଙ୍କର ଜ୍ଞାନକୁ ହେୟଜ୍ଞାନ କରିବା, ବିଶେଷଜ୍ଞମାନେ ଯାହା ଉଚିତ ବୋଲି ବିଶ୍ଵାସ କରନ୍ତି ତାହା କୃଷକମାନଙ୍କ ମଧ୍ୟରେ “ଭରିଦେବା’’–ଏ ସମସ୍ତ ଏକ ପ୍ରଭାବଶାଳୀ ବିଚାରଧାରାର ପରିପ୍ରକାଶ ଅଟନ୍ତି । କୃଷକମାନେ ଏହି ପ୍ରଭାବଶାଳୀ ବିଚାରଧାରାରେ ପ୍ରଭାବିତ ସଂସ୍କୃତି ମାଧ୍ୟମରେ ଦୁନିଆଁକୁ ନିଜ ଦୃଷ୍ଟିରେ ଦେଖିବା ଓ ବୁଝିବାକୁ ଚେଷ୍ଟା କରିଥାନ୍ତି । ଏହାଦ୍ୱାରା ସେମାନେ ବହୁ ନକାରାତ୍ମକ ବ୍ୟବହାର ପ୍ରଦର୍ଶନ କରନ୍ତି ଯାହାସବୁ ନିରବତାର ସଂସ୍କୃତିର ଲକ୍ଷଣଭାବେ ବିବେଚନା କରାଯାଇଥାଏ । ‘ନିରବତାର ସଂସ୍କୃତି’ ଏକ ଅତ୍ୟାଚାରିତ ବାସ୍ତବତାର ବସ୍ତୁନିଷ୍ଠ ପରିସ୍ଥିତିଦ୍ୱାରା ସୃଷ୍ଟି ହୋଇଥାଏ । ଏହି ସଂସ୍କୃତି ଦ୍ଵାରା କୃଷକମାନଙ୍କର ବ୍ୟବହାର ନିୟନ୍ତ୍ରିତ ହୋଇଥାଏ ଏବଂ ପରିସ୍ଥିତି ବଦଳିଲେ ମଧ୍ୟ ଏହି ସଂସ୍କୃତିର କୁପ୍ରଭାବରୁ ସହଜରେ ମୁକ୍ତି ମିଳିନଥାଏ । କୃଷକମାନଙ୍କର ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତାକୁ ଉତ୍ସାହିତ ନକରି, ତା’ ପରିବର୍ତ୍ତେ ଯନ୍ତ୍ର ବିଜ୍ଞାନୀମାନେ ସେମାନଙ୍କ ପ୍ରତି ଅଭିଭାବକ ସୁଲଭ ବଡ଼ପଣିଆ ଦେଖାଇଥାନ୍ତି ଓ କୃଷକମାନଙ୍କୁ ସର୍ବଦା ନିର୍ଭରଶୀଳ କରି ରଖିଥାନ୍ତି । ଫଳରେ କୃଷକମାନେ ସଂପୂର୍ଣ୍ଣ ଭାଗ୍ୟବାଦୀ ହୋଇଯାଆନ୍ତି ଏବଂ କୌଣସି ପରିସ୍ଥିତିର ତଥ୍ୟ ଭିତ୍ତିକ କାରଣ ନଖୋଜି ଅଦୃଷ୍ଟ, ଭାଗ୍ୟ ବା ଦେବୀ ଅଭିଶାପରେ ଉତ୍ତର ଖୋଜିଥାନ୍ତି । ଏହିଭଳି ପରିସ୍ଥିତିରେ କୃଷକମାନଙ୍କର ନିର୍ଣ୍ଣାୟକ ସଂପୃକ୍ତିରୁ ସମସ୍ୟାର ଏକ ସାଙ୍ଗଠନିକ ସମାଧାନ ଉଦ୍ଭବ ହେବ ସମ୍ଭବ ନୁହେଁ । ଏହା ସମ୍ଭବ ହେବ ଯେତେବେଳେ ସେମାନେ ଏକ ରାଜନୈତିକ ଅଭିଜ୍ଞତାରେ ସକ୍ରିୟଭାବେ ଅଂଶ ଗ୍ରହଣ ପୂର୍ବକ କାହା ସହିତ ଶତ୍ରତା ନକରି ନିଜର ସ୍ୱାର୍ଥରକ୍ଷା କରିପାରୁଥିବେ ।

 

ମୁକ୍ତି ପାଇଁ ସାଂସ୍କୃତିକ କାର୍ଯ୍ୟ

 

ସମସ୍ତ ପ୍ରକାରର ଶିକ୍ଷା କାର୍ଯ୍ୟକ୍ରମ ପ୍ରଶିକ୍ଷକଙ୍କର ତାତ୍ତ୍ୱିକ ଦୃଷ୍ଟିକୋଣକୁ ବୁଝାଇଥାଏ । ଏହା ମନୁଷ୍ୟ ଓ ପୃଥିବୀ ସମ୍ପର୍କରେ ଏକ ବ୍ୟାଖ୍ୟାକୁ ସୂଚାଇଥାଏ । ମନୁଷ୍ୟମାନଙ୍କର ପୃଥିବୀ ସହିତ ପରିଚିତିର ପ୍ରକ୍ରିୟା କେବଳ ଇନ୍ଦ୍ରିୟାନୁଭୂତି ଦ୍ୱାରା ନିୟନ୍ତ୍ରିତ ହୋଇନଥାଏ ଯାହାକି ମନୁଷ୍ୟତର ପ୍ରାଣୀମାନଙ୍କ ଠାରେ ଦେଖାଯାଇଥାଏ । ନିଜର ଭାଷା ଚିନ୍ତନ ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ସୃଷ୍ଟିକରି ମନୁଷ୍ୟ ପୃଥିବୀରେ ପ୍ରତିଯୋଜନ କ୍ଷମ ହେବା ସହିତ ନିଜର ପରିବେଶକୁ ରୂପାନ୍ତରିତ କରି ଏହାକୁ ଅଧିକ ମାନବୀୟ କରିବାରେ ସକ୍ଷମ ହୋଇଥାଏ । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣଭାବେ ବ୍ୟକ୍ତିନିଷ୍ଠ କିମ୍ବା ବସ୍ତୁନିଷ୍ଠ ନହୋଇ ଉଭୟର ସମ୍ମିଳିତ ପ୍ରକ୍ରିୟା ହୋଇଥାଏ ଯାହାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥାଏ । ଲକ୍ଷ୍ୟହୀନ ଯେକୌଣସି କାର୍ଯ୍ୟ, ଯେତେ ମହତ ହୋଇଥାଉନା କାହିଁକି, କଦାପି ପ୍ରାକ୍‍ସିକ୍‍ ପଦବାଚ୍ୟ ହୋଇପାରିବ ନାହିଁ । ଚିନ୍ତା ସମନ୍ଵିତ କାର୍ଯ୍ୟ ବା ପ୍ରାକ୍‍ସିସ୍‍ ନହୋଇ ପାରିବା ଦୃଷ୍ଟିରୁ ଏପରି କାର୍ଯ୍ୟ ନିଜର ଲକ୍ଷ୍ୟ ଓ ପ୍ରକ୍ରିୟା ସମ୍ପର୍କରେ ଅଜ୍ଞ ହୋଇଥାଏ । ଲକ୍ଷ୍ୟ ଓ ପ୍ରକ୍ରିୟା ମଧ୍ୟରେ ସମ୍ପର୍କ ସମ୍ବନ୍ଧରେ ସଚେତନତା କାର୍ଯ୍ୟର ଯୋଜନା, ପଦ୍ଧତି ଓ ମୂଲ୍ୟବୋଧର ଆଧାର ହୋଇଥାଏ । ପୌଢ଼ମାନଙ୍କୁ ପଢ଼ିବା ଓ ଲେଖିବା ଶିଖାଇବାକୁ ଏହି ଭାବରେ ଦେଖିବା, ବିଶ୍ଳେଷଣ କରିବା ଏବଂ ବୁଝିବା ଆବଶ୍ୟକ ହୋଇଥାଏ । ସମୀକ୍ଷାତ୍ମକ ବିଶ୍ଳେଷଣକାରୀ ପ୍ରଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ବ୍ୟବହୃତ ପଦ୍ଧତି ଓ ପାଠ୍ୟ ସାମଗ୍ରୀରେ ମାନବ ଦର୍ଶନର ବାସ୍ତବ ମୂଲ୍ୟବୋଧର ଉପସ୍ଥିତି ବା ଅନୁପସ୍ଥିତି, ଉପଯୁକ୍ତ ବା ଅନୁପଯୁକ୍ତଭାବେ ପର୍ଯ୍ୟବସିତ କି ନୁହେଁ ଆବିଷ୍କାର କରିପାରିବେ । କିନ୍ତୁ ଯାନ୍ତ୍ରିକ ମନୋଭାବାପନ୍ନ ଜଣେ ବସ୍ତୁବାଦୀ ପୌଢ଼ ଶିକ୍ଷା କାର୍ଯ୍ୟକ୍ରମରେ ଶିକ୍ଷଣକୁ ସମ୍ପୂର୍ଣ୍ଣଭାବେ ଯାନ୍ତ୍ରିକ କାର୍ଯ୍ୟରେ ପରିଣତ କରିଦିଅନ୍ତି । ଏହି ପରିପ୍ରେକ୍ଷୀରେ ପ୍ରୋଢ଼ ଶିକ୍ଷା କାର୍ଯ୍ୟକ୍ରମର ବିଭିନ୍ନ ଦିଗର ବିଚାର କରାଯାଇପାରେ ।

 

ଏହି କାର୍ଯ୍ୟକ୍ରମମାନଙ୍କରେ ବ୍ୟବହୃତ ପ୍ରାଥମିକ ପାଠ୍ୟପୁସ୍ତକ ବା ପ୍ରାଇମର ଗୁଡ଼ିକୁ ଅଧ୍ୟୟନ କଲେ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ଶିକ୍ଷାର୍ଥୀଙ୍କ ସମ୍ପର୍କରେ ପୁସ୍ତକ ପ୍ରଣେତାଙ୍କର ଧାରଣା ଏହି ପୁସ୍ତକର ପଦ୍ଧତି ଏବଂ ବିଷୟ ବସ୍ତୁରେ ନିହିତ ହୋଇଛି । ଅଧିକାଂଶ ପ୍ରାଇମର୍-ରେ ଅନ୍ତର୍ଭୁକ୍ତ ଶବ୍ଦାବଳୀ ଶିକ୍ଷକମାନଙ୍କ ଦ୍ୱାରା ଚୟନ କରାଯାଇଥାଏ । ଏହାର ଉଦ୍ଦେଶ୍ୟ ହେଉଛି ଯେତେ ଅଧିକ ନୂତନ ଶବ୍ଦ ଶିକ୍ଷାର୍ଥୀଙ୍କ ମନଭିତରେ ଭରିଦେବା । ଏଥିରୁ ମନୁଷ୍ୟ ସମ୍ପର୍କରେ ଏକ ଧାରଣା ସ୍ପଷ୍ଟ ହୁଏ । ଏହା ହେଉଛି ଯେ ନିରକ୍ଷରମାନେ ଫମ୍ପା ବା ଶୂନ୍ୟ ମଣିଷ ଯାହା ଭିତରେ ଶବ୍ଦ ସବୁ ଭରି ଦିଆଯାଇପାରିବ । ଅଥବା ନିରକ୍ଷରମାନେ ଅପୁଷ୍ଟ ବା ଅର୍ଦ୍ଧପୁଷ୍ଟ ଯେଉଁମାନଙ୍କୁ ଜ୍ଞାନର ‘ଭରିବା’ ତତ୍ତ୍ଵ ବା ‘ପୋଷକ’ ତତ୍ତ୍ଵ ନିରକ୍ଷରଙ୍କ ପାଇଁ ସାଧାରଣତଃ ତୃତୀୟ ବିଶ୍ୱରେ ଅଧିକରୁ ଅଧିକ ପ୍ରୟୋଗ କରାଯାଇଥାଏ । ଏହି ଧାରଣାରେ ଶିକ୍ଷାର୍ଥୀ ଜଣେ ନିଷ୍କ୍ରିୟ ବ୍ୟକ୍ତି ଯିଏ ପଢ଼ିବା ଓ ଲେଖି ଶିଖିବାର ବସ୍ତୁ ଅଟନ୍ତି । ସେଥିପାଇଁ ତାଙ୍କୁ ଯେଉଁ ପାଠ ପଢ଼ିବାକୁ ଦିଆଯାଏ ସେସବୁର ତାଙ୍କର ସାମାଜିକ ଓ ସାଂସ୍କୃତିକ ବାସ୍ତବତା ସହ କୌଣସି ସମ୍ପର୍କ ନଥାଏ । ଏହି ପାଠ ଗୁଡ଼ିକୁ ବିଶ୍ଳେଷଣ କଲେ ମଣିଷ, ସେମାନଙ୍କର ଦୁନିଆଁ, ଉଭୟଙ୍କ ମଧ୍ୟରେ ସମ୍ପର୍କ ଏବଂ ସେହି ପରିସ୍ଥିତିରେ ସାକ୍ଷରତା ପ୍ରକ୍ରିୟାର ଏକ ସରଳ ଦୃଷ୍ଟିକୋଣ ସାମନାକୁ ଆସେ । ନିରକ୍ଷର ଯେ ଏକ ମଣିଷ ଯେକି ନିଜର ସାମାଜିକ ଓ ସାଂସ୍କୃତିକ ପରିବେଶରେ ନିଜର ଚିନ୍ତନ-ଭାଷା ଏବଂ ନିଜର ପାଠ୍ୟ ବିଷୟ ସୃଷ୍ଟି କରିପାରେ ତାହା ଏହାର ଲେଖକମାନେ ସ୍ୱୀକାର କରନ୍ତି ନାହିଁ ।

 

ଅଧିକନ୍ତୁ, ଏହି ପାଠ୍ୟ ସାମଗ୍ରୀଗୁଡ଼ିକରେ ନିରକ୍ଷରମାନଙ୍କୁ ନାମମାତ୍ର, ନଗଣ୍ୟ ମଣିଷଭାବେ ଭ୍ରମାତ୍ମକ ଚିତ୍ରଣ କରାଯାଇଥିବାର ଦୃଷ୍ଟିଗୋଚର ହୁଏ । ଯେଉଁମାନେ ଏମାନଙ୍କୁ ନଗଣ୍ୟଭାବେ ବିଚାର କରିଥାନ୍ତି, ସେମାନଙ୍କୁ ଏକ ବାସ୍ତବତାକୁ ନିର୍ଦ୍ଦିଷ୍ଟ କରିବାକୁ ହୋଇଥାଏ । ଯେଉଁଥିରେ ଏମାନେ ନାମମାତ୍ର ବା ନଗଣ୍ୟଭାବେ ପରିଗଣିତ ହୋଇଥାନ୍ତି । ଏହି ବାସ୍ତବତା କେବଳ ଭୌତିକ ସ୍ଥାନ ସମ୍ପର୍କିତ ନହୋଇ ଐତିହାସିକ, ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ବାସ୍ତବତା ହୋଇପାରେ । ଅନିର୍ଦ୍ଦିଷ୍ଟ ଭାବେ କାହାକୁ ନଗଣ୍ୟଭାବେ ବିଚାର କରିବା ଅର୍ଥହୀନ, କିନ୍ତୁ ବାସ୍ତବରେ ତାହାହିଁ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆମେ ଯୁକ୍ତିଯୁକ୍ତ ଭାବେ ପଚାରି ପାରିବା, ‘କିଏ ସେମାନଙ୍କୁ ଏପରି ନଗଣ୍ୟ କରିବାର ସ୍ରଷ୍ଟା ?’ ନିରକ୍ଷରମାନେ କ’ଣ ସମାଜର କେନ୍ଦ୍ରରୁ ପ୍ରାନ୍ତକୁ ଅପସରି ଯିବା ପାଇଁ ନିଷ୍ପତ୍ତି ନେଇଥାନ୍ତି ? ଯଦି ଏହା ହୋଇଥାଏ ତା’ହେଲେ ନଗଣ୍ୟତା ସହ ସଂଯୁକ୍ତ କ୍ଷୁଧା, ରୋଗ, ଯନ୍ତ୍ରଣା, ମାନସିକ ସ୍ୱଚ୍ଛତା, ଜୀବନ୍ତମରଣ, ଅପରାଧ, ହତାଶାଭାବକୁ କ’ଣ ସେମାନେ ସ୍ୱେଚ୍ଛାକୃତଭାବେ ଆଦରି ନେଇଥାନ୍ତି ? ପ୍ରକୃତରେ ସେମାନେ ସମାଜର ବାହାରେ ନଥାନ୍ତି କିମ୍ବା ନଗଣ୍ୟ ନୁହନ୍ତି । ବରଂ ସେମାନେ ସାମାଜିକ ସଙ୍ଗଠନର ଅନ୍ତର୍ଭୁକ୍ତ ତଥାକଥିତ ସ୍ଵୟଂ ସଂପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଏକ ନିର୍ଭରଶୀଳ ସମ୍ପର୍କ ଯୋଗୁ ସେମାନଙ୍କ ଦ୍ଵାରା ଏପରିଭାବେ ପରିଗଣିତ ହୋଇଥାନ୍ତି । ଏହି ମନୋଭାବ ନେଇ କୌଣସି ସାକ୍ଷରତା କାର୍ଯ୍ୟକ୍ରମ ଅବହେଳିତ ବର୍ଗର ମୁକ୍ତି ପାଇଁ କିଛି କରିପାରିବ ନାହିଁ । କେବଳ ନିରକ୍ଷର ନୁହଁନ୍ତି, ଯେଉଁମାନେ ସମାଜରେ ନିର୍ଭରଶୀଳ ବସ୍ତୁଭାବେ ବିବେଚିତ ହୋଇଥାନ୍ତି ସେମାନଙ୍କର ମୁକ୍ତି ପାଇଁ ଏଭଳି କାର୍ଯ୍ୟକ୍ରମ ଆଦୌ ସୃହଣୀୟ ହେବନାହିଁ ।

 

ସଂକ୍ଷେପରେ, ସାକ୍ଷରତା ପାଇଁ ଦୁଇଟି ପ୍ରାକ୍‌କଳନ ବିଚାର ଯୋଗ୍ୟ । ପ୍ରଥମଟିରେ ନିରକ୍ଷରମାନଙ୍କୁ ସମାଜର ନାମମାତ୍ର ବା ନଗଣ୍ୟ ମନୁଷ୍ୟଭାବେ ବିଚାର କରି ସାକ୍ଷରତା କାର୍ଯ୍ୟକ୍ରମରେ ବାସ୍ତବତାକୁ ଏଡ଼ାଇ ଦିଆଯାଇଥାଏ ଓ ଅସଂଖ୍ୟ ଅସଙ୍ଗତ ଶବ୍ଦ ଓ ବାକ୍ୟାଂଶ ଦ୍ଵାରା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ଫମ୍ପା ସଚେତନତା ସୃଷ୍ଟି କରି ସେମାନଙ୍କୁ ଅଧିକ ମାନ୍ଦା କରିଦିଆଯାଏ । ଅନ୍ୟପକ୍ଷରେ ଦ୍ୱିତୀୟ ପ୍ରାକ୍‌କାଳନ ନିରକ୍ଷରମାନଙ୍କୁ ସମାଜର ଦଳିତଭାବେ ଏବଂ ସାକ୍ଷରତା ପ୍ରକ୍ରିୟାକୁ ମୁକ୍ତି ପାଇଁ ସାଂସ୍କୃତିକ କାର୍ଯ୍ୟ ଭାବେ ବିଚାର କରେ । ଏହି ପ୍ରକ୍ରିୟାରେ ଶିକ୍ଷାର୍ଥୀ ଜ୍ଞାନ ଆହରଣକାରୀ ବ୍ୟକ୍ତିଭାବେ ପ୍ରଶିକ୍ଷକଙ୍କ ସହ ସକ୍ରିୟ ବାର୍ତ୍ତାଳପରେ ନିଜକୁ ନିୟୋଜିତ କରିଥାନ୍ତି । ଏହା ଏକ ସାହାସିକ ପ୍ରଚେଷ୍ଟା ଯେଉଁଥିରେ ବାସ୍ତବତା ମଧ୍ୟରେ ଡୁବି ରହିଥିବା ମଣିଷଟିଏ ଏକ ନିଷ୍ପିତ୍ତିମୂଳକ ସଚେତନତା ହାସଲ କରି ବାସ୍ତବତାର ଉର୍ଦ୍ଧ୍ଵକୁ ଉଠିବାକୁ ଆରମ୍ଭ କରିଥାଏ ।

 

ପ୍ରକୃତ ଜ୍ଞାନ ଆହରଣ ପ୍ରକ୍ରିୟାରେ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଏକ ବିଶ୍ୱସନୀୟ ବାର୍ତ୍ତାଳାପର ସମ୍ପର୍କ ପ୍ରତିଷ୍ଠା ହେବା ଆବଶ୍ୟକ । ପ୍ରକୃତ ବାର୍ତ୍ତାଳାପ ସମସ୍ତ ପ୍ରକାର ଅଭିଜ୍ଞତାକୁ ଏକତ୍ରିତ କରି ଜ୍ଞାତବ୍ୟ ବିଷୟର ସୃଷ୍ଟି କରିଥାଏ ଯାହାକି ସେମାନଙ୍କର ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ମାଧ୍ୟମ ହୋଇଥାଏ । ଜ୍ଞାନ ଆହରଣ କ୍ରିୟାର ଅନ୍ୟ ସମ୍ପର୍କିତ ଦିଗଟି ହେଉଛି ଜ୍ଞାତବ୍ୟ ତଥ୍ୟର ବାସ୍ତବତା ଏବଂ ନିର୍ଦ୍ଦିଷ୍ଟ ସାମାଜିକ ବାସ୍ତବତା ଯାହା ମଧ୍ୟରେ ମନୁଷ୍ୟ ବଞ୍ଚିରହିଥାଏ ।

 

ବାର୍ତ୍ତାଳାପର ତାତ୍ତ୍ୱିକ ଦୃଷ୍ଟିକୋଣରୁ ବାସ୍ତବ ଏବଂ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଉପସ୍ଥାପିତ ତଥ୍ୟାବଳୀଗୁଡ଼ିକୁ ସମୀକ୍ଷାତ୍ମକ ବିଶ୍ଳେଷଣ କରାଯାଇଥାଏ । ଏହି ବିଶ୍ଳେଷଣର ଅମୂର୍ତ୍ତକରଣ ପ୍ରକ୍ରିୟା ସମ୍ପୃକ୍ତ ହୋଇଥାଏ ଯାହାଦ୍ଵାରା ଉପସ୍ଥାପିତ ବାସ୍ତବ ତଥ୍ୟାବଳୀ ସମ୍ପର୍କରେ ଆମେ ଜ୍ଞାନ ଆହରଣ କରୁ । ଆମର ପଦ୍ଧତିରେ ଏପରି ଅମୂର୍ତ୍ତକରଣର ସାଧନୀ ହେଉଛି ନିୟମାବଦ୍ଧକରଣ (Codification) ବା ଶିକ୍ଷାର୍ଥୀମାନଙ୍କର ଅସ୍ତିତ୍ଵସୂଚକ (Existential) ପରିସ୍ଥିତିର ଉପସ୍ଥାପନ । ନିୟମାବଦ୍ଧକରଣ ଦ୍ଵାରା ନିର୍ଦ୍ଦିଷ୍ଟ ତାତ୍ତ୍ଵିକ ପ୍ରସଙ୍ଗମାନଙ୍କୁ ସମ୍ପର୍କିତ କରିବା ସହିତ ଜ୍ଞାତବ୍ୟ ବିଷୟ, ପ୍ରଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କୁ ନେଇ ଏକ କ୍ରିୟା ଓ ବସ୍ତୁର ଏକ ସାମଗ୍ରୀକ ଚିତ୍ର ପ୍ରସ୍ତୁତ କରିବା ସମ୍ଭବ ହୋଇଥାଏ । ବ୍ୟକ୍ତିମାନେ ଅନୁଭବ କରୁଥିବା ବାସ୍ତବତାର ଏକ ନିର୍ଦ୍ଦିଷ୍ଟ ପରିସରକୁ ନିୟମାବଦ୍ଧକରଣ ସୂଚାଇଥାଏ ଏବଂ ଏହି ପରିସରକୁ ତା’ର ବାସ୍ତବତା ଭିନ୍ନ ଏକ ତାତ୍ତ୍ଵିକ ପ୍ରସଙ୍ଗରେ ବିଶ୍ଳେଷଣ କରାଯାଇପାରେ । ଏହିପରି ଜୀବନର ବାସ୍ତବ ପ୍ରସଙ୍ଗକୁ ନିୟମାବଦ୍ଧକରଣ ଦ୍ଵାରା ତାତ୍ତ୍ଵିକ ପ୍ରସଙ୍ଗରେ ପରିବର୍ତ୍ତନ କରାଯାଇଥାଏ । ଶିକ୍ଷାର୍ଥୀ ଏଣୁ ତେଣୁ ବିଷୟରେ ତଥ୍ୟ ସଂଗ୍ରହ କରି ନିଜର ଜ୍ଞାନ ବୃଦ୍ଧି କରିବା ସମ୍ଭବ ନୁହେଁ ବରଂ ନିୟମାବଦ୍ଧକରଣରେ ସୂଚିତ ନିଜର ଅସ୍ତିତ୍ଵସୂଚକ ଅଭିଜ୍ଞତାର ବିଭିନ୍ନ ଦିଗକୁ ବିଶ୍ଳେଷଣ କରିପାରନ୍ତି ଓ ଜ୍ଞାନର ପରିସରକୁ ଅଧିକ ସଂପ୍ରସାରିତ କରିପାରନ୍ତି ।

 

ନିୟମାବଦ୍ଧକରଣ ସହ ଏହାର ବିପରୀତ ପ୍ରକ୍ରିୟା ନିୟମାପସାରଣ (Detoxification) ଅଙ୍ଗାଙ୍ଗୀଭାବେ ଜଡ଼ିତ । ନିୟମାବଦ୍ଧକରଣ ଜ୍ଞାତବ୍ୟ ବିଷୟକୁ ଜ୍ଞାନ ଆହରଣକାରୀଙ୍କୁ ଉପଲବ୍ଧ କରିବାରେ ସହାୟକ ହୋଇଥିବା ବେଳେ, ନିୟମାପସାରଣ ଦ୍ଵାରା ନିୟମାବଦ୍ଧକରଣ ପ୍ରକ୍ରିୟାରେ ସମ୍ପୃକ୍ତ ଉପାଦାନଗୁଡ଼ିକୁ ପୃଥକ କରିଥାଏ ଯାହାଦ୍ୱାରା ସେହି ଉପାଦାନ ଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଜ୍ଞାନ ଆହରଣକାରୀ ବ୍ୟକ୍ତି ଏକ ବାସ୍ତବ ପ୍ରସଙ୍ଗରେ ଅନୁଭବ କରିପାରନ୍ତି । ଜ୍ଞାନର ଏକ ତାତ୍ତ୍ୱିକ ଦୃଷ୍ଟିକୋଣରୁ, ଏକ ପରିସ୍ଥିତିର ନିୟମାବଦ୍ଧକରଣ ଓ ନିୟମାପସାରଣ ପ୍ରକ୍ରିୟା ଦ୍ଵାରା ଶିକ୍ଷାର୍ଥୀ ନିଜର ବାସ୍ତବତାର ଏକ ନିରନ୍ତର ପୁନର୍ସଂଗଠନ କରିବାରେ ସମର୍ଥ ହୋଇଥାନ୍ତି । ଧୀରେ ଧୀରେ ଇତସ୍ତତଃ ହୋଇ ବାସ୍ତବତା ପ୍ରତି ନିଜର ମତାମତ ସମ୍ପର୍କରେ ସନ୍ଦେହ ପ୍ରକାଶ କରନ୍ତି ଓ ଏହା ପରିବର୍ତ୍ତେ ଅଧିକରୁ ଅଧିକ ସମୀକ୍ଷାମୂଳକ ଜ୍ଞାନ ଆହରଣ କରିପାରନ୍ତି ।

 

ଉଦାହରଣ ସ୍ଵରୂପ ଦଳିତଙ୍କର ଶିକ୍ଷା କଥା ବିଚାର କରାଯାଉ । ଏମାନେ ପ୍ରଭାବଶାଳୀ ଗୋଷ୍ଠୀର ସାଂସ୍କୃତିକ ମଡ଼େଲ୍‍କୁ ସ୍ୱାଭାବିକ ଭାବେ ଅନୁକରଣକରି ତା’କୁ ଆଭ୍ୟନ୍ତରୀକରଣ (Interiorization) କରିଥାଆନ୍ତି । ଏହି ନିୟମାବଦ୍ଧକରଣ ଯେ ଏକ ଅନୁକରଣ ମାତ୍ର ତାହା ସେମାନେ ପ୍ରଥମେ ସ୍ଵୀକାର କରିନଥାନ୍ତି । ସେମାନେ ନିଜକୁ ପ୍ରଭାବଶାଳୀ ଗୋଷ୍ଠୀର ସଦସ୍ୟମାନଙ୍କଠାରୁ ନୀଚ ଶ୍ରେଣୀର ବୋଲି ମାନିନେଇଥାନ୍ତି । ପ୍ରଭାବଶାଳୀ ଗୋଷ୍ଠୀର ମୂଲ୍ୟବୋଧକୁ ଏପରି ଆଭ୍ୟନ୍ତରୀକରଣ କେବଳ ଏକ ବ୍ୟକ୍ତିଗତ ପ୍ରକ୍ରିୟା ନହୋଇ ଏହା ଏକ ସାମାଜିକ ଏବଂ ସାଂସ୍କୃତିକ ପ୍ରକ୍ରିୟା ହୋଇଥାଏ । ଏହାକୁ ଦୂର କରିବାକୁ ହେଲେ ଏକ ପ୍ରକାରର ସାଂସ୍କୃତିକ କ୍ରିୟାର ଆବଶ୍ୟକ ହୋଇଥାଏ । Culture, as an interiorized product that in turn conditions men's subsequent acts, must become the object of knowledge so that they can perceive its conditioning power. (ପୃ ୫୩-୫୪)

 

ଏକ ନୂତନ ସଂସ୍କୃତିର ସୃଷ୍ଟି ଉପଯୁକ୍ତ ହେଲେ ମଧ୍ୟ ବେଳେବେଳେ ପୂର୍ବ ଆଭ୍ୟନ୍ତରୀକୃତ ସଂସ୍କୃତିର କିଛି ଅବଶେଷ ନୂତନର ଗ୍ରହଣ ପାଇଁ ବାଧା ସୃଷ୍ଟି କରେ । ତା’କୁ ସଂସ୍କୃତି ମାଧ୍ୟମରେ ହିଁ ବହିଷ୍କାର କରିବାକୁ ହେବ । ସାଂସ୍କୃତିକ କ୍ରିୟା ଓ ସାଂସ୍କୃତିକ ବିପ୍ଳବର ବିଭିନ୍ନ ସ୍ତରରେ ଏହି ବହିଷ୍କରଣ ପ୍ରକ୍ରିୟା ସଂଗଠିତ ହୋଇଥାଏ । ଶିକ୍ଷାର୍ଥୀମାନେ ସାଂସ୍କୃତିକ ବାସ୍ତବତା ପ୍ରତି ସେମାନଙ୍କର ଅନେକ ମନୋବୃତ୍ତି ପାଇଁ ଥିବା କାରଣ ଆବିଷ୍କାର କରିବା ନିତାନ୍ତ ଆବଶ୍ୟକ ଯଦ୍ଦ୍ଵାରା ସେମାନେ ଏକ ନୂଆବାଟରେ ସାଂସ୍କୃତିକ ବାସ୍ତବତାର ସମ୍ମୁଖୀନ ହେବେ । ଯେଉଁ ଐତିହାସିକ-ସାଂସ୍କୃତିକ ଜଗତ ମଧ୍ୟରେ ଶିକ୍ଷାର୍ଥୀମାନେ ରହିଛନ୍ତି ତାହା ମଧ୍ୟରେ ଏବଂ ତାହା ସହିତ ସେମାନଙ୍କର ସମ୍ପର୍କକୁ ଉନ୍ମୋଚନ କରିବାର ପ୍ରକ୍ରିୟା ଦ୍ଵାରା ସେମାନଙ୍କର ସମୀକ୍ଷାମୂଳକ ଜ୍ଞାନ ପାଇଁ କ୍ଷମତା ପ୍ରତିଷ୍ଠା ଲାଭ କରିବ । ଏହିପରି ଭାବରେ ଉପଲବ୍ଧ ଶିକ୍ଷାରେ ନିଶ୍ଚିତଭାବେ ଅଙ୍ଗୀକାରବଦ୍ଧତାର ଲକ୍ଷଣ ରହିବ । ସଂକ୍ଷେପରେ ଏପରି ଶିକ୍ଷା ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରୁ ଏକ ତାତ୍ତ୍ୱିକ ପ୍ରସଙ୍ଗକୁ ହେଉଥିବା ଚଳନକୁ ବୁଝାଇଥାଏ । ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବସ୍ତୁନିଷ୍ଠ ତଥ୍ୟ ଯୋଗାଇଥାଏ ଏବଂ ତାତ୍ତ୍ଵିକ ପ୍ରସଙ୍ଗରେ ସେସବୁ ଗଭୀର ଭାବେ ବିଶ୍ଳେଷଣ କରାଯାଇ ପୁନର୍ବାର ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଫେରାଇ ଦିଆଯାଇଥାଏ । ଏହା ବ୍ୟକ୍ତିମାନଙ୍କୁ ଏକ ବାସ୍ତବ ଅଭିଜ୍ଞତାଯୁକ୍ତ ନୂତନ ଧରଣର ପ୍ରାକ୍‍ସିସ୍ ସହିତ ପରୀକ୍ଷା କରିବାର ସୁଯୋଗ ସୃଷ୍ଟି କରିଥାଏ । (ପୃ-୫୪)

 

ଜାଣିବାର କାର୍ଯ୍ୟ ହିସାବରେ ଶିକ୍ଷଣକୁ ପ୍ରଶିକ୍ଷକଙ୍କର ସର୍ବୋତ୍ତମ ଶୃଙ୍ଖଳିତ ଜାଣିବା ପ୍ରକ୍ରିୟା ସହିତ ଶିକ୍ଷାର୍ଥୀଙ୍କର ସର୍ବନିମ୍ନ ଶୃଙ୍ଖଳିତ ଜାଣିବା ପ୍ରକ୍ରିୟାର ସଂଶ୍ଳେଷଣ ଭାବେ ଆମେ ବୁଝୁ-। ଏହି ସଂଶ୍ଳେଷଣ କେବଳ ବାର୍ତ୍ତାଳାପ ବା ଡାଏଲଗ୍ ମାଧ୍ୟମରେ ହିଁ ଉପଲବ୍ଧ ହୋଇପାରେ-। ଏହି ପ୍ରକ୍ରିୟାରେ ପ୍ରଶିକ୍ଷକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ । ଅଧିକାଂଶ ପ୍ରଶିକ୍ଷକ ଶିକ୍ଷାର୍ଥୀମାନଙ୍କର ମନେରଖିବା ପାଇଁ ତଥ୍ୟାବଳୀ ପ୍ରଦାନ କରି ନିଜର ଦାୟିତ୍ଵ ଶେଷ ହେଲା ବୋଲି ଭାବିଥାନ୍ତି-। ଏପରି ପ୍ରଶିକ୍ଷକ ନିଜେ ଯାହା ପଢ଼ିଥାନ୍ତି ତାର ହିଁ ପୁନରାବୃତ୍ତି କରିଥାନ୍ତି ଏବଂ ବହୁ ସମୟରେ ଭୁଲ ବୁଝାମଣା ସୃଷ୍ଟି କରିଥାନ୍ତି କାରଣ ସେମାନଙ୍କ ପାଇଁ ଶିକ୍ଷା ଜାଣିବାର କାର୍ଯ୍ୟ ହୋଇନଥାଏ-। ଅପରପକ୍ଷରେ ଆମେ ଯେଉଁଭଳି ପ୍ରଶିକ୍ଷକଙ୍କୁ ଲୋଡ଼ୁଛୁ ସେ ଜଣେ ଜାଣିବାର ବ୍ୟକ୍ତି (Knowing subject) ଯେକି ଅନ୍ୟ ଜାଣିବାର ବ୍ୟକ୍ତିମାନଙ୍କ (ଶିକ୍ଷାର୍ଥୀ) ସହ ମୁହାଁ ମୁହିଁ ହୋଇଥାନ୍ତି । ଉଭୟ ପରସ୍ପରଙ୍କ ଠାରୁ ଶିଖିବା ପାଇଁ ନିରନ୍ତର ପ୍ରୟାସ କରୁଥାନ୍ତି । ତାଙ୍କ ପାଇଁ ଶିକ୍ଷା ହେଉଛି ଜାଣିବାର ଏକ ଶିକ୍ଷାତତ୍ତ୍ଵ (Education is a pedagogy of knowing) । ପ୍ରଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବାର୍ତ୍ତାଳାପ ପଦ୍ଧତିରେ କିପରି ଜାଣିବାର କାର୍ଯ୍ୟ ସୃଷ୍ଟି କରିହେବ ତା’ର ବର୍ଣ୍ଣନା କରିଛନ୍ତି ।

 

ସାଂସ୍କୃତିକ କାର୍ଯ୍ୟ ଏବଂ ବିବେକୀକରଣ

 

ଏହିଠାରେ ଫ୍ରେଇରେ ତାଙ୍କର ଚିନ୍ତାଧାରାର ଦାର୍ଶନିକ ଭିତ୍ତିଭୂମି ଓ ସାମାଜିକ ପ୍ରାସଙ୍ଗିକତା ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ତାଙ୍କର ମୌଳିକ ପ୍ରତ୍ୟୟ ‘ବିବେକୀକରଣ’ (Conscietigation)ର ଏକ ବିସ୍ତାରିତ ବିଶ୍ଳେଷଣ କରିଛନ୍ତି । ଏହି ବିଶ୍ଳେଷଣର ପ୍ରଥମେ ଆସେ ପୃଥିବୀ ମଧ୍ୟରେ ଏବଂ ପୃଥିବୀ ସହିତ ରହୁଥିବା ଜଣେ ସଚେତନ ମଣିଷର ନିର୍ଣ୍ଣାୟକ ବୋଧ । ସମସ୍ତ ଜୀବନ୍ତ ପ୍ରାଣୀ ଭଳି ମନୁଷ୍ୟ ମଧ୍ୟ ପୃଥିବୀ ଭିତରେ ଥାଏ । ଏହାଦ୍ୱାରା ନିଜକୁ କିମ୍ବା ପୃଥିବୀକୁ ବସ୍ତୁନିଷ୍ଠ କରିବା (Objectification) ରେ ସେ ଅସମର୍ଥ ହୋଇଥାଏ । କିନ୍ତୁ ପୃଥିବୀ ସହିତ ରହିବାର ଅର୍ଥ ହେଉଛି ଏପରି ମନୁଷ୍ୟ ନିଜଠାରୁ ପୃଥିବୀ ମଧ୍ୟରେ ନିଜ ଇଚ୍ଛା ଅନୁସାରେ ଏକ ଦୂରତା ରକ୍ଷା କରିପାରେ । ଏହାଦ୍ୱାରା ବଞ୍ଚିରହିଥିବା ପରିସର ମଧ୍ୟରେ ନିଜର ସ୍ଥିତି ସମ୍ପର୍କରେ ପ୍ରତିଫଳନ କରିବା ସହିତ ପୃଥିବୀ ସହିତ ତା’ର ସମ୍ପର୍କ ସମ୍ବନ୍ଧରେ ପ୍ରଶ୍ନ କରିବାରେ ସମର୍ଥ ହୁଏ । ଏହାଦ୍ଵାରା ବସ୍ତୁନିଷ୍ଠଭାବେ ଆତ୍ମଜ୍ଞାନ ଓ ପୃଥିବୀ ସମ୍ପର୍କରେ ବିସ୍ତୃତ ଜ୍ଞାନ ହାସଲ କରିବା ସମ୍ଭବ ହୋଇଥାଏ ଯାହା ତା’କୁ ପରିବର୍ତ୍ତନ କରିବା, ଉତ୍ପାଦନ କରିବା, ନିଷ୍ପତ୍ତି ଗ୍ରହଣ କରିବା, ନୂତନ ସୃଷ୍ଟି କରିବା ଏବଂ ନିଜ ଓ ଅନ୍ୟମାନଙ୍କ ସହ ବାର୍ତ୍ତାଳାପ କରିବାରେ ସମର୍ଥ କରିଥାଏ । ଏପରି ପ୍ରତିଫଳନ ଚିନ୍ତା ବାସ୍ତବତା ସମ୍ପର୍କରେ ସଚେତନ କରିବା ଓ ବାସ୍ତବତା ନିର୍ଦ୍ଧାରଣ କରିବା ପାଇଁ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ । ବାସ୍ତବତା ସମ୍ପର୍କରେ ସଚେତନ ହେବା ଓ ବାସ୍ତବତା ଉପରେ କାର୍ଯ୍ୟ କରିବା, ଉଭୟ ମନୁଷ୍ୟର ସଂପୂର୍ଣ୍ଣ ପରିବର୍ତ୍ତନ କ୍ଷମ କାର୍ଯ୍ୟର ଅବିଚ୍ଛେଦ୍ୟ ଉପାଦାନ ଅଟନ୍ତି ।

 

ପୃଥିବୀର ବସ୍ତୁନିଷ୍ଠକରଣ ଓ ପୃଥିବୀ ଉପରେ କାର୍ଯ୍ୟ କରିବାର ଦ୍ୱନ୍ଦ୍ୱତର୍କ ଦ୍ଵାରା ଚେତନା ସଂଗଠିତ ହୋଇଥାଏ । ଯଦି ଏହା ସତ୍ୟ ହୁଏ ଯେ ଏହାକୁ ସଂଗଠିତ କରୁଥିବା ପୃଥିବୀ ବ୍ୟତିରେକ ଚେତନା ଅସମ୍ଭବ, ଏହା ମଧ୍ୟ ସମଭାବରେ ସତ୍ୟ ଯେ ଚେତନାକୁ ସଂଗଠିତ କରୁଥିବା ପୃଥିବୀ ନିଜେ ନିଜର ସମୀକ୍ଷାତ୍ମକ ପ୍ରତିଫଳନର ବସ୍ତୁ ନ ହେଲେ ଏହି ପୃଥିବୀ ଆଦୌ ସମ୍ଭବ ନୁହେଁ । ଯାନ୍ତ୍ରିକ ବସ୍ତୁନିଷ୍ଠବାଦ ମନୁଷ୍ୟ ଓ ପୃଥିବୀକୁ ଯନ୍ତ୍ରବତ୍ ଧାରଣା କରୁଥିବାରୁ ଏହା ମନୁଷ୍ୟ ଓ ପୃଥିବୀକୁ ବର୍ଣ୍ଣନା କରିବାରେ ଅସମର୍ଥ । ସେହିପରି ବ୍ୟବହାରବାଦ (Behaviorism) ଓ ଅହଂମାତ୍ର ଭାବ (Solipsism) ମଧ୍ୟ ମନୁଷ୍ୟ-ପୃଥିବୀ ସମ୍ପର୍କର ଦ୍ୱନ୍ଦ୍ୱାତ୍ମକ ଭାବକୁ ବୁଝିବାରେ ଅସମର୍ଥ । ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ ଦ୍ଵନ୍ଦାତ୍ମକ ତର୍କ ସମ୍ଭବ ହେଉଥିବା ସ୍ଥଳରେ ହି ତତ୍ତ୍ୱ-କାର୍ଯ୍ୟ ସମନ୍ଵୟ ଅବସ୍ଥା ବା ପ୍ରାକ୍‍ସିସ୍ ସମ୍ଭବ ହୋଇପାରେ ।

 

ବିବେକୀକରଣ ଗୋଟିଏ ମାତ୍ର କାରଣରୁ ସମ୍ଭବପର । ତାହା ହେଉଛି, ମନୁଷ୍ୟର ଚେତନା ପ୍ରସୀମିତ ହୋଇଥିଲେ ମଧ୍ୟ ତାହା ପ୍ରସୀମିତ ହୋଇଛି ବୋଲି ଜଣେ ଜାଣିବା ସମ୍ଭବ । ଚେତନାର ଏହି ‘ନିର୍ଣ୍ଣାୟକ’ ପରିସର ଯୋଗୁଁ ହିଁ ମନୁଷ୍ୟ ପୃଥିବୀର ରୂପାନ୍ତରଣ କାର୍ଯ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିପାରେ । ଲକ୍ଷ୍ୟ ଧାର୍ଯ୍ୟ କରିବାରେ ହିଁ ନିଜର ସୀମିତତା ସ୍ଵୀକାର କରିବା ସହ କାର୍ଯ୍ୟଧାରା ମଧ୍ୟ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରନ୍ତି । ପ୍ରାକ୍‍ସିସରେ ବିଶ୍ଵାସ ରଖିଥିବା ମଣିଷମାନଙ୍କ ପାଇଁ ପୃଥିବୀକୁ ପରିବର୍ତ୍ତନ କରିବାରେ ଅର୍ଥ ଏହାକୁ ଅଧିକ ମାନବୀୟ କରିବା । ମଣିଷମାନେ ନିଜର କର୍ମ ଦ୍ଵାରା ପୃଥିବୀକୁ ପରିବର୍ତ୍ତନ କରିବାକୁ ଫଳପ୍ରଦ ଚେଷ୍ଟା କରୁଥିବାବେଳେ ସେମାନଙ୍କର ଚେତନାର, ଅପରପକ୍ଷରେ ପ୍ରାକ୍‌ସିସ୍‌ର ବିପରୀତ କ୍ରିୟାଦ୍ୱାରା, ଐତିହାସିକ ଏବଂ ସାଂସ୍କୃତିକ ପ୍ରସୀମନ ହୋଇଥାଏ । ଏହି ପ୍ରସୀମନର ଗୁଣାତ୍ମକମାନ ଅନୁସାରେ ମଣିଷମାନଙ୍କର ଚେତନା ସାଂସ୍କୃତିକ-ଐତିହାସିକ ବାସ୍ତବତା ପରିପ୍ରେକ୍ଷୀରେ ବିଭିନ୍ନ ସ୍ତରରେ ପହଞ୍ଚିଥାଏ । ବିବେକୀକରଣ ପ୍ରକ୍ରିୟା ବୁଝିବା ପାଇଁ ଚେତନାର ସ୍ତର ସମ୍ପର୍କରେ ଫ୍ରେଇରେ ବିସ୍ତୃତ ବିଶ୍ଳେଷଣ କରିଛନ୍ତି ।

 

ଚେତନାର ସ୍ତର ସମ୍ପର୍କରେ ଆଲୋଚନା କରିବାବେଳେ ପ୍ରଥମତଃ ଫ୍ରେଇରେ ‘ନିରବତାର ସଂସ୍କୃତି’ (Culture of Silence) ଯାହାକି ତୃତୀୟ ବିଶ୍ୱରେ ସର୍ବତ୍ର ପରିଲକ୍ଷିତ ହୋଇଥାଏ, ତାହା ଉପରେ ଗୁରୁତ୍ଵ ଦେଇଛନ୍ତି । ଏହା ଐତିହାସିକ ସାଂସ୍କୃତିକ ବହିରାକୃତିର ପରିପ୍ରକାଶ ।

 

ସଂସ୍କୃତିର ଏହି ପ୍ରକାର ଅଧିସଂରଚନାତ୍ମକ ବକ୍ତବ୍ୟ ଦ୍ଵାରା ପ୍ରସୀମିତ ଚେତନାର ଏକ ବିଶେଷ ଅବସ୍ଥା । ଏହାକୁ ପ୍ରଭାବ ବିସ୍ତାରକାରୀଙ୍କ ଦ୍ଵାରା ପ୍ରଭାବିତଙ୍କ ଉପରେ ଲଦି ଦିଆଯାଇନଥାଏ । ବରଂ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଥିବା ସଂରଚନାତ୍ମକ ସମ୍ପର୍କର ପରିଣତି ହେଉଛି ଏପରି ସଂସ୍କୃତି । ଏହି ସମ୍ପର୍କ ହେଉଛି ପ୍ରଭାବ ବିସ୍ତାରକାରୀଙ୍କ ଉପରେ ପ୍ରଭାବିତଙ୍କ ନିର୍ଭରଶୀଳତା । ଉଭୟଙ୍କ ମଧ୍ୟରେ ଏହି ସମ୍ପର୍କ ବୃହତ୍ତର ସାମାଜିକ ପ୍ରସଙ୍ଗର ପ୍ରତିଫଳନ ଅଟେ । ପ୍ରଭାବ ବିସ୍ତାରକାରୀଙ୍କର ସାଂସ୍କୃତିକ ମିଥ୍‍ ସବୁର ପ୍ରଭାବିତମାନଙ୍କ ଦ୍ଵାରା ଅନ୍ତକ୍ଷେପଣକ ଏହି ସମ୍ପର୍କ ସୂଚିତ କରିଥାଏ । ଠିକ୍ ସେହିଭଳି ମହାନଗରର ଜୀବନଚର୍ଯ୍ୟା ଓ ମୂଲ୍ୟବୋଧ ଗୁଡ଼ିକୁ ନିର୍ଭରଶୀଳ ସମାଜ ଅନ୍ତକ୍ଷେପଣ(Interject) କରିଥାନ୍ତି । ନିର୍ଭରଶୀଳ ସମାଜ ହିଁ ନିରବ ସମାଜ-। ପ୍ରଭାବ ବିସ୍ତାରକାରୀ ମହାନଗରର କ୍ଷମତାପନ୍ନମାନଙ୍କ ସମ୍ମୁଖରେ ନିର୍ଭରଶୀଳ ସମାଜର କ୍ଷମତାପନ୍ନମାନେ ନିରବ ରହିବା ଶ୍ରେୟସ୍କର ମଣିଥାନ୍ତି ଏବଂ ନିର୍ଭରଶୀଳ ସମାଜର ଏହି ବଡ଼ପଣ୍ଡାମାନେ ନିଜ ସମାଜର ଅନ୍ୟମାନଙ୍କୁ ନିରବ କରି ରଖିବାରେ ପ୍ରୟାସୀ ହୋଇଥାନ୍ତି-

 

ତୃତୀୟ ବିଶ୍ୱରେ ସମସ୍ତ ସମାଜ ବା ଗୋଷ୍ଠୀ ଅତ୍ୟନ୍ତ ଅନମନୀୟ ସାମାଜିକ ସୋପାନ ଦ୍ଵାରା ଆବଦ୍ଧ ସମାଜ ଅଟନ୍ତି । ଏଠାରେ ନିର୍ଭରଶୀଳ ସମାଜଗୁଡ଼ିକରେ ନିର୍ଦ୍ଦିଷ୍ଟ ବାସ୍ତବତାକୁ ସୂଚାଉଥିବା ଏକ ପ୍ରକାରର ଚେତନା ପରିଲକ୍ଷିତ ହୋଇଥାଏ ଯାହାକି ଏହାର ସାମାଜିକ ସଂରଚନା ଦ୍ଵାରା ପ୍ରସୀମିତ ହୋଇଥାଏ । ଏପ୍ରକାର ଚେତନାର ମୁଖ୍ୟ ଲକ୍ଷଣ ହେଉଛି ବସ୍ତୁନିଷ୍ଠ ବାସ୍ତବତା ପ୍ରତି ‘ଅଦ୍ଧ ସଂଯୁକ୍ତତା’ quasi-adherence ) କିମ୍ବା ବାସ୍ତବତାରେ ‘ଅର୍ଦ୍ଧନିମଜ୍ଜନ’ (quasi-immersion) ଅବସ୍ଥା । ଏହାର କାରଣ ହେଉଛି ପ୍ରଭାବ ବିସ୍ତାରକାରୀ ଚେତନା ବାସ୍ତବତାଠାରୁ ଯଥେଷ୍ଟ ବସ୍ତୁନିଷ୍ଠ ଦୂରତା ରକ୍ଷା କରିନଥାଏ ଯଦ୍ଦ୍ଵାରା ଚେତନା ନିର୍ଣ୍ଣାୟକ ହେବା ସମ୍ଭବ ହୋଇନଥାଏ । ଆମେ ଏହାକୁ ଅଦ୍ଧ-ଅକର୍ମକ ଚେତନା (Semi-intransitive Consciousness) କହିଥାଉ । ଏ ପ୍ରକାରର ଚେତନା ବାସ୍ତବତାର ବହୁ ଆହ୍ୱାନକୁ ଅନୁଭବ କରିପାରେ ନାହିଁ କିମ୍ବା ବିକୃତଭାବେ ଅନୁଭବ କରିଥାଏ । ଏହାଦ୍ୱାରା ସମସ୍ୟାର ସମ୍ମୁଖୀନ ହେବା, ସେସବୁର ସମାଧାନ କରିବା ଓ ସର୍ବୋପରି ବାସ୍ତବତାର ପରିବର୍ତ୍ତନ କରିବା ଦିଗରେ ଏପରି ଚେତନା ଆଦୌ ସହାୟକ ନହୋଇ ପ୍ରଭାବଶାଳୀ ଗୋଷ୍ଠୀର ନିର୍ଦ୍ଦେଶ ପାଳନ କରିବାରେ ବାଧ୍ୟ କରିଥାଏ । ଆବଦ୍ଧ ସମାଜର ସାଂଗଠିନକ ରଚନା ସାମୁହିକ ନିରବତା ଉପରେ ଆଧାରିତ ହୋଇଥାଏ । ଏବଂ କ୍ଵଚିତ ନିଷ୍ଫଳ ବିଦ୍ରୋହରେ ଏପରି ନିରବତାର ସାମୟିକ ଭଙ୍ଗ ହୋଇଥାଏ ।

 

ଯେତେବେଳେ ଆବଦ୍ଧ ସମାଜରେ ଫାଟ ସୃଷ୍ଟି ହୁଏ ସେତେବେଳେ ସର୍ବସାଧାରଣ ନିରବତାକୁ ଅପରିବର୍ତ୍ତନୀୟ ମନେକରନ୍ତି ନାହିଁ । ନିରବତାକୁ ବାସ୍ତବତାର ଏକ ପରିଣତି ଯାହାକୁ ସଂପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରିବ ବୋଲି ଚେତନା ଜାଗ୍ରତ ହୁଏ । ଏହା ପ୍ରଥମାବସ୍ଥାରେ ବେଶ୍ ଲୋକପ୍ରିୟ ହୋଇଥାଏ । ସେଥିପାଇଁ ଏହାକୁ ‘ଲୋକପ୍ରିୟ ଚେତନା’ ବା ‘ନିରୀହ ସକର୍ମକ ଚେତନା’ (Naive Transitive Consciousness) ଭାବେ ନାମିତ କରାଯାଇଛି । ଯଦିଓ ଏପରି ଚେତନା ସଂପୂର୍ଣ୍ଣଭାବେ ଅଦ୍ଧ-ଅକର୍ମକ ଚେତନା ବିରହିତ ହୋଇପାରେ ନାହିଁ, କିନ୍ତୁ ସାମୁହିକ ଭାବେ ଆବଦ୍ଧ ସମାଜର ଅଚଳ ଅବସ୍ଥାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ପରସ୍ପର ବିରୋଧାଭାସ ପ୍ରକଟିତ ହୁଏ ଓ ତାହା ଦ୍ଵନ୍ଦ୍ୱ ସୃଷ୍ଟିର କାରଣ ହୋଇଥାଏ । ଏହାଦ୍ଵାରା ଜନପ୍ରିୟ ଚେତନା ଅଧିକରୁ ଅଧୁକ ଦାବି ଉପସ୍ଥାପନା କରେ ଯାହା କ୍ଷମତାପନ୍ନଙ୍କ ପାଇଁ ବୃହତ୍ତର ଆଶଙ୍କା ସୃଷ୍ଟି କରେ । ଫଳସ୍ୱରୂପ ରାଜନୈତିକ କ୍ଷେତ୍ରରେ ଅର୍ଦ୍ଧନିମଜ୍ଜିତ ଜନଗଣ ଓ କ୍ଷମତାପନ୍ନଙ୍କ ମଧ୍ୟରେ ମଧ୍ୟସ୍ଥ ପାଇଁ ଏକ ପ୍ରକାର ନୂତନ ରାଜନୈତିକ ନେତା ଉଦ୍ଭବ ହୁଅନ୍ତି । ପୂର୍ବର ଆବଦ୍ଧ ସମାଜର ରାଜନୈତିକ ରୀତିନିତି ଜନଗଣଙ୍କ ଉତ୍‍ଥାନ ଦ୍ଵାରା ବଦଳିବାକୁ ବାଧ୍ୟ ହୁଏ । ନିରବତାର ଭଙ୍ଗ ହୁଏ । ଶସ୍ତା ଜନପ୍ରିୟ ନେତୃତ୍ଵ ଜନଗଣଙ୍କୁ କୌଶଳରେ ବିଭ୍ରାନ୍ତ କରିଥାନ୍ତି କିନ୍ତୁ କ୍ଷମତାପନ୍ନମାନଙ୍କୁ ବିଭ୍ରାନ୍ତ କରିପାରନ୍ତି ନାହିଁ । ଏହାର ଦୁଇଟି ପରିଣତି ସମ୍ଭବ ହୋଇପାରେ । ଏକ ପକ୍ଷରେ ଏହା ରାଜନୈତିକ ନିଶାଦ୍ରବ୍ୟ ଭଳି ଜନଗଣଙ୍କୁ ନିର୍ଦ୍ଦେଶିତ ହୋଇ ଚଳିବାର ଅଭ୍ୟାସକୁ ବଜାୟ ରଖେ ଓ ଅନ୍ୟପକ୍ଷରେ ଗଣ ପ୍ରତିବାଦ ଓ ଦାବି ମାଧ୍ୟମରେ ଲୋକମାନଙ୍କର ବାସ୍ତବତା ଉନ୍ମୋଚନ କରିବା ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଥାଏ । ଲୋକପ୍ରିୟ ରାଜନୈତିକ କ୍ରିୟାର ଅନ୍ୟ ଏକ ଉତ୍ତମ ଫଳ ହେଉଛି ଯେ ଏହା ଯୁବଗୋଷ୍ଠୀ ଓ ବୁଦ୍ଧିଜୀବୀମାନଙ୍କୁ ଲୋକମାନଙ୍କ ସହିତ ରାଜନୈତିକ ଭାଗୀଦାରି କରିବାରେ ସୁଯୋଗ ସୃଷ୍ଟି କରିଥାଏ । ସଂକ୍ଷେପରେ କହିଲେ ଚେତନାର ଅର୍ଦ୍ଧ-ଅକର୍ମକରୁ ନିରୀହ ସକର୍ମକ ସ୍ତର ପର୍ଯ୍ୟନ୍ତ ଯାତ୍ରାକୁ ଏକ ପ୍ରକାର ଜାଗରଣର ମୁହୂର୍ତ୍ତ କୁହାଯାଇପାରେ । ପ୍ରଗତିଶୀଳ ଗୋଷ୍ଠୀର ସମୀକ୍ଷାମୂଳକ ଚେତନା ପାଇଁ ଏହା ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ହୋଇଥାଏ ।

 

ପ୍ରଗତିଶୀଳ ଗୋଷ୍ଠୀର ବର୍ଦ୍ଧିଷ୍ଣୁ ସମୀକ୍ଷାମୂଳକ ଚେତନା କ୍ଷମତାପନ୍ନମାନଙ୍କର ଚେତନା ପାଇଁ ଏକ ଆହ୍ୱାନ ହୋଇଥାଏ । ଲାଟିନ୍ ଆମେରିକାର ଅବସ୍ଥାନ୍ତର ସମାଜରେ ଏହି ଆହ୍ୱାନର ଦୁଇପ୍ରକାର ପରସ୍ପର ବିରୋଧୀ ସମ୍ଭାବନା ଦେଖାଯାଇଛି : ବିପ୍ଳବ କିମ୍ବା ବଳପ୍ରୟୋଗ ଦ୍ୱାରା ଶାସନଗାଦି ଦଖଲ (Coup d'etat) । ଅଧିକାଂଶ କ୍ଷେତ୍ରରେ ସାମରିକ ବଳ ପ୍ରୟୋଗ କରି କ୍ଷମତା ହାସଲ କରାଯାଇଛି । ସାମରିକ ବିଦ୍ରୋହଦ୍ୱାରା ଯଦିଓ କ୍ଷମତା ହାସଲ ସମ୍ଭବ ହୁଏ କିନ୍ତୁ ବାସ୍ତବ ଚେତନା ସୃଷ୍ଟିରେ ଏହା ବିଶେଷ ସହାୟକ ହୋଇନଥାଏ । ବରଂ ଏହାର ଦମନ କ୍ରିୟାଦ୍ୱାରା ଜନପ୍ରିୟ ଶକ୍ତି ଗୁଡ଼ିକ ଲୁଚିଛପି ନିରବରେ କାର୍ଯ୍ୟ କରିଥାନ୍ତି । ଏହାଦ୍ୱାରା ହୁଏତ କେତେକ ନିରୀହ ସକର୍ମକ ଚେତନା ପ୍ରାପ୍ତ ହୋଇଥାନ୍ତି କିନ୍ତୁ ପରିଶେଷରେ ନିରବତାର ସଂସ୍କୃତି ଅବ୍ୟାହତ ରହେ । କିନ୍ତୁ ବିପ୍ଳବାତ୍ମକ ପନ୍ଥାରେ ସକର୍ମକ ଚେତନା ଜାଗ୍ରତ ହେବାରେ ଅଧିକ ସମ୍ଭାବନା ଥାଏ । ଏପରି କ୍ଷେତ୍ରରେ ଜାଗ୍ରତ ଚେତନା ତିଷ୍ଠି ରହିବା ପାଇଁ କ’ଣ କରାଯାଇପାରେ ? ଏହି ପ୍ରଶ୍ନର ଉତ୍ତର ବିପ୍ଳବାତ୍ମକ ପ୍ରକଳ୍ପମାନଙ୍କର ପ୍ରକୃତି ଓ ଦକ୍ଷିଣପନ୍ଥୀମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ତୁଳନାତ୍ମକ ବିଶ୍ଳେଷଣରୁ ମିଳିପାରିବ ।

 

ବିପ୍ଳବପନ୍ଥୀ ଓ ଦକ୍ଷିଣପନ୍ଥୀମାନଙ୍କ ମଧ୍ୟରେ ସମସ୍ତ ପ୍ରକାର ପାର୍ଥକ୍ୟର ପ୍ରାରମ୍ଭ ହେଉଛି ବିପ୍ଳବୀ ଗୋଷ୍ଠୀର ଆଦର୍ଶଗତ (Utopian) ଲକ୍ଷଣ ଏବଂ ଦକ୍ଷିଣପନ୍ଥୀମାନେ ଆଦର୍ଶଗତ ହେବା ଅସମ୍ଭାବ୍ୟତା । ବୈପ୍ଳବାତ୍ମକ ୟୁଟୋପିଆ ଏକ ଅନ୍ୟାୟ ବାସ୍ତବତାକୁ ତ୍ୟାଗ କରିଥାଏ । ଏହା ଗତିଶୀଳ ହୋଇଥାଏ ଓ ଜୀବନ ଉପରେ ଗଭୀର ବିଶ୍ଵାସ ରଖିଥାଏ । ବର୍ତ୍ତମାନର ଯାନ୍ତ୍ରିକ ପୁନରାବୃତ୍ତି ପରିବର୍ତ୍ତେ ଭବିଷ୍ୟତ ମନୁଷ୍ୟର ସୃଜନୀପ୍ରତିଭା ପ୍ରତି ଆହ୍ୱାନ ସୃଷ୍ଟି କରିଥାଏ । ଏହା ବ୍ୟକ୍ତିମାନଙ୍କ ଉପରେ ଅଧିକାର ସାବ୍ୟସ୍ତ ନକରି ସେମାନଙ୍କର ମୁକ୍ତି ଉପରେ ଗଭୀର ଆସ୍ଥା ସ୍ଥାପନ କରିଥାଏ । ଏହା ସମବେତଭାବେ ବଞ୍ଚିବା ସହିତ ଆବେଗାତ୍ମକ ଦିଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ । ନିରବତା ପରିବର୍ତ୍ତେ ବାର୍ତ୍ତାଳାପ, ଆଇନ୍ ଓ ଶୃଙ୍ଖଳା ବଦଳରେ ପ୍ରାକ୍‌ସିସ୍ ଉପରେ ଗୁରୁତ୍ଵ ଦେଇଥାଏ । ଦକ୍ଷିଣପନ୍ଥୀମାନେ ଏହାର ଠିକ୍ ବିପରୀତ ହୋଇଥାନ୍ତି । ସଂକ୍ଷେପରେ ଏରିକ୍ ଫ୍ରମ୍‍ଙ୍କ ଭାଷାରେ “The revolutionary utopia is basophilic, whereas the right in its rigidity is necrophiliac, as is a revolutionary leadership that has become bureaucratic.” (ପୃ-୮୨)

 

ବିପ୍ଳବ ପନ୍ଥୀ ପ୍ରକଳ୍ପଗୁଡ଼ିକ ଅମାନବୀୟ ସଂଗଠନ ଓ ଦମନ ପ୍ରକ୍ରିୟା ବିରୁଦ୍ଧରେ ଏକ ସଂଗ୍ରାମରେ ନିୟୋଜିତ ହୋଇଥାନ୍ତି । ସେମାନଙ୍କର ଭୂମିକା ହେଉଛି ଲୋକମାନଙ୍କୁ ଅଦ୍ଧ-ଅକର୍ମକ ଓ ନିରୀହ ସକର୍ମକ ଚେତନାର ଉର୍ଦ୍ଧ୍ୱରେ ନିର୍ଣ୍ଣାୟକ ଚେତନା ହାସଲ କରିବା ପାଇଁ ସର୍ବାଧିକ ଦକ୍ଷ ଏବଂ ସାଧନଯୋଗ୍ୟ ପନ୍ଥା ଚୟନ କରିବା ପାଇଁ ସୁଯୋଗ ସୃଷ୍ଟି କରିବା । ଏଥିପାଇଁ ଉଭୟ ନେତୃସ୍ଥାନୀୟ ବ୍ୟକ୍ତି ଓ ସମାଜର ସମସ୍ତ ଶ୍ରେଣୀର ଲୋକମାନେ ପ୍ରାକ୍‌ସିସ୍ ହାସଲ କରିବେ । ଏପରି ପ୍ରତ୍ୟେକ ବିପ୍ଳବପନ୍ଥା ପ୍ରକଳ୍ପ ମୌଳିକତଃ ‘ସଂସ୍କୃତିକ କ୍ରିୟା’ ଯାହା କାଳକ୍ରମେ ‘ସଂସ୍କୃତିକ ବିପ୍ଳବ’ରେ ପରିଣତ ହୋଇଥାଏ । ପ୍ରକଳ୍ପ ସଫଳ ହେବା ପାଇଁ ଅନ୍ୟାନ୍ୟ ଉପାଦାନ ସହିତ ମନନାତ୍ମକ କ୍ରିୟାର (reflective action) ପରିବର୍ତ୍ତନକାରୀ ଶକ୍ତି ନିତାନ୍ତ ଆବଶ୍ୟକ ହୋଇଥାଏ । ବିପ୍ଳବର ଧାରାକୁ ମନନକରିବା ଏବଂ ଜାରି ରଖିବା ପାଇଁ ଜ୍ଞାନ ଆହରଣ ପନ୍ଥାର ଏକ ପାର୍ଶ୍ଵରେ ଜନଗଣ ଏବଂ ଅନ୍ୟପାର୍ଶ୍ଵରେ ନେତୃବୃନ୍ଦଙ୍କ ମଧ୍ୟରେ ଅନ୍ତରଙ୍ଗ ବାର୍ତ୍ତାଳାପ, ଭାବ ଆଦାନ ପ୍ରଦାନର ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ । ବିଖ୍ୟାତ ବିପ୍ଳବୀ ଚେ ଗୁଏଭରାଙ୍କର ଲୋକମାନଙ୍କ ସହ ନିବିଡ଼ ସଂପର୍କ ହିଁ ତାଙ୍କୁ ଜଣେ ସଚ୍ଚା ବିପ୍ଳବୀ କରିଥିଲା ବୋଲି ଲେଖକ ଦୃଢ଼ ମତ ପୋଷଣ କରନ୍ତି । ୟୁଟୋପିଆର ଲକ୍ଷ୍ୟ ସହିତ ଜନଗଣଙ୍କ ସହ ନିବିଡ଼ ସମ୍ପର୍କ ପ୍ରତିଷ୍ଠା କରିବା ହିଁ ପ୍ରତ୍ୟେକ ବିପ୍ଳବୀଙ୍କର ବିଶିଷ୍ଟ ଗୁଣ । ଏପରି ସମ୍ପର୍କ ଥଲେ ହିଁ ‘ବିବେକୀକରଣ’ ସମ୍ଭବ । ବିବେକୀକରଣ ଏକ ବ୍ୟକ୍ତି ସହ ଅନ୍ୟମାନଙ୍କ ମଧ୍ୟରେ ଘଟୁଥିବା ଏକ ଯୌଥ ପ୍ରକ୍ରିୟା । ଏହାଦ୍ୱାରା ମଣିଷମାନେ ସେମାନଙ୍କର କ୍ରିୟା ଏବଂ ସେହି କ୍ରିୟା ସମ୍ପର୍କରେ ଓ ପୃଥିବୀ ସମ୍ପର୍କରେ ମନନ ଦ୍ୱାରା ଏକ ଏକତ୍ରିତ ହୋଇଥାନ୍ତି । ଏପରି ମଣିଷମାନେ ସମବେତଭାବେ ଏକ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଉପଲବ୍ଧ କରିପାରନ୍ତି ଯାହାକୁ ଗୋଲ୍ଡମ୍ୟାନ୍ “ବାସ୍ତବ ଚେତନା’ ଉର୍ଦ୍ଧ୍ଵରେ ‘ଅନ୍ତର୍ନିହିତ ଚେତନାର ସର୍ବୋଚ୍ଚ’ ସ୍ତର ବୋଲି କହିଛନ୍ତି । ଏହାକୁ ଫ୍ରେଇରେ ‘ବିବେକୀକରଣ’ (Conscientization– ମୂଳ ପର୍ତ୍ତୁଗୀଜ Conscientizacao ଅର୍ଥାତ୍ ଚେତନାର ଉର୍ଦ୍ଧ୍ଵରେ) କହନ୍ତି ।

 

ସାଧାରଣ ଭାବେ ଯାହାକୁ ମୂଲ୍ୟବାନ ଚେତନା ବୋଲି ମନେକରାଯାଏ, ବିବେକୀକରଣ ତା’ଠାରୁ ବହୁ ଉର୍ଦ୍ଧ୍ୱରେ । ଏହା ଅଦ୍ଧ-ଅକର୍ମକ ଓ ନିରୀହ ସକର୍ମକ ଚେତନାର ଉର୍ଦ୍ଧ୍ୱରେ ଏବଂ ଏହା ଏକପ୍ରକାର ମିଥ୍‍ ବର୍ଜିତ ନିର୍ଣ୍ଣାୟକ ବାସ୍ତବତା । ସେଥିପାଇଁ ବିଭିନ୍ନ ପ୍ରକାରର ମିଥ୍‍ ଉପରେ ଆଶ୍ରିତ ଏବଂ ମିଥ୍ୟା ଚେତନା ସୃଷ୍ଟିକାରୀ ଦକ୍ଷିଣପନ୍ଥୀମାନଙ୍କର ବିବେକୀକରଣ ଅସମ୍ଭବ ।

 

ବିବେକୀକରଣ ବିପ୍ଳବୀମାନଙ୍କର ଏକ ମ୍ୟାଜିକ୍ ନୁହେଁ, ବରଂ ଏହା ସେମାନଙ୍କର ମନନ କ୍ରିୟାର ମୌଳିକ ପରିସର । ଯଦି ମଣିଷମାନେ ‘ସଚେତନ ବ୍ୟକ୍ତି’ ଭାବେ କାର୍ଯ୍ୟ କରିବା, ଅନୁଭବ କରିବା, ଜ୍ଞାନ ଆହରଣ କରିବା ଏବଂ ସୃଷ୍ଟି କରିବାରେ ସମର୍ଥ ହୋଇନଥାନ୍ତି ଏବଂ ଯଦି ସେମାନେ ନିଜ ଏବଂ ପୃଥିବୀ ସମ୍ପର୍କରେ ସଚେତନ ନହୋଇଥାନ୍ତି ତା’ହେଲେ ସେମାନଙ୍କ ପାଇଁ ବିବେକୀକରଣ ଅର୍ଥହୀନ, ଠିକ୍ ଯେପରି ବିପ୍ଳବ ମଧ୍ୟ ସେମାନଙ୍କ ଦ୍ୱାରା ସମ୍ଭବ ନୁହେଁ ।

 

ବିବେକୀକରଣ ସଂପୂର୍ଣ୍ଣଭାବେ ଏକ ମାନବୀୟ ପ୍ରକ୍ରିୟା । କୌଣସି ପ୍ରକାରର ଅମାନବୀୟ ସଂଗଠନରେ ଲୋକମାନଙ୍କର ବିବେକୀକରଣ କେବେହେଲେ ହୋଇପାରିବ ନାହିଁ । ସେଥିପାଇଁ ପ୍ରଥମରୁ ଅମାନବୀୟ ଓ ଅସଂଗତ ସଂଗଠନ ଗୁଡ଼ିକର ଅବସାନ ଘୋଷଣା ନକଲେ ବିବେକୀକରଣ କଥା ଚିନ୍ତା କରାଯାଇନପାରେ । ଦକ୍ଷିଣପନ୍ଥୀମାନେ ଏହା କଦାପି କରିପାରିବେ ନାହିଁ ।

 

ମନୁଷ୍ୟମାନଙ୍କର ଚେତନା ବାସ୍ତବତା ଦ୍ଵାରା ପ୍ରସୀମିତ ହୋଇଥାଏ । ବାସ୍ତବତାର ଏକ ସୁସ୍ପଷ୍ଟ ପ୍ରତ୍ୟକ୍ଷଣରେ ବାଧକ ସବୁ ସମ୍ପର୍କରେ ଲୋକମାନଙ୍କର ଚେତନା ବୃଦ୍ଧି କରିବାର ପ୍ରଚେଷ୍ଟା ହେଉଛି ବିବେକୀକରଣର ପ୍ରାରମ୍ଭ । ଏହି ଭୂମିକାରେ, ବିବେକୀକରଣ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ସାଂସ୍କୃତିକ ମିଥ୍‍ ସବୁକୁ ଦୂର କରିବାରେ ପ୍ରଭାବିତ କରିଥାଏ । ତେଣୁ ବିଭିନ୍ନ ବିଭ୍ରାନ୍ତିକାରୀ ମିଥ୍‍ ଦ୍ଵାରା ଲୋକମାନଙ୍କ ଉପରେ ଅଧିକାର ସାବ୍ୟସ୍ତ କରୁଥିବା ଦକ୍ଷିଣପନ୍ଥୀମାନଙ୍କର ବିବେକୀକରଣ ସମ୍ଭବ ନୁହେଁ ।

 

ଏହିପରି ଦୁଇପ୍ରକାରର ପରସ୍ପର ବିରୋଧୀ ସାଂସ୍କୃତିକ କ୍ରିୟା ଦୃଷ୍ଟିଗୋଚର ହୁଏ । ସ୍ଵାଧୀନତା ବା ମୁକ୍ତି ପାଇଁ ହେଉଥିବା ସାଂସ୍କୃତିକ ପ୍ରକ୍ରିୟାର ଲକ୍ଷଣ ହେଉଛି ବାର୍ତ୍ତାଳାପ ବା ଡାଏଲଗ ଏବଂ ଏହାର ସର୍ବଶ୍ରେଷ୍ଠ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କର ବିବେକୀକରଣ । ଅନ୍ୟପକ୍ଷରେ ପ୍ରଭୃତ୍ଵ ଜାହିର କରିବା ପାଇଁ ସାଂସ୍କୃତିକ କାର୍ଯ୍ୟ ଡାଏଲଗର ବିରୋଧୀ ଏବଂ ଏହା ଲୋକମାନଙ୍କୁ ପୋଷାମନେଇବା ପାଇଁ ଉଦ୍ଦିଷ୍ଟ । ପ୍ରଥମଟି ସମସ୍ୟାକରଣ ଦ୍ଵାରା ଶିକ୍ଷା ଉପରେ ଗୁରୁତ୍ଵ ଦେଇଥାଏ ଯେତେବେଳେ ଦ୍ଵିତୀୟଟି ସ୍ଲୋଗାନ ସୃଷ୍ଟି କରିଥାଏ ।

 

ସାଂସ୍କୃତିକ କାର୍ଯ୍ୟ ଓ ସାଂସ୍କୃତିକ ବିପ୍ଳବ ବିପ୍ଳବ ପ୍ରକ୍ରିୟାର ଦୁଇଟି ବିଶେଷ ମୁହୂର୍ତ୍ତ । ସ୍ୱାଧୀନତା ପାଇଁ ସାଂସ୍କୃତିକ କାର୍ଯ୍ୟ ପ୍ରଭୁତ୍ଵ ଜାହିର କରୁଥିବା କ୍ଷମତାପନ୍ନମାନଙ୍କ ବିରୁଦ୍ଧରେ ସଂଗଠିତ ହେଉଥିବା ବେଳେ ସାଂସ୍କୃତିକ ବିପ୍ଳବ ଶାସନ ବ୍ୟବସ୍ଥା ସହ ତାଳ ଦେଇ ଘଟିଥାଏ । ଯଦିଓ ଏହାର ଅର୍ଥ ନୁହେଁ ଯେ ବିପ୍ଳବୀ ଶାସକମାନଙ୍କର ଅଧିସ୍ତନ ହୋଇଥାଏ । ଉଭୟ ସାଂସ୍କୃତିକ କାର୍ଯ୍ୟ ଓ ସାଂସ୍କୃତିକ ବିପ୍ଳବ ‘ନିରବତାର ସଂସ୍କୃତି’ର ଲୋପସାଧନ ପାଇଁ କାର୍ଯ୍ୟ କରିଥାନ୍ତି । ଏବଂ ଉଭୟ ବାସ୍ତବତାର ସଂପୂର୍ଣ୍ଣ ପରିବର୍ତ୍ତନ ପାଇଁ ଜନସାଧାରଣଙ୍କ ସହ ସର୍ବଦା ନିବିଡ଼ ସମ୍ପର୍କ ରକ୍ଷା କରିଥାନ୍ତି ।

 

ଏହି ଦୁଇପ୍ରକାରର ରାଜନୈତିକ-ସାଂସ୍କୃତିକ ପରିପ୍ରେକ୍ଷୀରେ ସାକ୍ଷରତା ପ୍ରକ୍ରିୟା ସମାନ ହୋଇନପାରେ । ପ୍ରଥମେ ଜ୍ଞାନର ସ୍ଵରୂପକୁ ବିଚାର କରାଯାଇପାରେ । ସାର୍ତ୍ତେକ କହିବା ଭଳି ଜ୍ଞାନର କୃତ୍ରିମ ଧାରଣାକୁ ପୋଷକ ତତ୍ତ୍ୱ ଭାବେ ବିଚାର କରାଯାଇଥାଏ । ଯିଏ ଯେତେ ପରିମାଣର ତଥ୍ୟ ସଞ୍ଚୟ କରିପାରିବେ ସେ ସେତେ ଅଧିକ ଜ୍ଞାନୀ ବୋଲାଇବ । ଏପରି ତତ୍ତ୍ଵ ‘ଜ୍ଞାନ ପାଇଁ କ୍ଷୁଧା', ‘ଜ୍ଞାନର ତୃଷ୍ଠା”, ‘ବୁଝିବା ପାଇଁ ଆଗ୍ରହ’ ଆଦି ଉକ୍ତିକୁ ଉଚିତ ବୋଲି ଦର୍ଶାଇଥାଏ-। ଏହି ତତ୍ତ୍ଵ ଅନୁସାରେ ଜ୍ଞାନ ଏକ ହସ୍ତାନ୍ତର ପ୍ରକ୍ରିୟା–ପ୍ରଶିକ୍ଷକମାନେ ଜ୍ଞାନର ଭଣ୍ଡାର ଓ ଶିକ୍ଷାର୍ଥୀମାନେ ଭରିହେବା ପାଇଁ ‘ଶୂନ୍ୟ ପାତ୍ର’ । ସେଥିପାଇଁ ଶିକ୍ଷାର୍ଥୀମାନେ କୌଣସି ପ୍ରଶ୍ନ ପଚାରିବା ବା ଆହ୍ୱାନ ସୃଷ୍ଟି କରିବାର ଆବଶ୍ୟକତା ନାହିଁ କାରଣ ସେମାନେ ପ୍ରଶିକ୍ଷକଙ୍କ ଦ୍ଵାରା ପ୍ରଦତ୍ତ ଜ୍ଞାନକୁ ନିଷ୍କ୍ରିୟଭାବେ ଗ୍ରହଣ କରିବା ଉଚିତ୍ ।

 

ବାସ୍ତବରେ ମାନବୀୟ ଦୃଷ୍ଟିକୋଣରୁ ବାସ୍ତବତାର ମନନ ଓ ତହିଁ ଉପରେ କାର୍ଯ୍ୟର ଏବଂ ନିରବଚ୍ଛିନ୍ନ ସମନ୍ଵୟ ଜ୍ଞାନ ଆହରଣର ମୁଖ୍ୟ ପ୍ରକ୍ରିୟା । ପୃଥିବୀରେ ଆମର ଉପସ୍ଥିତି ଭଳି, ଆମର ଚେତନା ଜ୍ଞାନର ରୂପାୟନ କରିଥାଏ । ଆମେ ମନନ କରିବା ସ୍ତରକୁ ଆସିବାରେ କିଏ ସହାୟକ ହୋଇଥାଏ ତାହା ଚିନ୍ତା କରିବା ଓ କାର୍ଯ୍ୟ ମାଧ୍ୟମରେ ହି ଆମେ ଜ୍ଞାନର ରୂପାୟନ କରିଥାଉ । ଆମେ ଯେପରି ଅଛୁ କାହିଁକି ସେପରି ଅଛୁ, ତା’ର କାରଣ ଯେତେ ଅଧିକ ଜାଣିପାରିବା, ଆମର ବାସ୍ତବତା ପଛରେ ଥିବା କାରଣ ସେତିକି ଭଲଭାବରେ ହୃଦୟଙ୍ଗମ କରିପାରିବା । ତାହାହିଁ ଜ୍ଞାନ ଆହରଣର ମୁଖ୍ୟ ଉପାୟ ହେବ । ସେଥିପାଇଁ ସମସ୍ୟା କରଣ (Problematization) ଏବଂ ନିରନ୍ତର ନିଜକୁ ଓ ଅନ୍ୟକୁ ପ୍ରଶ୍ନ ପଚାରିବା ଦ୍ୱାରା ସକ୍ରିୟ ଭାବେ ଜ୍ଞାନର ଉନ୍ମୋଚନ କରାଯାଇପାରେ ।

 

ରାଜନୈତିକ ଧାରା ଅନୁସାରେ ସାକ୍ଷରତା କାର୍ଯ୍ୟକ୍ରମରେ ମଧ୍ୟ ଦୁଇଟି ଧାରା ଦେଖିବାକୁ ମିଳେ । ପ୍ରଭାବବିସ୍ତାରକାରୀମାନେ ସାକ୍ଷରତା କାର୍ଯ୍ୟକ୍ରମକୁ ‘ପୋଷାମନେଇବା’ (Domesticating) କାର୍ଯ୍ୟ ଭାବେ ବ୍ୟବହାର କରିଥାନ୍ତି । ନିଷ୍କ୍ରିୟ ବ୍ୟକ୍ତିଭାବେ ଶିକ୍ଷାର୍ଥୀମାନଙ୍କୁ ନିଜର ଶିକ୍ଷଣ ପ୍ରକ୍ରିୟାରେ ସୃଜନାତ୍ମକଭାବେ ଅଂଶଗ୍ରହଣ କରିବା ପାଇଁ କୌଣସି ସୁଯୋଗ ଦିଆଯାଏ ନାହିଁ । ପ୍ରଶିକ୍ଷକଙ୍କର ‘ଶବ୍ଦ’ ଭଣ୍ଡାର ଦ୍ୱାରା ସେମାନଙ୍କୁ ଭରିଦେବା ହିଁ ସାକ୍ଷରତା କାର୍ଯ୍ୟକ୍ରମର ଏକମାତ୍ର ଉଦ୍ଦେଶ୍ୟ ହୋଇଥାଏ । ଜୀବନ, ବାସ୍ତବତା ଏବଂ ସାମାଜିକ ବ୍ୟବସ୍ଥା ବ୍ୟତିରେକେ ଭାଷା ଚିନ୍ତନ ସମ୍ଭବ ବୋଲି ଏଥିରେ ବିଶ୍ଵାସ କରାଯାଇଥାଏ । ଅବଶ୍ୟ ପ୍ରଭାବ ବିସ୍ତାରକାରୀ ଗୋଷ୍ଠୀମାନେ ଯେ ଅଧସ୍ତନ ଶ୍ରେଣୀର ଲୋକମାନଙ୍କର ସାମାଜିକ ବାସ୍ତବତା, ନ୍ୟାୟ ସମ୍ପର୍କରେ ସଚେତନ ହୁଅନ୍ତୁ ଭାବିବା ଅତ୍ୟନ୍ତ ପିଲାଳିଆ ଚିନ୍ତା ଅଟେ ।

 

ମୁକ୍ତି ପାଇଁ ଶିକ୍ଷାର ଲକ୍ଷଣ ସଂପୂର୍ଣ୍ଣ ଭିନ୍ନ । ଏପରି ପ୍ରକ୍ରିୟାରେ ପ୍ରଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ସମୀକ୍ଷାମୂଳକ ଭାବେ ବାସ୍ତବତାକୁ ଉନ୍ମୋଚନ କରିବା ଓ ଚିହ୍ନିବା ପାଇଁ ଆହ୍ୱାନ କରିଥାନ୍ତି । ପୋଷାମନେଇବା ଶିକ୍ଷା ବ୍ୟବସ୍ଥା ଭଳି ଏଥରେ ଶିକ୍ଷାର୍ଥୀଙ୍କ ଉପରେ କୌଣସି ଜ୍ଞାନ ଲଦିଦିଆଯିବାର ପ୍ରୟାସ ଆଦୌ କରାଯାଏ ନାହିଁ । ପୋଷାମନେଇବା ଶିକ୍ଷାରେ ପ୍ରଶିକ୍ଷକ ଓ ଶିକ୍ଷାର୍ଥୀ–ବ୍ୟକ୍ତି ଓ ବସ୍ତୁ–ଶିକ୍ଷାର ଏଭଳି ଦୁଇଟି କେନ୍ଦ୍ର ଥିବାବେଳେ ମୁକ୍ତି ପାଇଁ ଶିକ୍ଷାରେ ପ୍ରଶିକ୍ଷକ ଓ ଶିକ୍ଷକଙ୍କ ମଧ୍ୟରେ ବ୍ୟକ୍ତି ଓ ବସ୍ତୁଭଳି ଦୁଇଟି ବିଭାଜନ ଆଦୌ ନଥାଏ । ଉଭୟଙ୍କ ମିଳିତ ସହଯୋଗରେ ଶୈକ୍ଷିକ ଅଭିଜ୍ଞତାର ପରିସର ସୃଷ୍ଟି କରାଯାଇଥାଏ । ଉଭୟ ସମ୍ମିଳିତ ଭାବେ ଜ୍ଞାନ ଓ ସୃଜନାତ୍ମକ କ୍ରିୟାରେ ମଗ୍ନହୋଇ ବାସ୍ତବତାର ରୂପାୟନ ପାଇଁ କାର୍ଯ୍ୟ କରିଥାନ୍ତି । ଏପରି ଶିକ୍ଷାରେ ଶିକ୍ଷାର୍ଥୀଙ୍କୁ ‘ଶୂନ୍ୟ ପାତ୍ର’ ଭାବେ ଆଦୌ ବିଚାର କରାଯାଇନଥାଏ । ଶିକ୍ଷାର୍ଥୀମାନଙ୍କୁ ନାମମାତ୍ର ଭାବେ ବିଚାର ନକରି ଦଳିତମାନଙ୍କର ଏକ ବିରାଟ ପରିବାରର ସଦସ୍ୟଭାବେ ଦେଖାଯାଇଥାଏ I Answer for their situation do not reside in their learning to read alienating stories, but in their making history that will actualize their lives. (ପୃ ୧୦୩)

 

ରାଜନୈତିକ ସାକ୍ଷରତା ପ୍ରକ୍ରିୟା

 

ରାଜନୈତିକ ‘ସାକ୍ଷରତା’ର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ବେଳେ ରାଜନୈତିକ ‘ନିରକ୍ଷରତା’ ବିଶ୍ଳେଷଣ କରାଯାଇପାରେ । ଭାଷାତତ୍ତ୍ୱ ଦୃଷ୍ଟିରୁ ଯିଏ ପଢ଼ିବା ଓ ଲେଖିବା ଜାଣି ନାହିଁ ସେ ନିରକ୍ଷର । କିନ୍ତୁ ଲେଖିବା ଓ ପଢ଼ିବା ଜାଣିଥାଉ ବା ନଜାଣିଥାଉ ଯଦି ଜଣଙ୍କର ପୃଥିବୀ ସହିତ ସମ୍ପର୍କରୁ ମାନବିକତା ସମ୍ବନ୍ଧରେ ବିଚିତ୍ର ଧାରଣା ଥାଏ, ତା’କୁ ରାଜନୈତିକ ନିରକ୍ଷର ଭାବେ ବିଚାର କରାଯିବ (ପୃ ୧୦୩) । ଏପରି ବ୍ୟକ୍ତି ସାମାଜିକ ବାସ୍ତବତାକୁ ଭାଗ୍ୟର କଥା ବୋଲି ଧରିନେଇଥାଏ । ସାମାଜିକ ବାସ୍ତବତା ଯେ ସର୍ବଦା ପରିବର୍ତ୍ତନଶୀଳ ଓ ତାହାକୁ ପରିବର୍ତ୍ତନ କରାଯାଇପାରେ, ତାହା ତାଙ୍କର ଚିନ୍ତାର ବାହାରେ ଥାଏ । ରାଜନୈତିକ ନିରକ୍ଷରମାନଙ୍କ ଠାରେ ନିଛକ ବାସ୍ତବତାରୁ ପଳାୟନ କରି ଏହାକୁ ପ୍ରତ୍ୟାଖ୍ୟାନ କରିବା ଓ ନିଜକୁ ପୃଥିବୀର ଏକ ଅମୂର୍ତ୍ତ ଦୃଷ୍ଟି ଭଙ୍ଗୀରେ ହଜାଇ ଦେବାର ପ୍ରବଣତା ସ୍ପଷ୍ଟ ଲକ୍ଷ୍ୟ କରାଯାଇପାରେ । ବିଜ୍ଞାନ, ଧର୍ମ, ସାମାଜିକ ବିଜ୍ଞାନ, ଇତିହାସ ଆଦି ବିଷୟବସ୍ତୁ ଅଧ୍ୟୟନରେ ବାସ୍ତବତାଠାରୁ ଦୂରେଇ ଯାଇ ନିରପେକ୍ଷଭାବେ ଅମୂର୍ତ୍ତ ଧାରଣା ହାସଲ କରି ଏକ ପ୍ରକାର ମିଥ୍ୟା ବିଷୟବାଦ ମଧ୍ୟରେ ସୁରକ୍ଷା ଖୋଜନ୍ତି । ତତ୍ତ୍ୱ ଓ ବାସ୍ତବତା ମଧ୍ୟରେ ଏପରି ଦ୍ୱୈତବାଦରେ ବିଶ୍ୱାସ କରୁଥିବା ନିରକ୍ଷରମାନେ ଅତି ସରଳ ଚେତନା ହାସଲ କରିଥାନ୍ତି । ରାଜନୈତିକ ନିରକ୍ଷରଙ୍କର ଏପରି ଚେତନା ଯେତେ ଶାଣିତ ହେଉଥିବ, ବାସ୍ତବତାର ସମୀକ୍ଷାମୂଳକ ବୋଧର ସମ୍ମୁଖୀନ ହେବାବେଳେ ସେହି ବ୍ୟକ୍ତି ଅଧିକରୁ ଅଧିକ ନିଜର ଇଚ୍ଛାତ୍ମକ ବିଶ୍ୱାସରେ ଜିଦିଖୋର ହେଉଥିବେ ।

 

ରାଜନୈତିକ ସାକ୍ଷରତା ହାସଲ ପାଇଁ ଗୋଟିଏ ମୌଳିକ ବିଶ୍ୱାସର ପୁନରାବୃତ୍ତି କରିବା ଏଠାରେ ଆବଶ୍ୟକ । ତାହା ହେଉଛି : ଜ୍ଞାନର ହସ୍ତାନ୍ତରକରଣ ଭାବେ ଶିକ୍ଷାର ଧାରଣାରୁ ଉର୍ଦ୍ଧ୍ୱକୁ ନଗଲେ, ନିର୍ଣ୍ଣାୟକ ଚେତନାର ପରି ପ୍ରକାଶର ବାଧା ସୃଷ୍ଟି ହେବ ଏବଂ ତଦ୍ଦ୍ୱାରା ରାଜନୈତିକ ନିରକ୍ଷରତାର ପୁନର୍ବଳନ ହେବ । ଶିକ୍ଷାର ପୋଷଣକାରୀ ମଡ଼େଲ୍‌ରେ ପ୍ରଶିକ୍ଷକ ସର୍ବଦା ଶିକ୍ଷାର୍ଥୀମାନଙ୍କର ପ୍ରଶିକ୍ଷକ ହୋଇ ରହିଥିବାବେଳେ ମୁକ୍ତି ପାଇଁ ପ୍ରଶିକ୍ଷକଙ୍କୁ କହିବାକୁ ଗଲେ ଶିକ୍ଷାର୍ଥୀଙ୍କର ସ୍ୱତନ୍ତ୍ର ପ୍ରଶିକ୍ଷକଭାବେ ମୃତ୍ୟୁବରଣ କରିବାକୁ ପଡ଼େ । ବିପରୀତ କ୍ରମରେ, ପ୍ରଶିକ୍ଷକ ମଧ୍ୟ ଶିକ୍ଷାର୍ଥୀମାନଙ୍କୁ ମୃତ୍ୟୁବରଣ କରି ପୁନର୍ଜନ୍ମ ନେବା ପାଇଁ ପ୍ରସ୍ତାବ ରଖିବେ । ଉଭୟ ପ୍ରକୃତ ଶିକ୍ଷାର୍ଥୀଭାବେ– ସ୍ଵଶିକ୍ଷାର୍ଥୀ ଏବଂ ସ୍ୱ-ପ୍ରଶିକ୍ଷାର୍ଥୀମାନଙ୍କର ପ୍ରଶିକ୍ଷକଭାବେ ପୁନର୍ଜନ୍ମ ଲାଭ କରିବେ । ଏପରି ପାରସ୍ପରିକ ମୃତ୍ୟୁ ଏବଂ ପୁନର୍ଜନ୍ମ ବ୍ୟତୀତ, ମୁକ୍ତି ପାଇଁ ଶିକ୍ଷା ଅସମ୍ଭବ । (ପୃ-୧୦୫)

 

ଏହାର ଅର୍ଥ ନୁହେଁ ଯେ ପ୍ରଶିକ୍ଷକ ଅଦୃଶ୍ୟ ହୋଇଯିବେ ଯେପରିକି ସେ ସଂପୂର୍ଣ୍ଣ ଅଦରକାରୀ । ଯେ କୌଣସି ବୈପ୍ଳବିକ ସଂସ୍କାରମୂଳକ କାର୍ଯ୍ୟରେ ଶିକ୍ଷା ସର୍ବଦା ଏକ ପ୍ରଶିକ୍ଷକ ଆବଶ୍ୟକ କରେ । କିନ୍ତୁ ସେ ଉପସ୍ଥିତ ରହିବା ଓ କେବଳ ତାଙ୍କର ଏକମାତ୍ର ଉପସ୍ଥିତି ମଧ୍ୟରେ ମୌଳିକ ପାର୍ଥକ୍ୟ ରହିଛି । ପ୍ରଶିକ୍ଷକଙ୍କର ଉପସ୍ଥିତି ରହିବାର ଆବଶ୍ୟକତା ଅନସ୍ୱୀକାର୍ଯ୍ୟ ହୋଇଥିବା ବେଳେ, ଶିକ୍ଷାର୍ଥୀମାନଙ୍କର ଉପସ୍ଥିତିକୁ ଗୌଣକରି ନିଜର ପ୍ରାଧାନ୍ୟ ଜାହିର କରିବା ଦ୍ଵାରା ସେ ମୁକ୍ତି ପାଇଁ ଶିକ୍ଷାର ପ୍ରଶିକ୍ଷକ ହୋଇପାରିବେ ନାହିଁ । ଅଧିକାଂଶ ସାମ୍ୟବାଦୀ ରାଷ୍ଟ୍ରରେ ଏକ ଦୁଃଖଦ ପ୍ରମାଦ କରିବାର ଦେଖାଯାଇଛି । ସେମାନେ ବୁର୍ଜୁଆ ଶିକ୍ଷାରେ ପୋଷାମନେଇବାର ଚରିତ୍ରର ଉର୍ଦ୍ଧ୍ୱକୁ ଯିବାରେ ବିଫଳ ହୋଇଛନ୍ତି ।

 

ବିଦ୍ୟାଳୟକୁ ସାମାଜିକ ନିୟନ୍ତ୍ରଣର ଏକ ସାଧନୀଭାବେ ଚିରସ୍ଥାୟୀ କରିବା ଏବଂ ଶିକ୍ଷଣରୁ ଶିକ୍ଷାଦାନକୁ ପୃଥକ କରି ସେମାନଙ୍କ ମଧ୍ୟରେ ଦ୍ୱୈତଭାବ ସୃଷ୍ଟି କରିବା ଦ୍ୱାରା ପ୍ରଶିକ୍ଷକମାନେ ଫିରଅର୍‍ବାକ୍‍ଙ୍କ ଉପରେ ତାଙ୍କର ତୃତୀୟ ଥେସିସରେ ମାର୍କ୍ସ ଦେଇଥିବା ମୌଳିକ ଚେତାବନୀକୁ ଭୁଲିଯାଇଛନ୍ତି : “The, educator should also be educated. (ପୃ-୧୦୫) ।

 

ରାଜନୈତିକ ସାକ୍ଷରତା ପାଇଁ ଏବଂ ମୁକ୍ତିର ଶିକ୍ଷା ପାଇଁ ପ୍ରତ୍ୟେକ ମଣିଷକୁ ନିର୍ଣ୍ଣାୟକଭାବେ ସଂପୂର୍ଣ୍ଣ କ୍ରାନ୍ତିକାରୀ ପରିବର୍ତ୍ତନ କାର୍ଯ୍ୟର ଭାଗୀଦାର ହେବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ବିବେକୀକରଣକୁ ଉପଯୁକ୍ତ ଭାବେ ଉପଲବ୍ଧ କରିବାକୁ ହେବ । ବିବେକୀକରଣକୁ ବାସ୍ତବତାର ପ୍ରତିଫଳନ ଭାବେ ଏକ ସ୍ଥିର ପ୍ରକ୍ରିୟା ଭାବେ ବିବେଚନା କରିବା ଉଚିତ ହେବ ନାହିଁ । ଯେହେତୁ ସମାଜର ରୂପାୟନ ସର୍ବଦା ଗତିଶୀଳ, ସେଥିପାଇଁ ପରିବର୍ତ୍ତିତ ପରିସ୍ଥିତିରେ ବିବେକୀକରଣ ଏକ ନୂତନ ଚେତନାର ସୃଷ୍ଟି କରିଥାଏ । ଏହି ଦୃଷ୍ଟିରୁ ଯେଉଁଠାରେ ଏବଂ ଯେତେବେଳେ ହେଉ ପରିବର୍ତ୍ତିତ ବାସ୍ତବତା ଏକ ନୂତନ ରୂପ ଧାରଣ କରିଥାଏ ସେତେବେଳେ ବିବେକୀକରଣ ପ୍ରକ୍ରିୟା ଚାଲୁ ରହିବା ଉଚିତ୍ ।

 

ପୁସ୍ତକର ଶେଷ ଭାଗରେ ଫ୍ରେଇରେଙ୍କ ସହିତ ଦୁଇଟି ସାକ୍ଷାତକାରର ବିବରଣୀ ଦିଆଯାଇଛି ଯେଉଁଥିରେ ସେ ତାଙ୍କର ପୂର୍ବ ବର୍ଣ୍ଣିତ ଚିନ୍ତାଧାରାର କେତେକ ଦିଗର ପୁନରାଲୋଚନା ଓ ଅଧୁକ ସ୍ପଷ୍ଟୀକରଣ କରିଛନ୍ତି ।

 

ଶ୍ରୀ ମୋହିତ ମୋହନ ମହାନ୍ତି

☆☆☆

 

Unknown

ସମାଜକୁ ବିଦ୍ୟାଳୟ-ମୁକ୍ତ କରିବା

 

Deschooling Society

 

ଲେଖକ– ଆଇଭାନ୍‍ ଇଲିଚ୍‍

 

Middlesex, England: Penguine Book

 

(ପ୍ରଥମ ପ୍ରକାଶନ, New York: **, 1971)

 

ପୃଷ୍ଠା ସଂଖ୍ୟା–୧୧୬

 

Ivan Illich : (ସେପ୍ଟେମ୍ବର ୪, ୧୯୨୬ ରୁ ଡିସେମ୍ବର ୨, ୨୦୦୨) ୧୯୬୦ ଦଶକର ପ୍ରଚଳିତ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଚିନ୍ତାନାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ । ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଜନ୍ମଗ୍ରହଣ କରି ୧୯୩୧ ରୁ ୧୯୪୧ ପର୍ଯ୍ୟନ୍ତ ଏକ ଧାର୍ମିକ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ତାଙ୍କର ମାଆ ଜିଉଥିବାରୁ ତାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯାଇଥିଲା ଓ ସେ ଇଟାଲିର ଫ୍ଲୋରେନ୍‍ସ ବିଶ୍ୱବିଦ୍ୟାଳୟ ଓ ରୋମ୍‍ର ଗ୍ରୀଗୋରିଆନ୍ ବିଶ୍ଵବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ସେ ନିୟୁୟର୍କର ଏକ ଚର୍ଚ୍ଚରେ ଧର୍ମଯାଜକ ଭାବେ ୧୯୫୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଓ ପରେ ପୁଏର୍ତ୍ତୋରିକୋର କାଥୋଲିକ ବିଶ୍ୱବିଦ୍ୟାଳୟର ଉପରେକ୍ଟର ଭାବେ କାର୍ଯ୍ୟ କରୁଥିବାବେଳେ ବିଦ୍ୟାଳୟ ଶିକ୍ଷା ବିରୋଧୀ ଏଭେରେଟ୍ ରିମରଙ୍କ ସହ ଘନିଷ୍ଠତା ବଢ଼ିଥିଲା । ଏବଂ ୧୯୫୯ରେ ସାରା ଦକ୍ଷିଣ ଆମେରିକାରେ ପଦଯାତ୍ରା କରିଥିଲେ । ୧୯୬୧ ରେ ମେକ୍ସିକୋର କୁଏର୍‍ନାଭାକା ସହରରେ ବହୁ ଚର୍ଚ୍ଚିତ Centro Inter Cultural Documentation (Center for Inter Cultural Documentation ବା CIDOC) ସ୍ଥାପନା କରିଥିଲେ ।

 

ତାଙ୍କର ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଚାରିଟି ମୁଖ୍ୟ ଧାରଣା ଉପରେ କେନ୍ଦ୍ରିତ ଥିଲା :

 

• ବିଦ୍ୟାଳୟ ମାଧ୍ୟମରେ ସାର୍ବଜନୀନ ଶିକ୍ଷା ସମ୍ଭବ ନୁହେଁ ।

 

• ଶିକ୍ଷକମାନଙ୍କର ନୂତନ ମନୋବୃତ୍ତି, ଶୈକ୍ଷିକ ଅନୁଷ୍ଠାନମାନଙ୍କର ସଂଖ୍ୟାବୃଦ୍ଧି ବା ଶିକ୍ଷକମାନଙ୍କର ଦାୟିତ୍ୱର ସଂପ୍ରସାରଣ ଦ୍ୱାରା ସାର୍ବଜନୀନ ଶିକ୍ଷା ସମ୍ଭବ ହେବ ନାହିଁ, ଯଦି ଶିକ୍ଷା ବ୍ୟବସ୍ଥା ଶିକ୍ଷାର୍ଥୀମାନଙ୍କର ଜୀବନାନୁଭୂତି ସହିତ ସଂପୂର୍ଣ୍ଣଭାବେ ଜଡ଼ିତ ନ ହୁଏ ।

 

• ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ଶିକ୍ଷା ସହିତ ଜଡ଼ିତ ସମଗ୍ର ଅନୁଭୂତି, ସାମଗ୍ରୀ ଓ ବ୍ୟକ୍ତିମାନଙ୍କୁ ନେଇ ଶୈକ୍ଷିକ ଜାଲ (Educationl web) ଦ୍ୱାରା ଶିକ୍ଷଣର ସୁଯୋଗ, ଆବଣ୍ଟନ ଓ ଯତ୍ନ ପାଇଁ ସର୍ବାଧିକ ବ୍ୟବସ୍ଥା ସମ୍ଭବ ହେବ ।

 

• କେବଳ ଅନୁଷ୍ଠାନ ନୁହେଁ ସାମାଜିକ ଭାବଧାରାକୁ ମଧ୍ୟ ‘ବିଦ୍ୟାଳୟ ମୁକ୍ତ’ କରିବା ନିତାନ୍ତ ଆବଶ୍ୟକ । ତାଙ୍କର ସମସ୍ତ ଚିନ୍ତନ ମୁଖ୍ୟତଃ ଶିକ୍ଷା ଦର୍ଶନ ଏବଂ କାରିଗରୀ ବିଦ୍ୟାର ଦର୍ଶନ ଅନ୍ତର୍ଭୁକ୍ତ ଥିଲା ।

 

ବିଭିନ୍ନ ଶିକ୍ଷା ବ୍ୟବସ୍ଥା ଉପରେ ତାଙ୍କର ଅବଦାନ ତାଙ୍କୁ ବହୁ ସ୍ୱୀକୃତି ଆଣି ଦେଇଥିଲା-। ତାଙ୍କର ପୁସ୍ତକମାନଙ୍କ ମଧ୍ୟରେ Deschooling Society (1971) ବହୁ ଚର୍ଚ୍ଚିତ-। ଏହା ବ୍ୟତୀତ Celebration of Awareness (1971), Tools for Conviviality (1973), ତାଙ୍କର ଶିକ୍ଷା ଦର୍ଶନ ଉପରେ ଦୁଇଟି ପ୍ରସିଦ୍ଧ ପୁସ୍ତକ ହୋଇଥିବା ବେଳେ Energy and Equity (1974), Medical Nemesis : The Expropriation of Health (1975), ଏବଂ The Right to Useful Unemployment (1978)ରେ ତାଙ୍କର ସାମାଜିକ ଓ କାରିଗରୀ ଶିକ୍ଷା ଦର୍ଶନର ପ୍ରତିଫଳନ ସ୍ପଷ୍ଟ ।

 

ବିଦ୍ୟାଳୟ ଉଚ୍ଛେଦ କରିବା କାହିଁକି ?

 

ଅନେକ ପିଲା ବିଶେଷ କରି ଗରିବ ପିଲାମାନେ ବିଦ୍ୟାଳୟ ଦ୍ୱାରା ବିଭ୍ରାନ୍ତ ହୋଇଥାନ୍ତି-। ସେମାନେ ପ୍ରକ୍ରିୟା ଓ ପରିଣାମ ମଧ୍ୟରେ ବାଛ ବିଚାର କରିବା କ୍ଷମତା ବିଦ୍ୟାଳୟରେ ହରାଇ ବସନ୍ତି । ଏହି ପ୍ରଭେଦ କରିବାର ଶକ୍ତି ହରାଇ ବସିଲେ ଏକ ନୂତନ ଯୁକ୍ତିରେ ବିଶ୍ୱାସ ବଢ଼େ : ଯେତେ ଅଧିକ ଶିକ୍ଷାଦାନ ହେବ ସେତେ ଉତ୍ତମ ଫଳାଫଳ ହେବ ଅର୍ଥାତ୍ ପରିମାଣରେ ଆଧକ୍ୟ ସଫଳତାର କାରଣ ହୋଇଯାଏ । ବିଦ୍ୟାଳୟ ଶିକ୍ଷାରେ ପିଲାମାନେ ଶିକ୍ଷାଦାନ ସହିତ ଶିକ୍ଷଣ, ଗ୍ରେଡ୍ ହାସଲ ସହିତ ଶିକ୍ଷା, ଡିପ୍ଲୋମା ସହିତ ଦକ୍ଷତା ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ-। ସ୍ୱାସ୍ଥ୍ୟ, ଶିକ୍ଷା, ସମ୍ମାନବୋଧ, ସ୍ୱାଧୀନଭାବ ଏବଂ ସୃଜନୀ ପ୍ରତିଭା ଆନୁଷ୍ଠାନିକ ପ୍ରଚେଷ୍ଟା ଦ୍ଵାରା ସମ୍ଭବ ବୋଲି ଧରିନିଆଯାଇଥାଏ ।

 

ଏହି ପୁସ୍ତକରେ ମୁଁ ପ୍ରତିପାଦନ କରିବା ପାଇଁ ଚେଷ୍ଟା କରିଛି ଯେ ମୂଲ୍ୟବୋଧର ଆନୁଷ୍ଠାନୀକରଣ ଦ୍ଵାରା ପରିବେଶ ପ୍ରଦୂଷଣ, ସାମାଜିକ ଧ୍ରୁବୀକରଣ ଓ ମନସ୍ତାତ୍ତ୍ୱିକ କ୍ଲିବତ୍ୱ ସୃଷ୍ଟି ହେଉଛି । ଏହି ତିନିଟି ଜାଗତିକ ଅବନତି, ଏବଂ ଆଧୁନିକ ଦୁର୍ବିସହତା ପ୍ରକ୍ରିୟାର ପରିସର ଅଟନ୍ତି-। ଯେତେବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟକ୍ତିଗତ ଚଳପ୍ରଚଳ, ସାମାଜିକ ଉନ୍ନୟନ କିମ୍ବା ମନସ୍ତାତ୍ତ୍ୱିକ ଚିକିତ୍ସା ଆଦି ଅଣସାମଗ୍ରୀ ଆବଶ୍ୟକତାର ଦାବି ସେବାର ଫଳାଫଳ ଭାବେ ବିଚାର କରାଯାଏ ସେସବୁ ସେବା ଯୋଗାଇବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ଆବଶ୍ୟକ ବୋଲି ବିଚାର କରାଯାଏ-। କିନ୍ତୁ ଆନୁଷ୍ଠାନିକ ମୂଲ୍ୟବୋଧ ପ୍ରସାର ଫଳରେ ବିପରୀତ କ୍ରିୟା ଘଟୁଛି ବୋଲି ଏହି ପୁସ୍ତକରେ ପ୍ରତିପାଦନ କରିବାକୁ ଚେଷ୍ଟା କରାଯାଇଛି ।

 

ଆମେରିକାର ଗରିବ ଶ୍ରେଣୀର ଲୋକମାନେ ନିଜର ଅଭିଜ୍ଞତାରୁ ‘ବିଦ୍ୟାଳୟ’ ଭିତ୍ତିକ ସମାଜ ପ୍ରତିଷ୍ଠା ପାଇଁ ସାମାଜିକ ଆଇନ ବ୍ୟବସ୍ଥାର ଭ୍ରମାତ୍ମକ ଧାରଣାକୁ ପ୍ରଦର୍ଶନ କରିପାରିବେ । ସେମାନେ ଜାଣିପାରୁଛନ୍ତି ଯେ କୌଣସି ପରିମାଣର ଅର୍ଥ ତଥାକଥିତ ଜନମଙ୍ଗଳ ଅନୁଷ୍ଠାନ ସବୁର ଅନ୍ତର୍ନିହିତ ଧ୍ୱଂସକାରୀ କ୍ଷମତାକୁ ଲୋପ କରିପାରିବ ନାହିଁ ।

 

ବିଦ୍ୟାଳୟଟିଏ ଧନୀ-ଗରିବ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଏ, ମାତ୍ର ଯେତେ ଯାହା କଲେ ବି ବିଦ୍ୟାଳୟକୁ ଆସୁଥିବା ଗରିବ ପିଲାଟିଏ ଧନୀ ପିଲାଟି ସହ କ୍ଵଚିତ ତାଳ ମିଳାଇ ଚାଲି ପାରେ । ସେମାନଙ୍କ ପାଇଁ ନିଆରା ପାଠ୍ୟକ୍ରମ, ନିଆରାଶ୍ରେଣୀ ଓ ଅଧିକ କାର୍ଯ୍ୟ ନିର୍ଘଣ୍ଟ ନାଁରେ ଯାହାସବୁ ଅଧିକ ଖର୍ଚ୍ଚ ହୁଏ ସେସବୁ ସେମାନଙ୍କ ଅନଗ୍ରସରତାକୁ ବଢ଼ାଇଦିଏ । ହେଲେ ବିଦ୍ୟାଳୟର ଏପ୍ରକାର ନିଷ୍ପଳ ପ୍ରୟାସକୁ ଶିକ୍ଷା ଏକ ଜଟିଳ ପ୍ରକ୍ରିୟା ବୋଲି କହି ଟାଳି ଦିଆଯାଏ ।

 

ସାରା ପୃଥିବୀରେ ବିଦ୍ୟାଳୟ ଶିକ୍ଷାର ଶିକ୍ଷା-ବିରୋଧାଭାସ ସ୍ପଷ୍ଟ ହେଉଛି । ଶିକ୍ଷାଦାନର ଏକଚାଟିଆ ଅଧିକାର ବିଦ୍ୟାଳୟ ଭଳି ସ୍ୱତନ୍ତ୍ର ଅନୁଷ୍ଠାନ ଉପରେ ନ୍ୟସ୍ତ ଥିବାରୁ, ଏହାର ଅସଫଳତାକୁ ଶିକ୍ଷା ଏକ ବ୍ୟୟ ସାପେକ୍ଷ ବ୍ୟାପାର, ଏକ ଜଟିଳ ପ୍ରକ୍ରିୟା ବୋଲି ବିବେଚନା କରାଯାଉଛି ।

 

ବିଦ୍ୟାଳୟ ପାଇଁ ମାନବସମ୍ବଳ ଓ ଅର୍ଥର ଅପଚୟ ହେଉଛି ଓ ଏହା ପ୍ରତି ଥିବା ଲୋକଙ୍କର ସଦ୍‌ଭାବନାକୁ ଶୋଷଣ କରାଯାଉଛି । ବିଦ୍ୟାଳୟର ସ୍ଵାତନ୍ତ୍ର୍ୟ ଦୃଷ୍ଟିରୁ ଅନ୍ୟସବୁ ପ୍ରତିଷ୍ଠାନ ଶୈକ୍ଷିକ ଦାୟିତ୍ୱରୁ ଓହରି ଯାଉଛନ୍ତି । ବିଭିନ୍ନ ସାମାଜିକ ପ୍ରତିଷ୍ଠାନ ଶିକ୍ଷାର ପରିପୂରକ ହେବା ପରିବର୍ତ୍ତେ ସ୍କୁଲ ଉପରେ ନିର୍ଭରଶୀଳ ହୋଇଯାଉଛନ୍ତି ।

 

ତଥାପି ପୃଥିବୀସାରା ଶିକ୍ଷା ପାଇଁ ମୁଣ୍ଡପିଛା ଖର୍ଚ୍ଚ ବଢ଼ିବାରେ ଲାଗିଛି । ଦେଶରେ ବାଧ୍ୟତାମୂଳକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ସମୟସୀମାରୁ ଦେଶର ସ୍ଥିତି ଆକଳନ କରାଯାଉଛି, ବିଦ୍ୟାଳୟ ପାଇଁ ଖର୍ଚ୍ଚ ଯେତେ ବଢ଼ିଚାଲିଛି, ଏକ ମୌଳିକ ପ୍ରତିଷ୍ଠାନ ହିସାବରେ ପରିବାରର ଗୁରୁତ୍ୱ ସେତେ କମିବାରେ ଲାଗିଛି । ବିଦ୍ୟାଳୟ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ସ୍ତରରେ ବ୍ୟାପକ ଅଣାନୁଷ୍ଠାନିକ ଶିକ୍ଷା ପାଇଁ ଉତ୍ସାହ ଓ ଏପ୍ରକାର ଶିକ୍ଷାର ପ୍ରସାର ପାଇଁ ଲୋଡ଼ା ଉଦ୍ୟମ ବାଧାପ୍ରାପ୍ତ ହେଉଛି ।

 

ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ଉପଲବ୍ଧ ଡିଗ୍ରୀ କୌଣସି କର୍ମକୁଶଳତା ସହିତ ସମ୍ପର୍କିତ ହେଉନାହିଁ । ଏପରି ଶିକ୍ଷା ମାଧ୍ୟମରେ ଶିକ୍ଷଣ ବା ନ୍ୟାୟ ଦେବା ସମ୍ଭବପର ହେଉନାହିଁ । ଶିକ୍ଷକମାନେ ପାଠପଢ଼ାକୁ ପ୍ୟାକେଜ୍ ହିସାବରେ ବିତରଣ କରି ପ୍ରମାଣପତ୍ର ସର୍ବସ୍ୱ ଶିକ୍ଷାଦାନ କରି ଚାଲିଛନ୍ତି । ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ସମସ୍ତ ସର୍ତ୍ତାବଳୀକୁ ବେଦବାକ୍ୟ ଭଳି ଉପସ୍ଥାପନ କରିଦେଲେ ଶିକ୍ଷଣ ହୁଏନାହିଁ । ନିର୍ଦ୍ଦିଷ୍ଟ ପାଠ୍ୟକ୍ରମକୁ ଆୟତ୍ତ କରିବାକୁ ହେଲେ କେତେକ ପ୍ରାକ୍-ଦକ୍ଷତା ଆହରଣ କରିବାକୁ ପଡ଼େ ଓ ବ୍ୟକ୍ତିଗତ ପୃଷ୍ଠଭୂମିକୁ ଆଧାର କରି ପାଠ୍ୟକ୍ରମ ପରିଚାଳନା କରାଯାଏ । ମାତ୍ର ବିଦ୍ୟାଳୟରେ ଏପରି କଥା ସମ୍ଭବ ନୁହେଁ ।

 

ବିଦ୍ୟାଳୟ ବ୍ୟବସ୍ଥାରେ ଥିବା ଏକ ଭ୍ରମ ହେଉଛି ଯେ କେବଳ ଶିକ୍ଷାଦାନ ଫଳରେ ହିଁ ଶିକ୍ଷଣ ସମ୍ଭବ । ପରିସ୍ଥିତି ବିଶେଷରେ ହୁଏତ ଶିକ୍ଷାଦାନ ଶିକ୍ଷଣର ଏକ କାରକ ହୋଇପାରେ ମାତ୍ର ବିଦ୍ୟାଳୟ ସୀମା ବାହାରେ ଅନେକାଂଶରେ ଶିକ୍ଷଣାନୁଭୂତି ଆହରଣ କରାଯାଇଥାଏ । ପିଲାଟିଏ ତା’ର ମାତୃଭାଷା ବିଦ୍ୟାଳୟରୁ ଆହରଣ କରିନଥାଏ । ଏଥିପାଇଁ ଘରେ ତାକୁ ନିର୍ଦ୍ଦିଷ୍ଟ କ୍ରମାନୁସାରେ ଶିକ୍ଷାଦିଆଯାଏ ନାହିଁ । ପିଲାଟି ସ୍ୱାଭାବିକଭାବେ ଅନୌପଚାରିକ ଢଙ୍ଗରେ ମାତୃଭାଷା ଶିକ୍ଷା କରିଥାଏ । ସୁତରାଂ ସୁଯୋଗ ପାଇଲେ ପିଲାଟିଏ ବିଦ୍ୟାଳୟ ବାହାରେ କୌଣସି ପାର୍ଶ୍ଵ ପ୍ରଭାବରେ ପ୍ରଭାବିତ ହୋଇ ବିନାଖର୍ଚ୍ଚରେ ବା ସ୍ୱଳ୍ପ ଖର୍ଚ୍ଚରେ ଶୀଘ୍ର ପଢ଼ିପାରେ ଏବଂ ଭଲ ପଢ଼ିପାରେ । ବଜାରରେ ଯେଉଁ କୌଶଳର ଚାହିଦା ରହିଛି, ସେହି କୌଶଳ ଆହରଣ କରିବା ପାଇଁ ବିଦ୍ୟାଳୟ ବାହାରେ କୁଶଳୀ କାରିଗରଙ୍କର ଅଭାବ ନାହିଁ । ବରଂ କୌଶଳଟି ପ୍ରୟୋଗ କରି ଜଣେ କୁଶଳୀ କାରିଗର ଠିକ୍ ଭାବେ ଶିକ୍ଷାଦେଇ ପାରିବେ । କିନ୍ତୁ ଲାଇସେନସ୍ ପାଇଥିବା ଶିକ୍ଷକ ଓ ଶିକ୍ଷକସଂଘ ଏହାର ତୀବ୍ର ବିରୋଧ କରିବେ । ଯଦି ସମାଜରେ କାର୍ଯ୍ୟକ୍ଷେତ୍ର ସହିତ ବିଭିନ୍ନ କୌଶଳ ଶିକ୍ଷଣ କେନ୍ଦ୍ରମାନ ଖୋଲି ଯାଆନ୍ତା ଏବଂ ପିଲେ ସେଠାରୁ କୌଶଳ ଶିକ୍ଷା କରିପାରନ୍ତେ ତେବେ ଅନେକ ବେକାର ଥିବା କୁଶଳୀ କାରିଗରିଙ୍କ ପାଇଁ କର୍ମ ସଂସ୍ଥାନ କରାଯାଇ ପାରନ୍ତା । ବାସ୍ତବରେ ଏଭଳି କୁଶଳୀ ମାନବସମ୍ବଳ ଆମର ଲାଇସେନ୍‍ସ ପ୍ରାପ୍ତ ଶିକ୍ଷକମାନଙ୍କଠାରୁ ବେଶ୍ ଦକ୍ଷ, ଉଦ୍ଭାବକ ଏବଂ ବାକ୍‍ପଟୁ । କଥାହେଲା ଆମର ବ୍ୟବସ୍ଥାକୁ ଉନ୍ମୁକ୍ତ କରି ଓ ପାଠ୍ୟକ୍ରମର ବନ୍ଧନ ଭିତରୁ ବାହାରି ଠିକ୍ ଶିକ୍ଷାର୍ଥୀ ସହିତ ଠିକ୍ ଶିକ୍ଷକଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବାର ଆବଶ୍ୟକତା ରହୁଛି । ସଂପ୍ରତି ପିଲାର ଶିକ୍ଷା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥରାଶିକୁ ଶିକ୍ଷାର୍ଥୀର ଅଭିଭାବକଙ୍କୁ ଦେବା ନିମନ୍ତେ ଆଲୋଚନା ଚାଲିଛି, ଫଳରେ ଅଭିଭାବକ ତାଙ୍କ ମନ ମୁତାବକ ତାଙ୍କ ପିଲାର ପଢ଼ାପାଇଁ ଯେକୌଣସି ଅନୁଷ୍ଠାନ ମାଧ୍ୟମରେ ଖର୍ଚ୍ଚ କରିପାରିବେ ।

 

ଏଠାରେ ଯେଉଁ ବିଦ୍ୟାଳୟ ବିହୀନ ସମାଜର ପରିକଳ୍ପନା କରାଯାଇଛି, ସେଠାରେ ପିଲେ କିଛି ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ କିଛି ଦକ୍ଷତା ହାସଲ କରିବେ । କାରଣ; ସାଂପ୍ରତିକ ବିଦ୍ୟାଳୟ ବ୍ୟବସ୍ଥାରେ ଯେଉଁ ପାଠ୍ୟକ୍ରମ ପରିଚାଳନା କରାଯାଉଛି ସେଥରେ ଉଭୟ କାର୍ଯ୍ୟ ହୋଇପାରୁନାହିଁ । ବିଦ୍ୟାଳୟ କେବଳ ଚାଲିବା ପାଇଁ ହିଁ ଚାଲିଛି । ଏଠାରେ ମୁକ୍ତ ପରିବେଶ ନାହିଁ । ଆହରଣ କରୁଥିବା ଦକ୍ଷତାର ପ୍ରୟୋଗ କରିବା ପାଇଁ କୌଣସି ଅବକାଶ ନାହିଁ-। ପିଲାଟିଏ କେବଳ ବାଧ୍ୟତାବଶତଃ ଶିକ୍ଷକଙ୍କ ଗହଣରେ ତାର ମୂଲ୍ୟବାନ ସମୟ କାଟି ଚାଲିଛି-

 

ବିଦ୍ୟାଳୟ ଉଚ୍ଛେଦ କରିବାକୁ ହେଲେ ଏହାର ବିକଳ୍ପଭାବେ ଏକ ଯୋଗାଯୋଗ ବ୍ୟବସ୍ଥାର ପ୍ରଚଳନ କରିବାକୁ ହେବ ଯାହାଦ୍ୱାରା ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର ଆବଶ୍ୟକତା ପରିପୂରଣ କରିବା ପାଇଁ ସହଶିକ୍ଷାର୍ଥୀ ଓ ପରାମର୍ଶତା ଶିକ୍ଷକଙ୍କ ସହ ଅନାୟସରେ ଯୋଗାଯୋଗ କରି ଅନୌପଚାରିକ ଭାବରେ ଜୀବନ ବ୍ୟାପୀ ନିଜର ଶିକ୍ଷଣ ଆବଶ୍ୟକତାକୁ ପୂରଣ କରିପାରିବ-। ମାତ୍ର ବିଦ୍ୟାଳୟ ବିହୀନ ଶିକ୍ଷା ବ୍ୟବସ୍ଥାର ନେତୃତ୍ୱ ସେଇମାନଙ୍କୁ ନେବାକୁ ହେବ ଯେଉଁମାନେ ସେହି ମାଧ୍ୟମରେ ହିଁ ବଢ଼ିଛନ୍ତି ।

 

ବିଦ୍ୟାଳୟର କାର୍ଯ୍ୟକାରିତା

 

‘ବିଦ୍ୟାଳୟ’ ଓ ‘ଶିକ୍ଷାଦାନ’ ଭଳି ଶବ୍ଦ ଏତେ ନମନୀୟ ହୋଇଯାଇଛି ଯେ ଶବ୍ଦଦ୍ୱୟ ସେମାନଙ୍କର ଉପାଦେୟତା ହରାଇବସିଛନ୍ତି । ଶିକ୍ଷାଦାନର ବିକଳ୍ପ ଖୋଜିବାକୁ ହେଲେ ଆମକୁ ବିଦ୍ୟାଳୟର ସଂଜ୍ଞା ନିରୂପଣ କରିବାକୁ ହେବ । ବିଦ୍ୟାଳୟର କାର୍ଯ୍ୟ ଦୃଷ୍ଟିରୁ ବିଚାର କଲେ ଏଠାରେ ପିଲାମାନଙ୍କ ନିରାପତ୍ତା, ଚୟନ, ମତାରୋପଣ ଓ ଶିକ୍ଷଣ ଇତ୍ୟାଦି କଥା ମନକୁ ଆସେ । ଆଧୁନିକ ବିଦ୍ୟାଳୟ ବ୍ୟବସ୍ଥାରେ ପ୍ରଚଳିତ ଶିକ୍ଷା ମାଧ୍ୟମରେ ଏସବୁ କେତେଦୂର ସମ୍ଭବ ହେଉଛି ଜାଣିବାକୁ ହେଲେ ବିଦ୍ୟାଳୟ ବିଷୟରେ କିଛି ପ୍ରାକ୍‍ଧାରଣା କରିବାକୁ ହେବ । ଏଥିପାଇଁ ବିଦ୍ୟାଳୟ’ ଏକ ବୟସ-ଭିତ୍ତିକ, ଶିକ୍ଷକ-ସଂପର୍କିତ ପ୍ରକ୍ରିୟା ଯାହା ପାଇଁ ଏକ ବାଧ୍ୟତାମୂଳକ ପାଠ୍ୟକ୍ରମରେ ପୂର୍ଣ୍ଣକାଳୀନ ଉପସ୍ଥାନ ଆବଶ୍ୟକ ହୋଇଥାଏ । (ପୃ-୩୨)

 

ବୟସ : ବିଦ୍ୟାଳୟ ଲୋକମାନଙ୍କୁ ବୟସ ଅନୁସାରେ ଦଳରେ ବିଭକ୍ତ କରିଥାଏ । ଏହି ଦଳଗଠନ କାର୍ଯ୍ୟ ତିନୋଟି ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା– ପିଲାମାନେ ବିଦ୍ୟାଳୟ ପାଇଁ, ପିଲାମାନେ ବିଦ୍ୟାଳୟରେ ଶିଖନ୍ତି ଏବଂ ପିଲାମାନଙ୍କୁ କେବଳ ବିଦ୍ୟାଳୟରେ ହିଁ ପଢ଼ାଯାଇ ପାରିବେ । ଏହି ତିନୋଟି ଅପରୀକ୍ଷିତ ଧାରଣା ଗୁରୁତର ତର୍କ ସାପେକ୍ଷ ।

 

‘ଶୈଶବାବସ୍ଥା’ ସମ୍ପର୍କରେ ବର୍ତ୍ତମାନର ଧାରଣା ବିଶେଷ ପୁରୁଣା ନୁହେଁ । ଏହା ଶିଳ୍ପଯୁଗର ଆଗମନରେ ବହୁଳ ଉତ୍ପାଦନ ସହିତ ବିଦ୍ୟାଳୟ ଓ ‘ଶୈଶବ’ ଅବସ୍ଥା ଧାରଣାର ମଧ୍ୟ ବହୁଳ ଉତ୍ପାଦନ ହୋଇଛି । ଏପରି ଅବସ୍ଥାରେ ପିଲାମାନେ ଆତ୍ମ ସଚେତନତା ଏବଂ ଏହି ବୟସ ପାଇଁ ସମାଜ ନିର୍ଦ୍ଦିଷ୍ଟ କରିଥିବା ଭୂମିକା ମଧ୍ୟରେ ଅମାନବୀୟ ଦ୍ୱନ୍ଦ୍ୱର ଶିକାର ହୋଇଥାନ୍ତି । ଯଦି ବୟସ-ଭିତ୍ତିକ ଏବଂ ବାଧ୍ୟତାମୂଳକ ଶିକ୍ଷଣ ଅନୁଷ୍ଠାନ ନଥାନ୍ତା, ତା’ହେଲେ ଶୈଶବାବସ୍ଥା’ର ଉତ୍ପାଦନ ମଧ୍ୟ ଚାଲୁନଥାନ୍ତା । ସେମାନଙ୍କୁ ଶିଶୁ, ବୟସ୍କ ଏବଂ ଯୁବକ ଯୁବତୀଙ୍କ ଠାରୁ ଭିନ୍ନ ଭାବେ ବିଚାର କରାଯାଉ ନଥାନ୍ତା । ବିଦ୍ୟାଳୟ ସୃଷ୍ଟି ଦ୍ଵାରା ଏହି ପିଲାମାନଙ୍କୁ ସମାଜର ଅନ୍ୟ ମଣିଷଙ୍କ ଠାରୁ ବିଚ୍ଛିନ୍ନ କରି ବିଦ୍ୟାଳୟ ଶିକ୍ଷକଙ୍କର କର୍ତ୍ତୃତ୍ୱାଧୀନ କରିବାର ଚେଷ୍ଟା କରାଯାଇଛି କାରଣ ପିଲାମାନେ କେବଳ ଏଠାରେ ହିଁ ଶିକ୍ଷାଲାଭ କରିବେ ଓ ପିଲାମାନଙ୍କ ପାଇଁ ବିଦ୍ୟାଳୟ ନିତାନ୍ତ ଆବଶ୍ୟକ । ଏହି ଭ୍ରମଧାରଣା ବିଦ୍ୟାଳୟ ଦ୍ୱାରା ହିଁ ସୃଷ୍ଟି ।

 

ଶିକ୍ଷକ ଓ ଶିକ୍ଷାର୍ଥୀ: ସଂଜ୍ଞାନୁସାରେ ପିଲାମାନେ ହିଁ ଶିକ୍ଷାର୍ଥୀ । ସେମାନଙ୍କର ଆବଶ୍ୟକତା ମେଣ୍ଟାଇବା ପାଇଁ ସ୍ୱୀକୃତି ପ୍ରାପ୍ତ ଶିକ୍ଷକମାନେ ବିଦ୍ୟାଳୟ ସୃଷ୍ଟି କରିଥାଆନ୍ତି । କାରଣ ଶିକ୍ଷକଙ୍କ ଶିକ୍ଷାଦାନ ଫଳରେ ଶିକ୍ଷାର୍ଥୀ ଶିଖେ ବୋଲି ଧାରଣା ଉପରେ ବିଦ୍ୟାଳୟ ପ୍ରତିଷ୍ଠିତ । ମାତ୍ର ଆମେ ବଞ୍ଚି ରହିବା ପାଇଁ ଯାହାସବୁ ଶିଖୁ ବିଦ୍ୟାଳୟ ପରିସର ବାହାରେ ଶିଖିଥାଉ ବିନା ଶିକ୍ଷକରେ ହିଁ ଶିଖିଥାଉଁ । ଉଦାହରଣ ସ୍ୱରୂପ କଥା କହିବା, ଚିନ୍ତା କରିବା, ଭଲ ପାଇବା, ଅନୁଭବ କରିବା, ଖେଳିବା ଆଦି ଆମେ ବିନା ଶିକ୍ଷକରେ ଶିଖିଥାଉଁ । ଗରିବ ପିଲାଟିଏ ରାସ୍ତାରୁ ଯାହା ଶିଖେ, ମଧ୍ୟବିତ୍ତ ପରିବାରର ପିଲାଟିଏ ସ୍କୁଲରେ ସେହି ସବୁ ଶିଖିବା ପାଇଁ ନାମ ଲେଖାଏ । ଶିକ୍ଷା ଗବେଷଣାରୁ ଜଣାପଡ଼େ ଯେ ଶିକ୍ଷକ ଯାହାସବୁ ଶିଖାଇବାର ଅଭିନୟ କରନ୍ତି, ସେସବୁ ପିଲାଟି ସାଙ୍ଗମେଳରେ, ମଜାଳିଆ ଚିତ୍ର ଓ ଗପରେ, ବିଦ୍ୟାଳୟର ରୁଟିନ୍ କାର୍ଯ୍ୟକ୍ରମରେ ସାଧାରଣ ଭାବେ ଅଂଶଗ୍ରହଣ କରିବା ବେଳେ ଶିଖିଯାଏ । ବରଂ ଅନେକ ସମୟରେ ଶିକ୍ଷକ ଏ ପ୍ରକାର ଶିକ୍ଷଣରେ ଅନ୍ତରାୟ ସୃଷ୍ଟି କରିଥାନ୍ତି । ବୟସ୍କମାନେ ସ୍କୁଲ ଅନୁଭୂତି ଏକ ମଧୁର ଅନୁଭବ ବୋଲି ବିଚାର କରୁଥିବାବେଳେ, ପିଲା ତାଙ୍କର ଶିକ୍ଷଣର ଶ୍ରେୟ କେତେକ ଶିକ୍ଷକଙ୍କୁ ଦେଇ ନଥାନ୍ତି-। ଉଭୟ ପଢ଼ାରେ ଆଗୁଆ ବା ପଛୁଆ ରହୁଥିବା ପିଲା କୌଣସି ପ୍ରକାର ଘୋଷାଘୋଷି କରି ବା ନିଜ ବୁଦ୍ଧିବଳରେ ପଢ଼ି ପରୀକ୍ଷାରେ ପାସ୍ କରିଯାଆନ୍ତି । ଶିକ୍ଷକମାନଙ୍କ ଠାରୁ ପିଲାମାନେ କ’ଣ ଶିଖିଲେ ତାହା ବିଚାର କରାନଯାଇ ବିଦ୍ୟାଳୟ ଶିକ୍ଷକଙ୍କ ପାଇଁ ଚାକିରି ସୃଷ୍ଟି କରିଥାଏ ।

 

ପୂର୍ଣ୍ଣକାଳୀନ ଉପସ୍ଥାନ: ବିଦ୍ୟାଳୟରେ ଦାଖଲ ହେବା ଅର୍ଥ ପିଲାଟିକୁ ତାର ସମସ୍ତ ସମୟ ଓ ଶକ୍ତି ବିଦ୍ୟାଳୟ ପାଇଁ ପୂର୍ଣ୍ଣକାଳୀନ ଭାବେ ଦେବାକୁ ହୋଇଥାଏ । ଫଳରେ ଶିକ୍ଷକ ପିଲାଟି ଉପରେ ତାଙ୍କର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ଜାହିର କରିପାରନ୍ତି ।

 

ଅଭିଭାବକ, ପ୍ରଚାରକ ଓ ଚିକିତ୍ସକ ଭୂମିକାରେ ଶିକ୍ଷକ କେତେ ନିୟମକାନୁନର ଆଳ ଦେଖାଇ ଯନ୍ତ୍ରବତ୍ କିଛି ଗତାନୁଗତିକ କାର୍ଯ୍ୟ ଭିତରେ ପିଲାମାନଙ୍କୁ ବାନ୍ଧି ଦିଅନ୍ତି । ପିଲାର ଅଭିଭାବକ ବା ଗୁରୁ ବ୍ରହ୍ମାସାଜି ପିଲାମନରେ କିଛି ନୀତି ଆଦର୍ଶ ଆରୋପଣ କରିଥାଆନ୍ତି । ପିଲାର ମନୋଚିକିତ୍ସକ ସାଜି ତାର ବ୍ୟକ୍ତିଗତ ଜୀବନ ଇଲାକା ଭିତରକୁ ପଶି ତାର ବ୍ୟକ୍ତିଗତ ଜୀବନର ବିକାଶ ପାଇଁ ପ୍ରୟାସ କରନ୍ତି ।

 

ଏଭଳି ଆଧୁନିକ ବିଦ୍ୟାଳୟ ମାଧ୍ୟମରେ ଏକ ଉଦାରବାଦୀ ସମାଜ ଗଠନର ଲକ୍ଷ୍ୟ କେବଳ ଏକ ଭ୍ରମ ଅଟେ । ବରଂ ଶୈଶବର ଉପଯୁକ୍ତ ବିକାଶ ପାଇଁ ଆଧୁନିକ ବିଦ୍ୟାଳୟ ଯଥେଷ୍ଟ ବାଧାବିଘ୍ନ ସୃଷ୍ଟିକରେ । ସମାଜରେ ଥିବା ଅନ୍ୟ ବର୍ଗର ଲୋକେ ଶିକ୍ଷକଙ୍କର ଏହିସବୁ ଭୂମିକାକୁ ଶିକ୍ଷକଙ୍କଠାରୁ ଅଧିକ ଭଲଭାବରେ କରିପାରିବେ ।

 

ଶିକ୍ଷକଙ୍କର କର୍ତ୍ତୃତ୍ଵପୂର୍ଣ୍ଣ ନିୟନ୍ତ୍ରଣରେ ନୈତିକତା, ବୈଧତା ଏବଂ ବ୍ୟକ୍ତିଗତ ଯୋଗ୍ୟତା ମଧ୍ୟରେ ଥିବା ମୂଲ୍ୟଗତ ପାର୍ଥକ୍ୟ କ୍ରମଶଃ ନିଷ୍ପ୍ରଭ ହୋଇଯାଏ ଏବଂ କିଛି ସମୟପରେ ଲୋପ ପାଇଯାଏ । ଶ୍ରେଣୀରେ ବାଧ୍ୟତାମୂଳକ ଉପସ୍ଥାନ ପିଲାମାନଙ୍କୁ ବାସ୍ତବଜୀବନ ଓ ସଂସ୍କୃତିଠାରୁ ଦୂରେଇ ନିଏ ଏବଂ ଏକ ଆଦିମ ଓ ବିପଦଜନକ ପରିବେଶରେ ବାନ୍ଧିରଖେ । ବର୍ଷ ବର୍ଷ ଧରି ଏପରି ପରିବେଶରେ ରହି ପିଲାମାନେ ଶାରୀରିକଭାବେ ମଧ୍ୟ ନିର୍ଯ୍ୟାତିତ ହୋଇ ପରିଶେଷରେ ବୟସ୍କ ଅବସ୍ଥାକୁ ଠେଲି ହୋଇଯାନ୍ତି । ବାଧ୍ୟତାମୂଳକ ମାଧ୍ୟମଭାବେ ବିଦ୍ୟାଳୟ ଅନ୍ୟ ଯେକୌଣସି ଜ୍ଞାତ ବ୍ୟବସ୍ଥାଠାରୁ ଅଧିକ ଦମନମୂଳକ ଓ ଧ୍ୱଂସକାରୀ ଅନୁଷ୍ଠାନ ଅଟେ । ବିଦ୍ୟାଳୟ ବ୍ୟବସ୍ଥାକୁ ସଂସ୍କାର ନକରି ସମାଜକୁ ବିଦ୍ୟାଳୟ ମୁକ୍ତ କରିବାର ଅର୍ଥ ବୁଝିବାକୁ ହେଲେ ଆମକୁ ବିଦ୍ୟାଳୟର ଲୁକ୍‌କାୟିତ ପାଠ୍ୟକ୍ରମ ସମ୍ବନ୍ଧରେ ଜାଣିବାକୁ ହେବ । ବିଦ୍ୟାଳୟ ପ୍ରକ୍ରିୟାର ଔପଚାରିକତା ହିଁ ଏପରି ଲୁକ୍‌କାୟିତ ପାଠ୍ୟକ୍ରମ ସଂରଚନା କରିଥାଏ । ଏପରିକି ସର୍ବୋତ୍ତମ ଶିକ୍ଷକ ମଧ୍ୟ ନିଜର ଶିକ୍ଷାର୍ଥୀମାନଙ୍କୁ ଏହାଠାରୁ ସମ୍ପୂର୍ଣ୍ଣଭାବେ ରକ୍ଷା କରିପାରନ୍ତି ନାହିଁ । ଅବଶେଷରେ ଗୋଟିଏ ସମାଜ ଏହାର କେତେକ ସଦସ୍ୟଙ୍କ ବିରୁଦ୍ଧରେ ପକ୍ଷପାତ ମୂଳକ ବ୍ୟବହାର କରି କେତେକଙ୍କୁ ଅଧିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ବାଛ ବିଚାର କରିବାରେ ଏପରି ଲୁକ୍‌କାୟିତ ପାଠ୍ୟକ୍ରମ ସହାୟକ ହୋଇଥାଏ ଏବଂ ଏହା ମଧ୍ୟ ବୁଦ୍ଧି ଭିତ୍ତିକ ଏକ ଉପଭୋକ୍ତା ସମାଜ ସୃଷ୍ଟି କରିଥାଏ । (ପୃ-୩୯) ।

 

ଅଗ୍ରଗତିର ଔପଚାରିକତା

 

ଶିକ୍ଷା ସ୍ଵରୂପ ଯନ୍ତ୍ରରୁ ସମସ୍ତଙ୍କର ନିର୍ଗମନ ହୋଇଥଲେ ପର୍ଯ୍ୟାପ୍ତ ଅର୍ଥ ଶ୍ରାଦ୍ଧକରି ଲାଟିନ ଆମେରିକା ଭଳି ଗରିବ ଦେଶମାନଙ୍କର ବିଶ୍ୱବିଦ୍ୟାଳୟ ଡିଗ୍ରୀଧାରୀ ଛାତ୍ରଟିଏ ଡିଗ୍ରୀ ନଥିବା ତାର ବନ୍ଧୁମାନଙ୍କ ଭଳି, ଉତ୍ତର ଆମେରିକା ବା ଇଉରୋପରେ ପଢ଼ି ଡିଗ୍ରୀ ହାସଲ କରିଥିବା ଛାତ୍ରମାନଙ୍କ ସହ ସ୍ଵଚ୍ଛନ୍ଦରେ ମିଶିପାରେ ନାହିଁ । ବିଦ୍ୟାଳୟ, ଛାତ୍ରରୂପୀ ଗରାଖମାନଙ୍କ ଉପରେ ଲଗାଇଥିବା ମୋହରକୁ ନେଇ, ବିଶ୍ୱବିଦ୍ୟାଳୟରେ ପ୍ରବେଶାଧିକାର ମିଳେ । ଜ୍ଞାନର ଗନ୍ତାଘର ଉପରେ ବିଶ୍ୱବିଦ୍ୟାଳୟର ଏକଚାଟିଆ ଅଧିକାର ଏବଂ ସାମାଜିକ ଭୂମିକା ନିର୍ଣ୍ଣୟରେ ବିଶ୍ୱବିଦ୍ୟାଳୟର ପ୍ରମାଣ ପତ୍ରକୁ ନେଇ ଶିକ୍ଷାର୍ଥୀମାନେ ସାମାଜିକ ଜୀବନ ଆରମ୍ଭ କରନ୍ତି । ଘରେ ହେଉ ବା କାର୍ଯ୍ୟସ୍ଥଳୀରେ ହେଉ ବିଶ୍ଵବିଦ୍ୟାଳୟ ଡିଗ୍ରୀ ଖାଉଟି ପଦାର୍ଥ ଭଳି ମାନକ ନିର୍ଦ୍ଧାରଣ କରିଥାଏ ଓ ଶିକ୍ଷାର୍ଥୀମାନଙ୍କ ଉପରେ ଏକ ମୋହର ଲଗାଇଦିଏ ସାରା ବିଶ୍ୱରେ, ରାଜନୈତିକ ବ୍ୟବସ୍ଥା ନିର୍ବିଶେଷରେ, ବିଶ୍ଵବିଦ୍ୟାଳୟ ଏଭଳି ଉପଭୋକ୍ତାବାଦ ସୃଷ୍ଟି କରିଥାଏ ।

 

ମଧ୍ୟଯୁଗରେ ବିଶ୍ୱ ବିଦ୍ୟାଳୟ ଜ୍ଞାନ ଅନ୍ୱେଷଣର ଏକ ପ୍ରମୁଖ କେନ୍ଦ୍ର ଥିଲାବେଳେ, ଆଧୁନିକ ବିଶ୍ୱବିଦ୍ୟାଳୟରେ କେବଳ ଗବେଷଣା ଓ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ସୋଭିଏତର ସ୍ଫୁଟନିକ ଅଭିଯାନ ପରେ ଆମେରିକାରେ ଶିକ୍ଷାର ସ୍ୱରୂପର ପରିବର୍ତ୍ତନ ହେଲା । ଏବେ ଜର୍ମାନରେ ତାତ୍ତ୍ୱିକ ଜିଜ୍ଞାସାକୁ ବାଦ ଦିଆଯାଇ ଆମେରିକା ସହ ତାଳମିଳାଇବାର ଉଦ୍ୟମ ଋଲିଛି । ଜର୍ମାନୀ ଓ ଫ୍ରାନ୍‍ସରେ ଶିକ୍ଷା ପାଇଁ ଖର୍ଚ୍ଚ ବଢ଼ିବାରେ ଲାଗିଛି । ଏସବୁ ସତ୍ତ୍ଵେ କିଛି ଲୋକ ଔପଚାରିକ ଶିକ୍ଷାର ବିରୁଦ୍ଧାଚରଣ କରି ପ୍ରମାଣ ପତ୍ର ସର୍ବସ୍ୱ ସମାଜ ବାହାରେ ଜୀବନଚର୍ଯ୍ୟା ପାଇଁ ଆଗେଇ ଆସୁଛନ୍ତି ଓ ଡିଗ୍ରୀସବୁକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ସାଂପ୍ରତିକ ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ବ୍ୟବସ୍ଥା ମାଧ୍ୟମରେ ହସ୍ତାନ୍ତର ହେଉଥିବା ପାରମ୍ପରିକ ଉପାଖ୍ୟାନଗୁଡ଼ିକ ଏବେ ଚର୍ଚ୍ଚା ଓ ସମୀକ୍ଷାର ପରିଧି ଭିତରକୁ ଆସିଲାଣି । ତଥାକଥିତ ଉପାଖ୍ୟାନଗୁଡ଼ିକର ଆନୁଷ୍ଠାନିକ ଅଧୋଗତି ବିରୁଦ୍ଧର ସ୍ୱର ଉତ୍ତୋଳନ କରାଯାଉଛି । ଆମୂଳଚୂଳ ସାମାଜିକ ପରିବର୍ତ୍ତନ ନିମନ୍ତେ ଆନୁଷ୍ଠାନିକ ଔପଚାରିକତା ପ୍ରତି ଅନାସକ୍ତ ଭାବ ପ୍ରଦର୍ଶନ କରିବାକୁ ହେବ ଏବଂ ଆନୁଷ୍ଠାନିକ ଉପଚାର ଓ ସାମାଜିକ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ସ୍ପଷ୍ଟ କରିବାକୁ ହେବ । ବ୍ୟକ୍ତିଗତ ଶିକ୍ଷଣ ଓ ସାମାଜିକ ସମାନତା ବିଦ୍ୟାଳୟର ଆନୁଷ୍ଠାନିକ ଔପଚାରିକତା ଭିତରେ ସମ୍ଭବ ନୁହେଁ ।

 

ଔପଚାରିକ ମୂଲ୍ୟବୋଧର ମିଥ୍‍– ଅସୀମିତ ଉପଭୋକ୍ତାବାଦର ମିଥ୍‍ ବିଦ୍ୟାଳୟରୁ ଆରମ୍ଭ ହୁଏ । ଅନିର୍ବାର୍ଯ୍ୟଭାବେ ପ୍ରକ୍ରିୟା କିଛି ମୂଲ୍ୟଯୁକ୍ତ ଜିନିଷ ଉତ୍ପାଦନ କରିଥାଏ, ତେଣୁ ଉତ୍ପାଦନ ଦ୍ୱାରା ଜିନିଷ ପାଇଁ ଚାହିଦା ବୃଦ୍ଧି ପାଏ । ଏହି ଧାରଣା ଉପରେ ଆଧୁନିକ ବିଦ୍ୟାଳୟ ସମ୍ପର୍କିତ ମିଥ୍‍ ଆଧାରିତ । ବିଦ୍ୟାଳୟ ଆମକୁ ଶିଖାଇଥାଏ ଯେ ଶିକ୍ଷାଦାନ ଦ୍ଵାରା ଶିକ୍ଷଣ ସମ୍ଭବ ହୁଏ । ବିଦ୍ୟାଳୟର ଉପସ୍ଥିତି ହିଁ ବିଦ୍ୟାଳୟର ଚାହିଦା ବୃଦ୍ଧି କରିଥାଏ । (ପୃ-୪୪)

 

ବିଦ୍ୟାଳୟରେ ଶିକ୍ଷାଲାଭ ହେଉଥିବାର ବିଶ୍ୱାସ ଉପରେ ଭିତ୍ତିକରି ବିଦ୍ୟାଳୟ ଗଢ଼ା ହୁଏ । ବିଦ୍ୟାଳୟ ମାଟି ମାଡ଼ିଲେ ଶିକ୍ଷଣ ସଂଗଠିତ ହେଉଥିବାର ଧାରଣା ପାଇଁ ବିଦ୍ୟାଳୟରେ ଉପସ୍ଥାନ ଉପରେ ଗୁରୁତ୍ୱ ଦିଆଯାଏ । ବିଦ୍ୟାଳୟରେ ଯେତେ ଅଧିକ ସମୟ ପିଲାଟି ବିତାଇବ, ତା’ର ଶିକ୍ଷଣର ପରିମାଣ ସେତେ ଅଧିକ ହେବ ବୋଲି ବିଶ୍ଵାସ କରାଯାଏ । ଶିକ୍ଷଣର ପରିମାଣକୁ ଆକଳନ କରାଯାଇ ଗ୍ରେଡ୍ ଓ ପ୍ରମାଣପତ୍ର ଦିଆଯାଇପାରେ ବୋଲି ମଧ୍ୟ ଆସ୍ଥା ପ୍ରକଟ କରାଯାଏ-

 

ମାତ୍ର, ଶିକ୍ଷଣ ଭଳି ଏକ ମାନବୀୟ ପ୍ରକ୍ରିୟାରେ ଅନ୍ୟ କାହାର ସାଧନ କୌଶଳ ଲୋଡ଼ା ନାହିଁ । ଶିକ୍ଷାଦାନ ଫଳରେ ସବୁବେଳେ ଶିକ୍ଷଣ ସମ୍ଭବ ହୋଇନଥାଏ । ବରଂ ଏକ ଅର୍ଥପୂର୍ଣ୍ଣ ପରିସ୍ଥିତିରେ କାହାରି ହସ୍ତକ୍ଷେପ ବିନା କାର୍ଯ୍ୟ ସଂପାଦନ କରିବା ଫଳରେ ଶିକ୍ଷଣ ସଂଗଠିତ ହୁଏ । ଥରେ ଆପଣାର ଶିକ୍ଷଣ ପାଇଁ ବିଦ୍ୟାଳୟ ପାଖରେ ହାତ ପାତିଲେ, ବିଦ୍ୟାଳୟର ଶିକାର ହେବାକୁ ପଡ଼େ । ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟଧାରାନୁଯାୟୀ ଥରେ ନିଜର ଚିନ୍ତନକୁ ଶାଣିତ କରି ବସିଲେ, । ଚିନ୍ତନ ଆନୁଷ୍ଠାନିକ ଧାରାରେ ପଡ଼ିଯାଏ ଓ ଚିନ୍ତନର ପ୍ରବାହ ବାନ୍ଧି ହୋଇଯାଏ । ଫଳରେ ଚିନ୍ତନ, ମନନ ପାଇଁ ସବୁବେଳେ ଶିକ୍ଷକଙ୍କର ଆବଶ୍ୟକତା ପଡ଼େ ଓ ଶିକ୍ଷାର୍ଥୀଙ୍କ ଚେତନାରେ ଶିକ୍ଷକଙ୍କର ଭାଷା ସଞ୍ଚରିତ ହୋଇଥାଏ ।

 

ମୂଲ୍ୟବୋଧର ଆକଳନ ମିଥ୍‍: ବିଦ୍ୟାଳୟରେ ଏହା ମାଧ୍ୟମରେ ଆରୋପିତ ମୂଲ୍ୟବୋଧର ମୂଲ୍ୟାଙ୍କନ କରିବା ପାଇଁ ପ୍ରୟାସ କରାଯାଏ । ମାତ୍ର ବ୍ୟକ୍ତିଗତ ବିକାଶ ଓ କଳ୍ପନା ଶକ୍ତିର ବିକାଶ ଆଦିର ପରିମାପ ସମ୍ଭବ ନୁହେଁ, ଏଥିପାଇଁ ନିର୍ଦ୍ଦିଷ୍ଟ ମାନକ ଓ ସୂଚକ ନାହିଁ ଏବଂ ଏହି ବିକାଶ ମଧ୍ୟ ତୁଳନୀୟ ନୁହେଁ । ବିଦ୍ୟାଳୟ ଶିକ୍ଷଣ ଉପଲବ୍ଧିକୁ ବିଷୟ ଭିତ୍ତିରେ ଭାଗ ଭାଗ କରି ମାପ କରିବା ମଧ୍ୟ ଅପ୍ରାକୃତିକ । ଥରେ ଶିକ୍ଷାର୍ଥୀମାନେ ପରିମାପ ସଂପର୍କିତ ଔପଚାରିକତାକୁ ମାନିଗଲେ, ତାଙ୍କୁ ମିଳୁଥିବା ଗ୍ରେଡ୍ ବା ରାଙ୍କ୍‍କୁ ବିନା ଦ୍ୱିଧାରେ ଗ୍ରହଣ କରି ନିଅନ୍ତି । କେବଳ ଏକ ବିଦ୍ୟାଳୟ ସର୍ବସ୍ୱ ଦୁନିଆଁରେ, ଉପଭୋକ୍ତା ସୂଚକ ମାନକ ମାଧ୍ୟମରେ ସୁଖ ସମୃଦ୍ଧି ପ୍ରାପ୍ତିର ପରିମାଣ ହିଁ କରାଯାଇପାରେ ।

 

ମୂଲ୍ୟବୋଧ ପ୍ୟାକେଜ୍ ମିଥ୍‍: ବିଦ୍ୟାଳୟରେ ପାଠ୍ୟକ୍ରମ ପରିଚାଳନା ବ୍ୟାବସାୟିକ ରୀତିରେ ଚାଲେ । ଏଠାରେ ଶିକ୍ଷକ ବିତରକ ଓ ଶିକ୍ଷାର୍ଥୀ ଗ୍ରାହକ । ପାଠ୍ୟକ୍ରମ ହେଉଛି ବ୍ୟବସାୟିକ ସାମଗ୍ରୀ ଯେଉଁଥିରେ ସକଳ ମୂଲ୍ୟବୋଧର ସମାହାର ହୋଇଥାଏ । ପାଠ୍ୟକ୍ରମରେ ଶିକ୍ଷଣ ଉପଚାରର ମୂଲ୍ୟ ବଢ଼ିଲେ, ପାଠ୍ୟକ୍ରମ ପରିଚାଳନା ପାଇଁ ବ୍ୟୟଭାର ଅଧିକ ହେବ । ଶିକ୍ଷାର୍ଥୀ ପାଠ୍ୟକ୍ରମ ସଂରଚନାରେ କେତେବେଳେ, କ’ଣ ଶିଖିବ ତାହା ବିଦ୍ୟାଳୟ ନିର୍ଦ୍ଦେଶିତ ବା ନିର୍ଦ୍ଧାରିତ ହୋଇଥାଏ । ଗ୍ରାହକ-ଶିକ୍ଷାର୍ଥୀମାନେ ସେମାନଙ୍କ ଇଚ୍ଛାଶକ୍ତିକୁ ବଜାରଦର ହିସାବରେ ନିୟନ୍ତ୍ରଣ କରି ପାଠ୍ୟକ୍ରମ ପ୍ୟାକେଜ୍‌ରୁ ମୂଲ୍ୟବୋଧ ଆହରଣ କରନ୍ତି ।

 

ପ୍ରଗତିର ସ୍ୱ-ସ୍ଥାୟୀକରଣ ମିଥ୍‍: ଶିକ୍ଷଣ ଉପଲବ୍ଧି ସ୍ତର ହ୍ରାସ ହେବା ସଙ୍ଗେ ସଙ୍ଗେ ମୁଣ୍ଡପିଛା ବିଦ୍ୟାଳୟ ବ୍ୟୟ ବଢ଼ିବାରେ ଲାଗିଛି । ବ୍ୟୟ ନିର୍ବିଶେଷରେ ବିଦ୍ୟାଳୟ ଯେ ଶିକ୍ଷାର୍ଥୀମାନଙ୍କୁ ଏକ ପ୍ରତିଯୋଗିତାର ସ୍ତର ପର୍ଯ୍ୟନ୍ତ ଉଠାଇ ଆଣିପାରୁଛି ଏହି ଧାରଣା ଭିତରେ ଶିକ୍ଷାର୍ଥୀମାନେ ଖୁସି ହେଉଛନ୍ତି । ବିଦ୍ୟାଳୟ ତିଷ୍ଠି ରହିଛି ଓ ଏହାର ସଂଖ୍ୟା ବଢ଼ି ଚାଲିଛି । କିଛି ନହେଲେ ବି ଶିକ୍ଷାର୍ଥୀମାନେ ଆମେରିକୀୟ ଢଙ୍ଗରେ ଜୀବନଯାପନ କରିବାର ଶୈଳୀ ଆହରଣ କରୁଛନ୍ତି । ନୂଆ ପାଠ୍ୟକ୍ରମ ନାଁରେ ବିଦ୍ୟାଳୟ କାର୍ଯ୍ୟକ୍ରମର ନବୀକରଣ ହୋଇଚାଲିଛି । ମାତ୍ର ଶିକ୍ଷାର୍ଥୀମାନଙ୍କ ମନରେ କିଛି ଜାଣିବାର ଆନନ୍ଦ ନାହିଁ ବା ଆତ୍ମସନ୍ତୋଷ ନାହିଁ । ଶିକ୍ଷା ସଂସ୍କାରକମାନେ ପ୍ରତିଥର ନୂଆ ଓ ସର୍ବଶେଷ ତଥ୍ୟ ଉପରେ ପର୍ଯ୍ୟବସିତ ସର୍ବୋକୃଷ୍ଟ ପାଠ୍ୟକ୍ରମ ପ୍ରଣୟନ କରାଗଲା ବୋଲି ଘୋଷଣା କରିଚାଲିଛନ୍ତି । କିନ୍ତୁ ବିଦ୍ୟାଳୟ ତ୍ୟାଗୀ ଓ ଡିଗ୍ରୀଧାରୀମାନେ ଉଭୟ ଏଭଳି କ୍ରମବର୍ଦ୍ଧିଷ୍ଣୁ ପ୍ରତାରଣାର ଶିକାର ହୋଇଥାନ୍ତି ଏବଂ ଏଭଳି ଏକ ସମାଜକୁ ସମର୍ଥନ କରିବା ଜାରି ରଖିଥାନ୍ତି ଯେଉଁଠାରେ ପ୍ରସାରିତ ହତାଶାକୁ ‘ପ୍ରତ୍ୟାଶା ଜାଗରଣର ବିପ୍ଳବ’ ବୋଲି ଆଖ୍ୟାୟିତ କରାଯାଏ । ଅସୀମିତ ପରିମାଣାତ୍ମକ ବିକାଶ ପାଇଁ ପ୍ରତିବଦ୍ଧତା ଆଙ୍ଗିକ ବିକାଶ ସମ୍ଭାବନାର ଅବକ୍ଷୟ ଘଟାଇଥାଏ ।

 

ଉପଚାରର ଖେଳ ଓ ନୂତନ ବିଶ୍ଵଧର୍ମ : ଉନ୍ନତ ଦେଶମାନଙ୍କରେ ମଣିଷର ବଞ୍ଚିବାର ବୟସ ବଢ଼ିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ତ୍ୟାଗର ବୟସ ସୀମା ଏପରି ବଢ଼ି ବଢ଼ି ଚାଲିଛି ଯେ ଏହାକୁ ନେଇ ଦୁଇଟି ରେଖାଚିତ୍ର ଅଙ୍କନ କରାଗଲେ ଦୁଇଟି ଯାକ ରେଖା ପରସ୍ପରକୁ ନିକଟ ଭବିଷ୍ୟତରେ ଛେଦ କରିବେ । କେଉଁ ପର୍ଯ୍ୟାୟର ଶିକ୍ଷାକୁ ଅନ୍ତିମ ବୋଲି ବିବେଚନା କରାଯିବ ତାହା ତର୍କ ସାପେକ୍ଷ । ଅସୀମ ଉପଭୋକ୍ତାବାଦର ମିଥ୍‍ ଶାଶ୍ୱତ ଜୀବନ ବିଶ୍ୱାସକୁ ଦୃଢ଼ କରୁଛି । ବିଦ୍ୟାଳୟ ଚତୁରତାର ସହ ସାମାଜିକ ନୀତି ଓ ସାମାଜିକ ବାସ୍ତବତା ଭିତରେ ଥିବା ବ୍ୟବଧାନକୁ ଘୋଡ଼ାଇ ରଖିଛି । ବିଦ୍ୟାଳୟ ଦ୍ଵାର ସବୁବେଳେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ । ଯିଏ ଅକୃତକାର୍ଯ୍ୟ ହେଲା ତା’ ପାଇଁ ଯେମିତି ସ୍ଥାନ ଅଛି, ଯିଏ କୃତକାର୍ଯ୍ୟ ହେଲା ତା ପାଇଁ ବି ସେମିତି ସ୍ଥାନ ଅଛି । ବିଦ୍ୟାଳୟରେ ପ୍ରଚଳିତ ଶ୍ରେଣୀ ଉନ୍ନତି ବ୍ୟବସ୍ଥା ଫଳରେ ଏହା ପ୍ରଭାବଶାଳୀ ସାମାଜିକ ମିଥ୍‍ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରଚଳିତ ସାମାଜିକ ମିଥ୍‍କୁ ରକ୍ଷା କରିପାରୁଛି । କ’ଣ ପଢ଼ାହେଲା ଓ କିପରି ପଢ଼ାଗଲା ଉପରେ ଗୁରୁତ୍ୱ ଦିଆନଯାଇ ଏଠାରେ ଉପଚାରର ଜୁଆଖେଳ ଚାଲିଛି । ଏ ଖେଳ ସମସ୍ତଙ୍କୁ ପ୍ରଭାବିତ କରିସାରିଛି । ବିଦ୍ୟାଳୟର ଜୁଆଖେଳରେ ଯିଏ ତିଷ୍ଠି ନପାରୁଛି, ସେ ସେଠାକାର ସମ୍ବଳକୁ ବିନିଯୋଗ କରିପାରିଲାନି ବୋଲି କୁହାଯାଉଛି ।

 

ବିଦ୍ୟାଳୟରେ ନାମ ଲେଖାଇଲା ବେଳଠାରୁ, ଏକ ଅସମତଳ ପୃଷ୍ଠ ଭୂମିରୁ ଆସି ଏକ ପ୍ରକାର ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଫାଇଦା ହାସଲ କରି ପାରି ନଥିବା ଶିକ୍ଷାର୍ଥୀର ତୁଳନା ଆନ୍ତର୍ଦେଶୀୟ ମାନକ ସହିତ କରାଯାଉଛି । ଫଳରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷାଗତ ଦୁର୍ବଳତା ବଢ଼ୁଛି ଏବଂ ସେମାନେ ନିଜର ଅସଫଳତା ପାଇଁ ନିଜକୁ ଦାୟୀ କରୁଛନ୍ତି । ସେମାନେ ଧରି ନେଉଛନ୍ତି ଯେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।

 

ଆଗାମୀ ସାମ୍ରାଜ୍ୟ : ଅଭିପ୍‍ସାର ସାର୍ବଜନୀନୀକରଣ: ବିଦ୍ୟାଳୟ ନିଜସ୍ୱ ଔପଚାରିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ଗ୍ରାହକଙ୍କ ଆଶା ଆକାଂକ୍ଷା ପୂରଣ କରିପାରିବ ବୋଲି ପ୍ରତିଶ୍ରୁତି ଦେଇ ଚାଲିଛି । ବିଦ୍ୟାଳୟର ଏହି ପ୍ରଚାର ଶିକ୍ଷାର୍ଥୀମାନଙ୍କର ବିକାଶଧାରାକୁ ନିନ୍ଦନୀୟ ଭାବରେ ଶିକ୍ଷକ–ନିର୍ଭରଶୀଳ କରି ଦେଉଛି । ବିଦ୍ୟାଳୟ ଅବହେଳିତ ବର୍ଗ ସମେତ ସମସ୍ତଙ୍କୁ ଯେଉଁ ରାଜ୍ୟ ଦେବାର ପ୍ରଚାର କରୁଛି, ଏହା କୌଣସି ମହାପୁରୁଷଙ୍କ ପ୍ରଚାର ନୁହେଁ । ବିଦ୍ୟାଳୟର ସାର୍ବଜନୀନ ବ୍ୟକ୍ତି ନିରପେକ୍ଷ କାର୍ଯ୍ୟକ୍ରମ ସଫଳ ହେବା ସମ୍ଭବ ନୁହେଁ । ବର୍ତ୍ତମାନ ମଣିଷ ନିଜ ଭାଗ୍ୟର ନିୟନ୍ତ୍ରକ ନିଜେ ବୋଲି ବିଶ୍ୱାସ କଲାଣି ଏବଂ ବିଜ୍ଞାନର ସୀମାହୀନ ଜୟଯାତ୍ରାରୁ ଫାଇଦା ଉଠାଇବାର ପ୍ରୟାସ ଆରମ୍ଭ କରିଛି ।

 

ନୂତନ ନିଃସଙ୍ଗତା: ସଂପ୍ରତି ବିଦ୍ୟାଳୟ ବିଶ୍ଵରେ, କେବଳ ଏକ ଧର୍ମଭାବରେ ଆବିର୍ଭୂତ ହୋଇଛି ତାହା ନୁହେଁ, ଏହା ପୃଥିବୀରେ ସବୁଠାରୁ ଦ୍ରୁତ ବର୍ଦ୍ଧିଷ୍ଣୁ ଶ୍ରମ ବଜାର ହୋଇଛି । ଶୃଙ୍ଖଳିତ ଉପଭୋକ୍ତାବାଦକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ ଏକ ପ୍ରତିଷ୍ଠାନ ଭାବରେ ମାନ୍ୟତା ହାସଲ କରିଛି । ସୁରକ୍ଷା ମନ୍ତ୍ରଣାଳୟ ପାଇଁ ହେଉଥିବା ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ ବିଦ୍ୟାଳୟ ପାଇଁ ହେଉଛି । ମାତ୍ର ଏହାର ବିଧ୍ୱଂସାତ୍ମକ ପରିଣତି ଚିହ୍ନଟ ହେବା ଯାଏ ଏଠାରେ ଅର୍ଥ ଅପଚୟ ପାଇଁ ଅସୀମ ସୁଯୋଗ ରହିଛି । ଏସବୁ ସତ୍ତ୍ୱେ ବିଦ୍ୟାଳୟ ଶିଳ୍ପ ବଢ଼ି ଗଲିଛି ।

 

ଅନ୍ୟମାନଙ୍କ ଠାରୁ ବିଚ୍ଛିନ୍ନତାବୋଧ ପାରମ୍ପରିକ ବ୍ୟବସ୍ଥାରେ କର୍ମ ମଜୁରୀ ଭିତ୍ତିକ ଶ୍ରମରେ ପରିଣତ ହେବାର ସିଧାସଳଖ ପରିଣତି । ଏହାଦ୍ୱାରା ମଣିଷକୁ ସୃଷ୍ଟି କରିବା ଓ ପୁନଃ ସୃଷ୍ଟି ହେବାର ସୁଯୋଗରୁ ବଞ୍ଚିତ କରିଛି । ବର୍ତ୍ତମାନ ଯୁବ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଦ୍ୱାରା ଏପରି ବିଚ୍ଛିନ୍ନତାବୋଧର ଶିକାର ହୋଇ ଅନ୍ୟମାନଙ୍କଠାରୁ ଅଲଗା ହୋଇଯାଉଛନ୍ତି, ଯେତେବେଳେ ସେମାନେ ନିଜକୁ ନିଜ ଜ୍ଞାନର ଉଭୟ ସ୍ରଷ୍ଟା ଓ ଉପଭୋକ୍ତାଭାବେ ଛଳନା କରୁଛନ୍ତି । ଏହି ଜ୍ଞାନକୁ ବିଦ୍ୟାଳୟ ବଜାରରେ ପଣ୍ୟ ଦ୍ରବ୍ୟ ଭାବେ ରଖାଯାଉଛି । ଜୀବନର ପ୍ରସ୍ତୁତି ପାଇଁ ନିଃସଙ୍ଗତା ଆବଶ୍ୟକ ବୋଲି ବିଦ୍ୟାଳୟ ବିଚାର କରେ, ଏହାଦ୍ୱାରା ଶିକ୍ଷା ବାସ୍ତବତା ଓ ସୃଜନାତ୍ମକ କାର୍ଯ୍ୟରୁ ବଞ୍ଚିତ ହେଉଛି । ବିଦ୍ୟାଳୟ ପଢ଼ାଇବାର ଆବଶ୍ୟକତା ଅନିର୍ବାଯ୍ୟ ବୋଲି ଶିକ୍ଷାଦାନ କରି ଜୀବନର ନିଃସଙ୍ଗ ଆନୁଷ୍ଠାନିକତା ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରିଥାଏ । ଥରେ ଏହି ପାଠ ଶିଖିଗଲାପରେ ଶିକ୍ଷାର୍ଥୀମାନେ ନିଜର ସ୍ୱାଧୀନତା ହରାଇ ବସନ୍ତି ଏବଂ ସାରା ଜୀବନ ପାଇଁ ବିଦ୍ୟାଳୟ କିମ୍ବା ସେହିପରି ଅନୁଷ୍ଠାନର ବଶମ୍ବଦ ହୋଇ ରହିବା ବିଦ୍ୟାଳୟ ନିଶ୍ଚିତ କରିଥାଏ ।

 

ନୂତନ ବିଶ୍ଵ ଚର୍ଚ୍ଚ ଜ୍ଞାନର ଶିଳ୍ପ ଭାବରେ କାର୍ଯ୍ୟ କରିଥାଏ ଏବଂ ଜଣେ ବ୍ୟକ୍ତିର ଜୀବନର ବହୁବର୍ଷ ଧରି ତାକୁ ଏହି ଶିଳ୍ପର କର୍ମଶାଳାରେ ଆବଦ୍ଧ କରି ରଖିଥାଏ । ସେଥିପାଇଁ ବିଦ୍ୟାଳୟରୁ ମୁକ୍ତକରଣ ମଣିଷର ମୁକ୍ତି ପାଇଁ ଯେକୌଣସି ବିପ୍ଳବର ମୂଳମନ୍ତ୍ର ହେବ । (ପୃ-୫୨)

 

ବିଦ୍ୟାଳୟ ମୁକ୍ତକରଣର ବୈପ୍ଳବିକ ସାମର୍ଥ : ମଣିଷର ବାସ୍ତବତାର ଦୃଷ୍ଟିଭଙ୍ଗୀକୁ ସାକାର କରିବାରେ ବିଦ୍ୟାଳୟ ଏକମାତ୍ର ଆଧୁନିକ ଅନୁଷ୍ଠାନ ନୁହେଁ । ପରିବାର ଓ ଗଣମାଧ୍ୟମ ଭଳି ପ୍ରତିଷ୍ଠାନ ଅନେକାଂଶରେ ସେମାନଙ୍କର ଲୁକ୍କାୟିତ ପାଠ୍ୟକ୍ରମର ମଣିଷର ଦୃଷ୍ଟିଭଙ୍ଗୀ, ଚାହିଦା ଓ ଭାଷାକୁ ପ୍ରଭାବିତ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ମାତ୍ର ବିଦ୍ୟାଳୟ ଆମର ଚିନ୍ତା, ଚେତନାକୁ ଏଭଳି ବାନ୍ଧି ଦିଏ ଯେ, ତାହା କବଳରୁ ମୁକ୍ତ ହେବା କଷ୍ଟକର । ତଥାପି କେହି କେହି କ୍ରାନ୍ତିକାରୀ ବିଦ୍ୟାଳୟର ଶିକାର ହୋଇ ମଧ୍ୟ ଆବିଷ୍କାର କରନ୍ତି ଯେ କୌଣସି ଯୋଜନା କରି ବା କାହା ହସ୍ତକ୍ଷେପରେ ଶିକ୍ଷଣ ହୁଏ ନାହିଁ । ବାସ୍ତବରେ, ଆମ ପ୍ରତ୍ୟେକଙ୍କର ବ୍ୟକ୍ତିଗତଭାବେ ବିଦ୍ୟାଳୟ କର୍ତ୍ତୃତ୍ୱରୁ ମୁକ୍ତ ହେବାର ଦାୟିତ୍ୱ ଅଛି ଏବଂ ସେଥିପାଇଁ କେବଳ ଆମର କ୍ଷମତା ଅଛି । ଯିଏ ବିଦ୍ୟାଳୟ କବଳରୁ ମୁକ୍ତ ନହୋଇ ପାରିବ ସେ କ୍ଷମାର ପାତ୍ର ନୁହେଁ । ଯେତେବେଳେ ଆମେ ସମସ୍ତେ ସଚେତନ ହେବା ଯେ ବିଦ୍ୟାଳୟ ଶୋଷକ ଏବଂ ଆମେ ସବୁ ଶୋଷିତ, ସେତେବେଳେ ଏଥିରୁ ଏକ ମୁକ୍ତି ଆନ୍ଦୋଳନ ଆରମ୍ଭ ହେବ ।

 

ବିଦ୍ୟାଳୟ ଏକ ସାମାଜିକ ସମସ୍ୟାରେ, ପରିଣତ ହେଲାଣି । ବର୍ତ୍ତମାନ ଚତୁଃପାର୍ଶ୍ୱରୁ ବିଦ୍ୟାଳୟ ଉପରେ ଆକ୍ରମଣ ଆରମ୍ଭ ହେଲାଣି ଏବଂ ଶିକ୍ଷାକ୍ଷେତ୍ରରେ ବିଭିନ୍ନ ଅଣପାରମ୍ପରିକ ପରୀକ୍ଷା ନିରୀକ୍ଷା ଚାଲିଲାଣି । ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀମାନେ ନିଜ ପାଇଁ ଶିକ୍ଷକ ଚୟନ କରିବାକୁ ଦାବି କଲେଣି । ଜ୍ଞାନକୁ ପଣ୍ୟଦ୍ରବ୍ୟ ମନେ କରି ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଇ ପାରିବ ବୋଲି ପ୍ରାକ୍ ଧାରଣାକୁ ଖଣ୍ଡନ କରାଗଲେ ପ୍ରମାଣ ପତ୍ର ପାଇଁ ଚାଲିଥିବା ଗଣଦୌଡ଼ ବନ୍ଦ ହୋଇଯିବ ଓ ଶିକ୍ଷକମାନେ ଆପଣାଛାଏଁ ଭଲ ପଢ଼ାଇବାକୁ ଉଦ୍ୟମ କରିବେ ଏବଂ ଶିକ୍ଷାର୍ଥୀମାନଙ୍କ ଉପରେ ଶିକ୍ଷକଙ୍କ ଚାପ ରହିବ ନାହିଁ । ବ୍ୟକ୍ତିଗତ ଭାବରେ ସମସ୍ତେ ଯେତେବେଳେ ବିଦ୍ୟାଳୟ ଔପଚାରିକତା କିପରି ସେମାନଙ୍କ ଚେତନାକୁ ପ୍ରସାରିତ କରିବା ପରିବର୍ତ୍ତେ ପ୍ରତିହତ କରିଛି ବୋଲି ଅନୁଭବ କରିବେ ସେତେବେଳେ ଯାଇଁ ଏକ ଯୁଗାନ୍ତର ସୃଷ୍ଟି ହେବ ।

 

ଆନୁଷ୍ଠାନିକ ବର୍ଣ୍ଣାଳୀ

 

ଆମର ଇପ୍‍ସିତ ଭବିଷ୍ୟତ ପାଇଁ ଆମକୁ ଉପଭୋକ୍ତା ଜୀବନ ପରିହାର କରି କର୍ମମୟ ଜୀବନକୁ ଇଚ୍ଛାକୃତ ଭାବେ ବାଛିବାକୁ ହେବ । ଏପ୍ରକାର ଜୀବନଶୈଳୀ ଗ୍ରହଣ କରିନେଲେ ଏହା ଆମକୁ ସ୍ୱତଃ ସ୍ଫୁର୍ତ୍ତ ଓ ସ୍ଵାଧୀନ ହେବା ସଙ୍ଗେ ସଙ୍ଗେ ପାରସ୍ପରିକ ଯୋଗସୂତ୍ର ରକ୍ଷା କରିବାରେ ସହାୟକ ହେବ । ନୂତନ ଆଦର୍ଶ ଓ ନୂତନ କାରିଗରୀ କୌଶଳ ବିକାଶ କରିବା ଅପେକ୍ଷା ଏକ କର୍ମମୟ ଜୀବନକୁ ସହାୟତା କରିବା ପାଇଁ ଉପଯୁକ୍ତ ଅନୁଷ୍ଠାନ ଚୟନ କରିବା ଉପର ଆମର ଭବିଷ୍ୟତ ନିର୍ଭର କରିଥାଏ । ଏ ପ୍ରକାର ଅନୁଷ୍ଠାନ ବାଛିବା ଯେଉଁଥିରେ ବ୍ୟକ୍ତିଗତ ବିକାଶ ପାଇଁ ପ୍ରୋତ୍ସାହନ ଓ ଇଚ୍ଛାମତେ କାରିଗରୀ କୌଶଳ-ଭିତ୍ତିକ ସମ୍ବଳ ବ୍ୟବହାର କରିବାର ସୁଯୋଗ ଥିବ । ଏହିସବୁ ଅନୁଷ୍ଠାନରେ କେହି ହସ୍ତକ୍ଷେପ କରୁନଥିବେ ମାତ୍ର ଆବଶ୍ୟକ ଅନୁଯାୟୀ ବନ୍ଧୁତା ସୂତ୍ରରେ ସମସ୍ତ ସହଯୋଗ ଓ ସମ୍ବଳ ଉପଲବ୍ଧ ହେଉଥିବ । ଅନୁଷ୍ଠାନଗୁଡ଼ିକୁ ଚୟନ କରିବାର ସ୍ୱାଧୀନତା ଶିକ୍ଷାର୍ଥୀଙ୍କର ରହିବ ଏବଂ ଅନାସକ୍ତ ଭାବେ ଅନୁଷ୍ଠାନ ସହ ବାନ୍ଧି ନହୋଇ ନିଜର କାର୍ଯ୍ୟସାଧନ କରି ହେଉଥିବ ।

 

ଆମକୁ ଦୁଇ ପ୍ରକାରର ସଂପୂର୍ଣ୍ଣ ବିପରୀତ ଧର୍ମୀ ଅନୁଷ୍ଠାନମାନଙ୍କ ମଧ୍ୟରୁ ଗୋଟିଏ ପ୍ରକାରକୁ ବାଛିବାକୁ ହେବ । ବର୍ତ୍ତମାନ ଏହି ଉଭୟ ପ୍ରକାରର ଅନୁଷ୍ଠାନର ଉଦାହରଣ ଆମ ସମାଜରେ ଯଥେଷ୍ଟ ଅଛି । ବର୍ତ୍ତମାନର ସବୁଠାରୁ ପ୍ରଭାବଶାଳୀ ଅନୁଷ୍ଠାନଗୁଡ଼ିକୁ ଚତୁର ବା ଧୁରନ୍ଧର ପ୍ରକାରର କୁହାଯାଇପାରେ । ସମାଜର ଅଧିକାଂଶ ଅନୁଷ୍ଠାନ ଏହି ପ୍ରକାରର ଯେଉଁଠାରେ ବ୍ୟକ୍ତି ଓ ତା’ର ଆବଶ୍ୟକତା, ସୁଯୋଗ ଆଦିକୁ ଗୌଣ ମନେ କରାଯାଇଥାଏ । ସୈନ୍ୟ ଛାଉଣୀ, ପୋଲିସ, କୋର୍ଟ, ସରକାରୀ ଅଫିସ, ମାନସିକ ରୋଗୀମାନଙ୍କ ପାଇଁ ଚିକିତ୍ସାଳୟ ଆଦି ଏହି ଧରଣର ଅନୁଷ୍ଠାନ । ଆନୁଷ୍ଠାନିକ ବର୍ଣ୍ଣାଳୀର ବାମ ପାର୍ଶ୍ଵରେ ଏବଂ ପୂର୍ବୋକ୍ତ ପ୍ରକାରର ଅନୁଷ୍ଠାନମାନଙ୍କର ଠିକ୍ ବିପରୀତ ପ୍ରକାରର ଅନୁଷ୍ଠାନ ଗୁଡ଼ିକ ଆଦୌ ଆଖିଦୃଶିଆ ନୁହନ୍ତି କିମ୍ବା ପ୍ରାଧାନ୍ୟ ବିସ୍ତାର କରନ୍ତି ନାହିଁ । ଯେପରି ଟେଲିଫୋନ ସେବା, ସାଧାରଣ ବଜାର, ପାନୀୟଜଳ ଯୋଗାଣ ସଂସ୍ଥା, ପରିମଳ ବ୍ୟବସ୍ଥା, ପାର୍କ ଇତ୍ୟାଦି । ଏପରି ଅନୁଷ୍ଠାନ ଗୁଡ଼ିକୁ ‘ଜୀବନପ୍ରିୟ’ ଅନୁଷ୍ଠାନ କୁହାଯାଇପାରେ ଓ ଏଗୁଡ଼ିକ ହିଁ ଇପ୍‍ସିତ ଭବିଷ୍ୟତ ପାଇଁ ଆଦର୍ଶ ଅନୁଷ୍ଠାନ ହେବେ ।

 

ଆନୁଷ୍ଠାନିକ ବର୍ଣ୍ଣାଳୀର ବାମ ପ୍ରାନ୍ତରେ ‘ଜୀବନପ୍ରିୟ’ ଅନୁଷ୍ଠାନ ମାନ ରଖି ଦକ୍ଷିଣ ପ୍ରାନ୍ତରେ ‘ଧୁରନ୍ଧର’ ଅନୁଷ୍ଠାନିକ ଗୁଡ଼ିକ ରଖାଯାଇ ମଧ୍ୟଭାଗରେ ଅନ୍ୟ ସବୁ ସାମାଜିକ ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଅନୁସାରେ ଉପଯୁକ୍ତ ସ୍ଥାନରେ ସ୍ଥାନିତ କରାଯାଇପାରେ । ଯେକୌଣସି ଅନୁଷ୍ଠାନ ନିଜର ଇଚ୍ଛାନୁସାରେ ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାର ଆବଶ୍ୟକ ପରିବର୍ତ୍ତନ ଆଣି ବର୍ଣ୍ଣାଳୀରେ ନିଜର ସ୍ଥାନ ପରିବର୍ତ୍ତନ କରିପାରନ୍ତି । ବର୍ଣ୍ଣାଳୀର ଉଭୟ ପ୍ରାନ୍ତରେ ସେବା ଅନୁଷ୍ଠାନ ମାନ ରହିପାରନ୍ତି । ଦକ୍ଷିଣ ପାର୍ଶ୍ଵସ୍ଥ ଅନୁଷ୍ଠାନ ମାନ ଅତ୍ୟନ୍ତ ଜଟିଳ ଏବଂ ଅତ୍ୟନ୍ତ ଅର୍ଥଭିତ୍ତିକ ଉତ୍ପାଦନ ପ୍ରକ୍ରିୟା ସହିତ ଜଡ଼ିତ ଏବଂ ଉପଭୋକ୍ତାମାନଙ୍କୁ ଏମାନେ ବାରମ୍ବାର ବୁଝାଇଥାନ୍ତି ଯେ ସେମାନଙ୍କର ଉତ୍ପାଦିତ ପଦାର୍ଥ ଏବଂ ସେବା ବ୍ୟତିରେକେ ଉପଭୋକ୍ତାମାନେ ବଞ୍ଚି ରହିପାରିବେ ନାହିଁ । ବାମ ପାର୍ଶ୍ଵସ୍ଥ ଅନୁଷ୍ଠାନ ମାନ ବାସ୍ତବରେ ଗୋଟିଏ ଗୋଟିଏ ଜାଲକ(Network) ସଂସ୍ଥା ଯାହା ଗ୍ରାହକଙ୍କର ଯୋଗାଯୋଗ ଓ ସହଯୋଗର ସହାୟକ ହୋଇଥାନ୍ତି ଓ ଏଗୁଡ଼ିକ ସ୍ୱତଃସ୍ଫୂର୍ତ୍ତଭାବେ ସକ୍ରିୟ ହୋଇଥାନ୍ତି । ହୋଟେଲ ଏବଂ କାଫିଟେରିଆ ଗୁଡ଼ିକ ବର୍ଣ୍ଣାଳୀର ପ୍ରାୟ କେନ୍ଦ୍ରଭାଗରେ ରହିପାରନ୍ତି ।

 

ମିଥ୍ୟ ସାଧାରଣ ଉପଯୋଗୀ ସଂସ୍ଥା : ଟେଲିଫୋନ, ଡାକସେବା, ରାଜପଥ ଆଦି ଗୋଟିଏ ଗୋଟିଏ ଜାଲିକ ସଂସ୍ଥା ଏବଂ ସେମାନଙ୍କ ମଧ୍ୟରୁ କେଉଁଟି ମାଗଣାରେ ମିଳେ ନାହିଁ । ଟେଲିଫୋନରେ ପ୍ରତ୍ୟେକ କଲ୍ ପାଇଁ ସମୟଭିତ୍ତିକ ଦାମ ଦେବାକୁ ପଡ଼େ ଓ ଯାହାଙ୍କୁ ଫୋନରେ କଥାବାର୍ତ୍ତା କରାଯାଏ ତାଙ୍କ ଭାଷା ସହ ପରିଚିତ ବ୍ୟକ୍ତି ଟେଲିଫୋନ ବ୍ୟବହାର କରିଥାନ୍ତି । ଡାକ ବ୍ୟବସ୍ଥା ସାଧାରଣତଃ ଶସ୍ତା । କେବଳ କାଗଜ ଓ କଲମର ବ୍ୟବହାର ଏବଂ ଲେଖିବାର କିଛି ଦକ୍ଷତା ଥିଲେ ଡାକ ସେବାର ବ୍ୟବହାର କରିପାରନ୍ତି । ଏପରିକି ନିରକ୍ଷର ବ୍ୟକ୍ତି ଅନ୍ୟମାନଙ୍କ ସାହାଯ୍ୟ ଦେଇ ଏହାର ଉପଯୋଗ କରିପାରନ୍ତି । ସେହିପରି ଚିନ୍ତାକଲେ ଯିଏ ଗାଡ଼ି ଚଳାଇ ଶିଖିଛି ସେ ରାଜପଥ ବ୍ୟବହାର କରିପାରିବ, ଏହା ଠିକ୍ ନୁହେଁ । ଏହା ସାଧାରଣତଃ ଗାଡ଼ିମାଲିକଙ୍କ ଉପଯୋଗିତା ପାଇଁ ଉଦ୍ଦିଷ୍ଟ । ବିଶେଷ କରି ହାଇୱେ ଏବଂ ସୁପର ହାଇୱେଗୁଡ଼ିକ ଅଧିକ ଧନୀ ଗାଡ଼ି ମାଲିକଙ୍କ ଘରୋଇ ବ୍ୟବହାରରେ ଅଧିକ ବ୍ୟବହୃତ ହୋଇଥାଏ । କିନ୍ତୁ ସାଧାରଣ ଲୋକଙ୍କର ଟିକସକୁ ସୀମିତ ସଂଖ୍ୟକ ଧନୀ ଲୋକଙ୍କର ସେବାରେ ବ୍ୟବହାର କରିବା ପାଇଁ ସୃଷ୍ଟ ସଂସ୍ଥାକୁ ସାଧାରଣ ଉପଯୋଗୀ ସଂସ୍ଥା ବୋଲି କହି ପାରିବା କି ?

 

ଯେତେସବୁ ‘ମିଥ୍ୟା ଉପଯୋଗୀ ସଂସ୍ଥା’ ଅଛନ୍ତି ତନ୍ମଧ୍ୟରୁ ସବୁଠାରୁ ଅଧିକ ପ୍ରତାରଣାପୂର୍ଣ୍ଣ ସଂସ୍ଥାଟି ହେଉଛି ବିଦ୍ୟାଳୟ । ହାଇୱେ ସଂସ୍ଥାଟି କେବଳ ମଟର ଗାଡ଼ି ଉତ୍ପାଦନର ରହିଦା ବୃଦ୍ଧି କରିଥାଏ । କିନ୍ତୁ ବର୍ଣ୍ଣାଳୀର ଦକ୍ଷିଣ ପାର୍ଶ୍ୱରେ ଥିବା ସମସ୍ତ ଅନୁଷ୍ଠାନର ଚାହିଦା ବୃଦ୍ଧି କରିବା ପାଇଁ ବିଦ୍ୟାଳୟର ସୃଷ୍ଟି ହୋଇଛି । ଯେଉଁ ବ୍ୟକ୍ତି ହାଇୱେର ଆବଶ୍ୟକତା ଉପରେ ପ୍ରଶ୍ନ କରନ୍ତି ତାଙ୍କୁ ‘ରୋମାଣ୍ଟିକ’ କହି ଏଡ଼ାଇ ଦେଇହେବ, ପରନ୍ତୁ ଯିଏ ବିଦ୍ୟାଳୟର ଆବଶ୍ୟକତା ଉପରେ ପ୍ରଶ୍ନ କରନ୍ତି ତାଙ୍କୁ ତତ୍‌କ୍ଷଣାତ୍ ‘ହୃଦୟହୀନ’ କିମ୍ବା ‘ସାମ୍ରାଜ୍ୟବାଦୀ’ କହି ଆକ୍ରମଣ କରାଯାଏ । (ପୃ-୬୪)

 

ବିଦ୍ୟାଳୟ: ଏକମିଥ୍ୟା ସାଧାରଣ ଉପଯୋଗୀ ସଂସ୍ଥା : ରାଜପଥ ଭଳି ବିଦ୍ୟାଳୟ ସମସ୍ତଙ୍କ ପାଇଁ ସମଭାବରେ ଉନ୍ମୁକ୍ତ ବୋଲି ପ୍ରଥମରୁ ଧାରଣା ଜନ୍ମିଥାଏ । ବାସ୍ତବରେ, ଯେଉଁମାନେ ସୁସଙ୍ଗତ ଭାବେ ନିଜର ପରିଚୟର ନବୀକରଣ କରିଥାନ୍ତି କେବଳ ସେମାନଙ୍କ ପାଇଁ ଏହା ଉନ୍ମୁକ୍ତ ଥାଏ । ଆଧୁନିକ କାରିଗରୀ କୌଶଳ ବ୍ୟବହାର କରୁଥିବା ଏକ ସମାଜରେ ଦକ୍ଷତା ହାସଲ କରିବା ପାଇଁ ବିଦ୍ୟାଳୟ ନିତାନ୍ତ ଆବଶ୍ୟକ ବୋଲି ବିଚାର କରାଯାଏ । କାରଣ ବିଦ୍ୟାଳୟ ଏକ ନକଲି ଧାରଣା ଉପରେ ପ୍ରତିଷ୍ଠିତ । ତାହା ହେଉଛି ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷାଦାନର ଫଳାଫଳ ହେଉଛି ଶିକ୍ଷଣ । ବିଦ୍ୟାଳୟ ନିଜେ ଅଭିବୃଦ୍ଧି ଓ ଶିକ୍ଷଣର ପ୍ରାକୃତିକ ଧାରାକୁ ବିକୃତ କରି ଶିକ୍ଷାଦାନର ଚାହିଦା ବୃଦ୍ଧି କରିଥାଏ । ଶିଳ୍ପ ଉତ୍ପାଦିତ ପରିପକ୍କ୍ୱତା ପାଇଁ ଚାହିଦା ଉତ୍ପାଦିତ ସାମଗ୍ରୀମାନଙ୍କ ଠାରୁ ଆତ୍ମ-ପ୍ରଣୋଦିତ କ୍ରିୟାକୁ ଅଧିକ ପରିମାଣରେ ନଷ୍ଟ କରିଥାଏ । ବିଦ୍ୟାଳୟଗୁଡ଼ିକ ଆନୁଷ୍ଠାନିକ ବର୍ଣ୍ଣାଳୀରେ କେବଳ ରାଜପଥର ଯେ ଦକ୍ଷିଣକୁ ରହିଥାନ୍ତି ସେତିକି ନୁହେଁ, ସେଗୁଡ଼ିକ ଦକ୍ଷିଣପାର୍ଶ୍ଵର ଅନ୍ତରେ ରହିଥାନ୍ତି । ନିଜର ବିକାଶ ପାଇଁ ଦାୟିତ୍ୱବୋଧ ପରିହାର କରିବା ପାଇଁ ବାଧ୍ୟ କରିବା ଦ୍ଵାରା ବିଦ୍ୟାଳୟ ଅନେକଙ୍କୁ ଏକ ପ୍ରକାର ଆଧ୍ୟାତ୍ମିକ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥାଏ ।

 

ରାଜପଥକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଟିକସ ମାଧ୍ୟମରେ ରାଜପଥ ପାଇଁ ଖର୍ଚ୍ଚର ଆଂଶିକ ଭରଣା କରିଥାନ୍ତି । ଅପରପକ୍ଷରେ ବିଦ୍ୟାଳୟ ପଶ୍ଚାତମୁଖୀ ଟିକସର ଏକ ନିଖୁଣ ବ୍ୟବସ୍ଥା-। ଯେଉଁମାନେ ଏହାର ଅଧିକ ଉପଯୋଗ କରନ୍ତି ସେମାନେ କମ୍ ଉପଯୋଗ କରୁଥିବା ବ୍ୟକ୍ତିମାନଙ୍କ ଠାରୁ କମ୍ ମୂଲ୍ୟ ଦେଇଥାନ୍ତି । The value of man's schooling is a function of the number of years he has completed and of the costliness of the schools he has attended. (ପୃ-୬୫) ଯେଉଁମାନେ ଦୁର୍ବଳ ସେମାନେ ଅଧିକ ବର୍ଷ ବିଦ୍ୟାଳୟରେ ରହନ୍ତି ଓ ସେଥିପାଇଁ ସେମାନଙ୍କୁ ଅଧିକ ମୂଲ୍ୟଦେବାକୁ ପଡ଼ିଥାଏ । ରାଜପଥରେ ଗାଡ଼ି ଚଲାଇବା ପାଇଁ କେହି କାହାକୁ ବାଧ୍ୟ କରିନଥାନ୍ତି କିନ୍ତୁ ପ୍ରତ୍ୟେକ ବିଦ୍ୟାଳୟ ଯିବାକୁ ବାଧ୍ୟ ଅଟନ୍ତି ।

 

୧୯୬୦ ଦଶକରେ ଫରାସୀ ବିପ୍ଳବ ସମୟଠାରୁ ଗଢ଼ି ଉଠିଥିବା ସାଧାରଣ ବିଦ୍ୟାଳୟ ବ୍ୟବସ୍ଥା ଗୁଡ଼ିକ ସାମାଜିକ ନିରାପତ୍ତା ବ୍ୟବସ୍ଥା ଭଳି ଏକ ସଙ୍ଗରେ ପୁରୁଣା ହୋଇଗଲେ । ଏହାପରେ ପୃଥିବୀର ସମସ୍ତ ଦେଶରେ ପ୍ରାୟ ସମାନ ଧରଣର ବାଧ୍ୟତାମୂଳକ ଉନ୍ମୁକ୍ତ ଏବଂ ପ୍ରତିଯୋଗିତା ବୃଦ୍ଧିକାରୀ ବିଦ୍ୟାଳୟମାନ ଦେଖାଯାଉଛି । ଏହି ସମସ୍ତ ବିଦ୍ୟାଳୟ ଓ ଅନ୍ୟାନ୍ୟ ଆନୁଷ୍ଠାନିକ ବ୍ୟବସ୍ଥାମାନ ବର୍ଣ୍ଣାଳୀର ସୁବିଧାବାଦୀ ଦକ୍ଷିଣ ପାର୍ଶ୍ଵରେ ଏକତ୍ରିତ ହୋଇଗଲେ । ଏହାର ଏକ ମୁଖ୍ୟ କାରଣ ହେଉଛି, ଏହି ଅନୁଷ୍ଠାନମାନଙ୍କ ସହିତ ଅମଲାତନ୍ତ୍ରର ମିଶ୍ରଣ, ପାଠ୍ୟକ୍ରମ, ପାଠ୍ୟପୁସ୍ତକ, ପରୀକ୍ଷାପ୍ରଣାଳୀ, ବ୍ୟାଙ୍କିଙ୍ଗ୍ ଆଦି ସମସ୍ତ ବିଦ୍ୟାଳୟ କାର୍ଯ୍ୟ ମାନକୀକୃତ ହୋଇଗଲା ଓ ପୃଥିବୀର ସବୁ ଅଞ୍ଚଳରେ ସମାନ ପ୍ରକାରର ବିଦ୍ୟାଳୟ କାର୍ଯ୍ୟ ଦେଖିବାକୁ ମିଳିଲା-। ସବୁଠାରୁ ଅମଲାତନ୍ତ୍ର ଗୋଟିଏ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି; ତାହା ହେଉଛି ଦକ୍ଷିଣତସ୍ଥିତ ଅନୁଷ୍ଠାନମାନଙ୍କର ଉନ୍ନତି ସାଧନ । ଏଥିପାଇଁ ଟେକ୍ନୋଲୋଜି ଅମଲାତନ୍ତ୍ରୀମାନଙ୍କୁ ସେମାନଙ୍କର ‘ପ୍ରଶାସନିକ ସତ୍ୟ’ (Executive Truth)କୁ ଦୃଢ଼ୀଭୂତ କରିବା ପାଇଁ ପ୍ରଭୂତ କ୍ଷମତା ହେଉଛି-

 

ବାମ ଏବଂ ଦକ୍ଷିଣ ଅନୁଷ୍ଠାନ ମଧ୍ୟରୁ କେଉଁଟି ବାଛିବାକୁ ହେବ ଏହି ଦ୍ୱନ୍ଦ୍ୱରେ ମାନବୀୟ ପ୍ରକୃତିର ଅବକ୍ଷୟ ହେଉଛି । ପଦାର୍ଥମାନଙ୍କ ଦ୍ୱାରା ଧନୀ ହେବ ନା ସେଗୁଡ଼ିକ ବ୍ୟବହାର କରିବାରେ ସ୍ୱାଧୀନତା ହାସଲ କରିବ, ଏହି ଦୁଇଟି ମଧ୍ୟରୁ ମଣିଷକୁ ଗୋଟିକୁ ବାଛିବାକୁ ହେବ । ଆରିଷ୍ଟୋଟଲ୍‍, ଜିନିଷ ପ୍ରସ୍ତୁତି କରିବା (Making) ଏବଂ କାର୍ଯ୍ୟକରିବା ଯେ ପୃଥକ ତାହା ଆବିଷ୍କାର କରିଥିଲେ, 'For neither is acting a way of making-nor making a way of truly, acting......making has always an end another than itself, action not; for good action itself is its end. Perfection in making is an art, perfection in acting is a virtue’ ଆରିଷ୍ଟୋଟଲ୍ ଜିନିଷ ପ୍ରସ୍ତୁତ କରିବା ପାଇଁ ଏକ ଶବ୍ଦ ‘Poesis’ ଏବଂ କାର୍ଯ୍ୟକରିବା ପାଇଁ 'Praxis’ର ବ୍ୟବହାର କରିଥିଲେ । ଏକ ଅନୁଷ୍ଠାନ ଦକ୍ଷିଣ ଦିଗକୁ ଗତି କରୁଥିଲେ, ଜିନିଷ ପ୍ରସ୍ତୁତ କରିବା ପାଇଁ ଏହାର ଦକ୍ଷତା ବୃଦ୍ଧି କରିବା ପାଇଁ ନିଜକୁ ପୁନଃସଙ୍ଗଠିତ କରୁଛି ବୋଲି ବୁଝାଯାଇଥିବା ବେଳେ, ଏହାର ବାମଦିଗକୁ ଗତି ନିଜର କାର୍ଯ୍ୟକରିବା ଦକ୍ଷତା ବା ‘ପ୍ରାକ୍‍ସିସ୍’ର ଅଭିବୃଦ୍ଧି ପାଇଁ ନିଜକୁ ପୁନଃସଂଗଠିତ କରୁଛି ବୋଲି ବୁଝିବାକୁ ହେବ । ଆଧୁନିକ ଟେକ୍ନୋଲୋଜି ଦ୍ୱାରା ଜୀବନର ଆବଶ୍ୟକତା ମେଣ୍ଟାଇବା ପାଇଁ ଜିନିଷମାନଙ୍କର ପ୍ରସ୍ତୁତିକୁ ଯନ୍ତ୍ର ଦ୍ଵାରା କରିବା ସମ୍ଭବ ହେଉଥିବାରୁ ମଣିଷମାନେ ସେଥିପାଇଁ ଅଧିକ ସମୟ ଦେଉନାହାନ୍ତି । ଏପରି ଆଧୁନିକୀକରଣର ଫଳାଫଳ ହେଉଛି ବେକାରୀ | ଟେକ୍ନୋଲୋଜି ଦ୍ଵାରା ମଣିଷ କେତେ ସମୟ ପାଉଛି ଯେତେବେଳେ ସେ ଇଚ୍ଛାକୃତଭାବେ ଜିନିଷ ପ୍ରସ୍ତୁତ କରିବା ବା କାର୍ଯ୍ୟକରିବାରେ ନିଜକୁ ନିୟୋଜିତ କରିପାରେ । ଏହା ସେ କିପରି ସଂସ୍କୃତି ଓ ଅନୁଷ୍ଠାନ ବାଛିବ ତା’ ଉପରେ ନିର୍ଭର କରେ-। ଏପରି ଦ୍ୱନ୍ଦ୍ୱ ପୂରାତନ କୃଷିଭିତ୍ତିକ ସମାଜରେ ଅଚିନ୍ତନୀୟ ଥିଲା କିନ୍ତୁ ଉତ୍ତର ଶିଳ୍ପ ଯୁଗରେ ଏହା ଅନିବାର୍ଯ୍ୟ ହୋଇଛି ।

 

ମିଳୁଥିବା ଅଧିକ ସମୟ ବ୍ୟବହାର କରିବା ପାଇଁ ଦ୍ରବ୍ୟର ଉପଭୋଗ କରିବା ପାଇଁ ଚାହିଦା ବୃଦ୍ଧି କରାଯିବା ସହିତ ସେବା ବ୍ୟବସ୍ଥାମାନଙ୍କୁ ଉତ୍ପାଦନରେ ବିନିଯୋଗ କରାଯିବା ଏକ ପନ୍ଥା ଅଟେ । ଏହା ସଦା ସର୍ବଦା ନୂତନ ପ୍ରସ୍ତୁତି, ଉପଭୋଗ, ନଷ୍ଟ ଏବଂ ପୁନର୍ନବୀକରଣ ପାଇଁ ଅର୍ଥନୀତିକୁ ବୁଝାଇଥାଏ । ଏହା ‘ସେବା’ ଅନୁଷ୍ଠାନମାନଙ୍କୁ ଉତ୍ପାଦନ କାର୍ଯ୍ୟରେ ବିନିଯୋଗ କରିବାର ନିଷ୍ଫଳ ପ୍ରଚେଷ୍ଟାକୁ ମଧ୍ୟ ବୁଝାଏ । ବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥା, ମେଡିକାଲ ସେବା ଓ ସ୍ୱାସ୍ଥ୍ୟ, ଆଦି ସେବା ବ୍ୟବସ୍ଥାମାନଙ୍କୁ ଏପରି ଉପଯୋଗ କରିବାକୁ ଉନ୍ନୟନ ଆଖ୍ୟା ଦିଆଯାଇଥାଏ-

 

ଏହି ସମୟର ବିନିଯୋଗ ପାଇଁ ସଂପୂର୍ଣ୍ଣ ବିକଳ୍ପ ପନ୍ଥା ହେଉଛି ସୀମିତ ସଂଖ୍ୟକ ଦୀର୍ଘସ୍ଥାୟୀ ଦ୍ରବ୍ୟ ପ୍ରସ୍ତୁତ କରିବା ଏବଂ ଏଭଳି ଅନୁଷ୍ଠାନରେ ଯୋଗଦେବା ଯାହା ମାନବୀୟ ଆଦାନ ପ୍ରଦାନ ପାଇଁ ଗ୍ରହଣ ଯୋଗ୍ୟ ହେଉଥିବ ଏବଂ ସୁଯୋଗ ବୃଦ୍ଧି କରିବାରେ ସହାୟକ ହେଉଥିବ । ଏଗୁଡ଼ିକ ଆନୁଷ୍ଠାନିକ ସେବା ଉତ୍ପାଦନକାରୀ ସଂସ୍ଥା ନ ହୋଇ, କାର୍ଯ୍ୟକରିବା, ଅଂଶଗ୍ରହଣ କରିବା ଓ ଆତ୍ମନିର୍ଭରତା ପାଇଁ ନିରନ୍ତର ଶିକ୍ଷିତ କରିବା ନିମନ୍ତେ ଏକ ଆନୁଷ୍ଠାନିକ ଢାଞ୍ଚା ହେବ । ଏବେଠାରୁ ଅନୁଷ୍ଠାନଗୁଡ଼ିକ ଉତ୍ତର-ଶିଳ୍ପ ଯୁଗର ଅମଲାତନ୍ତ୍ର ଆଡ଼କୁ ନ ମୁହାଁଇ, ଭବିଷ୍ୟତର ଉତ୍ତର-ଶିଳ୍ପ ଯୁଗର ସଂଗପ୍ରିତୀ (Conviviality)ଦିଗକୁ ଅଗ୍ରସର ହେବା ଉଚିତ୍ ଯେଉଁଥିରେ କାର୍ଯ୍ୟ କରିବାର ଗଭୀରତା, ଉତ୍ପାଦନଠାରୁ ଅଧୁକ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରାଯିବ । ଏକ ସମ୍ଭାବ୍ୟ ଏବଂ ଇପ୍‍ସିତ ଭବିଷ୍ୟତ ଆମର ଟେକ୍ନୋଲୋଜି ଜ୍ଞାନକୁ ସଂଗ୍ରପିୟ (Convivial) ଅନୁଷ୍ଠାନ ଗୁଡ଼ିକର ଅଭିବୃଦ୍ଧିରେ ବିନିଯୋଗ କରିବା ପାଇଁ ଆମର ଇଚ୍ଛା ଉପରେ ନିର୍ଭର କରେ । ଶୈକ୍ଷିକ ଗବେଷଣା କ୍ଷେତ୍ରରେ ଏହାର ଅର୍ଥ ହେଉଛି ବର୍ତ୍ତମାନର ଧାରାକୁ ବିପରୀତଭିମୁଖୀ କରିବା ପାଇଁ ଚେଷ୍ଟା କରିବା ।

 

ଅଯୌକ୍ତିକ ସଂଗତି

 

ଶିକ୍ଷଣ ପଦ୍ଧତିକୁ ପର୍ଯ୍ୟାଲୋଚନା କରିବା ଅପେକ୍ଷା ଜନସାଧାରଣଙ୍କ ପାଇଁ ଧାର୍ଯ୍ୟ ଶିକ୍ଷଣ ବ୍ୟବସ୍ଥାର ସମୀକ୍ଷା କରାଗଲେ ସଂପ୍ରତି ଦେଖା ଦେଇଥିବା ଶିକ୍ଷା ସମସ୍ୟାର ସମାଧାନ ପାଇଁ ରାସ୍ତା ଖୋଲି ପାରେ ବୋଲି ଲେଖକଙ୍କର ବିଶ୍ଵାସ । । ପ୍ରାଥମିକ ସ୍ତରରେ ପାଠତ୍ୟାଗୀଙ୍କ ସଂଖ୍ୟା ଅନୁଧ୍ୟାନ କଲେ ବ୍ୟବସ୍ଥା ମୂଳରେ ଥିବା ତ୍ରୁଟି ବିଚ୍ୟୁତି ଦୃଷ୍ଟିକୁ ଆସେ । ଶ୍ରେଣୀରେ ପଢ଼ାଉଥିବା ଏବଂ ନିଜକୁ ଉଦାରମନା ଭାବେ ବିଚାର କରୁଥିବା ଶିକ୍ଷକଙ୍କ ଉପରେ ସବୁଦିଗରୁ ଆକ୍ରମଣ କରାଯାଉଛି । ମୁକ୍ତ ବିଦ୍ୟାଳୟ ଆନ୍ଦୋଳନ, ବିଭ୍ରାନ୍ତ ଶୃଙ୍ଖଳା ଓ ତତ୍‍ସହିତ ମତାରୋପଣ ଶିକ୍ଷକଙ୍କୁ ଧ୍ୱଂସକାରୀ କର୍ତ୍ତତ୍ଵବାଦୀ ଭାବେ ଚିତ୍ରଣ କରୁଛି । ଶିକ୍ଷା-ଟେକ୍ନୋଲୋଜି ବ୍ୟବହାର, ପରିବର୍ତ୍ତନ ଏବଂ ପରିମାପରେ ଶିକ୍ଷକଙ୍କର ଦୁର୍ବଳତା ସୁସଂଗତ ଭାବେ ପ୍ରଦର୍ଶନ କରିଆସୁଅଛି । ସ୍କୁଲ ପ୍ରଶାସନ ଶିକ୍ଷକଙ୍କୁ ଉଭୟ ସମରହିଲ୍ ଓ ସ୍ପିନରଙ୍କ ବିପରୀତମୁଖୀ ଚିନ୍ତାଧାରା ଦ୍ୱୟ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରୁଛି । ଏଥିରୁ ସ୍ପଷ୍ଟ ଯେ ବାଧ୍ୟତାମୂଳକ ଶିକ୍ଷଣ କେବେହେଲେ ଉଦାର ପ୍ରକ୍ରିୟା ହୋଇପାରିବ ନାହିଁ ।

 

ଗୋଟିଏ ପକ୍ଷରେ ବ୍ୟବହାରବାଦୀମାନଙ୍କ ଅନୁସାରେ ବ୍ୟବହାରକୁ ନିର୍ଦ୍ଦିଷ୍ଟ ଭାବରେ ପରିବର୍ତ୍ତନ କରାଯାଇ ପାରେ, ପରିବର୍ତ୍ତିତ ବ୍ୟବହାରକୁ ମୂଲ୍ୟାୟନ କରାଯାଇପାରେ, ଓ ଶିକ୍ଷକଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯାଇପାରେ । ଏହାର ଅନ୍ୟ ପାର୍ଶଟି ହେଉଛି ନୂତନ ପିଢ଼ିକୁ ବିଶେଷଭାବେ ସୁପରିକଳ୍ପିତ ସ୍ଥାନ ମଧ୍ୟରେ ଆବଦ୍ଧ କରି ରଖି ସେମାନଙ୍କୁ ଶାନ୍ତ କରି ବୟସ୍କମାନଙ୍କର ସ୍ୱପ୍ନର ରାଜ୍ୟ ପାଇଁ ପ୍ରସ୍ତୁତ ହେବାକୁ ପ୍ରବର୍ତ୍ତା ଯାଇ ପାରେ । ସେଥିପାଇଁ ବିଦ୍ୟାଳୟକୁ ଏକ ଭ୍ରୁଣାବସ୍ଥାର ଗୋଷ୍ଠୀ ଜୀବନର ପ୍ରତୀକ ଭାବେ ପ୍ରସ୍ତୁତ କରାଯିବା ପାଇଁ ଚେଷ୍ଟା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ବିଦ୍ୟାଳୟ ବ୍ୟବସ୍ଥା, ଶୈକ୍ଷିକ ଟେକ୍‌ନୋଲୋଜି ବିଶେଷଜ୍ଞ ଏବଂ ମୁକ୍ତ ବିଦ୍ୟାଳୟ ମଧ୍ୟରେ ଥିବା ତ୍ରିକୋଣୀୟ ବିତର୍କ ଶିକ୍ଷା ବିପ୍ଳବର ପୂର୍ବାଭାଷ ବୋଲି ଭାବିବା ଭୁଲ ହେବ । ଏହି ବିତର୍କ କେବଳ ପୁରୁଣାକାଳିଆ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପ୍ରଚେଷ୍ଟାକୁ ଅଧିକ ଦୃଢ଼ କରିଥାଏ । ଏହି ବିତର୍କରୁ ବହୁ ବିରୋଧାଭାଷ ମୁଣ୍ଡଟେକି ଥାନ୍ତି । କିନ୍ତୁ ଏଗୁଡ଼ିକ ବିଦ୍ୟାଳୟର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଆଚ୍ଛାଦିତ କରି ରଖିଥାନ୍ତି ।

 

ଏହି ସମ୍ପର୍କରେ ବର୍ତ୍ତମାନର କେତେକ ମତବାଦ କୌଣସି ବିରୋଧ ବିନା ତିଷ୍ଠି ରହିଛି ସେସବୁ ପ୍ରଣିଧାନ ଯୋଗ୍ୟ । ପ୍ରଥମଟି ହେଉଛି ଯେ ଜଣେ ଶିକ୍ଷାବିଶେଷଜ୍ଞଙ୍କ ନଜରରେ ଯେଉଁ ବ୍ୟବହାର ପିଲାଟି ହାସଲ କରିବ ତାହା ତା’ପାଇଁ ଓ ସମାଜ ପାଇଁ ବିଶେଷ ମୂଲ୍ୟବାନ । ଏଥିସହିତ ସମ୍ପର୍କିତ ଅନ୍ୟ ଧାରଣାଟି ହେଉଛି ଯେ ସାମାଜିକ ମାନବ ବୋଲି ଯାହା କୁହାଯାଏ ତା’ର ଜନ୍ମ କୈଶୋରାବସ୍ଥାରେ ହିଁ ହୋଇଥାଏ ଏବଂ ଏହା ସୁସ୍ଥ ଜୀବନ ହୋଇଥାଏ ଯଦି କେବଳ ସେ ବିଦ୍ୟାଳୟ–ଜଠରରେ ପରିପକ୍ଵତା ହାସଲ କରିଥାଏ । ପରିଶେଷରେ ଯୁବକମାନଙ୍କ ସମ୍ପର୍କରେ ଏକ ବହୁଜନ ସମ୍ମତ ଧାରଣା ହେଉଛି ଯେ ସେମାନେ ମନସ୍ତାତ୍ତିକ ଦୃଷ୍ଟିକୋଣରୁ ରୋମାଣ୍ଟିକ ଓ ରାଜନୈତିକ ଚିନ୍ତାରେ ରକ୍ଷଣଶୀଳ । ଏହି ମତାନୁସାରେ ଏହି ଯୁବକମାନଙ୍କ ଉପରେ ସମାଜ ପରିବର୍ତ୍ତନ କରିବାର ଭାର ନ୍ୟସ୍ତ କରାଯାଇପାରେ କିନ୍ତୁ କେବଳ ସେମାନଙ୍କର ବିଦ୍ୟାଳୟ ଶିକ୍ଷା ସମାପ୍ତି ପରେ । ଏହି ମତବାଦ ଉପରେ ବିଶ୍ୱାସ କରୁଥିବା ସମାଜରେ ନୂତନ ପଦ୍ଧତିର ଶିକ୍ଷା ପାଇଁ ଏକ ଦାୟିତ୍ୱବୋଧ ସୃଷ୍ଟି କରାଯାଇଥାଏ । ଅର୍ଥାତ୍, କେତେକ ବ୍ୟକ୍ତି ଅନ୍ୟମାନଙ୍କ ଶିକ୍ଷା ପାଇଁ ଉଦ୍ଦେଶ୍ୟ ନିର୍ଦ୍ଧାରଣ ଏବଂ ଅନ୍ୟମାନଙ୍କର ବ୍ୟକ୍ତିଗତ ଲକ୍ଷ୍ୟର ମୂଲ୍ୟାୟନ କରିଥାନ୍ତି । ଏହି ବ୍ୟକ୍ତିମାନେ ଶିକ୍ଷାର୍ଥୀମାନଙ୍କୁ କୃଷକର ଗୋରୁପଲ ଭଳି ବ୍ୟବହାର କରିଥାନ୍ତି, ତଦ୍ଦ୍ୱାରା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ପ୍ରକାର କ୍ଲିବତ୍ୱର ଶିହରଣ ସୃଷ୍ଟି କରିଥାନ୍ତି । ଗୋଟିଏ ପାଠ୍ୟକ୍ରମରେ ବାଧ୍ୟବାଧକତା ସହ ଜଡ଼ିତ ହେବା ଦ୍ୱାରା କେତେ ଶିକ୍ଷାର୍ଥୀଙ୍କ ମଧ୍ୟରେ ପାଗଳାମି ମଧ୍ୟ ପରିଲକ୍ଷିତ ହୋଇଥାଏ ଓ ବହୁକ୍ଷେତ୍ରରେ ସେମାନେ ଭୟଭୀତ ହୋଇଯାଆନ୍ତି ।

 

ବିଦ୍ୟାଳୟ ଓ ଏହାର ବାଧ୍ୟତାମୂଳକ ପାଠ୍ୟକ୍ରମ ‘ଅଯୌକ୍ତିକ ସଂଗତି’ ସୃଷ୍ଟି କରିଥାଏ । ଏହାର ଯୁକ୍ତି ଅମଲାତାନ୍ତ୍ରିକ ଏବଂ ଏଥିରେ ମୋହଗ୍ରସ୍ତ ଅପରାଧୀମାନେ ପାରସ୍ପରିକ ସୁବିଧାବାଦ ଓ ଶୃଙ୍ଖଳିତ ଶୋଷଣରେ ମଜ୍ଜି ଯାଇଥାନ୍ତି । ପୁନଶ୍ଚ ଶିକ୍ଷକମାନେ ଶିକ୍ଷା ଚିକିତ୍ସକଭାବେ ଅଧୁନା ଜୀବନବ୍ୟାପୀ ଶିକ୍ଷା ଚିକିତ୍ସାକୁ ପରବର୍ତ୍ତୀ ପଦକ୍ଷେପ ଭାବେ ପ୍ରସ୍ତାବ ରଖିଲେଣି । ଏସବୁ ସତ୍ତ୍ୱେ ଶିକ୍ଷାର ଭବିଷ୍ୟତନେଇ ଆମେରିକୀୟ ଦୃଷ୍ଟିଭଙ୍ଗୀ ଅନ୍ୟ ଯେକୌଣସି ନିୟାମକ ଠାରୁ ଅଧିକ ରକ୍ଷଣଶୀଳ । ସେଥିପାଇଁ ବାଧ୍ୟତାମୂଳକ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ କ୍ଷତିକାରକ ଅନୁଷ୍ଠାନ ଗୁଡ଼ିକର ଉଚ୍ଛେଦ ଦିଗରେ ସୁସଙ୍ଗତ ଦୃଢ଼ ଯୁକ୍ତି ଏବଂ ପରିପକ୍ଵ ନେତୃତ୍ଵର ଅଭାବ ଦେଖାଦେଇଛି । ଏତେ ବିଶୃଙ୍ଖଳା ଓ ଆନୁଷ୍ଠାନିକ ଶିକ୍ଷାପ୍ରତି କ୍ରମବର୍ଦ୍ଧିଷ୍ଣୁ ବିରୋଧ ସତ୍ତ୍ୱେ ବର୍ତ୍ତମାନ ମଧ୍ୟ ଶିକ୍ଷକମାନଙ୍କ ଦ୍ଵାରା ପରିଚାଳିତ ଶିକ୍ଷା ଅନୁଷ୍ଠାନମାନଙ୍କର ଫଳାଫଳକୁ ଶିକ୍ଷାଭାବେ ଗ୍ରହଣ କରାଯାଉଛି । ଯେଉଁ ପର୍ଯ୍ୟନ୍ତ ଶିକ୍ଷାରେ ସମ୍ପର୍କ ଏକ ଯୋଗାଣକାରୀ ଓ ଜଣେ ଉପଭୋକ୍ତା ମଧ୍ୟରେ ଥିବା ସମ୍ପର୍କ ଭଳି ଚାଲୁ ରହିଥିବ, ସେ ପର୍ଯ୍ୟନ୍ତ ଶୈକ୍ଷିକ ଗବେଷଣା ବୃତ୍ତାକାର ହୋଇ ଚାଲୁଥିବ । ଏହା ଅଧିକରୁ ଅଧିକ ଶିକ୍ଷା ପ୍ୟାକେଜ ସପକ୍ଷରେ ବୈଜ୍ଞାନିକ ତଥ୍ୟ ଗଦା କରୁଥିବ ଏବଂ ଏହାର ନିର୍ଭୁଲ ପ୍ରୟୋଗପାଇଁ ବ୍ୟକ୍ତିଗତଭାବେ ଉପଭୋକ୍ତାମାନଙ୍କୁ ବାଧ୍ୟ କରୁଥିବ ।

 

ଏହିସବୁ ଦୃଷ୍ଟିରୁ ଶୈକ୍ଷିକ ବିପ୍ଳବ ଦୁଇ ବିପରୀତ ବ୍ୟବସ୍ଥା ଉପରେ ନିର୍ଭର କରିଥାଏ : ଗବେଷଣା ପାଇଁ ନୂତନ ପ୍ରଶିକ୍ଷଣ ଏବଂ ପ୍ରକାଶମାନ ବିପରୀତ-ସଂସ୍କୃତିର ଶୈକ୍ଷିକଧାରାର ଏକ ନୂତନ ବୋଧ । କିନ୍ତୁ ବର୍ତ୍ତମାନର ବ୍ୟାବହାରିକ ଗବେଷଣା ପ୍ରଚଳିତ ପୁରୁଣା ଢାଞ୍ଚାକୁ ଅଧିକ ସକ୍ଷମ କରିବାରେ ନିୟୋଜିତ । ଏହାର ଏକ ଦୁର୍ବଳତା ହେଉଛି ଯେ ଟେକ୍‌ନୋଲୋଜିର ବିକାଶକୁ ଟେକ୍‌ନୋକ୍ରାଟ୍‍ମାନଙ୍କର ନିୟନ୍ତ୍ରଣ ସହିତ ବିଭ୍ରମ କରାଯାଉଛି । ଉଦୀୟମାନ ବିପରୀତ-ସଂସ୍କୃତି ସ୍ୱ-ନିର୍ବାଚିତ ବ୍ୟକ୍ତିଗତ ଅଭିଜ୍ଞତାର ଅପ୍ରତ୍ୟାଶିତ ଫଳାଫଳକୁ ସାର୍ଟିଫିକେଟ୍ ପ୍ରାପ୍ତ ଆନୁଷ୍ଠାନିକ ଶିକ୍ଷାଠାରୁ ଅଧିକ ମୂଲ୍ୟ ଦେଇଥାଏ । ଆମର ବର୍ତ୍ତମାନର ଶିକ୍ଷାନୁଷ୍ଠାନ ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ସାଧନ ପାଇଁ ନିୟୋଜିତ । କିନ୍ତୁ ଆମର ଏକ ଢାଞ୍ଚା ଆବଶ୍ୟକ ଯାହା ପ୍ରତ୍ୟେକ ବ୍ୟକ୍ତି ନିଜେ ଶିଖିବା ସହିତ ଅନ୍ୟମାନଙ୍କ ଶିକ୍ଷଣ ପ୍ରତି ଅବଦାନ କରି ଆତ୍ମଉପଲବ୍ଧି କରିବାରେ ସହାୟକ ହେବ । (ପୃ-୭୪)

 

ଶିକ୍ଷଣ ଜାଲ

 

ସ୍କୁଲରେ ପଢ଼ିବା ପାଇଁ ଓ ପ୍ରମାଣପତ୍ରଟିଏ ପାଇବା ପାଇଁ ଶିକ୍ଷାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ଶିକ୍ଷକଙ୍କ ପାଖରେ ନିଜକୁ ସମର୍ପଣ କରିଥାଆନ୍ତି । ଉଭୟ ନାନା ଉତ୍ପୀଡ଼ନ ଭିତରେ ଥାଆନ୍ତି । ସୀମିତ ଅର୍ଥ, ସମୟ, ଆଧାରିକ ସଂରଚନା ଆଳରେ ଉଭୟ ଉଭୟକୁ ଦୋଷାରୋପ କରିଥାଆନ୍ତି ଏବଂ ଏହିଭଳି ପରିସ୍ଥିତିରେ ଶିକ୍ଷଣ ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା ଖୋଜିଥାନ୍ତି । ସେମାନଙ୍କୁ ଯଦି ପ୍ରଶ୍ନ କରାଯାଏ ଯେ ସେମାନେ ଯାହାସବୁ ଶିଖୁଛନ୍ତି କେଉଁଠାରୁ କିଭଳି ଶିଖିଛନ୍ତି, ଉତ୍ତର ମିଳେ ଯେ ସେମାନେ ସ୍କୁଲର ସୀମା ସରହଦ ବାହାରୁ ହିଁ ଅନେକ କଥା ଶିଖିଛନ୍ତି । କର୍ମମୟ ଜୀବନରୁ, ସାଙ୍ଗସାଥୀଙ୍କଠାରୁ, ଟି.ଭି. ପରଦାରୁ, ଦୋକାନ ବଜାରରୁ, ଖବରକାଗଜରୁ ଓ ଚିକିତ୍ସାଳୟରେ ଥିବା ଭିତରେ ଅନେକ କଥା ଶିଖୁବାକୁ ମିଳେ । ସୁତରାଂ ସ୍କୁଲ ଉପରେ ନିର୍ଭରଶୀଳ ନହୋଇ ମଣିଷ ଓ ତାର ସଚଳ ପରିବେଶ ମଧ୍ୟରେ ଏକ ଶୈକ୍ଷିକ ସମ୍ପର୍କ ବିଷୟରେ ପରିକଳ୍ପନା କରିପାରେ । ଏଭଳି ଏକ ନୂଆ ସମ୍ପର୍କ ସୃଷ୍ଟି କରିବାକୁ ହେଲେ ବଞ୍ଚିବା, ବଢ଼ିବା ପ୍ରତି ମନୋଭାବ, ଶିକ୍ଷାର ବିଭିନ୍ନ ସାଧନ ଓ ଦୈନନ୍ଦିନ ଜୀବନଚର୍ଯ୍ୟାର ଢାଞ୍ଚା ଓ ଧାରାକୁ ଏକ ସମୟରେ ବଦଳାଇବାକୁ ହେବ ।

 

ମନୋଭାବରେ ପରିବର୍ତ୍ତନ ଦେଖା ଦେଲାଣି । ବିଦ୍ୟାଳୟ ଉପରେ ନିର୍ଭରଶୀଳତା ହ୍ରାସ ହେବାରେ ଲାଗିଲାଣି । ବିଦ୍ୟାଳୟରୂପୀ କାରଖାନା ପ୍ରତି ଗରାଖମାନେ ବିତସ୍ପୃହ ହେଲେଣି । ମାତ୍ର ଯୋଗାଯୋଗ ଅଭାବରୁ ଏହା ଦାନା ବାନ୍ଧୁ ନାହିଁ । ସ୍କୁଲ ବିହୀନ ସମାଜ ବା ସ୍କୁଲ ବ୍ୟବସ୍ଥା ବ୍ୟତୀତ ସାମାଜିକ ଶିକ୍ଷା ପ୍ରତିଷ୍ଠାନ ସହଜରେ ଲୋକଙ୍କ ଦୃଶ୍ୟପଟକୁ ଆସୁନାହିଁ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ବିପରୀତ ସମ୍ଭବ ହୋଇପାରେ । ଶିକ୍ଷକ ନିଯୁକ୍ତି ନକରି ଏବଂ ଶିକ୍ଷାର୍ଥୀମାନଙ୍କୁ ଉତ୍କୋଚ ବା ବାଧ୍ୟବାଧକତାରେ ପଢ଼ାଇବା ପରିବର୍ତ୍ତେ ଆତ୍ମ-ଅଭିପ୍ରେରିତ ଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇପାରିବ । ସମସ୍ତ ଶୈକ୍ଷିକ କାର୍ଯ୍ୟକ୍ରମକୁ କାହାଳୀଟିଏ ଭିତରେ ପୂରାଇ ଶିକ୍ଷକଙ୍କ ଦ୍ଵାରା ଉପସ୍ଥାପନ ନ କରାଇ, ଶିକ୍ଷାର୍ଥୀମାନଙ୍କୁ ପାଠପଢ଼ାର ନୂଆ ଦୁନିଆଁ ସହ ସଂଯୋଗ କରାଯାଇପାରିବ ।

 

ବିଦ୍ୟାଳୟ ଏପରି ଏକ ଚଳ (Variable) ଯାହା ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ନିର୍ଭର କରେ । ସୁତରାଂ ବିଦ୍ୟାଳୟ ସଂସ୍କାର କରିବା ପାଇଁ ହେଲେ ପ୍ରଥମେ ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ସଂସ୍କାର ଆଣିବା ଉଚିତ ବୋଲି ସ୍ଥଳ ବିଶେଷରେ ମତ ପୋଷଣ କରାଯାଏ । ପୁନଶ୍ଚ ରାଜନୈତିକ ଓ ଅର୍ଥନୈତିକ ଭିନ୍ନତା ସତ୍ତ୍ୱେ ସ୍କୁଲର ଆଶିଂକ ଢାଞ୍ଚା ପ୍ରାୟତଃ ସବୁଦେଶରେ ସମାନ । ସ୍କୁଲରେ ପ୍ରବର୍ତ୍ତିତ ଔପଚାରିକ ପାଠ୍ୟକ୍ରମ ଓ ଅନୌପଚାରିକ ପାଠ୍ୟକ୍ରମ ପରିରଳନା ଧାରା ସବୁଦେଶରେ ସମାନ ପ୍ରଭାବ ପକାଇଥାଏ । ରାଜନୈତିକ ବା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ହୋଇଗଲେ ଯେ ସ୍କୁଲ ଧାରାରେ କୌଣସି ମୌଳିକ ପରିବର୍ତ୍ତନ ହୋଇଯିବ ବୋଲି ଆଶା କରିବା ମଧ୍ୟ ଭ୍ରମାତ୍ମକ ବୋଲି ମତ ପୋଷଣ କରାଯାଏ । ଏଥିପାଇଁ ସ୍କୁଲକୁ ଏକ ନିର୍ଭରଶୀଳ ଚଳ ବୋଲି ଗ୍ରହଣ କରାଯାଇପାରିବ ନାହିଁ ।

 

ନୂତନ ଔପଚାରିକ ଶିକ୍ଷାନୁଷ୍ଠାନର ବୈଶିଷ୍ଟ୍ୟ :

 

ଏକ ଉତ୍ତମ ଶିକ୍ଷା ବ୍ୟବସ୍ଥା ତିନୋଟି ଉଦ୍ଦେଶ୍ୟ ସାଧନ କରିବା ଆବଶ୍ୟକ ।

 

• ଜୀବନର ଯେକୌଣସି ସମୟରେ ଚାହିଦା ମୁତାବକ ଅନୁଷ୍ଠାନର ସମସ୍ତ ସମ୍ବଳ ଶିଖିବାକୁ ଚାହୁଁଥିବା ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଉପଲବ୍ଧ ହେବ ।

 

• ଯେଉଁ ଜ୍ଞାନାଧିକାରୀମାନେ ଜ୍ଞାନ ଚର୍ଚ୍ଚା କରିବେ, ସେ ସମସ୍ତଙ୍କର ସଶକ୍ତିକରଣ କରାଯିବ ଯେଭଳି ସେମାନଙ୍କ ଠାରୁ ଜ୍ଞାନ ଆହରଣ ପାଇଁ ଇଚ୍ଛା ପ୍ରକାଶ କରୁଥିବା ସମସ୍ତ ଶିକ୍ଷାର୍ଥୀ ଉପକୃତ ହେବେ ।

 

• ଜନସାଧାରଣଙ୍କ ଅବଗତି ନିମନ୍ତେ ଯଦି କେହି ଏକ ସମସ୍ୟା ଉତ୍‍ଥାପନ କରିବାକୁ ଚାହିଁବେ ତେବେ ସେମାନଙ୍କର ଆହ୍ୱାନକୁ ଜଣାଇବା ପାଇଁ ଅନୁଷ୍ଠାନ ସୁଯୋଗ ଦେବ । (ପୃ-୭୮)

 

ଏଭଳି ଏକ ବ୍ୟବସ୍ଥା ପାଇଁ ସାମ୍ବିଧାନିକ ବିଧିଲୋଡ଼ା । କୌଣସି ପରିପ୍ରେକ୍ଷୀରେ ଶିକ୍ଷାର୍ଥୀମାନଙ୍କ ଉପରେ ନିର୍ଦ୍ଧାରିତ ପାଠ୍ୟକ୍ରମକୁ ବାଧ୍ୟତାମୂଳକ ଭାବରେ ଲଦି ଦିଆଯିବା ଉଚିତ ନୁହେଁ । ପ୍ରମାଣପତ୍ର ଉପରେ ଭିତ୍ତିକରି କୌଣସି ଶିକ୍ଷାର୍ଥୀଙ୍କୁ ବାଛବିଚାର କରାଯିବ ନାହିଁ ଜନସାଧାରଣଙ୍କ ଉପରେ ମଧ୍ୟ ସାଧାରଣ ଶିକ୍ଷା ବ୍ୟବସ୍ଥାର ପ୍ରୋତ୍ସାହନ ପାଇଁ ଟିକସ ଧାର୍ଯ୍ୟ କରାଯିବ ନାହିଁ । ନୂତନ ଶିକ୍ଷା ପରଂପରାରେ ଶିକ୍ଷା-କାରିଗରୀ କୌଶଳ ବ୍ୟବହାର କରାଯାଇ ମୁକ୍ତ-ବକ୍ତବ୍ୟ ଆଦାନପ୍ରଦାନ କରାଯିବ ।

 

ଜୀବନରେ ସଫଳତା ହାସଲ ପାଇଁ ଏକ ଗୁପ୍ତ କଥା ଅଛି ବୋଲି ଏକ ପ୍ରାକ୍‍ଧାରଣା ଉପରେ ସ୍କୁଲ-ସଂସ୍କୃତି ପର୍ଯ୍ୟବସିତ । ଜୀବନର ଗୁଣାତ୍ମକମାନ ନିଶ୍ଚିତ କରିବା ପାଇଁ ଏହି ଗୁପ୍ତକଥାଟି ଲୋଡ଼ା । ଚାବିକାଠି ଭିତରେ ଥିବା ଏହି ଗୁପ୍ତ ତଥ୍ୟକୁ ପର୍ଯ୍ୟାୟକ୍ରମେ ସ୍କୁଲ ଶିକ୍ଷକଙ୍କ ଜରିଆରେ ନିୟନ୍ତ୍ରିତ ଭାବରେ ଉପସ୍ଥାପନ କରାଯାଇଥାଏ । ଲେଖକଙ୍କ ପରିକଳ୍ପିତ ନୂତନ ପ୍ରତିଷ୍ଠାନରେ ଏହି ସବୁ ଧାରଣାର ଆଦୌ ସ୍ଥାନ ନାହିଁ । ବରଂ ଶିକ୍ଷାର୍ଥୀଙ୍କୁ ସ୍ୱାଧୀନତା ଦିଆଯିବ ଯେପରି ସେ ନିୟନ୍ତ୍ରଣ କକ୍ଷ ବା ପାର୍ଲାମେଣ୍ଟକୁ ମୂଳ ଦରଜା ମଧ୍ୟ ଦେଇ ଯାଇନପାରିଲେ ବି ଝରକା ଭିତରୁ ସମସ୍ତ କଥାକୁ ଦେଖି ପାରିବେ ।

 

ବାସ୍ତବ ଶିକ୍ଷଣ ପାଇଁ ଆବଶ୍ୟକ ସମସ୍ତ ସମ୍ବଳ ଚାରିଟି ବା ସମ୍ଭବତଃ ତିନିଟି ମାଧ୍ୟମରେ ବା ଶିକ୍ଷଣ ଆଦାନ ପ୍ରଦାନ ବ୍ୟବସ୍ଥାରେ ଉପଲବ୍ଧ ହୋଇପାରିବ । ଶୈକ୍ଷିକ ସାମଗ୍ରୀ ଓ ବ୍ୟକ୍ତିବିଶେଷଙ୍କ ବିଭିନ୍ନ ସଂସ୍ପର୍ଶରେ ଆସି ପିଲାଟିଏ ବଢ଼ିଥାଏ ଏବଂ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ତାର ଆଦର୍ଶ ଭାବେ ଗ୍ରହଣ କରି ସେମାନଙ୍କଠାରୁ ବିଭିନ୍ନ କୌଶଳ ଓ ମୂଲ୍ୟବୋଧ ଆହରଣ କରିଥାଏ । ବିଭିନ୍ନ ସାଙ୍ଗସାଥୀ ମେଳରେ ପ୍ରତିଯୋଗିତା ବା ସହଯୋଗିତା ମାଧ୍ୟମରେ ସେ ନିଜକୁ ଆବିଷ୍କାର କରିଥାଏ । ଭାଗ୍ୟ ଭଲଥିଲେ କିଛି ଗୁରୁଜନଙ୍କ ସ୍ପର୍ଶରେ ଆସେ, ଯେଉଁମାନେ ତାଙ୍କୁ ସମୀକ୍ଷା ଓ ସମାଲୋଚନା ପୂର୍ବକ ସଦୁପଦେଶଦେଇ ଗଢ଼ି ଥାଆନ୍ତି । ସୁତରାଂ ଶୈକ୍ଷିକ ସାମଗ୍ରୀ, ଆଦର୍ଶ, ସାଙ୍ଗସାଥୀ ଓ ଗୁରୁଜନ ଭଳି ସମ୍ବଳ ଗୁଡ଼ିକୁ ଏଭଳି ସମନ୍ୱିତ କରିବାକୁ ହେବ ଯେପରି ପ୍ରତ୍ୟେକ ଶିକ୍ଷାର୍ଥୀ ଅବାଧରେ ଏସବୁ ସଂସ୍ପର୍ଶରେ ଆସିପାରିବେ । ଏହିସବୁ ସମ୍ବଳର ସଦୁପଯୋଗ ପାଇଁ ଲେଖକ ଏକ ‘ସୁଯୋଗ-ଜାଲ’ (Opportunity Web)ର ପରିକଳ୍ପନା କରିଛନ୍ତି । ‘ଜାଲକ’ ବା (Network)କୁ ବହୁ ସମୟରେ ମତାରୋପଣ, ନିର୍ଦ୍ଦେଶନ ଏବଂ ଆମୋଦପ୍ରମୋଦ ପାଇଁ ବ୍ୟବହାର କରାଯାଉଥିବାରୁ ପରସ୍ପର ମଧ୍ୟରେ ମୁକ୍ତଭାବେ ସମ୍ବାଦ ଆଦାନପ୍ରଦାନ ପାଇଁ ସୁଯୋଗ ଜାଲ’ର ପରିକଳ୍ପନା କରାଯାଇଛି । ‘ସୁଯୋଗ-ଜାଲ’କୁ ଶୈକ୍ଷିକ ବ୍ୟବହାର ପାଇଁ ବିନିଯୋଗ କରାଯିବାବେଳେ ଏହାକୁ ‘ଶୈକ୍ଷିକ ଜାଲ (Education Web) ମଧ୍ୟ କୁହାଯାଇ ପାରିବ ।

 

ଚାରିଟି ନେଟ୍‍ୱାର୍କ :

 

ପରିକଳ୍ପିତ ନୂତନ ପ୍ରତିଷ୍ଠାନ ‘କିଏ କ’ଣ ଶିଖିବ ?” ପ୍ରଶ୍ନରୁ ଆରମ୍ଭ ନହୋଇ ‘କେଉଁ ଶିକ୍ଷାର୍ଥୀ ନିଜର ଶିକ୍ଷଣ ପାଇଁ କେଉଁ ସବୁ ବସ୍ତୁ ବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାକୁ ଚାହିଁବେ’ ପ୍ରଶ୍ନ ଉପରେ ଆଧାରିତ ହେବ । ଯେକୌଣସି ଶିକ୍ଷାର୍ଥୀ ଶିକ୍ଷଣ ପାଇଁ ଆବଶ୍ୟକ ତଥ୍ୟ ଓ ଆବଶ୍ୟକ ତଥ୍ୟର ପ୍ରୟୋଗ ପାଇଁ ଅନ୍ୟଜଣଙ୍କ ଆଲୋଚନାମୂଳକ ମନ୍ତବ୍ୟ ଲୋଡ଼ିଥାନ୍ତି । ଏଣୁ ଗୋଟିଏ ଆଦର୍ଶ ଶିକ୍ଷାନୁଷ୍ଠାନରେ ଇଚ୍ଛାମତେ ବସ୍ତୁ-ଭିତ୍ତିକ ଉପଚାର ଉପଲବ୍ଧ ହେଉଥିବ ଏବଂ ତଥ୍ୟ ପ୍ରୟୋଗ ପାଇଁ ସମାଲୋଚନାମୂଳକ ପରାମର୍ଶ ସହପାଠୀ ଓ ଗୁରୁଜନଙ୍କ ପାଖରୁ ମିଳୁଥିବ । ସହପାଠୀଙ୍କ ମେଳରେ ପଢ଼ାଲେଖା କଲେ ଶିକ୍ଷାର୍ଥୀମାନଙ୍କୁ ଉଭୟ ଆନନ୍ଦ ଓ ଆହ୍ୱାନ ମିଳିଥାଏ । ଗୁରୁଜନମାନଙ୍କ ପାଖରୁ କେଉଁ ସମୟରେ କେଉଁ ସବୁ କୌଶଳ କିପରି ଶିଖିହେବ ସମ୍ବନ୍ଧୀୟ ସୂକ୍ଷ୍ମ ପରାମର୍ଶ ମିଳିଥାଏ ।

 

ଆମ ପାଖରେ ଏ ସମସ୍ତ ସମ୍ବଳର ପ୍ରାଚୁର୍ଯ୍ୟ ଥିଲେବି ଏସବୁକୁ ଶୈକ୍ଷିକ ସମ୍ବଳ ବୋଲି ବିବେଚନା କରାଯାଏ ନାହିଁ ବା ଗରିବ ପିଲାଟିର ଶୈକ୍ଷିକ ବିକାଶ ପାଇଁ ଏସବୁ ଉପଲବ୍ଧ ହୋଇପାରେ ନାହିଁ । ଆମକୁ ନୂତନ ପରସ୍ପର ସମ୍ପର୍କିତ ଢାଞ୍ଚାମାନ ପ୍ରସ୍ତୁତ କରିବାକୁ ପଡ଼ିବ । ଯେକୌଣସି ବ୍ୟକ୍ତି ନିଜ ଶିକ୍ଷା ପାଇଁ ସମ୍ବଳ ସବୁକୁ ବ୍ୟବହାର କରିବାକୁ ଇଚ୍ଛାକଲେ ଏହି ଢାଞ୍ଚାମାନଙ୍କର ସାହାଯ୍ୟ ନେଇ ପାରିବେ । ଶିକ୍ଷକମାନଙ୍କ ଦ୍ଵାରା ପ୍ରସ୍ତୁତ ପାଠ୍ୟକ୍ରମର ଉଦ୍ଦେଶ୍ୟ ଅନୁସାରେ ଶୈକ୍ଷିକ ସମ୍ବଳଗୁଡ଼ିକୁ ଚିହ୍ନଟ କରାଯାଇଥାଏ । ଠିକ୍ ବିପରୀତଭାବେ, ଶିକ୍ଷାର୍ଥୀଙ୍କର ନିଜ ନିଜର ଶିକ୍ଷଣ ଉଦ୍ଦେଶ୍ୟ ଗୁଡ଼ିକୁ ନିର୍ଦ୍ଦିଷ୍ଟ କରିବା ଏବଂ ସେଗୁଡ଼ିକୁ ହାସଲ କରିବା ପାଇଁ ଚାରିଟି ଭିନ୍ନ ଭିନ୍ନ ପନ୍ଥାର ପ୍ରସ୍ତାବ ଲେଖକ ଦେଇଛନ୍ତି ।

 

୧. ଶୈକ୍ଷିକ ସାମଗ୍ରୀ ବ୍ୟବହାର ପାଇଁ ସୂଚନା ସେବା :

 

ଶିକ୍ଷଣ ପାଇଁ ଉପଯୁକ୍ତ ସାମଗ୍ରୀ ମୌଳିକ ସମ୍ବଳଭାବେ ବିବେଚନା କରାଯାଏ । ଔପଚାରିକ ଶିକ୍ଷଣରେ ବ୍ୟବହାର କରିବା ପାଇଁ ଉପଯୁକ୍ତ ସାମଗ୍ରୀ ଓ ପ୍ରକ୍ରିୟା ଉପଲବ୍ଧ କରିବାରେ ସହାୟତା ନିମନ୍ତେ ସୂଚନା ସେବାର ବିଶେଷ ଆବଶ୍ୟକତା ଅଛି । ଏହି ଉଦ୍ଦେଶ୍ୟରେ କେତେକ ସାମଗ୍ରୀ ଲାଇବ୍ରେରୀ, ଲାବୋରେଟୋରୀ, ଭଡ଼ାରେ ଦେଉଥିବା ସଂସ୍ଥା ଏବଂ ମିଉଜିୟମ୍ ଓ ଥିଏଟର୍ ଭଳି ପ୍ରଦର୍ଶନଗୃହ ମାନଙ୍କରେ ଗଚ୍ଛିତ କରି ରଖାଯାଇପାରେ । ଅନ୍ୟକେତେକ କଳକାରଖାନା, ବିମାନବନ୍ଦର କିମ୍ବା ଫାର୍ମମାନଙ୍କରେ ରଖାଯାଇ ସେଠାରେ କାର୍ଯ୍ୟରତ ଶିକ୍ଷାନବିସ୍‌ଙ୍କର ବ୍ୟବହାର ନିମନ୍ତେ ଉପଲବ୍ଧ କରାଯାଇପାରେ ।

 

ଶୈକ୍ଷିକ ଉପକରଣ ଗୁଡ଼ିକ ଉପରେ ବିଦ୍ୟାଳୟର ଏକଚାଟିଆ ଅଧିକାର ଥାଏ । ସରଳ ଶୈକ୍ଷିକ ବସ୍ତୁ ଗୁଡ଼ିକୁ ବିଦ୍ୟାଳୟ ଗୁଡ଼ିକ ସ୍ଵତନ୍ତ୍ର ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ କରି ସେଗୁଡ଼ିକର ମୂଲ୍ୟ ଅଯଥା ବୃଦ୍ଧି କରାଯାଇଥାଏ । ଫଳରେ ଲାଇବ୍ରେରୀ ଓ ଲାବୋରେଟୋରିରେ କାର୍ଯ୍ୟ କରିବା ଶିକ୍ଷାର୍ଥୀଙ୍କ ପାଇଁ ବୋଝ ହୋଇଥାଏ । ଏଥିରେ ଥିବା ସାମଗ୍ରୀ ଗୁଡ଼ିକର ଅଧିକ ମୂଲ୍ୟ ଯୋଗୁ ଏଗୁଡ଼ିକର ସୀମିତ ବ୍ୟବହାରରେ ମଧ୍ୟ ପ୍ରଶାସନର ସମର୍ଥନ ଥାଏ । ବିଦ୍ୟାଳୟ-ମୁକ୍ତ କରିବାକୁ ହେଲେ ଏପରି ଧାରାକୁ ବିପରୀତମୁଖୀ କରାଇବାକୁ ହେବ ଏବଂ ଯେଉଁ ଭୌତିକ ଶିକ୍ଷଣ ସମ୍ବଳ ଗୁଡ଼ିକୁ ଶିକ୍ଷାଦାନ ଉପକରଣରେ ପରିଣତ କରାଯାଇଛି ସେଗୁଡ଼ିକୁ ଅବାଧରେ ଶିକ୍ଷାର୍ଥୀମାନଙ୍କ ସ୍ୱ-ଶିକ୍ଷଣ ପାଇଁ ଉପଲବ୍ଧ କରାଇବାକୁ ହେବ । ଶୈକ୍ଷିକ ଉପକରଣ ଉପରେ ବିଦ୍ୟାଳୟର ନିୟନ୍ତ୍ରଣକୁ ସୀମିତ କରିବାକୁ ହେବ ।

 

୨. ଦକ୍ଷତା ବିନିମୟ

 

ଲୋକମାନଙ୍କୁ ସେମାନଙ୍କର ଦକ୍ଷତାର ତାଲିକା ପ୍ରସ୍ତୁତ କରିବା, ସେହି ଦକ୍ଷତା ଗୁଡ଼ିକୁ ହାସଲ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ କେଉଁ ପରିସ୍ଥିତିରେ ସେମାନେ ସହାୟତା ପ୍ରଦାନ କରିପାରିବେ ଏବଂ କେଉଁ ଠିକଣାରେ ଶିକ୍ଷାର୍ଥୀମାନେ ସେହି ଲୋକମାନଙ୍କୁ ପାଇବେ ସେସବୁ ନିର୍ଦ୍ଦିଷ୍ଟ କରିବେ । ଦକ୍ଷତା ଶିଖାଉଥିବା କୁଶଳୀ ବ୍ୟକ୍ତିମାନେ ଶିକ୍ଷଣ ସାମଗ୍ରୀମାନଙ୍କଠାରୁ ଭିନ୍ନ କିସମର ଶିକ୍ଷଣ ସମ୍ବଳ ଅଟନ୍ତି । ଶିକ୍ଷକଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ସହିତ ବିଭିନ୍ନ ମାଧ୍ୟମରେ ସମ୍ପର୍କ ପ୍ରତିଷ୍ଠା କରିବାକୁ ହୋଇଥାଏ । ଗୋଟିଏ ସାମଗ୍ରୀ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କିଣିବାକୁ ମିଳିଥାଏ କିନ୍ତୁ ଜଣେ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ଶିଖାଇବାକୁ ସମ୍ମତ ହେଲେ ଯାଇ ସେ ଦକ୍ଷତା ଶିକ୍ଷକ ହୋଇଥାନ୍ତି ଓ ଶିକ୍ଷଣ ପାଇଁ ସମୟ, ସ୍ଥାନ ଏବଂ ପଦ୍ଧତି ତାଙ୍କ ଉପରେ ନିର୍ଭର କରିଥାଏ । ପୁନଶ୍ଚ ଏପରି ଶିକ୍ଷକଙ୍କର ଦକ୍ଷତା ଥିବା ସହିତ ପଦ୍ଧତି ସେସବୁକୁ ପ୍ରଦର୍ଶନ କରିବା ଓ ଯୋଗାଯୋଗ କରିବାରେ ସେମାନେ ସୁଦକ୍ଷ ହୋଇଥିବେ ।

 

ବର୍ତ୍ତମାନର ବିଦ୍ୟାଳୟରେ ଏପରି ଦକ୍ଷତା ଶିକ୍ଷକଙ୍କର ଘୋର ଅଭାବ ଦେଖାଯାଏ କାରଣ ଯେଉଁମାନେ ଦକ୍ଷତା ସମ୍ପନ୍ନ ସେମାନଙ୍କର ଆନୁଷ୍ଠାନିକ ସାର୍ଟିଫିକେଟ୍ ନଥିଲେ ସେମାନେ ଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ ବୋଲି ଧରିନିଆଯାଇଛି । ଏହି ଦୃଷ୍ଟିରୁ ବିଦ୍ୟାଳୟ ଦକ୍ଷବ୍ୟକ୍ତିର ଅଭାବ ସୃଷ୍ଟି କରୁଛି । ଆଉ ମଧ୍ୟ ଶିକ୍ଷକମାନଙ୍କଠାରୁ ସାର୍ଟିଫିକେଟ୍ ଦାବି କରିବା ଦ୍ୱାରା ଦକ୍ଷତା ଶିକ୍ଷକଙ୍କର ଅଭାବ ହେଉଥିବା ସହିତ ବିଦ୍ୟାଳୟରେ ଦକ୍ଷତାଗୁଡ଼ିକର ଯଥେଷ୍ଟ ଅଭାବ ଦେଖାଦେଉଛି । ଯଦି ଜଣେ ନର୍ସ ତାଙ୍କର ଅଭିଜ୍ଞତା ଓ ଦକ୍ଷତା ଦ୍ଵାରା ଅନ୍ୟ ଇଚ୍ଛୁକ ପିଲାମାନଙ୍କୁ ସେବାର ବିଭିନ୍ନ ଦକ୍ଷତା ଶିକ୍ଷା ଦିଅନ୍ତି, ଏପରି ଶିକ୍ଷାର୍ଥୀମାନେ ଚିକିତ୍ସା ସେବାରେ ଅଧିକ ଦକ୍ଷ ଓ ଅଭିପ୍ରେରିତ ହୋଇପାରନ୍ତେ । ସାର୍ଟିଫିକେଟ୍ ପ୍ରଦାନ ଦ୍ଵାରା ଏପରି ଦକ୍ଷତା ବିନିମୟ ବାଧାପ୍ରାପ୍ତ ହୋଇଥାଏ ।

 

ଦକ୍ଷତା ବିନିମୟ ପାଇଁ ଦୁଇଟି ସରଳ ଉପାୟ ଅବଲମ୍ବନ କରାଯାଇପାରେ । ଗୋଟିଏ ହେଉଛି ଦକ୍ଷତା ବିନିମୟ ପାଇଁ ମାଗଣା ଦକ୍ଷତା ବିନିମୟ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇପାରେ, ବିଶେଷ କରି ଶିଳ୍ପାଞ୍ଚଳ ମାନଙ୍କରେ ଏପରି କେନ୍ଦ୍ରମାନ ରହିବା ଉଚିତ ହେବ । ଏହାଦ୍ଵାରା ଇଚ୍ଛୁକ ବ୍ୟକ୍ତିମାନେ ନିଜର ଇଚ୍ଛା ଅନୁସାରେ ଦକ୍ଷତା ଚୟନ କରି ଶିଖିବାରେ ପ୍ରୟାସୀ ହୋଇପାରିବେ । ଅନ୍ୟଟି ହେଉଛି ଦକ୍ଷତା ବିନିମୟ ପାଇଁ ଏକ ‘ବ୍ୟାଙ୍କ’ ପ୍ରତିଷ୍ଠା କରିବା । ଏଥିରେ ପ୍ରତ୍ୟେକ ନାଗରିକଙ୍କୁ କିଛି ସର୍ବନିମ୍ନ ଜମା ଦିଆଯିବ ଯାହାଦ୍ୱାରା ସେ କିଛି ମୌଳିକ ଦକ୍ଷତା ହାସଲ କରିପାରିବେ । ଏହାଠାରୁ ଅଧିକ ଜମା ସେହି ବ୍ୟକ୍ତିମାନଙ୍କୁ ମିଳିବ ଯେଉଁମାନେ ନିଜେ ହାସଲ କରିଥିବା ଦକ୍ଷତା ସବୁକୁ ଅନ୍ୟମାନଙ୍କୁ ଶିଖାଇ ପାରୁଥିବେ । ସଙ୍ଗଠିତ କେନ୍ଦ୍ରମାନଙ୍କରେ ବା ଘରୋଇଭାବେ ନିଜ ଘରେ କିମ୍ବା ଖେଳପଡ଼ିଆରେ ଏସବୁ ଦକ୍ଷତା ଶିଖାଇ ପାରୁଥିବେ । ଏହି ଅଧିକ ଜମାରେ ସେ ଉଚ୍ଚତର ଦକ୍ଷତାମାନ ହାସଲ କରିବାରେ ବ୍ୟୟ କରିପାରିବେ । ଏସବୁର ମୂଳଲକ୍ଷ୍ୟ ହେଉଛି ହାସଲ କରିଥିବା ଦକ୍ଷତାର ବିନିମୟ ମାଧ୍ୟମରେ ଉଚ୍ଚତର ଦକ୍ଷତା ହାସଲ କରିବାର ଏକ ନିରନ୍ତର ପ୍ରଚେଷ୍ଟା ଜାରି ରଖିବା ।

 

୩. ସହପାଠୀ ମେଳକ :

 

ଏହା ଯୋଗାଯୋଗର ଏପରି ଏକ ନେଟ୍‌ୱାର୍କ ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ନିଜେ ଶିଖିବା ପାଇଁ ଇଚ୍ଛୁକ ଶିକ୍ଷଣ କାର୍ଯ୍ୟାବଳୀକୁ ବର୍ଣ୍ଣନା କରି ସେହି କାର୍ଯ୍ୟରେ ଅଧିକ ଅନୁସନ୍ଧାନ ପାଇଁ ଭାଗୀଦାରୀମାନଙ୍କୁ ଖୋଜି ପାରନ୍ତି । ଜଣେ ଉତ୍ତମ ଚେସ୍ ଖେଳାଳୀ ନିଜସ୍ତରର ଖେଳାଳୀ ସହ ଖେଳିବା ପାଇଁ ଭଲ ପାଆନ୍ତି । ସେହିପରି ନୂତନ ଚେସ୍ ଖେଳାଳୀ ଅନ୍ୟଜଣେ ପ୍ରଥମ କରି ଚେସ୍ ଖେଳୁଥିବା ବ୍ୟକ୍ତି ସହ ଖେଳିବାକୁ ପସନ୍ଦ କରିଥାନ୍ତି । ଏପରି ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର ଦକ୍ଷତା ସ୍ତରର ଅନ୍ୟଜଣେ ବ୍ୟକ୍ତି ସହ ସେହି ଦକ୍ଷତାର ବିଭିନ୍ନ ଶିକ୍ଷଣ ସମସ୍ୟାର ସମାଧାନ ଖୋଜିବାକୁ ଶ୍ରେୟସ୍କର ମନେ କରିଥାନ୍ତି । ବିଦ୍ୟାଳୟରେ ମଧ୍ୟ ଏଭଳି ସାଥୀ ଖୋଜିବା ପାଇଁ ସୁଯୋଗ ଦିଆଯାଇଥାଏ । ଶ୍ରେଣୀରେ ସହପାଠୀମାନଙ୍କ ମଧ୍ୟରୁ ସାଧୁବାଛିବା ପାଇଁ ଶିକ୍ଷକଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ ଏପରି ଦଳ (ଶ୍ରେଣୀ) ଗଠିତ ହୋଇଥାଏ । ଏଥିରେ ବୟସ, ଲିଙ୍ଗ, ଦକ୍ଷତା ଆଦି ବିଭିନ୍ନ ନିୟନ୍ତ୍ରଣ ଦ୍ଵାରା ଦଳଗଠିତ ହୋଇଥିବାରୁ ପିଲାଟିଏ ମୁକ୍ତଭାବେ ନିଜର ସାଥୀ ଖୋଜିବା କଷ୍ଟକର ହୋଇଥାଏ ।

 

ଦକ୍ଷତା ଶିକ୍ଷା ଓ ଦକ୍ଷତା ବିନିମୟ କାର୍ଯ୍ୟରେ କିଛି ଅର୍ଥର ଆବଶ୍ୟକ ହୋଇଥାଏ କିନ୍ତୁ ସହପାଠୀ ମେଳକ ବ୍ୟବସ୍ଥାରେ ଆଦୌ କୌଣସି ଅର୍ଥର ଆବଶ୍ୟକ ହୋଇନଥାଏ, କେବଳ ଏକ ଯୋଗାଯୋଗ ନେଟ୍‌ୱାର୍କ ଦରକାର ପଡ଼ିଥାଏ । ବର୍ତ୍ତମାନର କମ୍ପୁଟର ନେଟ୍‍ୱାର୍କ ମାଧ୍ୟମରେ ସହପାଠୀ ଖୋଜିବା ବେଶ୍ ସୁଗମ ହୋଇଗଲାଣି । ବୟସ, ଲିଙ୍ଗ, ଗୋଷ୍ଠୀ, ସ୍ଥାନ ନିର୍ବିଶେଷରେ ନିର୍ଦ୍ଦିଷ୍ଟ ଦକ୍ଷତାରେ ଆଗ୍ରହୀ ବ୍ୟକ୍ତିମାନେ ସାଥୀ ହେବାର ଯଥେଷ୍ଟ ସୁଯୋଗ କମ୍ପୁଟର ମାଧ୍ୟମରେ ମିଳିପାରୁଛି ।

 

ସାଥୀ ମେଳକର ଅନ୍ୟ ଏକ ଉପାୟ ହେଉଛି ସଭା, ସମିତି, ମିଟିଂ ଭଳି ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଏକତ୍ରିତ ହେବା ଏବଂ ତାହାରି ମାଧ୍ୟମରେ ଦକ୍ଷତା ଭିତ୍ତିକ ସମଭାବାପନ୍ନ ଆଗ୍ରହୀ ସହପାଠୀ ବାଛିବା ସମ୍ଭବ ହୋଇଥାଏ । ବିଦ୍ୟାଳୟରେ ଏପରି ଏକତ୍ରିତ ହେବାର ସୁଯୋଗ ଯଥେଷ୍ଟ ଥିଲେ ହେଁ ସମସ୍ତ ଦଳଗତ କାର୍ଯ୍ୟ ଶିକ୍ଷକ ନିର୍ଦ୍ଦେଶିତ ଓ ନିୟନ୍ତ୍ରିତ ହୋଇଥାଏ । ସେଥିପାଇଁ ଏକତ୍ରିତ ହୋଇଥିବାର ଲକ୍ଷ୍ୟ ବହିର୍ଭୂତ କୌଣସି ଯୋଗାଯୋଗ କ୍ଵଚିତ ସମ୍ଭବ ହୋଇଥାଏ । ଏହି ଦୃଷ୍ଟିରୁ ବିଦ୍ୟାଳୟ-ମୁକ୍ତ ହେବାର ଅନ୍ୟ ଏକ ଅର୍ଥ ହେଉଛି ଜଣେ ବ୍ୟକ୍ତିଙ୍କର ଅନ୍ୟଜଣେ ବ୍ୟକ୍ତିଙ୍କୁ ଏକ ମିଟିଂରେ ଯୋଗଦେବା ପାଇଁ ବାଧ୍ୟ କରିବାର କ୍ଷମତାକୁ ଲୋପ କରିବା-

 

ଏକ ବିଦ୍ୟାଳୟ-ମୁକ୍ତ ସମାଜରେ ପେଶାଦାରମାନେ ନିଜର ପାଠରେ ହାସଲ କରିଥିବା ସାର୍ଟିଫିକେଟ ପାଇଁ ସେମାନଙ୍କର ଗ୍ରାହକମାନଙ୍କର ବିଶ୍ୱାସଭାଜନ ହେବେନାହିଁ । ସାଥୀ ପେଶାଦାରଙ୍କ ଉପରେ ଭରସା କରିବା ପରିବର୍ତ୍ତେ, ଯେକୌଣସି ସମୟରେ ଜଣେ ପେଶାଦାର ଅନ୍ୟଜଣେ ଅଭିଜ୍ଞ ଗ୍ରାହକଙ୍କ ସହ ପରାମର୍ଶ କରିବା ପାଇଁ ପସନ୍ଦ କରିବେ । ଏପରି ପରାମର୍ଶ କମ୍ପ୍ୟୁଟର ବା ଅନ୍ୟ ଯେକୌଣସି ନେଟ୍‍ୱାର୍କ ଦ୍ୱାରା ସମ୍ଭବ ହୋଇପାରେ ।

 

୪. ଶିକ୍ଷକଙ୍କ ପାଇଁ ସୂଚନା ସେବା ।

 

ସାମଗ୍ରୀକ ଭାବେ ସମସ୍ତ ବୃତ୍ତିଧାରୀ ଶିକ୍ଷକ, ଅର୍ବପେଶାଦାର ଶିକ୍ଷକ ଓ ଅନ୍ୟ ସ୍ୱେଚ୍ଛାସେବୀ ଶିକ୍ଷକମାନଙ୍କର ଠିକଣା ଓ ଆତ୍ମ ବିବରଣୀ ସହ ଏକ ସୂଚନାପୁସ୍ତିକା ପ୍ରଣୟନ କରାଯାଇପାରେ ଯେଉଁଥିରେ ସେମାନଙ୍କର ସେବା ଉପଲବ୍ଧ ସମ୍ପର୍କରେ ମଧ୍ୟ ସୂଚନା ଥିବ । ଏପରି ଶିକ୍ଷକମାନଙ୍କର ନାମ ସେମାନଙ୍କର ପୂର୍ବତନ ଶିକ୍ଷାର୍ଥୀମାନଙ୍କ ଠାରୁ ମଧ୍ୟ ସଂଗ୍ରହ କରିହେବ ।

 

ନାଗରିକମାନଙ୍କର ନୂତନ ବିକଳ୍ପ ଶିଖିବା ପାଇଁ ନୂତନ ସୁଯୋଗ ମିଳୁଥିବା ବେଳେ ସେମାନଙ୍କୁ ନେତୃତ୍ଵ ଦେବା ବ୍ୟକ୍ତିମାନଙ୍କର ଅନ୍ୱେଷଣ ମଧ୍ୟ ବୃଦ୍ଧି ପାଇବା ସ୍ଵାଭାବିକ । ଆଶାକରାଯାଏ ଯେ ନିଜର ସ୍ୱାଧୀନତା ଓ ନିଜ ପାଇଁ ନିର୍ଦ୍ଦେଶନାର ଆବଶ୍ୟକତା ସମ୍ପର୍କରେ ସେମାନଙ୍କର ଗଭୀର ଅଭିଜ୍ଞତା ହାସଲ କରିବେ । ବିଦ୍ୟାଳୟ ମୁକ୍ତିକରଣରେ ସ୍ୱତନ୍ତ୍ର ବିଶେଷ ଜ୍ଞାନଥିବା ବ୍ୟକ୍ତିମାନଙ୍କର ଆବଶ୍ୟକତା ଅଧିକ ଅନୁଭୂତ ହେବ ଯେଉଁମାନେ କି ନବାଗତମାନଙ୍କୁ ସେମାନଙ୍କର ଶିକ୍ଷାପ୍ରୟାସକୁ ଅବଧାରଣ କରିବାରେ ସେଚ୍ଛାକୃତଭାବେ ସହାୟକ ହୋଇପାରିବେ-। ବର୍ତ୍ତମାନର ବିଦ୍ୟାଳୟ ଶିକ୍ଷକ ଏହି ଭୂମିକା ସଂପାଦନ କରିବାରେ ସମର୍ଥ ନୁହନ୍ତି-। ବିଦ୍ୟାଳୟର ବିକଳ୍ପ ବୃଦ୍ଧି ସହିତ ଏପରି ବିଶେଷଜ୍ଞଙ୍କର ଚାହିଦା ମଧ୍ୟ ବୃଦ୍ଧି ପାଇବା ସ୍ୱାଭାବିକ ।

 

ପିତାମାତାମାନେ ସେମାନଙ୍କର ପିଲାମାନଙ୍କ ଶୈକ୍ଷିକ ସ୍ଵାଧୀନତା ହାସଲ ପଥରେ ନେବା ପାଇଁ ନିର୍ଦ୍ଦେଶନାର ଆବଶ୍ୟକତା କରିବାବେଳେ ଶିକ୍ଷାର୍ଥୀମାନେ ସେମାନଙ୍କର ଶୈକ୍ଷିକ ସମସ୍ୟା ସମାଧାନ ପାଇଁ ଅଭିଜ୍ଞ ନେତୃତ୍ୱର ଆବଶ୍ୟକତା ଅନୁଭବ କରିଥାନ୍ତି । ଏହି ଦୁଇଟି ଆବଶ୍ୟକତା ସ୍ୱତନ୍ତ୍ର–ପ୍ରଥମଟି ଶିକ୍ଷାତତ୍ତ୍ୱର ଆବଶ୍ୟକତା ଏବଂ ଦ୍ୱିତୀୟଟି ଜ୍ଞାନର ଅନ୍ୟ ସମସ୍ତ କ୍ଷେତ୍ରରେ ବୌଦ୍ଧିକ ନେତୃତ୍ୱର ଆବଶ୍ୟକତା ।

 

ପ୍ରଥମ କାର୍ଯ୍ୟଟି ସଂପାଦନ କରିବା ପାଇଁ ଶିକ୍ଷଣ ସମ୍ବଳ ଓ ଶିକ୍ଷଣତତ୍ତ୍ୱ ସମ୍ପର୍କିତ ଜ୍ଞାନର ଆବଶ୍ୟକତା ଥିଲାବେଳେ ଦ୍ୱିତୀୟଟି ପାଇଁ ଅନୁଭୂତି ଉପରେ ପର୍ଯ୍ୟବସିତ ପ୍ରଜ୍ଞାର ଆବଶ୍ୟକତା ରହିଛି ।

 

ଲେଖକ ଶିକ୍ଷାକ୍ଷେତ୍ରରେ ଆବଶ୍ୟକ ତିନି ପ୍ରକାରର ସ୍ଵତନ୍ତ୍ର ଦକ୍ଷତା ବିଷୟରେ କହିଛନ୍ତି-

 

(୧) ଶୈକ୍ଷିକ ବିନିମୟ ବ୍ୟବସ୍ଥା ବା ଶିକ୍ଷାଜାଲ ସୃଷ୍ଟି କରିବା ଓ ଏହାକୁ କାର୍ଯ୍ୟକ୍ଷମ କରାଇବା ।

 

(୨) ଶିକ୍ଷାର୍ଥୀ ଓ ପିତାମାତାଙ୍କୁ ଶିକ୍ଷା-ଜାଲ ବ୍ୟବହାର କରି ଶୈକ୍ଷିକ ସାଧନା ପାଇଁ ଦିଗ୍‍ଦର୍ଶନ ଦେବା ଏବଂ

 

(୩) ନିଜର ସଶକ୍ତିକରଣ ପାଇଁ କଠିନ ବୌଦ୍ଧିକ ଅନ୍ୱେଷଣ କରିବା ।

 

ଏହିସବୁ ଦକ୍ଷତା ଥିବା ବ୍ୟକ୍ତି ବିଶେଷ ସ୍ୱାଧୀନ ଶିକ୍ଷାବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ । ବିଦ୍ୟାଳୟ ଗ୍ରହଣ କରିନଥିବା କେତେକ ବ୍ୟକ୍ତି ଏହି ସେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଆନୁଷ୍ଠାନିକ ପ୍ରମାଣପତ୍ର ହାସଲ କରିଥିବା କେତେକ ବ୍ୟକ୍ତି ବିଶେଷ ଏହି ସେବା ପାଇଁ ଅନୁପଯୁକ୍ତ ହୋଇପାରନ୍ତି ।

 

ଏଠାରେ ଶିକ୍ଷାର୍ଥୀ-ଶିକ୍ଷକ ସମ୍ପର୍କ ବୌଦ୍ଧିକ ବିନିମୟ ମଧ୍ୟରେ ସୀମିତ ରହିବ ନାହିଁ । ଶିକ୍ଷାର୍ଥୀ ଓ ଶିକ୍ଷକ ଏକ ନୈତିକ ବନ୍ଧୁତ୍ଵରେ ବାନ୍ଧିହୋଇ ଶିକ୍ଷା ସାଧନା କରିବେ ଓ ଉଭୟଙ୍କ ପାଇଁ ଏହା ଏକ ଗୌରବର ସାଧନା ବୋଲି ବିଚାରିବେ । ବିଦ୍ୟାଳୟ ଶିକ୍ଷା ବାଧ୍ୟତାମୂଳକ ନହେଲେ, ଶିକ୍ଷାର୍ଥୀମାନେ ତାଙ୍କ ଇଚ୍ଛାନୁସାରେ କେବଳ ଭଲ ଶିକ୍ଷକଙ୍କ ଶ୍ରେଣୀରେ ରହିବେ; ଫଳରେ ଦକ୍ଷତା ନଥିବା ଶିକ୍ଷକମାନେ ବିଦ୍ୟାଳୟତ୍ୟାଗୀ ହେବାକୁ ବାଧ୍ୟହେବେ ।

 

ବିଦ୍ୟାଳୟ ମୁକ୍ତକରଣ ଅଭିଯାନ ବହୁତ ଶୀଘ୍ର ଆରମ୍ଭ ହେବ । ଏହି ଅଭିଯାନକୁ କେହି ରୋକି ପାରିବେ ନାହିଁ । ଫଳରେ ଏକ ନୂତନ ସାହସିକ ଦୁନିଆଁର ଆବିର୍ଭାବ ଘଟିବ । ମାତ୍ର ଏହି ଦୁନିଆଁ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଅଗ୍ରସର ହେବାକୁ ପଡ଼ିବ । ଯଥା–୧) ଶିକ୍ଷା ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ବ୍ୟକ୍ତି ଓ ଅନୁଷ୍ଠାନର ପ୍ରଭାବରୁ ମୁକ୍ତ ହେବା ୨) ଆବଶ୍ୟକତାନୁଯାୟୀ ମୁକ୍ତ କୌଶଳ ଆଦାନପ୍ରଦାନର ପରିବେଶ ସୃଷ୍ଟି କରିବା ୩) ଜନସାଧାରଣଙ୍କ ଭିତରେ ଥିବା ସୂକ୍ଷ୍ମ, ସୃଜନଶୀଳ ପ୍ରତିଭାକୁ ବ୍ୟକ୍ତି ନିଷ୍ଠଭାବରେ ସ୍ଵୀକୃତି ଦେବା ଓ କାର୍ଯ୍ୟରେ ଲଗାଇବା ୪) ବ୍ୟକ୍ତି ଜୀବନକୁ ଆନୁଷ୍ଠାନିକ ପ୍ରଭାବରୁ ମୁକ୍ତ ରଖି ବ୍ୟକ୍ତିକୁ ତାର ନିଜସ୍ୱ ବିଚାରରେ ଓ ସାଙ୍ଗସାଥୀଙ୍କ ସହାୟତାରେ ଜୀବନକୁ ଗଢ଼ିବା ପାଇଁ ସୁଯୋଗ ଦେବା ।

 

ସ୍କୁଲ-ବିହୀନ ସମାଜ ପରିପ୍ରେକ୍ଷୀରେ ମଣିଷର ପ୍ରତିଛବିର ପୁନଃସମୀକ୍ଷା ଆବଶ୍ୟକ । ସ୍କୁଲରେ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କର ନିଜସ୍ ଢଙ୍ଗରେ ବଢ଼ିବାର ସ୍ୱାଧୀନତା ନାହିଁ ବା ଅଭିପ୍ରେରଣା ନାହିଁ । ନିଜସ୍ୱ ଢଙ୍ଗରେ ନିଜକୁ ଗଢ଼ିବା ପାଇଁ ଲେଖକ ବିକଳ୍ପ ସଂଚାର ତରଙ୍ଗର ପ୍ରସ୍ତାବ ଦେଇଥିଲେ ହେଁ ମଣିଷର ଅନ୍ତକରଣରୁ ନୂତନଧାରା ନିର୍ଗତ ହେଉବୋଲି ଆଶାକରନ୍ତି ଯାହା ପାଇଁ କୌଣସି ଯୋଜନା କରିହେବ ନାହିଁ ବା ଯାହାକୁ ସୃଷ୍ଟି କରାଯାଇ ପାରିବ ନାହିଁ ।

 

ନୂତନ ମଣିଷର ଅଭ୍ୟୁଦୟ

 

ଦୁଇଭାଇ ପ୍ରୋମେଥିଅସ୍ ଓ ଏପିମେଥିଅସ୍; ଗ୍ରୀକ ଗଳ୍ପର ଦୁଇଟି ଚରିତ୍ର । ପ୍ରୋମେଥିଅସ୍ ଆଶା, ଦୂରଦୃଷ୍ଟି, ସାହାସର ପ୍ରତୀକ ହୋଇଥିବାବେଳେ ଏପିମେଥିଅସ୍, ପ୍ରତ୍ୟାଶା, ପଶ୍ଚାତ୍ ଦୃଷ୍ଟିର ପ୍ରତୀକ । ଦେବୀ ପାଣ୍ଡୋରା ପୃଥିବୀକୁ ଆସନ୍ତି–ହାତରେ ଏକ ନିବୁଜ ବାକ୍ସ ଧରି । ବାକ୍ସଟି ଭିତରେ ମଣିଷଜାତି ପାଇଁ ଯେତେସବୁ ମନ୍ଦ, ତାହା ଭରି ହୋଇଥାଏ । ସେଥିରେ କେବଳ ଗୋଟିଏ ଭଲ କଥା ଥାଏ, ତାହା ହେଉଛି ‘ଆଶା’ । ପୃଥିବୀକୁ ଆସି ପାଣ୍ଡୋରାଙ୍କର ବାକ୍ସ ଖୋଲିବା ସଙ୍ଗେ ସଙ୍ଗେ ଯେତେସବୁ ମନ୍ଦକଥା ସେଥିରେ ଭରି ହୋଇ ରହିଥିଲା, ସେସବୁ ଗ୍ରୀସ୍ ଦେଶର ପାଣି ପବନରେ ମିଶିଗଲା । । କିନ୍ତୁ ‘ଆଶା’ଟି ସେଥିରୁ ବାହାରିବା ପୂର୍ବରୁ ବାକ୍ସଟିକୁ ବନ୍ଦ ହୋଇଗଲା । ଆଶା ମଉଳିଯାଏ ଓ ପ୍ରତ୍ୟାଶା ବଢ଼ିଯାଏ । ପ୍ରୋମେଥିଅସ୍‍ ଏପିମେଥିଅସ୍‍କୁ ପାଣ୍ଡୋରାକୁ ଏକାକିନୀ କରି ଛାଡ଼ିଦେବାକୁ କୁହନ୍ତି; କିନ୍ତୁ ଏପିମେଥିଅସ୍ ପାଣ୍ଡୋରାକୁ ବିବାହ କରନ୍ତି । ପ୍ରୋମେଥିଅସ୍‍ ଦେବତାଙ୍କ ଚକ୍ରାନ୍ତ ବିରୁଦ୍ଧରେ ଯାଇ ସ୍ୱର୍ଗରୁ ଅଗ୍ନି ଚୋରି କରନ୍ତି, ଟେକ୍ନୋଲୋଜିର ଅଗ୍ରଦୂତ ହୁଅନ୍ତି ଓ ପରେ ସେଥିପାଇଁ ଦେବତାଙ୍କର ବନ୍ଦୀ ହୋଇରହନ୍ତି । ସମୟକ୍ରମେ ଏପିମେଥିଅସ୍ ଓ ପାଣ୍ଡୋରାଙ୍କ ଔରସରୁ ଜନ୍ମ ନିଅନ୍ତି କନ୍ୟା ପାଇରା ଓ ତାଙ୍କର ଯୋଗାଯୋଗ ହୁଏ ପ୍ରୋମେଥିଅସ୍‍ଙ୍କ ପୁତ୍ର ଜିଓକାଲିଅନ୍‍ଙ୍କ ସହ । ଆରମ୍ଭ ହୁଏ ଯୁଗାନ୍ତର ।

 

ଲେଖକ ଏହି ପୃଷ୍ଠଭୂମିରେ ଆଶା ଓ ପ୍ରତ୍ୟାଶା ଭିଭିରେ ଅନ୍ତର ଦର୍ଶାଇ ବିଦ୍ୟାଳୟ ଜୀବନ ସମାଜ ଗଠନ ପାଇଁ ପଥପରିଷ୍କାର କରିବାର ପ୍ରୟାସ କରିଛନ୍ତି । ପ୍ରକୃତିର ବିଶାଳତା ଓ ମହାନତା ଉପରେ ଆସ୍ଥା ପ୍ରକଟ କରି ଆଗେଇବା ହିଁ ଆଶା । କିନ୍ତୁ ପ୍ରତ୍ୟାଶା ହେଉଛି ଯୋଜନାବନ୍ଧ ନିୟନ୍ତ୍ରିତ ମାନବୀୟ ଉଦ୍ୟମର ଫଳାଫଳ ଉପରେ ବିଶ୍ୱାସ ରଖିବା ।

 

ଆଦିମ ମଣିଷ ଆଶାକୁ ଆଧାର କରି ବଞ୍ଚିଥିଲା । ତାର ବଞ୍ଚିବା ବଢ଼ିବା ପାଇଁ ସେ ପ୍ରକୃତି ଉପରେ ନିର୍ଭରଶୀଳ ଥିଲା । ଥରେ ପ୍ରକୃତିର ମନ୍ଦର ସଞ୍ଚରଣ ହେବାପରେ ତା’ର ଆଶା ମଉଳିଗଲା । ମାତ୍ର ଏହି ବିଷମୟସ୍ଥିତି ସହିତ ଖାପ୍‍ଖାଇ ଚଳିବା ପାଇବା ପାଇଁ ସେ ବିଭିନ୍ନ ପ୍ରତିଷ୍ଠାନ ଗଢ଼ିଲା । ନିଜର ଶକ୍ତି ଓ ସାମର୍ଥ୍ୟର ପରିଚୟ ପାଇଲା । ନିଜ ପାଇଁ ଓ ଭିବଷ୍ୟତ ବଂଶଧରଙ୍କ ପାଇଁ ଚିନ୍ତା କଲା । ବର୍ତ୍ତମାନର ଆହ୍ୱାନକୁ ମୁକାବିଲା କରିବା ପାଇଁ ନିଜ ଶିକ୍ଷାର ଦାୟିତ୍ୱ ନିଜେ ନେଲା । ବାସ୍ତବତାର ରୂପରେଖ ମଣିଷର ସିଦ୍ଧାନ୍ତ ଉପରେ ନିର୍ଭର କଲା ।

 

ଏହି ପୃଷ୍ଠଭୂମିରେ ଲେଖକ ବିଦ୍ୟାଳୟ ଉପରେ ଆଲୋକପାତ କରି ମତ ଦିଅନ୍ତି ଯେ ଆନୁଷ୍ଠାନିକ ଲକ୍ଷ୍ୟ ସର୍ବଦା ଆନୁଷ୍ଠାନିକ ଫଳାଫଳର ବିରୁଦ୍ଧାଚରଣ କରିଥାଏ । ଯେପରି ଦାରିଦ୍ର୍ୟ ନିବାରଣ ଯୋଜନା ଦାରିଦ୍ର୍ୟକୁ ବଢ଼ାଏ ବା ଜନ୍ତ୍ର ନିୟନ୍ତ୍ରଣ କ୍ଲିନିକ୍ ଜନ୍ମହାର ବଢ଼ାଇବାରେ ସାହାଯ୍ୟ କରେ ଓ ଲୋକ ସଂଖ୍ୟା ବଢ଼ାଏ, ଅନୁରୂପଭାବରେ ଶିକ୍ଷାଦାନ ଓ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ ହିଁ ପାଠତ୍ୟାଗୀଙ୍କ ସଂଖ୍ୟା ବଢ଼ାଏ । ତଥାପି ବିଦ୍ୟାଳୟରେ ମୂଲ୍ୟବୋଧର ଆନୁଷ୍ଠାନୀକରଣ ଚାଲିଥାଏ ଏବଂ ବିଦ୍ୟାଳୟରେ ଏହା ମାଧ୍ୟମରେ ଉପଯୁକ୍ତ ସମାଜ ପାଇଁ ଓ ସୁଖ ସ୍ଵାଚ୍ଛନ୍ଦର ଜୀବନ ଯାତ୍ରା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ନିତାନ୍ତ ଆବଶ୍ୟକ ବୋଲି ପ୍ରଚାର କରାଯାଏ । ମୂଲ୍ୟବୋଧର ଆନୁଷ୍ଠାନୀକରଣରେ ଦୃଢ଼ ଆସ୍ଥା ରଖିଥିବା ସମାଜ ଚାହିଦା ମେଣ୍ଟାଇବା ପାଇଁ ସେବା ଓ ବସ୍ତୁର ଅଧିକ ଉତ୍ପାଦନରେ ବିଶ୍ୱାସ କରିଥାଏ । ଉତ୍ପାଦିକାର ଆବଶ୍ୟକତା ପାଇଁ ଯେଉଁ ଶିକ୍ଷା ଦିଆଯାଏ ତାହା ସେହି ଉତ୍ପାଦିକାର ଦାମରେ ଅନ୍ତର୍ଭୁକ୍ତ ହୋଇଥାଏ । ବିଦ୍ୟାଳୟ ଏକ ବିଜ୍ଞାପନ ସଂସ୍ଥା ଯାହା ବିଶ୍ୱାସ ଦିଏ ଯେ ବର୍ତ୍ତମାନ ସ୍ଥିତିରେ ଥିବା ସମାଜ ହିଁ ଆମେ ଆବଶ୍ୟକ କରୁଥିବା ସମାଜ ଅଟେ । ଯେତେବେଳେ ମୂଲ୍ୟବୋଧ ଯୋଜନାବଦ୍ଧ ଭାବେ ଆନୁଷ୍ଠାନୀକରଣ ହୋଇଥାଏ, ଆଧୁନିକ ସମାଜର ସଦସ୍ୟମାନେ ବିଶ୍ୱାସ କରନ୍ତି ଯେ ଉତ୍ତମ ଜୀବନର ଏକ ଅଭିନ୍ନ ଅଙ୍ଗ ହେଉଛି ଅନୁଷ୍ଠାନ ଯାହା ବ୍ୟକ୍ତି ଓ ସମାଜ ଆବଶ୍ୟକ କରୁଥିବା ମୂଲ୍ୟବୋଧ ସୃଷ୍ଟିକରେ । ଆନୁଷ୍ଠାନିକ ମୂଲ୍ୟବୋଧ ସଂପୃକ୍ତ ଅନୁଷ୍ଠାନର ଉତ୍ପାଦର ସ୍ତର ଦ୍ଵାରା ସ୍ଥିରୀକୃତ ହୋଇଥାଏ । ମନୁଷ୍ୟର ଅନୁରୂପ ମୂଲ୍ୟବୋଧ ତା’ର ସେହି ଆନୁଷ୍ଠାନିକ ଉତ୍ପାଦସବୁକୁ ଉପଭୋଗ କରିବା ଓ ନଷ୍ଟ କରିବାର କ୍ଷମତା ଦ୍ଵାରା ମପାଯାଇଥାଏ । ବର୍ତ୍ତମାନର ମଣିଷ ନିଜକୁ ତା’ର ଯନ୍ତ୍ର ଦ୍ଵାରା ଉତ୍ପାଦିତ ମୂଲ୍ୟବୋଧକୁ ଧ୍ୱଂସ କରିବାର ଫର୍ଣ୍ଣେସଭାବେ କାର୍ଯ୍ୟକରୁଛି । ଆଧୁନିକ ମଣିଷ ପ୍ରୋମେଥିଅସ୍‍ ଭଳି ନିଜର ଦକ୍ଷତାକୁ ନିଜର ଧ୍ୱଂସ ସାଧନ ପାଇଁ ବ୍ୟବହାର କରୁଛି । ଏଥିରୁ ରକ୍ଷାପାଇବା ଲାଗି ମୂଲ୍ୟବୋଧର ଅଣଆନୁଷ୍ଠାନୀକରଣର ଆବଶ୍ୟକତା ଅନିବାର୍ଯ୍ୟ । (ପୃ-୧୧୬)

 

ପ୍ରୋମେଥିଅସ୍‌ଙ୍କୁ ସାଧାରଣତଃ ‘ଦୂରଦୃଷ୍ଟି ଓ ଅସମ୍ଭବ ସମ୍ଭବ କର୍ତ୍ତା ଭାବେ ଚିନ୍ତା କରାଯାଏ । କିନ୍ତୁ ସେ ଦେବତାଙ୍କର ଅଗ୍ନିର ଏକଚାଟିଆ ଅଧିକାର କ୍ଷୁର୍ଣ୍ଣ କରି, ମଣିଷମାନଙ୍କୁ ଏହାକୁ ଲୌହ ପ୍ରସ୍ତୁତ କରିବା ପାଇଁ ଶିକ୍ଷାଦେଇ ଟେକ୍‌ନୋଲୋଜିର ଦେବତା ହୋଇଗଲେ ସିନା, ଦେବତାଙ୍କ ରୋଷରେ ନିଜସୃଷ୍ଟ ଲୁହାକଡ଼ିରେ ବନ୍ଧା ହୋଇ ପଡ଼ିଲେ । ନିଜର ଉଦ୍ଭାବନର କଏଦୀ ହୋଇ ରହିଲେ ।

 

ଆମେ ବର୍ତ୍ତମାନ ଏପରି ବ୍ୟକ୍ତିକୁ ଚାହୁଁଛୁ ଯିଏ ପ୍ରତ୍ୟାଶା ଉପରାନ୍ତେ ଆଶାକୁ ଅଧିକ ମୂଲ୍ୟ ଦେଉଥିବେ । ଏପରି ବ୍ୟକ୍ତିଙ୍କୁ ଚାହୁଁ ଯିଏ ଉତ୍ପାଦ ଅପେକ୍ଷା ଲୋକମାନଙ୍କୁ ଅଧିକ ଭଲ ପାଉଥିବେ । ଯିଏ ଏପରି ପୃଥିବୀକୁ ଭଲପାଉଥିବେ ଯେଉଁଠାରେ ପରସ୍ପର ମଧ୍ୟରେ ସୁସମ୍ପର୍କ ଥିବ-। ଆମେ ଏପରି ଏକ ନାମ ଚାହୁଁ ଯେ ସେମାନଙ୍କର ପ୍ରୋମେଥିୟ ଭ୍ରାତାଙ୍କ ସଙ୍ଗରେ ଅଗ୍ନି ସଂଯୋଗ କରୁଥିବେ, ଲୁହାକୁ ଆକାର ଦେଉଥିବେ କିନ୍ତୁ ଏହା ସହିତ ଯତ୍ନଶୀଳ, ସ୍ନେହୀ ଏବଂ ଅନ୍ୟମାନଙ୍କୁ ସେବା କରୁଥିବେ । ଏପରି ସ୍ଵପ୍ନର ଆଶାୟୀ ଭାଇ ଭଉଣୀମାନଙ୍କୁ ଲେଖକ ଏପିମେଥିଆନ୍ ମଣିଷ ବୋଲି ଆଖ୍ୟା ଦେଇଛନ୍ତି । (ପୃ-୧୧୬)

 

ଶ୍ରୀ ଗୌରାଙ୍ଗଚରଣ ନନ୍ଦ

☆☆☆

 

Unknown

ଶିକ୍ଷା ପରିବର୍ତ୍ତେ

 

ଲେଖକ–ଜନ୍ ହୋଲ୍‍ଟ୍

 

Instead of Education: Ways to Help People Do Things Better

 

New York: John Holt. Dutton Books (1976)

 

ପୃଷ୍ଠା ସଂଖ୍ୟା–୨୪୯

 

John Caldwell Holt (ଅପ୍ରେଲ ୧୪, ୧୯୨୩ରୁ ସେପ୍ଟେମ୍ବର ୧୪, ୧୯୮୫) ନିୟୁୟର୍କର ଏକ ପରିବାରର ତିନିଟି ପିଲାଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ । ସେ ତାଙ୍କର ବାଲ୍ୟାବସ୍ଥା ଏବଂ ବିଦ୍ୟାଳୟ ଶିକ୍ଷା ଯୁକ୍ତରାଷ୍ଟ୍ର ଆମେରିକାର ଦିଉଇଂଲଣ୍ଡରେ କଟିଥିଲା । ସେ ଘରୋଇ ବିଦ୍ୟାଳୟରେ ପଢ଼ିଥିଲେ କିନ୍ତୁ ସେ ବିଦ୍ୟାଳୟ ନାମ କେବେହେଲେ ଉଲ୍ଲେଖ କରିନାହାନ୍ତି କାରଣ ସେ ତାହାକୁ ଅପ୍ରାସଙ୍ଗିକ ବୋଲି ଭାବୁଥିଲେ । ସେ ଏକଦା କହିଥିଲେ ‘..The things I am supposed to know so much about, I never learned in school’ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସେ ପ୍ରଶାନ୍ତ ମହାସାଗରରେ ତିନିବର୍ଷଧରି ଏକ ବୁଡ଼ାଜାହାଜରେ କାର୍ଯ୍ୟ କରୁଥିଲେ । ଯୁଦ୍ଧ ସମାପ୍ତି ପରେ ସେ United World federalists ସଂସ୍ଥାର ନିୟୁୟର୍କ ଶାଖାରେ କିଛି ବର୍ଷ ଚାକିରି କରି ତାର କାର୍ଯ୍ୟବାହୀ ନିର୍ଦ୍ଦେଶକ ଥିବାବେଳେ ସେହି କାର୍ଯ୍ୟପ୍ରତି ବିତସ୍ପୃହ ହୋଇ ଚାକିରି ତ୍ୟାଗ କରିଥିଲେ । ତାଙ୍କର ସାନ ଭଉଣୀଙ୍କର ପ୍ରରୋଚନାରେ କୋଲରାଡୋରେ ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିଲେ । କିଛି ବର୍ଷ ଶିକ୍ଷାଦାନ ପରେ ସେ କୋଲରାଡୋରୁ ବୋଷ୍ଟନ ଆସି ଜଣେ ଶିକ୍ଷକ ବିଲ୍‍ହଲଙ୍କ ସହ ମିଶି ଏକ ଶ୍ରେଣୀ ଗୃହ ପର୍ଯ୍ୟବେକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପରେ ଯୋଗ ଦେଇଥିବା ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ପଢ଼ାଇବା ବେଳେ ଅନ୍ୟମାନେ ପର୍ଯ୍ୟବେକ୍ଷଣ କରୁଥିଲେ । ତାଙ୍କର ବିସ୍ତୃତ ଶ୍ରେଣୀ ଗୃହ ପର୍ଯ୍ୟବେକ୍ଷଣ ନୋଟ୍‍ରୁ ସେ ୧୯୬୪ରେ ତାଙ୍କର ବିଖ୍ୟାତ ପୁସ୍ତକ How Children Fail ଲେଖିଥିଲେ ଓ ପରେ ବହୁ ପୁସ୍ତକ ରଚନା କରିଥିଲେ-

 

ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କର ଶୈକ୍ଷିକ ବିଫଳତାର କାରଣ କେବଳ ହିଁ ବିଦ୍ୟାଳୟ । ବାଧ୍ୟତାମୂଳକ ଶିକ୍ଷା କେବଳ ଯେ ପିଲାଙ୍କ ପ୍ରତି ଅମନଯୋଗୀ ସେତିକି ନୁହେଁ, ଏହା ପିଲାମାନଙ୍କର ପ୍ରଭୂତ କ୍ଷତି କରିଥାଏ ବୋଲି ସେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ଏବଂ ପରବର୍ତ୍ତୀ କାଳରେ ସେ ଗୃହବିଦ୍ୟାଳୟ ବା ଗୃହ ଓ ପରିବାରର ପରିବେଶରେ ପିଲାଟିଏ ଯାବତୀୟ ଜୀବନ ଅଭିଜ୍ଞତା ହାସଲ କରିବ ବୋଲି ପ୍ରତିପାଦନ କରିଛନ୍ତି ।

 

ତାଙ୍କର ପୁସ୍ତକମାନଙ୍କ ମଧ୍ୟରୁ How Children Learn, The Under-achieving School, Freedom and Beyond, Learning All the Time, Teach your Own ପ୍ରଣିଧାନ ଯୋଗ୍ୟ । Instead of Education ମୁଖ୍ୟତଃ ବାଧ୍ୟତାମୂଳକ ବିଦ୍ୟାଳୟ ଶିକ୍ଷା ବିରୁଦ୍ଧରେ ହିଁ ଏକ ଦୃଢ଼ ସ୍ୱର ଉତ୍ତୋଳନ କରିଛି ।

 

ଶିକ୍ଷା’ ନୁହେଁ ‘କର୍ମ’

 

ଏହି ପୁସ୍ତକଟି ଲୋକମାନଙ୍କର ଆତ୍ମ ନିର୍ଦ୍ଦେଶିତ, ଉଦ୍ଦେଶ୍ୟମୂଳକ, ଅର୍ଥପୂର୍ଣ୍ଣ ଜୀବନ ଏବଂ କାର୍ଯ୍ୟ ସପକ୍ଷରେ ଲେଖାଯାଇଛି । କେଉଁ ପରିସ୍ଥିତିରେ କାର୍ଯ୍ୟ କରିବେ ଏବଂ ସେଗୁଡ଼ିକୁ କିଭଳି ଅଧିକ ଉତ୍ତମ ଭାବରେ ସଂପାଦନ କରିପାରିବେ, ସେ ସମ୍ପର୍କରେ ଆଲୋଚନା କରାଯାଇଛି-। କର୍ମ ପାଇଁ ଏପରି ପରିସ୍ଥିତି ସୁହାଇବ ଯେଉଁଥିରେ ଅନ୍ୟମାନେ ଆମକୁ ଏବଂ ଆମେ ଅନ୍ୟମାନଙ୍କୁ ସହାୟତା ପ୍ରଦାନ କରିପାରିବା । ନିଶ୍ଚିତ ଭାବେ ଏଭଳି ପରିସ୍ଥିତି ବାଧ୍ୟତାମୂଳକ, ଯନ୍ତ୍ରଣାଦାୟକ ଏବଂ ପ୍ରତିଯୋଗୀତାମୂଳକ ବିଦ୍ୟାଳୟମାନଙ୍କରେ ଆଦୌ ନାହିଁ । ଏହି ପୁସ୍ତକ ଯେଉଁଥିରେ ଶିକ୍ଷଣ ବାସ୍ତବ ଜୀବନଠାରୁ ବିଚ୍ଛିନ୍ନ ହୋଇ ଲାଞ୍ଚ କିମ୍ବା ଧମକ, ପ୍ରଲୋଭନ ଏବଂ ଭୟର ଚାପରେ ସମ୍ଭବ ହେଉଥିବ, ଏପରି ଶିକ୍ଷା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛି ।

 

ଆଜି ସାରା ପୃଥିବୀରେ ଶିକ୍ଷା କହିଲେ କେତେକ ବ୍ୟକ୍ତି ନିଜସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ କିଛି ଶିଖାଇବାକୁ ଚେଷ୍ଟା କରୁଛନ୍ତି ଯାହା ସେମାନଙ୍କର ଶିଖିବା ଉଚିତ ବୋଲି ସେମାନେ ଭାବୁଛନ୍ତି-। ଏଭଳି ଶିକ୍ଷାକୁ ଅଧିକ ଫଳପ୍ରଦ ଏବଂ କାର୍ଯ୍ୟକ୍ରମ କରିବା ପାଇଁ ବା ଏହାର ସଂସ୍କାର କରିବା ଓ ଅଧୁକ ମାନବୀୟ କରିବାର ପ୍ରଚେଷ୍ଟାରେ ଅଛନ୍ତି । ଏହା ଅସମ୍ଭବ କାରଣ ଏହାର ଉଦ୍ଦେଶ୍ୟ ଆଦୌ ବିଜ୍ଞ କିମ୍ବା ମାନବୀୟ ନୁହେଁ । ସେଥିପାଇଁ ଏପରି ‘ଶିକ୍ଷା’କୁ ଉନ୍ନତ କରିବା ପରିବର୍ତ୍ତେ ଏହାକୁ ଲୋପ କରିବା ଓ ମଣିଷ ଆକୃତି ତିଆରି କରିବା ଭଳି କୁତ୍ସିତ ଏବଂ ଅମାନବୀୟ ବ୍ୟବସାୟର ପରିସମାପ୍ତି ଘଟାଇବା ମୋର ଉଦ୍ଦେଶ୍ୟ । ଏଭଳି ଶିକ୍ଷା ପଛରେ ନଧାଇଁ ଲୋକମାନେ ନିଜେ ନିଜକୁ ତିଆରି କରନ୍ତୁ । (ପୃ-୪)

 

‘କର୍ମ କରିବା’ (Doing) ଦ୍ୱାରା ମୁଁ କେବଳ ‘ଶାରୀରିକ’ କିମ୍ବା ‘ବୌଦ୍ଧିକ ଏପରି ଦୁଇ ପ୍ରକାରର କାର୍ଯ୍ୟକୁ ବୁଝେ ନାହିଁ । ଏପରି ପାର୍ଥକ୍ୟ ଅବାସ୍ତବ ଏବଂ କ୍ଷତିକାରକ । ହୁଏତ କେବଳ ଶବ୍ଦରେ ମନ ଏବଂ ଶରୀର ପୃଥକ ହୋଇପାରେ କିନ୍ତୁ ବାସ୍ତବରେ ଉଭୟ ଏକ ଏବଂ ଏକ ସଙ୍ଗରେ କାର୍ଯ୍ୟ କରିଥାନ୍ତି । ତେଣୁ ‘କର୍ମ’ କହିଲେ ମୁଁ କହିବା, ଶୁଣିବା, ଲେଖିବା, ପଢ଼ିବା, ଚିନ୍ତା କରିବା ଏପରିକି ସ୍ୱପ୍ନ ଦେଖିବା ଭଳି କ୍ରିୟାକୁ ବୁଝିଥାଏ । ଗୋଟିଏ କଥା ଅତିସ୍ପଷ୍ଟ । କର୍ମକାରୀ (Doer) ହିଁ କେବଳ ନିଜେ କ’ଣ କରିବେ ସେ ନିଷ୍ପତ୍ତି ନିଜେ ନେଇଥାନ୍ତି । ସେ କ’ଣ ଶୁଣିବେ, କହିବେ, ପଢ଼ିବେ, ଲେଖିବେ, ଚିନ୍ତା କରିବେ କିମ୍ବା ସ୍ୱପ୍ନ ଦେଖିବେ ସେ ହିଁ ସ୍ଥିର କରିଥାନ୍ତି । ତାଙ୍କ ପାଇଁ ଅନ୍ୟ କେହି ଏସବୁ କରିପାରିବେ ନାହିଁ । ସେ ହିଁ ନିଜର କ୍ରିୟା ସମୂହର କେନ୍ଦ୍ରବିନ୍ଦୁ । ଏପରି କର୍ମ ସେମାନଙ୍କ ପାଇଁ ସଂପୂର୍ଣ୍ଣ ଅର୍ଥପୂର୍ଣ୍ଣ ହେଉଥିବ ଓ ତାହା ସବୁ କରିବା ସେମାନଙ୍କର ବୁଦ୍ଧି ଓ ଦକ୍ଷତା ପାଇଁ ଆହ୍ୱାନ ସୃଷ୍ଟି କରୁଥିବ ।

 

ଏପରି କର୍ମକାରୀଙ୍କ ପାଇଁ ସର୍ବୋକୃଷ୍ଟ ସ୍ଥାନ ହେଉଛି ଏକ ସମାଜ ଯାହା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଏଥିରେ ସମସ୍ତେ କରୁଥିବା ଚିନ୍ତନ କାର୍ଯ୍ୟ, ରାଜନୀତି ସେମାନଙ୍କ ଜୀବନ ସହିତ ସଂଶ୍ଳିଷ୍ଟ ହୋଇଥିବ । କାର୍ଯ୍ୟକରିବା ହିଁ ସେମାନଙ୍କ ପାଇଁ ଆକର୍ଷଣୀୟ ହୋଇଥିବ ଓ ସେସବୁ କରିବା ଦ୍ଵାରା ସେମାନେ ଅଧିକରୁ ଅଧିକ ଦକ୍ଷ ଓ ବିଜ୍ଞ ହେବେ । ‘ଶିକ୍ଷା’ ପାଇଁ ଏପରି ସମାଜରେ କେହି ବାସ୍ତବରେ ନଥିବେ । ଏପରି ସମାଜର କୌଣସି ମଡ଼େଲ ଆମ ସମ୍ମୁଖରେ ନାହିଁ-। ଏଭଳି ସମାଜଟିଏ ଆମକୁ ଗଢ଼ିବାକୁ ହେବ, ଉଦ୍ଭାବନ କରିବାକୁ ହେବ । (ପୃ-୬)

 

ଏଭଳି ସମାଜ କିପରି ବା ଏହା କିପିରି ସଂଭବ ହେବ ତାହା ଏହି ପୁସ୍ତକର ଲକ୍ଷ୍ୟ ନୁହେଁ । ବରଂ ଆମେ ଯେଉଁ ସମାଜରେ ରହୁଛୁ ତାହା କର୍ମକାରୀମାନଙ୍କ ପାଇଁ ସାମାନ୍ୟ ଅଧିକ ଉପଯୋଗୀ ଏବଂ ବଞ୍ଚିବା ଯୋଗ୍ୟ କରିଲେ କିପରି ଏକ ଅଧିକ ସକ୍ରିୟ ଓ ଆକର୍ଷଣୀୟ ଜୀବନଯାପନ କରିବାରେ କେତେକଙ୍କୁ ସହାୟତା କରିହେବ ବା ସଂକ୍ଷେପରେ ଏକ କର୍ମନିର୍ବାହୀ ସମାଜଗଠନ ଦିଗରେ ଏକ ପ୍ରାରମ୍ଭିକ ପ୍ରଚେଷ୍ଟା କରିହେବ ତାହାହିଁ ଏଥିରେ ଆଲୋଚନା କରାଯାଇଛି । ଗରୀବି, ଆଳସ୍ୟ, ଅତ୍ୟାଚାର, ଶୋଷଣ, ଅପଚୟ ଏବଂ ଯନ୍ତ୍ରଣା ଭଳି ସମସ୍ୟା ସମାଧାନ କିପରି କରିହେବ ଏହାର ପରିସର ଭୁକ୍ତ ନୁହେଁ । ଏଗୁଡ଼ିକ ଶିକ୍ଷାଗତ କିମ୍ବା ବିଦ୍ୟାଳୟର ସମସ୍ୟା ନୁହଁନ୍ତି । ବାଧ୍ୟତାମୂଳକ ବିଦ୍ୟାଳୟମାନଙ୍କରେ ଯାହା ହେଉଛି ତଦ୍ଦ୍ୱାରା ବା ସେପରି ବିଦ୍ୟାଳୟମାନଙ୍କୁ ପରିବର୍ତ୍ତନ କଲେ ବା ସଂପୂର୍ଣ୍ଣ ଉଠାଇଦେବା ଦ୍ୱାରା ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବନାହିଁ । ବରଂ ବିଦ୍ୟାଳୟ ‘ଏଭଳି ସମସ୍ୟା ସମାଧାନ କରିପାରେ’ ଏହି ଭ୍ରମରୁ ମୁକ୍ତି ପାଇଲେ ସେସବୁ ସମସ୍ୟାଗୁଡ଼ିକର ସିଧାସଳଖ, ବାସ୍ତବତା ଓ ବୁଦ୍ଧିମତାର ସହିତ ସମ୍ମୁଖୀନ ହୋଇପାରିବା ।

 

ଏଠାରେ ମୁଁ ଅଳ୍ପ ସଂଖ୍ୟକ ପିତାମାତା, ଶିକ୍ଷକ ଏବଂ ଶିକ୍ଷାର୍ଥୀମାନଙ୍କ ସହିତ ବାର୍ତ୍ତାଳାପ କରିବାକୁ ଆଗ୍ରହୀ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଅନ୍ୟମାନଙ୍କ ଭଳି ପିଲାମାନଙ୍କୁ ଲାଞ୍ଚ ଦେବା, ଧମକାଇବା, ମାଡ଼ ଦେବା, ଅପମାନିତ ଏବଂ ଆଘାତ ଦେବାରୁ ଦୂରେଇ ରଖିଲେ ସେମାନେ ଉତ୍ତମ ଜୀବନ ଯାପନ କରିପାରିବେ, ଅଧିକ ଶିଖିପାରିବେ ଏବଂ ପୃଥିବୀ ସହ ଖାପ ଖୁଆଇ ଚାଲିବାରେ ଅଧିକ ସକ୍ଷମ ହୋଇପାରିବେ । ଏହା କେବେହେଲେ ବାଧ୍ୟତାମୂଳକ ଶିକ୍ଷା ଦ୍ୱାରା ସମ୍ଭବ ହେବ ନାହିଁ । ବରଂ ବାଧ୍ୟତାମୂଳକ ଶିକ୍ଷା ଦ୍ୱାରା ପିଲାର ଅଧିକ କ୍ଷତି ହେଉଛି । ଏହାର ମୁଖା ଖୋଲିଦେବା ହିଁ ଆମର ବର୍ତ୍ତମାନର କର୍ତ୍ତବ୍ୟ ହେବା ଉଚିତ । ମାନବର ମୁକ୍ତି, ପ୍ରତ୍ୟେକ ବ୍ୟକ୍ତିତ୍ୱର ଅନନ୍ୟତା, ସମ୍ମାନବୋଧ ଏବଂ ଜୀବନର ମୂଲ୍ୟବୋଧ କେବେ ସମ୍ଭବ ନୁହେଁ ଯେତେବେଳ ପର୍ଯ୍ୟନ୍ତ ଅନ୍ୟମାନେ କ’ଣ ଶିଖିବେ ବା ଜାଣିବେ ତାହା ନିର୍ଣ୍ଣୟ କରିବା ଅଳ୍ପ କିଛି ବ୍ୟକ୍ତିଙ୍କର ଅଧିକାର ହୋଇ ରହିଥିବ । ବିଧବଦ୍ଧଭାବେ ଏବଂ ‘ବସ୍ତୁନିଷ୍ଠ’ ଭାବେ କୁହାଯାଉଥିବ ଯେ କେତେକ ଅନ୍ୟ ସମସ୍ତଙ୍କଠାରୁ ଅଧିକ ସକ୍ଷମ ଏବଂ ଅଧିକ ଯୋଗ୍ୟ ।

 

‘ଶିକ୍ଷଣ’ ର ମିଥ୍‍

 

ଏହି ପୁସ୍ତକରେ ‘ଶିକ୍ଷଣ’ ପରିବର୍ତ୍ତେ ବାରମ୍ବାର ‘କାମ କରିବା’ କିମ୍ବା ‘ଅଧିକ ଭଲ ଭାବରେ କାମ କରିବା’ ଉପରେ ଗୁରୁତ୍ୱ ଦିଆଯାଇଛି । କାରଣ ‘ଶିଖିବା’ ବା ‘ଶିକ୍ଷଣ’ ସମ୍ବନ୍ଧରେ ବର୍ତ୍ତମାନ ବହୁ ଭ୍ରାନ୍ତଧାରଣା ଅଧିକାଂଶଙ୍କ ମନରେ ଜମାଟ ବାନ୍ଧି ବସିଛି । ଏହି ଭ୍ରାନ୍ତଧାରଣା ବା ମିଥ୍‍ଗୁଡ଼ିକ ସମ୍ପର୍କରେ ସଚେତନ ହେବା ଓ ପିଲାମାନଙ୍କୁ ପ୍ରକୃତ ଶିଖିବା ପାଇଁ ଯତ୍ନ କରିବାରେ ଚେଷ୍ଟା କରିବା ବେଳେ ସେହିସବୁ ପୁରାତନ ଧାରଣା ସମ୍ପର୍କିତ ଶବ୍ଦମାନଙ୍କର ଉଦ୍ଦେଶ୍ୟାତ୍ମକ ପ୍ରୟୋଗକୁ ଭଲଭାବରେ ବୁଝିବା ।

 

ପ୍ରଥମ ଧାରଣା ଯାହା ଅଧିକାଂଶ ବିଶ୍ୱାସ କରନ୍ତି, ତାହା ହେଉଛି ଶିକ୍ଷଣ ଜୀବନଠାରୁ ପୃଥକ୍ ଏବଂ ଆମେ ଖୁବ୍‍ ଭଲ ଶିଖୁ ଯେତେବେଳେ ଆମେ କିଛି କାମ କରୁନଥାଉ । ଶିଖିବାକୁ ହେଲେ ଆମକୁ ଏପରି ସ୍ଥାନକୁ ଯିବାକୁ ହେବ ଯେଉଁଠି ଅନ୍ୟକିଛି କାମ ହେଉନଥାଏ କେବଳ ‘ଶିକ୍ଷଣ’ ହୋଉଥାଏ । ବିଦ୍ୟାଳୟ ଏହିପରି ସ୍ଥାନଟିଏ । ପ୍ରାୟ ସମସ୍ତଙ୍କର ଧାରଣା ଯେ ଯାହାକିଛି ଗୁରୁତ୍ୱପୂର୍ଣ୍ଣ ସେସବୁ ବିଦ୍ୟାଳୟରେ ହିଁ ଶିକ୍ଷା ଦିଆଯାଇଥାଏ ଯେଉଁଠାରେ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ଥା’ନ୍ତି । ବିଦ୍ୟାଳୟରେ ଶିକ୍ଷଣ ପ୍ରକ୍ରିୟା ନିରସ ଏବଂ ଯନ୍ତ୍ରଣାଦାୟକ ଏବଂ ସମ୍ଭବତଃ ସେଥିରୁ କିଛି ଶିଖିବାର ନଥାଏ । ବିଦ୍ୟାଳୟର ଗୁରୁତ୍ୱ ସମ୍ପର୍କରେ ଏପରି ଧାରଣା ବେଶୀଦିନର ନୁହେଁ । କିଛିକାଳ ପୂର୍ବେ ଅଧିକାଂଶ ଜାଣିଥିଲେ ଯେ ବିଦ୍ୟାଳୟରେ କେତେକ ଗୁରୁତ୍ୱପୂର୍ଣ ଶିକ୍ଷଣ ହେଉଥାଇପାରେ କିନ୍ତୁ ବହୁତ କିଛି ବିଦ୍ୟାଳୟ ବାହାରେ ଏବଂ ଅଧିକ ଭଲଭାବରେ ଶିକ୍ଷା କରାଯାଇଥାଏ । ଏବଂ ଏପରି ବହୁତ କିଛି ଅଛି ଯାହା ବିଦ୍ୟାଳୟରେ ଶିଖିବା ଆଦୌ ସମ୍ଭବ ନୁହେଁ । ବର୍ତ୍ତମାନ ମଧ୍ୟ ଯେଉଁମାନେ ଭାବନ୍ତି ଯେ ବିଦ୍ୟାଳୟରେ ସବୁକଥା ଶିଖିବା ଆବଶ୍ୟକ, ସେମାନେ ମଧ୍ୟ ଜାଣିଥିବା ଅଧକାଂଶ କଥା ବିଦ୍ୟାଳୟରେ ଶିଖିନଥିଲେ ।

 

ପୁନଶ୍ଚ ବିଦ୍ୟାଳୟରେ ଶିକ୍ଷଣ ପରିସ୍ଥିତି’ ସୃଷ୍ଟି କଲେ ତହିଁରୁ ଶିଖିବା ସହଜ ହୋଇଥାଏ ବୋଲି ଧାରଣା ଅଧୁକାଂଶଙ୍କର ଅଛି । ଜୀବନରେ ଆମେ ବହୁ ଦକ୍ଷତା ତଥାକଥିତ ବିଦ୍ୟାଳୟରେ ଶିକ୍ଷଣ ପରିସ୍ଥିତିରୁ ହାସଲ କରିନଥାଉ । ବରଂ ଯାହା ଆମକୁ ଭଲଲାଗେ, ଯାହା ଆମେ ଉପଭୋଗ କରୁ ସେଥିରୁ ଆମେ ବହୁତ କିଛି ଶିଖିଥାଉ । ସେହିସବୁ ସ୍ଥାନକୁ ଆମେ ଶିଖିବା ପାଇଁ ଯାଇ ନଥାଉ କିନ୍ତୁ ସେଠାରୁ ବହୁତ କିଛି ଅଭିଜ୍ଞତା ହାସଲ କରୁ । ସଙ୍ଗୀତ ଆସର, ପରିଭ୍ରମଣ, ଏପରିକି ପତ୍ରପତ୍ରିକା ପଠନ ଆଦି ବିଭିନ୍ନ କାର୍ଯ୍ୟ ପରିସରରୁ ବିବିଧ ଅଭିଜ୍ଞତା ମିଳିଥାଏ । ଏସବୁରୁ ଜଣେ ଯେତେଦୂର ଶିଖିପାରେ ସେତିକି ପର୍ଯ୍ୟନ୍ତ କାର୍ଯ୍ୟ କରିବା, ବଞ୍ଚିରହିବା ଏବଂ ଜୀବନକୁ ଉପଭୋଗ କରିବାରେ ସେ ସମର୍ଥ ହୋଇପାରେ ।

 

ସେହିପରି ବିଦ୍ୟାଳୟ ଶିକ୍ଷା ପ୍ରସଙ୍ଗରେ ‘ଶିକ୍ଷଣ ଅଭିଜ୍ଞତା’ ସମ୍ପର୍କରେ ବହୁ ଆଲୋଚନା କରାଯାଇଥାଏ । ଏହିସବୁ ଆଲୋଚନାର ଗୋଟିଏ ଅସୁବିଧା ଜନକ ସିଦ୍ଧାନ୍ତ ହେଉଛି ଅଭିଜ୍ଞତାଗୁଡ଼ିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ– ଗୋଟିଏ ପ୍ରକାର ଅଭିଜ୍ଞତା ଯେଉଁଥିରୁ ଶିଖିବାର ସୁଯୋଗ ଅଛି ଏବଂ ଯାହାକୁ ‘ଶିକ୍ଷଣ ଅଭିଜ୍ଞତା’ କହିହେବ ଏବଂ ଅନ୍ୟପ୍ରକାର ଅଭିଜ୍ଞତାରୁ କିଛି ଶିଖି ହେବନାହିଁ । ବାସ୍ତବରେ ଏପରି କୌଣସି ଅଭିଜ୍ଞତା ନାହିଁ ଯେଉଁଥିରୁ କିଛି ଶିଖିହେବ ନାହିଁ । ଆମେ ପ୍ରତ୍ୟେକ ଅଭିଜ୍ଞତାରୁ କିଛି ନା କିଛି ଶିଖିଥାଉ ଯାହା ଆମକୁ ଅଧିକ ବିଜ୍ଞ ବା ଅଧିକ ଅଜ୍ଞ କରିପାରେ । ଅଧିକ ବଳଶାଳୀ ବା ଅଧିକ ଦୁର୍ବଳ କରିପାରେ, ଅଧିକ ବୁଦ୍ଧିମାନ ବା ଅଧିକ ବୋକା କରିପାରେ । ଏହି ପୁସ୍ତକର ମଞ୍ଜି ହେଉଛି ଯେ ଯେଉଁ ଅଭିଜ୍ଞତା ଆମ ପାଇଁ ଆକର୍ଷଣୀୟ ହୋଇନଥାଏ ବା ଭବିଷ୍ୟତ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ନହେବାର ଆମେ ଉପଲବ୍ଧି କରୁ ସେଭଳି ଅଭିଜ୍ଞତାରୁ କିଛି ଭଲ ଶିଖିବା ଆଶା କରାଯାଇନପାରେ-। ଶିଖିବାର ଇଚ୍ଛା କଦାପି ନିଷ୍କ୍ରିୟ ନୁହେଁ ଏହା ବାସ୍ତବ ଆବଶ୍ୟକତା ଏବଂ ପ୍ରକୃତ ଆଗ୍ରହରୁ ଉଦ୍ଭବ ହୋଇଥାଏ । How Children Fail ପୁସ୍ତକରେ ମୁଁ ଏହି କଥାଟି ସୂଚାଇଥିଲି–ପିଲାଟିଏ ଯେଉଁ ପରିସ୍ଥିତିରେ ଅପମାନିତ, ଭୟଭୀତ ଏବଂ ଯନ୍ତ୍ରଣା ଅନୁଭବ କରେ ସେ ପରିସ୍ଥିତିରେ ଶିକ୍ଷକ ଯାହା ପଢ଼ାଉଥିବେ ତାକୁ ସେ ଶିଖିପାରିବ ନାହିଁ ଓ ଶିଖିବ ନାହିଁ । This is why people can learn only when they come boldly, confidently and eagerly to the learning. (ପୃ- ୧୩)

 

‘ଶିକ୍ଷଣ’ ଶବ୍ଦ ଭିତରେ ଅନ୍ୟ ଏକ ଭ୍ରମ ଲୁଚି ରହିଛି । ତାହା ହେଉଛି ଯେ ଶିକ୍ଷଣ ଏବଂ କାର୍ଯ୍ୟ ପରସ୍ପର ଠାରୁ ସଂପୂର୍ଣ୍ଣ ଭିନ୍ନ । ଉଦାହରଣ ସ୍ୱରୂପ ଗୋଟିଏ ବାଦ୍ୟଯନ୍ତ୍ର, ମନେକରାଯାଉ ବେହେଲା ବଜାଇବା ପାଇଁ ଦୁଇଟି ପୃଥକ୍ ପ୍ରକ୍ରିୟା ଅଛି– (୧) ବେହେଲା କିପରି ବଜାଇବା ତାହା ଶିଖିବା ଏବଂ (୨)ବେହେଲା ବଜାଇବା । ଅର୍ଥାତ୍ ପ୍ରଥମ ପ୍ରକ୍ରିୟାଟି ସମାପ୍ତ ହେବା ପରେ ହିଁ ଜଣେ ବେହେଲା ବଜାଇବ, ତା’ପୂର୍ବରୁ ବଜାଇ ପାରିବ ନାହିଁ । ବାସ୍ତବରେ ଏହା ଅତ୍ୟନ୍ତ ଅର୍ଥହୀନ-। ଗୋଟିଏ କାର୍ଯ୍ୟଟି ଆମେ କରିବା ଦ୍ଵାରା ହିଁ କେବଳ ସେହି କାର୍ଯ୍ୟଟି ଶିଖିଥାଉ । ଏଥିପାଇଁ ଅନ୍ୟ ପନ୍ଥା ନାହିଁ । ହୁଏତ ପ୍ରଥମେ କାର୍ଯ୍ୟଟି କରିବା ବେଳେ ତା’କୁ ଭଲଭାବରେ କରିପାରି ନଥାଉ କିନ୍ତୁ ଆମର ଆବଶ୍ୟକ ଅନୁଯାୟୀ କିଛି ସହାୟତା ମିଳିଲେ ସମୟାନୁକ୍ରମେ ଆମେ ବେଶ୍ ଭଲ ଭାବରେ ସେହି କାର୍ଯ୍ୟଟି ସଂପାଦନ କରିଥାଉ । ଶିଖିବା ପାଇଁ କାର୍ଯ୍ୟଟିକୁ ଅଭ୍ୟାସ କରିବାର ଆଦୌ ଅନ୍ତ ନାହିଁ । ସେଥିପାଇଁ ବିଖ୍ୟାତ ସଙ୍ଗୀତଜ୍ଞମାନେ ମଧ୍ୟ ପ୍ରତିଦିନ ନିୟମିତ ଭାବେ ଅଭ୍ୟାସ କରିଥାନ୍ତି । ତଦ୍ଦ୍ୱାରା ସେ ତାଙ୍କର ସାମର୍ଥ୍ୟ ଅନୁସାରେ ନିଜର ସଂଗୀତରେ ଅଧିକରୁ ଅଧିକ ଉନ୍ନତି ଆଣିଥାନ୍ତି । ଅପର ପକ୍ଷରେ ଅଭ୍ୟାସ ବିନା ସେମାନଙ୍କର ଦକ୍ଷତାରେ କ୍ରମଶଃ ଅଧୋଗତି ହୋଇଥାଏ ।

 

ସେହିପରି ଶିକ୍ଷାବିତ୍‍ମାନେ ବିଭିନ୍ନ ଶିକ୍ଷଣ ଦକ୍ଷତା କଥା କହିଥାନ୍ତି ଯେପରି ପଠନ ଦକ୍ଷତା, ଲିଖନ ଦକ୍ଷତା, ଏପରିକି ଶ୍ରବଣ ଦକ୍ଷତା । ଦକ୍ଷତା ହାସଲ କରିବା ପରେ ଜଣେ କାର୍ଯ୍ୟ କରିବା ସମ୍ଭବ ବୋଲି ବିଚାର କରାଯାଇଥାଏ । କିନ୍ତୁ ଯେପରି ହ୍ୱାଇଟ୍ ହେତ୍ କହନ୍ତି, ଦକ୍ଷତାରୁ କାର୍ଯ୍ୟକୁ ପୃଥକ କରିବା ଅସମ୍ଭବ । କହିବା ଏକ ଦକ୍ଷତା ବା କେତେକ ଦକ୍ଷତାର ସମଷ୍ଟି ନୁହେଁ, ଏହା ଏକ କାର୍ଯ୍ୟ ଅଟେ । ଏହି କାର୍ଯ୍ୟ ପଛରେ କିଛି ଉଦ୍ଦେଶ୍ୟ ଅଛି । ଆମେ କହୁ କାରଣ ଆମେ କିଛି କହିବାକୁ ଇଚ୍ଛା କରୁ ଏବଂ କାହାକୁ ଜଣକୁ କହିବାକୁ ହୋଇଥାଏ ଏବଂ ଆମେ ଭାବିଥାଉ ଯେ ଯେଉଁ ଶବ୍ଦମାନ ଆମେ କହୁଛୁ ତାହା କିଛି ପ୍ରଭାବ ସୃଷ୍ଟି କରିପାରେ । ସେହିପରି ପଠନ ଏକ ଦକ୍ଷତା ନୁହେଁ, ଏହା ଏକ କାର୍ଯ୍ୟ ଅଟେ । ପିଲାଟିଏ ତାରି ଚାରିପାଖରେ ଲିଖିତ ଶବ୍ଦମାନଙ୍କୁ ଦେଖୁଥାଏ ଏବଂ ବୟସ୍କ ଲୋକମାନେ ସେସବୁ ପଢ଼ିବା, ଲେଖିବା ଆଦି ଅର୍ଥପୂର୍ଣ୍ଣଭାବେ ବ୍ୟବହାର କରୁଥିବା ଦେଖେ । ଆହୁରି ମଧ୍ୟ ଲକ୍ଷ୍ୟ କରୁଥାଏ ଯେ ସେହିସବୁ ଶବ୍ଦମାନଙ୍କ ଦ୍ଵାରା କିଛି କାର୍ଯ୍ୟ ହେଉଛି । ତା’କୁ ସୁଯୋଗ ମିଳିଲେ ଦିନେ ସେ ନିଷ୍ପତ୍ତି କରେ ଯେ ସେହି ଶବ୍ଦଗୁଡ଼ିକ କ’ଣ ଏବଂ ସେଗୁଡ଼ିକର ଅର୍ଥ କ’ଣ ତାହା ତା’କୁ ନିର୍ଣ୍ଣୟ କରିବାକୁ ହେବ ଏବଂ ସେ ନିଶ୍ଚୟ ନିର୍ଣ୍ଣୟ କରିପାରିବ । ଏପରି ନିଷ୍ପତ୍ତି ନେବାର ମୁହୂର୍ତ୍ତରେ ହିଁ ସେ ପଢ଼ିବା ଆରମ୍ଭ କରେ । ପ୍ରଥମେ ହୁଏତ ସେ ଗୋଟିଏ ହେଲେ ଶବ୍ଦ ବି ପଢ଼ି ନପାରେ । ତା’କୁ ଖଣ୍ଡ ବିଖଣ୍ଡିତ ଦକ୍ଷତା ଭିତ୍ତିକ କାର୍ଯ୍ୟଦ୍ୱାରା ଭାରାକ୍ରାନ୍ତ ନକରି (ଯାହାଆମେ ପଠନ ଶିକ୍ଷା ପଦ୍ଧତିରେ କରିଥାଉ) ସେ ଯେପରି ଚେଷ୍ଟା କରୁଛି ତାହା କରିବାକୁ ଯଥେଷ୍ଟ ସୁଯୋଗ ଦେଲେ ଅତି ଅଳ୍ପ ସମୟରେ ସେ ପଢ଼ିବାର ସଫଳତା ହାସଲ କରିପାରେ ।

 

ଆମର ସର୍ବାଧିକ ଦ୍ରୁତତମ, ସୁଦକ୍ଷ, ସୁଦୂରପ୍ରସାରୀ, ଉପଯୋଗୀ ଏବଂ ସ୍ଥାୟୀ ଶିକ୍ଷଣ ନିଜର ନିଷ୍ପତ୍ତି ଦ୍ଵାରା ନିର୍ଦ୍ଧାରିତ କାର୍ଯ୍ୟରୁ ହିଁ ଉପଲବ୍ଧ ହୋଇଥାଏ । ଏହି ସବୁ କାର୍ଯ୍ୟରେ ହୁଏତ ଆମକୁ ବହୁ ସମୟରେ ଅନ୍ୟମାନଙ୍କ ଠାରୁ କିଛି ସହାୟତା ମିଳିଥାଇପାରେ ଅଥବା ଆଦୌ ମିଳିନପାରେ । (ପୃ-୧୬)

 

ଶିକ୍ଷଣ ସମ୍ବନ୍ଧୀୟ ଅନ୍ୟ ଏକ ମିଥ୍‍ ହେଉଛି ‘ଜ୍ଞାନର ବିଭାଗ’, ‘ଶିକ୍ଷଣର ବିଭିନ୍ନ ପରିସର’, କିମ୍ବା ‘ବିଦ୍ୟାଳୟର ବିଷୟବସ୍ତୁ’ ଯେପରି ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଭୂଗୋଳ, ଦର୍ଶନ, ଭାଷାତତ୍ତ୍ୱ ଇତ୍ୟାଦି । ବାସ୍ତବରେ ଏହି ବିଷୟଗୁଡ଼ିକ ମଧ୍ୟରେ ବିଭାଜନ ସୀମା ନିର୍ଦ୍ଦିଷ୍ଟ କରିହେବ ନାହିଁ । ଏଗୁଡ଼ିକ ପ୍ରକୃତରେ ମାନବୀୟ ଅଭିଜ୍ଞତା ଓ ସାମଗ୍ରୀକ ବାସ୍ତବତାର ଅଂଶଗୁଡ଼ିକୁ ବିଭିନ୍ନ ଦିଗରୁ ଅବଲୋକନ କରିବାର ପନ୍ଥା ଏବଂ ସେଗୁଡ଼ିକ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରଶ୍ନ ପଚାରିବାର ଉପାୟ । ଇତିହାସ ହେଉଛି ଅତୀତର କେତେକ ଦିଗ ଉପରେ ପ୍ରଶ୍ନ ପଚାରିବାର କାର୍ଯ୍ୟ ଯେପରି ଭୂତତ୍ତ୍ୱ ଏବଂ ଜୀବାଣୁତତ୍ତ୍ୱରେ ମଧ୍ୟ ଅତୀତ ସମ୍ବନ୍ଧରେ ଅନ୍ୟକେତେକ ଦିଗ ଉପରେ ପ୍ରଶ୍ନ ପଚରା ଯାଇଥାଏ । ଏହି ବିଷୟ ଗୁଡ଼ିକରେ ଆମର ଜ୍ଞାନ ହେଉଛି ଏହି ଦିଗଗୁଡ଼ିକରେ ପୂର୍ବରୁ ବ୍ୟକ୍ତି ବିଶେଷମାନେ କ’ଣ କହିଛନ୍ତି, କି କି ପ୍ରଶ୍ନ ପଚାରିଛନ୍ତି, ସେଗୁଡ଼ିକର ଉତ୍ତର କିପରି ପାଇବା ପାଇଁ ଚେଷ୍ଟା କରିଛନ୍ତି, କି କି ଉତ୍ତର ପାଇଛନ୍ତି ଏବଂ ସେହି ଉତ୍ତର ଗୁଡ଼ିକରୁ କି କି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଆମେ ଏହି କ୍ଷେତ୍ରରେ ଯେଉଁ କାର୍ଯ୍ୟ କରିବା ତାହା ପୂର୍ବର ଉପଲବ୍ଧି ସହ ଯୋଗ ହୋଇପାରେ । ଆଇଭାନ୍ ଇଲିଚଙ୍କର ଉକ୍ତି ଏହି କ୍ଷେତ୍ରରେ ପ୍ରଣିଧାନ ଯୋଗ୍ୟ, “...there is no knowledge in the world; the world is as it is. Knowledge is a process in the minds of living people. It is what we do as we try to find out who and where we are, and what is going on about us.” (ପୃ-୧୭) ।

 

କର୍ମକାରୀ ବନାମ ପ୍ରଶିକ୍ଷକ ବିଦ୍ୟାଳୟ

 

କର୍ମକାରୀ ବିଦ୍ୟାଳୟ କହିଲେ ଆମେ ଏପରି ଏକ ସ୍ଥାନକୁ ବୁଝୁ ଯେଉଁଠାରେ ଶିକ୍ଷାର୍ଥୀମାନେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଲିପ୍ତ ରହି ଶିଖିଥାନ୍ତି । ଯେପରି ଟାଇପ୍ ଶିଖିବା ଅନୁଷ୍ଠାନ, ଡ୍ରାଇଭିଂ ବିଦ୍ୟାଳୟ, ନୃତ୍ୟ ଅନୁଷ୍ଠାନ, କରାଟେ ବିଦ୍ୟାଳୟ ଆଦି । କର୍ମକାରୀମାନଙ୍କୁ ସେମାନଙ୍କର ଆକାଂକ୍ଷୀତ ପୃଥିବୀର ସନ୍ଧାନ କରିବାରେ ଏପରି ବିଦ୍ୟାଳୟ ସହାୟକ ହୋଇଥାନ୍ତି । କିନ୍ତୁ ଆମେ ଯେଉଁ ସବୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟମାନ ଦେଖୁଛୁ ସେଗୁଡ଼ିକ ପ୍ରାୟ ସମସ୍ତେ ଏକ ଏକ ପ୍ରଶିକ୍ଷକ ବିଦ୍ୟାଳୟ ଅଟନ୍ତି । ଏ.ଏସ୍.ନିଲ୍‍ଙ୍କର ସମରହିଲ୍ ହୋଇପାରେ ଅଥବା ଜିମ୍ ହେଣ୍ଡ୍ରନ୍‍ଙ୍କର ସୃଜନାତ୍ମକ କଳା ଶ୍ରେଣୀ (Creative Art School) । ଉନ୍ନତ ହେଲେ ମଧ୍ୟ ପ୍ରଶିକ୍ଷକ ବିଦ୍ୟାଳୟର ଅନ୍ତର୍ଭୁକ୍ତ ଯେଉଁଠାରେ ଶିକ୍ଷାର୍ଥୀମାନଙ୍କ ଉପରେ ଜୋର ଜବରଦସ୍ତି କରି ଶିକ୍ଷା ଲଦି ଦିଆଯାଇଥାଏ ।

 

ଏହି ଦୁଇଟି ପ୍ରକାରର ବିଦ୍ୟାଳୟ ମଧ୍ୟରେ ଶିକ୍ଷାତତ୍ତ୍ୱ, ଶିକ୍ଷାଦର୍ଶନ, ଶିକ୍ଷାଦାନ ପ୍ରଣାଳୀ, ପାଠ୍ୟକ୍ରମ, ପାଠ ସାମଗ୍ରୀ ଆଦିରେ କୌଣସି ପାର୍ଥକ୍ୟ ନାହିଁ । କର୍ମକାରୀ ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କ ପାଇଁ ସ୍ୱାଧୀନ ପସନ୍ଦ, ବହୁବିକଳ୍ପ, ଚଳପ୍ରଚଳ ଓ କାର୍ଯ୍ୟରେ ସ୍ୱାଧୀନତା, ସହଯୋଗ, ବିବିଧ ପ୍ରକାରର କାର୍ଯ୍ୟ, ଶକ୍ତି, ଉଦବେଗ ପ୍ରକାଶ ପାଇଁ ପରିପୂର୍ଣ୍ଣ ସୁଯୋଗ ଥାଏ । ପୁନଶ୍ଚ ଏପରି ବିଦ୍ୟାଳୟମାନଙ୍କରେ ପରସ୍ପର ମଧ୍ୟରେ ବ୍ୟକ୍ତିଗତ ତୁଳନା, ପରୀକ୍ଷଣ, ଗ୍ରେଡ୍ ପ୍ରଦାନ, ଅପମାନିତ କରିବା, ବାଧ୍ୟ କରିବା, ଧମକ ଦେବା ବା ଦଣ୍ଡ ଦେବା ଏବଂ ଭୟ ଆଦି ଖୁବ୍ କମ୍ ଅନୁଭବ କରିହେବ ।

 

କିନ୍ତୁ ଏଥିରୁ କେବେହେଲେ ଚିନ୍ତା କରିବା ଉଚିତ ହେବ ନାହିଁ ଯେ କର୍ମକାରୀ ବିଦ୍ୟାଳୟମାନଙ୍କରେ ନୀତି ନିୟମ ବା ସଂଗଠନ ଢିଲା ହୋଇଥିବ । ବରଂ ଏହି ପ୍ରକାରର ଅନେକ ବିଦ୍ୟାଳୟରେ ନୀତି ନିୟମମାନଙ୍କ ଉପରେ ବହୁ ଗୁରୁତ୍ୱ ଦିଆଯାଇଥାଏ । ଏକ ନୃତ୍ୟ ବିଦ୍ୟାଳୟ ହେଉ ବା ଭାଷା ଶିକ୍ଷଣର ବିଦ୍ୟାଳୟ ହେଉ, ସେପରି ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କ ପ୍ରତି ପଦକ୍ଷେପରେ ସୁନିର୍ଦ୍ଦିଷ୍ଟ ନିୟମମାନ ପାଳନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । ଜଣେ କ’ଣ ଶିଖିବା ପାଇଁ ଆଗ୍ରହୀ ସେହି ଅନୁସାରେ ସେ ବିଦ୍ୟାଳୟ ପସନ୍ଦ କରିପାରେ । ତା’ପରେ ବିଦ୍ୟାଳୟ ସହିତ ଏକ ଅଲିଖିତ ଚୁକ୍ତି ହୋଇଥାଏ । ପସନ୍ଦ ବିଷୟଟି ଶିଖିବା ପାଇଁ ବିଦ୍ୟାଳୟ କି କି ସୁବିଧା ସୁଯୋଗ ଏବଂ ଉପକରଣ ଯୋଗାଇଦେବ ଏବଂ ତା’ର ଉପଯୁକ୍ତ ବ୍ୟବହାର କରିବା ପାଇଁ ଶିକ୍ଷାର୍ଥୀ କି କି ନିୟମ ପାଳନ କରିବ ଏ ସମ୍ପର୍କରେ ଉଭୟପକ୍ଷ ରାଜି ହୋଇଥାନ୍ତି । ଅନ୍ୟଥା ଶିକ୍ଷାର୍ଥୀ ଅନ୍ୟ ବିଦ୍ୟାଳୟକୁ ଯିବାରେ କୌଣସି ବାଧା ନାହିଁ । କିନ୍ତୁ ଥରେ ଚୁକ୍ତି ଅନୁସାରେ ବିଦ୍ୟାଳୟରେ ପ୍ରବେଶ କଲେ ରାଜି ହୋଇଥିବା ବିଷୟଗୁଡ଼ିକୁ ଉଭୟପକ୍ଷ ନିଜେ ନିଜେ ପାଳନ କରିଥାନ୍ତି ଏବଂ ସେଥିପାଇଁ ଉଭୟଙ୍କର ସଂପୃକ୍ତି ଓ ଦାୟିତ୍ୱବୋଧ ପରେ ସର୍ବାଧିକ ଗୁରୁତ୍ୱ ଆପେ ଆପେ ସୃଷ୍ଟି ହୋଇଥାଏ । ଶିକ୍ଷାର୍ଥୀଙ୍କ ମଧ୍ୟରେ ଥିବା ଶିଖିବାର ଆଗ୍ରହ ହିଁ ଏପରି ବିଦ୍ୟାଳୟରେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ଅଭିପ୍ରେରଣା ଯୋଗାଇଥାଏ ।

 

ଅପରପକ୍ଷରେ ପ୍ରଶିକ୍ଷକ ବିଦ୍ୟାଳୟ (ଆମର ପରିଚିତ ବିଦ୍ୟାଳୟ)ମାନଙ୍କରେ । ସମସ୍ତ ବିଷୟ ପୂର୍ବରୁ ତଥାକଥିତ ବିଶେଷଜ୍ଞମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାଏ । ସେଥିରେ ସେହିସବୁ ପାଠ୍ୟକ୍ରମ, ଶ୍ରେଣୀ ପରିଚାଳନା, ଶିକ୍ଷାଦାନ–ଶିକ୍ଷଣ କାର୍ଯ୍ୟରେ ଶିକ୍ଷାର୍ଥୀମାନଙ୍କର କୌଣସି କର୍ତ୍ତୃତ୍ୱ ନଥାଏ । ସେମାନେ ନିଷ୍କ୍ରିୟ ଗ୍ରହିତାଭାବେ ବିନା ପ୍ରତିବାଦରେ କାର୍ଯ୍ୟ କରିଥାନ୍ତି । ଏପରିକି ଖେଳିବା, ଚିତ୍ରଆଙ୍କିବା ଆଦି ସୃଜନୀ ପ୍ରତିଭାର ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟ ସେମାନଙ୍କ ଉପରେ ଲଦି ଦିଆଯାଇଥାଏ । ଏଥିରେ ଅଧିକାଂଶ ଶିକ୍ଷାର୍ଥୀ ସାଧାରଣତଃ ନିଷ୍କୃହ, ଅନିଚ୍ଛୁକ ବା ପ୍ରତିରୋଧକାରୀ ହୋଇଥାନ୍ତି ।

 

କର୍ମକାରୀ ଏବଂ ପ୍ରଶିକ୍ଷକ ବିଦ୍ୟାଳୟମାନଙ୍କ ଭଳି ସେଥିରେ କାର୍ଯ୍ୟରତ ଶିକ୍ଷକମାନଙ୍କ ମଧ୍ୟରେ ମଧ୍ୟ ପ୍ରଭେଦ ସୁସ୍ପଷ୍ଟ ନୁହେଁ । ଉଭୟ ପ୍ରକାରର ବିଦ୍ୟାଳୟମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଭଳି ସେଥିରେ ଥିବା ଶିକ୍ଷକମାନଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ଶିକ୍ଷାଦର୍ଶନ, ପଦ୍ଧତି ବା ବ୍ୟକ୍ତିତ୍ୱ ସହିତ ଆଦୌ ସମ୍ପର୍କିତ ନୁହେଁ । ବରଂ ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ସହିତ ସମୟ ଅତିବାହିତ କରିବା ପାଇଁ କୌଣସି ଚାପର ବଶବର୍ତ୍ତୀ ନହୋଇ ମୁକ୍ତଭାବେ ପସନ୍ଦ କରନ୍ତି ନା ନାହିଁ । ସେ ଯାହା କରନ୍ତି ଶିକ୍ଷାର୍ଥୀମାନେ ତାହା ଅନୁସରଣ କରିବାକୁ ଭଲ ପାଆନ୍ତି କି ନାହିଁ, ତାଙ୍କର ସାହାଯ୍ୟ ଲୋଡ଼ନ୍ତି କି ନାହିଁ, ତାଙ୍କୁ ଶୁଣନ୍ତି ଏବଂ ସେ ଯାହା କହନ୍ତି ତା’କୁ ଗ୍ରହଣ କରିବା ବା ପ୍ରତ୍ୟାଖ୍ୟାନ କରିବା ଆଦିରେ ଏହି ଦୁଇପ୍ରକାରର ଶିକ୍ଷକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ବିଚାର କରିହେବ । ଶିକ୍ଷକ ଦୟାଳୁ, ଆଗ୍ରହୀ, ସମ୍ବେଦନଶୀଳ, ସହାନୁଭୂତି ସମ୍ପନ୍ନ, ବିଚାରବନ୍ତ ଏବଂ ଶିକ୍ଷାର୍ଥୀପ୍ରେମୀ ହୋଇଥିଲେ ତାଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି ଏବଂ ଏପରି ଶିକ୍ଷକ ଉଭୟ ପ୍ରକାରରେ ବିଦ୍ୟାଳୟରେ ମଧ୍ୟ ଥାଆନ୍ତି । କିନ୍ତୁ ଯିଏ ଏପରି ବୋଧ ଓ ଦକ୍ଷତାର ଅଧିକାରୀ ହୋଇଥାନ୍ତି ଯାହା ସେ ଅନ୍ୟମାନଙ୍କ ସହ ଆବଣ୍ଟନ କରିବାରେ ଆଗ୍ରହୀ ହୋଇଥାନ୍ତି ଏବଂ ତାହା ଅନ୍ୟଠାରେ ଦୁଷ୍ପ୍ରାପ୍ୟ ,ତା’ହେଲେ ନିଶ୍ଚିତଭାବେ ଅନେକ ତାଙ୍କ ପାଖକୁ ଆପେ ଆପେ ଆକର୍ଷିତ ହୋଇଥାନ୍ତି । ଏହିଭଳି ଶିକ୍ଷକ ହିଁ କର୍ମକାରୀ ବିଦ୍ୟାଳୟର ଶିକ୍ଷକ ହୋଇପାରିବେ । (ପୃ-୨୪)

 

ଜର୍ଜ ଡେନିସନ୍ ତାଙ୍କର ପୁସ୍ତକ The Lives of Children ରେ ସମୁଚିତ ଭାବେ କହିଛନ୍ତି ଯେ ପିଲାମାନଙ୍କ ପାଇଁ ବିଦ୍ୟାଳୟ କ୍ୱଚିତ ସହାୟକ ଏବଂ ବୋଧହୁଏ ସର୍ବଦା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତା’ର ଗୋଟିଏ କାରଣ ହେଉଛି ଯେ ଶିକ୍ଷକଙ୍କ ସହିତ ପିଲାମାନେ ବାସ୍ତବତାର ସମ୍ମୁଖୀନ ହୋଇନଥାନ୍ତି । ଶିକ୍ଷକମାନେ ଶ୍ରେଣୀରେ ପାଠ୍ୟକ୍ରମ, ଶିକ୍ଷକ ସହାୟକ ପୁସ୍ତିକା, ପାଠ ଯୋଜନାରେ ଯାହା ଥାଏ ସେଥିରେ ହିଁ ସେମାନେ ସଂପୃକ୍ତ ହୋଇଥାନ୍ତି । ପ୍ରକୃତରେ ସେମାନେ ଯାହା ଜାଣନ୍ତି, ଯାହା କରିବାକୁ ଭଲ ପାଆନ୍ତି, ଯାହା ବାସ୍ତବ ସେ ବିଷୟରେ କିଛି କହନ୍ତି ନାହିଁ । ପିଲାମାନେ ଶିକ୍ଷକଙ୍କ ଠାରୁ ପୃଥିବୀ ବିଷୟରେ ବହୁତ କିଛି ଜାଣିବା ପାଇଁ ଆଶା କରୁଥିବା ବେଳେ ସେମାନେ ଅଧିକାଂଶ ସମୟରେ ଯାହା ଶିଖନ୍ତି ତାହା ହେଉଛି ଆମ ଭଳି ବୟସ୍କମାନଙ୍କର ଛଳନା, କଥାକୁ ଗୁପ୍ତ ରଖିବା ଏବଂ ମିଥ୍ୟା କହିବା । ବାସ୍ତବତାର ସମ୍ମୁଖୀନ ହେବାକୁ ହେଲେ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ସମଭାବାପନ୍ନ ହେବା ଉଚିତ୍ କିନ୍ତୁ ବୟସ୍କଭାବେ ଶିକ୍ଷକ ତାଙ୍କ ପାଖରେ ଥିବା କ୍ଷମତା ସମ୍ପର୍କରେ ସର୍ବଦା ସଚେତନ ହୋଇଥାନ୍ତି । There can never be reality of encounter, truthfullness honesty, when one person holds power over another. (ପୃ-୭୫)

 

କର୍ମକାରୀ ଓ ସେମାନଙ୍କର ଶିକ୍ଷକ

 

କେହି ହେଲେ ଅନ୍ୟଜଣଙ୍କ ପାଇଁ କାର୍ଯ୍ୟ କରିପାରିବ ନାହିଁ ବା ଶିଖିପାରିବ ନାହିଁ । କର୍ମକାରୀଙ୍କୁ ନିଜେ ହିଁ କାର୍ଯ୍ୟ କରିବାକୁ ହେବ । କାର୍ଯ୍ୟ, ପସନ୍ଦ, ଉଦ୍ଦେଶ୍ୟ କେବଳ ତାଙ୍କର ହିଁ ହେବ । ଏଥିରେ ଅବଶ୍ୟ ଶିକ୍ଷକ ବହୁଭାବରେ ସାହାଯ୍ୟ କରିପାରନ୍ତି ।

 

କାର୍ଯ୍ୟଟି ଶାରୀରିକ ବା ଇନ୍ଦ୍ରିୟାନୁଭୂତି ସମ୍ପର୍କିତ ହୋଇଥିଲେ (ଯେପରି ନୃତ୍ୟ ଶିଖିବା, ମଟର ଚଳାଇ ଶିଖିବା) ଶିକ୍ଷକ କାର୍ଯ୍ୟଟିକୁ ବିଶ୍ଳେଷଣ କରି ଛୋଟ ଛୋଟ କାର୍ଯ୍ୟରେ ଭାଗ କରି ଏକ ନିର୍ଦ୍ଦିଷ୍ଟ କ୍ରମରେ ଶିକ୍ଷାର୍ଥୀମାନଙ୍କୁ ଶିଖାଇଥାନ୍ତି । ଏହିପରି ସରଳରୁ କଠିନ କାର୍ଯ୍ୟ କରିବା ବେଳେ ପିଲାମାନଙ୍କୁ ସାହାଯ୍ୟ କରିବା, ଉଚିତ୍ ସମୟରେ ଫଳାଫଳ ବା ଫିଡ୍‍ବ୍ୟାକ୍ ଜଣାଇବା ଓ ଦୋଷତ୍ରୁଟି ସୁଧାରିବା ପାଇଁ ଉଚିତ୍‍ ପ୍ରତିକାରମୂଳକ ପଦକ୍ଷେପ ନେବାରେ ଶିକ୍ଷକ ବହୁଭାବରେ ସାହାଯ୍ୟ କରିପାରନ୍ତି । ପ୍ରତ୍ୟେକ ପଦକ୍ଷେପରେ କରାଯାଉଥିବା କାର୍ଯ୍ୟ ଶିକ୍ଷାର୍ଥୀ ସହଜରେ ବୁଝିଥାଆନ୍ତି ଓ ନିଜର ଉନ୍ନତି ପାଇଁ କ’ଣ ଅଧିକ କରାଯାଇପାରିବ ସେଥିପାଇଁ ଶିକ୍ଷକଙ୍କର ସାହାଯ୍ୟ ଲୋଡ଼ିଥାନ୍ତି ।

 

କର୍ମକାରୀ ପରିବେଶରେ କର୍ମକାରୀ ଓ ଶିକ୍ଷକଙ୍କ ମଧ୍ୟରେ, ଯାହା ପ୍ରଫେସର ଡାଭିଡ୍ ହକିନ୍‍ସ୍ କହନ୍ତି, ଏକ ‘ବିଶ୍ୱାସ ବା ଆସ୍ଥାର ରାଜିନାମା’ (compact of trust) ରହିବା ନିମନ୍ତେ ନିତାନ୍ତ ଆବଶ୍ୟକ । ଏପରି ଏକ ଅଲିଖିତ ଚୁକ୍ତିରେ ଶିକ୍ଷକ ନିଜକୁ ଶିକ୍ଷାର୍ଥୀଙ୍କ ପାଇଁ ଏକ ଋଣ ଭାବେ ଅର୍ପଣ କରିଥାନ୍ତି । ନିଜର ଅଭିଜ୍ଞତାକୁ ଏକ ସହାୟକ ଉପକରଣ ଭାବେ ଶିକ୍ଷାର୍ଥୀଙ୍କୁ ନିଜକୁ ପରିବର୍ତ୍ତନ କରିବା, ଆହରିତ ଅଭିଜ୍ଞତା ସବୁର ଦୃଢ଼ୀକରଣ ଏବଂ ପରବର୍ତ୍ତୀ ଉତ୍ତରଣରେ ସହାୟତା କରିବାରେ ଉପସ୍ଥାପନ କରିଥାନ୍ତି । ଅପରପକ୍ଷରେ ଏହାକୁ ଉପଯୋଗ କରି ଶିକ୍ଷାର୍ଥୀ ନିଜର କାର୍ଯ୍ୟର ଗୁଣାତ୍ମକ ଅଭିବୃଦ୍ଧି କରିବା ସହିତ ନିଜେ ନିଜର ଶିକ୍ଷକ ହୋଇପାରନ୍ତି । ଏହିପରିଭାବେ ସେ ଶିକ୍ଷକଙ୍କର ଋଣ ପରିଶୋଧ କରିପାରନ୍ତି । କିନ୍ତୁ ଯେତେବେଳେ ନିଜେ କ’ଣ ଶିଖିବ, କେତେବେଳେ ଶିଖିବ, କିପରି ଶିଖିବ ଏବଂ କିଏ ତାର ଶିକ୍ଷକ ହେବ ସେସବୁ ସ୍ଥିର କରିବା ପାଇଁ ଶିକ୍ଷାର୍ଥୀର ସ୍ୱାଧୀନତା ନଥିବ ସେତେବେଳେ ଏପରି ‘ଆସ୍ଥାର ରାଜିନାମା’ ସମ୍ଭବ କି ? ଯେଉଁଠାରେ ଶିକ୍ଷକ ନିଜର ଚାକିରି ରକ୍ଷା କରିବାକୁ ଯାଇ ଶିକ୍ଷାର୍ଥୀଙ୍କ ପାଇଁ ଯାହାସବୁ କ୍ଷତିକାରକ ଏବଂ ଶିକ୍ଷାର୍ଥୀଙ୍କର ଶିକ୍ଷଣ ଦକ୍ଷତାକୁ ଧ୍ୱଂସ କରିଥାଏ ତାହା ଜାଣିଥିଲେ ବି ସେସବୁ କରିବାକୁ ବାଧ୍ୟ ହୋଇଥାନ୍ତି ସେଠାରେ ଏପରି ଆସ୍ଥା ରହିପାରିବ କି ? ଅଥବା, ଯଦିବା କେତେବେଳେ ଶିକ୍ଷାର୍ଥୀ କିଛି କାର୍ଯ୍ୟ ଅନୁପଯୁକ୍ତଭାବେ ସମ୍ପାଦନ କରିଥିଲେ ତାହା ଲିପିବଦ୍ଧ କରି ସାରା ପୃଥିବୀକୁ ଜଣାଇବା ଯାହା ଶିକ୍ଷାର୍ଥୀଟିକୁ ସାରା ଜୀବନ ଦାଗୀ କରିଦିଏ, ଏପରି ପରିସ୍ଥିତିରେ ‘ଆସ୍ଥାର ରାଜିନାମା’ କେବେ ସମ୍ଭବ ହେବନାହିଁ । ସଂକ୍ଷେପରେ, ପ୍ରଶିକ୍ଷକ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ବିଶ୍ୱାସର ସେତୁଗୁଡ଼ିକ ଖୁବ୍ କ୍ଵଚିତ୍‍ ସମ୍ଭବ ।

 

କର୍ମକାରୀ ବା ଶିକ୍ଷାର୍ଥୀମାନେ କାର୍ଯ୍ୟ କରୁଥିବା ସମୟରେ ପ୍ରତ୍ୟେକ ସ୍ତରରେ ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଶିକ୍ଷକ ଫଳାଫଳ ବା ଫିଡ୍‌ବ୍ୟାକ ଦେଇ ସେଥରେ ଉପଯୁକ୍ତ ପରିବର୍ତ୍ତନ ଆଣିଥାନ୍ତି । ଫିଡ୍‍ବ୍ୟାକ୍ କିପରି ଦେଲେ ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ମାର୍ଜିତ ଏବଂ ଉନ୍ନତ ହୋଇପାରିବ ତାହାର କେତେକ ଉଦାହରଣ ଏଥିରେ ଦିଆଯାଇଛି । ଶିକ୍ଷକଙ୍କ ବିନା ମଧ୍ୟ ଜଣେ ଶିକ୍ଷାର୍ଥୀ ନିଜକୁ ନିଜେ ଫିଡ୍‍ବ୍ୟାକ୍ ଦେଇ ନିଜର କାର୍ଯ୍ୟକୁ ପରିମାର୍ଜନ କରିପାରନ୍ତି । ଦୃଶ୍ୟ, ଶ୍ରାବ୍ୟ ଓ ଦୃଶ୍ୟଶ୍ରାବ୍ୟ ଉପକରଣ (ଫିଲ୍ମ, ସିଡି, ଅଡିଓ କ୍ୟାସେଟ) ବ୍ୟବହାର ଓ ଅନ୍ୟମାନଙ୍କୁ ସେହି କାର୍ଯ୍ୟ କରୁଥିବାବେଳେ ପର୍ଯ୍ୟବେକ୍ଷଣ ମାଧ୍ୟମରେ ନିଜେ କରୁଥିବା କାର୍ଯ୍ୟରେ ତ୍ରୁଟିଗୁଡ଼ିକ ଚିହ୍ନଟ କରି ଅତି କଷ୍ଟ ସାଧ୍ୟ ଦକ୍ଷତା ମଧ୍ୟ ହାସଲ କରିପାରନ୍ତି । ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ମନେରଖିବାକୁ ହେବ । ଶିକ୍ଷାର୍ଥୀ, ଯେ କି ଜଣେ କର୍ମକାରୀ ଏକ କଷ୍ଟସାଧ୍ୟ ଦକ୍ଷତା ହାସଲ କରିପାରିବ ଯେଉଁ ପର୍ଯ୍ୟନ୍ତ ସେ ନିଜ ଭିତରେ ନିଜକୁ ଶିକ୍ଷାର୍ଥୀ ଭଳି ଭାବିବା ସହ ଜଣେ ଶିକ୍ଷକ ବୋଲି ଭାବୁଥିବ । ନିଜର କାର୍ଯ୍ୟକୁ ସରଳରୁ କଠିନ କ୍ରମରେ ସଜାଇବା, ନିଜକୁ ଫିଡ୍‍ବ୍ୟାକ୍ ଦେବା, ନିଜର ତ୍ରୁଟି ସୁଧାରିବା ଏବଂ ନିଜ କାର୍ଯ୍ୟ ପାଇଁ ଏକ ମାନ ନିର୍ଦ୍ଧାରଣ କରିବାରେ ଅଧିକରୁ ଅଧିକ ସକ୍ଷମ ହୋଇପାରୁଥିବ ଯାହାକି ଜଣେ ଶିକ୍ଷକର କାର୍ଯ୍ୟ । ଏପରିକି କାର୍ଯ୍ୟ କରିବାରେ ସବୁଠାରୁ ମୂଲ୍ୟବାନ ସମ୍ବଳ ହେଉଛି ଯେ ଶିକ୍ଷାର୍ଥୀ ଦୁଃସାହସିକ କାର୍ଯ୍ୟ କରିବା ଏବଂ ବିପଦପୂର୍ଣ୍ଣ ଦାୟିତ୍ୱ ବହନ କରିବାରେ ଆଗ୍ରହୀ ଥିବା ନିତାନ୍ତ ଆବଶ୍ୟକ । ଏହା ନଥିଲେ ସେ କିଛି ଶିଖିପାରିବ ନାହିଁ । (ପୃ-୭୧)

 

କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାହାକୁ ନିଜର ମନଭିତରେ ସମାଧାନ କରିବା ଆବଶ୍ୟକ । ‘ମୁଁ କରି ପାରିବି’ ଏତିକି ଖାଲି ଭାବିଲେ ଯଥେଷ୍ଟ ହେବ ନାହିଁ । କାର୍ଯ୍ୟ ସମାଧାନର ଏକ ସାମଗ୍ରୀକ ଚିତ୍ରମାନ ପ୍ରସ୍ତୁତ ହେଉଥିବ ଓ ଏଥିପାଇଁ ଏକ ପ୍ରକାରର ଶାରୀରିକ ଅନୁଭୂତି ଜାଗ୍ରତ ହେଉଥିବ । ଏପରିକି ଖେଳିବା ବା ନାଚ ଶିଖିବା ଭଳି କାର୍ଯ୍ୟରେ କିପରି ଅଙ୍ଗଚାଳନା କରିହେବ ବା କରିବା ଉଚିତ ତାର ଟିକିନିଖି କାର୍ଯ୍ୟାବଳୀ ଶିକ୍ଷାର୍ଥୀ ନିଜ ମନରେ ସ୍ପଷ୍ଟ ଭାବେ ଚିତ୍ରିତ କରିପାରୁଥିବ ।

 

ଏହିସବୁ କାର୍ଯ୍ୟରେ ଶିକ୍ଷକ ସହାୟକ ଓ ପଥପ୍ରଦର୍ଶକ ଭାବେ କାର୍ଯ୍ୟକରିବା ଆବଶ୍ୟକ-। ତେବେ ବହୁସମୟରେ ପ୍ରଶ୍ନଉଠେ ଜଣେ ଶିକ୍ଷକଙ୍କ ପକ୍ଷେ ବହୁ ଶିକ୍ଷାର୍ଥୀଙ୍କୁ କିପରି ବ୍ୟକ୍ତିଗତ ଧ୍ୟାନ ଦିଆଯାଇପାରିବ । ଏଠାରେ ଲେଖକ ଡେନମାର୍କର ନାୟେ ଲିଲେସ୍କୋଲେ (ନୂତନ ଛୋଟ ବିଦ୍ୟାଳୟ)ର ଉଦାହରଣ ଦେଇଛନ୍ତି । ଶିଖିବା ପାଇଁ ସେମାନଙ୍କ ଉପରେ ଆଦୌ କୌଣସି ଚାପ ନଥାଏ । ସେଥିପାଇଁ ସେମାନେ ମୁକ୍ତଭାବେ ପରସ୍ପର ମଧ୍ୟରେ ଓ ଶିକ୍ଷକଙ୍କ ସହ ଆଲୋଚନା କରିବାରେ କୌଣସି ବାଧା ନଥାଏ । ଫଳରେ ସେମାନେ ସ୍ୱତନ୍ତ୍ର ଭାବେ ଶିକ୍ଷକଙ୍କର ସହାୟତା ଲୋଡ଼ିବାର ଆବଶ୍ୟକତା ଖୁବ୍ କମ୍ ହୋଇଥାଏ । ଉଦାହରଣ ସ୍ଵରୂପ ପଠନ ଦକ୍ଷତାରେ ପାରଙ୍ଗମତା ହାସଲ କରିବା ପାଇଁ ସମୁଦାୟ ତିରିଶ ଘଣ୍ଟାରୁ କମ୍ ସମୟ ପାଇଁ ଶିକ୍ଷକଙ୍କୁ ସହାୟତା ଦେବାକୁ ହୋଇଥାଏ । ଅବଶ୍ୟ ଏଠାରେ ଶିକ୍ଷକ ପିଲାମାନଙ୍କୁ ପଢ଼ିବା ପାଇଁ କୌଣସି ପ୍ରକାରର ‘ଶିକ୍ଷାଦାନ’ କରୁନଥିଲେ । ପିଲାମାନେ ନିଜେ ନିଜେ ପଢ଼ିବା ପାଇଁ ଉପାୟ ଖୋଜୁଥିଲେ-। ଶିକ୍ଷକ କେବଳ ସେମାନଙ୍କୁ ଏକ ପ୍ରକାର ଆବେଗିକ ସହାୟତା ଦେଉଥିଲେ ।

 

ଶାରୀରିକ କର୍ମ ଓ ବୌଦ୍ଧିକ କର୍ମ ଶିକ୍ଷାଦାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଥିବାବେଳେ ଅଧିକାଂଶ ଶିକ୍ଷକ ଉଭୟ କ୍ଷେତ୍ରରେ ସମାନ କୌଶଳରେ ଶିକ୍ଷାଦାନ କରିଥାନ୍ତି । ଶିକ୍ଷାର୍ଥୀଙ୍କୁ ଶାରୀରିକ କର୍ମ କରିବାରେ ସାହାଯ୍ୟ କରିବା ପାଇଁ ଶିକ୍ଷକ ଅନେକ କିଛି କାର୍ଯ୍ୟ କରିଥାନ୍ତି ଯାହା ସେମାନଙ୍କର ବୌଦ୍ଧିକ କର୍ମକରିବାରେ ପ୍ରଭୂତ ଅନ୍ତରାୟ ସୃଷ୍ଟି କରିଥାଏ ।

 

ବହୁତ ଦିନ ପୂର୍ବେ ଗୋଟିଏ ସଭାରେ ମୁଁ କହୁଥିଲି ଯେ ଲୋକମାନଙ୍କୁ ନିଜ ତରିକାରେ ପୃଥିବୀ ଅନୁସନ୍ଧାନ କରିବାକୁ ହେବ । ଏଥିରେ ବିଚଳିତ ହୋଇ ଜଣେ ଗୁରୁଛାତ୍ରୀ ପଚାରିଲେ ‘ମନେକରନ୍ତୁ ଗୋଟିଏ ଛଅ ବର୍ଷର ପିଲା ଜେଟ୍‍ବିମାନ କିପରି କାର୍ଯ୍ୟକରେ ପଚାରିବ ଏବଂ ସେ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିବାରେ ବା ପଦାର୍ଥ ବିଜ୍ଞାନ ପୁସ୍ତକ ପଢ଼ିବାରେ ଆଦୌ ଆଗ୍ରହୀ ନଥିବ, ସେ କ୍ଷେତ୍ରରେ ତାକୁ ଆପଣ କିପରି ବୁଝାଇବେ ?’ ପଦାର୍ଥ ବିଜ୍ଞାନର ତତ୍ତ୍ୱମାନ ଏହି ବୟସରେ ବୁଝିବା ସମ୍ଭବ ନୁହେଁ । ହୁଏତ ବେଲୁନ ଫୁଙ୍କି ତାକୁ ଛାଡ଼ିଦେଲେ କ’ଣ ହେଉଛି ଲକ୍ଷ୍ୟ କରିବା ପାଇଁ କୁହାଯାଇପାରେ ଅଥବା ଏହିଭଳି ଅନ୍ୟ ଅଭିଜ୍ଞତାରୁ ଆରମ୍ଭ କରାଯାଇପାରେ । ତା’ପରେ ପିଲାଟି ଜେଟ୍‍ବିମାନ ସମ୍ପର୍କରେ ବହୁକିଛି ପ୍ରଶ୍ନ ପଚାରିବ, ଯେପରି ‘ବାୟୁ ବାହାରି ଗଲେ ବେଲୁନ୍ ଉପରକୁ ଉଠୁଛି କିପରି ?” ‘ବାୟୁ କିପରି ଗରମ ହୁଏ ?” “ବାୟୁକୁ କିପରି ବାହାରକୁ ବାହାର କରନ୍ତି ?” ଇତ୍ୟାଦି । ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାବେଳେ ସେ ଜେଟ୍‍ବିମାନ ସମ୍ପର୍କରେ ବହୁ ତଥ୍ୟ ସଂଗ୍ରହ କରିପାରିବ ଯାହା ସେ ବୁଝିପାରିବ । କିନ୍ତୁ ଯଦି ପ୍ରଥମରୁ ଆମେ ତାକୁ ଜେଟ୍‍ବିମାନ ସମ୍ପର୍କରେ ଅଧିକ ଜାଣିବାକୁ ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରିବାକୁ ହେବ ବୋଲି କହୁ, ତା’ହେଲେ ତାର ଉଦ୍ଦେଶ୍ୟ, ଆଗ୍ରହ ଆଦିରେ ବାଧା ସୃଷ୍ଟିକରୁ ଓ ସେହି ପ୍ରକାର ଅନୁସନ୍ଧିତ୍ସାରୁ ତା’କୁ ବିରତ କରିଥାଉ । ମନେରଖିବାକୁ ହେବ ଯେ ପଦାର୍ଥ ବିଜ୍ଞାନ ପିଲାଟିକୁ ଜେଟ୍ ଇଞ୍ଜିନ ସମ୍ପର୍କରେ ଜାଣିବା ପାଇଁ କିଛି ସାହାଯ୍ୟ କରିପାରିବ ନାହିଁ, ବରଂ ଜେଟ୍ ବିମାନ ସମ୍ପର୍କରେ ପ୍ରଶ୍ନ ପଚାରି ଖୋଜିବାରେ ପଦାର୍ଥ ବିଜ୍ଞାନ ଶିଖି ପାରିବ । ବାସ୍ତବରେ ଜେଟ୍ ବିମାନ ସମ୍ପର୍କରେ ପ୍ରଶ୍ନ କରିବା ହିଁ ପଦାର୍ଥ ବିଜ୍ଞାନ । (ପୃ-୮୪)

 

ପିଲାମାନେ କୌତୂହଳୀ ହୋଇ ପ୍ରଶ୍ନ ପଚାରିବା ପରେ ହିଁ ଶିକ୍ଷକଙ୍କର କାର୍ଯ୍ୟ ଆରମ୍ଭ ହୁଏ । ପ୍ରଶ୍ନ ନାହିଁ ତ ଶିକ୍ଷା କାର୍ଯ୍ୟ ନାହିଁ । କିନ୍ତୁ ଏହି ପରିପ୍ରେକ୍ଷୀରେ ଶିକ୍ଷକ ଦେଉଥିବା ଉତ୍ତର ଦ୍ୱାରା ସେ କ’ଣ କରିପାରିବେ ଓ କ’ଣ କରିପାରିବେ ନାହିଁ ସେ ସମ୍ପର୍କରେ ତାଙ୍କର ସ୍ପଷ୍ଟ ବୋଧ ରହିବା ଉଚିତ । ସେ କୌଣସି ଜ୍ଞାନ ପ୍ରଦାନ କରନ୍ତି ନାହିଁ କାରଣ ଜ୍ଞାନ ପ୍ରଦାନ କରିହୁଏ ନାହିଁ । ଶିକ୍ଷକଙ୍କର ଉତ୍ତର ତାଙ୍କର କେତେକ ଅଭିଜ୍ଞତା ଜନିତ ଉକ୍ତି ଅଟେ ଯେଉଁ ଅଭିଜ୍ଞତା ହୁଏତ ପ୍ରଶ୍ନକର୍ତ୍ତାଙ୍କର ଥାଇପାରେ ଅବା ନଥାଇପାରେ । ପ୍ରଶ୍ନକର୍ତ୍ତା ଉତ୍ତରର ଉକ୍ତି ବା ଶବ୍ଦାବଳୀକୁ ପାଇଥାନ୍ତି କିନ୍ତୁ ଏଥିରେ ନିହିତ ଅଭିଜ୍ଞତାକୁ ନୁହେଁ । ସେ ନିଜର ଅଭିଜ୍ଞତା ପ୍ରୟୋଗ କରି ଏହି ଉକ୍ତିର ଅର୍ଥ ପ୍ରସ୍ତୁତ କରିଥାନ୍ତି । ଯଦି ଉତ୍ତରରେ ଥିବା ଉକ୍ତି ସହିତ ସଂପୃକ୍ତ କୌଣସି ଅଭିଜ୍ଞତା ପ୍ରଶ୍ନକର୍ତ୍ତାଙ୍କର ନଥାଏ ତା’ହେଲେ ସେହି ଉକ୍ତିର କୌଣସି ଅର୍ଥ ପ୍ରସ୍ତୁତ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥାଏ ।

 

ପିଲାଟିଏ କୌତୂହଳୀ ହୋଇ ପ୍ରଶ୍ନ ପଚାରେ । ସେହି ପ୍ରଶ୍ନର ଉତ୍ତର ପିଲାଟି ପାଇଁ ଉପଯୁକ୍ତ ବା ଯଥେଷ୍ଟ ହୋଇପାରେ ବା ନହୋଇପାରେ । ଯଦି ଶିକ୍ଷକଙ୍କର ଉତ୍ତର ପିଲାଟି ପାଇଁ ସନ୍ତୋଷଜନକ ହୋଇନଥାଏ, ତା’ହେଲେ ସେ ଆହୁରି ଅଧିକ ପ୍ରଶ୍ନ ପଚାରି ନିଜର ସଂଶୟ ଦୂର କରିପାରେ । ଯଦି ଜଣେ ଶିକ୍ଷକଙ୍କର ଉତ୍ତରରେ ପିଲାଟି ସନ୍ତୁଷ୍ଟ ହୁଏ ନାହିଁ, ତା’ହେଲେ ଉତ୍ତର ପାଇଁ ଅନ୍ୟ ଉତ୍ସ ଖୋଜିବ । ତାହା ବିଭିନ୍ନ ପୁସ୍ତକ, ଘଟଣା ବା ଅନ୍ୟ ଶିକ୍ଷକ ବା ବ୍ୟକ୍ତି ବିଶେଷ ହୋଇପାରନ୍ତି । ଶିଖିବାକୁ ହେଲେ ଶିକ୍ଷାର୍ଥୀକୁ ହିଁ ପ୍ରଶ୍ନ ପଚାରିବାକୁ ହେବ ଏବଂ ଉତ୍ତର ଖୋଜିବାକୁ ହେବ ।

 

ଶିକ୍ଷକ ଦେଉଥିବା ଉତ୍ତର ପିଲାଟିଏ ବୁଝି ପାରୁଛି କି ନାହିଁ ତାହା ସେ କିପରି ଜାଣି ପାରିବେ ? ପିଲାର ମୁହଁକୁ ଚାହଁ ବହୁ ସମୟରେ ସେ ବୁଝୁଛି କି ନାହିଁ ଜାଣିହେବ । ଆମେ ଯେତେବେଳେ ଅନ୍ୟଜଣକୁ କିଛି କହୁଛେ, ସେ ପିଲା ହେଉ ବା ବୟସ୍କ ହେଉ, ସେ ବୁଝିପାରୁନଥିବାର ସଙ୍କେତମାନଙ୍କ ପ୍ରତି ଆମକୁ ଲକ୍ଷ୍ୟ କରିବାକୁ ହେବ । ତା’ ହେଲେ ଆମେ ନିଜକୁ ଆହୁରି ଅଧିକ ସ୍ପଷ୍ଟ କରିପାରିବା ।

 

ଆଲଫ୍ରେଡ୍ ନର୍ଥ ହ୍ୱାଇଟହେଡ୍ ଏକଦା କହିଥିଲେ ଯେ ପ୍ରଶ୍ନମାନଙ୍କର ଠିକ୍ ଉତ୍ତର ଦେବା ଲୋକମାନଙ୍କୁ ସହଜରେ ଶିଖାଇ ହେବ, କିନ୍ତୁ ଉଚିତ ପ୍ରଶ୍ନ ପଚାରିବା ପାଇଁ ଶିକ୍ଷା ଦେବା ବେଶ୍ କଷ୍ଟ ସାଧ୍ୟ । ଉଚିତ୍ ପ୍ରଶ୍ନ ହେଉଛି ଯାହା ମଜାଦାର, ଗୁରୁତ୍ୱପୂର୍ଣ୍ଣ, ଉପଯୋଗୀ ଏବଂ ଦୂରଦର୍ଶୀ ହୋଇଥିବ । ସୌଭାଗ୍ୟବଶତଃ ପ୍ରତ୍ୟେକ ପିଲା ଜନ୍ମରୁ ଏଭଳି ପ୍ରଶ୍ନ ପଚାରିଥାନ୍ତି । ସେଥିପାଇଁ ସ୍ଵତନ୍ତ୍ର ଶିକ୍ଷା ଦେବା ଆବଶ୍ୟକ ହୋଇନଥାଏ । ଆମକୁ କେବଳ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ହେବ କିମ୍ବା ସେମାନଙ୍କୁ ଉତ୍ତର ଖୋଜିବା ପାଇଁ ସୁଯୋଗ ଦେବା ବା ସାହାଯ୍ୟ କରିବାକୁ ହେବ । ଯେପରିକି ସେମାନେ ଅଧିକ ପ୍ରଶ୍ନ ପଚାରି ପାରିବେ । ଧୀରେ ଧୀରେ ସେମାନେ ଉନ୍ନତ ପ୍ରଶ୍ନମାନ ପଚାରିବେ ଏବଂ ସେମାନଙ୍କର ଉତ୍ତର ଆହୁରି ସୁଦୂରପ୍ରସାରୀ ହେବ । ହ୍ୱାଇଟହେଡ୍‍ଙ୍କ ଏହି ମନ୍ତବ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥାକୁ ସୂଚାଇଥାଏ । ତାହା ହେଉଛି ଗଣିତ, ପଦାର୍ଥବିଜ୍ଞାନ ବା ଯେକୌଣସି ବୌଦ୍ଧିକ କାର୍ଯ୍ୟ କରିବା ପ୍ରଥମେ ଜଣେ ଏକ ପ୍ରଶ୍ନ ପଚାରିବାରୁ ହିଁ ଅୟମାରମ୍ଭ ହୋଇଥାଏ । ଅର୍ଥାତ୍ ଜଣେ କେହି ବିସ୍ତ୍ମିତ, ବିଭ୍ରାନ୍ତ ଏବଂ ବିଶୃଙ୍ଖଳ ପରିସ୍ଥିତିରେ ପଡ଼ି ଏଭଳି ପ୍ରଶ୍ନରେ ଛନ୍ଦି ହେଉଥିବ । ବିଦ୍ୟାଳୟର ପାଠ୍ୟପୁସ୍ତକ କ୍ୱଚିତ ଏଦିଗରେ ସହାୟକ ହୋଇଥାନ୍ତି । କେହିଜଣେ ଲେଖିଛନ୍ତି ଯେ ଆଇନ୍‌ଷ୍ଟାଇନ୍‌ଙ୍କର ଆପେକ୍ଷିତ ତତ୍ତ୍ୱ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା ଯେତେବେଳେ ସେ ଅତି ଅଳ୍ପ ବୟସରୁ ନିଜକୁ ଦୁଇଟି ପ୍ରଶ୍ନ ପଚାରିଥଲେ : ଦୁଇଟି ଘଟଣା ଏକ ସମୟରେ ଘଟିବା କହିଲେ କ’ଣ ବୁଝାଏ ? ଅନ୍ୟଟି ହେଉଛି, ମହାଶୂନ୍ୟରେ ଏକ ଆଲୋକ ରଶ୍ମୀର ଅଗ୍ରଭାଗରେ ବସି ଯାତ୍ରା କଲେ ଆମେ କ’ଣ ଦେଖିପାରିବା ? ଏଭଳି ପ୍ରଶ୍ନ କୌଣସି ବିଦ୍ୟାଳୟର ଶିକ୍ଷକ ହୁଏତ ଆଦୌ ଶୁଣି ନଥିବେ । ଯେଉଁମାନେ ବା ଶୁଣିଲେ ଏଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ମନେକଲେ ନାହିଁ କିମ୍ବା ‘ବିଜ୍ଞାନ ସମ୍ବନ୍ଧୀୟ’ ପ୍ରଶ୍ନ ଭାବେ ଚିନ୍ତା କରିନଥିଲେ । ଏଭଳି ପ୍ରଶ୍ନ ପଚାରୁଥିବା ପିଲାମାନେ କୌଣସି ପ୍ରୋତ୍ସାହନ ବଦଳରେ ଅଧିକ ସମାଲୋଚନାର ଶରବ୍ୟ ହୋଇଥାନ୍ତି । ବୋଧହୁଏ ସେଥିପାଇଁ ଆଇନ୍‌ଷ୍ଟାଇନ୍ ସେହିଭଳି ଏକ ଛାତ୍ରଥିଲେ ଏବଂ ତାଙ୍କର ବିଦ୍ୟାଳୟର ଶିକ୍ଷକମାନେ ତାଙ୍କୁ ମାନ୍ଦା ଛାତ୍ରବୋଲି ଭାବୁଥିଲେ ।

 

ବହୁପ୍ରକାରର ବୌଦ୍ଧିକ କାର୍ଯ୍ୟରତ କର୍ମକାରୀମାନେ ନିଜ ନିଜ ମଧ୍ୟରେ କରୁଥିବା ତର୍କରୁ ଆମେ ବହୁତ କିଛି ଶିଖିପାରିବା । ଏ ସମ୍ପର୍କରେ ଐତିହାସିକମାନେ ଉତ୍ତମ ଉଦାହରଣ ହୋଇପାରନ୍ତି । ଇତିହାସ ଲେଖକମାନେ ଏକ ସମୟରେ ଦୁଇପ୍ରକାରର ଯୁକ୍ତି କରିଥାନ୍ତି : ଗୋଟିଏ ହେଉଛି କ’ଣ ଘଟିଥିଲା ? ଅନ୍ୟଟି ହେଉଛି କ’ଣ ଘଟିଥିଲା ଜାଣିବାର ସର୍ବୋତ୍ତମ ଉପାୟଟି କ’ଣ ? ଏହା ସହିତ ତୃତୀୟ ଯୁକ୍ତିଟି ହେଉଛି, ଏହା ଜାଣିବା ଓ ନଜାଣିବା ମଧ୍ୟରେ କି ପାର୍ଥକ୍ୟ ଅଛି ?

 

ଆମ ସମସ୍ତଙ୍କର ଗତକାଲି ବା ଗତସପ୍ତାହରେ, କ’ଣ ଘଟିଛି ତାହା ଜାଣିବା ଆବଶ୍ୟକ ହୋଇଥାଏ । ଆମ ସମସ୍ତଙ୍କର ସମସ୍ୟା ହେଉଛି ଯେ ଆମେ କିପରି ଜାଣିବା, କାହାକୁ ପଚାରିବା, ଆମେ କାହାକୁ ବିଶ୍ୱାସ କରୁ ? ଏହିପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିପ୍ରେକ୍ଷୀରେ ଆମେ ସମସ୍ତେ ଐତିହାସିକ । ଆମର ଚତୁଃପାର୍ଶ୍ଵରେ, ଆମେ ଯାହାସବୁ ଦେଖୁ ବା କାର୍ଯ୍ୟ କରିଥାଉ ସେ ସମସ୍ତଙ୍କର ଇତିହାସ ଅଛି । ଯାହାସବୁ ଲିଖିତ ଇତିହାସ ଆମେ ପଢ଼ିଥାଉ ତନ୍ମଧ୍ୟରୁ ଅଧିକଭାଗ କେବଳ ବିବରଣୀ ମାତ୍ର, ତଥ୍ୟ ନୁହେଁ । ଦୈନିକ ସମ୍ବାଦପତ୍ର ମଧ୍ୟ ଏକ ଇତିହାସ ପୁସ୍ତକ । ସେଥିରୁ ଆମେ ଯାହାସବୁ ପଢ଼ୁ ସେସବୁ ଆମେ ସବୁବେଳେ ବିଶ୍ଵାସ କରିନଥାଉ । ଆମେ ଯେଉଁ ବାସ୍ତବତାରେ ବଞ୍ଚିଥାଉ ତାହା ଅତୀତ ଓ ଭବିଷ୍ୟତକୁ ସଂପ୍ରସାରିତ ହୋଇଥାଏ । ତାହା ଏକ ‘ବିଦ୍ୟାଳୟର ପାଠ’ ବା ଏକ ‘ଜ୍ଞାନର ବିଭାଗ’ ନୁହେଁ ଯାହା କେତେକ ବିଶେଷଜ୍ଞଙ୍କ ମଧ୍ୟରେ ସୀମିତ ରହିପାରେ । ଆମେ ସମସ୍ତଙ୍କର ସକ୍ରିୟ ଜୀବନର ଏହା ହେଉଛି ମଞ୍ଚ । ଏଥିପାଇଁ କେଉଁ ପ୍ରଶ୍ନ ପଚାରିବା ଉଚିତ ? ଆମେ କିପରି ଉତ୍ତର ଖୋଜିବା ? ଆମେ କିପରି ଜାଣିବା ଆମର ଉତ୍ତର ଯଥାର୍ଥ ? ଏହି ପ୍ରଶ୍ନସବୁ ସମସ୍ତ ପ୍ରକାର ବୌଦ୍ଧିକ କାର୍ଯ୍ୟ ସହିତ ଓତଃପ୍ରୋତ ଭାବେ ଜଡ଼ିତ-

 

ଏପରି କ୍ଷେତ୍ରରେ ଜଣେ ଶିକ୍ଷକ କ’ଣ କରିପାରିବେ ? କାର୍ଯ୍ୟକାରୀ ଶିକ୍ଷକ ଖୁବ୍ ବେଶୀରେ କିଛି ନୂତନ ପ୍ରଶ୍ନ ବତେଇବା ବା ଉତ୍ତର ନିର୍ଣ୍ଣୟ କରିବା ଓ ସେଗୁଡ଼ିକୁ ଯାଞ୍ଚ କରିବାର ଉପାୟ ସମ୍ପର୍କରେ କିଛି ପ୍ରସ୍ତାବ ରଖିପାରନ୍ତି । ଏହାଠାରୁ କିଛି ଅଧିକ କରିବାର ଅର୍ଥ ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ସେମାନଙ୍କଠାରୁ ଛଡ଼େଇ ଆଣିବା ଭଳି ହେବ । ଅଧୁକାଂଶ ଉଚ୍ଚାଭିଳାସୀ ଶିକ୍ଷକ ନିଜର ଉଦ୍ଦେଶ୍ୟ ସାଧନ ପାଇଁ ଶିକ୍ଷାର୍ଥୀମାନଙ୍କୁ ବ୍ୟବହାର କରିଥାନ୍ତି । (ପୃ-୧୦୨)

 

ଶିକ୍ଷକଙ୍କର କର୍ତ୍ତୃତ୍ୱ :

 

ଡେନିସନ୍ ତାଙ୍କ ଲିଖିତ ପୁସ୍ତକ The Lives of Children ରେ ସ୍ୱାଭାବିକ କର୍ତ୍ତୃତ୍ୱ ଏବଂ କ୍ଷମତା ଜାହିର କରୁଥିବା କର୍ତ୍ତୃତ୍ୱ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଦର୍ଶାଇଛନ୍ତି । ସ୍ୱାଭାବିକ ବା ବାସ୍ତବିକ କର୍ତ୍ତୃତ୍ୱ ଅଭିଜ୍ଞତା, ଦକ୍ଷତା, ପ୍ରଜ୍ଞା ଏବଂ ଅଙ୍ଗୀକାର ବଦ୍ଧତା ଉପରେ ପର୍ଯ୍ୟବସିତ । ଏହା ଜଣଙ୍କର ଅନ୍ୟ ପ୍ରତି ସମ୍ମାନ, ବିଶ୍ୱାସ ଏବଂ ଭଲପାଇବାକୁ ବୁଝାଇଥାଏ । ଅପରପକ୍ଷରେ ବାଧ୍ୟବାଧକତା ବା କ୍ଷମତା ଜାହିର କରୁଥିବା କର୍ତ୍ତୃତ୍ୱ ଉତ୍କୋଚ ଦେବା, ଧମକପୂର୍ଣ୍ଣ ଆଚରଣ ଓ ଦଣ୍ଡ ବିଧାନ ଉପରେ ଆଧାରିତ ହୋଇଥାଏ । ବହୁତ ଲୋକ ଉଭୟ କର୍ତ୍ତୃତ୍ୱ ମଧ୍ୟରେ ପାର୍ଥକ୍ୟ ବୁଝିପାରନ୍ତି ନାହିଁ ଏବଂ ଗୋଟିଏ ଅନ୍ୟଟିର ପରିପୂରକ ବୋଲି ଏକ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇଥାନ୍ତି । ପ୍ରକୃତପକ୍ଷେ, କ୍ଷମତା ଜାହିର କରୁଥିବା କର୍ତ୍ତୃତ୍ୱ ସ୍ୱାଭାବିକ କର୍ତ୍ତୃତ୍ୱର ସହାୟକ ହେବା ପରିବର୍ତ୍ତେ ଏହାକୁ ନିଚ ଦୃଷ୍ଟିରେ ଦେଖିଥାଏ ଓ ଧ୍ୱଂସ କରିଥାଏ ।

 

କ୍ଷମତା ନୈତିକ ଅଧିକାର ଏବଂ ଦାୟିତ୍ୱବୋଧକୁ ନଷ୍ଟ କରିଥାଏ । ଜଣେ କ୍ରୀତଦାସର ମୁନିବ ପ୍ରତି କୌଣସି ନୈତିକ କର୍ତ୍ତବ୍ୟ ନଥାଏ । ବିଦ୍ୟାଳୟରେ ଶିକ୍ଷାର୍ଥୀ ଏବଂ ଶିକ୍ଷକଙ୍କ ମଧ୍ୟରେ ସମ୍ପର୍କ କ୍ରୀତଦାସ ଓ ମୁନିବ ସମ୍ପର୍କ ହୋଇପାରିବ ନାହିଁ । ଅନେକ ଭାବନ୍ତି ଯେ ଶିକ୍ଷକ ମାତୃତୁଲ୍ୟ କୋମଳତା ଓ ଭଲପାଇବା ନେଇ ଶିକ୍ଷାର୍ଥୀଙ୍କ ସହ ବ୍ୟବହାର କରିବା ଉଚିତ । କିନ୍ତୁ ଏପରି ସମ୍ପର୍କରେ ମାଆର ସବୁକିଛି ଉପରେ ଅଧିକାର ଥାଏ । ପିଲାଟି ସମ୍ପୂର୍ଣ୍ଣଭାବେ ଅସହାୟ ଓ କର୍ତ୍ତୃତ୍ୱଶୂନ୍ୟ ହୋଇଥାଏ । ଉଭୟଙ୍କ ମଧ୍ୟରେ କୌଣସି ଛୋଟ-ବଡ଼ ଭାବ ଉପରେ ସମ୍ପର୍କ ପର୍ଯ୍ୟବସିତ ନରହି ସମଭାବାପନ୍ନ ବନ୍ଧୁତ୍ୱ ଉପରେ ଆଧାରିତ ହେବା ଉଚିତ୍ । ଯେଉଁଥିରେ କି ଜଣେ ଅନ୍ୟଜଣକୁ ଜଣେ ମନୁଷ୍ୟ ଭାବେ ଏବଂ ସମସ୍କନ୍ଧ ଭାବେ ବିବେଚନା କରୁଥିବେ । ଏହାହିଁ ଇଲିଚ୍‍ଙ୍କର ସଙ୍ଗାଶ୍ରୟୀ ସମାଜ (Convivial Society)ର ମୂଳମନ୍ତ୍ର ।

 

କିନ୍ତୁ ଆମ ବିଦ୍ୟାଳୟ ଗୁଡ଼ିକ ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କ ଏକ ବାଧ୍ୟତାମୂଳକ ବାତାବରଣ ଉପରେ ଆଧାରିତ ହୋଇଥିବା ଦେଖାଯାଏ । ଏଥିରେ ସମାଜ ଗୋଟିଏ ଗୋଷ୍ଠୀ (ଶିକ୍ଷକ) ଅନ୍ୟ ଗୋଷ୍ଠୀ (ଶିକ୍ଷାର୍ଥୀ) କ’ଣ କରିବ ତାହା ସମସ୍ତ ନିର୍ଦ୍ଧାରଣ କରିଥାଏ । ଶିକ୍ଷାର୍ଥୀ କ’ଣ ଶିଖିବ, କେତେବେଳେ ଶିଖିବ, ପୃଥିବୀରେ ତା’ର ଜୀବନ କିପରି ହେବ ସବୁକିଛି ନିର୍ଦ୍ଧାରଣ କରିବାର କ୍ଷମତା ଶିକ୍ଷକଙ୍କୁ ହିଁ ଦିଆଯାଇଛି । ଯେଉଁ ଶିକ୍ଷାର୍ଥୀମାନେ ଆଶାନୁରୂପ (ଶିକ୍ଷକଙ୍କର ବା ବୟସ୍କମାନଙ୍କର ଆଶାନୁଯାୟୀ) ଅଗ୍ରଗତି ହାସଲ କରିପାରୁନାହାନ୍ତି ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ନିଦାନ (ଯଥା, ପରୀକ୍ଷଣ ପଦ୍ଧତି ଆଦି) ମଧ୍ୟ ବାଧ୍ୟତାମୂଳକ ଭାବେ ସ୍ଥିର କରାଯାଏ । ଏହାଠାରୁ ଅଧିକ ଭୟଙ୍କର ପରିସ୍ଥିତି କଳ୍ପନା କରିବା କଷ୍ଟକର ।

 

ମାନବୀୟ ପ୍ରକୃତି :

 

ଏ ପର୍ଯ୍ୟନ୍ତ ଯାହା କୁହାଯାଇଛି ତାହା ମନୁଷ୍ୟର ପ୍ରକୃତି ସମ୍ପର୍କରେ କିଛି ଆଭାସ ଦିଏ । ଏକ ପାରମ୍ପରିକ ତଥା ନକାରାତ୍ମକ ଦୃଷ୍ଟିଭଙ୍ଗୀ ହେଉଛି ଯେ ଅଧିକାଂଶ ଭାବେ ମନୁଷ୍ୟ କୁପ୍ରକୃତିର-। ତାର ଗଭୀରତମ ଇଚ୍ଛା ଏବଂ ପ୍ରବୃତ୍ତି ଅଧିକ ଭଲ ପରିବର୍ତ୍ତେ ମନ୍ଦ ଅଟେ । ସେଥିପାଇଁ ସେ ଯାହା କରେ ସେସବୁ ଅଧିକଭାବେ ତ୍ରୁଟିପୂର୍ଣ୍ଣ । ଏବଂ କ୍ଷତିକାରକ ହେବା ସ୍ୱାଭାବିକ-। ଏଥିରେ ଆହୁରି ମଧ୍ୟ ବିଶ୍ଵାସ କରାଯାଏ ଯେ ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସ୍ଥିର ନିଶ୍ଚିତ ଯେ ସେମାନଙ୍କୁ କେବେହେଲେ ବିଶ୍ୱାସ କରିହେବ ନାହିଁ ଏବଂ ସେମାନେ ଯେତେବେଳେ ଯାହା କରିବାକୁ ଇଚ୍ଛା କରନ୍ତି ତାହା ସେମାନଙ୍କ ପକ୍ଷେ ମଧ୍ୟ କ୍ଷତିକାରକ-। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏକ ସାମାଜିକ ଶୃଙ୍ଖଳା ପ୍ରତିଷ୍ଠା କରିବାର ଆବଶ୍ୟକତା ଅଛି, ଯେଉଁଥିପାଇଁ ବଳପ୍ରୟୋଗ କରିବା ଦରକାର ପଡ଼ିବ । ଏପରି ସାମାଜିକ ଶୃଙ୍ଖଳା ପ୍ରତିଷ୍ଠା କରିବା ପାଇଁ କେତେକ ମୁଷ୍ଟିମେୟ ବିଶ୍ୱସନୀୟ ବ୍ୟକ୍ତି ଥାନ୍ତି ଯେଉଁମାନେ ନିଜର କ୍ଷମତା ନିଶ୍ଚିତ କରିଥାନ୍ତି ଏବଂ ତାହା କିପରି ପ୍ରୟୋଗ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନେଇଥାନ୍ତି । ଏହି ଗୋଷ୍ଠୀର ମୁଖ୍ୟକାର୍ଯ୍ୟ ହେଉଛି ରାଜନୀତି ଏବଂ ପ୍ରଶାସନ ମାଧ୍ୟମରେ ସାମାଜିକ ଶୃଙ୍ଖଳା ପ୍ରତିଷ୍ଠା କରିବା ଯାହା କ୍ଵଚିତ, କେବଳ ପରିସ୍ଥିତିର ପ୍ରଭୂତ ଚାପରେ, ପରିବର୍ତ୍ତନ ହୋଇଥାଏ । ଏପରି ମତାମତ ପୋଷଣ କରୁଥିବା ବ୍ୟକ୍ତିମାନଙ୍କୁ ରକ୍ଷଣଶୀଳ, ପ୍ରତିକ୍ରିୟାଶୀଳ ବା ଆହୁରିକିଛି ମନ୍ଦ ଭାବେ ଚିତ୍ରିତ କରାଯାଇଥାଏ-

 

ଜଣେ ପ୍ରକୃତ ରକ୍ଷଣଶୀଳ ହେଲେ ପାରମ୍ପରିକ ଅର୍ଥରେ ମନୁଷ୍ୟମାନେ ସ୍ୱଭବାଗତ ମନ୍ଦ ବୋଲି ବିଶ୍ୱାସ ପୋଷଣ କରିବାର ଆବଶ୍ୟକତା ନାହିଁ । କେତେକ ସମୟରେ ଆଘାତ ଦେବା, ହତ୍ୟାକରିବା ବା ଧ୍ୱଂସ କରିବାରେ ଆନନ୍ଦ ପାଇଥାଉ କିନ୍ତୁ ଅନେକ ସମୟରେ ଅନ୍ୟମାନଙ୍କ ଅନିଷ୍ଟ ନକରିବା, ଆନନ୍ଦ ଦେବା ଓ ଆନନ୍ଦଦାୟକ କାର୍ଯ୍ୟରେ ଭାଗୀଦାର ହେବା ଏବଂ ଅନ୍ୟମାନଙ୍କର ନିରୀହ ଆବଶ୍ୟକତା ପୂରଣ କରିବାରେ ମଧ୍ୟ ଆମେ ଆନନ୍ଦଲାଭ କରିଥାଉ-। ଆମର ଜୈବିକ ସ୍ୱଭାବର କେବଳ ମନ୍ଦ ଉଦ୍ଦେଶ୍ୟ ସାଧନ କରିବା ପାଇଁ କ୍ଷମତା ଅଛି ତାହା ନୁହେଁ ବହୁଭାବରେ ଅନ୍ୟମାନଙ୍କୁ ଆଘାତ ନଦେଇ, ନିରୀହ ଆନନ୍ଦ ଉପଲବ୍ଧ କରିବାରେ ମଧ୍ୟ ଯଥେଷ୍ଟ କ୍ଷମତା ଅଛି । ଏପରିକି ରୋଗ ଓ ଯନ୍ତ୍ରଣା ସହ୍ୟ କରିବା ଓ ସେସବୁ ଉପଭୋଗ କରିବା ପାଇଁ ଆମେ ଚେଷ୍ଟା କରିଥାଉ ।

 

ମାନବୀୟ ପ୍ରକୃତି ସମ୍ବନ୍ଧରେ ସର୍ବାଧିକ ସତ୍ୟଟି ହେଉଛି ଯେ ଏହା ଅତ୍ୟନ୍ତ ନମନୀୟ-। ସେଥିପାଇଁ ଆମେ ମଣିଷମାନେ ସହଜରେ ବହୁବିଧ ପ୍ରକୃତି ହାସଲ କରିପାରୁ ଏବଂ ହାସଲ କରୁଛୁ ମଧ୍ୟ ଏବଂ ସେସବୁ ଜଣକର ସାମାଜିକ ଏବଂ ସାଂସ୍କୃତିକ ପରିବେଶ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଯେଉଁ ସଂସ୍କୃତି ମଣିଷମାନେ ମନ୍ଦବୋଲି ବିଶ୍ୱାସକରେ, ସେଥିରେ ଅଧିକାଂଶ ମନ୍ଦ ପ୍ରକୃତିର ହୋଇଥାନ୍ତି । ଯିଏ ପ୍ରତ୍ୟେକଙ୍କୁ ଭୟ କରେ ସେ ଭୟକରୁଥିବା ବ୍ୟବହାର ହିଁ ସୃଷ୍ଟି କରିଥାଏ । ଏପରି ମନ୍ଦ ବ୍ୟକ୍ତିମାନଙ୍କୁ ନେଇ ଏକ ଉତ୍ତମ ସମାଜର ଧାରଣାରେ ଦ୍ୱିତୀୟ ତ୍ରୁଟିଟି ପ୍ଲାଟୋଙ୍କର ଏକ ଆଦର୍ଶ ରାଜ୍ୟର ମୁଖ୍ୟଙ୍କ ସମ୍ବନ୍ଧରେ ଉକ୍ତିଟି । ପ୍ଲାଟୋ ତାଙ୍କ କଳ୍ପିତ ଆଦର୍ଶ ରାଜ୍ୟର ମୁଖ୍ୟ ଦାର୍ଶନିକ-ସମ୍ରାଟ ହେବା ଉଚିତ ବୋଲି କହିଥିଲେ । କିନ୍ତୁ ବାସ୍ତବରେ ଦାର୍ଶନିକମାନେ ରାଜା ହୋଇପାରିବେ ନାହିଁ କାରଣ ଜ୍ଞାନ ପରିବର୍ତ୍ତେ ବଳ ହିଁ ସିଂହାସନକୁ ବାଟ କଢ଼ାଇଥାଏ । ଅଧିକାଂଶ ରାଜା ଅଧିକ ଜ୍ଞାନୀ ବା ଅତ୍ୟନ୍ତ ଦୟାବାନ ବା ଧାର୍ମିକ ହୋଇ ନିଜର ସିଂହାସନ ରକ୍ଷା କରିନଥାନ୍ତି । ବରଂ ସେମାନେ ଅନୈତିକ, କ୍ରୁର, ହିଂସା ଓ ଶଠତାପୂର୍ଣ୍ଣ ପନ୍ଥା ଅବଲମ୍ବନ କରିଥାନ୍ତି । ଆମ ସମାଜରେ, ରାଜା ଏବଂ ଅନ୍ୟମାନଙ୍କ ଦ୍ଵାରା ଶାସନରେ ସର୍ବୋତ୍ତମ ବା ବିଜ୍ଞ ବ୍ଳଚିତ ସର୍ବୋଚ୍ଚ ସ୍ଥାନକୁ ଯାଇଥାନ୍ତି । ତାତ୍ତ୍ୱିକ ଦୃଷ୍ଟିରୁ ଶାସକମାନଙ୍କର ସାମର୍ଥ୍ୟ ଏବଂ ସାଧୁତା ସାମାଜିକ ଶୃଙ୍ଖଳାକୁ ଅଧିକ ଉନ୍ନତ କରିବାରେ ସହାୟକ ହୋଇପାରେ ବୋଲି ଚିନ୍ତା କରାଯାଇପାରେ । କିନ୍ତୁ ବାସ୍ତବତଃ ଶାସକମାନଙ୍କର ଦୁର୍ବଳତା ଏବଂ ଅସାଧୁତା ସାମାଜିକ ଶୃଙ୍ଖଳାକୁ ବିପନ୍ନ କରିଥାଏ । ଶାସକମାନେ ଯାହାସବୁ କଦାପି ନିଜେ କରନ୍ତି ନାହିଁ ତାହା କରିବା ପାଇଁ ଅନ୍ୟମାନଙ୍କୁ ଆଦେଶ ଦିଅନ୍ତି; ଶାସିତମାନେ ଆଦେଶବିନା ଯାହା କରିବାକୁ ଆଦୌ ଇଚ୍ଛା କରନ୍ତି ନାହିଁ, ସେସବୁ ଆଦେଶ ବଳରେ କରିବାକୁ ବାଧ୍ୟ ହୋଇଥାନ୍ତି । ଯେପରି ଜଣେ କହନ୍ତି, ଯିଏ ହତ୍ୟା କରନ୍ତି ସେ ଯୋଜନା କରିନଥାନ୍ତି ଏବଂ ଯିଏ ଯୋଜନା କରନ୍ତି ସେ ହତ୍ୟା କରନ୍ତି ନାହିଁ । (ପୃଷ୍ଠା ୧୧୫)

 

ଗୋଟିଏ ସମାଜରେ ବ୍ୟକ୍ତିମାନଙ୍କ ମଧ୍ୟରେ ଯେପରି ପାର୍ଥକ୍ୟ ଅଛି ସେହିଭଳି ମାନବ ସମାଜମାନଙ୍କ ମଧ୍ୟରେ ମନ୍ଦ ସମାଜଟି ଉପରସ୍ଥାନ ଅଧିକାର କରିବାର ବହୁ ସମ୍ଭାବନା ଥାଏ । ଲୋଭଗ୍ରସ୍ତ, ହିଂସ୍ର ଏବଂ ଅତ୍ୟାଚାରୀ ସମାଜଟି ନିକଟବର୍ତ୍ତୀ ଶାନ୍ତିପ୍ରିୟ, ନମ୍ର ଏବଂ ସୁଖୀ ସମାଜଟିକୁ ପ୍ରାୟ ସର୍ବଦା ଗ୍ରାସ କରିଥାଏ । ଆମେ ଯାହାକୁ ଇତିହାସ କହୁଛୁ ତାହା ପାଗଳମାନଙ୍କର ସଫଳତାର କାହାଣୀ । ପ୍ରାଗ୍‍ ଐତିହାସିକ କାଳଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କେତେ ଯେ ମାନବୀୟ ଏବଂ ସମ୍ବେଦନଶୀଳ ସମାଜ ପୃଥିବୀ ପୃଷ୍ଠରୁ ଲୋପ ପାଇଛି ସେଗୁଡ଼ିକର ଇୟତ୍ତା ନାହିଁ କାରଣ ଇତିହାସରେ ପରାଜିତମାନଙ୍କର କୌଣସି ଚିହ୍ନବର୍ଣ୍ଣ ନଥାଏ ।

 

ଲୋକମାନେ ବହୁତ କୁକର୍ମ କରିଥାନ୍ତି, କାରଣ ସେସବୁ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ ଏବଂ ସେସବୁ କରିବା ପାଇଁ ବାଧ୍ୟ କରାଯାଇଥାଏ । ଆମ ସମାଜଭଳି ରହୁଥିବା ସେମାନଙ୍କର ସମାଜ କହିଥାଏ ଯେ ଯେତେବେଳେ ବିଜୟଲାଭ କରିବା ଏକମାତ୍ର ଶ୍ରେୟ, ସେଥିପାଇଁ ଲୋଭଗ୍ରସ୍ତ, ସ୍ୱାର୍ଥପର, ଦୁର୍ଦ୍ଦାନ୍ତ ଓ ନିଷ୍ଠୁର ହେବା ଆବଶ୍ୟକ । କିନ୍ତୁ ଅନ୍ୟ ଏକ ସମାଜ ସମ୍ଭବ ଯେଉଁଠି ଭିନ୍ନ ପ୍ରକାରର ମୂଲ୍ୟବୋଧ ସମ୍ଭବ । ଅନ୍ୟମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ଭଦ୍ର ଓ ବଦାନ୍ୟ ବ୍ୟକ୍ତିମାନଙ୍କୁ ଏପରି ସମାଜରେ ଦେଖିବାକୁ ମିଳିବ । ଲୋକମାନଙ୍କୁ ସହଜରେ ବିକୃତ କରିହେବ । କିନ୍ତୁ ସେମାନଙ୍କର ଆବଶ୍ୟକତା ପୂରଣ କଲେ, ସେମାନେ ସ୍ୱାସ୍ଥ୍ୟବାନ ଏବଂ ଭୟଶୂନ୍ୟ ହୋଇପାରନ୍ତି ଓ ସେମାନଙ୍କର ଜୀବନର ବିବିଧତା ବେଶ୍ ଆକର୍ଷଣୀୟ ଅର୍ଥପୂର୍ଣ୍ଣ ଫଳପ୍ରଦ ଏବଂ ଆନନ୍ଦମୟ ହୋଇଥାଏ । ଖୁବ୍ କ୍ଵଚିତ୍ ବୟସ୍କ ବା ପିଲା ଏପରି ଜୀବନ ଯାପନ କରୁଥିବାର ଦେଖାଯାଏ । ଲୋକମାନଙ୍କ ପ୍ରକୃତି କେତେ ଉତ୍ତମ ଓ କରୁଣାମୟ ତାହା ଖୋଜିବା ସମ୍ଭବ ହୋଇନପାରେ କିନ୍ତୁ ଲୋକମାନେ ଭଲ ହେବା ଓ ଦୟାବନ୍ତ ହେବା ପାଇଁ ଇଚ୍ଛା କରନ୍ତି । ଉତ୍ତମ ଓ ଦୟାବାନ ହେବା ପାଇଁ ସମାଜଟିଏ ଅକ୍ଷମ ନୁହେଁ ଏହା ଚିନ୍ତାକରି ନୂତନ ସମାଜର ପରିକଳ୍ପନା କରିବା ଉଚିତ ହେବ ।

 

ସର୍ବୋତ୍ତମ ବିଦ୍ୟାଳୟମାନଙ୍କ ମଧ୍ୟରୁ ଗୋଟିଏ :

 

ଡେନ୍‌ମାର୍କର ନାୟେ ଲିଲେସ୍କୋଲେ (ନୂଆ ଛୋଟ ବିଦ୍ୟାଳୟ) ବିଷୟରେ ଏଠାରେ ସାମାନ୍ୟ ଅଧିକ ଆଲୋଚନା କରିବା ଆବଶ୍ୟକ । ଏହା ଯଦିଓ ଏକ ପ୍ରଶିକ୍ଷକ ବିଦ୍ୟାଳୟ, ବାସ୍ତବରେ ଏହା ଏକ କର୍ମକ୍ଷେତ୍ର । ଏହାକୁ ବିଦ୍ୟାଳୟ କୁହାଯାଉଛି କାରଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପିଲାମାନେ ଏଠାକୁ ଆସନ୍ତି ଓ ରହନ୍ତି, ଏଥିରେ ଶିକ୍ଷକ ନିୟୋଜିତ ହୋଇଛନ୍ତି । ପ୍ରାୟ ପଞ୍ଚାଅଶି ପିଲାଙ୍କ ସହିତ ଛଅ ଜଣ ଶିକ୍ଷକ । ଏହା ବ୍ୟତୀତ ବିଦ୍ୟାଳୟର ଅନ୍ୟ କୌଣସି ଲକ୍ଷଣ ନାୟେ ଲିଲେସ୍କୋଲେରେ ଦେଖାଯାଏ ନାହିଁ ।

 

ଏଠାରେ କୌଣସି ‘ଶିକ୍ଷା’ ହୁଏ ନାହିଁ । ବାସ୍ତବରେ ଏହା ଏକ କର୍ମସ୍ଥାନ । ଛଅ ବା ସାତବର୍ଷରୁ ଚଉଦବର୍ଷ ପର୍ଯ୍ୟନ୍ତ ପିଲା ଏବଂ ଛଅଜଣ ବୟସ୍କ (ଶିକ୍ଷକ)ଙ୍କୁ ନେଇ ଛୋଟ ଗୋଷ୍ଠୀଟିଏ । ସମସ୍ତେ ମିଳିମିଶି ସେମାନେ ଯାହା ଇଚ୍ଛା କରନ୍ତି ସେହିସବୁ କାମରେ ମଜ୍ଜି ଯାଆନ୍ତି-। ଏହି ଗୋଷ୍ଠୀଟି ସର୍ବଦା ଜୀବନ୍ତ, କାର୍ଯ୍ୟରତ, ସହଯୋଗୀ, ଆନନ୍ଦମୁଖର, ଅତ୍ୟନ୍ତ ନିରାପଦ ଏବଂ ସର୍ବୋପରି ମାନବୀୟ । ଶୈକ୍ଷିକ କାର୍ଯ୍ୟକ୍ରମ କହିଲେ ଯାହାସବୁ ବୁଝାଯାଏ ତା’ର ଚିହ୍ନବର୍ଣ୍ଣ ଏଠାରେ ଦେଖିବାକୁ ମିଳିନଥାଏ । ପାଠ୍ୟ ବିଷୟ, ପାଠ୍ୟକ୍ରମ, ଶ୍ରେଣୀ, ପାଠ ଯୋଜନା, ପାଠ୍ୟପୁସ୍ତକ, ପରୀକ୍ଷା, ମାର୍କ ବା ଗ୍ରେଡ, ରିପୋର୍ଟ କାର୍ଡ ଆଦି କିଛି ଏହି ବିଦ୍ୟାଳୟରେ ନାହିଁ-। ଏଠାରେ ଖୁବ୍‍ କମ୍ ଏବଂ ଅଳ୍ପଦାମର ଉପକରଣ ଅଛି ଯାହାକୁ ଦେଖିଲେ ପ୍ରଚଳିତ ମାନଦଣ୍ଡରେ ଏହା ଏକ ପଛୁଆବର୍ଗର ବିଦ୍ୟାଳୟ ଭଳି ଜଣାପଡ଼ିବ । ଦୁଇଟି ବା ତିନିଟି ହସ୍ତତନ୍ତ, ଗୋଟିଏ ସିଲେଇ ମେସିନ୍, କିଛି ଖେଳ ଉପକରଣ, କିଛି ଗଣିତ ଓ ବିଜ୍ଞାନ ପାଠ୍ୟପୁସ୍ତକ । କାଠ ଓ ଧାତବ କାର୍ଯ୍ୟ ପାଇଁ ଗୋଟିଏ ଛୋଟ ୱାର୍କସପଟିଏ ଅଛି ।

 

ବିଦ୍ୟାଳୟରେ ଯାହା ମୁଁ ଦେଖିଲି ସେ ସମ୍ପର୍କରେ ତିନିଟି କଥା ସୂଚାଇ ଦେବାକୁ ଚାହେଁ-। ପ୍ରଥମଟି ହେଲା, ବିଦ୍ୟାଳୟର ସାଧାରଣ ପ୍ରାଥମିକ ବିଦ୍ୟାଳୟ ବା ମୁକ୍ତ ବିଦ୍ୟାଳୟ ତୁଳନାରେ ସ୍ୱଳ୍ପ ଉପକରଣ ଅଛି । ଦ୍ୱିତୀୟତଃ ବିଦ୍ୟାଳୟରେ ଯାହା କିଛି ଉପକରଣ ଅଛି, ସେ ସମସ୍ତ ପିଲାଙ୍କର ବ୍ୟବହାର ପାଇଁ ଉଦ୍ଦିଷ୍ଟ । ଏଗୁଡ଼ିକୁ ଦୃଶ୍ୟ ଶ୍ରାବ୍ୟ ଉପକରଣ ଭଳି ବାକ୍ସ ବା ଆଲମିରାରେ ଚାବି ପଡ଼ି କେବଳ ଦେଖାଇବା ପାଇଁ ରହିନାହିଁ । ତୃତୀୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ପିଲାଙ୍କ ପାଇଁ ଏପରି ଏକ କର୍ମକ୍ଷେତ୍ର ପ୍ରସ୍ତୁତ କରିବା ପାଇଁ କେହି ଇଚ୍ଛାକଲେ ତାଙ୍କୁ ଉପକରଣ ପାଇଁ ଖୁବ୍ କମ୍ ଖର୍ଚ୍ଚ କରିବାକୁ ପଡ଼ିବ । ପିଲାମାନେ ଅର୍ଥପୂର୍ଣ୍ଣ କାର୍ଯ୍ୟରେ ଆଗ୍ରହର ସହିତ ସଂପୃକ୍ତ ହେବା ପାଇଁ ଏମିତି କିଛି ଦାମିକା ଉପକରଣର ଆବଶ୍ୟକତା ନାହିଁ-। ପିଲାମାନେ ବା ଶିକ୍ଷକ କିଛି ଅର୍ଥଯୋଗାଡ଼ କରି ପାରିଲେ, ତାହା ମୁଖ୍ୟତଃ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଖର୍ଚ୍ଚ କରିଥାନ୍ତି । ଅଧିକ ଅର୍ଥ ହେଲେ ଅଧିକ ସ୍ଥାନ ବୁଲି ହେବାର ସମ୍ଭାବନା ଅଧିକ ହୋଇଥାଏ ।

 

ବିଦ୍ୟାଳୟରେ ଉପସ୍ଥାନ ସମ୍ପର୍କରେ ଏଠାରେ କିଛି କୁହାଯାଇପାରେ । ଡେନ୍‌ମାର୍କ ବା ଅନ୍ୟ ଦେଶମାନଙ୍କରେ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ ବାଧ୍ୟତାମୂଳକ ହୋଇଥାଏ ଓ ତାକୁ କଡ଼ାକଡ଼ିଭାବେ ପାଳନ କରିବା ପାଇଁ ନିୟମମାନ ମଧ୍ୟ ପ୍ରଣୟନ କରାଯାଇଛି । କିନ୍ତୁ ଏହି ବିଦ୍ୟାଳୟରେ ଏପରି କିଛି ନିୟମ ନାହିଁ ଓ ଉପସ୍ଥାନ ଆଦୌ ବାଧ୍ୟତାମୂଳକ ନୁହେଁ । କିଏ କେତେବେଳେ ଆସିବ ଓ ଯିବ ସେ ସମ୍ପର୍କରେ କିଛି ବାଧ୍ୟବାଧକତା ନାହିଁ । ଦିନର ଯେ କୌଣସି ସମୟରେ ଜଣେ ଶିକ୍ଷକ କେଉଁ ପିଲା ଆସିଛି ବା ନ ଆସିଛି ତା’ର ବିବରଣୀ ପ୍ରସ୍ତୁତ କରି ରଖନ୍ତି । ତା’ ଉପରେ ଅନ୍ୟ କିଛି କାର୍ଯ୍ୟ କରାଯାଏ ନାହିଁ । ବିଦ୍ୟାଳୟରେ ଅନୁପସ୍ଥିତି ପାଇଁ କୌଣସି ଅନୁମତିର ଆବଶ୍ୟକତା ନଥାଏ କିମ୍ବା ସେଥିପାଇଁ କାରଣ ଦର୍ଶାଇବା ପାଇଁ ପିଲାଟି ବାଧ୍ୟ ନୁହେଁ । ସମସ୍ତଙ୍କର ବିଶ୍ୱାସ ଯେ ପିଲାଟି କିଛି ଉପଯୁକ୍ତ କାରଣରୁ ବିଦ୍ୟାଳୟରୁ ଅନୁପସ୍ଥିତ ଅଛି ଏବଂ ସେହି ସମୟରେ ବିଦ୍ୟାଳୟ ବାହାରେ ଥାଇ ମଧ୍ୟ କିଛି ନା କିଛି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି । କୌଣସି ପିଲା ଏକାଦିକ୍ରମେ ଦିନେ ବା ଅତିବେଶୀରେ ଦୁଇଦିନରୁ ଅଧିକ ଅନୁପସ୍ଥିତ ରହିବା କ୍ଵଚିତ୍ ଦେଖାଯାଇଥାଏ ।

 

ପ୍ରତିଦିନ ବିଦ୍ୟାଳୟ କାର୍ଯ୍ୟକ୍ରମର ଆରମ୍ଭ ବ୍ୟାୟାମ, ଅଙ୍ଗଚାଳନା ଓ ନୃତ୍ୟରୁ ଆରମ୍ଭ ହୋଇଥାଏ । ପରେ ଦଳ ଦଳ ହୋଇ ୱାର୍କସପ୍‌ରେ କାଠ କିମ୍ବା ଧାତୁର ବ୍ୟବହାରରେ ବିଭିନ୍ନ ବସ୍ତୁ ପ୍ରସ୍ତୁତି, ସିଲେଇ ଓ ବୁଣାକାର୍ଯ୍ୟ, ପେଣ୍ଟି, ସଙ୍ଗୀତ ଆଦି ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । ବିଦ୍ୟାଳୟର ସମସ୍ତ କାର୍ଯ୍ୟ ଦଳଗତ ଭାବେ ହୋଇଥାଏ ଓ ଏହାଦ୍ଵାରା ସହଯୋଗୀ ଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥାଏ । ବୟସ ଓ ଅଭିଜ୍ଞତା ନିର୍ବିଶେଷରେ ପ୍ରତ୍ୟେକ ପିଲା ନିଜ ଇଚ୍ଛା ଓ ଆଗ୍ରହ ଅନୁଯାୟୀ ନିଜର କାର୍ଯ୍ୟ ଚୟନ କରି ନିର୍ଦ୍ଦିଷ୍ଟ ଦଳରେ ଯୋଗଦେଇଥାଏ । ସମସ୍ତ କାର୍ଯ୍ୟରେ ପ୍ରତ୍ୟେକ ପିଲାଙ୍କର ସ୍ୱାଧୀନ ଓ ମୁକ୍ତ ମନୋଭାବ ପ୍ରକାଶ କରିବା ପାଇଁ ଅବାଧ ସୁଯୋଗ ଥାଏ ।

 

ବିଦ୍ୟାଳୟ କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟଟି ହେଉଛି ସମବେତ ସଭା, ଯେଉଁଥିରେ ସବୁପିଲା ଓ ଶିକ୍ଷକ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି । ଏପରି ସଭା ବାରମ୍ବାର ବସିଥାଏ । ଏଥିରେ ପ୍ରତ୍ୟେକ ମୁକ୍ତଭାବରେ ନିଜର ମତାମତ, ସୁବିଧା ଅସୁବିଧା, ଜଣା ଅଜଣା କଥା ଓ ବିଭିନ୍ନ ବିଷୟରେ ନିଜର ଅଭିଜ୍ଞତା ଖୋଲାଖୋଲି ଭାବେ ଆଲୋଚନା କରିଥାନ୍ତି । ଏପରିକି କିଏ କାହାକୁ ଚିଡ଼ାଇଲା ବା ଥଟ୍ଟା କଲା ତାହା ମଧ୍ୟ କହିଥାନ୍ତି । ଜଣେ କହିଲାବେଳେ ଅନ୍ୟମାନେ ଧୈର୍ଯ୍ୟର ସହ ଶୁଣନ୍ତି ଓ ସମସ୍ତଙ୍କୁ କହିବା ପାଇଁ ଯଥେଷ୍ଟ ସୁଯୋଗ ମିଳିଥାଏ ।

 

ନାୟେ ଲିଲେସ୍କୋଲେର ଶିକ୍ଷକମାନେ ବେଶ୍ ବୁଦ୍ଧିମାନ୍, ବିଶେଷ ଜ୍ଞାନ ସମ୍ପନ୍ନ, ଆଗ୍ରହୀ ଏବଂ ଭାରି ମଜାଦାର ମଧ୍ୟ । ପୃଥିବୀ ସମ୍ପର୍କରେ ସେମାନଙ୍କର ପ୍ରଭୂତ ଅଭିଜ୍ଞତା ଅଛି ଏବଂ ସେ ସମ୍ବନ୍ଧରେ ସେମାନେ ବେଶ୍ ମନନଶୀଳ । ସେମାନେ ନିଜର ଅଞ୍ଚଳ ଦେଶ ଓ ପୃଥିବୀ ପ୍ରତି ଶ୍ରଦ୍ଧାବାନ । ସେମାନଙ୍କର ସବୁଠାରୁ ବିଶିଷ୍ଟ ଗୁଣ ହେଉଛି ଯେ ସେମାନେ ବେଶ୍ ମୁକ୍ତ ମନୋଭାବ ସମ୍ପନ୍ନ ଓ ସତ୍ୟନିଷ୍ଠ । ସେଥିପାଇଁ ପିଲାମାନେ ଯାହା ଜାଣିବାକୁ ଚାହାନ୍ତି ଶିକ୍ଷକ ସେସବୁ ଯୋଗାଇ ଦିଅନ୍ତି । ଯାହା ନଜାଣିଥାନ୍ତି ତାହା ଜାଣିନାହାନ୍ତି କହିବାକୁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ ।

 

ପିଲାମାନେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜର ଅଭିଜ୍ଞତାକୁ ସମୃଦ୍ଧ କରିବାରେ ସତତ ଚେଷ୍ଟା କରିଥାନ୍ତି ଏବଂ ଏଥିରେ ଶିକ୍ଷକମାନେ ପ୍ରକୃତ ସହାୟକ ଭାବେ କାର୍ଯ୍ୟକରିଥାନ୍ତି । ଫଳରେ ସାଧାରଣ ବିଦ୍ୟାଳୟ ପିଲାଙ୍କଠାରୁ ଏମାନେ ବହୁ ଅଧିକ ଶିକ୍ଷଣ କରିପାରନ୍ତି ଓ ପରବର୍ତ୍ତୀକାଳରେ ଉଚ୍ଚତର ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ସେମାନେ ଆତ୍ମବିଶ୍ୱାସ ସହ ଅନ୍ୟମାନଙ୍କଠାରୁ ଉଚ୍ଚ ଫଳାଫଳ ପ୍ରଦର୍ଶନ କରିଥିବାର ଦେଖାଯାଇଛି । ଏହି ଅନୁଷ୍ଠାନଟିକୁ ବାସ୍ତବରେ ବିଦ୍ୟାଳୟ କହିବା ଉଚିତ ହେବ ନାହିଁ । ଏପରି ବିଚାର କରିବାର ତିନିଟି ସୁବିଧା ଅଛି । ବିଦ୍ୟାଳୟ ନହେଲେ ଏହି ସ୍ଥାନଟିକୁ ପିଲାମାନେ ନିଜର ବୋଲି ଭାବିବା ସହଜ ହୋଇଥାଏ । କାରଣ ବିଦ୍ୟାଳୟ ସର୍ବଦା ବୟସ୍କମାନଙ୍କର ଅକ୍ତିଆରରେ ଥାଏ । ଉଚ୍ଚ କର୍ମକର୍ତ୍ତାଙ୍କ ଦ୍ୱାରା ବାରମ୍ବାର ଏହା ତଦାରଖ ହେବାରୁ ରକ୍ଷା ପାଇଥାଏ ଯେହେତୁ ଏପରି ଅଧିକାଂଶ କର୍ମକର୍ତ୍ତା ଏଠାରେ ହେଉଥିବା କାର୍ଯ୍ୟକ୍ରମକୁ ଆଦୌ ବୁଝି ନପାରି ଯଥେଷ୍ଟ କ୍ଷତିକରିବାର ସମ୍ଭାବନା ଥାଏ । ପିତା ମାତାଙ୍କର ପିଲାମାନଙ୍କର ଶିକ୍ଷା’ ପାଇଁ ଥିବା ଉଦ୍‌ବେଗ ଏପରି ସଂସ୍ଥାଦ୍ଵାରା ଯଥେଷ୍ଟ ହ୍ରାସ ପାଇଥାଏ । ଏଠାରେ ପିଲାମାନେ ଅତ୍ୟନ୍ତ ଆଗ୍ରହ ଓ ଆନନ୍ଦର ସହିତ ମୁକ୍ତଭାବେ ବହୁ ପ୍ରକାରର କାର୍ଯ୍ୟରେ ନିଜକୁ ନିୟୋଜିତ କରି ପ୍ରଭୂତ ଅଭିଜ୍ଞତା ହାସଲ କରିପାରିଥାନ୍ତି । (ପୃ-୧୩୭)

 

ବିଦ୍ୟାଳୟ ସଂସ୍କାରର ବିଫଳତା

 

ଅତୀତରେ ପ୍ରଶିକ୍ଷକ ବିଦ୍ୟାଳୟଗୁଡ଼ିକୁ ନାୟେ ଲିଲେସ୍କୋଲେ ଭଳି ଶିଶୁକୈନ୍ଦ୍ରିକ ଅନୁଷ୍ଠାନରେ ପରିବର୍ତ୍ତନ କରିବା ପାଇଁ ବହୁ ଆନ୍ଦୋଳନ କରାଯାଇଛି । କିନ୍ତୁ ପ୍ରଶିକ୍ଷକ ବିଦ୍ୟାଳୟଗୁଡ଼ିକର ସଂସ୍କାର ପାଇଁ ଏହି ସବୁ ଆନ୍ଦୋଳନ ବେଶି ଦିନ ସ୍ଥାୟୀ ହୋଇନାହିଁ । ଗୋଟିଏ ଆନ୍ଦୋଳନ ଆରମ୍ଭ ହେବାର ସ୍ୱଳ୍ପକାଳ ମଧ୍ୟରେ ପ୍ରତିକ୍ରିୟା ଆରମ୍ଭ ହୋଇଯାଏ । ସାଧାରଣରେ ବିରୋଧାତ୍ମକ ପ୍ରତିବାଦର ସ୍ୱର ତୀବ୍ରତର ହୁଏ ଏବଂ ବିଦ୍ୟାଳୟର ଯେତେସବୁ ବିଫଳତା ସଂସ୍କାରକମାନଙ୍କ ଉପରେ ଲଦି ଦିଆଯାଏ । ଯେଉଁ କେତୋଟି ବିଦ୍ୟାଳୟ ଆନ୍ତରିକତାର ସହିତ ମାନବୀୟ ପରିବର୍ତ୍ତନ ପାଇଁ ଚେଷ୍ଟିତ ହୋଇଥାନ୍ତି, ସେମାନେ ସେଥିରୁ ନିବୃତ୍ତ ହେବାକୁ ବାଧ୍ୟ ହୋଇଥାନ୍ତି ଓ ପୁନର୍ବାର ପୁରାତନ ପଦ୍ଧତିକୁ ଅନୁସରଣ କରିଥାନ୍ତି ।

 

ବିଦ୍ୟାଳୟଗୁଡ଼ିକ ବହୁଭାବରେ ବିଭିନ୍ନ କାରଣରୁ କଦର୍ଯ୍ୟ ଅଟନ୍ତି । ପୂର୍ବକାଳଭଳି ଏବେବି ଏହି ବିଦ୍ୟାଳୟଗୁଡ଼ିକ ଅଧିକାଂଶ ପିଲାମାନଙ୍କ ପ୍ରତି ମାନସିକ ଏବଂ ଦୈହିକ କ୍ରୂରତା ପ୍ରଦର୍ଶନ କରିଥାନ୍ତି । ବିଶେଷ କରି ଗରିବ, ଅସ୍ୱାଭାବିକ, ସାହାସୀ ଓ ସ୍ୱାଧୀନଚେତା ପିଲାମାନେ ଅଧିକ ଭାବେ ଏପରି କ୍ରୂରତାର ଶିକାର ହୋଇଥାନ୍ତି । ଏପରି ବିଦ୍ୟାଳୟ ଗୁଡ଼ିକର କ୍ରୂରତା ଯେ ଏକ ପ୍ରକାରର ମନ୍ଦ ବା ଅସାବଧାନ ଅଭ୍ୟାସ ଯୋଗୁ ହୋଇଥାଏ ଓ ସେଗୁଡ଼ିକୁ ବଦଳାଇ ହେବ, ଏହା ଭାବିବା ଠିକ୍ ନୁହେଁ । କାରଣ ବାଧ୍ୟତାମୂଳକ ଏବଂ ପ୍ରତିଯୋଗିତାମୂଳକ ବିଦ୍ୟାଳୟଗୁଡ଼ିକର ପ୍ରକୃତି ହେଉଛି କ୍ରୂରତା ପ୍ରଦର୍ଶନ । ଯଦିଓ କେତେକ ବିଦ୍ୟାଳୟରେ ପୂର୍ବାପେକ୍ଷା ବହୁ କମ୍ ଯନ୍ତ୍ରଣାଦାୟକ, ଭୟପ୍ରଦ ଏବଂ ଅପମାନଜନକ ଉପସ୍ଥିତି ଅଛି ବୋଲି ବିଶ୍ୱାସ କରାଯାଏ ତଥାପି ମଧ୍ୟ ସେଗୁଡ଼ିକ ଅନ୍ୟଭାବରେ ବେଶ୍ କ୍ଷତିକାରକ ଅଟନ୍ତି । ଏହାର ପ୍ରଧାନ କାରଣ ହେଉଛି ସେଗୁଡ଼ିକ ପିଲାମାନଙ୍କର ସମୟକୁ ସବୁ ସମୟରେ ଅଧିକଭାବେ ନିଜର ଅକ୍ତିଆରକୁ ନେଇଥାନ୍ତି । ନିଜ ଇଚ୍ଛାନୁସାରେ ନିଜର ଜୀବନ ବିତାଇବା ପାଇଁ ଏବଂ ବିଦ୍ୟାଳୟର ବିରକ୍ତିକର ଜୀବନ ଭୟ ଏବଂ ବିଫଳତାରୁ ମୁକ୍ତି ପାଇବା ପାଇଁ ପିଲାମାନଙ୍କୁ କ୍ୱଚିତ୍ ସମୟ ସେମାନେ ଦେଇଥାନ୍ତି । ବିଦ୍ୟାଳୟ ସବୁଠାରୁ ଅଧିକ କ୍ଷତିକାରକ କାରଣ ଏହା ପିଲାମାନଙ୍କର ଭବିଷ୍ୟତକୁ ନିୟନ୍ତ୍ରଣ ଏବଂ ସଙ୍କୁଚିତ କରିଥାଏ I There are fewer and fewer paths in to life that do not lead through school. (ପୃ-୧୪୬) । ଆନୁଷ୍ଠାନିକ ଶିକ୍ଷାରୁ ଉପଲବ୍ଧ ଡିଗ୍ରୀ, ଡିପ୍ଲୋମା, ସାର୍ଟିଫିକେଟ ବିଭିନ୍ନ କାର୍ଯ୍ୟ ପାଇବା ପାଇଁ ଲୋଡ଼ା ଯାଉଛି । ସେଥିପାଇଁ ସମାଜରେ ଅଳ୍ପସଂଖ୍ୟକ ବିଜେତାମାନଙ୍କ ମଧ୍ୟରେ ରହିବା ପାଇଁ ଅତି ପିଲାଦିନରୁ ସଂଗ୍ରାମ ଆରମ୍ଭ ହୋଇଥାଏ । ଯଦି ପିଲାଟି ଏସବୁ ସମ୍ପର୍କରେ ଜାଣି ନଥାଏ ଏବଂ ସେ ସମ୍ପର୍କରେ ବ୍ୟସ୍ତ ହେଉନଥାଏ, ତା’ହେଲେ ପିତାମାତାମାନେ ବ୍ୟସ୍ତ ହୋଇଥାନ୍ତି ଓ ସେମାନଙ୍କର ବ୍ୟସ୍ତତା ବହୁତ ଦିନ ଧରି ରହେ ଓ ତାହା ପିଲାମାନଙ୍କ ଜୀବନକୁ ସଂକ୍ରମିତ ହୋଇଥାଏ ।

 

ବିଦ୍ୟାଳୟରେ ପିଲାମାନଙ୍କ ସମ୍ପର୍କରେ ଯେଉଁ ବିଚାର କରାଯାଇଥାଏ ତାହା ବହୁବର୍ଷ ଧରି ତାଙ୍କ ଜୀବନକୁ ପ୍ରଭାବିତ କରିଥାଏ । ପ୍ରଥମରୁ ରିପୋର୍ଟ କାର୍ଡରେ ଥିବା ନମ୍ବର ବା ଗ୍ରେଡ୍ ଏବଂ ଶିକ୍ଷକମାନଙ୍କ ମନ୍ତବ୍ୟ ଜୀବନସାରା ସେମାନଙ୍କ ସହ ନିବିଡ଼ଭାବେ ଜଡ଼ିତ ହୋଇ ରହିଥାଏ-। ଏହି ମନ୍ତବ୍ୟଗୁଡ଼ିକ ଅତ୍ୟନ୍ତ ବିଦ୍ୱେଷ ପରାୟଣ, କ୍ଷତିକାରକ ଏବଂ ପିଲା ଓ ସେମାନଙ୍କର ପିତାମାତାଙ୍କ ଉପରେ ନକଲି ମନସ୍ତାତ୍ତ୍ୱିକ ପର୍ଯ୍ୟବେକ୍ଷଣ ଆଧାରିତ ହୋଇଥାନ୍ତି । କେତେକ ବିଦ୍ୟାଳୟରେ ମଧ୍ୟ ଦୁଇଟି ସେଟ୍ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଗୋଟିଏ ସେଟ୍ ପିତାମାତା ଦେଖିବା ପାଇଁ ଅନ୍ୟଟି ‘ଗୁପ୍ତ’ ଅର୍ଥାତ୍ ପିତାମାତାଙ୍କ ବ୍ୟତୀତ ସମାଜର ଅନ୍ୟମାନଙ୍କ ପାଇଁ-। (ପୃ-୧୪୬)

 

ବିଦ୍ୟାଳୟ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଚିହ୍ନ ଲଗାଇ ଦେଇଥାଏ । କେତେକଙ୍କୁ ‘ସ୍ଵତନ୍ତ୍ର’ (Special) ଶିକ୍ଷା ପାଇଁ ଉଦ୍ଦିଷ୍ଟ ଶିକ୍ଷାର୍ଥୀ ଭାବେ ଚିହ୍ନିତ କରାଯାଇଥାଏ ଯେପରି ‘ଶିକ୍ଷଣ ଅକ୍ଷମତା’ ଥିବା ପିଲା, ‘ଆବେଗିକ ବିପର୍ଯ୍ୟସ୍ତ (emotionally disturbed) ପିଲା । ଏଭଳି ଚିହ୍ନଟ କରିବାର ଉଦ୍ଦେଶ୍ୟ ସେମାନଙ୍କ ଶିକ୍ଷା ପାଇଁ ବିଶେଷ ସହାୟତା ପ୍ରଦାନ କରିବା ହୋଇଥିଲେ ହେଁ ବାସ୍ତବତଃ ଏହାଦ୍ୱାରା ସେମାନଙ୍କୁ ସାରାଜୀବନ ଲଜ୍ଜା ହୀନମନ୍ୟତାର ଯନ୍ତ୍ରଣା ଭୋଗ କରିବାକୁ ହୋଇଥାଏ । ବିଦ୍ୟାଳୟ ଦେଉଥିବା ଏପରି ଚିହ୍ନ ବର୍ଷ ବର୍ଷ ଧରି ଅନେକ ପିଲାଙ୍କ ସହିତ ଲାଗି ରହିଥାଏ ଏବଂ ଏତଦ୍ଦ୍ୱାରା ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କର ଅପୂରଣୀୟ କ୍ଷତି କରାଯାଇଥାଏ ।

 

ଅଧୁନା ବିଦ୍ୟାଳୟରେ ଥିବା ପିଲାମାନଙ୍କର ବ୍ୟବହାରର ଟିକିନିଖି ଅନୁଶୀଳନ କରାଯାଇ ଏକ ଦୀର୍ଘ ଚେକ୍‌ଲିଷ୍ଟ ମାଧ୍ୟମରେ ସେମାନଙ୍କୁ ନିରନ୍ତର ପର୍ଯ୍ୟବେକ୍ଷଣ କରାଯିବାର ପ୍ରଚେଷ୍ଟା କରାଯାଉଛି । ପ୍ରତ୍ୟେକ ପିଲାର ଭଲ ଏବଂ ଦୁର୍ବଳ ଦିଗ ଚିହ୍ନଟ କରି ଠିକ୍ ସମୟରେ ଉଚିତ୍‌ ପଦକ୍ଷେପ ଦ୍ୱାରା ସେମାନଙ୍କର କାର୍ଯ୍ୟକଳାପ ଓ ବ୍ୟବହାରଗତ ପରିବର୍ତ୍ତନ ଏକ ସନ୍ତୁଳିତ ଏବଂ ସକାରାତ୍ମକ କରାଯାଇପାରିବ ବୋଲି କୁହାଯାଉଛି । ବାସ୍ତବତଃ ଏହା ମାଧ୍ୟମରେ ପିଲାମାନଙ୍କର ଦୋଷ ଦୁର୍ବଳତା ଉପରେ ଅଧୁକ ଗୁରୁତ୍ୱ ଦିଆଯାଇ ପିତାମାତାଙ୍କୁ ତହିଁ ଉପରେ ବାରମ୍ବାର ସଚେତନ କରାଯାଉଛି । ଫଳତଃ ପିଲାମାନଙ୍କ ସହିତ ଅଧିକାଂଶ ପିତାମାତା ମଧ୍ୟ ହୀନମନ୍ୟତାର ଶିକାର ହେଉଛନ୍ତି । ଏହାର ନିଦାନ ପାଇଁ ପିଲାମାନଙ୍କୁ ଅଳ୍ପ ବୟସରୁ ବିଦ୍ୟାଳୟରେ ଭର୍ତ୍ତି କରାଯିବା ପାଇଁ ପ୍ରକାରାନ୍ତର ବାଧ୍ୟ କରାଯାଉଛି । ବାସ୍ତବତଃ ସିଲଭର୍‍ମାନଙ୍କ ଭାଷାରେ ଏହାଦ୍ୱାରା ‘ଶିକ୍ଷଣରେ ଆନନ୍ଦର ସୃଷ୍ଟି କରିବାର ଖୁସୀ କିମ୍ବା ଆତ୍ମ ସଚେତନତାର ସ୍ୱତଃସ୍ଫୂର୍ତ୍ତ ଧାରା’କୁ ଖଣ୍ଡ ବିଖଣ୍ଡିତ କରାଯାଇଛି । ବିଦ୍ୟାଳୟ ହିଁ ଏପରି ଯନ୍ତ୍ରଣାର ଉତ୍ପତ୍ତି ସ୍ଥଳ ତାହା ଅନେକ ଭାବି ପାରିନାହାନ୍ତି । (ପୃ-୧୫୨)

 

ବିଦ୍ୟାଳୟ କେଉଁଥି ପାଇଁ

 

ଯେକୌଣସି ଶିକ୍ଷା ସମ୍ପର୍କିତ ଆଲୋଚନାଚକ୍ର, ସଭାସମିତି ବା କର୍ମଶାଳାରେ ଅଗଣିତ ଶିକ୍ଷାନାୟକମାନେ ପିଲାର ସମ୍ମାନବୋଧ, ବ୍ୟକ୍ତିଗତ ପାର୍ଥକ୍ୟର ଗୁରୁତ୍ୱ, ସକାରାତ୍ମକ ଆତ୍ମପ୍ରତ୍ୟୟର ବିକାଶ, ପିଲାର ଆଗ୍ରହ ଉପରେ ଆଧାର କରି ତା’ର ବିକାଶ ସାଧନ କରିବା ଏବଂ ଭୟ ପରିବର୍ତ୍ତେ କୌତୂହଳରୁ ପିଲାର ଶିକ୍ଷଣ ଉପରେ ଦୀର୍ଘ ଭାଷଣ ବା ଆଲୋଚନା କରିବାର ଶୁଣିବାକୁ ମିଳିଥାଏ । କିନ୍ତୁ ମୋର ଓ ମୋର ସାଥୀ ଶିକ୍ଷକମାନଙ୍କର ସୁଦୀର୍ଘ ଅଭିଜ୍ଞତାରୁ ଆମେ ଏହା ଜାଣିଛୁ ଯେ ଏହି ଭାଷଣ ଶୁଣିବା ପରେ ଶ୍ରେଣୀରେ ପ୍ରବେଶ କରିବା ବେଳେ ଆମେ ନିଜକୁ ନିଜେ ବହୁବାର ମନେ ପକାଇ ଦେଇଛୁ ‘ଭଲ ବାସ୍ତବତାକୁ ଫେରିଯିବା’ । ବାସ୍ତବତା ହେଉଛି ପିଲାମାନଙ୍କୁ ଉତ୍କୋଚ ଦେବା, ଭୟଭୀତ କରାଇବା ଏବଂ ଲଜ୍ଜାଦେବା ମାଧ୍ୟମରେ ସେମାନଙ୍କୁ କିଛି ଶିଖିବା ପାଇଁ ବାଧ୍ୟ କରିବା ଯାହା ଅନ୍ୟ କେହି ନିର୍ଦ୍ଧାରଣ କରିଛନ୍ତି । ଏପରି କରିବା ଦ୍ୱାରା ଯେ ବିଦ୍ୟାଳୟମାନେ ବିଫଳତା ଦିଗରେ ଅଗ୍ରସର ହେଉଛନ୍ତି ବୋଲି ଭାବିବା ଠିକ୍ ହେବ ନାହିଁ । ପ୍ରକୃତରେ ଲୋକମାନେ ଯାହା ଆଶା କରନ୍ତି ସେହି ସବୁ ହିଁ ବିଦ୍ୟାଳୟଗୁଡ଼ିକ ଉତ୍ତମଭାବେ କରୁଛନ୍ତି । ଉଚିତ ସାମାଜିକ କାର୍ଯ୍ୟ, କର୍ତ୍ତବ୍ୟ ଓ ଉଦ୍ଦେଶ୍ୟମାନଙ୍କ ସମ୍ପର୍କରେ ସେମାନେ ସଚେତନ ଓ ତାହା ହିଁ ସେମାନେ ସଂପାଦନ କରୁଛନ୍ତି ।

 

ବିଦ୍ୟାଳୟମାନଙ୍କର ପ୍ରଥମ କାର୍ଯ୍ୟ ହେଉଛି ପିଲାମାନଙ୍କୁ ବୟସ୍କମାନଙ୍କଠାରୁ ଦୂରେଇ ରଖିବା । ସବୁ ଆଧୁନିକ ସମାଜରେ ପିଲାମାନଙ୍କୁ ସମସ୍ୟାଭାବେ ବିଚାର କରାଯାଉଛି । ଏପରିକି ମାଆମାନେ ବିଶେଷ କରି କର୍ମଜୀବି ମାଆମାନେ ନିଜର ପିଲାମାନଙ୍କୁ ଘରେ ରଖିବାକୁ ଇଚ୍ଛା କରୁନାହାନ୍ତି । ଏବଂ ବାଧ୍ୟତାମୂଳକ ବିଦ୍ୟାଳୟ ଉପସ୍ଥାନ ଆଇନ ପ୍ରଣୟନ ଦ୍ଵାରା ରାଷ୍ଟ୍ର ବୟସ୍କମାନଙ୍କୁ ସାହାଯ୍ୟ କରୁଛି । ଯଦିଓ ବିଦ୍ୟାଳୟର ପରୀକ୍ଷଣରୁ ବାରମ୍ବାର ନିଶ୍ଚିତ କରାଯାଇଥାଏ ଯେ କେତେକ ପିଲା ବିଦ୍ୟାଳୟରୁ କିଛି ଶିଖୁନାହାନ୍ତି, ବା ବିଦ୍ୟାଳୟରେ ଯାହା ପଢ଼ାଯାଉଛି ସେଥିରୁ ସେମାନଙ୍କର ଅଧିକ କିଛି ଶିଖିବାର ନାହିଁ, ବା ସେମାନେ ପୂର୍ବରୁ ସେସବୁ ଶିଖି ସାରିଛନ୍ତି ତଥାପି ସେମାନଙ୍କୁ ବିଦ୍ୟାଳୟରେ ରହିବା ପାଇଁ ବାଧ୍ୟ କରାଯାଉଛି ।

 

ବିଦ୍ୟାଳୟର ଏକ ଅଧିକ ଗୁରୁତ୍ୱପୂର୍ଣ୍ଣ ସାମାଜିକ କାର୍ଯ୍ୟ ହେଉଛି ନମ୍ବର ବା ଗ୍ରେଡ୍ ଦେଇ ପିଲାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାନୀତ (Ranking) କରିବା, ସେମାନଙ୍କୁ ବିଜେତା ବା ବିଜିତ ଭାବେ ବିଭକ୍ତ କରିବା । ବହୁ ଆଦିମ କାଳରୁ ସମାଜ ବା ଗୋଷ୍ଠୀଗୁଡ଼ିକ ଦୁଇଭାଗରେ ବିଭକ୍ତ କରାଯାଇ ଆସୁଅଛି । ଅଳ୍ପ କେତେକ ବିଜେତା ଯେଉଁମାନେ ଆଦେଶ ଦିଅନ୍ତି ଓ ବହୁ ସଂଖ୍ୟକ ବିଜିତ, ଯେଉଁମାନେ ବାଧ୍ୟ ଭାବେ ଆଦେଶ ପାଳନ କରିଥାନ୍ତି । ବିଜେତା ଓ ବିଜିତମାନଙ୍କ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ନଥାଏ, ଏହା କେବଳ ମନଭିତରେ ଥାଏ । ଯେଉଁମାନେ ନିଜକୁ ବିଜେତା ବୋଲି ଅନୁଭବ କରନ୍ତି ସେଇମାନେ ହିଁ ବିଜେତା ହୋଇଥାନ୍ତି । ଅନ୍ୟମାନେ ସେମାନଙ୍କୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି, ସେଥିପ୍ରତି ସେମାନେ କ୍ୱଚିତ ଭ୍ରୂକ୍ଷେପ କରିଥାନ୍ତି । ଅପରପକ୍ଷରେ ନିଜକୁ ବିଜିତ ବୋଲି ଅନୁଭବ କରୁଥିବା ବ୍ୟକ୍ତିମାନେ ହିଁ ସବୁଥିରେ ହାରି ଯାଆନ୍ତି ।

 

ଇପ୍‍ସିତ କାର୍ଯ୍ୟକୁ ଶ୍ରଦ୍ଧା ଏବଂ ସମ୍ମାନବୋଧର ସହିତ ସଂପାଦନ କରୁଥିବା ବ୍ୟକ୍ତିମାନେ ଗରିବ ହୋଇଥିଲେ ମଧ୍ୟ ନିଜକୁ ହୁଏତ ବିଜେତାଭାବେ ପରିଗଣିତ କରିପାରନ୍ତି । ଅପରପକ୍ଷରେ ନିଜର କାର୍ଯ୍ୟକୁ ଘୃଣା କରୁଥିବା ଓ ଅନ୍ୟମାନଙ୍କୁ ଇର୍ଷା କରୁଥିବା ବ୍ୟକ୍ତିମାନେ ଧନୀ ଓ ସଫଳ ହୋଇଥିଲେ ମଧ୍ୟ ନିଜକୁ ବିଜିତ ବୋଲି ବିଚାର କରିପାରନ୍ତି । କିନ୍ତୁ ଅଧିକାଂଶ ଏକମତ ହେବେ ଯେ ବାସ୍ତବ ପରିସ୍ଥିତିରେ ବିଜେତାମାନଙ୍କ ଆର୍ଥିକ ସମସ୍ୟା ନଥାଏ ଓ ସେମାନେ ଯାହା ଯାହା ଆବଶ୍ୟକ କରନ୍ତି ସେସବୁ କ୍ରୟ କରିବାର ସ୍ୱଚ୍ଛଳତା ସେମାନଙ୍କର ଥାଏ ଏବଂ ସେମାନେ ଘଟଣା ଚକ୍ର ବା ଅନ୍ୟକାହାର ଦୟା ଉପରେ ନିର୍ଭର କରିନଥାନ୍ତି । ସେମାନଙ୍କର ସ୍ୱାତନ୍ତ୍ର୍ୟ, ପ୍ରଚୁର କାର୍ଯ୍ୟ ପରିସର ଓ ବିକଳ୍ପ ଏବଂ ସମ୍ମାନ ବୋଧ ଥାଏ । କିନ୍ତୁ ବିଜିତମାନେ ଏସବୁର ଠିକ୍ ବିପରୀତ ପରିସ୍ଥିତିରେ ଥାନ୍ତି ଏବଂ ବହୁସମୟରେ ଜନ୍ମଗତ ପରିସ୍ଥିତି ଯୋଗୁ କେତେକ ବିଜିତ ବୋଲି ପରିଗଣିତ ହୋଇଥାନ୍ତି । ସେମାନଙ୍କ ସମ୍ମୁଖରେ କୌଣସି ବିକଳ୍ପ ନଥାଏ, ସେମାନେ ନିଜର ଭବିଷ୍ୟତର ଯୋଜନା କରିପାରନ୍ତି ନାହିଁ । ନିଜର ବା ନିଜ ପରିବାରର ନିରାପତ୍ତା ରକ୍ଷା କରିବାରେ ସେମାନେ ଆଦୌ ସମର୍ଥ ନୁହନ୍ତି ଏବଂ କେବଳ ଆଦେଶ ପାଳନ କରିବା ହିଁ ସେମାନଙ୍କର ଏକମାତ୍ର କର୍ତ୍ତବ୍ୟ ବୋଲି ମନେକରାଯାଇଥାଏ । ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରତ୍ୟେକ ସମାଜରେ ଲୋକମାନଙ୍କୁ ବିଜେତା ଓ ବିଜିତଭାବେ ସଂଗଠିତ କରାଯାଇଥାଏ ଓ ବିଜିତମାନଙ୍କୁ ବୁଝାଇ ଦିଆଯାଏ । ଯେ ଏଭଳି ବ୍ୟବସ୍ଥାର ଆବଶ୍ୟକତା ଅଛି ଓ ଏହା ଉଚିତ ମଧ୍ୟ । ଉପସ୍ଥିତ ସାମାଜିକ ବ୍ୟବସ୍ଥାକୁ ଅପରିବର୍ତ୍ତିତ କରି ରଖିବା ପାଇଁ ବିଜେତା ଓ ବିଜିତ ବ୍ୟବସ୍ଥାକୁ ମଧ୍ୟ ଚାଲୁ ରଖିବାକୁ ପଡ଼ିବ । ସଂକ୍ଷେପରେ ଅଧିକାଂଶ ବିଜେତାଙ୍କ ପିଲା ବିଜେତା ଏବଂ ଅଧିକାଂଶ ବିଜିତଙ୍କ ପିଲା ବିଜିତ ହୋଇ ରହିବା ବାଞ୍ଛନୀୟ ବୋଲି ବିଚର କରିବା ବିଧେୟ ଓ ବିଦ୍ୟାଳୟ ଏହି ସାମାଜିକ ବ୍ୟବସ୍ଥାକୁ ସୁରକ୍ଷାପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅନ୍ୟ ଭାବରେ କହିଲେ, ବିଦ୍ୟାଳୟ ନିଶ୍ଚିତ କରିବା ଉଚିତ ଯେପରି ଧନୀ ପିଲାମାନେ ବିଜେତା ହେବେ ଏବଂ ଅଧିକାଂଶ ଗରିବ ଏହାକୁ ଉଚିତ ବୋଲି ମାନିନେବେ । ଏବଂ ଏପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡ଼ିକ ଏହି କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ଆସିଛନ୍ତି । (ପୃ-୧୫୮)

 

ଅନେକ ଶିକ୍ଷକ ହୁଏତ ଏହାର ପ୍ରତିବାଦ କରିପାରନ୍ତି । ସେମାନଙ୍କ ମତରେ ଗ୍ରେଡ୍ ବା ପରୀକ୍ଷଣର ଉଦ୍ଦେଶ୍ୟ ଏପରି ବିଜେତା-ବିଜିତ ବିଭେଦ ସୃଷ୍ଟି କରିବା ନୁହେଁ ବରଂ ଏହାଦ୍ୱାରା ପିଲାମାନଙ୍କୁ ଶିଖିବାରେ ସାହାଯ୍ୟ କରିହେବ । ବହୁ ଶିକ୍ଷକ ଏହାହିଁ ଅତି ବିଶ୍ୱସ୍ତଭାବେ ବିଶ୍ୱାସ କରିଥାନ୍ତି । କିନ୍ତୁ ଏହା ସତ୍ୟ ନୁହେଁ । ଯେକୌଣସି ଚିନ୍ତାଶୀଳ ଏବଂ ମନଯୋଗୀ ଶିକ୍ଷକ ନିଜର କାର୍ଯ୍ୟ ପରିସରରୁ ଉପଲବ୍ଧି କରିଥାନ୍ତି ଯେ ଭୟ ଶିକ୍ଷଣର ବାଧକ ହୋଇଥାଏ । ମୁଁ ନିଜେ ଲକ୍ଷ୍ୟ କରିଛି ଯେ କେତେକ ‘ଉଜ୍ଜ୍ୱଳ’ ଶିକ୍ଷାର୍ଥୀ ମଧ୍ୟ ଆତ୍ମବିଶ୍ୱାସ ହରାଇଲେ କିପରି କାର୍ଯ୍ୟ କରିଥାନ୍ତି । ନୂତନ ଅଭିଜ୍ଞତା ଆହରଣ କରିବା ପରିବର୍ତ୍ତେ ସେଥିରୁ ନିଜକୁ ଦୂରେଇ ରଖନ୍ତି । ବିଫଳତାର ଲଜ୍ଜା ଓ ବିପଦରୁ ନିଜକୁ ସୁରକ୍ଷିତ କରି ରଖିବା ପାଇଁ ତାଙ୍କ ପାଖରେ ଏକମାତ୍ର ପନ୍ଥା ଥାଏ ଇଚ୍ଛାକୃତଭାବେ ବିଫଳ ହେବା । ବିଦ୍ୟାଳୟରେ ଏହି ଭୟର ମୂଳକାରଣ ହେଉଛି ପରୀକ୍ଷା । ପରୀକ୍ଷଣ ବନ୍ଦ କରିଦେଲେ ପିଲାମାନେ ନିଜର ଆତ୍ମବିଶ୍ୱାସ ଫେରିପାଇବେ ଓ ଅଧିକରୁ ଅଧିକ ଶିକ୍ଷଣରେ ବ୍ରତୀ ହେବେ ବୋଲି ମୋର ଦୃଢ଼ ବିଶ୍ୱାସ । ଯେତେବେଳେ ମୁଁ ପରୀକ୍ଷଣ କିଛି ଦିନ ପାଇଁ ବନ୍ଦ କରିଦିଏ ସେତେବେଳେ ମୁଁ ଦେଖିଛି ଯେ ଦୁର୍ବଳତମ ପିଲା ମଧ୍ୟ ଅନେକ ପରିମାଣରେ ନିଜର ଆତ୍ମବିଶ୍ୱାସ, ଶକ୍ତି ଓ ବୁଦ୍ଧି ଫେରିପାଇଥାଏ । କିନ୍ତୁ ଯେତେବେଳେ ମୁଁ ପରବର୍ତ୍ତୀ ପରୀକ୍ଷା କରିବା କଥା ଘୋଷଣା କରିଛି ସେତେବେଳେ ପିଲାମାନେ ଭୟଭୀତ, ଆତ୍ମରକ୍ଷାକାରୀ ମନୋଭାବ ଏବଂ ନିର୍ବୋଧତା ପ୍ରଦର୍ଶନ କରିବା ଲକ୍ଷ୍ୟ କରିଛି । ପିଲାମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଶିକ୍ଷକ ସେମାନଙ୍କୁ ଆବେଗିକ ସହାୟତା ପ୍ରଦାନ କରି ନୂତନ ଅଭିଜ୍ଞତା ଆହରଣ କରିବାରେ ପ୍ରୋତ୍ସାହିତ କରିବା ଉଚିତ ପରନ୍ତୁ ବାରମ୍ବାର ପରୀକ୍ଷା କରିବା ଦ୍ଵାରା ଶିକ୍ଷକ ତଦ୍‍ଜନିତ ଭୟର ଉତ୍ସ ହୋଇଥିବାରୁ ସେ କିପରି ପିଲାମାନଙ୍କୁ ଆବେଗିକ ସହାୟତା ପ୍ରଦାନ କରିପାରିବେ ?

 

ଏବେ ସମସ୍ତେ ସମସ୍ତଙ୍କ ପାଇଁ ‘ଗୁଣାତ୍ମକ ଶିକ୍ଷା’ ବିଷୟରେ କହୁଛନ୍ତି । କିନ୍ତୁ "quality education for every child, is an absurdity, a contradiction in terms." (ପୃ-୧୬୧) ପ୍ରତ୍ୟେକ ପିତାମାତା ବିଦ୍ୟାଳୟରେ ନିଜ,ପିଲାର ‘ଗୁଣାତ୍ମକ ଶିକ୍ଷା’, ଅନ୍ୟ ସବୁପିଲାଙ୍କଠାରୁ ଶିକ୍ଷାରେ ସବା ଆଗରେ ରହିବା କଥା ବୁଝନ୍ତି । ସଂକ୍ଷେପରେ ନିଜ ପିଲାଟି ବିଜେତା ହେଉ । ଅନ୍ୟମାନଙ୍କ ସହିତ ସମସ୍ତରରେ ନରହି ଅନ୍ୟମାନଙ୍କ ଉପରେ ରହୁ ଯେପରି ଅନ୍ୟ ସମସ୍ତେ ଏହି ଦୌଡ଼ରେ ହାରି ଯାଆନ୍ତୁ । ଜଣେ ନୂତନ ଶିକ୍ଷକ ପ୍ରଥମରୁ ଜାଣି ରଖିବା ଉଚିତ୍ ଯେ ସମସ୍ତ ପିଲା ବିଜେତା ହୁଅନ୍ତୁ ଏହା କେହି ଚାହାନ୍ତି ନାହିଁ-। ଠିକ୍ ସେହିଭଳି ବିଦ୍ୟାଳୟରେ ମଧ୍ୟ ଖୁବ୍ ଅଳ୍ପ ସଂଖ୍ୟକ ପିଲାଙ୍କୁ ଉଚ୍ଚ ଗ୍ରେଡ୍ ଦେବା ଉଚିତ ମନେ କରିଥାନ୍ତି । କାରଣ ଅନ୍ୟଭାବରେ କହିଲେ ସେମାନେ କର୍ମସଂସ୍ଥାନ ଏବଂ ବୃତ୍ତିଗତ ଉତ୍କର୍ଷତା ପାଇଁ ଟିକେଟ୍ ବିକ୍ରୟ କରିଥାନ୍ତି । ଯେଉଁ ବିଦ୍ୟାଳୟ ଯେତେ ଅଧିକ ସଂଖ୍ୟକ ପିଲାଙ୍କୁ ଉଚ୍ଚ ଗ୍ରେଡ୍ ଦେଇଥାଏ, ସେମାନଙ୍କର ଟିକେଟ୍‌ର ମୂଲ୍ୟ ସେତିକି କମ୍ ହୋଇଥାଏ । ‘ସବୌତ୍ତମ’ କଲେଜ ଓ ବିଶ୍ୱବିଦ୍ୟାଳୟ ହେଉଛି ସେହି ଅନୁଷ୍ଠାନ ଯେଉଁଠାରେ ଶିକ୍ଷାର ମାନ ଏତେ ଉଚ୍ଚ ଯେ ପ୍ରାୟ କୌଣସି ଶିକ୍ଷାର୍ଥୀ ତାହା ହାସଲ କରିପାରନ୍ତି ନାହିଁ ।

 

ବିଦ୍ୟାଳୟ ସବୁ ପିଲାଙ୍କୁ ବିଶେଷକରି ଗରିବ ପିଲାମାନଙ୍କୁ ବିଜେତା କରିବାରେ ଚେଷ୍ଟିତ ହୋଇଥାଏ ବୋଲି ଅନେକ କହିଥାନ୍ତି । କିନ୍ତୁ ସମାଜର ବିତ୍ତଶାଳୀ ବଡ଼ପଣ୍ଡାମାନେ ସେମାନଙ୍କର ଏବଂ ସେମାନଙ୍କ ବନ୍ଧୁବାନ୍ଧବର ପିଲାଙ୍କର ସଫଳତା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ନିଶ୍ଚିତ କରିଥାନ୍ତି । ପାଠ୍ୟକ୍ରମ, ପାଠ୍ୟପୁସ୍ତକ, ପଠନ ସାମଗ୍ରୀ, ପରୀକ୍ଷଣ ବ୍ୟବସ୍ଥା ଆଦି ସମସ୍ତ ପ୍ରକାରର ବିଦ୍ୟାଳୟ ବ୍ୟବସ୍ଥାମାନ ଧନୀ ପିଲାଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଥାଏ । ଶ୍ରେଣୀଗୃହରେ ମଧ୍ୟ ଧନୀ ଓ ଦରିଦ୍ର ପିଲାଙ୍କୁ ଶିକ୍ଷକ ଅନେକ ସ୍ଥଳରେ ଭିନ୍ନ ଭିନ୍ନ ଭାବେ ବ୍ୟବହାର କରିଥାନ୍ତି । ଏକ ସରକାରୀ ବିଦ୍ୟାଳୟରେ ଜଣେ ଦରିଦ୍ରପିଲା ବିଜେତା ହେବାକୁ ହେଲେ କୌଣସି ପ୍ରକାରରେ ତା’ର ସାମାଜିକ ନୀଚ ସ୍ତରକୁ ଏଡ଼ାଇ ଶିକ୍ଷକଙ୍କର ବାଛ ବିଚାର ମନୋଭାବ ଓ ତାତ୍ସଲ୍ୟରୁ ନିଜକୁ ମୁକ୍ତ କରି, କୌଣସି ଆବେଗିକ ସହାୟତା ବିନା ଶିଖିବାର ବାଜିରଖି, ବିଜିତ ଏବଂ ଶତ୍ରୁତା ଆଚରଣ କରୁଥିବା ସହପାଠୀମାନଙ୍କରେ ସମ୍ମୁଖୀନ ହୋଇ ଶିକ୍ଷା ସାମଗ୍ରୀରୁ କିଛି ଅର୍ଥ ବାହାର କରିପାରୁଥିବ, ଯେଉଁ ସାମଗ୍ରୀ ସହିତ ତା’ର ଜୀବନ ଅଭିଜ୍ଞତା ସହିତ କୌଣସି ସମ୍ପର୍କ ନଥିବ । ଏହି ଦୃଷ୍ଟିରୁ ବିଦ୍ୟାଳୟରେ ସାମାଜିକ ସଂରଚନାରେ କିଛି ପରିବର୍ତ୍ତନ କରିପାରେ, ଏହା ଚିନ୍ତା କରିବା ଅତ୍ୟନ୍ତ ପିଲାଳିଆମି ଅଟେ । ସାମାଜିକ ପରିସ୍ଥିତି ଭଳି ବିଦ୍ୟାଳୟରେ ମଧ୍ୟ ଧନୀ-ଦରିଦ୍ର ପାର୍ଥକ୍ୟ ବଜାୟ ରଖାଯିବା ପାଇଁ ସମସ୍ତ ବ୍ୟବସ୍ଥା ନିଶ୍ଚିତ କରାଯାଇଥାଏ ଓ ପରବର୍ତ୍ତୀକାଳରେ ଜୀବିକା କ୍ଷେତ୍ରରେ ମଧ୍ୟ ଏହି ପାର୍ଥକ୍ୟରେ କୌଣସି ବିଶେଷ ପରିବର୍ତ୍ତନ ହୋଇନଥାଏ ।

 

ବିଦ୍ୟାଳୟର ତୃତୀୟ ମହାନ୍ କାର୍ଯ୍ୟ ହେଉଛି, ଯାହା ବିଦ୍ୟାଳୟ ସହିତ ସଂପୃକ୍ତ ବ୍ୟକ୍ତିମାନେ କହିଥାନ୍ତି, ‘ପିଲାମାନଙ୍କୁ ବାସ୍ତବତା ପାଇଁ ପ୍ରସ୍ତୁତ କରିବା’ । ଅର୍ଥାତ୍ ଆଧୁନିକ ସମାଜର ଜୀବନ ସହ ଖାପ୍ ଖୁଆଇ ବଞ୍ଚିବା ଏବଂ ସର୍ବୋପରି ଆଧୁନିକ ସମାଜରେ ଅଧିକାଂଶ ଲୋକେ ଯେଭଳି ଜୀବିକା ଅର୍ଜନ କରୁଛନ୍ତି ସେହିଭଳି କର୍ମପାଇଁ ପ୍ରସ୍ତୁତ କରିବା । ଆଧୁନିକ କାର୍ଯ୍ୟାବଳୀ ବହୁଭାବରେ ନିର୍ବୋଧ କାର୍ଯ୍ୟ ଅଟେ । ମେସିନ୍‍ ଭଳି ଜଣେ ବ୍ୟକ୍ତି ବର୍ଷ ବର୍ଷ ଧରି ଗୋଟିଏ କାର୍ଯ୍ୟ ବାରମ୍ବାର କରିଥାନ୍ତି । କାର୍ଯ୍ୟ କରିବା ପାଇଁ କୌଣସି ପ୍ରଶ୍ନ ନପଚାରି ଧାରାବାହିକ ଭାବେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିଥାନ୍ତି ଏବଂ ସେଥିପାଇଁ ଅଧିକ ବୁଦ୍ଧି ଆଦୌ ଆବଶ୍ୟକ ହୋଇନଥାଏ । ସଂକ୍ଷେପରେ ବିଦ୍ୟାଳୟର ପିଲାମାନଙ୍କୁ ଏହିସବୁ କାର୍ଯ୍ୟ କରିବା ପାଇଁ ବିଜିତ ହେବାଲାଗି ପ୍ରସ୍ତୁତ କରିଥାଏ ।

 

ବିଦ୍ୟାଳୟଗୁଡ଼ିକ କ'ଣ ଶିଖାନ୍ତି :

 

ବିଦ୍ୟାଳୟମାନ ବହୁତ କିଛି ଶିଖାଇଥାନ୍ତି

 

୧. ଔପଚାରିକଭାବେ ଲିଖିତ ବିଧିବଦ୍ଧ ପାଠ୍ୟକ୍ରମ ଯଥା; ଇଂରାଜୀ, ଗଣିତ, ସାମାଜିକ ଅଧ୍ୟୟନ ଇତ୍ୟାଦି ।

 

୨. ଅନେକ ଧାରଣା ଏବଂ ମନୋବୃତ୍ତି ଯାହାସବୁ ପାଠ୍ୟକ୍ରମରେ ନଥାଏ, କିନ୍ତୁ ବିଦ୍ୟାଳୟର ସାମଗ୍ରୀ ଏବଂ ପାଠ୍ୟ ପୁସ୍ତକରେ ଅନ୍ତର୍ନିହିତ ଥାଏ ବା ସେସବୁରୁ ଜଣାପଡ଼େ ।

 

୩. ଅନେକ ଧାରଣା ଏବଂ ମନୋବୃତ୍ତି ଯାହାସବୁ ପାଠ୍ୟକ୍ରମରେ ନଥାଏ, କିନ୍ତୁ ଶିକ୍ଷକମାନେ ସଚେତନ ହୋଇ ଏବଂ ଉଦ୍ଦେଶ୍ୟମୂଳକ ଭାବେ ସେସବୁ ପଢ଼ାଇଥାନ୍ତି ।

 

୪. ଶିକ୍ଷକ ଦୃଢ଼ ଭାବରେ ବିଶ୍ଵାସ କରୁଥିବା ଧାରଣା ଏବଂ ମନୋବୃତ୍ତି ଯାହାକୁ ସେ ଅଜାଣତରେ ପଢ଼ାଇଥାନ୍ତି ।

 

ଏହିସବୁ ଧାରଣା ଓ ମନୋବୃତ୍ତି ସମ୍ପର୍କରେ ଦୃଶ୍ୟମାନ ଏବଂ ଅଦୃଶ୍ୟମାନ ପାଠ୍ୟକ୍ରମଭାବେ ବହୁଭାବରେ ଆଲୋଚିତ ହୋଇଛି । ଏଗୁଡ଼ିକ ଶିକ୍ଷକରୁ ଶିକ୍ଷକ ଓ ବିଦ୍ୟାଳୟରୁ ବିଦ୍ୟାଳୟ ମଧ୍ୟରେ କମ୍ ବେଶୀ ହୋଇଥାଏ । ସାମଗ୍ରୀକ ଭାବେ ଗୋଷ୍ଠୀ, ଅଞ୍ଚଳ ଓ ରାଷ୍ଟ୍ରର ସାଧାରଣ ମନୋବୃତ୍ତି ଏବଂ ପୂର୍ବଧାରଣାଗତ ମତମାନ ଶିକ୍ଷକ ଓ ବିଦ୍ୟାଳୟମାନ ପିଲାମାନଙ୍କୁ ଶିଖାଇଥାନ୍ତି । ଏ ସମ୍ପର୍କରେ ଯଥେଷ୍ଟ ବାଦାନୁବାଦ ଅଛି । କିନ୍ତୁ ବିଦ୍ୟାଳୟ ପାଠ ବ୍ୟବସ୍ଥାର ଏହି ଚାରିଟି ଅଂଶ ଉପରାନ୍ତେ ପଞ୍ଚମ ଅଂଶଟି ମୋତେ ଅଧିକ ବ୍ୟଥିତ କରିଥାଏ । ତାହା ହେଉଛି ବିଦ୍ୟାଳୟର ଅନ୍ତର୍ନିହିତ ଉଦ୍ଦେଶ୍ୟ-ପିଲାଙ୍କର ଉପସ୍ଥାନ ବାଧ୍ୟତାମୂଳକ କରିବା, ସେମାନେ କ’ଣ ଶିଖିବେ ନିର୍ଦ୍ଦିଷ୍ଟ କରିବା, ଗ୍ରେଡ ଓ କ୍ରମନିର୍ଦ୍ଧାରଣ କରି ସେମାନଙ୍କୁ ଚିହ୍ନଟ କରିବାର ଅଖଣ୍ଡ କ୍ଷମତା-। ଉପରୋକ୍ତ ଚାରିଟି ଅଂଶକୁ ପରିବର୍ତ୍ତନ କରିବା ସମ୍ଭବ ହୋଇପାରେ ଯଦି ପଞ୍ଚମଟିକୁ କୌଣସି ପ୍ରକାର ବଦଳାଇ ହୁଅନ୍ତା, ଯାହା ଅସମ୍ଭବ ବୋଲି ମନେହୁଏ ।

 

ଅନ୍ୟ ବାଧ୍ୟତାମୂଳକ ଅନୁଷ୍ଠାନମାନଙ୍କ ଭଳି ବିଦ୍ୟାଳୟ ମଧ୍ୟ ଏହାର ଉପଭୋକ୍ତାମାନଙ୍କୁ କେତେକ ଅଲିଖିତ ବାର୍ତ୍ତା ଦେଇଥାଏ । ପ୍ରଥମଟି ହେଉଛି ଶିକ୍ଷାର୍ଥୀଙ୍କ ସମ୍ପର୍କରେ ଅବିଶ୍ୱାସ ଏବଂ ହେୟଜ୍ଞାନର ବାର୍ତ୍ତା ‘ତୁମ୍ଭମାନଙ୍କୁ ଏଠାକୁ ନଆଣିଥିଲେ ତୁମେ ଜୀବନରେ କିଛି ଶିଖି ପାରିନଥାନ୍ତ । ତୁମେମାନେ ନିର୍ବୋଧ ହୋଇଥିବାରୁ କେବଳ ବିଦ୍ୟାଳୟ ହିଁ ତୁମକୁ ପୃଥିବୀ ସମ୍ପର୍କରେ ଧାରଣା ଦେଇପାରିବ । (ପୃ-୧୭୧)

 

ଏଥିସହିତ ଅନ୍ୟ ଏକ ବାର୍ତ୍ତା ବିଦ୍ୟାଳୟରୁ ଆସିଥାଏ । ଜୀବନର ଅନ୍ୟାନ୍ୟ ଅନୁଭୂତିମାନଙ୍କ ଠାରୁ ଶିକ୍ଷଣ ଏକ ଭିନ୍ନ ପ୍ରକ୍ରିୟା । କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଶିଖିବାକୁ ହେଲେ ତାହା କେବଳ ବିଦ୍ୟାଳୟରେ ଶିକ୍ଷକମାନଙ୍କଠାରୁ ଶିଖିହେବ । ଏଥିରୁ ଜଣାଯାଏ ଯେ ବୋଧ ଏକ ପ୍ରକ୍ରିୟା ନୁହେଁ, ଏକ ପଣ୍ୟଦ୍ରବ୍ୟ, ଏକ ଚିଜ । ତୁମେ ନିଜ ପାଇଁ ନିଜେ ଏହା କରିପାରିବ ନାହିଁ, ଏହାକୁ ପ୍ରାପ୍ତ କରିବାକୁ ହେବ ଏବଂ ଏହା ଦୁଷ୍ପ୍ରାପ୍ୟ, ମୂଲ୍ୟବାନ ଏବଂ ବହୁ ବ୍ୟୟସାପେକ୍ଷ । ଏହା କେବଳ ବୋଧଥିବା ବ୍ୟକ୍ତିମାନଙ୍କ(ଶିକ୍ଷକ) ଠାରୁ ମିଳିପାରିବ ଯଦି ସେ ଦେବାକୁ ଇଚ୍ଛାକରନ୍ତି । ସେଥିପାଇଁ ଶିକ୍ଷକ ନିର୍ଦ୍ଦେଶିତ ହୋଇ ବୋଧ ହାସଲ କରିହେବ । ଏହା ହାସଲ କରିବାରେ ପ୍ରଶ୍ନ ବା କୌତୂହଳୀ ହେବାରେ କିଛି ବିଶେଷ ଫାଇଦା ନାହିଁ ।

 

ବିଦ୍ୟାଳୟ ସମାଜର ଇଚ୍ଛାଅନୁସାରେ ମଣିଷମାନଙ୍କୁ ଅର୍ଥନୈତିକ ମଣିଷରେ (Economic Man) ପରିଣତ କରିଥାଏ ଯିଏ କି କେବଳ ଭୟ ଓ ଲୋଭ ଦ୍ଵାରା ବଞ୍ଚିଥାଏ । ଭାଗିଦାରିତା ଓ ସହଯୋଗିତା ସମ୍ପର୍କରେ ଯେତେ କହିଲେ ବି କେହି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୁରସ୍କାର ବିନା କିମ୍ବା ଦଣ୍ଡ ବିଧାନରୁ ରକ୍ଷା ପାଇବା ବ୍ୟତୀତ କରିନଥାନ୍ତି । ଶିକ୍ଷାଦାନରେ ମଧ୍ୟ ଯାହାସବୁ ଉତ୍ତମ ସେସବୁ ଶିଖିଲେ ପୁରସ୍କୃତ କରାଯାଇଥାଏ ଏବଂ ଯାହା ପୁରସ୍କୃତ ହୋଇନଥାଏ ସେଗୁଡ଼ିକ ଅବାନ୍ତର ଓ ଶିକ୍ଷଣ ଯୋଗ୍ୟ ନୁହେଁ । ଏହାହିଁ ପ୍ରଶିକ୍ଷକ ବିଦ୍ୟାଳୟ ଗୁଡ଼ିକ ଶିକ୍ଷା ଦେଇଥାନ୍ତି ।

 

ପୁନଶ୍ଚ, ପିଲାମାନଙ୍କୁ କ୍ରମବଦ୍ଧ (ରାଙ୍କିଙ୍ଗ୍‍) କରିବା ପାଇଁ ବିଦ୍ୟାଳୟ ବାରମ୍ବାର ପରୀକ୍ଷଣ କରେ ଓ ସେମାନଙ୍କର ପରିମାପ କରେ । ଏହାଦ୍ୱାରା ବିଦ୍ୟାଳୟ ବିଶ୍ୱାସ ସୃଷ୍ଟିକରେ ଯେ ପିଲାମାନଙ୍କ ସମ୍ବନ୍ଧରେ ଯାହାସବୁ ଗୁରୁତ୍ୱପୂର୍ଣ୍ଣ ସେସବୁକୁ ମାପିହେବ ଏବଂ ବାକିସବୁ ଆଦୌ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ ନାହିଁ । ସେଥିପାଇଁ “we are only what the tests and measurements say we are, we can do only what they say we can do, and we deserve only what they say we deserve’’ (ପୃ-୧୭୩) । ପରୀକ୍ଷଣ ମଧ୍ୟ ଭୁଲ୍ ହୋଇପାରେ ବା ଆମର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଅଂଶ ପରୀକ୍ଷଣ ଯୋଗ୍ୟ ବା ମାପଯୋଗ୍ୟ ହୋଇନପାରେ କିମ୍ବା ଆମେ କେତେକ କାର୍ଯ୍ୟ କରିବାରେ ସମର୍ଥ ହୋଇଥାଉ ଯାହା ଆମେ କରି ନପାରୁ ବୋଲି ପରୀକ୍ଷଣରୁ ଜଣାଯାଇଥାଏ ।

 

ପରିଶେଷରେ, ବିଦ୍ୟାଳୟ ଆମକୁ ବିଶେଷଜ୍ଞମାନଙ୍କର ଐଶ୍ଵରୀୟ ଅଧିକାର ଉପରେ ବିଶ୍ୱାସ କରିବାକୁ ଶିକ୍ଷା ଦେଇଥାଏ । ବିଶେଷଜ୍ଞମାନେ ଆମକୁ ବିଦ୍ୟାଳୟରେ ଭର୍ତ୍ତି କରନ୍ତି, ସେଠାରେ ଆମର ଜୀବନକୁ ନିୟନ୍ତ୍ରଣ କରନ୍ତି, ଆମକୁ କ’ଣ ଶିଖିବାକୁ ହେବ ଓ କିପରି ଶିଖିବାକୁ ହେବ ତାହା କହିଥାନ୍ତି ଏବଂ ଆମେ କେତେ ଭଲ ଶିଖିଛୁ ତା’କୁ ଗ୍ରେଡ୍‌ ବା ରାଙ୍କ୍‍ ଦେଇଥାନ୍ତି । ଏହାଦ୍ୱାରା ଆମର ଦୃଢ଼ ବିଶ୍ୱାସ ହୋଇଥାଏ ଯେ ଜୀବନସାରା ଯେକୌଣସି ପରିସ୍ଥିତିରେ କେତେକ ବିଶେଷଜ୍ଞ ନିଶ୍ଚୟ ଥିବେ, ଯିଏକି ଆମ ପାଇଁ କ’ଣ ସର୍ବୋତ୍କୃଷ୍ଟ ଏବଂ ଭବିଷ୍ୟତରେ କ’ଣ କରିବାକୁ ହେବ ସେ ସମ୍ପର୍କରେ ଆମଠାରୁ ନିଶ୍ଚିତଭାବେ ଅଧିକ ଜାଣିଥିବ ।

 

ଭାଗୀଦାରୀ କିମ୍ବା ସହଯୋଗୀତା ସମ୍ପର୍କରେ ଯେତେ କହିଲେ ବି ପ୍ରତ୍ୟେକ ପିଲା ଅନ୍ୟ ପିଲା ବିରୁଦ୍ଧରେ ପ୍ରତିଯୋଗୀତା କରିବା ପାଇଁ ପ୍ରୋତ୍ସାହିତ କରାଯାଇ ବାସ୍ତବ ଜୀବନ ଯେ ଏକ ସଂଗ୍ରାମ ତାହା ବିଦ୍ୟାଳୟ ଶିଖାଇଥାଏ । ଏପରି ସଂଗ୍ରାମରେ ଅନ୍ୟଜଣେ ବା ଅନ୍ୟ ସମସ୍ତେ ପରାସ୍ତ ନହେଲେ ଜଣେ କେବେହେଲେ ଜିତି ପାରିବ ନାହିଁ । ଜିତିବା ପାଇଁ ଯାହା କରାଯିବ ତାହା ଉଚିତ । ସେହି ଦୃଷ୍ଟିରୁ ଲୋଭ ପାପ ନୁହେଁ ବରଂ ଏକ ଉତ୍ତମ ଗୁଣଭାବେ ପ୍ରୋତ୍ସାହିତ କରାଯାଏ । ପୁନଶ୍ଚ ଜିତିବା ପାଇଁ ଠକାମି ମଧ୍ୟ ଏହିଠାରେ ଶିଖାଯାଇଥାଏ । ଏହାହିଁ ହେଉଛି ବିଦ୍ୟାଳୟର ଲୁକ୍‍କାୟିତ, ଅନ୍ତର୍ନିହିତ ଏବଂ ଅପରିବର୍ତ୍ତନୀୟ ପାଠ୍ୟକ୍ରମ ।

 

ପ୍ରଶିକ୍ଷକ ବିଦ୍ୟାଳୟରୁ କର୍ମକାରୀ ବିଦ୍ୟାଳୟ

 

ପ୍ରଶିକ୍ଷକ ବିଦ୍ୟାଳୟଗୁଡ଼ିକୁ ସତ୍ ଚିନ୍ତା ଓ ଅନୁଭବ ଏବଂ ଉତ୍ତମ ଶିକ୍ଷାଦାନ ପାଇଁ ଏକ ଉତ୍ତମ ସ୍ଥାନରେ ପରିଣତ କରିବାକୁ ହେଲେ ସେଗୁଡ଼ିକୁ କର୍ମକାରୀ ବିଦ୍ୟାଳୟରେ ପରିଣତ କରିବାକୁ ହେବ । ଏହି ବିଦ୍ୟାଳୟର ବିଶେଷ ତ୍ରୁଟି କୌଶଳ ଜନିତ ନୁହେଁ ବରଂ ନୈତିକତା ସମ୍ବନ୍ଧୀୟ, ପଦ୍ଧତିଗତ ନୁହେଁ ବରଂ ଉଦ୍ଦେଶ୍ୟଗତ ଏବଂ ପନ୍ଥା ସମ୍ବନ୍ଧୀୟ ନହୋଇ ପରିଣତି ସମ୍ପର୍କିତ । ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ବିଦ୍ୟାଳୟ ଗୁଡ଼ିକ ଯେପରି ଅଳ୍ପ ବୟସ୍କଙ୍କ ପାଇଁ ଜେଲଖାନା ନହୁଏ ତାହା ନିଶ୍ଚିତ କରିବା । କୌଣସି ବୟସର ଶିକ୍ଷାର୍ଥୀଙ୍କ ପାଇଁ ଏହା ଆଦୌ ବାଧ୍ୟତାମୂଳକ ହେବ ନାହିଁ ଏବଂ ଶିକ୍ଷାର୍ଥୀଙ୍କୁ ରାଙ୍କ୍‍ ଦିଆଯାଇ ଚିହ୍ନଟ କରିବା ପାଇଁ ବିଦ୍ୟାଳୟକୁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ । ଏପରି ପରିବର୍ତ୍ତନ କରିବା ଏକ ରାଜନୈତିକ କାର୍ଯ୍ୟ ଅଟେ । ବିଦ୍ୟାଳୟ କୌଣସି ପ୍ରକାରର ଟିକେଟ୍ ଯଥା–ଡିପ୍ଲୋମା, ଲାଇସେନ୍ସ, ସାର୍ଟିଫିକେଟ୍ ଆଦି ଦେବା ବନ୍ଦ କରିବା ଉଚିତ୍ । ଅଥବା ବିଦ୍ୟାଳୟ ଭିନ୍ନ ଅନ୍ୟ କୌଣସି ସ୍ଥାନରୁ ଏପରି ଟିକଟ ହାସଲ କରିବା ପାଇଁ ଶିକ୍ଷାର୍ଥୀଙ୍କୁ ସୁଯୋଗ ଦେବା ଉଚିତ୍ । ଏହାଦ୍ୱାରା ବିଦ୍ୟାଳୟ ଶିକ୍ଷାନୁଭୂତି ହାସଲ ପାଇଁ ଏକମାତ୍ର ସ୍ଥାନ ନହୋଇ ବାସ୍ତବ ଜୀବନରେ ଇଚ୍ଛାନୁସାରେ ଉନ୍ନତ ଅନୁଭୂତି ପାଇଁ ଉତ୍କୃଷ୍ଟ ସ୍ଥାନ ବାଛି ପାରିବାର ଯଥେଷ୍ଟ ସ୍ୱାଧୀନତା ଶିକ୍ଷାର୍ଥୀଙ୍କୁ ମିଳିବ । ଦ୍ୱିତୀୟତଃ, କୌଣସି କାର୍ଯ୍ୟ କରିବାରେ ଦକ୍ଷତା ହାସଲ ମୂଳଲକ୍ଷ୍ୟ ହେବା ଉଚିତ୍ ଏବଂ ସାର୍ଟିଫିକେଟ୍ ହାସଲ ପାଇଁ ଶିକ୍ଷାରେ ଦକ୍ଷତା ନିଶ୍ଚିତ କରିବା ସମ୍ଭବ ନୁହେଁ । ଏପରିକି ମିଲଟନ୍ ଫ୍ରିଡ୍‌ମ୍ୟାନଙ୍କ ଭଳି ରକ୍ଷଣଶୀଳ ଅର୍ଥନୀତିଜ୍ଞ କହନ୍ତି ଯେ ଏପରିକି ମେଡିକାଲର ଡାକ୍ତରମାନଙ୍କୁ ମଧ୍ୟ ଲାଇସେନ୍‍ସ ପ୍ରଦାନ କରିବା ପ୍ରଥା ଉଠାଇ ଦେଲେ ଦକ୍ଷ ଏବଂ ବିଶ୍ୱସନୀୟ ଚିକିତ୍ସକ ମିଳିପାରିବେ । ଏଥିପାଇଁ ଏକ ଆଇନ୍ ପାସ୍‍ କରାଯାଇପାରେ ଯେ ଯଦିବା ଏପରି ସାର୍ଟିଫିକେଟ୍ ନିତାନ୍ତ ଆବଶ୍ୟକ ପଡ଼େ ତା’ହେଲେ ସେପରି ସାର୍ଟିଫିକେଟ୍ ବିଦ୍ୟାଳୟ ଭିନ୍ନ ଅନ୍ୟ ସଂସ୍ଥାରୁ ଆଣିବାକୁ ହେବ । ବିଦ୍ୟାଳୟ ସାର୍ଟିଫିକେଟ୍ ଉପରେ ଭିତ୍ତି କରି ବା କର୍ମ ସହିତ ଅସଂପୃକ୍ତ କୌଣସି ପରୀକ୍ଷାଫଳ ଉପରେ ନିର୍ଭର କରି କୌଣସି କର୍ମସଂସ୍ଥାନ ପାଇଁ ନିଯୁକ୍ତି ଦେବା ବନ୍ଦ କରିବା ପାଇଁ ଆବଶ୍ୟକ ଆଇନ୍ ପ୍ରଣୟନ କରାଯିବା ବିଧେୟ ।

 

ଏହା ଲକ୍ଷ୍ୟ କରାଯାଇଛି ଯେ କେତେକ ସମ୍ବଳ ଯୋଗାଇଦେଲେ ପିଲାମାନେ ପାରମ୍ପରିକ ବିଦ୍ୟାଳୟ ପରିସର ବାହାରେ ବହୁଦ୍ରୁତ ବେଗରେ ଶିଖିପାରନ୍ତି । ସେଥିପାଇଁ ବିଦ୍ୟାଳୟରେ ଉପସ୍ଥାନ ବାଧ୍ୟତାମୂଳକ କରିବା ପାଇଁ ପ୍ରଚଳିତ ଆଇନର ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ହେବ । ଗୋଟିଏ ବାଟ ହେଉଛି ଯେ ବିଦ୍ୟାଳୟର କାର୍ଯ୍ୟ ଦିବସ ସଂଖ୍ୟା କମାଇଦେଇ ପିଲାମାନେ ଯେବେ ଇଚ୍ଛାକରନ୍ତି ସେତେବେଳେ ଆବଶ୍ୟକ ଉପସ୍ଥାନ ପାଇଁ ବିଦ୍ୟାଳୟରେ ଯୋଗଦାନ କରିପାରନ୍ତି । ଅଥବା ବିଦ୍ୟାଳୟ ସମୟ ସନ୍ଧ୍ୟା ସମୟରେ ହେଲେ ଦିନସାରା ପିଲାମାନେ ବିଭିନ୍ନ କର୍ମସାରି ଆବଶ୍ୟକ ବିଦ୍ୟାଳୟ ଉପସ୍ଥାନ ନିଶ୍ଚିତ କରିପାରନ୍ତି । କିମ୍ବା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଇଚ୍ଛାନୁସାରେ ନିଜ ରାଜ୍ୟ ମଧ୍ୟରେ ଯେ କୌଣସି ବିଦ୍ୟାଳୟକୁ ଯିବା ପାଇଁ ଅନୁମତି ଦେବା ଓ ଶିକ୍ଷାର୍ଥୀମାନଙ୍କ ଉପସ୍ଥାନ ଅନୁପାତରେ ବିଦ୍ୟାଳୟମାନଙ୍କୁ ଅନୁଦାନ ବ୍ୟବସ୍ଥା କଲେ ବିଦ୍ୟାଳୟମାନଙ୍କର ଯଥେଚ୍ଛାଚାରିତାର ଅବସାନ ଘଟିବ ।

 

ପରିଶେଷରେ ପିଲାଙ୍କ ରାଙ୍କିଙ୍ଗ୍ କରିବା ଓ ଚିହ୍ନ ଦେବାର କ୍ଷମତା ବିଦ୍ୟାଳୟମାନଙ୍କ ଠାରୁ ଛଡ଼ାଇ ନେବା ଦ୍ୱାରା ବହୁ କ୍ଷତିକାରକ, ଅପମାନଜନକ ଏବଂ ନକଲି ମନସ୍ତାତ୍ତ୍ୱିକ ଅଭ୍ୟାସର ଶିକାର ହେବାରୁ ଶିକ୍ଷାର୍ଥୀମାନଙ୍କୁ ରକ୍ଷାକରି ହେବ । ଏପରି ରେକର୍ଡକୁ ଶିକ୍ଷାର୍ଥୀ ବ୍ୟତିରେକେ ଅନ୍ୟମାନଙ୍କୁ ବଣ୍ଟନ କରିବା ଆଇନ ଅନୁସାରେ ନିଷେଧ କରିବା ଉଚିତ ହେବ । ପାଠର ପରୀକ୍ଷା ବ୍ୟତୀତ ଅନ୍ୟ ଯେକୌଣସି ପରୀକ୍ଷଣ କରିବା ପୂର୍ବରୁ ପିତାମାତାଙ୍କ ଅନୁମତି ନେବା ଆବଶ୍ୟକ କରିବା ଆଇନାନୁମୋଦିତ ହେବା ଉଚିତ୍ ।

 

ଏପରି ପଦକ୍ଷେପ ନେବା ଦ୍ୱାରା ବିଦ୍ୟାଳୟ ଗୁଡ଼ିକୁ ପ୍ରଶିକ୍ଷକ ପରିବର୍ତ୍ତେ କର୍ମକାରୀ ଏବଂ ଶିକ୍ଷାର୍ଥୀମାନଙ୍କର ସେବାରେ ନିଜକୁ ନିୟୋଜିତ କରିବାରେ ସମର୍ଥ କରାଯାଇପାରିବ ।

 

ପଢ଼ାଇବା କାହିଁକି ?

 

ଏହି ପୁସ୍ତକ ଶିକ୍ଷାଦାନ ବିରୁଦ୍ଧରେ ନୁହେଁ ବରଂ ଏହା ଶିକ୍ଷାଦ୍ୱାରା ପରାହତ ଶିକ୍ଷାଦାନ ବିରୁଦ୍ଧରେ । ଯେତେବେଳେ ଜଣେ କିଛି କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଥିବ ଯାହା ସେ କରିପାରିବ ନାହିଁ ବୋଲି ଭୟ କରୁଥିବ, ସେତେବେଳେ ତାଙ୍କୁ ସେହି କାର୍ଯ୍ୟ ଶିଖାଇବାରେ ମୁଁ ଯେଉଁ ଆନନ୍ଦ ପାଏ ତାହା ଅନ୍ୟ କେଉଁଠାରୁ ପାଏ ନାହିଁ । ମୋର ଜଣେ ସଙ୍ଗୀତ ପ୍ରେମୀ ବାନ୍ଧବୀଙ୍କର ସଙ୍ଗୀତରେ ସଙ୍କେତ ପଦ୍ଧତି ପଢ଼ିବା ପାଇଁ ଆଗ୍ରହ ଥିଲେ ବି ତାହା ତାଙ୍କୁ ଅତ୍ୟନ୍ତ ରହସ୍ୟମୟ, ଭୟଙ୍କର ଏବଂ ଶିଖିବା ଅସମ୍ଭବ ବୋଲି ବୋଧ ହେଉଥିଲା । କିନ୍ତୁ ଅଳ୍ପ ସମୟ ମଧ୍ୟରେ ପିଆନୋ ବଜାଇବା ମାଧ୍ୟମରେ ତାହା ତାଙ୍କୁ ଶିଖିବାରେ ସାହାଯ୍ୟ କରି ସଫଳ ହୋଇଥିଲି । ତାଙ୍କୁ ଶିଖାଇବାରେ ପାଞ୍ଚଟି କଥା ମତେ ସାହାଯ୍ୟ କରିଥିଲା । (୧) ଏହା ଶିଖିବା ତାଙ୍କର ଇଚ୍ଛାଥିଲା ଏବଂ ଶିଖିବା ପାଇଁ ସେ ଚାହୁଁଥିଲେ । (୨) ସେ ଯେତେବେଳେ ଇଚ୍ଛା କରିବେ ସେତେବେଳେ ମୁଁ ବନ୍ଦ କରିଦେବା ପାଇଁ ପ୍ରସ୍ତୁତ ଥିଲି । ସେ ଜାଣିଥିଲେ ଯେ ମୋର ଆଗ୍ରହାତିଶଯ୍ୟରେ ମୁଁ ତାଙ୍କୁ ବିଭ୍ରମ, ଭୟ ଏବଂ ଲଜ୍ଜାକର ପରିସ୍ଥିତି ମଧ୍ୟକୁ ଠେଲି ଦେବିନାହିଁ ଯେପରି ଅନ୍ୟ ଆଗ୍ରହୀ ଶିକ୍ଷକମାନେ କରିଥାନ୍ତି । (୩) ତାଙ୍କର ଉଭୟ ଉତ୍କଣ୍ଠା ଏବଂ ବିଭ୍ରମକୁ ଉଚିତ ବୋଲି ମୁଁ ସ୍ୱୀକାର କରୁଥିଲି । ଏପରିକି ନିଜ ମନଭିତରେ ମୁଁ ତାଙ୍କର କୌଣସି ଭୟ ବା ପ୍ରଶ୍ନକୁ ବୋକାମି ବୋଲି ହେୟଜ୍ଞାନ କରୁନଥିଲି । (୪) ତାଙ୍କୁ ତାଙ୍କର ସମସ୍ତ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ଦେଉଥିଲି ଓ ସେଥିପାଇଁ ମୁଁ ଅପେକ୍ଷା କରୁଥିଲି । ମୋର ଉତ୍ତରକୁ ସେ ତାଙ୍କ ଇଚ୍ଛାନୁସାରେ ବ୍ୟବହାର କରିବା ପାଇଁ ମୁଁ ସୁଯୋଗ ଦେଇଥିଲି । ସେ ବୁଝିଛନ୍ତି କି ନାହିଁ ମୁଁ ପରୀକ୍ଷା କରୁନଥିଲି । ସେ ବୁଝିଛନ୍ତି କି ନାହିଁ ତା’ର ନିଷ୍ପତ୍ତି ନିଜେ ନେଇଥିଲେ । (୫) କେତେ ପ୍ରତିଭାଶାଳୀ ଶିକ୍ଷକ ଥିଲି ବୋଲି ପ୍ରତିପାଦନ କରିବା ପାଇଁ ମୁଁ କେବେ ତାଙ୍କୁ ବ୍ୟବହାର କରୁନଥିଲି । ଏଭଳି ଶିକ୍ଷାଦାନ ପରିସ୍ଥିତି ପ୍ରଶିକ୍ଷକ ବିଦ୍ୟାଳୟରେ ମିଳିବା ଆଦୌ ସମ୍ଭବ ନୁହେଁ । ଏହା କହିବା ମୋର ଉଦ୍ଦେଶ୍ୟ ନୁହେଁ ଯେ କେହି ଏପରି ବିଦ୍ୟାଳୟରେ ପଢ଼ାଇବା ଉଚିତ ନୁହେଁ ।

 

ଯେଉଁମାନେ ପିଲାମାନଙ୍କର ଆଗ୍ରହ ଏବଂ କ୍ଷମତାର ପୂର୍ଣ୍ଣ ବ୍ୟବହାର କରି ଏକ ବୁଦ୍ଧିମାନ ଏବଂ ମାନବୀୟ ପଛାରେ ପଢ଼ାଇବା ପାଇଁ ଚାହାଁନ୍ତି, ସେମାନେ ଜାଣିରଖିବା ଉଚିତ ହେବ ଯେ ଖୁବ୍ କମ୍ ବିଦ୍ୟାଳୟ ଅଛି ଯାହା ସେମାନଙ୍କୁ ଏପରି କରିବା ପାଇଁ ସୁଯୋଗ ଦେବ । ଏହି ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ, ଅଧ୍ୟକ୍ଷ ଏପରିକି ପିତାମାତାମାନେ ମଧ୍ୟ ଏପରି ଶିକ୍ଷାଦାନର ବିରୋଧ କରିଥାନ୍ତି । ଏପରିକି ଅଭିନବ ଉପାୟମାନ ଅବଲମ୍ବନ କରୁଥିବା ଏବଂ ପିଲାମାନଙ୍କୁ ଭଲପାଉଥିବା, ବିଶ୍ୱାସ କରୁଥିବା ଏବଂ ସମ୍ମାନ କରୁଥିବା ଶିକ୍ଷକ, ସେହି ବିଦ୍ୟାଳୟର ଅନ୍ୟ ଶିକ୍ଷକମାନଙ୍କର ବିରୋଧର ସମ୍ମୁଖୀନ ହୋଇଥାନ୍ତି ।

 

ଅନ୍ୟ ପକ୍ଷରେ ଯେଉଁମାନେ ନିଜକୁ ‘ବିପ୍ଳବୀ ଶିକ୍ଷକ’ ଭାବେ ବିଚାର କରିଥାନ୍ତି ସେମାନେ ନିଜକୁ ହିଁ ବୋକା ମନେଇଥାନ୍ତି । ଏମାନେ ବିଦ୍ୟାଳୟର ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପ୍ରୟୋଗ କରନ୍ତି ଅଥଚ ବିଦ୍ୟାଳୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାନ୍ତି । ଏହାଦ୍ୱାରା ସେମାନେ ବିଦ୍ୟାଳୟରେ କୌଣସି ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇନଥାନ୍ତି ।

 

ମୁଁ ପୁଣି ଦୋହରାଇବା ପାଇଁ ଚାହେଁ ଯେ ପ୍ରଶିକ୍ଷକ ବିଦ୍ୟାଳୟ ଗୁଡ଼ିକର ସମସ୍ୟା ପନ୍ଥାର ନୁହେଁ ବରଂ ପରିଣତି ସହ ଜଡ଼ିତ । ଏହା ମଣିଷମାନଙ୍କ ସମ୍ପର୍କରେ ଏବଂ ପିଲାମାନଙ୍କର ପ୍ରକୃତି ଓ ଆବଶ୍ୟକତା ସମ୍ପର୍କରେ । ଆମେ ପିଲାମାନଙ୍କୁ ସ୍ୱାଧୀନତା, ଶକ୍ତି ଏବଂ ଦାୟିତ୍ୱବୋଧ ହାସଲ କରିବାରେ ସାହାଯ୍ୟ କରିବା ନା ସେମାନଙ୍କୁ ବାଧ୍ୟ ଏବଂ ପରାଶ୍ରୟୀ ହୋଇ ରହିବା ପାଇଁ ପ୍ରଶିକ୍ଷିତ କରିବା ? ଶିକ୍ଷକ ହିସାବରେ ଆମକୁ ନିଷ୍ପତ୍ତି ନେବାକୁ ହେବ ।

 

ଆମର ସୁଯୋଗ ଅଛି କି ?

 

ଧନୀ ଏବଂ କ୍ଷମତାସମ୍ପନ୍ନ ହେଲେ ମଧ୍ୟ ପ୍ରଶିକ୍ଷକ ବିଦ୍ୟାଳୟଗୁଡ଼ିକ ପ୍ରକୃତିର ଅଂଶ ନୁହନ୍ତି । ଲୋକମାନେ ଏହାକୁ ଉପଯୋଗୀ ଭାବି ଗଢ଼ିଥାନ୍ତି, ଏବଂ ଯେତେବେଳେ ଏଗୁଡ଼ିକ କୌଣସି କାର୍ଯ୍ୟରେ ବ୍ୟବହାର ଉପଯୋଗୀ ହୁଅନ୍ତି ନାହିଁ ଲୋକମାନେ ମଧ୍ୟ ଏହାକୁ ଉଠାଇ ଦେଇ ପାରନ୍ତି । ଆଜିର ବିଦ୍ୟାଳୟ ଶିଳ୍ପ ଯୁଗର ପ୍ରାରମ୍ଭରେ ଉଦ୍ଭାବିତ ହୋଇଥିଲା ଯେତେବେଳେ ବହୁ ପରିମାଣର ମୂଲ୍ୟବାନ୍ କଞ୍ଚାମାଲ, ନୂତନ ମେସିନ, ଶକ୍ତିର ନୂତନ ଉତ୍ସ, ନୂତନ ମାନବୀୟ ଅନୁଷ୍ଠାନ ଓ ନିୟନ୍ତ୍ରଣ ଲୋକମାନଙ୍କୁ ସହଜରେ ମିଳୁଥିଲା ଦ୍ରୁତ ଅର୍ଥନୈତିକ ପ୍ରଗତି ହେଉଥିଲା, ଏବଂ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଲୋକେ ଧନୀ ହୋଇଥିଲେ । ବିଦ୍ୟାଳୟ ସେତେବେଳେ କିଭଳି ମେସିନ୍ ଭଳି କାର୍ଯ୍ୟ କରିବାକୁ ହେବ ଶିଖାଉଥିଲା ଏବଂ ଯଥାଶୀଘ୍ର ଧନୀ ହେବାର ସ୍ୱପ୍ନ ବିକ୍ରୟ କରୁଥିଲା । ବର୍ତ୍ତମାନ ସବୁ ଓଲଟ ପାଲଟ ହୋଇଯାଇଛି । ଶସ୍ତା ଜାଳେଣୀ ଏବଂ ଖଣିଜ ପଦାର୍ଥମାନ ପ୍ରାୟ ସରି ଆସୁଛି, ଏବଂ ଯାହା ମିଳୁଛି ସେସବୁ ଅତ୍ୟନ୍ତ ନିମ୍ନମାନର ଏବଂ ମିଳିବା କଷ୍ଟସାଧ୍ୟ ହୋଇଯାଉଛି । ଉପରକୁ ଉଠାଇବାର ମେସିନ୍‌ ଭାବେ ବିଦ୍ୟାଳୟ ଆଉ କାମ କରୁନାହିଁ-। ବିଦ୍ୟାଳୟ ଶିକ୍ଷା ପାଇଁ ବେଳକୁ ବେଳ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି । ଏପରି ବିଦ୍ୟାଳୟରେ କେବଳ ଧନୀ ପିଲାମାନେ ଆଗେଇବେ ଏବଂ ଗରିବ ପିଲାମାନେ ସର୍ବଦା ପଛୁଆ ହୋଇ ରହିଯିବେ । ଏଠାରେ ଜ୍ଞାନ ସହିତ ମୂଲ୍ୟ ଯୋଡ଼ା ହୋଇଛି । ଅଧିକ ଜ୍ଞାନ ବିନା ମୂଲ୍ୟରେ ଆବଣ୍ଟନ ବିଦ୍ୟାଳୟରେ ସମ୍ଭବ ହେଉନାହିଁ । କିନ୍ତୁ ଏତେଶୀଘ୍ର ଏପରି ବିଦ୍ୟାଳୟର ବିଲୋପ ହେବନାହିଁ ।

 

ଏପରି ପରିସ୍ଥିତିରେ ପିତାମାତା କ’ଣ କରିପାରିବେ ? ଏଥିପାଇଁ ତିନୋଟି ସମ୍ଭାବନା ମୋତେ ଦେଖାଯାଉଛି : (୧) ପ୍ରଶିକ୍ଷକ ବିଦ୍ୟାଳୟରେ ରହିବା ପାଇଁ ପିଲାକୁ ସାହାଯ୍ୟ କରିବା (୨) ସେଠାରୁ ଖସି ଆସିବା ପାଇଁ ସାହାଯ୍ୟ କରିବା, ଏବଂ (୩) ତାକୁ ଏକ ବିକଳ୍ପ ଯୋଗାଇ ଦେବା । ପିଲାଟି ଏବଂ ପରିସ୍ଥିତି ଅନୁଯାୟୀ ପିତାମାତାମାନେ ଏଥିରୁ ଗୋଟିଏ ବା ଏକାଧିକ ପନ୍ଥା ବ୍ୟବହାର କରି ନିଜର ପିଲାମାନଙ୍କ ଶିକ୍ଷା ପାଇଁ ଯତ୍ନ କରିପାରନ୍ତି । ବିଦ୍ୟାଳୟର ବହୁ ବିକଳ୍ପ ଅଛି କାରଣ ପିଲାମାନେ ଯାହାକିଛି ଜୀବନ ପାଇଁ ଆବଶ୍ୟକ ସେସବୁ ଅଧିକାଂଶ ବିଦ୍ୟାଳୟ ବାହାରୁ ହିଁ ଶିଖିଥାନ୍ତି । ଯେଉଁମାନଙ୍କ ପାଇଁ ବିଦ୍ୟାଳୟରୁ ମୁକ୍ତି ପାଇବା ସମ୍ଭବ ହୁଏ ନାହିଁ, ସେମାନେ ବିଦ୍ୟାଳୟ ସହିତ ଖାପ ଖୁଆଇ ଚଳି ପାରନ୍ତି ଯଦି ସେମାନଙ୍କୁ ଅନୁଭବ କରିବାକୁ ଦିଆନଯାଏ ଯେ ବିଦ୍ୟାଳୟକୁ ଭଲ ପାଉନଥିବାରୁ ସେମାନେ ମନ୍ଦ ପିଲା । ଏବଂ ସେମାନେ ଅନୁଭବ କରନ୍ତି ଯେ ସେମାନଙ୍କର ପିତାମାତା ସେମାନଙ୍କୁ ଉଚିତଭାବେ ବୁଝନ୍ତି ଓ ବିଦ୍ୟାଳୟକୁ କାହିଁକି ଭଲ ପାଆନ୍ତି ନାହିଁ ତହିଁର କାରଣ ପିତାମାତାମାନେ ଭଲ ଭାବରେ ଜାଣନ୍ତି । (ପୃ-୨୧୪)

 

ପିତାମାତା ଓ ପରିବେଶର ଉତ୍ତମ ବୁଝାମଣା ଓ ସହଯୋଗରେ ପିଲାମାନେ ବିଦ୍ୟାଳୟର ବିକଳ୍ପରେ ଅଧିକ ଉଦ୍ଦେଶ୍ୟମୂଳକ ଓ ଅର୍ଥପୂର୍ଣ୍ଣ ଶିକ୍ଷଣ କରିପାରନ୍ତି ଯାହା ସେମାନେ କରିବାକୁ ଭଲ ପାଆନ୍ତି । ହୋଲ୍‍ଟ୍ ଆମେରିକା ପରିସ୍ଥିତିରୁ ବହୁ ଉଦାହରଣ ଦେଇ ଏହି ସିଦ୍ଧାନ୍ତ ଉପସ୍ଥାପନା କରିଛନ୍ତି ।

 

ଶ୍ରୀ ମୋହିତ ମୋହନ ମହାନ୍ତି

Image